ଲେଖା: ତେଜସ୍ବ ତ୍ରିପାଠୀ
~ ସୁରମଣି ରଘୁନାଥ ପଣିଗ୍ରାହୀ ~
ସଂଗୀତର ସାତ ସୁର ଥିଲା ତାଙ୍କ ରସନାଗ୍ର ନର୍ତ୍ତକ l ତାଙ୍କ ଦଶାବତାର ଗାୟନରେ ଶ୍ରୋତା ହୁଅନ୍ତି ସମ୍ମୋହିତ l ସେ ଉତ୍କଳର ଅଳଙ୍କାର ଆଉ ଉତ୍କଳୀୟଙ୍କ ଅଂହକାର l ସେ ଆଉ କେହି ନୁହନ୍ତି ସଙ୍ଗୀତର ମଣି ସୁରମଣି ରଘୁନାଥ ପଣିଗ୍ରାହୀ l
ସେ ରାୟଗଡ଼ା ଜିଲ୍ଲାର ଗୁଣପୁର ସହରରେ ୧୯୩୪ ମସିହା ଅଗଷ୍ଟ ୧୦ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ସ୍ୱାଧୀନତା ସଂଗ୍ରାମୀ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କଠାରୁ ସେ ୫ବର୍ଷ ବୟସରେ ସଂଗୀତ ଶିକ୍ଷା ଆରମ୍ଭ କରିଥିଲେ । ୧୯୪୧ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପଣ୍ଡିତ ବିଶ୍ୱନାଥ ଦାସ ଏବଂ ପଣ୍ଡିତ ନରସିଂହ ନନ୍ଦଙ୍କ ଠାରୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ । ପରେ ସଂଗୀତଜ୍ଞ ମଦୁ ପାପ୍ପାରାଓଙ୍କ ଠାରୁ କର୍ଣ୍ଣାଟକୀ ସଂଗୀତ ଶିକ୍ଷାଲାଭ କରିଥିଲେ । ଶେଷରେ ମାଡ୍ରାସରେ ପଣ୍ଡିତ ଡି. ଭି. ପାଲୁସକରଙ୍କଠାରୁ ହିନ୍ଦୁସ୍ତାନୀ କଣ୍ଠସଂଗୀତ ଶିକ୍ଷା କରିଥିଲେ l
୧୯୪୮ ମସିହାରେ ସୁରମଣି ରଘୁନାଥ ପଣିଗ୍ରାହୀ ଆକାଶବାଣୀ କଟକ କେନ୍ଦ୍ରରେ ଜଣେ ନିୟମିତ କଳାକାର ଭାବେ ଯୋଗ ଦେଇଥିଲେ । ଅନେକ କଥାଚିତ୍ରରେ, ଭଜନ, ଜଣାଣ ଏବଂ ଓଡ଼ିଶୀ ଛାନ୍ଦ, ଚମ୍ପୁ ଓ ଗଜଲ ଗାନ କରିଛନ୍ତି । ଆଉମଧ୍ୟ ଦକ୍ଷିଣଭାରତୀୟ ଚଳଚ୍ଚିତ୍ରରେ କଣ୍ଠଦାନ ସହିତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ବିଶେଷ କରି ଓଡ଼ିଶୀ ସଂଗୀତ ସହିତ ଜଗନ୍ନାଥ ସଂସ୍କୃତି ଓ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଚାର ଓ ପ୍ରସାର ପାଇଁ ତାଙ୍କର ଭୂମିକା ଅନନ୍ୟ । ଶାସ୍ତ୍ରୀୟ ଶୈଳୀରେ ଗୀତଗୋବିନ୍ଦ ସେ ତାଙ୍କ ପିତାଙ୍କଠାରୁ ଶିଖିଥିଲେ ଯାହାକୁ ଗାନ କରି ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିଲେ । ସେ ଏକାଧାରରେ ଓଡ଼ିଶୀ, ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ପଦ୍ଧତିରେ ସଙ୍ଗୀତ ଗାନ କରି ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ସେ ଥିଲେ ୧୨ଟି ଭାଷାରେ ପ୍ରବୀଣ ସଙ୍ଗୀତଜ୍ଞ । ଶାସ୍ତ୍ରୀୟ ସଙ୍ଗୀତ ଗାଇବାରେ ପ୍ରବୀଣ ରଘୁନାଥଙ୍କ ଖ୍ୟାତି ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ସମେତ ପ୍ରାୟ ଅନେକ ରାଜ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା ।
ଏକଦା ପଶ୍ଚିମବଙ୍ଗର ରବୀନ୍ଦ୍ର ସଦନଠାରେ ସଂଯୁକ୍ତା ପାଣିଗ୍ରାହୀ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରୁଥିବାବେଳେ ମଞ୍ଚ ଆଢୁଆଳରୁ ଭାସି ଆସୁଥିଲା ରଘୁନାଥଙ୍କ ଯାଦୁକାରୀ ସ୍ୱର । ଯାହା ଶୁଣିବା ପରେ ଉପସ୍ଥିତ ଶ୍ରୋତା ଓ ଦର୍ଶକମଣ୍ଡଳୀ ସମସ୍ତେ ଏକ ସ୍ୱରରେ କହିଥିଲେ ଯେ ପ୍ରଥମେ ଗାୟକଙ୍କୁ ମଞ୍ଚ ଉପରକୁ ଅଣାଯାଉ । ରଘୁନାଥ ଆସିବା ପରେ ଦର୍ଶକ ମଣ୍ଡଳୀ ନାଚ ଦେଖିବା ବନ୍ଦ କରି ଓଡ଼ିଶୀ ସଙ୍ଗୀତ ଶୁଣିବାକୁ ଜିଦ୍ ଧରି ବସିଥିଲେ ଓ ରଘୁନାଥ ଗୀତ ପରିବେଷଣ କରିଥିଲେ । ତାଙ୍କର ସୁମଧୁର ଗାୟନ ତାଙ୍କୁ ସୁରମଣି ବୋଲି ପରିଚିତ କରିଥିଲା ।
୧୯୬୩ ମସିହାରେ ସେ ପ୍ରଥମ କରି ଓଡ଼ିଆ କଥାଚିତ୍ରରେ ତାଙ୍କର କଣ୍ଠଦାନ କରିଥିଲେ ଯାହାର ନାମ ଥିଲା ‘ଶ୍ରୀ ଶ୍ରୀ ପତିତପାବନ’, ୧୯୭୬ରେ ‘ସିନ୍ଦୂର ବିନ୍ଦୁ’, ୧୯୭୭ରେ ‘ମୁକ୍ତି’, ୧୯୯୮ରେ ‘ଅହଲ୍ୟା’ ପ୍ରଭୃତି କଥାଚିଚିତ୍ରରେ ସେ କଣ୍ଠଦାନ କରିଥିଲେ । ‘ଅଭିନେତ୍ରୀ’ କଥାଚିତ୍ରରେ ସେ ୧୯୬୫ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ୧୯୭୭ମସିହାରେ ‘ମୁକ୍ତି’ ଚଳଚ୍ଚିତ୍ର ପାଇଁ ପ୍ରଚ୍ଛଦପଟ୍ଟ କଣ୍ଠଶିଳ୍ପୀ ଭାବରେ ଶ୍ରେଷ୍ଠ ରାଜ୍ୟ ପୁରସ୍କାର । ସେହିପରି ‘ଅହଲ୍ୟା’ ଚଳଚ୍ଚିତ୍ର ପାଇଁ ୧୯୯୮ରେ ଶ୍ରେଷ୍ଠ ସଙ୍ଗୀତ ସଂଯୋଜନା ପାଇଁ ରାଜ୍ୟ ପୁରସ୍କାର ପାଇଥିଲେ । ୧୯୬୮ମସିହାରେ ମୁମ୍ବାଇର ସୁର୍ ସିଙ୍ଗାର ସଂସଦ (କାଲ୍‌କୋ କଳାକାର) ତରଫରୁ ତାଙ୍କୁ ସୁରମଣି ଉପାଧିରେ ଭୂଷିତ କରାଯାଇଥିଲା । ସେହିଦିନଠାରୁ ସେ ସୁରମଣି ନାମରେ ନାମିତ ।
ସେ ଗାଇଥିବା ଗୀତଗୁଡ଼ିକ ମଧ୍ୟରେ ‘ଆହେ ନୀଳଶଇଳ’, ‘ଆକାଶେ ଦିଶେ କି ସୁନ୍ଦର’, ବାଲ୍ୟକାଳୁ ଧର୍ମ ଧନମୁଁ ସଞ୍ଚିବି’, ‘ବିଶ୍ୱ ଦେଖ ମଧୁମୟରେ ଜୀବନ’, ‘ଚକାନୟନଙ୍କୁ ପତିତ କେହି’, ‘ଦେଖଭାଇ ମହାମାୟୀ’, ‘ଧୀର ସମୀରେ ଯମୁନା ତୀରେ’, ‘ଯାହାମୁଁ କରଇ ଯାହାମୁଁ’, ‘ଲଳିତ ଲବଙ୍ଗ ଲତା ପରିଶିଳନ’, ‘ମା ନାମ ମଧୁର ଅଟେ’, ‘ନମୋ ନିରଞ୍ଜନ ନିଖିଳ ନିଦାନ’, ‘ନ ଯା ରାଧିକା ଏକା ଏକା’, ‘ନାଚ ନାଚ ସଜନୀ ନାଚରେ’, ପଶ୍ୟତି ଇଚ୍ଛା କରହେ ପୂର୍ଣ୍ଣ’ ପ୍ରଭୃତି ଗୀତ ଅତି ଲୋକପ୍ରିୟ ।
ଓଡ଼ିଶୀ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ତାଙ୍କ ସହଧର୍ମିଣୀ ଥିଲେ । କଳାକ୍ଷେତ୍ର ନୃତ୍ୟ ବିଦ୍ୟାଳୟରେ ରଘୁନାଥ ପ୍ରଥମେ ଓଡ଼ିଶୀ ନୃତ୍ୟପ୍ରବୀଣା ସଂଯୁକ୍ତାଙ୍କୁ ଭେଟିଥିଲେ । ୧୯୬୦ ମସିହାରେ ସେ ୨୬ବର୍ଷ ବୟସରେ ସଂଯୁକ୍ତାଙ୍କୁ ବିବାହ କରିଥିଲେ । ସଂଯୁକ୍ତାଙ୍କ ନୃତ୍ୟରେ ୧୯୭୦ମସିହାରୁ ଦୁଇଦଶନ୍ଧି ବ୍ୟାପି ସେ ସଙ୍ଗୀତକାର ଭାବେ ନିଜକୁ ନିୟୋଜିତ କରିଥିଲେ । ସୁରମଣିଙ୍କ କଣ୍ଠସ୍ୱରରେ ତାଳଦେଇ ଓଡ଼ିଶୀ ମୁଦ୍ରାର ସ୍ୱତନ୍ତ୍ର ଭଙ୍ଗୀ ଉପସ୍ଥାପନା କରୁଥିଲେ ସଂଯୁକ୍ତା। ଏସିଆ ଓ ୟୁରୋପ ମହାଦେଶର ବିଭିନ୍ନ ଦେଶ ଗ୍ରସ୍ତ କରି ଏହି ଦମ୍ପତି ଓଡ଼ିଶୀ ନୃତ୍ୟ ସଙ୍ଗୀତ ପରିବେଷଣ ପୂର୍ବକ ଓଡ଼ିଶା ସଂସ୍କୃତିର ମହାନତା ପ୍ରଦର୍ଶନ କରିଥିଲେ । ସଂଯୁକ୍ତାଙ୍କ ସହିତ ମିଶି ରଘୁନାଥ ଓଡ଼ିଶୀ ନୃତ୍ୟର ଅନେକ ପଲ୍ଲବୀ, ଅଭିନୟ ଓ ନୃତ୍ୟନାଟିକା ଭଳି ବିଭିନ୍ନ ବିଭବର ସଙ୍ଗୀତ ସଂଯୋଜନା କରିଥିଲେ ଯାହା ଏବେ ବି ମଞ୍ଚସ୍ଥ ହେଉଛି । ଆଜି ଓଡ଼ିଶୀ ନୃତ୍ୟର ଯେଉଁ ଅର୍ଦ୍ଧନାରୀଶ୍ୱର ବିଭବ ପୃଥିବୀବ୍ୟାପୀ ନୃତ୍ୟାଙ୍ଗନାଙ୍କ ଦ୍ୱାରା ପରିବେଷିତ ହେଉଛି, ରଘୁନାଥ ଥିଲେ ଏହାର ସଙ୍ଗୀତର ସ୍ରଷ୍ଟା। ଏହାଛଡା ଅଭିନୟ, ବର୍ଷା ଭଳି ଅନେକ ଓଡ଼ିଶୀ ନୃତ୍ୟର ସଙ୍ଗୀତ ପ୍ରସ୍ତୁତ କରିଯାଇଛନ୍ତି ସୁରମଣି ରଘୁନାଥ ପଣିଗ୍ରାହୀ।
୧୯୯୭ ମସିହାରେ ସଂଯୁକ୍ତାଙ୍କ ବିୟୋଗ ପରେ ଓଡ଼ିଶୀ ପ୍ରଚାର ଓ ପ୍ରସାର ନିମନ୍ତେ ରଘୁନାଥ ଏକ ଟ୍ରଷ୍ଟ ଗଢ଼ିଥିଲେ ଯାହାର ନାମ ଥିଲା ‘ସଂଯୁକ୍ତା ପାଣିଗ୍ରାହୀ ମେମୋରିଆଲ ଟ୍ରଷ୍ଟ’ । ୨୦୦୧ରୁ ଏହି ଟ୍ରଷ୍ଟ ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନମୂଳକ ମେଧାବୃତ୍ତି ପ୍ରଦାନ କରିଆସୁଛି। ଏହା ବ୍ୟତୀତ ସେ ପ୍ରତିମା ଦେବୀଙ୍କ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟଗ୍ରାମ’ ସହିତ ସଂଶ୍ଳିଷ୍ଟ ରହି ସେ ଓଡ଼ିଶୀ ନୃତ୍ୟର ପ୍ରସାର ପାଇଁ ସେ ଅନେକ କାର୍ଯ୍ୟ କରିଛନ୍ତି ।
ନିଜର କୃତିତ୍ୱ ପାଇଁ ଆଞ୍ଚଳିକରୁ ଅନ୍ତର୍ଜାତୀୟ ସ୍ତର ରେ ଅନେକ ପୁରସ୍କାର ଓ ସମ୍ମାନକୁ ସାଉଁଟିଛନ୍ତି ସୁରମଣି l
ଡି ଲିଟ ଉପାଧୀ
ରେଭେନ୍ସା ବିଶ୍ୱବିଦ୍ୟାଳୟ-୨୦୧୩
ଉତ୍କଳ ବିଶ୍ୱବିଦ୍ୟାଳୟ-୨୦୦୯
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ- ୨୦୦୬
ପଦ୍ମଶ୍ରୀ ସମ୍ମାନ, ୨୦୧୦
ଜୟଦେବ ସମ୍ମାନ, ୨୦୦୮
କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୧୯୯୯
ରାଜ୍ୟପାଳ ସମ୍ମାନ, ୧୯୯୫
ସେବା ପୁରସ୍କାର, ୧୯୯୪
ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୯୩
ଗ୍ରାଁ ପ୍ରି ପୁରସ୍କାର, ୧୯୮୨
ଅଲ ଇଣ୍ଡିଆ କ୍ରିଟିକ୍ସ ପୁରସ୍କାର, ୧୯୭୭
କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୭୬
ଗଣ କଳାନିଧି ସମ୍ମାନ, ୧୯୭୨
ସୁରମଣି ସମ୍ମାନ, ୧୯୬୮
ପ୍ରାନ୍ସ ସରକାର ଵି ତାଙ୍କୁ ନିଜ ଦେଶର ନାଗରିକତ୍ବ ପ୍ରଦାନ କରିଥିଲେ l
୨୦୧୩ ମସିହା ଅଗଷ୍ଟ ୨୫ ତାରିଖ ଦିନ ତାଙ୍କର ଦେହାନ୍ତ ହୋଇଥିଲା । ଏହି ଦିନ ଏହି ମହାନ ଆତ୍ମାଙ୍କ ପାର୍ଥିବ ଶରୀର ଆମ ଗହଣରୁ ବିଦାୟ ନେଇଥିଲା l ସଫଳତାର ସୁଉଚ ଶିଖର ସ୍ପର୍ଶ କରିଥିବା ଜଣେ ସୁରସାଧକ ଥିଲେ ସୁରମଣି ରଘୁନାଥ ପଣିଗ୍ରାହୀ l ହୁଏତ ସେ ସଶରୀରରେ ଆମ ନିକଟରେ ନାହାନ୍ତି ସତ କିନ୍ତୁ ତାଙ୍କ ସ୍ୱର ଆଜି ବି ଶ୍ରୋତାଙ୍କ ହୃଦୟରେ ସୁରମଣିଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ଏହା ଧ୍ରୁବ ସତ୍ୟ l
© ତେଜସ୍ୱ ତ୍ରିପାଠୀ
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

3 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

4 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago