ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି

ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକେ ପୂର୍ବେ ଏକ ବାଦ୍ୟଯନ୍ତ୍ରକୁ ବ୍ୟବହାର କରି, ଗୀତ ଗାଇ ଗାଇ, ଗାଁ ଗାଁ ବୁଲି ବୁଲି ଭିକ୍ଷା କରୁଥିଲେ । ଏହି ଘୁଡ଼ୁକି ବଜାଇଲେ ଘୁ.ଡୁ. . . ଘୁଡୁ ଶବ୍ଦ ସୃଷ୍ଟି ହୁଏ ସମ୍ଭବତଃ ଏଥିପାଇଁ ଏଇ ବାଦ୍ୟଯନ୍ତ୍ରର ନାମ ଘୁଡୁକି । ଘୁଡ଼ୁକିକୁ କେତେକ ଅଞ୍ଚଳରେ ‘ଧୁଡୁକି’ ବୋଲି ମଧ୍ୟ କୁହାଯାଏ । ‘ଧୁଡୁକି’ ଶବ୍ଦର ଅର୍ଥ ପ୍ରକାଶ କରିବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ କୁହାଯାଇଛି – “ଗୋଟିଏ ବଡ଼ ନଜର ଗୁନ୍ନା ଗୁମ୍ଫା ମୁହଁରେ ବନ୍ଧାଯାଇଥା ଚମଡ଼ାର ମଝିରେ ଗୋଟିଏ ଛିଦ୍ର ହୋଇ ତହିଁରେ ଗୋଟିଏ ତନ୍ତୁବାୟ ସୂତ୍ର ସଲଗ୍ନ ଥାଏ । ଉକ୍ତ ନଳକୁ ବାଆଁ କାଖରେ ଜାକି ସୂତାର ମୁକୁଳା ମୁଣ୍ଡକୁ ବାଁ ହାତରେ ଟାଣିଧରି ଡାହାଣ ହାତରେ ଆଙ୍ଗୁଠି ଦ୍ଵାରା ସେ ସୂତାକୁ ବଜାଇଲେ ଟଙ୍ଗ୍ ଟଙ୍ଗ୍ ବା ଧୁଡ ଧୁଡ ଶବ୍ଦ ହୁଏ । । କେଳାମାନେ ଗୀତ ବୋଲି ଗୀତର ତାଳ ଅନୁସାରେ ଏହି ଯନ୍ତ୍ର ବଜାନ୍ତି ।” (ପୃ-୪୦୨୬ ଲାର୍କ ବୁକ୍‌, ୨୦୦୮) 

~ ଘୁଡ଼ୁକିର ପ୍ରସ୍ତୁତି ~
ଗଞ୍ଜାମରେ ଘୁଡ଼ୁକିର ପ୍ରସ୍ତୁତି ଟିକିଏ ଭିନ୍ନ । ଗଞ୍ଜାମର କଳାପ୍ରାଣ ବ୍ୟକ୍ତିମାନେ ଲୋକବାଦ୍ୟ ପ୍ରସ୍ତୁତ କଲାବେଳେ ସତର୍କ ଦୃଷ୍ଟି ଦେଇଥାନ୍ତି, ଯାହାଦ୍ଵାରା ଲୋକବାଦ୍ୟ ଦୀର୍ଘସ୍ଥାୟୀ ଓ ବାକ୍ୟରୁ ଜାତ ଶବ୍ଦ ସୁମଧୁର ହୋଇଥାଏ । କେଉଁ କାଠରେ ତିଆରି ହେଲେ କି ପ୍ରକାର ସୃଷ୍ଟି ହେବ ଏଥପାଇଁ ମଧ୍ୟ ସେମାନେ ସଚେତନ ଥାଆନ୍ତି । ପ୍ରକାଶଥାଉକି, ଦାସକାଠିଆ ପାଇଁ ଶିଶୁଆ କାଠ ବ୍ୟବହାର ହେଲାବେଳେ ଢୁମ୍ପାବାଦ୍ୟ ପାଇଁ ମୋହି କଣ୍ଟା ବାଉଁଶ ବ୍ୟବହୃତ ହୁଏ । କେଉଁ କାଠକୁ ପାଣି ଭିତରେ କିଛିଦିନ କସେଇବାକୁ ହୁଏତ କେଉଁ କାଠର ମଞ୍ଜରୁ ସିଧାସଳଖ ବାଦ୍ୟଯନ୍ତ୍ର ପ୍ରସ୍ତୁତ କରାଯାଏ । ଘୁଡ଼ୁକି ପାଇଁ କିଆ, ପଣସ, ଗମ୍ଭାରୀ, ବାବୁଲ, ବକୁଲ, ନିମ ଗଛର ମଞ୍ଜ ଅଂଶକୁ ବ୍ୟବହାର କରାଯାଏ । ଘୁଡୁକିପାଇଁ ବ୍ୟବହୃତ କାଠକୁ ପାଣି ତଳ ପଙ୍କ ଭିତରେ ୨୦/୨୫ ଦିନ ପୋତି ଦିଆଯାଏ । ଏହାଦ୍ଵାରା କାଠକୁ ଆଉ କେବେ ପୋକ ଧରେ ନାହିଁ । ଟାଣ ହୁଏ । ବାଦ୍ୟଯନ୍ତ୍ର ମଧ୍ୟ ଦୀର୍ଘସ୍ଥାୟୀ ହୁଏ । ଏହି କାଠଗଣ୍ଠିକୁ ପାଣିରୁ ବାହାର କରି ସେଥୁରୁ ଘୁଡୁକି ପାଇଁ ଅଡ଼ା ପ୍ରସ୍ତୁତ କରାଯାଏ । ଏହି ଅଡ଼ା ମାପଯନ୍ତ୍ର କାଠଅଡ଼ା ପରି । କିନ୍ତୁ ଏହାର ଦୁଇ ପାଖ ଖୋଲାଥାଏ । ଏହାର ଲମ୍ବା ୧ ଫୁଟ ୧୦ ଇଞ୍ଚ । ଏହାର ଖୋଲା ମୁହଁର ଗୋଟିଏ ପଟର ବ୍ୟାସ ୫ ଇଞ୍ଚ । ଏହି ପଟରେ ଚମଡ଼ା ସଂଲଗ୍ନ କରାଯାଏ । ଅନ୍ୟପଟର ବ୍ୟାସ ୪.୫ ଇଞ୍ଚ । ଏହାର ମୁହଁ ଖୋଲା ରହେ । ବାଦକର ରୁଚି ଅନୁସାରେ ଏହି ଦୈର୍ଘ୍ୟ ଏବଂ ବ୍ୟାସରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ ।

ଘୁଡ଼ୁକିରେ ବ୍ୟବହୃତ ଅନ୍ୟାନ୍ୟ ଚମଡ଼ା ଅପେକ୍ଷା ଗୋଧି ଚମଡ଼ାକୁ ପ୍ରାଧାନ୍ୟ ଦିଆଯାଏ, କାରଣ ହେଲା ଏହି ଚମଡ଼ାରୁ ସୃଷ୍ଟି ହେଉଥ‌ିବା ଶବ୍ଦ ଶ୍ରୁତିମଧୁର । ଆଜିକାଲି ଛେଳି ଚମଡ଼ା ମଧ୍ୟ ବ୍ୟବହୃତ ହେଉଛି । କିଆକାଠ ଅଡ଼ା ପାଇଁ ଗୋଧି ଚମଡ଼ା ଏବଂ ପଣସ, ଗମ୍ଭାରୀ ଆଦି କାଠ ପାଇଁ ଛେଳି ଚମଡ଼ା ବ୍ୟବହାର କଲେ ମଧୁର ସ୍ଵର ସୃଷ୍ଟି ହୁଏ । ଅଡ଼ାର ଅଧିକ ବ୍ୟାସଥିବା ଖୋଲା ମୁହଁରେ ଚମଡ଼ା ଢାଙ୍କୁଣି କରାଯାଏ । ଏଥିପାଇଁ ଆପୁଚି ଦ୍ୱାରା ପ୍ରସ୍ତୁତ ସ୍ଵତନ୍ତ୍ର ଅଠା ବ୍ୟବହୃତ ହୋଇଥାଏ । ଚମଡ଼ାର ଠିକ୍ କେନ୍ଦ୍ର ବିନ୍ଦୁରେ ତନ୍ତ ସୂତା ଗଲାପରି ଏକ କଣା କରାଯରାଏ । ତନ୍ତସୂତାର ଗୋଟିଏ ପାର୍ଶ୍ଵକୁ ଏକ ଇଞ୍ଚିଆ ଏକ ଛୋଟ କାଠିରେ ତନ୍ତସୂତାକୁ ବାନ୍ଧି ଛିଦ୍ର ଦେଇ ତନ୍ତସୂତାର ଅପରମୁହଁକୁ ଗଳେଇ ଦିଆଯାଏ । ଏହି ତନ୍ତସୂତାର ଲମ୍ବା ଘୁଡ଼ିକି ବାଦ୍ୟର ହାତ ଲମ୍ବା ଉପରେ ନିର୍ଭର କରେ । ସୂତାର ଏହି ମୁଣ୍ଡକୁ କୁନ୍ଦ କରାଯାଇଥିବା ୭ ଇଞ୍ଚ ଲମ୍ବାର ଏକ କାଠିର ମଧ୍ଯ ଭାଗର ରନ୍ଧ୍ର ଦେଇ ବାହାରକୁ ନିଆଯାଏ ଏବଂ ଅବଶିଷ୍ଟ ତନ୍ତ୍ର ସୂତାକୁ ଗୁଡ଼େଇ ଦିଆଯାଏ । ଏହି କାଠିର ଉଭୟପାର୍ଶ୍ଵରେ ତିନୋଟି ଲେଖାଏଁ ପିତଳ ଘୁଙ୍ଗୁର ଲାଗିଥାଏ । ବାଦକ ଏହି ବାଦ୍ୟଯନ୍ତ୍ରକୁ ବାମ କାଖ ତଳେ ଜାକିଧରି ବାଆଁ ହାତରେ ତନ୍ତସୂତା ଲାଗିଥିବା କାଠିଟିକୁ ଟାଣିଧରି ଡାହାଣ ହାତର ନଖ ଦ୍ଵାରା ତନ୍ତସୂତାକୁ ଆଘାତ କଲେ ସ୍ଵର ସୃଷ୍ଟ ହୁଏ । ତବଲା, ମୃଦଙ୍ଗ, ଦାସକାଠି ଆଦି ବାଦ୍ୟଯନ୍ତ୍ରରେ ଦୁଇଟି ପାର୍ଶ୍ବରେ ଧେୟା, ଚାହାଁ ଥିଲାବେଳେ ଗୁଡ଼ିକିର ଗୋଟିଏ ତନ୍ତରେ ଉଭୟ କାର୍ଯ୍ୟ ସମ୍ପାଦିତ ହୁଏ । ତେଣୁ ଏହା ଅଧୁକ ସାଧନାସାପେକ୍ଷ । ନାଟ୍ୟ ପରିବେଷଣବେଳେ ଏକତାଳି, ଖେମଟା, ଝୁମ୍ଫା, ଆଠତାଳି, ଚଉତାଳି, ତ୍ରିପଚା ଆଦି ତାଳରେ ଘୁଡ଼ୁକି ବାଦନ କରିବାକୁ ହୋଇଥାଏ ।

~ ଘୁଡୁକି ନାଟର ବିକାଶକ୍ରମ ~
ପତର ସଉରା ଓ କେଳା ସମ୍ପ୍ରଦାୟର ଲୋକଙ୍କ ଭିକ୍ଷାବୃତ୍ତି ପାଇଁ ଉଦ୍ଦିଷ୍ଟ ଏଇ ଲୋକବାଦ୍ୟ ଘୁଡ଼ିକି ବିଦଗ୍‌ଧ ମାନସକୁ ଆକୃଷ୍ଟ କରିଛି । ଏହାର ସୁରଝଙ୍କାର ସ୍ଵତନ୍ତ୍ର ଓ ହୃଦ୍ୟ । ଗାଉଥିବା ଗୀତ ଥିଲା ସେମାନଙ୍କ ନିଜ ଭାଷା, ପେଟ ପାଟଣା ଓ ଜୀବନ ଯନ୍ତ୍ରଣାର ପରିଭାଷା । ସଂଗୃହୀତ ତଥ୍ୟରୁ ଜଣାଯାଏ, ଚିକିଟୀ ସନ୍ନିକଟ କୋଳିଅଡ଼ା ଗ୍ରାମର ଭୀମ ଡାକୁଆ ଏହି ଘୁଡୁକି ବାଦ୍ୟପ୍ରତି ଆକୃଷ୍ଟ ହୋଇପଡ଼ିଲେ । ବାଦ୍ୟ ବାଦନ ଶିଖିଲେ । ଘୁଡୁକି ମାଧ୍ୟମରେ ପ୍ରଥମେ ଭଜନ ଗାଇବା ଆରମ୍ଭ କଲେ । ଲୋକେ ଶୁଣି ଖୁସି ହେଲେ । ପରେପରେ ବିଭିନ୍ନ ପୁରାଣର ବିଷୟବସ୍ତୁକୁ ଆଶୁକବି ପରି ମନେମନେ ରଚନାକରି ଘୁଡ଼ୁକି ବାଦନ ସହ ଗାଇଲେ । ନାଟ୍ୟଦଳ ଗଢ଼ି ଲୋକରେ ପରିବେଷଣ କଲେ । ଗୀତର ଭାବକୁ ନେଇ ଆଙ୍ଗିକ ଅଭିନୟ କଲେ । ଫଳତଃ ଏହା ଘୁଡ଼ୁକି ନାଟର ପ୍ରାଥମିକ ରୂପନେଲା । ବସ୍ତୁତଃ ଭୀମ ଡାକୁଆଙ୍କୁ ଘୁଡ଼ୁକି ନାଟର ଆଦ୍ୟଗୁରୁ ଭାବେ ଗ୍ରହଣ କରାଯାଇପାରେ । ସୃଷ୍ଟିକାଳ ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକ ସମ୍ଭାବ୍ୟ ।

ଗଞ୍ଜାମବାସୀ ନାଟ୍ୟପ୍ରାଣ । ନାଟ୍ୟକଳା ଲୋକପ୍ରିୟ ହେଲେ ଏହାର ବେଗ ପ୍ରଖର ହୁଏ ଏବଂ ଏହାକୁ ଅଧିକ ସରସ, ରୁଚିପୂର୍ଣ ଓ ଉପଭୋଗ୍ୟ କରିବା ନିମିତ୍ତ ପ୍ରୟାସ ଜାରିରହେ । ତେଣୁ ଲୋକରୁଚି ଦୃଷ୍ଟିରୁ ଏଥରେ ଭଜନ ଓ ଅଷ୍ଟାଦଶ ପୁରାଣ ଚର୍ଚ୍ଚା ସହିତ ମଧ୍ୟଯୁଗୀୟ କବିମାନଙ୍କର ବିଶେଷତଃ କବିସମ୍ରାଟ ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ, ଭକ୍ତକବି ଗୋପାଳକୃଷ୍ଣ, ହାସ୍ୟରସିକ କବି ଯଦୁମଣି, ଅଭିମନ୍ୟୁ ସାମନ୍ତସିଂହାର, କବି ଦୀନକୃଷ୍ଣ ପ୍ରମୁଖଙ୍କ କାବ୍ୟଛାନ୍ଦ, ଚୌପଦୀ ଆଦି ଗାନ କରାଗଲା । ଅଧୂକ ଲୋକପ୍ରିୟ କରିବା ପାଇଁ ସଖୀମାନଙ୍କର ଅନୁପ୍ରବେଶ କରାଗଲା । ପ୍ରକାଶଯୋଗ୍ୟ ଯେ, ସଖୀନାଟର ସୃଷ୍ଟିକାଳ ହେଉଛି ପ୍ରତାପରୁଦ୍ରଙ୍କ ଶାସନ କାଳ ।

~ କଥା ମାଟିର ~
ଖ୍ରୀ.ଅ. ୧୮୫୧-୧୮୮୫ । ଉନବିଂଶ ଶତାବ୍ଦୀର ନବମ ଦଶକର ଶେଷଭାଗ ବେଳକୁ ସଖୀନାଟ ପୂର୍ଣ ବିକଶିତ ହୋଇସାରିଥିଲା । ଘୁଡ଼ୁକି ଶିକ୍ଷକ ମାଷ୍ଟ୍ର ହିଁ ଏହି ନାଟକ ଗାୟକ ଓ ବାଦକ । ତାଙ୍କର ଗାୟନ ଓ ବାଦନ ଆଧାରରେ ସଖୀ ପିଲାମାନେ ନୃତ୍ୟାଭିନୟ କଲେ । ଫଳତଃ ଗ୍ରାମ୍ୟଜନତା ଏହି ନାଟ୍ୟକଳା ପ୍ରତି ଅଧିକ ଆକୃଷ୍ଟ ହେଲେ ।

ଘୁଡ଼ୁକି ଶିକ୍ଷକ ଭାବେ ଯେଉଁମାନେ ସୁଖ୍ୟାତି ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ଘୁମୁସର ଗେରେଡ଼ାର ଅନାମ ମୂଳି, ବୁଗୁଡ଼ା ନିକଟ ବୁରୁଝୋଳର କିଶୋର ପଟ୍ଟନାୟକ, ଏକାଦଶୀ ପ୍ରଧାନ, ମୋଦଳା ନିକଟ ସିଙ୍ଗିପୁରର ନୀଳକଣ୍ଠ ତରେଇ, ବଡ଼ଡୁମ୍ବୁଳାର ପ୍ରହ୍ଲାଦ ଦୋରା, ବୁଗୁଡ଼ା ନିକଟ ନିକଟ କାଦୁଆର ଲକ୍ଷ୍ମଣ ନାୟକ, ଭାଟକୁମୁରଡ଼ାର ଶରତ କୁମାର ଡାକୁଆ, ଫାଶିର ସୁଲସ ପାଣି ଓ ଘନଶ୍ୟାମ ମହାରଣା, ପଟପୁର ନିକଟ ଜଲମରାର ଗୋପାଳଦୋରା, ସିଙ୍ଗିପୁରର ପ୍ରାଣବନ୍ଧୁ ତରେଇ, ବଳରାମପୁରର ବିଶ୍ଵନାଥ ମୁଦୁଲୀ ଓ ଘନଶ୍ୟାମ ସ୍ଵାଇଁ, ଦିଗପହଣ୍ଡିର ଆଲୋକ ବିଷୋୟୀ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ ।

ବର୍ତ୍ତମାନ ପରିବେଷଣ କରାଯାଉଥିବା ଘୁଡ଼ିକି ନାଟକରେ ଘୁଡ଼ୁକି ସହିତ ମର୍ଦ୍ଦଳ, ହାରମୋନିୟମ ଓ ଗିନି ବ୍ୟବହୃତ ହେଉଛି । ଏଥିରେ ଅନ୍ୟୁନ ଆଠ ଜଣଙ୍କର ଭୂମିକା ରହିଛି । ଘୁଡ଼ୁକି ଶିକ୍ଷକ, ଦୁଇଜଣ ସଖୀ, ଦୁଇ ତିନି ଜଣ ବାଦକ, ଜଣେ । ଦୁଇଜଣ ହାସ୍ୟକାରୀ । ହାସ୍ୟରସ ପରିବେଷଣ ନିମନ୍ତେ ଯେଉଁ କଳାକାରମାନଙ୍କୁ ସୁଯୋଗ ଦିଆଯାଇଛି, ସେମାନେ ପ୍ରାଣବନ୍ଧୁ ତରେଇଙ୍କ ରଚିତ ପଣ୍ଡାପୁଅ, ପାର୍ବତୀ ପଟି ଘୁଞ୍ଚୁଛି, ଦେଖେ ତାକୁ, ସମୁଦି ସମୁଦିଆଣୀ କଳି ଆଦି ପରିବେଷଣ କରନ୍ତି । ପ୍ରକାଶଯୋଗ୍ୟଯେ, ନୀଳକଣ୍ଠ ତରେଇ ଗୁଡ଼ିକିକୁ ସର୍ବାଧୁକ ଲୋକପ୍ରିୟ କରାଇବା ନିମିତ୍ତ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କର ସୁଲଳିତ କଣ୍ଠସ୍ଵର, ବାଦନଶୈଳୀ ଓ ପରିବେଷଣ ରୀତି ସ୍ଵତନ୍ତ୍ର । ସେ ଓଡ଼ିଶାର ବିଭିନ୍ନ ସ୍ଥାନ ତଥା ଓଡ଼ିଶା ବାହାରେ ଏହି ନାଟ୍ୟକଳା ପ୍ରଦର୍ଶନ କରି ସୁଖ୍ୟାତି ଅର୍ଜନ କରିଛନ୍ତି । ସେ ଲୋକରେ କଲା ଘୁଡ଼ୁକି ଭାବେ ପରିଚିତ । ଏ ସମ୍ପର୍କରେ ଏକ କିମ୍ବଦନ୍ତୀ ଶୁଣିବାକୁ ମିଳେ । କୋଦଳା ସନ୍ନିକଟେ ଧାରେଶ୍ଵର ମା’ ରାମଚଣ୍ଡୀଙ୍କ ପୀଠରେ ନୀଳକଣ୍ଠ ଅଧୁଆ ପଡିଥିଲେ । ଦେବୀଙ୍କୁ ପ୍ରସନ୍ନକରି ଗୀତ ରଚନା ପାଇଁ ଆଶୀର୍ବାଦ ପାଇବାପାଇଁ । ଦେବୀ ପ୍ରସନ୍ନ ହେଲେ । ନୀଳକଣ୍ଠ ମା’ଙ୍କ ରୂପବର୍ଣନା କରି ଗୀତ ରଚନା କଲେ । ଦେବୀ ପୀଠରେ ପହଞ୍ଚି ମା’ଙ୍କୁ ପ୍ରଣିପାତ ହେଲାବେଳେ ମା’ କ୍ଷୁବ୍‌ଧ ହୋଇ କର୍ଷଗିରିକୁ ଚାପୁଡାଏ ମାରିଲେ ଏବଂ ସେ ଯାଇ ନିକଟସ୍ଥ କିଆବୁଦାମୂଳେ ପଡ଼ିଲେ । ସେଠାରେ ଏକ କିଆଅଡ଼ା ପଡିଥିଲା । କିଆଅଡାରେ ଘୁଡ଼ୁକି ପ୍ରସ୍ତୁତି କରି ମା’ଙ୍କ ନିକଟରେ ନିଜର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କଲେ ଏବଂ ଘୁଡ଼ୁକି ରଚନା କରିବା ଆରମ୍ଭ କଲେ । ତାଙ୍କ ରଚିତ ଘୁଡ଼ୁକି ଗୀତଗୁଡ଼ିକ ହେଲା – ନାଗଯଜ୍ଞ, ପଞ୍ଚଦେବ ବନ୍ଦନା, ତାରାତାରିଣୀ ବନ୍ଦନା, ଜଗନ୍ନାଥ ଜଣାଣ, ପଲ୍ଲୀଗୀତ- ପରିବାମାଳା, ମାଛ ମାଳା, ଶାଗମାଳା, ଗାଁମାଳା, ଜାଉର ରହସ୍ୟ ତଥା ପୁରାଣ ମଧ୍ୟରେ ରାମାୟଣ, ମହାଭାରତର ମୁଖ୍ୟ ପ୍ରସଙ୍ଗକୁ ଆଧାର କରି ଗୀତ, ମହାସତୀ ସାବିତ୍ରୀ, ମହାସତୀ ସୁଲୋଚନା, ଲକ୍ଷ୍ମୀପୁରାଣ, ଅଙ୍ଗଦ ପଢ଼ି, ରାଇଦରବାର, ଭୂତକୋଳି ଆଦି ରଚନା କରି ଯଶସ୍ୱୀ ହୋଇଛନ୍ତି । ତେବେ – ମା’ରାମଚଣ୍ଡୀଙ୍କ ଚାପୁଡ଼ା ମାଡ଼ରେ ତାଙ୍କର କାନକୁ ଆଉ ଶୁଭିଲାନି । ସେ କାଲା ପାଲୋଟି ଗଲେ ଏବଂ ଲୋକରେ ସେ କାଲାଘୁଡ଼ିକି ଭାବେ ପରିଚିତ ହେଲେ । ଘୁଡ଼ିକି କହିଲେ ଲୋକେ ଆଜି ସ୍ମରଣ କରୁଛନ୍ତି କାଲାଘୁଡୁକି ପ୍ରାଣବନ୍ଧୁ ତରେଇଙ୍କୁ । ପ୍ରାଣବନ୍ଧୁଙ୍କ ରଚନାବଳୀକୁ ଆଲୋଚକ ସଂଗ୍ରହ କରିଛି । ଗଣେଶ ପାତ୍ର ମଧ୍ୟ ‘ଘୁଡୁକି ଦ୍ରୌପଦୀ’ ରଚନା କରିଛନ୍ତି, ପ୍ରକାଶିତ ଘୁଡୁକି ନାଟ୍ୟଦଳଥିବା ଗାଁଗୁଡ଼ିକ ହେଲା ଫାଶୀ, ଦିଗାପଡ଼ା, ଶେରଗଡ଼, ପୁରୁଷୋତ୍ତମପୁର, ଚିକିଟି, ଧନଞ୍ଜୟପୁର, ସୁରଙ୍ଗି, ଜରଡ଼ା, ବେରୁଆବାଡ଼ି, ପୋଡ଼ାମାରି, ମଣ୍ଟାପଡ଼ା, ଚଢ଼େୟାପଲ୍ଲୀ, ଧରାକୋଟ, ପାଟପୁର, ଓସ୍ତା, ରୋହିଗାଁ, ଗୁଡ଼ିସର, ଡୁମ୍ବୁଳା, କଳିଙ୍ଗଢ଼ଳା, ଗେରେଡ଼ା, ଖଡ଼ାପଲ୍ଲୀ, ଗୁଡ଼ିଆପଲ୍ଲୀ ଇତ୍ୟାଦି ।

~ ବେଶ ପରିପାଟୀ ~
ଘୁଡ଼ୁକି ନାଟର ଶିକ୍ଷକ (ଗାୟକ ଓ ବାଦକ) ଏବଂ ଅନ୍ୟାନ୍ୟ ବାଦକମାନଙ୍କ ବେଶ ପରିପାଟୀ ସାଧାରଣ । ଧୋତି ଏବଂ ଦୂର୍ଗା ପିନ୍ଧିଥାନ୍ତି । ଘୁଡ଼ୁକି ଶିକ୍ଷକଙ୍କର ମଥାରେ ପଗଡ଼ି, ବେକରେ ମାଳି ଓ ପାଦରେ ଘୁଙ୍ଗୁର ଥାଏ । ତେବେ ଉନ୍ନତ ନାଟ୍ୟଦଳର ବେଶ ପରିପାଟୀ ସ୍ଵତନ୍ତ୍ର । ଗୁଡ଼ିକି ଶିକ୍ଷକ ପାରି କଛା ମାରି ସବୁଜ ରଙ୍ଗର ଧୋତି ଓ ଗୋଲାପୀ ରଙ୍ଗର ଫିରିକା ସାର୍ଟ ପିନ୍ଧନ୍ତି । ସାର୍ଟ ଉପରେ କାବା ଥାଏ । ମଥାରେ ନାଲି ପଗଡ଼ି ଏବଂ ଅଣ୍ଟାରେ ନୀଳ ରଙ୍ଗର ଗାମୁଛା ଭିଡ଼ିଥାନ୍ତି । ବେକରେ ତୁଳସୀ ମାଳି । ରୁଦ୍ରାକ୍ଷମାଳି, କଇଁଚମାଳି, କଣ୍ଠମାଳ, କର୍ଷରେ କୁଣ୍ଡଳ, ପାଦରେ ଘୁଙ୍ଗୁର ଏବଂ ଆଖ‌ିରେ କଜ୍ଵଳ ଧାରଣ କରନ୍ତି । କପାଳରେ ଚିତା ଶୋଭାଯାଏ । ସଖୀମାନଙ୍କର ବେଶ ସଖୀନାଟର ସଖୀମାନଙ୍କ ପରି । ସେମାନେ ବାୟାଲୁଗା, ଘାଗରା, ପାଦରେ ଘୁଙ୍ଗୁର, ଅଣ୍ଟାରେ ପିତଳ ଅଣ୍ଟା ପଟି (ଅଣ୍ଟା ପାତିଆ), ହାତରେ ହାତପଦୀ, ବେକରେ ନାନୁ ମାଳି, ଖାସୁ ମାଳି, ପତିରିମାଳି, ଝୁମ୍ପି, ଝିକା, ମଥାମଣି ପରିଧାନ କରନ୍ତି । ଲମ୍ବା ବେଣୀ । ଖୋସା । ଦେଖିବାକୁ ସୁନ୍ଦର ଓ କଣ୍ଠସ୍ଵର ଲଳିତ ଥିବା ୧୦/୧୨ ବର୍ଷର ପୁଅ ପିଲାମାନଙ୍କୁ ଏହି ସଖୀର ଭୂମିକାପ୍ରଦାନ କରାଯାଇଥାଏ । ଏମାନେ ବାଳ ନକାଟି ଲମ୍ବାଇ ରଖିଥାନ୍ତି । ପାଦରେ ଅଳତା ଓ ଘୁଙ୍ଗୁର ନୃତ୍ୟାଭିନୟକୁ ସୁଦୃଶ୍ୟ ଓ ସରସ, ସୁନ୍ଦର କରିଥାଏ । ହାସ୍ୟ ଅଭିନେତାଙ୍କ ବେଶ ଚରିତ୍ର ଉପଯୋଗୀ । ବାଦ୍ୟଯନ୍ତ୍ର: ଘୁଡ଼ୁକି ନାଟକୁ ଯୁଗୋପଯୋଗୀ କରିବା ନିମିତ୍ତ ବର୍ଗମାନ ହାରମୋନିୟମ, ମର୍ଦ୍ଦଳ, ଯୋଡ଼ି ନାଗରା, ଝୁମୁକା ଆଦି ବାଦ୍ୟଯନ୍ତ୍ର ମଧ୍ୟ ବ୍ୟବହାର କରାଗଲାଣି ।

~ ନାଟ୍ୟପରିବେଷଣ ରୀତି ~
ଘୁଡ଼ୁକି ନାଟ ମୁକ୍ତ ମଞ୍ଚରେ ଅଭିନୀତ ହୁଏ । ଉପରେ ଥାଏ ଛାମୁଣ୍ଡିଆ ଚାନ୍ଦୁଆ ବନ୍ଧାଯାଇଥାଏ । ଲୋକେ ମଣ୍ଡଳୀ ହୋଇ ବସନ୍ତି । ମଞ୍ଚକୁ ଚରିତ୍ରମାନେ ପହଞ୍ଚି ସାରିଲାପରେ ଆଉ ଫେରିବାକୁ ହୋଇନଥାଏ । ବାଦକମାନେ ପୂର୍ବମୁଖ ବା ଉତ୍ତର ମୁଖ ହୋଇ ବସନ୍ତି । ପ୍ରଥମେ ଧୂପଦାନ ହୁଏ, ତାପରେ ମଙ୍ଗଳାଚରଣ । ଏହାପରେ ୧୦/୧୫ ମିନିଟ୍ ଧରି ବାଦ୍ୟବାଦକ ହୁଏ । କିନ୍ତୁ ଏତିକିବେଳେ ଘୁଡ଼ୁକି ବାଜେ ନାହିଁ । ଏହି ବାଦନର ଉଦ୍ଦେଶ୍ୟ ହେଉଛି ଦର୍ଶକମାନଙ୍କର ସମାଗମ । ଲୋକେ ମଣ୍ଡଳୀରେ ପହଞ୍ଚଗଲେ ଗୁରୁ ବନ୍ଦନା ହୁଏ । ତାପରେ ସଖୀ ଦୁହେଁ ମଞ୍ଚକୁ ପ୍ରବେଶ କରି ଗୁରୁ, ବାଦ୍ୟଯନ୍ତ୍ର ଓ ମଣ୍ଡଳୀକୁ ପ୍ରଣାମ କରନ୍ତି । ଘୁଡ଼ିକିକୁ ଆର୍କାଦେଇ ଗୁରୁ ଘୁଡ଼ୁକି ବାଦ୍ୟ ବାଦନ କରନ୍ତି । ସଖୀପିଲାମାନେ ବାଦ୍ୟର ତାଳେ ତାଳେ ନାଚନ୍ତି । ଆର୍କାର ଅର୍ଥ ବିଭିନ୍ନ ତାଳ, ଯଥା : ଏକତାଳ, ତ୍ରିପଟା, ଆଡତାଳ ଇତ୍ୟାଦି । ଏହି ବାଦ୍ୟ ବାଦନ ମଧ୍ୟ ୧୦ ମିନିଟ ଧରି ଚାଲେ । ନାଟ୍ୟଗୁରୁ ତାପରେ ଘୁଡ଼ୁକି ବାଦନ ପୂର୍ବକ ବନ୍ଦନା କରନ୍ତି– “ ସତ୍ୟବାଦୀ ଗୋବିନ୍ଦ ରାଧାମୋହନ . . ” । ଶିକ୍ଷକ ଯଦି ହାରମୋନିୟମ ବଜାନ୍ତି ତେବେ ଜଣେ ପୋଖତ ଘୁଡ଼ୁକି ବାଦକ ଗୁଡ଼ିକି ବଜାନ୍ତି । କାରଣ ଏହି ନାଟ୍ୟକଳାର ମୁଖ୍ୟବାଦ୍ୟ ହେଉଛି ଘୁଡିକି । ନାଟ୍ୟଗୁରୁ ମଧ୍ୟଯୁଗୀୟ ଛାନ୍ଦ, ଚୌପଦୀ ଆଦି ଗାନ କରନ୍ତି । ଗୀତର ତାଳେ ତାଳେ ବାଦ୍ୟ ବାଜେ ଏବଂ ସଖୀ ପିଲାମାନେ ନୃତ୍ୟ କରନ୍ତି । ରାମାୟଣ, ମହାଭାରତ, ଭାଗବତ, ଅଷ୍ଟାଦଶ ପୁରାଣ ଆଦି ଲୋକଙ୍କ ରୁଚି ଅନୁସାରେ ପରିବେଷଣ କରାଯାଏ । ପୂର୍ବରୁ ଉଲ୍ଲିଖତ ନୀଳକଣ୍ଠ ତରେଇଙ୍କ ହାସ୍ୟରସ ପୂଣ୍ଡିଗୀତ ସ୍ଵତନ୍ତ୍ର ଅଭିନେତାମାନଙ୍କ ଦ୍ଵାରା ବର୍ତ୍ତମାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସରକାରୀ କାର୍ଯ୍ୟକ୍ରମରେ ମଧ୍ଯ ଘୁଡ଼ୁକି ନାଟ ଅନୁଷ୍ଠିତ ହେଉଛି । ନିଶାନିବାରଣ, ଜଙ୍ଗଲ ସୁରକ୍ଷା, ସ୍ୱାସ୍ଥ୍ୟ ସେବା, ସ୍ଵଚ୍ଛ ଭାରତ ଆଦି ଜନସଚେତନତା କାର୍ଯ୍ୟରେ ଭୂମିକା ନିର୍ବାହ କରୁଛି ।

ଘୁଡ଼ୁକି ନାଟ ବେଶ୍ ଲୋକପ୍ରିୟ ଥିଲା । କିନ୍ତୁ ବର୍ତ୍ତମାନ ଏହା ଲୁପ୍ତପ୍ରାୟ । କଳାପ୍ରାଣ ଯୁବକ ଆଲୋକ ବିଷୋୟୀ, ଉଚ୍ଚଶିକ୍ଷିତ, ଘୁଡ଼ୁକି ଓ ସଖୀନାଟଗୁରୁ ଦିଗପହଣ୍ଡିରେ ବିଚିତ୍ରବର୍ଣ ନାଟ୍ୟ ସଂସଦ ପ୍ରତିଷ୍ଠାକରି ଏହି ଲୋକନାଟ୍ୟ ଦ୍ଵୟକୁ ବଞ୍ଚେଇରଖୁବା ପାଇଁ ଯତ୍ନଶୀଳ ହୋଇଛନ୍ତି । ଏହା ଆନନ୍ଦର ବିଷୟ । ତେବେ ସରକାରୀ କ୍ଷେତ୍ରରେ ଲୁପ୍ତପ୍ରାୟ ଲୋକନାଟ୍ୟଗୁଡ଼ିକୁ ଉଦ୍‌ଜୀବିତ କରିବା ପ୍ରୟାସ ଅପରିହାର୍ଯ୍ୟ ।

~ ଘୁଡୁକି ନାଟର ଗୀତ ~
(କ) ସରସ୍ବତୀ ବନ୍ଦନା :
ଆଗୋ ମାତ ସରସ୍ଵତୀ ଘେନ ମିନତି, 
ତୋହର ପୟରେସଦା ରହୁମୋ ମତି । (ଘୋଷା) 
ବୀଣା ଯନ୍ତ୍ରକୁ ଧରିଣ ନାନା ଗୀତକୁ ଗାଇଣ, 
ନାରାୟଣଙ୍କୁ ମୋହିଲୁ ମା’ଭଗବତୀ (୧) 

ପାପ ତାପ ବିନାଶିନୀ କେଶବ ମନମୋହିନୀ, 
ପଦ୍ମଫୁଲେ ଥାଉ ମାଗୋ ବସିଣ ନିତି । (୨) 
ତୁମ୍ଭ ନାମକୁ ଧରିଣ କାଳିଦାସ କବି ପୁଣ, 
ଏ ମହୀମଣ୍ଡଳେ ମାଗୋ ରଖିଲେ କୀର୍ତ୍ତି । (୪) 

ଚାହିଁଲେ କରୁଣାନେତ୍ରେ ଗାଇବି ମୁଁ ଶୁଣି ଚିତ୍ତେ, 
ନନ୍ଦିଆ ଯେ ଆଶାକରେ ଆଗୋ ଭାରତୀ ।(୫)
ମାଗୋ ପଙ୍କଜ ଲୋଚନୀକିଙ୍କର ଜନପାଳିନୀ, 
ବୀଣାପୁସ୍ତକଧାରିଣୀ ମା ଭଗବତୀ । (୩)
(ଖ) ପ୍ରାଣବନ୍ଧୁ ତରେଇଙ୍କ ମାଣ୍ଡିଆଙ୍କ ରହସ୍ୟରୁ ଦି ପଦ:
“ଧନ୍ୟ ସେ ମାଣ୍ଡିଆ ଜାଉରେ ପିଲେ 
ଧନ୍ୟ ସେ ମାଣ୍ଡିଆ ଜାଉ 
ତାତି ଥିଲେ ଜାଉ ହାପୁରି ଦେଲ । 

ଲାଗିଯିବ ଚାଉଁଚାଉଁ ରେ ପିଲେ,
ମାଣ୍ଡିଆ ରହସ୍ୟ ଏଥ୍ କଲି ଶେଷ

ଲେଖି ନାହିଁ ଆଉ ବହୁ
କହେ ପ୍ରାଣବନ୍ଧୁ ମାଣ୍ଡିଆ ମୋ ବନ୍ଧୁ 
ମୋ ଦେଶ ସେବାରେ ଯାଉରେ ପିଲେ ।
(ଗ) ଘୁଡ଼ୁକି ଚୌପଦୀ: ବାରମାସୀ ଚୌପଦୀ
ଆଦ୍ୟ ମାର୍ଗଶିରେ ସଖୀ ହେବ ପରବେଶ
ହେମ ପରସନ୍ନେ ପଦ୍ମ ହେଇଲେଟି ନାଶ । 
ଏତେ କାଳେ ନପାଇଲି କାନ୍ତର ସନ୍ଦେଶ
ବିଫଳ ହୋଇଲା ମୋର ଏ ଯୁବା ବୟସ ଲୋ ସୁନ୍ଦରୀ . . 

ପୌଷ ମାସରେ ଯେ ସଖୀ ବାସଇ ମାଳତୀ
ବ୍ଲକ୍ ଯାଉ ବ୍ଲକ୍ ଯାଉ ସ୍ତରୀଙ୍କର ଜାତି 
ଆପଣାର ଯଉବନ ଆପଣାର ସାକ୍ଷୀ
ହୃଦରେ ସୋସରିମାଳା କର୍ପୂରର କାନ୍ତି ଲୋ ସୁନ୍ଦରୀ . .

ମାଘ ମାସରେ ଯେ ସଖୀ କୁହୁଡ଼ି କାଳର
ସ୍ଵର୍ଗପୁରେ ଇନ୍ଦ୍ରରାଜା କଲେ ଘଡ଼ିକର
ସ୍ଵର୍ଗ ଅପସରୀମାନେ ନୃତ୍ୟ ରଙ୍ଗେ ଅସି 
ମୋର ପାଶେ କାନ୍ତ ନାହିଁ ଉଜାଗରେ ନିଶି ଲୋ ସୁନ୍ଦରୀ . .

ଫାଲଗୁନ ମାସରେ ସଖୀ ଦୋଳ ଯେ ଗୋବିନ୍ଦ
ଦୋଳି ଯେ ଖେଳନ୍ତି ପ୍ରଭୁ ଦେବ ଆଦିକନ୍ଦ । 
ଏମନ୍ତ ସମୟ ଯେବେ କାନ୍ତ ମୋର ଆତେ
ବିମାନେ ବସାଇ ମୋତେ ଗୋବିନ୍ଦ ଦେଖନ୍ତେ ଲୋ ସୁନ୍ଦରୀ . . 

ଚଇତ ମାସରେ ମଲ୍ଲୀ ଚହଟ ମହଟ
ଯୁବା ସ୍ଥିରୀ ଯୁବା ପୁରୁଷ ଏକାନ୍ତରେ ଭେଟ 
କେ ଯୁବାସ୍ତରୀ ଯୁବା ପୁରୁଷ ଏକାନ୍ତରେ ଭେଟ
କେ ଯୁବାସ୍ତରୀ ପୁରୁଷ ବିରହର ନାରୀ
କେ ଦେନ୍ତା ଗରଳ ବିଷ ଖାଇଯାନ୍ତି ମରି ଲୋ ସୁନ୍ଦରୀ . .

ପୁ- ଧବିର ନହୁଛି ମନ ଥବିର ନହୁକି ମନ
ଥିଲେ ଯେତେ ଧନ ତୁ ମୋର ଧନ
ହୃଦରୁ ଅନ୍ତର ନୋହିବୁ ଆନ
ଧନ ଯଉବନ ଲୋ କେବେ
କାରେ ନ କରିବୁ ଦାନ ।”

#ହିରଣ୍ୟଗର୍ଭା

Ghuduki Dance
Ghuduki Nacha

Image Courtesy: https://twitter.com/TaraniTrotter/status/1069179373670952960
Spread the love
admin

Recent Posts

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 weeks ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 months ago