ଏହି ନୃତ୍ୟର #ମୁଖ୍ୟ_ବାଦ୍ୟଭାବରେ ଧୁମସା, ଢୋଲ, ଚଡଚଡି, ସାହାନାଇ, ବଇଁଶୀ, ଟୁଇଲା, କ୍ଲାରିନେଟ, ହାରମୋନିୟମ୍ ଆଦି ବ୍ୟବହୃତ ହେଉଥିବାର ଜଣାଯାଏ। ମୟୂରଭଞ୍ଜ ଛଉ ଶୈଳୀର କେତେକ ପ୍ରସିଦ୍ଧ ନୃତ୍ୟ ମଧ୍ୟରେ ନଟରାଜ, ମହାଦେବ, ତାମୁଡିଆ କୃଷ୍ଣ, ଶବର ଟୋକା, ଗଙ୍ଗା ଅବତରଣ, ଦଣ୍ଡି, ଜାମ୍ବେବ, କାଳଚକ୍ର, ନବଗ୍ରହ, ଅଭିମନ୍ୟୁ ବଧ(ସପ୍ତରଥୀ), କେଳାକେଳୁଣୀ, ବଇଁଶୀଚୋରି, ନିଠୁର କାଲିଆ, ଦଶାବତାର, ମହିଷାମର୍ଦ୍ଦିନୀ, କାଳିୟଦଳନ, ସାଗର ସଙ୍ଗମ, ନାବକେଳୀ, ମାନକ ଚୋରି, କଂସବଧ, ବସନ୍ତ ମିଳନ, ଗରୁଡ ବାହନ, ନିଶିଥ ମିଳନ ଆଦି ଅନ୍ୟତମ। ଏହି ନୃତ୍ୟକୁ ବିଶ୍ବସ୍ତରରେ ପହଞ୍ଚାଇଥିବା ଦିବଂଗତ ଶିଳ୍ପୀମାନଙ୍କ ମଧ୍ୟରେ ୰ ଅନନ୍ତ ନାରାୟଣ ସାଏ ବାବୁ, ୰ମଦନ ମୋହନ ଲେଙ୍କା, ୰ବୈଦ୍ୟନାଥ ସିଂହ ଚୌହାନ, ୰ଗଣେଶ୍ବର କୁଅଁରବାବୁ, ୰ଶମ୍ଭୁନାଥ ଜେନା, ୰ରମେଶ ଚନ୍ଦ୍ର ଦାସ, ୰ବୈକୁଣ୍ଠ ଦାସ, ୰ହେମଚନ୍ଦ୍ର ବେହେରା, ୰ଲକ୍ଷ୍ମୀନାରାୟଣ ଦାସ(ଟୁରୀ ବାବୁ) ପ୍ରମୁଖ ଅନ୍ୟତମ।
ମୟୂରଭଞ୍ଜରେ ଚୈତ୍ର ପର୍ବ କୌଣସି ମହାର୍ଘ୍ୟ ମୂହୁର୍ତ୍ତ ଠାରୁ କମ୍ ନୁହେଁ। ବସନ୍ତର ଶେଷ ଚୈତ୍ର ମାସର ଶେଷ ତିନିଦିନ ଧରି ମୟୂରଭଞ୍ଜର ପ୍ରାଣକେନ୍ଦ୍ର ବାରିପଦାର ପ୍ରସିଦ୍ଧ ଛଉ ପଡ଼ିଆଠାରେ ପାଳିତ ହୁଏ ତ୍ରିଦିବସୀୟ ଚୈତ୍ର ପର୍ବ। ପ୍ରଥମ ଦିବସରେ ଗ୍ରାମାଞ୍ଚଳର ଛଉ ଦଳ ଗୁଡ଼ିକର ନୃତ୍ୟ ପ୍ରଦର୍ଶିତ ହୁଏ। ଏହି ଅବସରରେ ନିଜ ନିଜ ଅଞ୍ଚଳର ନୃତ୍ୟଦଳ ଗୁଡିକର ନୃତ୍ୟ ଦେଖିବା ତଥା ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ହଜାର ହଜାର ଲୋକଙ୍କର ସମାଗମ ବେଶ୍ ଆକର୍ଷଣୀୟ କରିଥାଏ ଏହି ଅପୂର୍ବ ଆୟୋଜନକୁ। ପରବର୍ତ୍ତୀ ଦୁଇଦିନ ଉତ୍ତର ସାହି ଓ ଦକ୍ଷିଣ ସାହି ଦୁଇ ଦଳର ନୃତ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ। ଚୈତ୍ରର ଶେଷକୁ ଅତୀବ ସ୍କରଣୀୟ କରି ବିଦାୟ ଦିଏ ମୟୂରଭଞ୍ଜ ଓ ସାଦରେ ସ୍ବାଗତ କରେ ଓଡ଼ିଆ ନବବର୍ଷକୁ ନିଜର ସବୁଜ ସାମ୍ରାଜ୍ୟକୁ।