ସଂଗ୍ରାହକ: ମନୋରଞ୍ଜନ ମିଥୁନ ମହାକୁଡ଼

କାଞ୍ଜିଅଁଳା ଓଷା ପାଳନବିଧିକୁ ନେଇ କାଞ୍ଜିଅଁଳା ଓଷା କଥା I ମା’ମାନେ ଏଇ ଗୀତ ପାଠ କରି ଓଷା ପୂଜା କରିଥାନ୍ତି I

~ କାଞ୍ଜିଅଁଳା ଓଷା କଥା ~
ଶୁଣ ସୁଜନେ କାଞ୍ଜିଅଁଳା ଓଷା କଥା।
ପୂଜିଲେ ମନରୁ ଛାଡ଼ଇ ବ୍ୟଥା।।
ସେ ଯେ ସାଧବ ଘର ସାନବୋହୂ।
ଗର୍ଭ ଚାରିମାସ ହୋଇଛି ସେହୁ।।

କଖାରୁ ତିଅଣ ଖାଇତେ ମନ।
ପଡ଼ିଶା କଖାରୁ ଆଣି ବହନ।।
ଦୋଷମାଳି ସ୍ଥାନରେ କଖାରୁ ଥିଲା।
ସେ ପାଣି କଖାରୁ ଘେନି ଅଇଲା।।

ନ କହିଣ ତାକୁ ତୋଳିଣ ଆଣି।
ତିଅଣ କରିଣ ଖାଇଲା ପୁଣି।।
କଖାରୁଟି ମୋର କିଏ ଖାଇଲା।
ମତେ ତ ନ କହି ଘେନିଣ ଗଲା।।

ପେଟପିଲା ତାର ଖାଉ ଏ ଭାବେ।
ମାସକୁ ଦିବସ ନ ହେଉ ତେବେ।।
ଏମନ୍ତ ତହିଁ କେତେଦିନ ଗଲା।
ଦଶମାସ ଆସି ସମ୍ପୂର୍ଣ୍ଣ ହେଲା।।

ପୁଅ ଗୋଟିଏ ତାର ଜନମ ହୋଇ।
ଜନ୍ମକରି ପୁଅ ଶୁଆଇ ଦେଇ।।
ଷଠୀଦୁଛାଇ ଆସିଲେ ଖରେ।
ପୁଅକୁ ଘେନିଗଲେ ତତପରେ।।

ଦେଖିଲେ ପୁଅଗୋଟି ତହିଁ ନାହିଁ।
ନଦେଖି କରି ବିମୁଖ ହୋଇ।।
ଦୁଇମାସେ ପୁଣି ଗର୍ଭ ହୋଇଲା।
ଦଶମାସେ ପୁଅ ଜନ୍ମ ହୋଇଲା।।

ସେହି ରୂପେ ସେ ପୁତ୍ରକୁ ଶୁଆଇ।
ନିଦ୍ରା ତା ଚକ୍ଷୁରେ ଆସେ ଘୁମାଇ।।
ସେ ପୁତ୍ରକୁ ଷଠୀଦୁଛାଇ ନେଲେ।
ଚାହିଁବା ମାତ୍ରକେ ନାହିଁନା ତଳେ।।

ପୁଣି ଦୁଇମାସ ଗର୍ଭରେ ହେଲା।
ଦଶମାସେ ପୁଅ ଜନ୍ମ ହୋଇଲା।।
ଶାଶୁ ବୋଇଲା ସେ କେମନ୍ତେ ହେଲା।
ପିଲାଯାକ ତାର ସବୁ ଖାଇଲା।।

ଉତ୍ତମ ପୁଅ ଭିଆଇ ଖାଇଲା।
କେମନ୍ତେ ହେଉଛି ଜଗି ବସିଲା।।
ଏହି ରୂପେ ପାଞ୍ଚଦିନ ଜଗିଲା।
ପଞ୍ଚୁଆତି ଦିନରେ ଚିଜ କଲା।।

ପାଞ୍ଚପୁଅ ଜନ୍ମକରି ଖାଇଲା।
ଏରୂପେ କେତେଦିନ ତହିଁ ଗଲା।।
ପେଟରେ ଦେଖି କୋଠାରେ ନ ଦେଖି।
ପୁଣି ଗର୍ଭ ହୋନ୍ତେ ହୋଇଲା ଦୁଃଖୀ।।

ଦଶମାସ ତହୁଁ ହୋଇଲା ଆସି।
ପେଟବ୍ୟଥା ସେହୁ ଶାଶୁକୁ ଭାଷି।।
ଶାଶୁ ବୋଲେ ପାଞ୍ଚଗୋଟି ଖାଇଲୁ।
ପୁନରପି ଆଉ ଗର୍ଭ ହୋଇଲୁ।।

ସୂତା କଣ୍ଡାଏ ଦୁଆରେ ଲଗାଇ।
ସେ ସୂତା ସରିବ ଯେଉଁଠାରେ ଯାଇ।।
ସେଠାରେ ପ୍ରସବ କରିବୁ ତୁହି।
ଅଗନାଅଗନି ବନସ୍ତ ଯାଇ।

କାକ ର ଥଣ୍ଟ ନ ବୁଲାଇ ଯହିଁ।
କୁରାଢି ବେଣ୍ଟତ ବୁଲଇ ନାହିଁ।।
ସେ ବନେ ପୁଅ ପ୍ରସବିଲା ଯାଇଁ।
କାଠ କୁଣ୍ଢାଇପରା ପୁଅ ହୋଇ ।।

ପତରଟିକେ ତାହାକୁ ଶୁଆଇ।
କାନ୍ଦୁଛି ବନେ ଏକାକିନୀ ହୋଇ ।।
ସଖା କେହି ନାହିଁ ମୁହିଁ ବନସ୍ତେ।
ଷଠୀଦୁଛାଇ ତହିଁ ମିଳନ୍ତେ।।

ପୁଅ ଗୋଟି ଯେ କାଖରେ ଧରି।
ଆର ପୁଅକୁ ଯେ ଚଳାଇ କରି।।
ବୋଇଲେ ଭୂତ କି ଡାହାଣୀ ତୁହି।
ବନସ୍ତରେ ବସି କାନ୍ଦୁଛୁ ରହି।।

କେ ମହାପୁରୁଷ ମୋତେ ପଚାର।
ସାନ ବୋହୁ ତ ମୁଁ ସାଧବଘର।।
ତହିଁକି ବୋଇଲେ କଖାରୁ ଚୋରୀ।
ପଡ଼ିଶା ଘରରୁ ଖାଇଲି କରି।।

ଯେ ଶାପ ଦେଲା ଯେ ତୋ ପୁଅ ମରୁ।
ହରି ନେଉଥିଲୁ ସେହି ଯୋଗରୁ।।
ସେ ସକାଶୁ ତୋର ପୁଅକୁ ଘେନି।
ଆସିଛୁ ଆମ୍ଭେ ନିଅ ବହନି।।

ପାଞ୍ଚପୁଅ ତୋର ଏ ରୂପେ ନିଅ।
ଛଅ ପୁଅ ଘେନି ଘରକୁ ଯାଅ।
ଏମନ୍ତ ଶୁଣି ସେ ଉଠି ବସିଲେ।
ଷଠୀଦୁଛାଇ ଦୋଳାରେ ଗଲେ।।

ଛଅ ପୁଅକୁ ଘେନି ଆସିଛି।
ସାଧବାଣୀ ବୋଲେ କେମନ୍ତ ବତ୍ସି।।
ବୋଇଲେ ଲୋକ ଆସୁଅଛି ବୋହୂ।
ଷଡ଼ନାତି ଘେନି ଆସୁଛି ସେହୁ।।

ଏମନ୍ତ ବିଚାରି ସେ ତ ଅଇଲା।
ଭାତ ନିଉଛାଇ ଘରକୁ ନେଲା।।
ଷଠୀଦୁଛାଇ ବୋଇଲେ ଶୁଣ।
କାର୍ତ୍ତିକ ଗଲେ ମାର୍ଗଶୀର ପୁଣ।।

ନବମ ଦିନ କାଞ୍ଜିଅଁଳା ହୋଇ।
ବୋହୁ କରିବ ତୁ କରିବ ନାହିଁ।।
ପିତା ଶୁଖୁଆ ସାତଗୋଟି ହେବ।
ଗାଧୁଆଇ ମୁଣ୍ଡେ ସିନ୍ଦୂର ଦେବ।।

କଜ୍ଜଳ ହଳଦୀକନା ପିନ୍ଧାଇ।
କାଞ୍ଜି ମୂଳା ଆଦି ତିଅଣ ହୋଇ।।
ପିତା ଶୁଖୁଆ ପୋଇପୋଡ଼ା ହେବ।
ଛଅ ପିଠା ନେଇ ଆଗେ ଥୋଇବ।।

ପୋଖରୀ ଗୋଟିଏ କରି ଯତନ।
କିଆ ମାଛ ଛାଡ଼ି ବାଳୁଙ୍ଗା ଧାନ।।
ସାରୁଗଛ ନେଇ ତହିଁ ଥୋଇବ ।
ପୋଇ ଖାଡ଼ିଆ କାହାକୁ ନ ଦେବ।।

ତିଅଣ ଭାତ ପୁଅକୁ ଖୁଆଇ।
ଯାହା ନ ଖାଇ ତାହା ପୋତି ଦେଇ।।
ବାଞ୍ଛା ମଡ଼ିଛିମାନେ ଯେ କରିବେ।
ଯେ ମନାସିବେ ଯାହା ସେ ତା ପାଇବେ।।

ସାଧବାଣୀ କଥା ମନେ ରଖଇ।
ଷଠୀକି ନେଇ ଆସନେ ବସାଇ।।
ଅର୍ଘ୍ୟ ଗନ୍ଧପୁଷ୍ପ ନୈବେଦ୍ୟ ଦେଲା।
ପାଏଡ଼ା ଶୋଇ ମେଲାଣି ମାଗିଲା।।

କାର୍ତ୍ତିକ ଗଲା ମାର୍ଗଶୀର ହେଲା।
ନବଦିନେ କାଞ୍ଜିଅଁଳା ପଡ଼ିଲା।।
ପୋଖରୀ ବାଳୁଙ୍ଗାଧାନ ଯେ ସାରୁ।
ପିତା ଶୁଖୁଆ ସାତ ଗୋଟି କରୁ।।

ହଳଦୀଆ କନା ପିନ୍ଧାଇ ଦେଇ।
ସିନ୍ଦୂର କଜ୍ଜଳ ତହିଁରେ ଦେଇ।।
ଷଠୀ ଦୁଛାଇଙ୍କୁ ତହିଁ ବସାଇ।
ତାଙ୍କ ନାମରେ ତହିଁ ପୂଜା ଦେଇ ।।

ଗୁଣା ବସଣୀ ଅଳଙ୍କାର ମାନ।
ଦେଇ ପୂଜା କଲେ ଯଥା ବିଧାନ।।
କଖାରୁ କାଞ୍ଜି କରିଣ ବିଧାନ।
ଛଅ ପିଠା ତହିଁରେ କରି ଯତନ।।

ଭାତ ବାଢିଣ ପୂଜା ବିଧି କଲା।
ଅର୍ଘ୍ୟ ଗନ୍ଧପୁଷ୍ପ ନୈବେଦ୍ୟ ଦେଲା।।
କଥାଟିଏ କହି ଅର୍ଘ୍ୟ ଯେ ଦେଇ।
ପାଏ ପଡ଼ି ମେଲାଣି ଦେଇ।।

କ୍ରମେ ହେଲା ତାର ବହୁତ ଧନ।
ପୁଅ ଝିଅ ନାତି ନାତୁଣୀ ପୁଣ।।
ଅଣନାତି ଘେନି କରଇ ଘର।
ବେଳୁ ବେଳ ଧନ ଜନ ଅପାର।।

ଉତ୍ତମ ଭାଗ୍ୟ ତା ହେଲା ଉଦୟେ।
ତେଣୁ କାଞ୍ଜିଅଁଳା ଜଗତେ ହୋଏ।।
ସେଦିନ ଆଶ୍ରାକୁ ଆଶ୍ରୟ କଲେ।
ଏ ଓଷା ଫଳ ମିଳେ ଭଲେ।।

ଏହା ଯେ ପଢନ୍ତି ଶୁଣନ୍ତି ନର।
ସକଳ ପୁରୁଷାର୍ଥ ହୁଏ ତାର।।
ଏ କାଞ୍ଜିଅଁଳା କଥା ଗୀତରେ।
ଦ୍ୱିଜ ରଘୁନାଥ ପ୍ରକାଶ କରେ।।

Spread the love
admin

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 day ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

1 week ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

1 week ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

1 week ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago