ଲେଖା: କୁମାରେଶ ନାୟକ
~ ମୟୂରଭଞ୍ଜ ମାଟିର ପ୍ରସିଦ୍ଧ ନୃତ୍ୟକଳା ଛଉ ନୃତ୍ୟ ~
ଛଉ ନୃତ୍ୟ ଏକ ପ୍ରସିଦ୍ଧ ପୂର୍ବ-ଭାରତୀୟ ନୃତ୍ୟକଳା। ଅନେକ ଏହାକୁ ସେମିକ୍ଲାସିକାଲ ନୃତ୍ୟ ପର୍ଯ୍ୟାୟ ଭୁକ୍ତ ଭାବରେ ବିବେଚନା କରୁଥିଲେ ମଧ୍ୟ ଛଉନୃତ୍ୟର ବିଭବକୁ ଅବଲୋକନ କଲେ ଏହାର ବିବିଧତା ଦୃଷ୍ଟିରୁ ଏହାର ସ୍ବତନ୍ତ୍ରତା ସ୍ବତଃ ବାରି ହୋଇପଡେ। ଛଉ ନୃତ୍ୟ କଳା ମୁଖ୍ୟତଃ ପୂର୍ବ ଭାରତର ମୟୂରଭଞ୍ଜ, ଷଢେଇକଳାପୁରୁଲିଆ ଠାରେ ଦୃଷ୍ଟି ଗୋଚର ହେଉଥିଲେ ମଧ୍ୟ #ମୟୂରଭଞ୍ଜ_ଛଉ ଏଗୁଡିକ ମଧ୍ୟରେ ସ୍ବତନ୍ତ୍ର। ଷଢେଇକଳା ଓ ପୁରୁଲିଆ ଛଉରେ ନୃତ୍ୟଶିଳ୍ପୀ ନୃତ୍ୟ ସମୟରେ ମୁଖା (mask)ର ବ୍ୟବହାର କରୁଥିବା ବେଳେ ମୟୂରଭଞ୍ଜ ଛଉ ଶୈଳୀରେ ନୃତ୍ୟଶିଳ୍ପୀ ମୁଖାର ବ୍ୟବହାର କରୁନଥିବାରୁ ନୃତ୍ୟରେ ମୁଖମଣ୍ଡଳରେ ଭାବଗତ ପ୍ରତିଫଳନ ସଠିକ ଭାବରେ ହେବା ସହ ନୃତ୍ୟର ଭଙ୍ଗୀକୁ ସଠିକ ଭାବରେ ପ୍ରଦର୍ଶିତ କରାଯାଇପାରେ।
(Image: Prem Sahoo)
ଛଉ ମୁଖ୍ୟତଃ #ସମରକଳା ବା ଛାଉଣୀ ନୃତ୍ୟ ଭାବରେ ପରିଚିତ। ରାଜାରାଜୁଡା ଶାସନ କାଳରେ ସମର ବା ଯୁଦ୍ଧ ସମୟରେ ରାତ୍ରୀକାଳୀନ ଚିତ୍ତ ବିନୋଦନ ନିମନ୍ତେ ଏହି ନୃତ୍ୟକଳାର ପ୍ରଦର୍ଶନ ହେଉଥିବା କଥା ପ୍ରାୟ ସଭିଙ୍କୁ ଜଣା କିନ୍ତୁ କେବଳ ବୀର ରସ ବ୍ୟତୀତ ପ୍ରେମ, ପ୍ରଣୟ, ବିରହ, ପୌରାଣିକ ଘଟଣାବଳୀ ସହ ସାମାଜିକ ଜୀବନର ପ୍ରତିଫଳନ ଏହି ନୃତ୍ୟକୁ ସମାଜର ପ୍ରତ୍ୟେକ ସ୍ତରର ବ୍ୟକ୍ତିବିଶେଷଙ୍କ ନିକଟବର୍ତ୍ତୀ କରାଇପାରିଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।
ଗୌରବମୟ ଭଞ୍ଜ ଶାସନର ଦୃଢ ଛତ୍ରଛାୟା ତଳେ ପ୍ରସିଦ୍ଧିର ଶୀର୍ଷ ସ୍ତର ଛୁଇଁପାରିଥିଲା ଏହି ପ୍ରସିଦ୍ଧ ନୃତ୍ୟଶୈଳୀ। ଛଉ ନୃତ୍ୟର ପୃଷ୍ଠପୋଷକତା, ନୃତ୍ୟ ନୈପୁଣ୍ୟତା ତଥା ପ୍ରତିଯୋଗିତା ପୂର୍ଣ ମନୋଭାବର ବିକାଶ ନିମନ୍ତେ ଉତ୍ତରସାହି ଓ ଦକ୍ଷିଣସାହି ନାମରେ ସୃଷ୍ଟି ହୋଇଥିଲା ଦୁଇଟି ଦଳ। #ଉତ୍ତର_ସାହି ମହାରାଣୀଙ୍କର ଦଳ ଭାବରେ ପରିଚିତ ଥିବା ବେଳେ #ଦକ୍ଷିଣ_ସାହି ମହାରାଜାଙ୍କର ଦଳ ଭାବରେ ପରିଚିତ ହେବା ସହ ଦୃଢ ପୃଷ୍ଠପୋଷକତା ଲାଭ କରି ନିଜ ନିଜର ନୃତ୍ୟ ନୈପୁଣ୍ୟତାକୁ ବିଶ୍ବବିଦିତ କରାଇପାରିଥିଲେ।
ଏଇ ନୃତ୍ୟ ଶିକ୍ଷାରେ ଖାଦ୍ୟପେୟ, ଶାରୀରିକ ବ୍ୟାୟାମ, ଶୃଙ୍ଖଳିତ ଜୀବନଶୈଳୀର ଗୁରୁତ୍ତ୍ବ ଅନେକ। ଉଭୟ ଦଳ ବିଭିନ୍ନ ଘଟଣାବଳୀ, ପୌରାଣିକ ବିଷୟବସ୍ତୁ ତଥା ସାମାଜିକ ଜୀବନ ଶୈଳୀର ଛାୟାରେ ନିଜସ୍ବ ସ୍ବତନ୍ତ୍ର ନୃତ୍ୟ ବିକଶିତ କରିଥିବାର ପ୍ରମାଣ ରହିଛି ଯାହାକି ଉଭୟ ଉତ୍ତର ସାହି ଓ ଦକ୍ଷିଣ ସାହିର ସ୍ବତନ୍ତ୍ରତାକୁ ପ୍ରକାଶିତ କରିଥାଏ। କେବଳ ବାରିପଦାରେ ନୁହେଁ ଅପରନ୍ତୁ ମୟୂରଭଞ୍ଜର ସମସ୍ତ ସବଡ଼ିଭିଜନ ଯଥା ପାଞ୍ଚପିଢ, ବାମନଘାଟୀ, କପ୍ତିପଦାବାରିପଦା ସଦରର ଗ୍ରାମାଞ୍ଚଳରେ ମଧ୍ୟ ଛଉ ନୃତ୍ୟ କଳାର ସର୍ବଜନଗ୍ରହଣୀୟତା ପରିଲକ୍ଷିତ ହୁଏ। ଜିଲ୍ଲାର ସମସ୍ତ ସବଡିଭିଜନର ସ୍ବତନ୍ତ୍ର ନୃତ୍ୟ ଓ ଶିଳ୍ପୀ ଏହି କଳାକୁ ଅଧିକ ରୁଦ୍ଧିମନ୍ତ କରିଛନ୍ତି।
ଏହି ନୃତ୍ୟର #ମୁଖ୍ୟ_ବାଦ୍ୟଭାବରେ ଧୁମସା, ଢୋଲ, ଚଡଚଡି, ସାହାନାଇ, ବଇଁଶୀ, ଟୁଇଲା, କ୍ଲାରିନେଟ, ହାରମୋନିୟମ୍ ଆଦି ବ୍ୟବହୃତ ହେଉଥିବାର ଜଣାଯାଏ।
ମୟୂରଭଞ୍ଜ ଛଉ ଶୈଳୀର କେତେକ ପ୍ରସିଦ୍ଧ ନୃତ୍ୟ ମଧ୍ୟରେ ନଟରାଜ, ମହାଦେବ, ତାମୁଡିଆ କୃଷ୍ଣ, ଶବର ଟୋକା, ଗଙ୍ଗା ଅବତରଣ, ଦଣ୍ଡି, ଜାମ୍ବେବ, କାଳଚକ୍ର, ନବଗ୍ରହ, ଅଭିମନ୍ୟୁ ବଧ(ସପ୍ତରଥୀ), କେଳାକେଳୁଣୀ, ବଇଁଶୀଚୋରି, ନିଠୁର କାଲିଆ, ଦଶାବତାର, ମହିଷାମର୍ଦ୍ଦିନୀ, କାଳିୟଦଳନ, ସାଗର ସଙ୍ଗମ, ନାବକେଳୀ, ମାନକ ଚୋରି, କଂସବଧ, ବସନ୍ତ ମିଳନ, ଗରୁଡ ବାହନ, ନିଶିଥ ମିଳନ ଆଦି ଅନ୍ୟତମ। ଏହି ନୃତ୍ୟକୁ ବିଶ୍ବସ୍ତରରେ ପହଞ୍ଚାଇଥିବା ଦିବଂଗତ ଶିଳ୍ପୀମାନଙ୍କ ମଧ୍ୟରେ ୰ ଅନନ୍ତ ନାରାୟଣ ସାଏ ବାବୁ, ୰ମଦନ ମୋହନ ଲେଙ୍କା, ୰ବୈଦ୍ୟନାଥ ସିଂହ ଚୌହାନ, ୰ଗଣେଶ୍ବର କୁଅଁରବାବୁ, ୰ଶମ୍ଭୁନାଥ ଜେନା, ୰ରମେଶ ଚନ୍ଦ୍ର ଦାସ, ୰ବୈକୁଣ୍ଠ ଦାସ, ୰ହେମଚନ୍ଦ୍ର ବେହେରା, ୰ଲକ୍ଷ୍ମୀନାରାୟଣ ଦାସ(ଟୁରୀ ବାବୁ) ପ୍ରମୁଖ ଅନ୍ୟତମ।
ମୟୂରଭଞ୍ଜରେ ଚୈତ୍ର ପର୍ବ କୌଣସି ମହାର୍ଘ୍ୟ ମୂହୁର୍ତ୍ତ ଠାରୁ କମ୍ ନୁହେଁ। ବସନ୍ତର ଶେଷ ଚୈତ୍ର ମାସର ଶେଷ ତିନିଦିନ ଧରି ମୟୂରଭଞ୍ଜର ପ୍ରାଣକେନ୍ଦ୍ର ବାରିପଦାର ପ୍ରସିଦ୍ଧ ଛଉ ପଡ଼ିଆଠାରେ ପାଳିତ ହୁଏ ତ୍ରିଦିବସୀୟ ଚୈତ୍ର ପର୍ବ। ପ୍ରଥମ ଦିବସରେ ଗ୍ରାମାଞ୍ଚଳର ଛଉ ଦଳ ଗୁଡ଼ିକର ନୃତ୍ୟ ପ୍ରଦର୍ଶିତ ହୁଏ। ଏହି ଅବସରରେ ନିଜ ନିଜ ଅଞ୍ଚଳର ନୃତ୍ୟଦଳ ଗୁଡିକର ନୃତ୍ୟ ଦେଖିବା ତଥା ସେମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ହଜାର ହଜାର ଲୋକଙ୍କର ସମାଗମ ବେଶ୍ ଆକର୍ଷଣୀୟ କରିଥାଏ ଏହି ଅପୂର୍ବ ଆୟୋଜନକୁ। ପରବର୍ତ୍ତୀ ଦୁଇଦିନ ଉତ୍ତର ସାହି ଓ ଦକ୍ଷିଣ ସାହି ଦୁଇ ଦଳର ନୃତ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟେ। ଚୈତ୍ରର ଶେଷକୁ ଅତୀବ ସ୍କରଣୀୟ କରି ବିଦାୟ ଦିଏ ମୟୂରଭଞ୍ଜ ଓ ସାଦରେ ସ୍ବାଗତ କରେ ଓଡ଼ିଆ ନବବର୍ଷକୁ ନିଜର ସବୁଜ ସାମ୍ରାଜ୍ୟକୁ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago