ଲେଖା: ଅଶୋକା ନାୟକ
~ ଅଶୁରଗଡ ଜଳପ୍ରପାତ ~
ବରଗଡ଼ରୁ ଅମ୍ବାଭୋନା ରାସ୍ତାରେ ସମରଦର୍ହା ଛକ ପଡେ। ସେଇଠି ବାଁ ପଟେ ଦେବ୍ରିଗଡ ୧୭ କିଲୋମିଟର ଲେଖା ହେଇ ଗୋଟିଏ ବୋର୍ଡ଼ ଅଛି । ଡାହାଣରେ ଛୋଟିଆ ହନୁମାନ ମନ୍ଦିର। ଏହି ଡାହାଣ ପଟରେ ହିଁ ଆମକୁ ଯିବାକୁ ପଡିବ। ରାସ୍ତା ନୂଆ ଓ ଜଙ୍ଗଲ ଭିତରେ ହୋଇଥିବାରୁ କେବଳ ମାତ୍ର ଏ ରାସ୍ତାରେ ଯାତ୍ରା ହିଁ ଆନନ୍ଦଦାୟକ ହୋଇଥାଏ। ପ୍ରକୃତିକୁ ଭଲ ପାଉଥିବା ମଣିଷ ଏହି ରାସ୍ତାରେ ଫଟୋ ନ ଉଠାଇ ଆଗକୁ ବଢି ପାରିବନି। କମ ଭିଡ଼ ଥିବା ଏହି ରାସ୍ତାର ଆନନ୍ଦ ନେଇ ଆଗକୁ ଗଲେ ବାମ ପଟେ ମା’ ମେଟକାନୀଙ୍କ ମନ୍ଦିର ଅଛି, ଏହି ମନ୍ଦିର ସିଧା ରାସ୍ତାରେ ଗଲେ ପଡିବ ବାରପାହାଡ।
ଚାଷଜମି, ଧାନକ୍ଷେତ ଓ ଦୁଇଟି ଗାଁ ଟପିବା ପରେ ଗୋଟିଏ ସ୍ଥାନରେ ଦୁଇପଟକୁ ରାସ୍ତା ଯାଇଛି। ଡାହାଣ ପଟ ବୋର୍ଡ ରେ ବାର ପାହାଡ, ବାରବଖରା ଲେଖା ହୋଇଛି। ସେ ରାସ୍ତାରେ ଗଲେ କିଛି ବାଟ ଆଗରୁ ଗାଡି ରଖି ପାହାଡ଼ ଚଢ଼ିବାକୁ ହେବ। ସେଥିପାଇଁ ଜଣେ ସ୍ଥାନୀୟ ବାସିନ୍ଦା ଆମକୁ ବାଁ ପଟ ରାସ୍ତାରେ ଯାଇ ପୁରା ପାହାଡ଼ ପାଖରେ ପହଞ୍ଚିହେବ ବୋଲି କହିଥିଲେ। ତାଙ୍କ କଥା ମାନି ଆମେ ବାଁ ପଟ ରାସ୍ତା ରେ ୩୦୦ ମିଟର ଯାଇ ପୁଣି ଡାହାଣକୁ ପାହାଡ଼ ରାସ୍ତାରେ ଗଲୁ। ରାସ୍ତା ନାହିଁ, ବାଲି, ମାଟି, ପଥର ଦେଇ ଯିବାକୁ ହେବ, କିନ୍ତୁ ଯାଇହେବ। ସବୁ ସୁନ୍ଦର ପ୍ରାକୃତିକ ସ୍ଥାନକୁ ପିଚୁ ରାସ୍ତା ନାହିଁ ବୋଲି ଆମେ ହୃଦୟଙ୍ଗମ କଲେ ଏହି ରାସ୍ତାଟି ବି ଭଲ ଲାଗିବ।
ଆମେ ଯାଇ ପହଞ୍ଚିଲୁ ପୁରା ପାହାଡ଼ ପାଖରେ। ସେଠି ଚୁଲି ସବୁ ଦେଖି ନିୟମିତ ବଣଭୋଜି ହେଉଥିବାର ଅନୁମାନ କଲୁ। କୁଳୁକୁଳୁ ଝରଣାର ଶବ୍ଦ ଶୁଣା ଯାଉଥିଲା ଓ ଆମେ ସେହି ଝରଣାର ପାଣି ଧାରେ ଧାରେ ଯାଇ ପାହାଡ଼ର ମୁଣ୍ଡିଆରେ ଚାଲିଲୁ। ବର୍ଷା ଦିନରେ ପୁରା ପାହାଡ଼ରେ ପାଣି ବୋହୁଥିବାର ଶୁଖି ଯାଇଥିବା ଦାଗରୁ ଜାଣି ପାରିଲୁ।
ପ୍ରାୟ ୩୦୦ ମିଟର ସେମିତି ଚାଲିବା ପରେ ଦେଖିବାକୁ ମିଳିଲା ଯେ ପାଣିର ଧାର ଦୁଇ ଭାଗରେ ବିଭକ୍ତ ହେଇଛି। ଗୋଟିଏ ଝରଣା ଭାବେ ବୋହିଯାଉଛି ମୁଣ୍ଡିଆ ଦେଇ ଆଉ ଗୋଟିଏ ଧାର ବାରବଖରା ଗୁମ୍ଫାର ଉପର ପଥରରୁ ତଳକୁ ପଡି ଜଳପ୍ରପାତ ସୃଷ୍ଟି ହୋଇଛି।
ଏହି ଜଳପ୍ରପାତର ନାଁ ହେଲା ଅଶୁରଗଡ ଜଳପ୍ରପାତ। ସମସ୍ତେ ଏହାକୁ ବାର ବଖରା ଜଳପ୍ରପାତ କହୁଥିଲେ ମଧ୍ୟ ଗୂମ୍ଫାର ନାଁ ବାର ବଖରା ଓ ଜଳପ୍ରପାତ ର ନାଁ ଅଶୁରଗଡ ଜଳପ୍ରପାତ।
ଉପରୁ ପାଣି ପଡୁଥିବାର ଦୃଶ୍ୟ ସୁନ୍ଦର ହେଲେ ବି ଭୟଙ୍କର। ଏହା ପୂର୍ବରୁ ଆମେ ସବୁ ଜଳପ୍ରପାତର ପାଣି ଉପରୁ ପଡୁଥିବାର ତଳୁ ଦେଖିଥିଲୁ। ଏଠି କିନ୍ତୁ ଆମେ ପାଣି ପଡୁଥିବା ସ୍ଥାନରୁ ତଳକୁ ଦେଖିପାରୁଥିଲୁ।
ପଥର ରାସ୍ତାରେ ତଳକୁ ଓହ୍ଲେଇ ଗୁମ୍ଫା ପାରି ହେଲେ ହିଁ ଜଳପ୍ରପାତ। ନଭେମ୍ବର ରେ ପାଣି କମି ଥିବାରୁ ଗୋଟିଏ ଧାର ଥିଲା କିନ୍ତୁ ତା’ର ମଧ୍ୟ ଗର୍ଜନ ସେହି ସ୍ଥାନ ରେ ତା’ର ଉପସ୍ଥିତି ଜାହିର କରିବାକୁ ଯଥେଷ୍ଟ ଥିଲା। ମୁଁ ଭାବି ପାରୁଥିଲି ବର୍ଷାଦିନରେ ବେଶୀ ପାଣି ଓ ବେଶୀ ଧାର ଥିବା ସମୟରେ ଅଶୁରଗଡ ଜଳପ୍ରପାତ କେମିତି ଦେଖା ଯାଉଥିବ!
ଏହି ଜଳପ୍ରପାତରେ ଗାଧେଇବା ସୁରକ୍ଷିତ। ଏଠାରେ ତିନୋଟି ବଡ଼ ବଡ଼ ପଥର ଦେଖି ଲାଗିଲା, ସତେ ଯେମିତି କିଏ ସେଠି ଆଣି ସଜେଇବା ପାଇଁ ରଖି ଦେଇଛି।
ଛୋଟ ବଡ଼ ଗଛଲତା, ଚଢ଼େଇ, ମାଙ୍କଡ, ପଥର, ଗୁମ୍ଫା, ଅଶୁରଗଡ ଜଳପ୍ରପାତ ଓ ଆକାଶ . . ସମସ୍ତେ ସେଠି ମିଶି ଗୋଟିଏ ଅପୂର୍ବ ପରିବେଶ ସୃଷ୍ଟି କରୁଥିଲେ।
ଏହି ଧାରଟି ପଥରରେ ପଡି ପୁଣି ଥରେ ତଳକୁ ଖସିଛି, କିନ୍ତୁ ସେଠିକୁ ଯିବା ସମ୍ଭବ ନୁହେଁ। ଏଠାରେ ପାଣି ପଡ଼ି ପଡି ଗୋଟିଏ ପଥରରେ ଖାଲ ହୋଇଛି, ଯେଉଁଠି ଲୋକମାନେ ସୁଇମିଂ ପୁଲ କହି ଖୁସିରେ ଗାଧୋଉ ଥିଲେ।
ସ୍ଥାନଟିର ନିଜସ୍ଵ ପ୍ରାକୃତିକ ସଙ୍ଗୀତ ଥିଲେ ବି କିଛି ଆଧୁନିକ ପାଗଳ ସେଠି ମ୍ୟୁଜିକ ସିଷ୍ଟମ ନେଇ ଶବ୍ଦ ପ୍ରଦୂଷଣ କରୁଛନ୍ତି। ଆଉ ପ୍ରାୟ ଲୋକ ଜୀବନର ପ୍ରଥମ ଥର ଗାଧେଇବା ପରି ସାମ୍ପୁ, ସାବୁନ ବ୍ୟବହାର କରି ପାଣିକୁ ନଷ୍ଟ କରୁଛନ୍ତି। ଆଉ ବୋତଲ କଥା କହି କହି ଲାଜ ଲାଗିଲାଣି। ଏମିତି ସ୍ଥାନକୁ ଯାଇ କେମିତି କେଜାଣି ମଦ୍ୟପାନ କରି ବେହୋସ୍ ହେବାକୁ ଇଛା କରନ୍ତି? ଆମେ ତ ହଜିଗଲୁ ସେହି ସ୍ଥାନର ଅପରୂପ ସୌନ୍ଦର୍ଯ୍ୟରେ। ଏହି ସ୍ଥାନରେ ଜଣେ ପ୍ରକୃତିପ୍ରେମୀ ଆରାମରେ କିଛି ଦିନ କଟେଇ ପାରିବ।
Asuragada Waterfall
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago