ଲେଖା: ଶିଶିର ମନୋଜ ସାହୁ
“କେଵଳ କ୍ଷୀରି ଓ ପିଠା ନୁହେଁ; ଆମ ଲୁପ୍ତ ପରମ୍ପରାର ଅନ୍ୟନାମ କ୍ଷୀରିପିଠା !
କ୍ଷିରୀ ଓ ପିଠା ଏହି ଦୁଇଟି ଖାଦ୍ୟ ଦରଵ ଓଡ଼ିଆ ଜାତିର ଅତି ପ୍ରିୟ । ଏମିତି କେହି ଓଡ଼ିଆ ନଥିଵ ଯିଏ କ୍ଷିରୀ ଆଉ ପିଠା ଖାଇଵାକୁ ଅମଙ୍ଗ କରିଵ ।
ସେଥିପାଇଁ ପ୍ରାଚୀନ ଓଡ଼ିଆ ସାହିତ୍ୟରେ କ୍ଷିରୀ ଓ ପିଠାର ଅନେକ ସ୍ଥାନରେ ଉଲ୍ଲେଖ ଥିଵା ଦୃଶ୍ୟ ହୋଇଥାଏ । ଏଇ ଯେମିତି କଵି ସାରଳା ଦାସ ତାଙ୍କର ସାରଳା ମହାଭାରତରେ ଲେଖିଛନ୍ତି: “ସଂକୋଚେଣ ମୁଣୋହି ଛାଡି଼ ଉଠିଲେ ବେଗ ହୋଇ
ଵୃଷଭ ଗୁଆଣିରେ ଲୁଚାଇଲେ ନେଇ ॥
ପିଠା ଖିରି ଶାକର ପୂରୋଇଲେ କାଞ୍ଚୋଲାରେ
ଆଞ୍ଚୋବନ ସାରି ଦେଵୀ ହୋଇଲେ ବାହାରେ ॥”
ସେହିପରି ଵଳରାମ ଦାସ ତାଙ୍କ ଜଗମୋହନ ରାମାୟଣରେ କ୍ଷିରୀ ଓ ପିଠା ସହ ଅନ୍ୟ ଅନେକ ଓଡ଼ିଆ ମିଠା ତଥା ପିଠାର ନାଆଁ ଏମନ୍ତ ଲେଖିଦେଇ ଯାଇଛନ୍ତି… “କ୍ଷୀରି କ୍ଷୀରିଷା ଶାକର ପରସନ୍ତି ଆଣି ।
ଏମନ୍ତେ ଅନେକ ଦ୍ରଵ୍ୟ କେ ପାରେ ବଖାଣି ॥
ନାଡୀ ସରପୁଳି ଯେ ଆରିଷା ଛେନାପୁରି ।
କାକରା ଛେନା ଲଡୁ ଯେ ମାଲପୁଆ ପୁରି ॥
ସଜମର ଘିଅ ଆଣି ଦ୍ୟନ୍ତି ବଢ଼ା ବଢ଼ା ।
ଗଜା କଚୁରି ପଣସ ଖୋସା ବିରିବରା ॥
କୋରା ରସଗୋଲା ଯେ ଅମୃତ ରସାବଳୀ ।
ମଣ୍ତା ନାନମାନ ଅମୃତପାଣି କଦଳୀ ॥
ଝୁମ୍ପା ଝରିରେ ଭରି ନାନାତିର୍ଥ-ଜଳ ।
ତହିରେ ଦେଇ ସୁଵାସ ଦ୍ରଵ୍ୟ ଯେ ସକଳ ॥
ପଣସିଆ ମଣ୍ଡା ଯେ ଲଵଣୀ ପାଣି ପଣା ।
କେ ଘୃତରେ ଭଜା କେହି ଘୃତରେ ଯେ ଛଣା ॥
ଫେଣା ଖୁଡୁମୁଆଁ ସର ନାନାଵର୍ନେ ପିଠା ।
ଖାଇ ଖାଇ ଲୋକଙ୍କୁ ଯେ ମାଡିଲାକ ଚିଟା ॥”
ହେଲେ କ୍ଷୀରିପିଠା, କ୍ଷିରୀପୁଳି ତଥା କ୍ଷିରିପୂରି ଶବ୍ଦ ତିନୋଟି ହଠାତ୍ ଶୁଣିଲେ ଵର୍ତ୍ତମାନ ଓଡ଼ିଶାର ଅନେକ ଯୁଵକଯୁଵତୀ ଭାବିବେ କ୍ଷିରୀ ଓ ପିଠା ତଥା କ୍ଷିରୀ ସହ ପୁଳି ଵା ପୂରି । କିନ୍ତୁ କ୍ଷୀରିପିଠା, କ୍ଷିରୀପୁଳି ତଥା କ୍ଷିରିପୂରି ଏହି ତିନୋଟି ଓଡ଼ିଶାର ସଂସ୍କୃତି ସହିତ ଜଡ଼ିତ ସାଂସ୍କୃତିକ ଶବ୍ଦ ବୋଲି ଅନେକେ ଓଡ଼ିଆ ଅଧୁନା ଜାଣିନାହାନ୍ତି ।
ଆମ ସଂସ୍କୃତିର ଅନେକ ଲୁପ୍ତ ପର୍ଵ-ପରମ୍ପରାର ଉଲ୍ଲେଖ ଆମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାଇଥାଉ । ଭାଷାକୋଷରେ କ୍ଷୀରିପିଠା ଓ କ୍ଷିରୀପୁଳି ଦ୍ଵୟର ଅର୍ଥକୁ ପାଠକଲେ ଆମେ ଜାଣିପାରିଵା ଯେ ଗତ ୧୦୦ ଵର୍ଷ ମଧ୍ୟରେ ଆମ ଓଡ଼ିଶାର ପରମ୍ପରାରେ କେମିତି ଏକ ବଡ଼ ପରିଵର୍ତ୍ତନ ହୋଇଯାଇଛି । କ୍ଷୀରିପିଠା ଅର୍ଥ କେଵଳ କ୍ଷିରୀ ଆଉ ପିଠା ନୁହେଁ ବୋଲି ଆମେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ହିଁ ଜାଣିପାରିଵା । ଶହେ ବର୍ଷ ତଳର ଓଡ଼ିଶାରେ ଗୃହସ୍ଥର ଜାତିଭୋଜନରେ ଭାତ, ଡ଼ାଲି ଇତ୍ୟାଦି ଖାଇ ସାରିଵା ସଙ୍ଗେ ସଙ୍ଗେ ଦୁଧରେ ଆଉଟା ହୋଇ ସିଦ୍ଧ ହୋଇଥିଵା ଚାଉଳଚୂନା ଵା କ୍ଷିରି ଓ ଗୁଡ଼ରେ ତିଆରି ହୋଇଥିଵା ଘୃତପକ୍ବ ମିଷ୍ଟାନ୍ନ ଵା ପିଠା ଦିଆଯାଉଥିଲା । ସେଥିପାଇଁ ତାକୁ କ୍ଷୀରିପିଠା କୁହାଯାଉଥିଲା । ଵିଵାହାଦି ଶୁଭାନୁଷ୍ଠାନମାନଙ୍କରେ ନିମନ୍ତ୍ରିତ ଵ୍ୟକ୍ତିମାନଙ୍କୁ ଦିଆଯିବା ଭୋଜନକୁ ଏହି କାରଣରୁ କ୍ଷୀରିପିଠା କୁହାଯାଉଥିଲା ।
ଶୁଣିଲେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଆଜକୁ ପ୍ରାୟ ପଚାଶ ଶହେ ଵର୍ଷେ ତଳେ “କ୍ଷୀରିପିଠା” ଶବ୍ଦଟି “ଭୋଜି” ଶବ୍ଦର ଏକ ପର୍ଯ୍ୟାୟଵାଚୀ ଶବ୍ଦ ଥିଲା । ଆଗକାଳର ଓଡ଼ିଆ ଭୋଜିରେ କ୍ଷିରି ଓ ପିଠା ପ୍ରଧାନ ଉଲ୍ଲେଖଯୋଗ୍ୟ ଉପକରଣ ଥିଵାରୁ ଆମ ଓଡ଼ିଶାରେ ଭୋଜିକୁ କ୍ଷୀରିପିଠା କୁହାଯାଉଥିଲା । ଯେକୌଣସି ପାରିଵାରିକ ମଙ୍ଗୋଳତ୍ସଵରେ କ୍ଷୀରିପିଠା ହେଉଥିଵାରୁ କୌଣସି ବି ମଙ୍ଗଳୋତ୍ସଵକୁ କ୍ଷୀରିପିଠା ବୋଲି ସ୍ଥଳଵିଶେଷରେ ଉଲ୍ଲେଖ କରାଯାଉଥିଲା । ବାହାଘରକୁ ଯିଵାକୁ ଵିଶେଷତଃ ଭୋଜି ଖାଇଵାକୁ ଯିଵା ପାଇଁ ଆଗେ ଓଡ଼ିଶାରେ ଘରେ ଘରେ ଡକା ଯାଉଥିଲା “ଆସ କ୍ଷୀରିପିଠା ଖାଇଵାକୁ ଯିଵ ହୋ” ।
ଏହି ଧରଣର ଅନ୍ୟ ଏକ ଶବ୍ଦ କ୍ଷିରିପୁଳି ଅଟଇ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦ ସ୍ଥାନିତ ହୋଇଛି । କ୍ଷିରି ଓ ବିରି ମିଶା ଚାଉଳବଟାରେ ତିଆରି ହେଇଥିବା ମିଠା ଦିଆଯାଇ ନଥିବା ଏକଜାତୀୟ ପିଠା ପୁଳି ମିଳୁଥିଵାରୁ ଏହାକୁ କ୍ଷିରୀପୁଳି କୁହାଯାଉଥିଲା ।
କ୍ଷିରୀପୁଳି ଶବ୍ଦଟି ପୁରୀ ଜିଲ୍ଲାରେ ଵ୍ୟଵହାର ହେଉଥିଵା ଭାଷାକୋଷରେ କୁହାଯାଇଛି । ଵିଵାହ ଉତ୍ସଵରେ ପୁଅ ଵିଭା ହେଵାକୁ କନ୍ଯାଘରକୁ ଗଲା ପରେ ପୁତ୍ରର ଜନନୀ ଆତ୍ମୀୟସ୍ବଜନ ରମଣୀମାନଙ୍କୁ ଓ ପ୍ରତିଵେଶିନୀମାନଙ୍କୁ ନିମନ୍ତ୍ରଣ କରି ଦେଵା ଭୋଜୀକୁ ପୁରୀ ଅଞ୍ଚଳରେ ଆଗେ କ୍ଷିରୀପୁଳି କୁହାଯାଉଥିଲା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କଥିତ ଅଛି ।
ସମ୍ଭଵତଃ ଅଶି ନବେ ଦଶ ଯାଏଁ ଭୋଜି ଶବ୍ଦର ଏକ ପ୍ରତିଶବ୍ଦ ରୂପରେ କ୍ଷିରୀପୁଳି ତଥା କ୍ଷୀରିପିଠା ଶବ୍ଦଦ୍ଵୟ ପ୍ରଚଳିତ ଥିଲା । ମାତ୍ର ପରଵର୍ତ୍ତୀ ପିଢ଼ି କ୍ଷିରୀ ଓ ପିଠା ସହିତ ଓଡ଼ିଆ ଭୋଜିର କ’ଣ ସମ୍ପର୍କ ତାହା ହୃଦୟଙ୍ଗମ କରିପାରିନଥିଵାରୁ ଏଵଂ ଭୋଜିରେ କ୍ଷୀରିପିଠା ପରିଶିଵାର ପରମ୍ପରା ସର୍ଵତ୍ର ଅପ୍ରଚଳିତ ହୋଇଯିଵାରୁ ଧୀରେ ଧୀରେ ଏ ଶବ୍ଦଦ୍ଵୟ କଥିତ ଭାଷାରୁ ଲୁପ୍ତ ହୋଇ କେଵଳ ଊନଵିଂଶ ଶତାବ୍ଦୀରେ ଜନ୍ମଲଭିଥିଵା ଲୋକଙ୍କ ସ୍ମତିରେ ତଥା ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ପୁରାତନ Encyclopaedia ଭିତରେ ବଞ୍ଚି ରହିଗଲା ।
ଓଡ଼ିଶାର ସାଧାରଣ ଭୋଜି ମଧ୍ୟରେ ମୁଖ୍ୟତଃ ଚାରିଗୋଟି ଖାଦ୍ୟ ଦରଵ ପ୍ରସ୍ତୁତ ହେଉଥିଲା ଏଵଂ ଏବେ ବି ଗ୍ରାମାଞ୍ଚଳରେ ପ୍ରାୟତଃ କାନିକା, ପାୟସ, ଘାଣ୍ଟତୁଣ ଓ ପାଚଳ (ଖଟାତୁଣ) ଏହି ଚାରୋଟି ମୁଖ୍ୟ ଖାଦ୍ୟ ଭାବରେ ପ୍ରସ୍ତୁତ କରାଯାଏ । ପ୍ରକାଶ ଥାଉ କି କାନିକା ଵା ଓରିଆ ଭାତ, ପାୟସ ଓ ଘାଣ୍ଟତିଅଣ ଏହି ଚାରୋଟି ଵ୍ୟଞ୍ଜନ ଶ୍ରୀଜଗନ୍ନାଥଙ୍କୁ ଅର୍ପିତ ହୋଇଥାଏ । କାନିକା, ପାୟସ ଓ ଘାଣ୍ଟତିଅଣ ଆଦିର ଆୟୋଜନ କଲାବେଳେ ଅଧିକ ଅର୍ଥ ଵ୍ୟୟ ହେଉଥିଵା ଯୋଗୁଁ ହେଉ ଵା କ୍ଷୀରିପିଠାରେ ଵିଶେଷ ଅତିରିକ୍ତ ଶ୍ରମ ମଧ୍ୟ ଵ୍ୟୟ ହେଉଥିଵା କାରଣରୁ ହୁଏତ ଭୋଜି ଶେଷରେ କ୍ଷୀରିପିଠା ପରିଶିଵାର ପରମ୍ପରା ଲୁପ୍ତ ହୋଇଯାଇଅଛି ।