ଲେଖା: ଦେଵ ତ୍ରିପାଠୀ

ଓଡ଼ିଶାରେ ଅସରନ୍ତି ପର୍ବପର୍ବାଣୀ, ଦାରିଦ୍ର୍ୟ ସତ୍ତ୍ଵେ ସେସବୁ ପର୍ବପର୍ବାଣୀକୁ ନିଷ୍ଠା ଓ ପବିତ୍ରତା ସହିତ ପାଳିବାରେ କୁଣ୍ଠା କରେନି ଓଡିଆଣୀ । ଅଧିକାଂଶ ପର୍ବପାଳନ ହୁଏ ପରିବାରର ମା’ମାନଙ୍କ ଦ୍ଵାରା । ପର୍ବାଣୀ ଗୁଡିକରେ ପୂଜାଉପଚାର ଯେପରି ଭିନ୍ନ, ସେହି ଅବକାଶରେ ପ୍ରସ୍ତୁତ ଖାଦ୍ୟସାମଗ୍ରୀ ମଧ୍ୟ ସ୍ବତନ୍ତ୍ର । ଓଡ଼ିଆଙ୍କ ଇଷ୍ଟଦେବ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳ ସହ ଏସବୁ ପର୍ବପର୍ବାଣୀର ରହେ ନିବିଡ଼ ଯୋଗସୂତ୍ର ।

ଅଧିକାଂଶ ପର୍ବର ଇତିହାସ ତିନି/ଚାରିଶହ ବର୍ଷରୁ ଅଧିକ, ସେସବୁ ପାଳନ ଅନ୍ତରାଳରେ ନିହିତ ଅଛି ଏକ ସାମାଜିକ, ସ୍ବାସ୍ଥ୍ୟଗତ ଓ ମନସ୍ତାତ୍ତ୍ୱିକ ଉଦ୍ଦେଶ୍ୟ । ଆଗକାଳରେ ସମାଜର ସ୍ୱଚ୍ଛଳ ଓ ମଧ୍ୟବିତ୍ତ ଶ୍ରେଣୀର ପୁରୁଷମାନେ ବାଣିଜ୍ୟ, ରାଜକାର୍ଯ୍ୟ ଓ କୌଳିକବୃତ୍ତିର ଆହ୍ୱାନରେ ଅଧିକାଂଶ ସମୟ କଟାଉଥିଲେ ପ୍ରବାସରେ । ଗମନାଗମନର ଅଭାବରୁ ଆଜିର ନିକଟତର ସ୍ଥାନ ମଧ୍ୟ ସେକାଳରେ ଥିଲା ପ୍ରବାସ ପରି । ଘରେ ପୁରୁଷଟିର ଅନୁପସ୍ଥିତିରେ ତା’ର ମଙ୍ଗଳ କାମନା କରି ଅଧିକାଂଶ ସମୟ ବ୍ରତ, ଉପାସନା ଓ ଉପବାସରେ ବିତାଉଥିଲା ଗୃହିଣୀ ।

ଚଳିତ ଶୀତଋତୁ ପର୍ବବହୁଳ । ଗୁରୁବାର ମାଣବସା, ବାଟଓଷା, ଧନୁସଂକ୍ରାନ୍ତି, ବକୁଳଲାଗି ଅମାବାସ୍ୟା, ମକର ସଂକ୍ରାନ୍ତି, ଶାମ୍ବଦଶମୀ ପ୍ରଭୃତି ଏ ଋତୁର ବିଶେଷତ୍ଵପୂର୍ଣ୍ଣ ପର୍ବାଣୀ ।

ମାର୍ଗଶୀର ଓ ପୌଷ ନୂଆଧାନ ଅମଳର ମାସ । ସେଥିପାଇଁ ଶସ୍ୟର ଅଧିଷ୍ଠାତ୍ରୀ ଦେବୀ ମହାଲକ୍ଷ୍ମୀଙ୍କ ପାଇଁ ମାଣବସାରେ ଥାଏ ଧାନର ସମ୍ଭାର । ଧାନର କଲେଇ ଆସି ଖଳାରେ ଯେବେ ଗଚ୍ଛିତ ହୁଏ, ମେରିଖୁଣ୍ଟକୁ ଆଶ୍ରାକରି ବେଙ୍ଗଳାପଡେ, ସେବେଳରେ ମେରିଖୁଣ୍ଟରେ ବନ୍ଧା ଯାଇଥାଏ ଧାନର ବେଣୀପକା ପେଣ୍ଡା ଏବଂ ମୁଆଁଭୋଗରେ ପୂଜା ପାଆନ୍ତି ମେରି । ବାଟଓଷାରେ ବଜ୍ରମୂଳିରେ ଦାଣ୍ଡପହଁରି ନିଜର କାଚବଜ୍ର ହେବାକୁ ମନାସକରେ ଗୃହିଣୀ ଏବଂ ଯମଦେବତାଙ୍କୁ ଯାଚନା କରେ ସଭିଙ୍କୁ ଦୀର୍ଘାୟୁ ରଖିବାକୁ । ବକୁଳଲାଗି ଅମାବାସ୍ୟାରେ ପୂଜାପାଏ ଆମ୍ବଗଛ ଓ ଭୋଗଲାଗେ ଗଇଁଠା ପିଠା ।

ସୂର୍ଯ୍ୟ ପୂଜା କରି ଶ୍ରୀକୃଷ୍ଣପୁତ୍ର ଶାମ୍ବ କୁଷ୍ଠ ବ୍ୟାଧି ମୁକ୍ତ ହୋଇଥିବା ଦିବସ ହିଁ ଶାମ୍ବଦଶମୀ ରୂପେ ପାଳିତ । ଏହା ସହିତ ବୈଜ୍ଞାନିକ ସତ୍ୟତା ହେଉଛି ଯେ ଏହା ପରଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ । ସୂର୍ଯ୍ୟଙ୍କୁ ଭୋଗ ଲାଗେ ଅଲଣା ଜାଉ ଏବଂ ପରିବାରର ପ୍ରତି ସଭ୍ୟଙ୍କ ନାମରେ ସେମାନଙ୍କ ପ୍ରିୟତମ ଖାଦ୍ୟ ପ୍ରସ୍ତୁତ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଲାଗେ ।

ଏସବୁ ପର୍ବପାଳନ ମାଧ୍ୟମରେ ପରିସ୍ଫୁଟ ହୁଏ ଏକ ଉଦାର ଓ ଆଧ୍ୟାତ୍ମିକ ଜୀବନର ବାର୍ତ୍ତା, ଜୀବନ ଦର୍ଶନର ପ୍ରତିବିମ୍ବ । ପ୍ରକୃତି, ଅନ୍ନ ଓ ଜୀବନ ମଧ୍ୟରେ ଥାଏ ଏକ ପାରସ୍ପରିକ ନିବିଡ଼ ସମନ୍ୱୟ ଏବଂ ମଣିଷ କୃତଜ୍ଞତା ଜଣାଇବାକୁ ଚାହେଁ ବିଶ୍ୱପ୍ରକୃତିକୁ ସୂର୍ଯ୍ୟ ଆରାଧନା କରି, ତା’ର ଜୀବନକୁ ପରିପୁଷ୍ଟ କରୁଥିବା ଶସ୍ୟକୁ ସମ୍ମାନ ଜଣାଇ, ତାକୁ ସୁମିଷ୍ଟ ଫଳ ଦେଉଥିବା ଆମ୍ବଗଛକୁ ପୂଜା କରି ଏବଂ ଶସ୍ୟ ଉତ୍ପାଦନରେ ସହାୟତା ପ୍ରଦାନ କରୁଥିବା ମେରିଖୁଣ୍ଟଟିଏକୁ ମଧ୍ୟ ବନ୍ଦାପନା କରି ।

ଆଜି ପରିବେଶ ପ୍ରତି ସଚେତନ ହେବାର ଆହ୍ୱାନ ବିଶ୍ୱବ୍ୟାପୀ ଦିଆଯାଉଛି; ମାତ୍ର ଉତ୍କଳୀୟ ସଂସ୍କୃତିର ପର୍ବପର୍ବାଣୀ ମଧ୍ୟରେ ପ୍ରକୃତି ଓ ପରିବେଶ ପ୍ରତି ସମ୍ଭ୍ରମ ବହୁକାଳରୁ ପ୍ରଚଳିତ । ଓଡ଼ିଶାର ଗ୍ରାମାଞ୍ଚଳରେ ଆଜି କାଁ ଭାଁ ଏସବୁ ପର୍ବପାଳନର ଶୂଚିତା ଓ ନିଷ୍ଠାପରତା ଦେଖିଲେ ସେସବୁର ପ୍ରବର୍ତ୍ତକ ଅଜ୍ଞାତ-ଦୂଦଦ୍ରଷ୍ଟାମାନଙ୍କ ପ୍ରତି ସ୍ବତଃ ମଥା ନଇଁ ଆସେ । ଏପରିକି ଶ୍ରୀମନ୍ଦିରରେ ବକୁଳଲାଗି ଅମାବାସ୍ୟା ମଧ୍ୟ ପାଳିତ ହୁଏ ।

ଓଡ଼ିଶାର ପର୍ବପର୍ବାଣୀ ମଧ୍ୟରେ ସବୁଠାରୁ ନିଷ୍ଠା ଓ ଭକ୍ତିର ସହ ପାଳିତ ହୁଏ ଗୁରୁବାର ମାଣଓଷା । ଶ୍ରୀୟା ଚଣ୍ଡାଳୁଣୀର ଶୂଚିପୂତ ଗୃହାଙ୍ଗନକୁ ମହାଲକ୍ଷ୍ମୀ ବିଜେ କରିବାର କାହାଣୀ କହିଥାଏ କେଡ଼େ ସହନଶୀଳ ଥିଲା ଆମର ଧର୍ମ ଏବଂ ଚେତନାଦୀପ୍ତ ମଣିଷଟିଏ ସର୍ବଦା ଜାତି ବର୍ଣ୍ଣର ଉର୍ଦ୍ଧ୍ବରେ ରହି ପୂଜା ପାଉଥିଲା । ଶ୍ରୀୟା ଶୂଦ୍ରାଣୀ ହେଉ କି ଲକ୍ଷ୍ମୀପୁରାଣର ରଚୟିତା ଶୂଦ୍ର ବଳରାମ ଦାସ ହୁଅନ୍ତୁ – ସେମାନଙ୍କୁ ଖୁବ୍ ଉଚ୍ଚରେ ସମୀହ ଦୃଷ୍ଟିରେ ଦେଖେ ଆମର ସମାଜ ।

ଆଜି ଆମର ଏଇ ପର୍ବପର୍ବାଣୀ ପାଳନ ଅବସରରେ ପରିବେଶ ଓ ମଣିଷ ପ୍ରତି ଆମର ସମ୍ମାନବୋଧ ପୁନଃ ପ୍ରତିଷ୍ଠା ହେଉ ଏତିକି କାମନା ।

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago