ଲେଖା: ଶିଶିର ସାହୁ ମନୋଜ
ଢେଙ୍କାନାଳ ମଣ୍ଡଳ(ଖଣ୍ଡ, ଜିଲ୍ଲା) ଅନ୍ତର୍ଗତ କାମାକ୍ଷାନଗର ଉପଖଣ୍ଡ(ବ୍ଲକ)ର ଏକ ଜଣାଶୁଣା ଗ୍ରାମ ହେଉଛି କନ୍ତିଓ । ଏ ଗାଆଁର ବିଶିଷ୍ଟତା ଓ ଲୋକପ୍ରିୟତା କୌଣସି ମହାନ ଵ୍ୟକ୍ତି ଯୋଗୁଁ ନୁହେଁ, ବରଂ କେତେକ ଐତିହାସିକ ଘଟଣା ପାଇଁ ହୋଇଅଛି ।
ଏକଦା ଭୀମନଗରୀ ଦଣ୍ଡପାଟ ନାମରେ ପ୍ରସିଦ୍ଧ ଥିବା ଢେଙ୍କାନାଳର ସମସ୍ତ ଭୂଭାଗରେ ସମତଳ ଅଞ୍ଚଳର ଲୋକେ ଅଧିଵାସ କରିବାର ବହୁ ପୂର୍ବରୁ ଏଠାରେ ରହିଆସୁଥିଲେ ଶଵର/ସଅର ଜାତିର ଲୋକ । କନ୍ତିଓ ଗାଆଁର ଅଧିକାଂଶ ଭାଗରେ ମଧ୍ଯ ଏଇ ମାତ୍ର ୩୦୦/୪୦୦ ଵର୍ଷ ତଳେ ଥିଲା ଏହି ଜାତିର ଲୋକଙ୍କ ସମ୍ପୂର୍ଣ୍ଣ ଅଧିକାର । ଢେଙ୍କାନାଳ ଅଞ୍ଚଳର ଢେଙ୍କୁ ଶଵର ରାଜାଙ୍କ ପରାଜୟ ଵରଣପରେ ପରେ ଏଠାରେ ସମତଳ ଅଞ୍ଚଳର ଲୋକଙ୍କ ଜନଵସତି ଦିନ ପ୍ରତିଦିନ ବଢି ବଢି ଚାଲିଲା ।
ତତ୍କାଳୀନ ଢେଙ୍କାନାଳ ରାଜାଙ୍କ ଗୁରୁ ସର୍ଵାନନ୍ଦ ଗୋସ୍ଵାମୀ ପୁରୀରେ ରହୁଥାନ୍ତି । ସେଦିନିଆ ପୁରୀରୁ ଢେଙ୍କାନାଳକୁ ସଦାବେଳେ ଯା’ଆସ କରିବା ଆଜି ଭଳି ଏତେଟା ସହଜସାଧ୍ୟ ନଥିଲା । ତେଣୁ ରାଜା ତାଙ୍କ ଗୁରୁଙ୍କୁ ଅନୁରୋଧ କଲେ ଯେ ଆସି ଢେଙ୍କାନାଳରେ ଏକ ଉପଯୁକ୍ତ ସ୍ଥାନ ଦେଖି ଏଠାରେ ଆଶ୍ରମ ନିର୍ମାଣ କରି ରହିବେ ଫଳରେ ଗୁରୁ ସେବା, ଗୁରୁଦର୍ଶନ କରିବାରେ ରାଜାଙ୍କୁ ସେତେଟା ଅସୁବିଧା ଭୋଗ କରିବାକୁ ପଡି଼ବ ନାହିଁ । ଗୁରୁ, ଶିଷ୍ୟଙ୍କ ସ୍ନେହ ଓ ଆଦର ଦେଖି ଢେଙ୍କାନାଳ ଆସିବାକୁ ସମ୍ମତିପ୍ରକାଶ କରନ୍ତେ ରାଜା ଗୁରୁଙ୍କ ସୁଵିଧା ହେତୁ ନାନାଦି ଯତ୍ନ ଆରମ୍ଭ କରିଦେଲେ । ସର୍ଵାନନ୍ଦ ବାବା ଆସି ବ୍ରାହ୍ମଣୀ ନଦୀର ପଶ୍ଚିମ ପାର୍ଶ୍ଵରେ ପରିମଳ ଵିଷ(ପ୍ରଗଣା)ର ମଧ୍ୟ ଭାଗରେ ଜଙ୍ଗଲ ଅଞ୍ଚଳକୁ ଯୋଗ୍ୟ ମନେକରି ବାଛିଲେ ।
ସେଠାରେ ପରେ ଗୁରୁଙ୍କ ନିର୍ଦ୍ଦେଶରେ ରାଜା ଏକ ବୈଷ୍ଣବ ମଠ ଓ ମନ୍ଦିର ପ୍ରତିଷ୍ଠା କରିଥିଲେ ଯାହା ସେ ସମୟରେ ଶ୍ରୀବୃନ୍ଦାଵନଚନ୍ଦ୍ର ମନ୍ଦିର ନାମରେ ଜଣା ଯାଉଥିଲା । କନ୍ତିଓରେ ମଠସ୍ଥାପନ ପରେ ଏଠାକାର ମଠାଧିଶ ଭାବରେ ଵିଦ୍ଧିଵଧ ଭାବେ ସର୍ଵାନନ୍ଦ ଗୋସ୍ଵାମୀଙ୍କୁ “ରାଜଗୁରୁ ଶ୍ରୀବ୍ରହ୍ମଚାରୀ” ଉପାଧି ପ୍ରଦାନ ସହିତ ପାରିମାଳ ବିଷର କେତେକ ଭୂଭାଗ ମଧ୍ଯ କନ୍ତିଓ ବୈଷ୍ଣବମଠକୁ ଦାନ କରାଗଲା । ବ୍ରହ୍ମଚାରୀ ସର୍ଵାନନ୍ଦ ଗୋସ୍ଵାମୀ ମୂଳତଃ ପୁରୀ ଅଞ୍ଚଳର ଵାସିନ୍ଦା । ସେ ମନ୍ଦିର-ମଠର ସେଵା ଓ ସୁଵିଧା ହେତୁରୁ ତାଙ୍କ ଅଞ୍ଚଳର ଅନେକ ଲୋକଙ୍କୁ କନ୍ତିଓକୁ ଆଣି ଭୂସମ୍ପତି ତଥା କିଛି ଅର୍ଥ ଦେଇ ରଖାଇଲେ । ପରେ ପରେ ଯାଜପୁର, ଖୋର୍ଦ୍ଧା ଓ କଟକ ଆଦି ଅଞ୍ଚଳର କେତେକ ପରିଵାର ଆସି ଏ ଗାଆଁରେ ରହିବାକୁ ଲାଗିଲେ ।
ଏମିତିରେ କିଛି ଵର୍ଷ ଗତ ହେଲା। ତହୁଁ ଦେଶରେ ଵୈଦେଶିକ ଶକ୍ତିର ଆଵିର୍ଭାଵ ଓ ଅଧିକାର ହୋଇଗଲା । ଢେଙ୍କାନାଳ ରାଜ୍ୟ ଯେହେତୁ ମୋଗଲ ତଥା ମରହଟ୍ଟା ଶାସନକାଳରେ ଗଡ଼ଜାତ ଅଞ୍ଚଳରେ ଥିଲା ତେଣୁ ଇଂରେଜମାନେ ସେହି ଵ୍ୟଵସ୍ଥା ଵଳଵତ୍ତର ରଖି ରାଜାଙ୍କ ହାତରେ ଏହାକୁ ପରୋକ୍ଷରେ ଶାସନ କଲେ ।
ଢେଙ୍କାନାଳ ରାଜା ଵେଠି ନିୟମ ଅନୁଯାୟୀ ପ୍ରତିଦିନ ଏ ରାଜ୍ୟର ଗୋଟିଏ ଗୋଟିଏ ଗ୍ରାମର ଲୋକଙ୍କ ଠାରୁ ନିଃଶୁଳ୍କ କାର୍ଯ୍ୟ କରାଉଥାନ୍ତି । ଥରେ କନ୍ତିଓ ଗାଆଁ ପାଳି ପଡି଼ଥିଲା ଯେ ଆଜ୍ଞା ହୋଇଥାଏ ଜଙ୍ଗଲରୁ ହାତୀ ଧରି ଆଣି ରାଜାଙ୍କ ଲୋକଙ୍କୁ ଦିଆଯିବ । ଏଣେ କୌଣସି ମତେ ସର୍ଵାନନ୍ଦ ଗୋସ୍ୱାମୀଙ୍କୁ ଏ ସମସ୍ତ କଥା ଜାଣିବାକୁ ମିଳିଲା । ସେ କନ୍ତିଓ ଗ୍ରାମାଧିଵାସୀଙ୍କୁ ବୋଇଲେ ତେବେ ଆମ୍ଭେ ମଧ୍ଯ ତୁମ୍ଭମାନଙ୍କ ସହିତ ହାତୀ ଧରିବାକୁ ଜଙ୍ଗଲକୁ ଯିବୁ । ଗାଆଁ ଲୋକେ ଅନେକ ନେହୁରା ହେଲେ ସୁଦ୍ଧା ବ୍ରହ୍ମଚାରୀ ଗୋସେଇଁ ଅମଙ୍ଗ ହୋଇ ସେମାନଙ୍କ ସହିତେ ବଣକୁ ହାତୀ ଧରିବାକୁ ଗଲେ ।
ହାତୀ ଧରିବାରେ ନିୟୋଜିତ ପରିଚାଳକ ରାଜକର୍ମଚାରୀ ଯେବେ ଜାଣିଲେ ଯେ ଢେଙ୍କାନାଳ ରାଜ୍ୟର ରାଜଗୁରୁ ସ୍ଵୟଂ ହାତୀ ଧରିବାକୁ ଆସିଛନ୍ତି ସେ ଏକଥା ଯାଇ ଶ୍ରୀଛାମୁରେ ଜଣାଇଲେ । ରାଜା ଏକଥା ଶୁଣିଲା କ୍ଷଣି କନ୍ତିଓ ଗାଆଁକୁ ଧାଇଁଲେ । ରାଜଗୁରୁଙ୍କୁ ଆପଣା ଦୋଷ ପାଇଁ ରାଜା କ୍ଷମା ମାଗନ୍ତେ ବ୍ରହ୍ମଚାରୀ ଗୋସେଇଁ ବୋଇଲେ, “ଵତ୍ସ ତୁମ୍ଭେ ଆଗ୍ରହ କଲାରୁ ଆମ୍ଭେ ଆମ୍ଭ ଅଞ୍ଚଳର କେତେକ ଲୋକ ଆଣି ଏଠାରେ ରଖାଇଲୁ । ସେମାନଙ୍କ ଭଲମନ୍ଦ ଦାୟିତ୍ୱ ସବୁ ଆମ୍ଭର । ସେମାନେ ଯେମିତି ଦୁଃଖ ନପାଅନ୍ତି ସେଥିପ୍ରତି ଆମ୍ଭର ସଦାସର୍ଵଦା ନିଘା ଥାଏ । ତୁମ୍ଭେ ଯେବେ ଉଚିତ ମଣିବ ତେବେ ଆଜିଠାରୁ ଆମ୍ଭର ଏକଥା ରଖିବ ଯେ, ଏ ଗାଆଁର ଗୋଟାଏ ଵି ଲୋକ ଯେମିତି ଵେଠି ଖଟିବାକୁ ନଯାଏ, ଅନ୍ୟଥା ଆମ୍ଭେ ମଧ୍ଯ ତାଙ୍କ ସହିତ କୃଷ୍ଟି କରିବାକୁ ଯିବୁ”।
ରାଜା ଗୁରୁଙ୍କ ଏ କଥାରେ ସହମତ ହୁଅନ୍ତେ ସେଇଦିନ ଠାରୁ କନ୍ତିଓ ହୋଇଗଲା ପରାଧୀନ ଭାରତର ଏକ ପରୋକ୍ଷ ଶାସନାଧୀନ ଗଡ଼ଜାତ ଅଞ୍ଚଳର ସ୍ଵାଧୀନ ଗ୍ରାମ । କନ୍ତିଓ ଗାଆଁର ଲୋକ ଇଂରାଜୀ ସାମ୍ରାଜ୍ୟଵାଦ କାଳରେ କି ରାଜା କି ଫିରିଙ୍ଗି ଉଭୟ ଶାସକଙ୍କଠାରୁ କୌଣସି ପ୍ରକାରର ପ୍ରତ୍ୟକ୍ଷ ଅତ୍ୟାଚାର ପାଇନାହାନ୍ତି ।
ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…
ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…
ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…
କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…
ମାଣବସା ଗୁରୁବାର ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…