ଲେଖା: ଦେଵ ତ୍ରିପାଠୀ

ଦୋଳ ଆସିଲେ କଟକ ମହାନଗରୀର ବାତାବରଣକୁ ଚହଲାଇ ରସସିକ୍ତ କରିଦିଏ ରାଜଦୋଳର ଯାତରା । ବିମାନରେ ଠାକୁର ବୁଲୁଥା’ନ୍ତି । ଘରକୁ ଘର ବୁଲି ଭୋଗ ଖା’ନ୍ତି । ସାହି ସାହିରେ ଆରମ୍ଭ ହୋଇଯାଏ ଦୋଳଯାତ । ସହରରେ ଚାଲିଥିବା ଫଗୁଉତ୍ସବ କାହିଁକି କେଜାଣି ଫେରାଇନିଏ ପିଲାଦିନର ଦୋଳଯାତକୁ, ମନେପଡେ ଦୋଳଯାତ୍ରା କଥା, ମନେପଡେ ଗାଁ ମାଟିର ସେଇ ମହାପର୍ବର କଥା, ଆଉ ପର୍ବ ସହ ଯୋଡ଼ି ହୋଇ ରହିଥିବା ଧୁଆଁଳିଆ ସ୍ମୃତିସବୁ ନାଚିଉଠେ ଆଖି ଆଗରେ !

ନିର୍ବାସିତ ଶୀତର ଏକ ଉଷ୍ମ ଅପରାହ୍ଣ । ବହିଚାଲିଛି ମନ୍ଦ ମନ୍ଦ ମଳୟ । ଶେଷ ମାଘର ଅସରାଏ ବରଷାରେ ଧୂଳିଧୂଆ ଗଛଲତା, ଫଗୁଣର ପରଶରେ ଚହଟି ଉଠିଥିବ କୁଆଁରୀ-କିଶଳୟ ଓ ସ୍ତବକ । ଅଦୂର ଆମ୍ବତୋଟା ଗହଳିରୁ ରହି ରହି ଭାସି ଆସୁଥିବ କୋଇଲିର କୁହୁ। ବାଉଁଶ ବୁଦାରୁ ଡାହୁକର ଡାକ । ଫଗୁବୋଳା ଅସ୍ତରାଗର ଆକାଶରେ ନୀଡ଼ ଫେରନ୍ତା ମାଳ ମାଳ ପକ୍ଷୀ । ଆଉ ଟିକକୁ ଉଇଁବ ପୁନେଇଁ ଜହ୍ନ । ପବନରେ ମଧୁମାଳତିର ଅପୂର୍ବ ସୁଗନ୍ଧି ଓ ଶିହରଣ ।


ଦାଣ୍ଡ ଲିପା ହୋଇଥିବ ଗୋବରରେ, ଚିତ୍ର ହୋଇଥିବ ନାନାବର୍ଣ୍ଣୀ ମୁରୁଜରେ । ସେଇ ମୁରୁଜଅଙ୍କା ଚିତ୍ର ଉପରେ ବିରାଜମାନ ହେବେ ରାଧାକୃଷ୍ଣ, ବିମାନରେ ବିଜେ କରି । ଘର ଘର ବୁଲି ଭୋଗ ଖାଇଯିବେ ପ୍ରଭୁ । ଫଗୁରେ ଚହଟିବ ସଭିଙ୍କ ମସ୍ତକ । ଡାଲାରେ ସଜାଯାଇଥିବ, ଦୁବ, ଅରୁଆ ଚାଉଳ, ଆମ୍ବଡ଼ାଳ, ନଡ଼ିଆ । ପୂର୍ଣ୍ଣକଳସ ବସିଥିବ, ଚଣାଲଡୁର ଭୋଗ ପ୍ରସ୍ତୁତ ହୋଇଥିବ । ପେଡ଼ିରେ ସାଇତା କର୍ପୁର ଦିଆ ସଫାଲୁଗା ପିନ୍ଧି ସଜ ହୋଇଥାନ୍ତି ବୋଉ, ବଡ଼ବୋଉ ।

ପୂରୁବ ଆକାଶରେ ଦେଖାଦଲାଣି ତୋଫାଜହ୍ନ । ମନ୍ଦିରରୁ ଭାସିଆସୁଛି ଖୋଳକରତାଳର ଶବ୍ଦ । ସଙ୍କୀର୍ତ୍ତନ ଚାଲିଛି । ଦିଅଁ ବିଜେ ହେଲେଣି । ସଜ ତରାଟ ଆଉ ବାଡିଫୁଲର ମାଳା ସଜାଇଛନ୍ତି କୁଟୁମ୍ବର ଝିଅମାନେ । ବୋଉ ସଜାଇଥିବ ଘିଅର ଦୀପ । ନନା (ବାପା) ବି ପ୍ରସ୍ତୁତ ଥିବେ ମଠା ପିନ୍ଧି, କାନ୍ଧରେ ଉତ୍ତରୀ ପକାଇ ।

ୟା ଭିତରେ ଗହଳେଇ ଆସୁଥିବ ମୃଦଙ୍ଗ, ଖୋଳ, ଗିନି, ଝାଞ୍ଜ, କାହାଳୀ, ଶଙ୍ଖର ନାଦ । ପେଟ୍ରୋମାକ୍ସ ଲାଇଟ ସହ ମଶାଲ ଧରି ଆଗେ ଆଗେ ଚାଲୁଥିବ ଦିଅଁଙ୍କ ସେବାୟତ ବାରିକପୁଅ । କାହିଁ କେତେ ବରଷର ପୁରୁଣା କିନ୍ତୁ ଦମ୍ଭିଲା କାଠର ବିମାନ ନୂଆ ରଙ୍ଗରେ ରଙ୍ଗାଇଥିବ । ବିମାନର ଶୋଭା ବଢାଉଥିବ ରଙ୍ଗବେରଙ୍ଗର କପଡ଼ା । ସୋଲର କଦମ୍ବଫୁଲମାନ କେତେ କାଇଦାରେ ଖଞ୍ଜିଥିବ ମାଳୀ । ବିମାନରେ ବନ୍ଧା ହୋଇଥିବ କଞ୍ଚାଆମ୍ବ, ନାସି ସହିତ, ଅର୍ପଣ ବି ହୋଇଥିବ । ବିମାନ ଭିତରେ ଉପରପଟକୁ ବନ୍ଧାଯାଇଥିବ କଟକରୁ କିଣା ହୋଇଆସିଥିବା ଚାନ୍ଦୁଆ । ଦିଅଁଙ୍କ ଦେହରେ ପାଟକନାର ଆଭରଣ, ଗଳାରେ ବଉଳଫୁଲର ମାଳା । ଚିକ୍ ଚିକ୍ ସୁନା ପରି ଝଟକୁଥିବ ପିତଳର ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି, ଚନ୍ଦନଚର୍ଚ୍ଚିତ । ମଥାରେ କମକୂଟର ରୂପା ମୁକୁଟ, ରଙ୍ଗ ଅଧରରେ ଅନନ୍ତ ଚିତ୍ତଚୋରା ଭୁବନମୋହିନୀ ହସ, ଆଖିରେ କୁହୁକ, ହାତରେ ମୁରଲୀ, ଠାଣି ତ୍ରିଭଙ୍ଗୀ ।

“କଳାକୁ ଷୋଳକଳା କରି,
ବ୍ରଜେ ବିହରେ ନରହରି ।”


ଇଏ ସେହି କିଶୋର କୃଷ୍ଣଙ୍କ ଯମୁନାତଟର ଲୀଳାଖେଳା ବେଳର ପ୍ରତିକୃତି । ବିମାନ ଉପରେ ଜଣେ ଧରିଥିବେ ଛତ୍ରିଟିଏ । ଗୋଟିଏ ହାତରେ ଚାମର ବିଞ୍ଚି ବିଞ୍ଚି ଅନ୍ୟ ହାତରେ ଅବିର ଥାଳିଟିଏ ଧରି ଚାଲିଥିବେ ବ୍ରାହ୍ମଣ । ଜଣେ ମାଖି ଚାଲିଥିବ ସଭିଙ୍କ ମସ୍ତକରେ ଅଗୁରୁ-ଚନ୍ଦନ ମିଶ୍ରିତ ପ୍ରଲେପ । ଗାଁ ଦାଣ୍ଡ ଉଚ୍ଛୁଳି ପଡୁଥିବ ସମ୍ମିଶ୍ରିତ କୋଳାହଳରେ, ହରିବୋଲ, ହୁଳହୁଳିରେ, ସେଥିରେ କିଶୋର, ବାଳକମାନଙ୍କର କଣ୍ଠସ୍ବର ପ୍ରମୂର୍ତ୍ତ । ଏକ ଉଦ୍ଦାମ ଆବେଗରେ ପରସ୍ପର ମାଖି ହେଉଥିବେ ଅବିର . . !

ବିମାନ କାନ୍ଧେଇ ଚାଲିଥିବେ ଚାରି/ଛଜଣ ଟାଣୁଆ ମିଣିପ । ଝାଳନାଳ ହୋଇଥିଲେ ବି ମୁଖରେ ଥିବ ଏକ ଅଦ୍ଭୁତ ପ୍ରଶାନ୍ତିର ଚିହ୍ନ । ଗାଁ ର ପ୍ରତି ଘରର ମୁରୁଜମଣ୍ଡିତ ଦାଣ୍ଡରେ ଅବତରଣ କରୁଥିବ ବିମାନ । ଘଣ୍ଟ, ଶଙ୍ଖ ଧ୍ୱନି ସହିତ ଘିଅଦୀପର ଆଳତିରେ ସ୍ବାଗତ କରାଯାଏ ଦିଅଁଙ୍କୁ, ଫଳପୁଷ୍ପର ନୈବେଦ୍ୟ ଅର୍ପଣ କରି ।

ୟା ଭିତରେ ଅଙ୍ଗବସ୍ତ୍ରରେ ଝାଳ ପୋଛି ବିଶ୍ରାମ ନିଅନ୍ତି ବାହକମାନେ । ଏମିତି ବୁଲି ବୁଲି, ଗାଁ ପରିକ୍ରମା କରି ପହଞ୍ଚି ଯିବେ ମେଳଣ ପଡ଼ିଆରେ । ଆମ ଶାସନୀ ବ୍ରାହ୍ମଣ ଗାଁରୁ କେତେ କେତେ ପରିବାରରୁ ଆସିଥିବେ ଏହିପରି ବହୁବର୍ଣ୍ଣ, ବୈଚିତ୍ର୍ୟ ସୁଶୋଭିତ ବିମାନ ।

ମେଳଣ ପଡିଆ କମ୍ପୁଥିବ ଘଣ୍ଟ, ମୃଦଙ୍ଗ, ଖୋଳ, ତାଳର ନାଦରେ । ଗାଁ ମୁଣ୍ଡ ଗାଦିର ପଡ଼ିଆରେ ବିଛେଇ ହୋଇ ପଡିଥିବ ଗୁଡିଆ, ଖେଳଣା ଦୋକାନମାନ । ଆକାଶରୁ ମୁକୁଳି ଆସୁଥିବ ତୋଫା ଜହ୍ନ ଆଲୁଅ । ତିଆଡି ଘର ବିମାନ ନ ବସିବା ଯାଏଁ ସେମିତି ସବୁ ବିମାନକୁ କାନ୍ଧେଇ ଖୋଳତାଳ, ମୃଦଙ୍ଗ, ଝାଞ୍ଜ ବଜେଇ ନାଚୁଥିବେ ଉନ୍ମତ୍ତ ଅଧୀର ଗାଁଲୋକେ ।


ଚାଷକାମ ଶେଷ ପରେ ନୂଆ ବେଉଷଣ ପୂର୍ବରୁ ଏଇଟା ଗୋଟେ ପ୍ରମୂର୍ତ୍ତ ଅବସର ସମୟ । ଏହାକୁ ଉପଭୋଗ ନ କରି ହାତଛଡ଼ା କରନ୍ତି ନାହିଁ କେହି । ଗାଁର ବୋହୂମାନେ ମଧ୍ୟ ଆସିଥିବେ, ଚାଲି ଚାଲି, ଅବା ଶଗଡ଼ରେ, ଏଇ ଦୋଳଯାତ ଦେଖିବାକୁ । ଚୁଡ଼ି ମନୋହାରୀ ଦୋକାନରେ ଜମି ଆସୁଥିବ ଭିଡ଼, ଆମେସବୁ ରୁଣ୍ଡ ହୋଇଥାଉ ବେଲୁନବାଲା ପାଖରେ – ତା’ର ପବନର ତାରକସି ଦେଖିବାରେ ଆଉ ବେଲୁନ କିଣିବାରେ । ଶେଷକୁ ଆସେ ଆମଘରର ବିମାନ । ସବୁ ଗହଳି ଭିତରେ ବାରି ହୋଇ ପଡୁଥିବ ଆକାରରେ, ରୂପସଜ୍ଜାରେ, ଥାଟପଟୁଆରରେ ।

ପାହାନ୍ତା ପହରରେ ଘୋଟିଆସିଥିବ କୁହୁଡ଼ି । ଶୀତୁଆ ପବନରେ ତନ୍ଦ୍ରିଳ ହୋଇ ଆସୁଥିବା ଆଖିପତାରୁ ତନ୍ଦ୍ରା ହରିନେବ ଆତସବାଜିର ଖେଳ ।

ସକାଳର ଅବ୍ୟବହିତ ପୂର୍ବରୁ ଆରମ୍ଭ ‌ହୋଇଯିବ ରଙ୍ଗଖେଳ । ସିନ୍ଦୁରା ଫାଟି ଆସୁଥିବ – ସତେଅବା ଆକାଶ ବି ଆଜି ରଙ୍ଗ ଖେଳୁଛି । ମନ୍ଦ୍ରିତ ମଳୟ ପବନ ସହ ପିଚକାରୀର ରଙ୍ଗମାଡ ଦେହ ଉଲୁସାଇ ଦେଉଥିବ, ସ୍ନାୟୁରେ ଭରିଦେଇଥିବ ଅପୁର୍ବ ଉତ୍ତେଜନା । ଆଜି ସବୁ ଭେଦାଭେଦ ଜାତିଅଜାତି ଭୁଲି ସୌହାର୍ଦ୍ଦ୍ୟ ଓ ସମ୍ପ୍ରୀତିରେ ରଙ୍ଗମୟ ହୋଇ ଉଠିବାର ସମୟ । ଏଇ ମୁହୁର୍ତ୍ତକୁ ରସୋତ୍ତୀର୍ଣ୍ଣ କରିଦେଉଥିବ ମେଳଣ ପଡିଆର କେଉଁ ଏକ ମନୋହାରୀ ଦୋକାନରୁ ଭାସି ଆସୁଥିବ ପୁରୁଣା ରେକର୍ଡର ଗୀତ:

“ସେଦିନ ସଞ୍ଜବେଳେ, ଏଇ ସେ ନଈକୂଳେ
କୋଇଲି ରହି ରହି ହାଏ ରେ. .
କୁହୁ କୁହୁ କୁହୁ କୁହୁ ଗାଇଲା . . “

ଅବା
“ଜୀବନ ଯମୁନାରେ, ଜୁଆର ଆସେରେ . . ।”

ସେଦିନର ସକାଳରେ ଥାଏ ଏକ ନୂଆ ମହକ, ନୂଆ ପୁଲକ । ଗଛ ଉହାଡରୁ କ୍ରମେ ଓହ୍ଲାଇ ଆସେ ଖରା ମେଳଣ ପଡିଆକୁ । ବିମାନ ସବୁ ଗୋଟି ଗୋଟି କରି ଉଠେ । ନିଦୁଆ ଆଖିରେ ରାତିର ବିଭୋରତାକୁ ଧରି, ବେସୁରା କଣ୍ଠରେ କେଉଁ ଗୀତର ଭଙ୍ଗା ଭଙ୍ଗା ସୁରକୁ ଧରି ଦଳ ଦଳ ହୋଇ ବିଚିତ୍ରବର୍ଣ୍ଣା ଯୁବକମାନେ ଫେରନ୍ତି ଘରକୁ । ଆବାଳବୃଦ୍ଧବନିତା ସଭିଙ୍କ ଦେହ ମଣ୍ଡିତ ଲାଲ ରଙ୍ଗରେ ।

ଏଇ ହିଁ ଜୀବନର ରଙ୍ଗ, ବିଷାଦ ବିମର୍ଷର ଜଞ୍ଜାଳ ଭିତରେ ଏତକ ହିଁ ଜୀଇଁ ରହିବାର ଅପୂର୍ବ ସମ୍ମୋହନ, ମଉଳି ଆସୁଥିବା ଜୀବନର ପାଖୁଡ଼ା ଗୁଡ଼ିକ ପର୍ବପର୍ବାଣୀର କୋଳାହଳ ଭିତରେ ପୁଣି ଯେପରି ହୋଇଉଠେ ସତେଜ, କୋମଳ, ରଙ୍ଗମୟ ।

ପ୍ରତ୍ୟେକ ପର୍ବ ଅନ୍ତରାଳରେ ଯେପରି ସାମାଜିକ ସଂହତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଥାଏ ସଂଗୋପିତ, ସେପରି ଥାଏ ଏକ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ । ଅବିର ପ୍ରଲେପରେ ଥାଏ ରକ୍ତଶୋଧନର ଏକ ପ୍ରତିଶ୍ରୁତି ଏବଂ ଚଣାଲଡୁରେ ଥାଏ ‘ବସନ୍ତ’ ରୋଗକୁ ପ୍ରତିହତ କରିବାର ଶକ୍ତି। ଗତାୟୁ ଶୀତ ଓ ଆଗାମୀ ଗ୍ରୀଷ୍ମର ମଧ୍ୟବର୍ତ୍ତୀ ରେଖାର ଏ ହୋଲି ଖେଳ ମଣିଷର ଶରୀରକୁ ପ୍ରଚଣ୍ଡ ଗ୍ରୀଷ୍ମ ପାଇଁ ପ୍ରସ୍ତୁତ କରିବାର ଏକ ପଦ୍ଧତି ।

DolJatra Dola Purnima

Dev Tripathy Deba Tripathy

Spread the love
admin

View Comments

  • ରାଧା ଗୋବିନ୍ଦଙ୍କ ରଂଗ ଖେଳ ଓଡ଼ିଶାର ସଂସ୍କୃତି ବୋଲି କହିଲେ ଭୁଲ ହେବ ନାହିଁ। ଶ୍ରୀରାଧାଙ୍କ ଉପରେ ଆଧାରିତ ଅନେକ ଲେଖା ଅନ୍ୟ କୌଣସି ଭାଷାରେ ଏତେ ମାତ୍ରାରେ ଦେଖିବାକୁ ମିଳେ ନାହିଁ। ପୁନଶ୍ଚ ଏହି ଉତ୍କଳର ଗୌରବ ଗ୍ରଥିତ କବିରାଜ ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟ ରଚନା ପରେ ଏହି ରାସଲୀଳା ଅନ୍ୟ ଭାରତୀୟ ଭାଷାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।

    • ଆମ ସଂସ୍କୃତି ଓ ପରମ୍ପରା ର ମହତ୍ତ୍ଵ କୁ ସାବ୍ୟସ୍ତ କରୁଛି। ପ୍ରେରଣା ପ୍ରଦ ଉପସ୍ଥାପନା।👏

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago