ଲେଖା: ଦେଵ ତ୍ରିପାଠୀ
ଆମ ଓଡ଼ିଆ ସଂସ୍କୃତିରେ ମାଟି କେଡ଼େ ପବିତ୍ର ! ଶୁଭକାମରେ ମାଟିର କଳସୀ ବସେ, ମାଟିର ପ୍ରଦୀପ ଜଳେ, ମଲାବେଳେ ମୁହଁରେ ଦିଆଯାଏ ମୁଠାଏ ମାଟି, ଦେବୀଙ୍କ ମୂର୍ତ୍ତି ତିଆରି ପାଇଁ ମହାନଦୀ କୂଳରୁ ମାଟି ଉଠାଇ ଅନୁକୂଳ ହୁଏ, ମାଟି ଆମର ଅଗ୍ରପୂଜ୍ୟ।
ଏଇ ମାଟିକୁ ନେଇ ଅପୂର୍ବ ରସମାଧୁର୍ଯ୍ୟର କବି କାଳିଦାସଙ୍କର ପଟାନ୍ତରହୀନ ଉପମା ! ନଦୀକୁ ଜଳ ଆଣିବାକୁ ଯାଇଥିବା ଏକ ସୁନ୍ଦରୀ ଲଳନାର ହସ୍ତବେଷ୍ଟନ କରିଥିବା କଟିଦେଶର କଳସୀକୁ ଲକ୍ଷ୍ୟ କରି ସେ କହିଲେ, “ଆହା ! କେତେ କଷ୍ଟ ପାଇଲୁ ପିଣ୍ଡୁଳାଏ ମାଟି । ପାଦରେ ଚକଟା ହେଲୁ, ଚକରେ ଘୁରିଲୁ, କୁମ୍ଭାରର କାଠପିଟା ଖାଇଲୁ, ଖରାରେ ସିଝିଲୁ, ଶେଷକୁ ନିଆଁରେ ପଡିଲୁ । ଏତେ କଷ୍ଟ ପାଇଥିଲୁ ବୋଲି ସିନା ସୁନ୍ଦରୀ ଲଳନାର କଟି ଓ ବକ୍ଷ ସ୍ପର୍ଶ କରିବାର ସୁଯୋଗ ପାଇଲୁ” ।
ମାତ୍ର ମହାକବି କହିବାକୁ ଭୁଲିଗଲେ ଯେ ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ସେ କଳସୀର ଜଳ ତୃଷାର୍ତ୍ତ ପ୍ରାଣକୁ ମଧ୍ୟ କରେ ଶାନ୍ତ, ଶୀତଳ ।
ତୃଷିତକୁ ଶାନ୍ତ, ଶୀତଳ କରାଇବାରେ ସେ କଳସୀ ଗଢୁଥିବା ମଣିଷମାନେ ମଧ୍ୟ କମ୍ ଅଗ୍ନିପରିକ୍ଷା ଦିଅନ୍ତି ନାହିଁ । ତାଙ୍କର ପୃଥିବୀ ପଞ୍ଚଭୂତର ନିଦାନରେ ଗଢ଼ା । ମାଟି, ପାଣି, ପବନ, ନିଆଁ ଓ ତେଜକୁ ନେଇ ସେମାନଙ୍କ ଜୀବନ ଓ ଜୀବିକା । କୁମ୍ଭାରଚକ ସହ ଏକାକାର ସେମାନଙ୍କ ଜୀବନଚକ୍ର । ପ୍ରକୃତିକୁ ଆଧାର କରି ଜୀବନଧାରା ଓ ସୃଜନର ସଉଦା ।
ମାଟିକୁ ନେଇ ଖେଳୁଥିବା ମାଟିର ମଣିଷମାନଙ୍କୁ ଦେଖିବାକୁ ମିଳେ ସୁବର୍ଣ୍ଣପୁର, ବରଗଡ, ବଲାଙ୍ଗୀର, କେନ୍ଦୁଝର, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାର କେତେ କେତେ ଗାଁରେ । ସେଇସବୁ ଗାଁର ଭିତରକୁ ଆଖି ପକାଇଲେ ଦେଖିବାକୁ ମିଳେ ‘ଟେରାକୋଟା’ କାମର ଅପୂର୍ବ ପରିପାଟୀ । ପରସ୍ତ ପରସ୍ତ ହୋଇ ଥୁଆ ହୋଇଛି ସୃଷ୍ଟିର ସମ୍ଭାର, ଗେରୁଆ ରଙ୍ଗର ରୋଷଣୀ, ନୁଆଁଣିଆ ଚାଳ ଅବା ଖପରଲି ଘର, ଝୋଟିରେ ଚିତ୍ରିତ କାନ୍ଥ, ଆହୁରି ବି ଦେଖିବାକୁ ମିଳେ ଅଧାଗଢ଼ା ଜୀବନ । ନିଆଁ ଆଉ ଖରାରେ ହାତତିଆରି ଚିଜଗୁଡିକୁ ଟାଣ କରୁକରୁ ନିଜ ଜୀବନ ରହିଯାଏ କଞ୍ଚା, ଦରଶୁଖିଲା । ଲାଟିନ ଭାଷାରେ ମାଟିର ନାମ ‘ଟେରା’, ସେଇ ଟେରାକୁ ନେଇ କୂଟୀକାମର ଟେରାକୋଟା ।
ସେଇ ମାଟି, ବାଉଁଶ ପାତିଆ ଏବଂ ଆଙ୍ଗୁଠି ହିଁ ଏହି ଟେରାକୋଟା କଳାକୌଶଳର ମୁଖ୍ୟ ସାମଗ୍ରୀ । ସେତିକିରେ ଫୁଟିଉଠେ ଘୋଡା, ହାତୀ, ହାତର ଶଂଖା, କାନର ଫୁଲ, ବେକର ମାଳି, କାନ୍ଥର ଵାଲ ହାଙ୍ଗିଙ୍ଗ୍, ରାବଣବଧ, ଗଣେଶ, ଅଶ୍ୱମେଧ ଯଜ୍ଞ, ଭୀଷ୍ମ ଶରଶଯ୍ୟା, ନାବକେଳି, ଚନ୍ଦନଯାତ, ରଥଯାତ୍ରା, ପାଲିଙ୍କି, ସିନ୍ଧୁକ ହରେକ କିସମର ଘରସଜା ଜିନିଷ, ଘରର ନିତିଦିନିଆ ଉପକରଣ । ଏବେ ମଧ୍ୟ ଚାଲିଛନ୍ତି କେତେ କାରିଗର ପାରମ୍ପରିକତାକୁ ଧରି, କେତେକ ଦେଇଛନ୍ତି ଏଇ କଳାରେ ଆଧୁନିକତାର ସ୍ପର୍ଶ । ତେବେ ଆଧୁନିକ ଯୁବପିଢି ଏ କଳାକୁ ନେଇ ଜୀବନ ଜୀଇଁବା ପାଇଁ ଅନାଗ୍ରହୀ ମନେହୁଏ । ମାଟିରେ ଚିଲମ ବି ତିଆରି ହୁଏ ଆଉ କାମରେ ବି ଲାଗେ ।
ମାଟିକୁ ମା’ ଅନୁଭବି ଜୀଉଁଥିବା ଶିଳ୍ପୀଙ୍କୁ ଦେଖି ମନେପଡେ ସେଇ ଢଗ
“କୁମ୍ଭାର ଘର ବୋହୂ,
ମାଟିକୁ ନ ଗଲେ ଝାଟିକୁ ଯାଉ” ।
ଅର୍ଥାତ୍ କୁମ୍ଭାରଘର ଝିଅଟିଏ ଏ କାମ ଶିଖିଥାଏ, ବୋହୂ ହୋଇ ଗଲାପରେ ମଧ୍ୟ ସେ କାମ ତା’ର ଅବ୍ୟାହତ ରହେ । ଆଜି ମାଟି ସଂଗ୍ରହ ପାଇଁ ଗଲା ତ, କାଲିକୁ ଭାଟିରେ ହାଣ୍ଡି, କଳସୀ ପୋଡିବା ପାଇଁ ବଣରୁ ଝାଟି ଆଣିବାକୁ ଯିବ । ଏଇ ତ ଝାଟି, ମାଟି, ଭାଟିର ଖଟିଖିଆ ଜୀବନ ।
ତେବେ ଆନନ୍ଦ ଅଛି ସେଥିରେ । ମାଟି ସହିତ ଖେଳିବାରେ, ମାଟିକୁ ମନର ଢାଞ୍ଚାରେ ମନେଇବାରେ, ତାକୁ ଭାଟିରେ ରଙ୍ଗେଇବାରେ । ମାଟିକୁ ନେଇ ତ ମଣିଷର ଖେଳ କାଇଁ କେତେ କାଳର ।
ଏଇ ମାଟି ମଣିଷକୁ ରସପୁଷ୍ଟ କରାଏ ଫସଲ ଉପୁଜାଇ, ନରମା ମାଟିରୁ ଗଢା ପୋଡାଇଟାରେ ମଣିଷ ବାନ୍ଧେ ଘର । ପ୍ରାକ୍-ଐତିହାସିକ ଯୁଗରୁ ସେ ମାଟିପାତ୍ରରେ ରାନ୍ଧେ ଓ ଖାଏ । ଆଜିର ସମ୍ଭ୍ରାନ୍ତ ରୁଚିର ପ୍ରତୀକ ଚିନାମାଟିର ବାସନ । ଆମର ଇଷ୍ଟଦେବତା ଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗ ରନ୍ଧା ହୁଏ ମାଟିର କୁଡୁଆରେ, ମାଟି ସଦା ଶୁଦ୍ଧ ଓ ପବିତ୍ର, ପୁଣି ସର୍ବଶେଷରେ ମଣିଷ ମିଶିଯାଏ ସେଇ ମାଟିରେ । ମଣିଷ ଜୀବନଟା ଯେମିତି ଟେରାକୋଟାର ଏକ ପାକଶାଳା ।
ଟେରାକୋଟାର ସେଇ ଗାଁଗୁଡ଼ିକ ମଧ୍ୟ ସେହିପରି ମାଟିର ବନ୍ଧନ, ମାଟିର ମାୟାକୁ ନେଇ ଏକ ମୃଣ୍ମୟୀ ଚିତ୍ରଶାଳା, ଆମ ସଂସ୍କୃତିର ଏକ ଚିନ୍ମୟୀ ମୁଖଶାଳା ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago