ଲେଖା: ସୁକାନ୍ତି ସାହୁ

ପୁରାଣ ଶାସ୍ତ୍ର ମାନଙ୍କ ମଧ୍ୟରେ ମତ୍ସ୍ୟ ପୁରାଣ, ସ୍କନ୍ଧ ପୁରାଣ, କାଳିକା ପୁରାଣଦେବୀ ଭାଗବତ ଇତ୍ୟାଦି ଗ୍ରନ୍ଥରେ ଏକଶହ ଆଠଗୋଟି ତନ୍ତ୍ରପୀଠର ନାମ ସମ୍ପର୍କରେ ସୂଚନା ଅଛି। କିନ୍ତୁ ତନ୍ତ୍ରସାର ଗ୍ରନ୍ଥରେ ଭାରତବର୍ଷରେ ଏକାବନ ଗୋଟି ତନ୍ତ୍ରପୀଠର ପ୍ରାଧାନ୍ୟ ସ୍ଵୀକାର କରାଯାଇଛି। ଏହି ଏକାବନ ଗୋଟି ତନ୍ତ୍ରପୀଠର ଐତିହାସିକ ଗୁରୁତ୍ୱ ଓ ପ୍ରାଚୀନତା ସମ୍ପର୍କରେ ଅନୁସନ୍ଧାନ କଲେ, ଆମେ ଓଡ଼ିଶାର ସର୍ବପୁରାତନ ଓ ପୁରାଣପ୍ରସିଦ୍ଧ ଶ୍ରୀ ବିରଜା ପୀଠର ନାମ ଦେଖିବାକୁ ପାଉଁ ।

ପ୍ରଥମେ ଏହି ପୀଠର ଉତ୍ପତ୍ତି ସମ୍ପର୍କିତ ପୌରାଣିକ ମତବାଦ ଉପରେ ଆଲୋକପାତ କରାଯାଇପାରେ। ପୁରାଣବର୍ଣ୍ଣିତ ଦକ୍ଷପ୍ରଜାପତି ନିଜ ଅନୁଶୋଚନାର ପ୍ରତିହିଂସାରେ ଶିବଯଜ୍ଞ ଆୟୋଜନ କରିଥିଲେ। ସେହି ଯଜ୍ଞାଗ୍ନିରେ ସ୍ଵାମୀଙ୍କ ଅପମାନ ସହି ନପାରି ସତୀଦେବୀ ଆତ୍ମାହୁତି ଦେଇଥିଲେ। ଏ ସମ୍ବାଦ ପାଇ ଦେବଦେବ ମହାଦେବ ତତକ୍ଷଣାତ ସେଠାରେ ଉପସ୍ଥିତ ହୋଇ ସତୀଙ୍କର ଅର୍ଦ୍ଧଦଗ୍ଧ ଶରୀରକୁ ସାଉଁଟି ନିଜ କାନ୍ଧରେ ପକାଇ ଭାରତ ଭ୍ରମଣ କରିଥିଲେ। ସେହି ଅର୍ଦ୍ଧ ଦଗ୍ଧ ଶରୀରରୁ ଭିନ୍ନ ଭିନ୍ନ ଅଙ୍ଗ ସ୍ଖଳିତ ହେବାରୁ, ତାହା ବିଭିନ୍ନ ସ୍ଥାନରେ ପଡ଼ିଲା। ସେଗୁଡିକ ପରବର୍ତ୍ତୀ ପର୍ଯ୍ୟାୟରେ ସିଦ୍ଧ ତନ୍ତ୍ରପୀଠରେ ପରିଣତ ହୋଇଥିଲା। ଏହି ଏକାବନ ଗୋଟି ତନ୍ତ୍ରପୀଠର ନାମ ହେଲା —
ହିଙ୍ଗୁଳା – ( ବେଲୁଚିସ୍ଥାନ )
ତ୍ରିନେତ୍ର – ଶର୍କର
ନେତ୍ରାଶ – ତାରା
ବାମକର୍ଣ – କରତୋୟାତଟ
ଡାହାଣ କର୍ଣ – ଶ୍ରୀ ପର୍ବତ
ନାସିକା – ସୁଗନ୍ଧା
ଭ୍ରୂ ମଧ୍ୟ – ବକ୍ରନାଥ
ବାମଗଣ୍ଡ – ଗୋଦାବରୀ
ଡାହାଣ ଖଣ୍ଡ – ଗଣ୍ଡୁକୀ
ଉର୍ଦ୍ଧଦନ୍ତ – ଅନଳ
ଅଧୋଦନ୍ତ – ପଞ୍ଚସାଗର
ଜିହ୍ୱା – ଜ୍ୱାଳାମୁଖୀ
କଣ୍ଠ – କାଶ୍ମୀର
ଗ୍ରୀବା – ଶ୍ରୀ ଶୈଳ
ଓଷ୍ଠ – ଭୈର ପର୍ବତ
ଉଦର – ପ୍ରଭାସ
ମର୍ମ – ପ୍ରଭାସ ଖଣ୍ଡ
ଚିବୁକ – ଜନ୍ମ ସ୍ଥାନ
ଦ୍ଵିହସ୍ତାଙ୍ଗୁଳି – ପ୍ରୟାଗ
ଡାହାଣ ହସ୍ତ – ମାନସ ସରୋବର
ଡାହାଣ ବାହୁ – ଚଟ୍ଟଗ୍ରାମ
ବାମ ସ୍କନ୍ଧ – ମିଥିଳା
ଡାହାଣ ସ୍କନ୍ଧ – ରତ୍ନାବଳୀ
ବାମ ମଣିବନ୍ଧ – ମଣିବନ୍ଧ
ଡାହାଣ ମଣିବନ୍ଧ – ମଣିଦେବ
ବାମ କହୁଣି – ଉଜ୍ଜୟିନୀ
ଡାହାଣ କହୁଣି – ରଣଖଣ୍ଡ
ବାମ ବାହୁ – ବହୁଳା
ଡାହାଣ ବାହୁ – ବକ୍ରେଶ୍ଵର
ବାମ ସ୍ତନ – ଜଳନ୍ଧର
ଡାହାଣ ସ୍ତନ – ରାମଗିରି
ପୃଷ୍ଟ ଦେଶ – କନ୍ୟାଶ୍ରମ
ହୃଦୟ – ବୈଦ୍ୟନାଥ
ନାଭି – ଉତ୍କଳ ବିରଜା
ଜଠର – ହରଦ୍ଵାର
କକ୍ଷ – କୋକ
କଙ୍କାଳ – କାଞ୍ଚି ଦେଶ
ବାମ ନିତମ୍ବ – କାଳ ମାଧବ
ଡାହାଣ ନିତମ୍ବ – ନର୍ମଦା
ଯୋନି – କାମରୂପ
ବାମ ଜାନୁ – ମାଳବି
ଡାହାଣ ଜାନୁ – ସ୍ରୋତୀ
ବାମ ଜଂଘ – ଜୟନ୍ତୀ
ଡାହାଣ ଜଂଘ – ନେପାଳ
ବାମ ପାଦ – ତିରୋଣ
ଡାହାଣ ପାଦ – ତ୍ରୀପୁରା
ବାମ ପାଦାଙ୍ଗୁଷ୍ଠ – କ୍ଷୀର ଗ୍ରାମ
ଡାହାଣ ପାଦାଙ୍ଗୁଷ୍ଠ – କାଳିଘାଟ
ବାମ ଗୁଲ୍ଫ – ବିଭତ୍ସ
ଡାହାଣ ଗୁଲ୍ଫ – କୁରୁକ୍ଷେତ୍ର
ବାମ ପାଦଙ୍ଗୁଳି – ବିନ୍ଧ୍ୟଶେଖର

ଉପରୋକ୍ତ ଏକାବନ ଗୋଟି ତନ୍ତ୍ର ପୀଠରୁ ‘ବିରଜା କ୍ଷେତ୍ର‘ ହେଉଛି ‘ନାଭିକ୍ଷେତ୍ର‘ ।


ପୁରାଣ ଅନୁସାରେ ପ୍ରତ୍ୟେକ ପୀଠରେ ଏକ ଭୈରବୀ ବା ଦେବୀ ବିଭିନ୍ନ ନାମରେ ପୂଜା ପାଉଛନ୍ତି। ଏମାନଙ୍କ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଜଣେ ଭୈରବ ଉଦ୍ଭବ ହେଲେ। ଏହି ମତ ଅନୁଯାୟୀ ବିରଜା କ୍ଷେତ୍ରର ଭୈରବୀ ହେଲେ ଶ୍ରୀବିରଜା ଏବଂ ଭୈରବ ହେଲେ ‘ଜୟ’। ଅନ୍ୟ କେତେକ ମତ ଦିଅନ୍ତି ଯେ, ଏହି ବିରଜା ଦେବୀ ପୁରୀର ଅଧିଷ୍ଠାତ୍ରୀ ‘ବିମଳା‘ ଓ ଭୈରବ ହେଉଛନ୍ତି ‘ଶ୍ରୀ ଜଗନ୍ନାଥ’। କହିବା ବାହୁଲ୍ୟ, ଶ୍ରୀଜଗନ୍ନାଥଙ୍କ ପୂଜାପାର୍ବଣରେ ପ୍ରଭୁ ଶ୍ରୀ ନିଳାଦ୍ରୀନାଥଙ୍କୁ ମଧ୍ୟ ‘ଭୈରବ‘ ରୂପେ ପୂଜା କରାଯାଇଥାଏ।
       
ଉଡ୍ଡୀଶ ତନ୍ତ୍ରର ଉଡ୍ଡୀୟାନ ପୀଠର ତୃତୀୟ ସ୍ତବକରେ ବର୍ଣ୍ଣନା କରାଯାଇଛି ଯେ, ସତୀଙ୍କର ଜିହ୍ୱା ଉଡ୍ରଦେଶରେ ପଡ଼ିଥିଲା। ଏହି ଉଡ୍ରଦେଶର କ୍ଷେତ୍ରାଧିଶ୍ଵରୀ ହେଉଛନ୍ତି ‘ବିମଳା’ । କାରିକା ପୁରାଣ ବର୍ଣ୍ଣିତ ଚଉଷଠି ଅଧ୍ୟାୟରେ –
“ରସନା ଉଡ୍ରଦେଶେଚ ବିମଳା ପୁରୁଷୋତ୍ତମେ,
ତଦୁଛିଷ୍ଟ ମହାପୀଠେ ଜଗନ୍ନାଥାଖ୍ୟ ଭୈରବଃ।”


ପୂର୍ବ ବର୍ଣ୍ଣନା ଅନୁସାରେ “ତନ୍ତ୍ରସାର ଗ୍ରନ୍ଥ” ଓ “କାଳିକା ପୁରାଣ’ ର ମତ ଭିନ୍ନତା ଦୃଷ୍ଟିରୁ ଜିହ୍ୱା ଜଳନ୍ଧର ଓ ପୁରୁଷୋତ୍ତମ ଉଭୟ କ୍ଷେତ୍ରରେ ପଡ଼ିଥିବାର ପ୍ରମାଣ ମିଳେ। କିନ୍ତୁ ଏହି ସ୍ଥାନରେ ଗୋଟିଏ ପ୍ରସଙ୍ଗ ଆମକୁ ନିଶ୍ଚିତ କରାଏ ଯେ, ସତୀଙ୍କ ନାଭି ବିରଜା ବା ଯାଜନଗ୍ର (ଯାଜପୁର)ରେ ପଡ଼ିଥିବାର ଦ୍ବିଧା ନାହିଁ। ତେବେ ଉଭୟ ବିରଜା ଓ ବିମଳା (ଉଭୟଙ୍କର) ଭୈରବ ଦେବତା ହେଉଛନ୍ତି ଶ୍ରୀଜଗନ୍ନାଥ।

ଏହି କ୍ରମରେ ଶ୍ରୀଜଗନ୍ନାଥଙ୍କ ଏକାକୀତ୍ଵକୁ ସ୍ଵୀକୃତି ଦେଇ କେତେକ ସମାଲୋଚକ ‘ବିମଳା’ ଓ ‘ବିରଜା’ଙ୍କ ଠାରେ ଅଭିନ୍ନତା ପ୍ରତିପାଦନ କରିଛନ୍ତି। ଶାସ୍ତ୍ରାନୁସାରେ,
“ଉତ୍କଳେ ନାଭି ଦେଶେଚ ବିରଜା କ୍ଷେତ୍ର ମୁଚ୍ୟତେ,
ବିମଳାତ୍ମା ମହାଦେବୀ ଜଗନ୍ନାଥସ୍ତୁ ଭୈରବ ।”
      
ପୁରାଣକୁ ବାଦ ଦେଇ ଶ୍ରୀବିରଜା ଦେବୀଙ୍କ ପ୍ରାଚୀନତା ସମ୍ପର୍କରେ ଅନ୍ୟ କେତେକ ମତବାଦକୁ ଗ୍ରହଣ କରାଯାଇପାରେ। ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ବୌଦ୍ଧତାନ୍ତ୍ରିକ ବଜ୍ରଯାନୀମାନେ ଭାରତର ବିଭିନ୍ନ ସ୍ଥାନରେ ପୀଠ ସ୍ଥାପନ କରିଥିଲେ। ପୂର୍ବବର୍ଣ୍ଣିତ ଭାରତର ଦେବୀପୀଠ ଗୁଡିକରେ ଯେଉଁ ଶାକ୍ତ ଉପାସନା ଚଳିଆସୁଥିଲା, କ୍ରମଶଃ ତାକୁ ଶିବଙ୍କର ପତ୍ନୀ ପାର୍ବତୀ ରୂପରେ ପରିକଳ୍ପିତ କରାଗଲା। ଅଜ୍ଞାନ ରୂପକ ମହୀଷକୁ ନାଶ କରିଥିବାରୁ ଏହି ପୁରାଣ ଦେବୀ ବୌଦ୍ଧତନ୍ତ୍ର ଦେବୀ ‘ମହିଷାମର୍ଦ୍ଦିନୀ‘ ହୋଇଗଲେ। ଅନ୍ୟାନ୍ୟ ବୌଦ୍ଧଦେବୀ ସମୂହ ସପ୍ତମାତୃକା, ଚଉଷଠୀ ଯୋଗିନୀବନଦୁର୍ଗା ପ୍ରଭୃତିରେ ନାମିତ ହେଲେ। ଅତଃ ସେହି ସ୍ଥାନରେ ‘ଶାକ୍ତତନ୍ତ୍ର’ ପ୍ରବର୍ତ୍ତିତ ହେଲା ଏବଂ ଦେବୀଗଣ ଶାକ୍ତତନ୍ତ୍ର ଦେବୀ ବୋଲାଇଲେ। ସେହି କାରଣରୁ ଯାଜପୁରର ଅଧିଷ୍ଠାତ୍ରୀ ‘ଶ୍ରୀବିରଜା’ ଶାକ୍ତ ତନ୍ତ୍ର ବିଧି ଅନୁସାରେ ପୂଜା ପାଉଛନ୍ତି।

ଆଧାର: ଡଃ ଦୁର୍ଗା ମାଧବ ପୃଷ୍ଟି, ଆମ ସାହିତ୍ୟ ଆମ ସଂସ୍କୃତି

Image Courtesy: Maa Biraja and SriLingaraj Mahaprabhu FB Page

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago