ଗବେଷଣା ଓ ଲେଖା: ଶିଶିର ମନୋଜ ସାହୁ

~ ଗହ୍ମାପୂର୍ଣ୍ଣିମାରେ ବଳଦେଵଙ୍କ ଜନ୍ମ ଉତ୍ସଵ ଓ ରକ୍ଷାବନ୍ଧନ ପରମ୍ପରା ~
ଓଡ଼ିଶା ସମେତ ପୂର୍ଵଭାରତର ଵିଭିନ୍ନ ସ୍ଥାନରେ ଶ୍ରାଵଣ ମାସର ପୂର୍ଣ୍ଣିମା ତିଥିକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଶ୍ରାଵଣ ପୂର୍ଣ୍ଣିମା ଦିନ କୃଷ୍ଣଙ୍କର ବଡ଼ ଭାଇ ବଳରାମଙ୍କ ଜନ୍ମ ହୋଇଥିଲା ବୋଲି ପୁରାଣରେ କଥିତ ଅଛି । ବଳରାମ ମଧ୍ୟ ବଳଦେବ, ବଳଭଦ୍ର ଓ ହଳଧର ଆଦି ଵିଭିନ୍ନ ନାମରେ ପୂଜା ପାଆନ୍ତି । ଆଗେ କଳିଙ୍ଗୋଡ୍ରୋତ୍କଳରେ ଗହ୍ମାପୂର୍ଣିମା ଦିନ ବଳଦେଵଜୀଉଙ୍କ ଵିଶେଷ ପୂଜାର୍ଚ୍ଚନା ହେଉଥିଲା । ପରମ୍ପରା ଅନୁଯାୟୀ ପ୍ରତି ଶ୍ରାଵଣ ପୂର୍ଣ୍ଣିମାରେ ପୁରୀ ଶ୍ରୀମନ୍ଦିର ଓ କେନ୍ଦ୍ରାପଡ଼ାର ବଳଦେଵଜୀଉ ଦେଉଳରେ ବଳଦେଵଙ୍କ ଜନ୍ମନୀତି ମହାସମାରୋହରେ ପାଳିତ ହୋଇଥାଏ । ଏହି ଦିନ ଗାଈ ଓ ବଳଦମାନଙ୍କୁ ପ୍ରଭୁ ବଳରାମଙ୍କ ପ୍ରତୀକ ଭାବେ ପୂଜା କରାଯାଇଥାଏ ।
ଗହ୍ମା ଶବ୍ଦ ଗୋମାତା ଶବ୍ଦରୁ ଆସିଛି ବୋଲି ଏକ ଲୋକପ୍ରିୟ ମତ ପ୍ରଚଳିତ । ଗାଈକୁ ହିନ୍ଦୁ ଶାସ୍ତ୍ରରେ ଗୋମାତା ବୋଲି କୁହାଯାଇଛି । ସମ୍ଭଵତଃ ଗୋମତା ଶବ୍ଦ କ୍ରମଶଃ ଗୋମା ଏଵଂ ପରେ ଗହ୍ମା ହୋଇଥାଇପାରେ । ଗାଭୀପୂଜନର ପର୍ଵ ହୋଇଥିଵାରୁ ଏମନ୍ତ ହୋଇଥିଵା ଅସମ୍ଭଵ ନୁହେଁ । ମତାନ୍ତରେ ଓଡ଼ିଆ ଗମାଇଵା କ୍ରିୟା ସହିତ ଗହ୍ମା ଶବ୍ଦ ସମୋଦ୍ଧୃତ ହୋଇଥାଇପାରେ । ଗମିଵା କ୍ରିୟାର ଅର୍ଥ ଗମନ କରିଵା ଵା ଯିଵା ଏଵଂ ଏହାର ଜିଣନ୍ତ ଧାତୁରୂପ ଗମାଇଵା ଅଟଇ । ଗମାଇଵା କ୍ରିୟାଟି ଅନ୍ୟଦ୍ଵାରା ଯିଵା, ଗତି କରାଇଵା, କାଟିଵା ଵା ଗତ କରିଵା, ପାରକରିଵା, ଅତିଵାହିତ କରିଵା, କଟାଇଵା, ହଜାଇଵା (ଗୁପ୍ତ ଧାତୁ), ଗମର କରିଵା ଵା ସଢ଼ାଇଵା ଅର୍ଥରେ ଆମ ଭାଷାରେ ପ୍ରୟୋଗ କରାଯାଏ । ଗହ୍ମାଡିଆଁ ସମୟରେ ପ୍ରଥମେ ଗୋଟିଏ ଅଣ୍ଡିରା ବାଛୁରିକୁ ନେଇ ଗମ୍ହାଵେଦୀକୁ ଡିଆଁଇ ଦେଵାର ଵିଧି ପ୍ରଚଳିତ ଏଵଂ ତତ୍ପରେ ମାନଵମାନେ ଵିଶେଷତଃ କିଶୋର/ଯୁଵକମାନେ ଗହ୍ମାଡିଆଁ କରିଥାନ୍ତି । ତେଣୁ ପ୍ରଥମେ ଲୋକେ ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଉଥିଵାରୁ ଗମାଇଵା କ୍ରିୟାର “ଅନ୍ୟଦ୍ଵାରା ଡିଆଁଇ ଗତି କରାଇଵା” ଅର୍ଥ ଘେନି ଗମା ଓ ପରେ ଗହ୍ମା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵପର ହୃଦବୋଧ ହୁଏ ।
ଅନ୍ୟ ଏକ ମତ ଅନୁସାରେ ଗମା ଶବ୍ଦଟି ଆଗେ ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥରେ ପ୍ରୟୋଗ କରାଯାଉଥିଲା । ଏହାର ପ୍ରମାଣ ସ୍ବରୂପ ଆଜି ବି ଓଡ଼ିଶାରେ ବଡ଼ମୁଣ୍ଡିଆକୁ ଗହ୍ଭାମୁଣ୍ଡିଆ କୁହାଯାଏ ଏଵଂ ମାଟିଗଦା ତଥା ଉଚ୍ଚାସ୍ଥାନକୁ ଆଜି ମଧ୍ୟ ଗଡ଼ଜାତରେ ଗୁମା କୁହାଯାଏ ।‌ ଗହ୍ମାଡିଆଁ ସମୟରେ ଗହ୍ମାଵେଦୀ ମଧ୍ୟ ମାଟିଗଦାକୁ ନେଇ ଗଢ଼ାଯାଏ ତେଣୁ ହୁଏତ ଗହ୍ଭା, ଗୁମାର ମାଟିଗଦା ଵା ଉଚ୍ଚସ୍ଥାନ ଅର୍ଥ ଘେନି ଗହ୍ମାପୂର୍ଣ୍ଣିମା ଓ ଗହ୍ମାଡିଆଁର ନାମକରଣ କରାଯାଇଛି ।‌ ସେ ଯାହା ହେଉ ଆଗେ ନିଜ ନିଜ ଗୃହରେ ସମସ୍ତ ଉତ୍କଳୀୟ ପ୍ରଜା ଏହିଦିନ ଗାଈ ବଳଦମାନଙ୍କୁ ପୂଜା କରି ସେମାନଙ୍କୁ ପିଠା, ମିଷ୍ଟାନ୍ନ ଖୁଆଇଵା ସହ ସନ୍ଧ୍ୟାରେ ଗୃହ ସମ୍ମୁଖରେ ଘାସ ରଖୁଥିଲେ । ଚରିଵାକୁ ଯାଇଥିଵା ଗାଈ ଅପରାହ୍ନ ସମୟରେ ଫେରିଵା ବେଳେ ଲୋକେ ତାଙ୍କ ଦାଣ୍ଡଗୁଡି଼କରେ ରଖିଥିଵା ଘାସ ଖାଉଥିଲେ । ଆଜି ମଧ୍ୟ ଓଡି଼ଶାର କେତେକ ଅଞ୍ଚଳରେ ଏହି ପରମ୍ପରା ବଞ୍ଚିରହିଛି । ଗହ୍ମାପୂର୍ଣ୍ଣିମା ଦିନ ଗୋ (ଗାଭି)ଙ୍କ ପ୍ରତି ସାମାନ୍ୟତମ ଅନାଦର କରିବାକୁ ମଧ୍ଯ ସମସ୍ତଙ୍କୁ ବାରଣ କରାଯାଇଥାଏ ।
ଦକ୍ଷିଣ ଓଡ଼ିଶାର ଗ୍ରାମାଞ୍ଚଳରେ ଆଜି ବି ଗହ୍ମାପୂର୍ଣ୍ଣିମା ଦିନ ଗ୍ରାମପ୍ରାନ୍ତରରେ ଗୋଟିଏ ହସ୍ତପଦ ଅଙ୍କିତ ବଳଦ ଶୋଇଵା ଆକାରର ମୃତ୍ତିକାସ୍ତୁପ ନିର୍ମାଣ କରାଯାଏ । ସେହି ଵଳୀଵୃର୍ଦ୍ଧାକୃତି ମୃତ୍ତିକା ସ୍ତୁପକୁ ହିଁ ଗହ୍ମାଵେଦୀ କହିଥାନ୍ତି । ଗହ୍ମାଵେଦୀ ନିକଟରେ ଗ୍ରାମର ସାଧାରଣ ବଳଦେବ ପୂଜା ଓ ଭୋଗ ହୁଏ ତଥା ଶେଷରେ ଗୋଟିଏ ଅଣ୍ଡିରା ବାଛୁରୀକୁ ଏ ସ୍ତୁପକୁ ଆଡ଼ବାଗରେ ଡିଆଁନ୍ତି । ଅଣ୍ଡିରା ବାଛୁରୀକୁ ଗହ୍ମାଵେଦୀ ଡିଆଁଇଵା ପରେ କିଶୋର ଯୁଵକମାନେ ଗହ୍ମାଵେଦୀ ଉପରୁ ଲମ୍ଫ ପ୍ରଦାନ କରନ୍ତି । ଏହିପରି ଭାବେ ଗହ୍ମାପୂର୍ଣ୍ଣିମା ପର୍ଵ ସହ ମନୋରଞ୍ଜନଧର୍ମୀ କ୍ରୀଡ଼ା ଗହ୍ମାଡିଆଁ ପରମ୍ପରା ଯୋଡ଼ି ହୋଇଛି । ଗହ୍ମାଡିଆଁ ପରେ ସେଠାରେ ହୋଇଥିବା ଭୋଗକୁ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରାଯାଏ ।
ଆଗେ ପୁରୀଜିଲ୍ଲାର ଶାସନମାନଙ୍କରେ ଗହ୍ମାପୂର୍ଣ୍ଣମୀ ଦିନ ଗହ୍ମାଵେଦୀଠାରେ ହୋଇଥିଵା ଭୋଗରୁ ପ୍ରତ୍ଯେକ ମହାଜନଙ୍କ ଭାଗ ଅନୁସାରେ ମହାଜନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଭାଗ ଅନୁସାରେ ବଣ୍ଟାଯାଉଥିଲା ଏଵଂ ଏହାକୁ ଗହ୍ମାହକରା କୁହାଯାଉଥିଲା ।‌ ଗହ୍ମାପୂର୍ଣ୍ଣିମୀ ଦିନ ଗହ୍ମାଵେଦୀ ଠାରେ ବଳଦେଵଙ୍କୁ ଭୋଗ ହୋଇଥିଵା ହକରା ନେବାକୁ ଉପସ୍ଥିତ ହେଵାପାଇଁ ବ୍ରାହ୍ମଣଶାସନ ଗ୍ରାମଵାସୀ ମହାଜନମାନଙ୍କୁ ନାମସୂଚୀ ଅନୁସାରେ ଜଣ ଜଣ କରି ଆହ୍ବାନ କରାଯାଉଥିଲା । ଏହି ଵିଧିକୁ ଲୋକେ ଗହ୍ମାଡାକରା କହୁଥିଲେ । ଉଲ୍ଲେଖଯୋଗ୍ୟ ଯେ ଵିଵାହର ପ୍ରଥମ ଵର୍ଷମଧ୍ୟରେ କୁମାର ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳପୂର୍ଣ୍ଣିମା ଛଡ଼ା ଗହ୍ମାପୂର୍ଣ୍ଣିମୀ ଦିନ ଶଶୁରଘରକୁ ଯିଵାପାଇଁ ଜ୍ବାଇଁକୁ ନିମନ୍ତ୍ରଣ କରାଯିଵାର ପରମ୍ପରା ଓଡ଼ିଶାରେ ପ୍ରଚଳିତ ଥିଲା ଏଵଂ ତାକୁ ମଧ୍ୟ ଗହ୍ମାଡାକରା କୁହାଯାଉଥିଲା ।
ଗହ୍ମା ଶବ୍ଦଯୁକ୍ତ କେତେକ ଗଡ଼ଜାତିଆ ଶବ୍ଦ ରହିଛି ଯାହା ପ୍ରମାଣ କରେ ଯେ ଏକଦା ଗଡ଼ଜାତରେ ମଧ୍ୟ ଗହ୍ମାପୂର୍ଣ୍ଣିମା ଅବସରରେ ଗୋପୂଜା ପରମ୍ପରା ବହୁପରିମାଣରେ ପ୍ରଚଳିତ ଥିଲା ।
ସମ୍ବଲପୁରରେ ତେଲୁଣି ଵା ତେଲଗୁଣି ପୋକକୁ ଗମାକୀଡ଼ା, ଗମିକୀଡ଼ା, ଗମ୍‌କିରା, ଗମ୍‌ପୋକ୍, କନ୍ଧମାଳରେ ଗମାପୁକ୍ ତଥା ଢେଙ୍କାନାଳ ଓ ଅନୁଗୋଳରେ ଗମିପୋକ କୁହାଯାଏ । ଏହି ତେଲୁଣି ପୋକ ସାଧାରଣତଃ ଶ୍ରାଵଣ ମାସରେ ବହୁପରିମାଣରେ ଦୃଶ୍ୟ ହୋଇଥାନ୍ତି । ସୂଚନାଯୋଗ୍ୟ ଯେ ଗଡ଼ଜାତରେ ଧାନରେ ଲାଗୁଥିଵା ଏକପ୍ରକାରର ଧଳାପୋକକୁ ଗହ‌୍‌ମା ପୋକ୍ କୁହାଯାଏ କାରଣ ଏହା ଗମୁଆ ଗମୁଆ ଗନ୍ଧଯୁକ୍ତ ହୋଇଥାଏ । ବହୁତ ସମ୍ଭଵ ଗହ୍ମାପୂର୍ଣ୍ଣିମାର ଗହ୍ମା ଶବ୍ଦ ଆଧାରରେ ତେଲୁଣି ପୋକର ଗମ୍‌କିରା ଓ ଗମିପୋଟ ନାମ ରଖାଯାଇଥିଲା । ଏହାର ପ୍ରମାଣ ସ୍ବରୂପ ଆଉ ଏକ ଶବ୍ଦ ଆମ ଭାଷାରେ ରହିଛି । ଓଡ଼ିଶାରେ ଗହ୍ମାପୂର୍ଣ୍ଣିମୀ ସମୟକୁ ଗଛରେ ପାଚି ଯାଇଥିଵା ଛୋଟ ନଡି଼ଆକୁ ଗହ୍ମାକଠା କୁହାଯାଏ । ନଡ଼ିଆ କଷି ହେଵାଠାରୁ ପାଚିଵା ପର୍ଯ୍ୟନ୍ତ ୧୦ ମାସ ସମୟ ଲାଗେ । ମାର୍ଗଶିର ମାସରେ ଯେଉଁ ନଡି଼ଆ କଷି ଧରି ଥାଏ ତାହା ସାଧାରଣତଃ ଛୋଟ ଓ ଅପୁଷ୍ଟ ହୋଇଥାଏ ଏଵଂ ତାହା ଗହ୍ମାପୂର୍ଣ୍ଣିମୀକୁ ତୋଳା ହେଵା ସମଯରେ ସାଧାରଣ ନଡ଼ିଆ ଅପେକ୍ଷା ଛୋଟ (କଠା) ଥିବା ଦେଖାଯାଏ ଫଳତଃ ଏ ଜାତୀୟ ନଡି଼ଆକୁ ଗହ୍ମାକଠା କୁହାଯାଏ ।
ତେବେ ଆଜି ଗହ୍ମାପୂର୍ଣ୍ଣିମା ସହିତ ଯୋଡ଼ି ହେଲାଣି ରକ୍ଷାବନ୍ଧନ ପରମ୍ପରା । ଭାଇଭଉଣୀଙ୍କ ପଵିତ୍ର ସମ୍ପର୍କକୁ ନେଇ ରକ୍ଷାବନ୍ଧନର ପରିକଳ୍ପନା । ଵୈଦିକକାଳରେ ଗୁରୁଶିଷ୍ୟ ପରମ୍ପରାରେ ଗୁରୁଙ୍କ ଦ୍ଵାରା ଶିଷ୍ୟକୁ ସୂତ୍ର ବନ୍ଧନର ପରମ୍ପରା ପ୍ରଚଳିତ ଥିଲା । କେତେକ ଗବେଷକଙ୍କ ମତରେ କ୍ରମଶଃ ସେହି ପରମ୍ପରା ପରିଵର୍ତ୍ତିତ ହୋଇ ରକ୍ଷାବନ୍ଧନର ରୂପ ନେଇଅଛି । ସେହିପରି ଯୁଦ୍ଧକ୍ଷେତ୍ରକୁ ଯାଉଥିଵା ଵୀରହସ୍ତରେ ଭାରତୀୟ ସଧଵାମାନେ ରକ୍ଷାସୂତ୍ର ବାନ୍ଧୁଥିଲେ । ଯୁଦ୍ଧକୁ ଯାଉଥିଵା ଵୀରଙ୍କ ହସ୍ତରେ ଏହି ରକ୍ଷା ସୂତା ବାନ୍ଧି ତାଙ୍କ ମଙ୍ଗଳ ତଥା ବିଜୟ କାମନା କରାଯାଉଥିଲା । ଏହି ପରମ୍ପରା ଆଧାରରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାର ପରମ୍ପରା ପ୍ରଚଳିତ ହୋଇଥିଵା ଅନୁମାନ କରାଯାଏ । ଆମ ତଥାକଥିତ ସମାଜରେ ନାରୀ ସର୍ଵଦା ଅବଳା ଓ ଦୁର୍ଵଳା ଭାବେ ଵିଵେଚିତ ହୋଇ ଆସିଛି ତେଣୁ ତା’ର ସୁରକ୍ଷା ନିତାନ୍ତ ଆଵଶ୍ୟକ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଦେଇ ତା’ର ସୁରକ୍ଷା କାମନା କରିଥାଏ । ମତାନ୍ତରରେ ଭାଇର ସୁରକ୍ଷା ପାଇଁ ଭଉଣୀ ଭାଇର ହାତରେ ରକ୍ଷାସୂତ୍ର ବାନ୍ଧି ଦିଏ । ଭାଇ ଭଉଣୀର ଏହି ଅନାଵିଳ ପ୍ରେମରୁ ରକ୍ଷାବନ୍ଧନର ସୃଷ୍ଟି । ଏ ରକ୍ଷାସୂତ୍ର ସମ୍ପର୍କର, କର୍ତ୍ତଵ୍ୟବଦ୍ଧତାର, ସ୍ନେହ ପ୍ରେମର, ସୁରକ୍ଷାର ଓ ଭରସାର ସେତୁ ଅଟଇ ।
କିନ୍ତୁ ଓଡ଼ିଶାରେ ଆଜକୁ ପ୍ରାୟ ୬୦-୭୦ ଵର୍ଷ ତଳେ ରକ୍ଷାବନ୍ଧନ ଏତେ ଲୋକପ୍ରିୟ ହୋଇନଥିଲା । ଭାଇମାନଙ୍କ ପାଇଁ ତାଙ୍କ ଭଉଣୀମାନେ କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା ଦିନ ଯମଦ୍ଵିତୀୟା ଓଷା ଵା ଭାତୃଦ୍ବିତୀୟା ବ୍ରତ ରଖୁଥିଲେ । ଏହା ହିନ୍ଦୀଭାଷୀ ଅଞ୍ଚଳର ଭାଇଦୁଜ ବ୍ରତ ଭଳି ଏକ ପ୍ରକାରର ବ୍ରତ ଥିଲା । କେତେକ ଗଵେଷକଙ୍କ ମତରେ ପଶ୍ଚିମଭାରତର ଗାଣପତ୍ୟ ପନ୍ଥରୁ ଅନୁପ୍ରାଣିତ ହୋଇ ପ୍ରଥମେ ଉତ୍ତରଭାରତ ତଥା ବଙ୍ଗରେ ରକ୍ଷାବନ୍ଧନ ଆରମ୍ଭ ହୋଇଥିଲା କିନ୍ତୁ ଆଉ କେତେକ ଗଵେଷକ ଏହି ମତକୁ ଖଣ୍ଡନ କରନ୍ତି । କୁହାଯାଏ ପଶ୍ଚିମ ଭାରତରୁ ଲୋକପ୍ରିୟ ହୋଇ ଉତ୍ତରଭାରତରେ ପ୍ରଚଳିତ ହୋଇ ବଙ୍ଗ ଦେଇ ଓଡ଼ିଶାକୁ ଆସିଲା ରକ୍ଷାସୂତ୍ର ବନ୍ଧନର ନଵ୍ୟ ପରମ୍ପରା । ବୋଧହୁଏ ଓଡିଶାରେ ଵୈଷ୍ଣଵ ସମ୍ପ୍ରଦାୟର ପ୍ରଭାଵରେ ପରେ ଶ୍ରୀଜଗନ୍ନାଥ ମନ୍ଦିରରେ ରାକ୍ଷୀପୂର୍ଣ୍ଣିମା ପାଳନ କରାଯାଉଅଛି । ଆଜକୁ ଚାଳିଶ ପଚାଶ ଵର୍ଷ ତଳେ କେଵଳ ଓଡ଼ିଶାର ନଗରଵାସୀ ଧନୀକ ଧାର୍ମିକ ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ହିଁ ରକ୍ଷାବନ୍ଧନ ସୀମିତ ଥିଲା । ଓଡ଼ିଶାରେ ପ୍ରଥମେ ପ୍ରଥମେ ଯେତେବେଳେ ରକ୍ଷାବନ୍ଧନ ଆସିଲା ଓଡ଼ିଆ ଲୋକେ ତାହା ସମ୍ପୂର୍ଣ୍ଣ ଵୈଦିକ ରୀତିନୀତିରେ ପାଳନ କରୁଥିଲେ । ମନ୍ତ୍ର ଦ୍ୱାରା ଅଭିମନ୍ତ୍ରିତ ସୂତାକୁ ଶୁଦ୍ଧ ହଳଦୀଜଳରେ ବୁଡ଼ାଇ ଭଉଣୀମାନେ ତାଙ୍କ ଭାଇଙ୍କ ହାତରେ ରକ୍ଷାସୂତ୍ର ବାନ୍ଧୁଥିଲେ । ସେ ଦିନିଆ ରେଶମ ଡୋରିର ଵ୍ୟଵହାର ରକ୍ଷାବନ୍ଧନପାଇଁ ହେଉ ନଥିଲା କାରଣ ଲୋକ ଭାବୁଥିଲେ ଗୋଟାଏ ଜୀଵକୁ ମାରି ତା’ର ମୃତ ଶରୀରରୁ ଉତ୍ପାଦିତ ସୂତା ଭଲା କାହାର କିପରି ରକ୍ଷା କରି ପାରିଵ !
କ୍ରମେ ବଲିଉଡ ତଥା ଓଲିଉଡ ଚଳଚ୍ଚିତ୍ରରେ ରକ୍ଷାବନ୍ଧନ ପରମ୍ପରାର ପ୍ରଚାର ପ୍ରସାର ଯୋଗୁଁ ଆଜି ଓଡ଼ିଶାର ଘରେ ଘରେ ଲୋକେ ତହିଁରୁ ପ୍ରଭାଵିତ ହୋଇ ରାକ୍ଷୀ ବାନ୍ଧିଵା ଆରମ୍ଭ କରିଛନ୍ତି । ମାତ୍ର ସ୍ବାଧୀନତା ପରେ ପରେ ଦୂରଦର୍ଶନ, ଅଲ୍ ଇଣ୍ଡିଆ ରେଡିଓ, ସମ୍ବାଦପତ୍ର, ସାହିତ୍ୟକୃତି, ଚଳଚ୍ଚିତ୍ର ଆଦି ଗଣମାଧ୍ୟମରେ ପ୍ରଚାର ଯୋଗୁଁ ଓଡ଼ିଆଙ୍କ ପାଇଁ ଆଜି ଗହ୍ମାପୂର୍ଣିମା ଟା ରାକ୍ଷୀପୂର୍ଣ୍ଣିମା ହୋଇଯାଇଛି । ଆଜି ପରିସ୍ଥିତି ଏଭଳି ହୋଇଛି ଗହ୍ମା କହିଲେ କେତେକ ଲୋକ ରାକ୍ଷୀ ବୋଲି କହୁଛନ୍ତି କିନ୍ତୁ ପ୍ରକୃତରେ ଏହା ସମ୍ପୂର୍ଣ୍ଣ ଭ୍ରମାତ୍ମକ । ରାକ୍ଷୀ ସହିତ ଗହ୍ମାର କୌଣସି ସମ୍ପର୍କ ନାହିଁ ଅଧିକନ୍ତୁ ଗହ୍ମାପୂର୍ଣ୍ଣିମା ଓଡ଼ିଶାର ନିଜସ୍ଵ ପାରମ୍ପରିକ ପର୍ଵ ଯାହା ଭାରତରେ ଅନ୍ୟତ୍ର ଦେଖିଵାକୁ ମିଳେନାହିଁ ।
©ଶିଶିର ସାହୁ ମନୋଜ, କାମାକ୍ଷାନଗର, ଢେଙ୍କାନାଳ
admin

Recent Posts

ଘୁଡ଼ୁକି

ଗବେଷଣା ଓ ଉପସ୍ଥାପନା: ଡ. ବାୟାମନୁ ଚର୍ଚି ଘୁଡ଼ୁକି ଏକ ବାଦ୍ୟ । ପତର ସଉରା ଓ କେଳା ସମ୍ପ୍ରଦାୟର…

1 year ago

ବାସୁଦେବ ସୁଢ଼ଳଦେବ

ଲେଖା: ନିରଞ୍ଜନ ସାହୁ ~ବାସୁଦେବ ସୁଢ଼ଳଦେବ ~ ଅନେକ ନୃପତି ଅଛନ୍ତି । କିଏ ଉତ୍ତରାଧିକାର ସୂତ୍ରରେ, କିଏ ବାହୁବଳରେ,…

2 years ago

ମହିମା ମେଳା

ଲେଖା: ନିରଞ୍ଜନ ସାହୁ ~ ମହିମା ମେଳା ~ ଯାହା ମନେପଡ଼େ ଏମିତିରେ ପ୍ରାୟ ଅନେକ କିଛି ବର୍ଷ ତଳର…

2 years ago

କଂସା ବାସନ

ଲେଖା: ଡ. ଜୟଶ୍ରୀ ନନ୍ଦ ~ କଂସା ବାସନ ~ ଆମ ରାଜ୍ୟ ପରା ଶ୍ରୀଜଗନ୍ନାଥଙ୍କର ପୁର ବା ଶ୍ରୀଜଗନ୍ନାଥଙ୍କର…

2 years ago

ତୁଳସୀ ପୂଜା

ଲେଖା: ଡ. ଜୟଶ୍ରୀ ନନ୍ଦ   ~ ତୁଳସୀ ପୂଜା ~ ତୁଳସୀ ପୂଜା ପ୍ରତି ଓଡିଆ ଘରର ପରମ୍ପରା…

2 years ago

ମଣ୍ଡା ପିଠା

ଲେଖା: ଡ. ଜୟଶ୍ରୀ ନନ୍ଦ ~ ମଣ୍ଡାପିଠା ~ ମଣ୍ଡା ପିଠା ଗୋଲ୍ ଗୋଲ୍, ଚାଲ ଯିବା ଚଣ୍ଡିଖୋଲ। ଲୋକଗୀତଟି…

2 years ago