ଲେଖା: ଦେଵ ତ୍ରିପାଠୀ

ଲୋକପ୍ରିୟ ଚଳଚ୍ଚିତ୍ର ‘ଡ଼ନ୍’ରେ ଚଳଚ୍ଚିତ୍ର ଜଗତର ମହାନାୟକ ଅମିତାଭ ବଚ୍ଚନଙ୍କ ଅଭୁଲା ନୃତ୍ୟ ଓ ଅଭିନୟ ଭରା ଗୀତ ‘ଖାଇ କେ ପାନ୍ ଵନାରସ ବାଲା . . ‘ ସହିତ ଓଡ଼ିଆ ସିନେପ୍ରେମୀ ନିଶ୍ଚିତ ଭାବେ ପରିଚିତ । ତେବେ ବନାରସୀ ପାନ ବୋଲି ଯେଉଁ ଏଡେ ନାଁ ର ଡାକ ସେ ପାନର ସ୍ବାଦିଷ୍ଟ ମସଲା ଉତ୍ତର ଭାରତର କେଉଁଠୁ ଆହରଣ କରା ଯାଉନା କାହିଁକି ସେଇ ବନାରସୀ ପାନର ବିକ୍ରେତା ପାନପତ୍ର ପାଇଁ କିନ୍ତୁ ନିର୍ଭର କରନ୍ତି ଆମ ଗଞ୍ଜାମର ପାନଚାଷୀଙ୍କ ଉପରେ ! ଅବଶ୍ୟ ଗତ ଦୁଇ ତିନି ଦଶନ୍ଧି ଭିତରେ ବିଭିନ୍ନ ପ୍ରାକୃତିକ ଓ (ଅ)ମାନବିକ କାରଣରୁ ବନାରସୀ ପାନବିକ୍ରେତା ଗଞ୍ଜାମ ଆଡୁ ଧ୍ୟାନ ହଟାଇ ସାରିଛନ୍ତି ।

ତେବେ ବିଭିନ୍ନ ପ୍ରକାରର ମସଲା ଉଦ୍ଭାବନ ଓ ପ୍ରସ୍ତୁତି କରି ବ୍ରହ୍ମପୁରୀ ପାନ ପାନପ୍ରିୟ ଓଡ଼ିଆଙ୍କ ସଉକ ମେଣ୍ଟାଇ ଆସୁଥିବା ବେଳେ ଶତାବ୍ଦୀ ଶତାବ୍ଦୀ ଧରି କଟକୀପାନର ରହିଆସିଛି ରାଜକୀୟ ଇତିହାସ; ସ୍ବତନ୍ତ୍ର ପ୍ରଜାତିର ପାନ ଚାଷ କରି ଜଗତସିଂହପୁର ଜିଲ୍ଲା ନିଜର ପରିଚୟ ସୃଷ୍ଟି କରିପାରିଥିବା ବେଳେ ପୁରୀ ଜିଲ୍ଲାର ପାନ ଯୋଡ଼ି ହୋଇପାରିଛି ଓଡ଼ିଆଙ୍କ ଇଷ୍ଟଦେବତାଙ୍କ ସେବାନୀତି ସହିତ । ସର୍ବୋପରି ବାଲେଶ୍ଵର ଜିଲ୍ଲା ରଚିଛି ପାନଚାଷ ବିଜଡ଼ିତ ଲୋମହର୍ଷଣକାରୀ ମୁକ୍ତିସଂଗ୍ରାମର ମହାର୍ଘ ଇତିହାସ ।

ଓଡିଆ ଜନଜୀବନରେ ଏଇ ପାନ ବା ତାମ୍ବୁଳ ସେବନର ବିଧି ପ୍ରାଚୀନ ଓ ବିବିଧ । ଏଇଠି ମନେପଡ଼େ କୋଣାର୍କ ଦେଉଳ ଗଢଣ ବେଳର କଥାଟିଏ ।

ତନ୍ମୟ ଶିଳ୍ପୀ ଗଢିଚାଲିଛି ମୃଣ୍ମୟ ସୁନ୍ଦର ମୂର୍ତ୍ତି । ନିବିଷ୍ଟ ନୟନଯୁଗଳ ତା’ର ପଥର ଉପରେ ସ୍ଥିର । ଚଳଚଞ୍ଚଳ ନିହଣ ମୁଗୁର । କପାଳରେ ସ୍ବେଦ, ଶରୀର ଘର୍ମାକ୍ତ । କ୍ଲାନ୍ତି ହଟାଇବା ଲକ୍ଷ୍ୟରେ ହାତ ତା’ର ଲମ୍ବିଯାଏ ପଛକୁ । ଶିଳ୍ପୀ ହାତରେ ଶ୍ରଦ୍ଧାରେ ଭାଙ୍ଗିଥିବା ସ୍ବାଦିଷ୍ଟ ପାନଟିଏ ବଢାଇ ଦିଅନ୍ତି କଳାପିପାସୁ ମହାରାଜା ଲାଙ୍ଗୁଳା ନରସିଂହଦେବ ।

ରାଜା ଲାଙ୍ଗୁଳା ନରସିଂହ ଦେବ ସ୍ନେହରେ ପାନବଟୁଆ ଧରି ପାନ ଭାଙ୍ଗି ବ୍ୟସ୍ତ ଶିଳ୍ପୀଙ୍କ ମନୋରଞ୍ଜନ କରୁଥିବା ଏ ଘଟଣା ପଛରେ ପାନର ଉପସ୍ଥିତି ସତରେ କେତେ ସାଂସ୍କୃତିକ ।

ପ୍ରେମାସ୍ପଦା ନାୟିକା ପ୍ରେମିକକୁ ପାନ ଦେଇ ମାନଭଞ୍ଜନ କରିବାଠାରୁ ଆରମ୍ଭ କରି ଓଡ଼ିଆ ଜାତିର ନିତିପୂଜ୍ୟ ଜଗନ୍ନାଥଙ୍କ ତାମ୍ବୁଳ ସେବନର ବିଧି ସତରେ ଅନନ୍ୟ ।

ଆମ ସାହିତ୍ୟ, ସଂସ୍କୃତି, ଜୀବନ, ଜୀବିକାରେ ପାନ ପ୍ରାଣପ୍ରାୟ ଉପସ୍ଥିତ । ‘ଆ କା ମା ବୈ, ଗୁଆ ପାନ ଖାଇ’ ବୋଇତବନ୍ଦାଣର ମାର୍ମିକ ଅଭିବ୍ୟକ୍ତି ଠାରୁ ବିବାହବେଦୀ ପୂଜାପାର୍ବଣ, ବ୍ରତୋପଚାରରେ ପାନର ଶୁଭଙ୍କର ଉପସ୍ଥିତି ସଦା ଅପରିହାର୍ଯ୍ୟ ।

ପାନ କେବଳ ଆମର ଧର୍ମ, ସଂସ୍କୃତି ସହିତ ଜଡ଼ିତ ନୁହେଁ, ବରଂ ବେଶି ବ୍ୟବସାୟର କେନ୍ଦ୍ର । ଆମ ରାଜ୍ୟର କେତେ କେତେ ମୁଲକରେ ପାନଚାଷର ଦିଗବଳୟ । ଲାଭକ୍ଷତି, ହତାଶା ଓ ଉଲ୍ଲାସରେ ମଗ୍ନ ପାନବରଜୀଙ୍କ ଜୀବନ, ଜୀବିକା ଓ ସଂଘର୍ଷର କାହାଣୀ ପଛରେ ପାନଚାଷର ପ୍ରଣାଳୀ ଓ ରୋଜଗାରର ପନ୍ଥା ଆଜି ବି ଚର୍ଚ୍ଚାର ବିଷୟ । ବିଶେଷ କୌତୁକର ବିଷୟ ବେକାରୀ ଜୀବନର ଛାୟା ପାନଦୋକାନ ଏବେ ମଧ୍ୟ ଓଡ଼ିଆ ପୁଅର ଗୌରବ ।

ଲତାଟିଏକୁ ଆଶ୍ରା କରି ଯେ ଏକ ସଂସ୍କୃତିର ମହାଦ୍ରୁମ ମୁଣ୍ଡ ଟେକେ ଏହା କ’ଣ କମ୍ ପ୍ରେରଣାପ୍ରଦ !

~ ଓଡ଼ିଆ ଜନଜୀବନରେ ବଟୁଆ ~
ଏବେ ଓଡ଼ିଆ ପୁଅ ଘରୁ ବାହାରିଲେ ହାତରେ ବହୁଦେଶୀୟ କମ୍ପାନୀର ସୁଟକେଶ୍, ଆଖିରେ ରଙ୍ଗୀନ ଚଷମା, ଘରୁ ବାହାରିବା ପାଇଁ ଗାଡ଼ି ପ୍ରସ୍ତୁତ ହୋଇ ଥିବ, ନଚେତ ଓଲା ଉବେର ଗାଡ଼ି ମଧ୍ୟ ଅଛି, ପଛରେ ରହିଯାଉଥିବା ଆତ୍ମୀୟଙ୍କ ଟା ଟା ବାଏ ବାଏ ଭିତରେ ଗାଡ଼ି ଭିତରକୁ ପଶିଯାଏ ଓଡ଼ିଆ । ବିମାନବନ୍ଦର ଆଡ଼କୁ ମୁହାଁଉ ମୁହାଁଉ ଷ୍ଟାଟସ୍ ଅପଡେସନ୍ ଫ୍ଲାଇଙ୍ଗ୍ ଫ୍ରମ୍ ଅମୁକ ଟୁ ସମୁକ !ହେଲେ ଓଡ଼ିଆ କ’ଣ ଏମିତି ଥିଲା ! କିଛି ଦଶନ୍ଧି ତଳେ ! ଓଡ଼ିଆର ରଙ୍ଗ ଥିଲା ଅଲଗା, ଢାଞ୍ଚା ଥିଲା ନିଆରା !ଓଡ଼ିଆ ପୁଅ ବାହାରକୁ ଯିବ, ପାନ ଚାରିଖଣ୍ଡ ନ ହେଲେ କି ଚଳେ ! କିନ୍ତୁ ପାନ ଦିଖଣ୍ଡ ଯେ ତିଆରି ନାହିଁ ଠିକ୍ ଶେଷ ବେଳକୁ ମନେ ପଡିଯିବ ସେ କଥା ! ଏବେ ବାହାଘର ବେଳକୁ ବାଇଗଣ ରୁଆ । ଅଥଚ ବଟୁଆ ଖଣ୍ଡକ ଯଦି ବାବୁ ରଖିଥା’ନ୍ତେ, ତା’ହେଲେ କି ଏତେ ହଲାପଟା ହୁଅନ୍ତେ ! ଘରୁ ବାହାରିଲେ ତ ବଟୁଆ ଖଣ୍ଡି ଅଣ୍ଟାରେ ଖୋସି ଚାଲିଲେ, ଯୁଠେଇଁ ଦରକାର ହେଲା ଖୋଲିଲେ, ପାନ ଖାଇଲେ, ପୁଣି ଚାଲିଲେ ।ଆମ ଓଡିଆ ଘର ବଟୁଆ ! ଆମ ଓଡିଆମିର ପ୍ରତୀକ ! ଓଡିଆର ଗଉରବ ! ସେ ବଟୁଆ କ’ଣ ଖାଲି ପାନ, ଗୁଆ, ଗୁଣ୍ଡି ରଖିବାର ଜାଗା ଥିଲା ! ସେଥିରେ ରହୁଥିଲା ପାନମସଲା, ଗୁଆକାତି, ଛୁରୀ, ଟଙ୍କାପଇସା, ଜଡ଼ିବୁଟି, ତିଳକ ଏମିତି କେତେ ଚିଜ ! ଖଣ୍ଡିଏ ଗାମୁଛା, ଢାଳଟିଏ, ଆଉ କିଛି ଦରକାରୀ ଚିଜର ଗଣ୍ଠିଲି ବା କୋଥଳି କାନ୍ଧରେ ପକାଇ, ଥାକୁଲୁ ଥୁକୁଲୁ ବଟୁଆଟିକୁ ଅଣ୍ଟାରେ ଖୋସି, ହାତରେ ବାଡି, ମୁଣ୍ଡରେ ଠେକାଟିଏ ଭିଡ଼ି, ପାଦରେ ହଳେ ଜୋତା ଗଳେଇଦେଇ ବାବୁ ବୁଲୁଥିଲେ କେତେ ଦୁନିଆଁ ! ଏଇ ଭେକରେ ଓଡ଼ିଆ ପୁଅ ଲଂଘୁଥିଲା ସାତ ସମୁଦ୍ର, ତେର ନଈ, ଜଙ୍ଗଲ ପାହାଡ଼ କେତେ କ’ଣ ! ଆଣୁଥିଲା କେତେ ଦରବ ନିଜ ମାଟିକୁ ! ଅର୍ଜୁଥିଲା କେତେ ପଇସା ନିଜ ମାଟି ପାଇଁ, ନିଜ ଘରପରିବାର ପାଇଁ !ଅର୍ଜନ କରିବା ପାଇଁ ନୁହେଁ, ବିଦେଶ ପଇସା ନିଜମାଟିକୁ ଆଣିବା ପାଇଁ ଓଡ଼ିଆ ବନୁଥିଲା ଏମନ୍ତ ବାଟୁଆଁ ! ଏଇ ବଟୁଆଟି ଥିଲା ତା’ର ଲମ୍ବା ଯାତ୍ରାର ସାଥୀ ! ଏଇ ବଟୁଆ ଥିଲା ଓଡିଆମିର ଅସଲ ପରିଚୟ ! ସାଥୀରେ ବଟୁଆ ଆଉ ହାତରେ ଠେଙ୍ଗାଟିଏ ଥିଲେ ଓଡ଼ିଆ କି ଡରୁଥିଲା ବଣଜଙ୍ଗଲକୁ !

ବଟୁଆର ପାନ ମଧ୍ୟ ଦୁନିଆକୁ ଦେଖାଏ ଓଡ଼ିଆ ଜାତିର ମହାନତା ! ଓଡ଼ିଆକୁ ପର ହାତଭଙ୍ଗା ପାନ ରୁଚେନା ! ଗାଁ ଗହଳିରେ ଓଡ଼ିଆ ଘରକୁ ଅତିଥି ଆସିଲେ, ଓଡ଼ିଆ ଅଣଓଡ଼ିଆ ବାବୁଙ୍କ ପରି ଚୂନଟିକିଏ, ଗୁଆ ନିଖିଏ ରେ ଚେପଟା ପାନଖଣ୍ଡେ ଲବଙ୍ଗ ମାରି ଆଣି ଦିଏନା । ସେ ଆଣି ଥୋଇଦିଏ ତା’ର ବଟୁଆ ବା ପାନପେଡି ! ବଟୁଆରେ ପାନ ଅଛି, ଚୂନ ଅଛି, ଗୁଆ ଅଛି, ଖଇର, ଜାଇଫଳ, ଗୁଣ୍ଡି, ଅଳେଇଚ ସବୁ ଅଛି, ଅତିଥିଦେବତା ତାଙ୍କ ମନକୁ ପାଇଲା ପରି ପାନ ଦି’ ଖଣ୍ଡ ଭାଙ୍ଗିନେବେ ।

ମୁଁ ଯେମିତି ମୋ ଘରକୁ ଅତିଥି ଆସିଲେ ମୋ ରୁଚି ଓ ମନକୁ ତାଙ୍କ ଉପରେ ଲଦି ଦେଇ ପାରିବି ନାହିଁ, ସେମିତି ମୁଁ କାହାରି ଘରକୁ ଗଲେ ମୋ ରୁଚି ଓ ମନକୁ କାହା ପାଇଁ ବଳିଦେଇ ପାରିବି ନାହିଁ !

ଇଏ ହେଉଛି ବଟୁଆର ସଂସ୍କୃତି, ବଟୁଆର ଶିକ୍ଷା, ଏଇ ହେଲା ପ୍ରଜାତନ୍ତ୍ର, ଗଣତନ୍ତ୍ର ! ଓଡ଼ିଆ ବଟୁଆ କହେ, ପ୍ରଜାର ହିତ ପାଇଁ, ପ୍ରଜାର ବୈଶିଷ୍ଟ୍ୟ ରକ୍ଷା ପାଇଁ ହିଁ ଶାସକଗୋଷ୍ଠୀ, ନିଜର ହିତ ଓ ନିଜର ସ୍ବାଧୀନତା ପାଇଁ ନୁହେଁ ! ଇଏ ହିଁ ପ୍ରଜାତନ୍ତ୍ର ଶାସନର ଅସଲ ମୂଳମନ୍ତ୍ର !

ଦିନେ କିନ୍ତୁ ଓଡ଼ିଆର ସେଇ ପାନବଟୁଆରେ କାହାରି ନଜର ଲାଗିଗଲା ପରା ! ଓଡ଼ିଆ ଘୃଣା କରିବସିଲା ତା’ ବଟୁଆକୁ, ବଟୁଆ ସଂସ୍କୃତିକୁ, ସଭ୍ୟତାର ଦ୍ୱାହି ଦେଇ ! ପଛକୁ ପକାଇଦେଲା ତା’ ଜାତିର ବୈଶିଷ୍ଟ୍ୟକୁ, ଭୁଲିଗଲା ତା’ ଜାତିର ବାହାଦୂରୀକୁ, ହଜାଇଦେଲା ତା’ କାରିଗରୀକୁ ! ସେଇ ‘ଓଡିଶା’ ଆଉ ଓଡ଼ିଶା ହୋଇ ରହିଲାନି !

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago