~ ମହିମା ଧର୍ମ ~

ଉପସ୍ଥାପନା: ଅମୃତେଶ ଖଟୁଆ

“ସତ୍ୟରେ ମରିବି ସତ୍ୟରେ ତରିବି, ଏହି ଆଜ୍ଞା ମତେ ହେଉ।
କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ, ଯଶ ଅପଯଶ ରହୁ।।”
( ସ୍ତୁତି ଚିନ୍ତାମଣି, ସନ୍ଥକବି ଭୀମଭୋଇ )

“ଜଗତ ଭଗତ ଜନ ଆସ ଲୋଡ଼ିବା ପ୍ରଭୁଙ୍କୁ ଶ୍ରୀପୁରୁଷୋତ୍ତମେ ଜାଣ,
ଥିଲେ ଯେଉଁ ନାରାୟଣ ସେ ପ୍ରଭୁ କାହିଁ ରହିଲେ ତେଜିଲେ ତିନିଦାରୁଙ୍କୁ।
ମହିମା ଗୋସେଇଁ ଗୁରୁ ସେହି ଅବା ମହାପ୍ରଭୁ
ତହିଁ କରିଥିଲୁ ଆଶ ଶୂନ୍ୟ ହେଲେ ଦେଖୁ ଦେଖୁ॥”

“ଅହିଂସା ଧର୍ମକୁ ଆଶ୍ରା ଯେବେ କର, ଅହିଂସାରେ କର ଦୃଢ଼।
ଗୁରୁସେବା କରି ହିଂସାବନ୍ଦୀ ହେଲେ, ଶୂନ୍ୟରୁ ପଡ଼ିବ ମାଡ଼।“
(ସନ୍ଥକବି ଭୀମଭୋଇ)

ଉନବିଂଶ ଶତାବ୍ଦୀରେ ବ୍ରାହ୍ମଣ୍ୟବାଦର ଏକାଧିପତ୍ୟ ତଥା ତଥାକଥିତ ନୀଚଜାତୀୟ ବ୍ୟକ୍ତିବିଶେଷମାନଙ୍କ ଉପରେ ଅବିରତ ଲାଞ୍ଛନା, ନିଷ୍ପେସନ ମଧ୍ୟରୁ ଯେଉଁ ଧର୍ମୀୟ ସଂସ୍କାରକ ଓ ବିପ୍ଳବୀ ମାନେ ଆବିର୍ଭୂତ ହୋଇ ଶୂନ୍ୟବ୍ରହ୍ମଙ୍କୁ ଉପାସ୍ୟ କରି ଧର୍ମାନ୍ଧମାନଙ୍କ ଆଗରେ ଛିଡା ହେଲେ, ସେମାନେ ମହିମା ଧର୍ମର ଅଭୂତପୂର୍ବ ପ୍ରସାର କରିଥିଲେ। ଭଗବାନ ନିର୍ବିକାର, ନିରାକାର ଅଲେଖ, ତେଣୁ “ଅଲେଖ” ଉପାସନା ମହିମାଧର୍ମର ପ୍ରାଣକେନ୍ଦ୍ର। ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି ଯେ ଢେଙ୍କାନାଳ ସ୍ଥିତ ଯୋରନ୍ଦାରେ ପ୍ରତିଷ୍ଠିତ ମହିମା ଗାଦିରେ ମୂର୍ତ୍ତି ଉପାସନା ହୁଏନି। ସେଥିପାଇଁ ଗୂଢାବହିତ ମନ୍ତ୍ର “ବ୍ରହ୍ମମନ୍ତ୍ର” ପ୍ରଣିଧାନଯୋଗ୍ୟ :-

“ନିର୍ବିକାରଂ ନିରାକାରଂ ନିରାନନ୍ଦଂ ନିରାମୟମ୍।
ନିରାହାରଂ ନିରାଧାରଂ ନିରାଲମ୍ବୋ ନମୋନମଃ।।
ସ୍ଵୟଂବ୍ରହ୍ମ ପରଂବ୍ରହ୍ମ ନିତ୍ୟବ୍ରହ୍ମମୟଜଗତ୍।
ଜ୍ୟୋତିର୍ବ୍ରହ୍ମମୟଂ ଜଗତ୍ତସ୍ମୈ ଶ୍ରୀ ଗୁରବେ ନମଃ।।”

ଅର୍ଥାତ୍, ବିକାରଶୂନ୍ୟ, ଆକାରଶୂନ୍ୟ, ଆନନ୍ଦ-ବିଷାଦାଦି ପାର୍ଥିବତାହୀନ ନିରାମୟ, ଆଧାରଶୂନ୍ୟ, ଆହାରହୀନ, ଅବଲମ୍ବନଶୂନ୍ୟ ଯିଏ ସ୍ଵୟଂ ବ୍ରହ୍ମ, ସତ୍ୟ ସ୍ବରୂପ ବ୍ରହ୍ମ ତଥା ଯିଏ ଜ୍ୟୋତି ସ୍ଵରୂପୀ, ସେହି ବ୍ରହ୍ମଗୁରୁଙ୍କୁ ମୁଁ ପ୍ରଣାମ କରୁଅଛି। ମାଘ ମାସ ଚତୁର୍ଦ୍ଦଶୀରେ ଗୋସାଇଁ ମହିମାଧର୍ମର ପ୍ରବର୍ତ୍ତନ କରିଥିବାର ଜଣାଯାଏ। ଯୋରନ୍ଦା ମହିମାଧର୍ମର ପୀଠସ୍ଥଳୀ ସ୍ଵରୂପ ମାଘ ମାସ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଯୋରନ୍ଦାରେ ମନ୍ଦିର ସ୍ଥାପିତ ହୋଇ ଧୂନି ସ୍ଥାପନା କରାଯାଇଛି, ଯାହା ଅବିରତ ମନ୍ଦିର ମଧ୍ୟରେ ଅଦ୍ୟାବଧି ଜାଜ୍ଜ୍ୱଲ୍ୟମାନ, ଯାହା ବ୍ରହ୍ମର ପ୍ରତୀକ ଓ ପ୍ରକାଶକ ରୂପେ ବିଶ୍ବାସିତ। ବୈରାଗ୍ୟ ଓ ସନ୍ନ୍ୟାସ ଧର୍ମାବଲମ୍ବୀ ମହିମା ଧର୍ମପ୍ରବର୍ତ୍ତକମାନେ। କଠୋର ଶୃଙ୍ଖଳା ନିର୍ଦ୍ଦେଶ ସହ ତ୍ରିସ୍ତରୀୟ ସାଧକଗଣ ନିରୂପିତ। ଯଥା – ବୈରାଗୀ, ଅପର-ସନ୍ନ୍ୟାସୀ ଓ ପର-ସନ୍ନ୍ୟାସୀ। ବୈରାଗ୍ୟ ଭାବ ଜନିତ ସଂସାରବନ୍ଧନରୁ ବିମୁକ୍ତଲବ୍ଧୀମାନେ ବୈରାଗୀ ରୂପେ ଗଣ୍ୟ। ଉଚ୍ଚଗତ ସନ୍ନ୍ୟାସୀଙ୍କ ଆନୁଗତ୍ୟ, ସଂଯମ ଆଚରଣ, ଜୀବନଚର୍ଯ୍ୟାରେ ଧାର୍ମିକ ଶୃଙ୍ଖଳାର ଉପଯୋଗ ବୈରାଗୀଙ୍କ କର୍ତ୍ତବ୍ୟ। ଅପର-ସନ୍ନ୍ୟାସ ଅବସ୍ଥା କ୍ଷେତ୍ରରେ ଗୁରୁଦୀକ୍ଷିତ କେତେକ ଚର୍ଯ୍ୟା ପାଳନ ସହ ପରଂବ୍ରହ୍ମଙ୍କ ମନନ, ପରିବ୍ରାଜକ ଜୀବନଯାପନ, ଗୁରୁଙ୍କ ଆଜ୍ଞା ସହ ସତ୍ୟ-ଧର୍ମର ନିତ୍ୟ ପାଳନ ଧ୍ୟେୟ। ତଥୈବ, ପର-ସନ୍ନ୍ୟାସୀମାନେ ପୂର୍ଣ୍ଣତାପ୍ରାପ୍ତ “ଅବଧୂତ-ସନ୍ନ୍ୟାସୀ” ରୂପେ ବିବେଚିତ। ଧର୍ମୀୟ ଔପଚାରିକତା ଓ ଶୃଙ୍ଖଳାରେ ଗାର୍ହସ୍ଥ୍ୟ ପାଳନ ହିଁ ଧ୍ୟେୟ ।


ଏବେ ଅବଲୋକନ କରିବା ମହିମା ଗୋସେଇଁ ଓ ଯୋରନ୍ଦା ମେଳା ବିଷୟରେ କିଛି ସଂକ୍ଷିପ୍ତ କଥା। ୧୮୭୬ ମସିହାରେ ଯୋରନ୍ଦାରେ ତାଙ୍କର ମହାପ୍ରୟାଣ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ହୁଏ, ଯେତେବେଳେ ସୂଚିତ କରାଯାଏ ଯେ ଯୋଗସମାଧି ଆଉ ଭଗ୍ନ ହେବନାହିଁ। ଯାହା ପରେ ତାଙ୍କ ସମାଧି ସେଠାରେ ହିଁ ଅବସ୍ଥାପିତ। ସେଠାକାର ଧୂନି ମନ୍ଦିର ଓ ଶୂନ୍ୟ ମନ୍ଦିର – ଦୁଇଟି ପ୍ରମୁଖ ତଥା ପବିତ୍ର ପୀଠସ୍ଥଳୀ । ପ୍ରତ୍ୟେକ ବର୍ଷ ମାଘପୂର୍ଣ୍ଣିମାରେ ଯୋରନ୍ଦାରେ ମହିମାଧର୍ମର ମେଳା ଅନୁଷ୍ଠିତ ହୁଏ। ଏବେ ଯିବା ମହିମା ଗୋସେଇଁଙ୍କ ଜୀବନୀକୁ। ୧୮୨୬ ମସିହାରେ ପୁରୀର ବଡ଼ଦାଣ୍ଡରେ “ଧୂଳିଆ ଗୋସେଇଁ” ଭାବେ ଆବିର୍ଭୂତ ହୁଅନ୍ତି। ଖଣ୍ଡଗିରି ଚାଲିଆସି ସେଠାରେ ୧୮୩୮ ଯାଏ ବାରବର୍ଷ କାଳ ଜଳ ଆହାର କରି ଯୋଗ ସାଧନାରେ ଅତିବାହିତ କରିଥିଲେ। ତାଙ୍କୁ ସେଥିପାଇଁ ‘ନିରାହାରୀ ଗୋସେଇଁ’ ବୋଲି କୁହାଯାଉଥିଲା। ଖଣ୍ଡଗିରିରୁ ସେ ଢେଙ୍କାନାଳର କପିଳାସଠାରେ ଚବିଶ ବର୍ଷ ଆତ୍ମଯୋଗ ସମାଧିରେ ଅବସ୍ଥାନ କରିଥିଲେ। ଏଠାରେ ସେ ଯଥାକ୍ରମେ ‘ଫଳାହାରୀ ଗୋସେଇଁ’ ଓ ଦ୍ଵିତୀୟ ବାରବର୍ଷ ‘କ୍ଷୀରାହାରୀ ଗୋସେଇଁ’ ରୂପେ ପରିଚିତ ହେଲେ। କପିଳାସ ତ୍ୟାଗ କରି ୧୮୬୨ ମସିହାରେ ପ୍ରଥମେ ସେ ଖୋର୍ଦ୍ଧା ଅନ୍ତର୍ଗତ ଦାରୁଠେଙ୍ଗରେ ଆଶ୍ରମ ସ୍ଥାପନକ୍ରମେ ସ୍ଵଧର୍ମ ପ୍ରଚାର ନିମନ୍ତେ ବ୍ରତୀ ହେଲେ। ଏହା ପରେ ପଟିଆ, ଡ଼ମଣା ଓ ଅନ୍ଧାରୁଆ ଠାରେ ଆଶ୍ରମ ପ୍ରତିଷ୍ଠା କରିଥିଲେ। ଯାହାକି ଗୋଟିଏ ଗୋଟିଏ ଶିକ୍ଷାକେନ୍ଦ୍ର ।

ଧର୍ମପ୍ରଚାରାର୍ଥେ ଦାରୁଠେଙ୍ଗରେ ସେ ସନ୍ନ୍ୟାସୀ ଶ୍ରେଣୀ ସୃଷ୍ଟି କରିଥିଲେ। ତାଙ୍କ ଆଜ୍ଞାରେ ତାଙ୍କର ପ୍ରଥମ ଶିଷ୍ୟ ଗୋବିନ୍ଦ ଦାସ (ପରବର୍ତ୍ତୀ କାଳରେ ‘ଗୋବିନ୍ଦ ବାବା’ ରୂପେ ବିଦିତ ହୁଅନ୍ତି ) ସର୍ବପ୍ରଥମେ ଦାରୁଠେଙ୍ଗରେ ବୌଦ୍ଧର ନରସିଂହ ଦାସ, କଟକ ଜିଲ୍ଲା ସାଇଲୋ ଗ୍ରାମର ଭଗବାନ ଦାସ, ଅନ୍ଧାରୁଆର କୃଷ୍ଣ ଦାସ ଓ ଭାଇଗ ଦାସ ଏବଂ ଦାରୁଠେଙ୍ଗର ମାଧବ ଦାସ, ଅଚ୍ୟୁତାନନ୍ଦ ଦାସ ଓ କୃପାସିନ୍ଧୁ ଦାସଙ୍କୁ ବଳ୍କଳ ଦେଇ ସନ୍ନ୍ୟାସ ଧର୍ମରେ ଦୀକ୍ଷିତ କରିଥିଲେ। ଏମାନେ ସେତେ ପର୍ଯ୍ୟନ୍ତ ଏ ଧର୍ମକୁ ମହିମା ଧର୍ମ ଭାବେ ନାମିତ କରିନଥିଲେ । ଏହି ସାତ ସନ୍ନ୍ୟାସୀ ସେହି ପରଂବ୍ରହ୍ମ ବିଶ୍ବନିୟନ୍ତା ଅଲେଖ ଭଗବାନଙ୍କ “ମହିମା”କୁ ଅବହିତ କରି ଏହାକୁ ତତ୍ପରେ “ମହିମା ଧର୍ମ” ଭାବେ ନାମିତ କରନ୍ତି।


୧୮୬୪ ମସିହାରେ ମଧୁବାବୁ (ଉତ୍କଳ ଗୌରବ), ଏଣ୍ଟ୍ରାନ୍ସ ପରୀକ୍ଷା ଦେଇଥାଆନ୍ତି, ଯେତେବେଳେ ତାଙ୍କୁ ୧୬-୧୭ ବର୍ଷ ସରିକି । ତାଙ୍କ ପିତା ରଘୁନାଥ ଦାସ ପଟିଆ ରାଜା ରଘୁନାଥ ଦେବଙ୍କର ଆଇନ ପରାମର୍ଶ ଦାତା ଥାଆନ୍ତି। ପଟିଆରେ ଦୋଳପୂର୍ଣ୍ଣମୀ ମେଲଣ ଅନୁଷ୍ଠିତ ହେଉଥିବାରୁ ସେମାନେ ନିମନ୍ତ୍ରଣ କରାଗଲେ। ସେହି ପଟିଆର ଧର୍ମ ସଭାଠାରେ ମଧୁବାବୁଙ୍କ ସାକ୍ଷାତ ହୁଏ ମହିମା ଗୋସେଇଁଙ୍କ ସହ। ମହିମା ଗୋସେଇଁଙ୍କ ସାରଗର୍ଭକ ଏକେଶ୍ଵରବାଦୀ ଚିନ୍ତନପ୍ରସୂତ ଅଭିଭାଷଣ ଦ୍ଵାରା ତରୁଣ ମଧୁବାବୁ ଅନୁପ୍ରାଣିତ ହୋଇଥିଲେ। ମଧୁବାବୁ ଦୃପ୍ତ କଣ୍ଠରେ କହୁଥିଲେ, “ମହିମା ଧର୍ମ ଓଡ଼ିଶାର ଗର୍ବ ଓ ଗୌରବ। ଉଦାର ଜଗନ୍ନାଥ ଧର୍ମ ଓ ମହିମା ଧର୍ମ ଉତ୍କଳ ମାଟିରୁ ଜନ୍ମଲାଭ କରିଛି। ଏହି ଦୁଇଟି ଧର୍ମ ବିଶ୍ଵକୁ ଓଡ଼ିଶାର ଶ୍ରେଷ୍ଠ ଓ ମହତ୍ ଦାନ।”

ସୌଜନ୍ୟ : ଧରିତ୍ରୀ (ଓଡ଼ିଶାର ମହିମା ଧର୍ମ : ଉଦ୍ଧବ ଚରଣ ନାୟକ, ସାହିତ୍ୟ କୋଷ)

Mahima Dharma Mahima Cult Amritesh Khatua

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago