ଲେଖା: ନିରଞ୍ଜନ ସାହୁ

ଜାତୀୟ ଚରିତ୍ର ଗଠନରେ ଶିକ୍ଷା ହିଁ ଏକ ସୁଦୃଢ଼ ଭିତ୍ତି, ଏହା ସର୍ବଥା ସ୍ଵୀକାର୍ଯ୍ୟ । ଜାତୀୟ ଚରିତ୍ର ବ୍ୟତୀତ ଜାତୀୟ ଜୀବନ ଶୁଦ୍ଧ, ପୂତ, କ୍ରିୟାଶୀଳ ଓ ଶକ୍ତିଶାଳୀ ହୋଇ ନପାରେ । ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଲୋକଙ୍କୁ ଶିକ୍ଷିତ, ସଂଗଠିତ, ଐକବଦ୍ଧ କରିପାରିଲେ ଜାତୀୟ ଶିକ୍ଷାର ବିକାଶ ଓ ଜାତୀୟ ଚରିତ୍ରର ମହତ୍ତ୍ଵ ପ୍ରକାଶ ପାଇବ। ଏଥିପାଇଁ ଶିକ୍ଷାର ମହତ୍ତ୍ଵ ସର୍ବଥା ଗ୍ରହଣୀୟ ଓ ବିଦିତ । ତେଣୁ ନିମ୍ନଶିକ୍ଷା, ମଧ୍ୟଶିକ୍ଷା, ଉଚ୍ଚଶିକ୍ଷା, ଲୋକଶିକ୍ଷା, ନୀତିଶିକ୍ଷା ଇତ୍ୟାଦି କ୍ଷେତ୍ରରେ ବ୍ୟାପକ ଉନ୍ନତି ଆବଶ୍ୟକ । ଶିକ୍ଷା ଜାତୀୟତା ପ୍ରସାରର ମାଧ୍ୟମ, ମଣିଷ ଗଢ଼ିବାର ପଥ, ସକଳ ଜାତୀୟ ଉନ୍ନତିର ମୂଳାଧାର । ଶିକ୍ଷା ସମ୍ପର୍କରେ ମୌଳିକ, ଉଦାର ଓ ପୁରୋଗାମୀ ପରିକଳ୍ପନା, ଶିକ୍ଷା ସହ ପରମ୍ପରା ଓ ନୈତିକତାର  ସମନ୍ୱୟ ହେତୁ ଏହାକୁ ଜୀବନ ଅନୁକୂଳ କରିବା ସ୍ଵପ୍ନ ସାରସ୍ଵତ ସାଧନାରେ ଯେତିକି ନିହିତ, ତଦୋପରି ଛାତ୍ରମାନଙ୍କୁ ଗଢ଼ିବା ମଧ୍ୟ ସେହି ପରିମାଣରେ ଆବଶ୍ୟକ । ଏହି ଭଳି ଉଦାର ଚିନ୍ତାଧାରା ଓ ଅଭିବ୍ୟକ୍ତିର ପ୍ରକୃଷ୍ଟ କ୍ଷେତ୍ର ଜଣେ ‘ସ୍ଵନିର୍ବାଚିତ’ ଶିକ୍ଷକ ପାଖରେ କେବଳ ସମ୍ଭବ ।

                         
ଏହି ଭଳି ଚିନ୍ତାଧାରାର ମଣିଷ ଜଣକର ଆବିର୍ଭାବ ଘଟିଥିଲା ୧୮୭୦ ମସିହା ଅପ୍ରେଲ ମାସ ୬ ତାରିଖରେ ବାଲେଶ୍ଵର ଜିଲ୍ଲାର ରେମୁଣା ନିକଟବର୍ତ୍ତୀ ପୁରୁଷୋତ୍ତମପୁର ଗ୍ରାମରେ । ବିଂଶ ଶତାବ୍ଦୀର ଆଦ୍ୟପାଦରେ ଓଡ଼ିଶାର ଶିକ୍ଷିତ ମଣ୍ଡଳୀରେ ଆଦର୍ଶ ଶିକ୍ଷକ, ଶିକ୍ଷାବିତ, ସାହିତ୍ୟପ୍ରେମୀ, ସାରସ୍ଵତସାଧକ ଶ୍ରୀ ଚନ୍ଦ୍ରମୋହନ ମହାରଣା । ଊନବିଂଶ ଓ ବିଂଶ ଶତକର ସନ୍ଧିକ୍ଷଣରେ ଓଡ଼ିଶାର ସାଂସ୍କୃତିକ ଭାବଧାରାରେ ଯେଉଁ ପରିବର୍ତ୍ତନର (ରେନେସାଁ) ଧାରା ଦେଖା ଦେଇଥିଲା, ତା’ର ଗତି ନିୟନ୍ତ୍ରଣରେ ଚନ୍ଦ୍ରମୋହନ ମହାରଣାଙ୍କ ଭୂମିକା ଥିଲା ଅନନ୍ୟ ।

~ ସ୍ଵନିର୍ବାଚିତ ଶିକ୍ଷକତା ~
ଜାତିରେ ଥିଲେ ସେ ସ୍ଵର୍ଣ୍ଣକାର । କୌଳିକ ବ୍ୟବସାୟ ତାଙ୍କୁ ବହୁ ଅର୍ଥ ଉପାର୍ଜନ ପାଇଁ ସୁଯୋଗ ଦେଇପାରିଥାନ୍ତା ! ଛାତ୍ରାବସ୍ଥାରୁ ମେଧାବୀ । ପିଲାଟି ଦିନରୁ ଛାତ୍ର ବୃତ୍ତି ପାଇବା, ପ୍ରବେଶିକା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିବା, ବିଶ୍ଵବିଦ୍ୟାଳୟ ସ୍ତରରେ ପ୍ରଥମ ହେବା, ଏସବୁ ଥିଲା ତାଙ୍କର ନିତ୍ୟ ସହଚର ଯେମିତି । ୧୯ ବର୍ଷ ବୟସରେ B.A. ପାଶ୍ କରି ହୁଏତ ବ୍ରିଟିଶ ସରକାରଙ୍କ ଅଧିନରେ ଗୋଟିଏ ବଡ଼ ଚାକିରୀ ପାଇପାରିଥାନ୍ତେ । କିନ୍ତୁ ? ସାରସ୍ବତ ସାଧନା ଯାହାର ନିଶା, ମଣିଷ ଗଢ଼ିବା ଯାହାର ପେଶା, ଜାତିର ଉତ୍ଥାନ ଯାହାର ଅଭିଳାଷ, ଶିକ୍ଷା ଯାହାର ପ୍ରଶ୍ଵାସ, ସେ କେମିତି ବା ଆଦରିବ ଅମଲାତନ୍ତ୍ରର ବେଉସା ? ତେଣୁ ଶିକ୍ଷକତା ପାଇଁ ମନ ବଳାଇବା ହେଲା ଶ୍ରେୟସ୍କର । ଅତଏବ ବରି ନେଲେ ଶିକ୍ଷକତା, ଯାହା ଥିଲା ସ୍ଵନିର୍ବାଚିତ ପନ୍ଥା । ବିଦିତ ହେଲେ ଓଡ଼ିଶା ଭୂଖଣ୍ଡରେ ଆଦର୍ଶ ଶିକ୍ଷକ, ଶିକ୍ଷାବିତ ଓ ଶିକ୍ଷକଗୈାରବ ଚନ୍ଦ୍ରମୋହନ ମହାରଣା ଭାବେ ।

             
୧୮୮୯ ଖ୍ରୀଷ୍ଟାବ୍ଦରେ ବି.ଏ. ପାଶ୍ ପରେ ଶିକ୍ଷକତା ବରି ନେଇଥିବା ଚନ୍ଦ୍ରମୋହନ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଦ୍ଵିତୀୟ ଶିକ୍ଷକ ଭାବେ ଯୋଗ ଦେଲେ । ତାପରେ ପୁରୀ ଜିଲ୍ଲା ସ୍କୁଲ, ଜିଲ୍ଲା ଶିକ୍ଷା ବିଭାଗର ଡେପୁଟି ଇନସ୍ପେକ୍ଟର ଓ ଶେଷରେ କଟକ ଟ୍ରେନିଂ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିବା ତାଙ୍କ ଜୀବନର ଚାକିରୀ କାଳ । ସେହି ଚାକିରୀ କାଳ ମଧ୍ୟରେ ବ୍ୟାସକବି ଫକୀରମୋହନ, କବିବର ରାଧାନାଥ ଭକ୍ତକବି ମଧୁସୂଦନଙ୍କ ସାନିଧ୍ୟ ଲାଭ ହେତୁ ଚନ୍ଦ୍ରମୋହନ ବେଶ୍ ପ୍ରଭାବିତ ।

~ ବ୍ୟାକରଣ ଓ ଭାଷାଗତ ତ୍ରୁଟିର ସ୍ଥାନ ନାହିଁ ~
ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ବିଶେଷ ଧ୍ୟାନ ଦେଉଥିବା ଚନ୍ଦ୍ରମୋହନ ଥିଲେ ଓଡ଼ିଆ ଭାଷା ଓ ବ୍ୟାକରଣରେ ଦକ୍ଷ । କୌଣସି ଲେଖକଙ୍କ ଲେଖାରେ ଭାଷାଗତ ତ୍ରୁଟି ଦେଖିଲେ, ତାଙ୍କୁ ସମାଲୋଚନା କରି ନ ସୁଧୁରିବା ପର୍ଯ୍ୟନ୍ତ ଚୁପ୍ ହୋଇ ବସି ପାରୁନଥିଲେ । ଓଡ଼ିଆ ଭାଷା ପ୍ରାଚୀନ ତଥା ଶାସ୍ତ୍ରୀୟ । ତାହା ଶୁଦ୍ଧ ହେବା ଉଚିତ । ତେଣୁ କାହାର ରଚନାରେ ଅଶୁଦ୍ଧି ଓ ମିଶ୍ରିତ ଭାଷା ବିଶେଷ କରି ବଙ୍ଗୀୟ ଭାଷାର ପ୍ରଭାବ ଦେଖିଲେ ତାକୁ ବିରୋଧ କରିବା ଥିଲା ତାଙ୍କର ଅଭ୍ୟାସଗତ । ସେହି କଥାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀମାନଙ୍କ ପାଇଁ ଲେଖିଲେ ‘ଓଡ଼ିଆ ବ୍ୟାକରଣ’, ଯାହା ପାଠ୍ୟପୁସ୍ତକ ଭାବେ ବିଦ୍ୟାଳୟରେ ପଢ଼ା ହେଲା । ଆମ ମାତୃଭାଷାକୁ ପୁଷ୍ଟ କରି ସଠିକ ଭାବେ ଉପସ୍ଥାପନ କରିବା ପାଇଁ ପ୍ରବର୍ତ୍ତାଇବା ଥିଲା ତାଙ୍କର ଧର୍ମ । ଭାଷା ସୁରକ୍ଷାର ଜାଗ୍ରତ ପ୍ରହରୀ ଭାବେ ପରିଚିତ ଚନ୍ଦ୍ରମୋହନ ମହାରଣା ସେହି ହେତୁ ଥିଲେ ତତ୍କାଳୀନ ସାହିତ୍ୟିକ ମାନଙ୍କର ପ୍ରିୟ ମଣିଷ । ଅବସର ମତେ ସାହିତ୍ୟ ରଚନାକୁ ସେ ବାଛି ନେଇଥିଲେ ।

ସେହି ସମୟରେ ପ୍ରାଦେଶିକ ଭାଷାରେ ସାହିତ୍ୟ ସର୍ଜନା ଓ ପ୍ରଚାର ପ୍ରସାରକୁ ଇଂରେଜମାନେ ସେମାନଙ୍କ ବିରୁଦ୍ଧରେ ସାହିତ୍ୟ ରଚନା ହେଉଛି ବୋଲି ବଦ୍ଧମୂଳ ଧାରଣାର ନିକଟବର୍ତ୍ତୀ ହେଉଥିଲେ ଏବଂ ସାହିତ୍ୟିକ ମାନଙ୍କୁ ଘୋର ସନ୍ଦେହ ଦୃଷ୍ଟିରେ ଦେଖିବା ସହ ରାଜଦ୍ରୋହୀ ବୋଲି ଅନେକାଂଶରେ ଅଭିହିତ କରୁଥିଲେ । ଏଥିଲାଗି ଚନ୍ଦ୍ରମୋହନ ତାଙ୍କର ଅନେକ ରଚନା ଛଦ୍ମନାମରେ ପ୍ରକାଶ କରାଉଥିଲେ, ଯାହା ସବୁ ଏବେ ଦୁଷ୍ପ୍ରାପ୍ୟ ।

~ କବି ଚନ୍ଦ୍ରମୋହନ ମହାରଣା ~
ଚନ୍ଦ୍ରମୋହନଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୁଏ ୧୮୮୮ ମସିହାରେ ବି.ଏ. ପଢୁଥିବା ସମୟରେ । ପ୍ରଥମ କବିତା ପୁସ୍ତକର ନାମ ଥିଲା ନବୋଦ୍ୟମ, ଯାହା କଟକ ପ୍ରିଣ୍ଟିଂ କୁମ୍ପାନୀ ଦ୍ଵାରା ପ୍ରକାଶିତ । ବିଷୟ ନିର୍ବାଚନ, ଭାବର ପ୍ରକାଶ ହିଁ ଥିଲା ସେ ସମସ୍ତ କବିତାର ମୌଳିକତା ।କାଳ୍ପନିକତାର ଧାରାରୁ ଦୂରେଇ ଯାଇ ବାସ୍ତବଧର୍ମୀ ଥିଲା ତାଙ୍କର କବିତାବଳୀ । ସୁନ୍ଦର ରୂପକଳ୍ପ ଓ ଉପମା ମଧ୍ୟରେ କବିଙ୍କର ମନୋଭାବର ପରିପ୍ରକାଶ ଏହି ସୃଷ୍ଟି ଗୁଡ଼ିକରେ । ଜନଜୀବନର ସାଧାରଣ ଦୁଃଖ, ସୁଖ, ହାସ୍ୟ ଇତ୍ୟାଦି ନବୋଦ୍ୟମରେ ପ୍ରକାଶିତ । ପ୍ରକୃତପକ୍ଷେ ନବୋଦ୍ୟମ ହିଁ ନବ ଉଦ୍ୟମ । ପରବର୍ତ୍ତୀ କବିମାନଙ୍କ ରଚନାରେ ଏହାର ପ୍ରଭାବ ସୁସ୍ପଷ୍ଟ । ଆବେଦନ କେତେ ସାର୍ବଜନୀନ ଓ ଶାଶ୍ଵତ ହୋଇ ପାରେ, “ମଣିଷର ମନୋରାଜ୍ୟରେ ସଂଗୋପିତ ମାଧୁର୍ଯ୍ୟ ହିଁ ଜଣେ ଅନୁପମ ରମଣୀ !
ଦରିଦ୍ର କୁଟିଟି ଲିପି ପୋଛି ମୁହିଁ
ଦେଲି ଅତି ଯତନରେ
ନିବିଷ୍ଟ ମନରେ ଧ୍ୟାୟୀ , ଆବାହନ
କଲି ସେ ରମଣୀ ବରେ ।
ସଦୃଶ ଜନନୀ ସଙ୍ଗେ ସେ ମୋହିନୀ
ବିଶ୍ଵ ରାଜଜେମା ମାଧୁରୀ ତା ନାମ
ଦେହେ ଶାନ୍ତି ଶାଢ଼ୀ, ଶିରେ ଭକ୍ତିଚୂଡ଼ା
ଗଳେ ପ୍ରୀତି ପୁଷ୍ପ ଦାମ ।

ପ୍ରକୃତି କବିତା ରଚନାରେ ବିଶେଷ ପଟୁତା ପ୍ରଦର୍ଶନ କରିଛନ୍ତି କବି ଚନ୍ଦ୍ରମୋହନ ମହାରଣା। ପ୍ରକୃତିର ଆତ୍ମିକ ସ୍ଵରୂପ ତାଙ୍କ କବିତାର  ଅନ୍ତଃସ୍ଵର । ମାନବପ୍ରାଣ ସହିତ ପ୍ରକୃତିର ପରିପୂର୍ଣ୍ଣ ଯୋଗସୂତ୍ର ହିଁ ତାଙ୍କ କବିତାର ଭିତ୍ତି । ‘କଥାବଳୀ ପଦ୍ୟାଂଶ’ ଓ   ‘କଥାବଳୀ ଗଦ୍ୟାଂଶ’ ଓଡ଼ିଆ ସାହିତ୍ୟରେ ଅଦ୍ୟାବଧି ଅମୂଲ୍ୟ ସମ୍ପଦ ଭାବେ ପରିଗଣିତ ।

~ ଆଲୋଚକ ଚନ୍ଦ୍ରମୋହନ ମହାରଣା ~
ଉତ୍କଳ ଭାଷା ଓ ସାହିତ୍ୟର ଅନୁଶୀଳନ ନିମନ୍ତେ ୧୮୯୩ ମସିହା ଡିସେମ୍ବର ମାସ ୧୨ ତାରିଖରେ ଏକ ସଭା ଅନୁଷ୍ଠିତ ହୁଏ । ତାହାହିଁ ଆମର ଆଲୋଚନା ସଭା । କଟକ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ମଧୁସୂଦନ ରାଓଙ୍କ ଯତ୍ନ ଓ ନେତୃତ୍ୱରେ ଛାତ୍ରମାନଙ୍କର ସାହିତ୍ୟୋନ୍ନତି ନିମନ୍ତେ ଏହାର ପରିଚାଳନା ହୋଇଥିଲେ ହେଁ ଏହା ଥିଲା ମୂଖ୍ୟତଃ ଓଡ଼ିଆ ସାହିତ୍ୟ ଚର୍ଚ୍ଚାର ସାରସ୍ଵତ ପୀଠ । ଏଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ ସାହିତ୍ୟର ଆଲୋଚନା, ଉତ୍କଳ ଭାଷା ଓ ସାହିତ୍ୟର ଉନ୍ନତି ଚିନ୍ତା ହେଉଥିଲା । ଏହି ସଭାରେ ପଠିତ ଓ ଆଲୋଚିତ ପ୍ରବନ୍ଧମାନ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ । ଆଲୋଚନା ସଭାର ସଭାପତି ଥିଲେ ଭକ୍ତକବି ମଧୁସୂଦନ ରାଓ ଓ ସମ୍ପାଦକ ଥିଲେ ଚନ୍ଦ୍ରମୋହନ ମହାରଣା । ନଅ ବର୍ଷ ପରେ ଏହି ଆଲୋଚନା ସଭା ନାମିତ ହୋଇଥିଲା ଉତ୍କଳ ସାହିତ୍ୟ ସମାଜ ନାମରେ । ଆଲୋଚନା ସଭାରେ ସାହିତ୍ୟ ଚର୍ଚ୍ଚା ଅବକାଶରେ ପ୍ରକାଶ କ୍ଷେତ୍ର ପତ୍ରିକାର ଅଭାବ ଅନୁଭୂତ ହେଲା । ଟ୍ରେନିଂ ସ୍କୁଲ ଠାରେ ମଧୁସୂଦନ ରାଓ, ସାଧୁ ଚରଣ ରାୟ, ଚନ୍ଦ୍ରମୋହନ ମହାରଣା, ଫକୀରମୋହନ ସେନାପତି, କୃଷ୍ଣପ୍ରସାଦ ଚୌଧୁରୀ ବିଶ୍ଵନାଥ କର ମିଶି ବିଚାର ବିମର୍ଷ କରିବା ପରେ ଜନ୍ମ ନେଲା ଉତ୍କଳ ସାହିତ୍ୟ ପତ୍ରିକା । ଏହି ପତ୍ରିକା ଥିଲା ଯୁଗାନ୍ତକାରୀ ଓ ସମୃଦ୍ଧ । ବିଶ୍ଵନାଥ କରଙ୍କ ଉତ୍କଳ ସାହିତ୍ୟ ଉନ୍ନତି, ଦେଶୀୟ ଦ୍ରବ୍ୟର ବ୍ୟବହାର, ଚନ୍ଦ୍ରମୋହନ ମହାରଣା ମହୋଦୟଙ୍କ ‘ଭୂଗୋଳ ବିଦ୍ୟା’, ଶ୍ୟାମସୁନ୍ଦର ନନ୍ଦଙ୍କ ‘ଓଡ଼ିଶାରେ ଇଂରେଜ’, ବଳଭଦ୍ର କରଙ୍କ ‘ସୃଷ୍ଟି କୌଶଳ’, କୃଷ୍ଣପ୍ରସାଦ ଚୌଧୁରୀଙ୍କ ‘ସାହିତ୍ୟ ସେବା’, ‘ଜ୍ଞାନଗଙ୍ଗା’ ଓ ‘ପ୍ରେମ ଯମୁନା’, ଦାମୋଦର ନନ୍ଦଙ୍କ ‘ଗତି ଓ ସ୍ଥିତି’, ମୋହିନୀମୋହନ ସେନାପତିଙ୍କ ‘ଓଡ଼ିଆ କାହାଣୀ’, ଆନନ୍ଦ ଚନ୍ଦ୍ର ଦତ୍ତଙ୍କ ‘ବ୍ୟକ୍ତି ଓ ସମାଜ’, ମୃତ୍ୟୁଞ୍ଜୟ ରଥଙ୍କ ‘ଗ୍ରାମ୍ୟଭାଷା’ ଇତ୍ୟାଦି ଉଚ୍ଚକୋଟୀର ଆଲୋଚନା ଗୁଡ଼ିକ ( ଆଲୋଚନା ସଭାର) ବିଶ୍ଵନାଥ କରଙ୍କ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ । ଏସବୁ ପ୍ରବନ୍ଧମାନ ଅଦ୍ୟାବଧି ଓଡ଼ିଆ ସାହିତ୍ୟରେ ଶ୍ରେଷ୍ଠତ୍ଵ ପ୍ରତିପାଦନ କରିଛନ୍ତି । କଟକ ଆଲୋଚନା ସଭା ଓ ଉତ୍କଳ ସାହିତ୍ୟ ସମାଜର ସ୍ଵତନ୍ତ୍ର ମୁଖପତ୍ର ନ ଥିବା ବେଳେ ଉତ୍କଳ ସାହିତ୍ୟ ପତ୍ରିକା ଏସବୁ ପ୍ରକାଶିତ କରାଇ ଓଡ଼ିଆ ସାହିତ୍ୟକୁ ଅବିସ୍ମରଣୀୟ ଦାନ ଦେଇଯାଇଛନ୍ତି । ଏ ପଦକ୍ଷେପ ପାଇଁ ସାରସ୍ଵତ ସାଧକ ଚନ୍ଦ୍ରମୋହନ ମହାରଣାଙ୍କ ଆଲୋଚନା ସଭା ଓଡ଼ିଆ ସାହିତ୍ୟରେ ସର୍ବାଦୌ ସ୍ମରଣୀୟ ।

~ ପ୍ରେରଣାର ଉତ୍ସ ଚନ୍ଦ୍ରମୋହନ ମହାରଣା ~
ଜାତିରେ ଥିଲେ ସେ ସ୍ଵର୍ଣ୍ଣକାର । ସୁନାକୁ ଆଉଟିଲେ ଆହୁରି ଉଜ୍ଜ୍ୱଳ ଅଳଙ୍କାର ହୁଏ, ଏ ବିଦ୍ୟା ବେଶ୍ ଜଣାଥିଲା ତାଙ୍କୁ । ଶିକ୍ଷକତା ଓ ଇନସ୍ପେକ୍ଟର କାର୍ଯ୍ୟ ସମୟରେ ସେହି କଳାର ପ୍ରୟୋଗ କରିଥିଲେ ବୋଧେ ଚନ୍ଦ୍ରମୋହନ । ‘ମଣିଷ ସୁନା’କୁ ସମାଜର ଅଳଙ୍କାର ବନେଇବା ମଧ୍ୟ ଥିଲା ବିଧି ନିର୍ଦ୍ଦିଷ୍ଟ ତାଙ୍କ ପାଇଁ । ଶିକ୍ଷକ ଜୀବନରେ ତାଙ୍କ ଠାରୁ ପ୍ରେରଣା ପାଇ ସତ୍ୟବାଦୀ ଯୁଗର ନୀଳକଣ୍ଠ, ଗୋଦାବରୀଶ ଓ କୃପାସିନ୍ଧୁ ପ୍ରମୁଖ ଉଚ୍ଚକୋଟୀର ସାହିତ୍ୟିକ ହୋଇ ପାରିଥିଲେ । ପରବର୍ତ୍ତୀ ସମୟରେ ଉତ୍କଳ ସାହିତ୍ୟ ସମାଜ ଓ ଆଲୋଚନା ସଭାରେ ଯେଉଁ ବାଗ୍ମୀ, ପ୍ରବକ୍ତା, ପ୍ରାବନ୍ଧିକ, ଆଲୋଚକ ମାନେ ଯୋଗ ଦେଉଥିଲେ, ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ସମ୍ମିଳିତ କରାଇବାର ଦାୟିତ୍ଵ ନେଇଥିବା ହେତୁ, ସେ ସମୟରେ ଆଲୋଚନା ସଭା ଶୀର୍ଷରେ ପହଞ୍ଚି ପାରିଥିଲା, ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସୃଷ୍ଟି କରିଥିଲା ବହୁ ଆଶା ଓ ସମ୍ଭାବନା ।

~ ଈର୍ଷାର ସ୍ଥାନ ସାହିତ୍ୟରେ ଅଧିକ ~
ପରଶ୍ରୀକାତରତା, ଈର୍ଷା ମଣିଷର ଏକ ସହଜାତ ପ୍ରବୃତ୍ତି ! ମଣିଷ ନାଁ ରେ ଅମଣିଷ ପଣିଆ ଅଧିକ ! ତା ହେଲେ ସିନା ମଣିଷ !! ସେଥିରୁ ବାଦ୍ ପଡ଼ିବେ କେମିତି ଚନ୍ଦ୍ରମୋହନ ? ତାଙ୍କ ସାରସ୍ଵତ ସାଧନାରେ ଈର୍ଷାନ୍ଵିତ ହୋଇ ତାଙ୍କ ଘରେ ନିଆଁ ଲଗାଇ ଦେଲେ କେହି ଦୁର୍ବୃତ୍ତ । ୧୯୨୪ ମସିହାରେ ଅବସର ନେବା ପରେ ପୂର୍ବ ଲିଖିତ ୨୫/୩୦ ଗୋଟି ପାଣ୍ଡୁଲିପି ପ୍ରକାଶ କରିବାର ଇଛା ଯେତେବେଳେ ଜୋର୍ ଧରିଛି, ସେହି ସମୟ ଉଣ୍ଡି ନିଆଁ ଲଗେଇଲା କେହି ଜଣେ ତାଙ୍କ ବାସଭବନରେ । ଗୃହପୋଡ଼ି କ୍ଷତ ଶୁଖିଗଲା, ହେଲେ ମାନସିକ ସ୍ତରରେ ସେ କ୍ଷତ ଆଉ ଶୁଖି ପାରିନଥିଲା । ପ୍ରକାରାନ୍ତରେ ଓଡ଼ିଆ ସାହିତ୍ୟ ହରେଇଲା ମହାର୍ଘ ରଚନାବଳୀ । ତାଙ୍କ ସାରସ୍ଵତ ପ୍ରତିଭାର ମହାର୍ଘ ଦାନରୁ ବଞ୍ଚିତ ହେଲା ଓଡ଼ିଆ ସାହିତ୍ୟ, ଓଡ଼ିଆ ଜାତି । ସରସ୍ଵତୀ ଫକୀରମୋହନ ଦୁଃଖରେ କହି ପକାଇଲେ,
“କିହେ ଚନ୍ଦ୍ର ମହାରଣା ହେଉ ହେଉ ହେଉ,
ମେଲିଦିଅ ଆଉ ଥରେ କବିତାର ଢେଉ,
ଛପାଇବେ ରାମଚନ୍ଦ୍ରେ ଚିନ୍ତା କିରେ ଆଉ ,
ନେବା ମାରି ଟଙ୍କା ମୁଠେ, ଠୁଙ୍କି ଦେବା ବାହୁ”
(ଉତ୍କଳ ଭ୍ରମଣଂ)

ଚନ୍ଦ୍ରମୋହନଙ୍କ ସାହିତ୍ୟ ଅପେକ୍ଷା ଜୀବନ ଥିଲା ମହତ୍ତର । ଏହା ତାଙ୍କ କବିତା ଠାରୁ କୋମଳ, ଜ୍ଞାନ ପୁଷ୍ପ ନିବନ୍ଧ ଠାରୁ ଅଧିକ ଆଲୋକିତ । ସେ ଥିଲେ ‘ନାରିକେଳ’ ସଦୃଶ । ଚେହେରା ଥିଲା ବଳିଷ୍ଠ, ଅନ୍ତର ଥିଲା ଶ୍ରୀଫଳଜଳ ସମ ସ୍ଵଚ୍ଛ ଏବଂ ମଧୁର । ଆଦର୍ଶ ଶିକ୍ଷକ, ଛାତ୍ରବତ୍ସଳ, ପ୍ରେରଣା ଦାତା, ସଂଯୋଜକ, ଦୁଇ ଶତାବ୍ଦୀର ଭାବକ୍ଷେତ୍ରରେ ସଂଯୋଗ ସେତୁ, ଓଡ଼ିଆଙ୍କ ପାଇଁ ସମର୍ପିତ ମଣିଷ, ଶିକ୍ଷା ଓ ସଂସ୍କୃତିର ନିଷ୍ଠାପର ପୂଜାରୀ ଓ ବୁଦ୍ଧିଜୀବି ସାଧକ ଭାବେ ସୁବିଦିତ ଚନ୍ଦ୍ରମୋହନ ମହାରଣା ବିଦାୟ ନେଇଗଲେ ୧୯୨୨ ମସିହା ଏପ୍ରିଲ ୯ ତାରିଖରେ, ମାତ୍ର ୫୨ ବର୍ଷ ବୟସରେ ।

ଏଇମିତି ଗୋଟିଏ ପୁଅ ଉତ୍କଳ ଖଣ୍ଡରେ ଆଉ ଜନ୍ମ ନିଅନ୍ତାନି !

ଆଧାର: ‘ଆମେ ଓଡ଼ିଆ‘, ନୃସିଂହ ଚରଣ ସାହୁ; ସତ୍ୟବାଦୀ ପତ୍ରିକା; ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ 

Chandra Mohan Maharana © Niranjan Sahu

Spread the love
admin

Recent Posts

ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ

~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…

2 hours ago

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

1 day ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

1 day ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

1 day ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

1 week ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago