ଲେଖା: ମନୋରଞ୍ଜନ ମିଥୁନ ମହାକୁଡ଼

କାଞ୍ଜିଅଁଳା ଓଷା ମାର୍ଗଶିର ମାସ କୃଷ୍ଣ ନବମୀ ଦିନ ପାଳନ କରାଯାଏ । ଏହି ଓଷାର ବିଶେଷତ୍ୱ ହେଉଛି ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା ଉଦ୍ଦେଶ୍ୟରେ ଓ ନିଃସନ୍ତାନ ନାରୀମାନେ ସନ୍ତାନପ୍ରାପ୍ତି ପାଇଁ ମା’ ଷଠୀଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଷଠୀଦେବୀ ହେଉଛନ୍ତି ଭଗବାନଙ୍କ ଏକ ଅନନ୍ୟ ସ୍ୱରୂପ ଯିଏକି ସନ୍ତାନସନ୍ତତିଙ୍କ ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

ତେବେ ଏହି କାଞ୍ଜିଅଁଳା ଓଷା ସମ୍ପର୍କରେ ଏକ ସୁନ୍ଦର କାହାଣୀ ରହିଛି । ଗୋଟିଏ ଦେଶରେ ଜଣେ ସାଧବ ଥିଲେ । ତାଙ୍କର ଚାରିପୁଅ ଓ ଚାରିବୋହୂ ଥିଲେ । ଚାରିପୁଅ ବେପାରବଣିଜ କରନ୍ତି । ତା’ର ସାନବୋହୂ ପ୍ରଥମେ ଗର୍ଭବତୀ ହେଲା । ଏହା ଶୁଣି ଘରେ ସମସ୍ତଙ୍କ ମନ ଖୁସିରେ ନାଚି ଉଠିଲା । ଚାରିମାସ ହେବା ପରେ କଖାରୁ ଖାଇବାକୁ ଇଚ୍ଛା ହେଲା । କିନ୍ତୁ ସାଧବ ଘର ବାଡ଼ିରେ କଖାରୁ ନ ଥିଲା । ସାଧବ ବୋହୂ ଲାଜରେ କାହାକୁ ନ କହି ପଡ଼ିଶାଘର ବାଡିରୁ କଖାରୁଟିଏ ଚୋରି କରି ଆଣି ଆମ୍ବିଳ କରି ଖାଇଲା ।  ତା’ ପର ଦିନ ପଡ଼ିଶାଘର ଲୋକ ବଗିଚାରେ କଖାରୁ ନ ଥିବାର ଦେଖି ଅଭିସମ୍ପାତ କଲା ଯିଏ ମୋ ବାଡ଼ିରୁ କଖାରୁ ଚୋରିକରି ନେଇଛି ତା’ର ଛୁଆ ଜନ୍ମ ହେବା ମାତ୍ରେ ଷଠୀଦେବୀ ଚୋରି କରି ନେଇଯାଉ । ଷଠୀଦେବୀ ଏକଥା ଜାଣି ପାରିଲେ । କିଛିଦିନ ପରେ ସାନବୋହୂ ପୁଅଟିଏ ଜନ୍ମ ଦେଲା । ଗର୍ଭକଷ୍ଟ ସହି ନ ପାରି ସେ ଅଚେତ ହୋଇ ଶୋଇଥିବା ବେଳେ ଷଠୀ ଠାକୁରାଣୀ ତା’ର ପିଲାକୁ ଚୋରେଇ ନେଇଗଲେ । ବୋହୂଟି ନିଦରୁ ଉଠି ପାଖରେ ପିଲାକୁ ନ ପାଇ କାନ୍ଦିବାକୁ ଲାଗିଲା । ସମସ୍ତେ ଚାରିଆଡେ ଖୋଜିଲେ କିନ୍ତୁ କେଉଁଠି ପାଇଲେ ନାହିଁ । ଏହିପରି ସାଧବାଣୀର ପାଞ୍ଚପୁଅକୁ ଷଠୀଦେବୀ ଚୋରିକରି ନେଇଗଲେ । ଶେଷରେ ପୁଣି ଥରେ ସାଧବାଣୀ ଗର୍ଭବତୀ ହେଲା ଏବଂ ପ୍ରସବ ସମୟ ପାଖେଇ ଆସିବାରୁ ତା’କୁ ଭୀଷଣ ଯନ୍ତ୍ରଣା ହେଲା । ଏହା ଦେଖି ଶାଶୁ ରାଗିଯାଇ କହିଲେ – ‘ତୁ ପାଞ୍ଚଟି ପିଲା ଖାଇସାରିଲୁଣି । ଆଉ ତୋର ଏହି ଘରେ ସ୍ଥାନ ନାହିଁ । ତୁ ଏହିକ୍ଷଣି ଏହିଘରୁ ବାହାରି ଯା । ଗୋଟିଏ ସୂତାକଣ୍ଡା ଦେଇ କହିଲେ, ଯେଉଁଠି ଏହିସୂତା ସରିବ ସେହିଠାରେ ପିଲା ଜନ୍ମ କରିବୁ’।

କିଛି ଉପାୟ ନ ପାଇ ସାନବୋହୂ ଶାଶୁଙ୍କ କଥା ମାନି ସୂତାକୁ ଧରି ଚାଲିଗଲା । ଶେଷରେ ସୂତାକଣ୍ଡାର ଅଗ୍ରଭାଗ ଯାଇ ଏକ ଅଗନାଅଗନୀ ବନସ୍ତରେ ଭିତରେ ସରିଲା । ପୂରା ଅନ୍ଧାର କେହି କୁଆଡେ ନାହାଁନ୍ତି । ସାଧବାଣୀ ଏକୁଟିଆ ହୋଇ କାନ୍ଦିବାକୁ ଲାଗିଲା । ପୁଣି ଗର୍ଭକଷ୍ଟ ବଢିବାକୁ ଲାଗିଲା । ଠିକ ସେହି ସମୟରେ ସାଧବାଣୀ ଆଉଗୋଟିଏ ଛୁଆ ଜନ୍ମ କଲା । କିନ୍ତୁ ସିଏ ମଣିଷ ଛୁଆ ନୁହେଁ ଗୋଟିଏ କାଠକଣ୍ଢେଇ ଥିଲା । ଏହା ଦେଖି ସାଧବାଣୀ ଖୁବ୍ ବିକଳ ହୋଇ ମା’ ଷଠୀଦେବୀଙ୍କୁ ସ୍ମରଣ କରି ଡାକିବାକୁ ଲାଗିଲା । ଷଠୀଦେବୀ ତା’ର କ୍ରନ୍ଦନ ଆଉ ସହ୍ୟ କରିପାରିଲେ ନାହିଁ । ଶେଷରେ ଷଠୀଦେବୀ ତା’ର ପାଞ୍ଚପୁଅଙ୍କ ସହିତ ସାଧବାଣୀ ପାଖକୁ ଆସିଲେ ଏବଂ କହିଲେ – ‘ତୁ ଡାହାଣୀ ନା ପିତାଶୁଣୀ ? ଏ ଗହନ ବନ ଭିତରେ କେଉଁଠୁ ଆସିଲୁ ଓ କାହିଁକି କାନ୍ଦୁଛୁ’ ? ଏକଥା ଶୁଣି ସାଧବାଣୀ ଠାକୁରାଣୀଙ୍କୁ ଦେଖି ଚିହ୍ନିପାରି ପଛ କଥା ସବୁ ଗୋଟି ଗୋଟି କରି କହିଲା । ତା’ ପରେ ଠାକୁରାଣୀ ତା’ର ପାଞ୍ଚପୁଅକୁ ଫେରାଇ ଦେଇ କହିଲେ – ‘ମୁଁ ତୋ ପାଞ୍ଚପୁତ୍ରକୁ ଚୋରେଇ ନେଇଥିଲି, ତୁ ନେ । ଜୀବନରେ ଆଉ କେବେ କାହରି ଜିନିଷ ଚୋରି କରିବୁ ନାହିଁ ଏବଂ ମାର୍ଗଶିର ମାସ ଅଷ୍ଟମୀ ପରଦିନ କାଞ୍ଜିଅଁଳା ଓଷା ଉପବାସ କରିବୁ । ତୋର ପୁତ୍ରମାନଙ୍କର ମଙ୍ଗଳ ହେବ’ । ଏହା ଶୁଣି ସାଧବାଣୀ କହିଲା – ‘ମା’ ମୁଁ ହେଉଛି ମୂର୍ଖ । ପୂଜାବିଧି ବିଷୟରେ ମୁଁ କିଛି ଜାଣିନାହିଁ । ମୋତେ ଏହି ଓଷା ବିଷୟର ବିଧିବିଧାନ ଦୟାକରି କହିଦିଅନ୍ତୁ’ । ତା’ ପରେ ଠାକୁରାଣୀ ସବୁ କହିଲେ ।


~ କାଞ୍ଜିଅଁଳା ଓଷା ପୂଜାର ବିଧିବିଧାନ ~
ମାର୍ଗଶୀର ମାସ କୃଷ୍ଣ ପକ୍ଷ ନବମୀ ଦିନ ସକାଳୁ ନାରୀମାନେ ସ୍ନାନ ସାରି ଦିନ ସାରା ଉପବାସ କରିଥାନ୍ତି । ସନ୍ଧ୍ୟାବେଳେ ନିଜ ଅଗଣାରେ ତୁଳସୀ ଚଉରା ମୂଳରେ ପୋଖରୀ ପରି ଗୋଟିଏ ଛୋଟ ଚାରିକୋଣିଆ ଗାତ ଖୋଳି ତହିଁରେ ପାଣି ଭରିଥାନ୍ତି । ପୋଖରୀରୁ ଛୋଟ ଛୋଟ ମାଛ ଆଣି ଏଥିରେ ଛାଡ଼ିଥାନ୍ତି । ଏହି ଗାତ ଚାରିପଟେ ବାଳୁଙ୍ଗା ଧାନ ପୋତିଥାନ୍ତି । ପୋଖରୀ ମଝିରେ ସାରୁ ଗଛ ଟିଏ ପୋତି ତା’ରି ମୂଳରେ ପିଢ଼ାଟିଏ ଥୋଇଥାନ୍ତି । ସାତଟି ପିତା ଶୁଖୁଆ ଆଣି ସେଗୁଡ଼ିକୁ ହଳଦୀ ପାଣିରେ ଧୋଇ ହଳଦିଆ କନାରେ ଗୁଡ଼ାଇ ବୋହୁପରି ବେଶ କରି କଜ୍ଜ୍ୱଳ, ସିନ୍ଦୂର ଲଗାଇ ପିଢ଼ା ଉପରେ ବସାଇ ଦିଅନ୍ତି । ପ୍ରତିଟି ଶୁଖୁଆ ପାଖରେ ଗୋଟିଏ ଲେଖାଏ ପୋଇ ଖାଡ଼ି ରଖିଥାନ୍ତି । ଘରେ ଭାତ, ଡାଲି, କାଞ୍ଜି; ସାରୁ, ମୂଳା, ପିତା ଶୁଖୁଆ ପକାଇ ତରକାରୀ ଓ ଦୁଇଟି ଚକୁଳି ପିଠା କରିଥାନ୍ତି । “ଷଠୀ ଦୁଷାଇଁ” ଠାକୁରାଣୀଙ୍କୁ ମନାସି କରି ଏତକ ପୂଜା କରିଥାନ୍ତି । ଭୋଗ ସରିଲା ପରେ ସେଇ ସାମଗ୍ରୀକୁ ଯେଉଁ ପିଲାଙ୍କ ପାଇଁ ମାନସିକ କରିଥିବେ ସେମାନଙ୍କୁ ଖୁଆଇଦିଅନ୍ତି । ଅବଶିଷ୍ଠ ଭୋଗ ନଦୀରେ ଭସାଇ ଦିଅନ୍ତି କିମ୍ବା ପୋତି ଦିଅନ୍ତି । ଯେଉଁ ସାତଖଣ୍ଡି ପୋଇ, ଶୁଖୁଆ ବୋହୂଙ୍କ ପାଖରେ ରଖିଥାନ୍ତି ତାହାକୁ କାହାକୁ ଦେବା ମନା ।ସେସବୁକୁ ନଦୀରେ ଭସାଇ ଦିଅନ୍ତି । ଲୋଭରେ ପଡ଼ି ପରଦ୍ରବ୍ୟ ଚୋରି କଲେ ଦଣ୍ଡ ମିଳିଥାଏ ବୋଲି ଏହି କାଞ୍ଜିଅଁଳା ଓଷା ବିଧିରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି ।

~ କାଞ୍ଜିଅଁଳା ଓଷା ପାଳନର ବୈଜ୍ଞାନିକ କାରଣ ~
ଏହି ପର୍ବ ପଛରେ କିଛି ବୈଜ୍ଞାନିକ କାରଣ ରହିଛି ଯାହା ସମାଜ ହିତରେ ପାଳିତ ହୋଇଥାଏ । ଓଡ଼ିଶାରେ ଲୋକ ଉକ୍ତି ରହିଛି: ମଗୁଶୀର ପୁଷ ମାସରେ ଚଷା ହାଣ୍ଡିରେ ପେଜ! ଏହାର ଅର୍ଥ ଏହି ସମୟରେ ଚାଷୀ ଫସଲ ଅମଳ କରିଥାଏ । ଶୀତଦିନ ହେତୁ ଅଧିକ ପରିମାଣରେ ମିଳୁଥିବା ସବୁଜ ପନିପରିବାରେ ଅଧିକ ଖାଦ୍ୟସାର ରହିଥାଏ, ଯାହାର ତରକାରୀ ଦେହ ପାଇଁ ବଳକାରକ ହୋଇଥାଏ । ଛୋଟ ମାଛର ପିତ୍ତକୁ କାଢ଼ି ମାଛକୁ ଶୁଖାଇ ଶୁଖୁଆ କଲେ ତାହା ଅଧିକ ଦିନ ସାଇତା ହୋଇ ରହିଥାଏ । ସାଧାରଣ ଲୋକେ ଏଥିରୁ ଜୈବିକ ଖାଦ୍ୟସାର ଶସ୍ତାରେ ପାଇଥାନ୍ତି ।

କାଞ୍ଜି ! ସେହିପରି ଭାତକୁ ରାନ୍ଧି ପଖାଳି ତାହାର ତୋରାଣିକୁ ଦୁଇଦିନ ଧରି ସାଇତି ସେଥିରେ ହଳଦୀ, ଲୁଣ, ମୂଳା, ସାରୁ ଓ ଅନ୍ୟାନ୍ୟ ମୂଳା ଜାତୀୟ ପରିବା ପକାଇ ସିଝାଇ ଭୃଷଙ୍ଗପତ୍ର ଦେଇ ଫୁଟାଇ ଉଷୁମ ଉଷୁମ ଖିଆଯାଇଥାଏ । ଏହା ହଜମକାରକ ଓ ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । ଶୀତଦିନେ ନିୟମିତ କାଞ୍ଜି ଖାଇଲେ ଆଣ୍ଠୁଗଣ୍ଠି ବାତ ହେବାର ସମ୍ଭାବନା କମିଯାଇଥାଏ ।

ହଳଦୀ ଚର୍ମରୋଗ ନାଶକ । ଛୁଆଙ୍କୁ ହଳଦୀ ପାଣିରେ ଗାଧୋଇ ଦେବା ଭିତରେ ଇଙ୍ଗିତ ମାଧ୍ୟମରେ ଏହା ସମାଜକୁ ଜଣାଇଥାଏ । ଶୀତଦିନେ କୁଣ୍ଡିଆ ଆଦି ଚର୍ମରୋଗ ହେଉଥିବାରୁ ନିୟମିତ ହଳଦୀ ଲଗାଇବା ଦ୍ୱାରା ଚର୍ମରୋଗ ଦୂର ହୋଇଥାଏ । ଏହା କୃମିନାଶକ ପାଇଁ ମଧ୍ୟ ଖିଆଯାଇଥାଏ । ଏହି ସବୁ ଖାଦ୍ୟ ସାଧାରଣ ଖାଦ୍ୟ ପ୍ରଣାଳୀରେ ଅଧିକ ଖାଇବା ମଧ୍ୟ ଏହି ପର୍ବ ମାଧ୍ୟମରେ ଶିଖାଯାଇଥାଏ ।

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

47 minutes ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago