ଲେଖା: ତ୍ରିଲୋଚନ ସ୍ୱାଇଁ
~ ଗୋପୀନାଥ ମନ୍ଦିର ~
ପିପିଲି ବଜାର ଠାରୁ ଜଟଣୀ ରାସ୍ତାରେ ମାତ୍ର ସାତ କିଲୋମିଟର ଦୂର ଯିବା ପରେ, ମୁଖ୍ୟ ରାସ୍ତାର ଦକ୍ଷିଣ ଦିଗରେ ପ୍ରାୟ ଦୁଇଶହ ମିଟର ଦୂରରେ ରହିଛି ସୁନ୍ଦର ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥ ମନ୍ଦିର l ଦୟାନଦୀର ପୂର୍ଵ ତଟରେ ଥିବା କାକୁଡ଼ିଆ ଗ୍ରାମରେ ଏହି ମନ୍ଦିରଟି ତ୍ରୟୋଦଶ ଶତାବ୍ଦୀରେ ଦ୍ଵିତୀୟ ନରସିଂହଦେବଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଜଣାଯାଏ l
ଆଉ କେତେକ ଐତିହାସିକଙ୍କ ମତରେ ଏହି ମନ୍ଦିରଟିକୁ ଚୋଡ଼ଗଙ୍ଗ ଦେବ, ବୈଷ୍ଣବଗୁରୁ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ, ଏକାଦଶ ଶତାବ୍ଦୀରେ ନିର୍ମାଣ କରାଇଥିଲେ l ମନ୍ଦିରଟିର ନିର୍ମାଣ ସମ୍ପର୍କିତ ସୂଚନା ଯାହା ବି ହେଉନା କାହିଁକି, ଏହି ଗୋପୀନାଥ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏକ ଶ୍ରେଷ୍ଠ କୀର୍ତ୍ତିରାଜି l
(ସମ୍ଭବତଃ ଲାଙ୍ଗୁଳା ନରସିଂହ ଦେବଙ୍କ ଯୁଦ୍ଧଯାତ୍ରା)
ସୁକ୍ଷ୍ମ କାରୁକାର୍ଯ୍ୟରେ ବିମଣ୍ଡିତ ତଥା ପଞ୍ଚରଥ ଶୈଳୀରେ ନିର୍ମିତ ମନ୍ଦିରର ମୁଖ୍ୟ ବିମାନଟି ଯାହା ରହିଛି l ମୁଖ୍ୟ ବିମାନ ବ୍ୟତୀତ ନାଟ ମଣ୍ଡପ, ଭୋଗ ମଣ୍ଡପ ଓ ଜଗମୋହନ ଆଦି ନାହିଁ l ମୁଖ୍ୟ ବିମାନ ସଂଲଗ୍ନ ତିନିଗୋଟି ପୀଢ଼ ଶୈଳୀର ମନ୍ଦିରରେ ପାର୍ଶ୍ଵଦେବତା ବରାହଦେବ, ବାମନଦେବ ଓ ନୃସିଂହଦେବ ପୂଜା ପାଉଛନ୍ତି l ମୁଖ୍ୟ ଦେଉଳ ପରି ପାର୍ଶ୍ଵଦେବତାଙ୍କ ଏହି ମନ୍ଦିର ଗୁଡ଼ିକ ମଧ୍ୟ ସୁନ୍ଦର କାରୁକାର୍ଯ୍ୟରେ ବିମଣ୍ଡିତ l
କୁହାଯାଏ ଶ୍ରୀମନ୍ଦିର ଆକ୍ରମଣ ସମୟରେ ତକି ଖାଁର କୋପ ଦୃଷ୍ଟି ଏହି ଗୋପୀନାଥ ମନ୍ଦିର ଉପରେ ପଡିଥିଲା l ନାଟମଣ୍ଡପ ଓ ଜଗମୋହନ ଆଦି ଧ୍ବଂସ କରିବା ସହିତ ପାର୍ଶ୍ଵ ଦେବତାଙ୍କ ମୂର୍ତ୍ତିକୁ ମଧ୍ୟ ନଷ୍ଟ କରିଥିଲା ମାତ୍ର ଗର୍ଭ ଗୃହସ୍ଥ ଗୋପୀନାଥଙ୍କ ମୂର୍ତ୍ତିକୁ ଗ୍ରାମବାସୀମାନେ ଅନ୍ୟତ୍ର କେଉଁଠିକୁ ସ୍ଥାନାନ୍ତର କରିନେଇଥିଲେ l
(ନିହାଣ ମୂନରେ କଳିଙ୍ଗ ସ୍ଥାପତ୍ୟ କଳାର ଅନନ୍ୟ କଳାକୃତି)
ଗୋପୀନାଥ ମନ୍ଦିର ଗର୍ଭଗୃହରେ ବର୍ତ୍ତମାନ ଧାତୁ ନିର୍ମିତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ପୂଜା ପାଉଛନ୍ତି l ପୁରାତନ ପାର୍ଶ୍ଵଦେବତାଙ୍କ ପ୍ରତିମା ବଦଳରେ ନୂତନ ମୂର୍ତ୍ତି ସ୍ଥାପିତ ହୋଇଛି l
~ ଶ୍ରୀ ସୋମନାଥ ମନ୍ଦିର ~
ଲୋକକଥା ଅନୁଯାୟୀ, ଦ୍ୱାଦଶ ଶତାବ୍ଦୀରେ ବିଶ୍ୱପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶ୍ରେଷ୍ଠ କାରିଗରମାନେ କୋଣାର୍କ ଅଭିମୁଖେ ଯାତ୍ରା କରୁଥିଲେ l ଏହି ଯାତ୍ରା ସମୟରେ ସେମାନଙ୍କୁ ସ୍ଥାନେ ସ୍ଥାନେ ରାତ୍ରି ଯାପନ କରିବାକୁ ପଡୁଥିଲା l ରାତିରେ ବିଶ୍ରାମ ନେଇ ସକାଳେ ପୁଣି ଗନ୍ତବ୍ୟ ପଥରେ ଅଗ୍ରସର ହେଉଥିଲେ l
ବର୍ତ୍ତମାନର ଜଟଣୀ ନିକଟରେ ଥିବା ବୁଢ଼ାପଡ଼ା ଗାଁ ଦେଇ ଶିଳ୍ପୀମାନେ କୋଣାର୍କ ଅଭିମୁଖେ ଯିବାବେଳେ ସୋମନାଥଙ୍କ ଏହି ପୀଠ ଠାରେ ରାତ୍ରିଯାପନ କରିଥିଲେ l ରାତ୍ରିଯାପନ ପରେ ସକାଳ ଜଳଖିଆ ଭୋଜନରେ ସେମାନଙ୍କୁ ଚୁଡ଼ା ଖାଇବାକୁ ଦିଆ ଯାଇଥିଲା l ଖୋଲା ଆକାଶ ତଳେ ବିରାଜମାନ କରିଥିବା ପାତାଳଫୁଟା ମହାଦେବ ଶ୍ରୀ ସୋମନାଥଙ୍କ ଠାରେ, ଶିଳ୍ପୀମାନେ ଚୁଡ଼ାଭୋଗ ସମର୍ପଣ କରି ପାଖରେ ଥିବା କୂଅରୁ ପାଣି ପିଇ ଥିଲେ l
କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ସକୁଶଳେ ସମ୍ପନ୍ନ ହେଉ ବୋଲି ଶିଳ୍ପୀମାନେ ମହାଦେବଙ୍କ ଠାରେ ପ୍ରାର୍ଥନା କରିବା ସହ, ଯଦି ସମସ୍ତ କାର୍ଯ୍ୟ ଠାକୁରଙ୍କ ଆଶୀର୍ବାଦରୁ ସଫଳତାପୂର୍ବକ ସମ୍ପନ୍ନ ହୁଏ, ତେବେ ଖରାଖିଆ ସୋମନାଥଙ୍କ ପାଇଁ ରାଜାଙ୍କୁ କହି ଭବ୍ୟ ଦେଉଳଟିଏ ନିର୍ମାଣ କରିବାର ମାନସିକ ରଖିଥିଲେ l
ସତକୁ ସତ ସୂର୍ଯ୍ୟ ମନ୍ଦିରର ସଫଳ ନିର୍ମାଣ ଉପରାନ୍ତେ ଶିଳ୍ପୀମାନେ ନିଜର ମାନସିକ ବିଷୟରେ ରାଜାଙ୍କୁ ଜଣାଇଲେ ଆଉ ରାଜା ମଧ୍ୟ ଖୁସି ହୋଇ ସୋମନାଥଙ୍କ ପାଇଁ ଏହି ଭବ୍ୟ ମନ୍ଦିରଟି ନିର୍ମାଣ କରାଇଥିଲେ l ମହାଦେବଙ୍କ ଠାରେ ଚୁଡ଼ା ଭୋଗ ଲାଗି ହୋଇଥିବାରୁ, ଜନ ମାନସରେ ଚୁଡ଼ାଖିଆ ସୋମନାଥ ନାଁରେ ଠାକୁର ପରିଚିତ ହେଲେ l କାରିଗରମାନେ ସେ ସମୟରେ ଯେଉଁ କୂଅରୁ ପାଣି ପିଇଥିଲେ ସେହି ପ୍ରାଚୀନ କୂଅଟି ଏବେବି ମନ୍ଦିର ପରିସରରେ ରହିଛି l
କଳାତ୍ମକ ଦୃଷ୍ଟିକୋଣରୁ ଦେଖିଲେ ଏହି ମନ୍ଦିରଟି ଏକ ଶ୍ରେଷ୍ଠ ନିର୍ମାଣ ଅଟେ l ମୁଖ୍ୟ ଦେଉଳ ଓ ଜଗମୋହନରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳେ l କୁହାଯାଏ ମନ୍ଦିରର ଦଧିନଉତିଟି ଗୋଟିଏ ପଥରରେ ନିର୍ମାଣ ହୋଇଛି l ଏପରିକି ମୁଣ୍ଡି ମାରିଲାବେଳେ ସମ୍ପୂର୍ଣ୍ଣ ଦେଉଳଟିକୁ ବାଲିରେ ପୋତାଯାଇ ଅଁଳାବେଢ଼ା ଓ ଦଧିନଉତିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା l
ମୁଖ୍ୟ ବିମାନକୁ ଲାଗି ମନ୍ଦିର ଚତୁଃପାର୍ଶ୍ୱରେ ଛାତିଏ ଉଚ୍ଚର ପିଣ୍ଡି ରହିଛି l ଗର୍ଭଗୃହକୁ ପ୍ରବେଶ ପଥର ଦକ୍ଷିଣ ପାର୍ଶ୍ୱରେ ପାର୍ବତୀ, ପଶ୍ଚିମରେ କାର୍ତ୍ତିକେୟ ଓ ଉତ୍ତର ଦିଗରେ ଶ୍ରୀଗଣେଶଙ୍କ କମନୀୟ ପ୍ରତିମା ବିଦ୍ୟମାନ l ମନ୍ଦିର ଗର୍ଭଗୃହରେ ଯୋନି ପୀଠରେ ସୋମନାଥ ମହାଦେବଙ୍କ ଶିବଲିଙ୍ଗଟି ଦର୍ଶନ କରିହୁଏ l
ମନ୍ଦିର ପରିସରକୁ ପ୍ରବେଶ କଲାବେଳେ ବାମ ପାର୍ଶ୍ୱରେ ଶ୍ରୀହନୁମାନଙ୍କ ଏକ ଛୋଟିଆ ମନ୍ଦିର ରହିଛି l ଏହି ମନ୍ଦିରରେ ହନୁମାନଙ୍କ ଏକ ମୁଖାକୃତି ପ୍ରତିମା ପୂଜା ପାଉଛନ୍ତି ଯାହାକି ନିଶ୍ଚିତ ପକ୍ଷେ ଏକ ବିରଳ ମୂର୍ତ୍ତି l ଏକ ବିରାଟ ପୁଷ୍କରିଣୀ ବି ମନ୍ଦିର ପରିସରରେ ରହିଛି ପିପିଲି ବଜାରରୁ ଜଟଣୀ ଦିଗରେ ମାତ୍ର ଆଠ କିଲୋମିଟର ଦୂର ଗଲେ ମୁଖ୍ୟ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଗଙ୍ଗବଂଶୀ ଶାସନକାଳୀନ ଏହିଦୁଇଟି ଭବ୍ୟ ମନ୍ଦିର ଦର୍ଶନ କରିହେବ l
© Trilochan Swain
Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago