ଲେଖା: ଶିଶିର ସାହୁ ମନୋଜ

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏଘାନ୍ତି, ଘାନ୍ତି ଓ ଘାନ୍ତେ ଇତ୍ୟାଦି ଶବ୍ଦ ଵ୍ଯଵହାର ହୋଇଥିଵା ଦେଖାଯାଏ ।

ଓଡ଼ିଆ ଭାଷାରେ ଏଘାନ୍ତି ଶବ୍ଦଟି ଏଥରକ, ଏକ୍ଷଣି, ଵର୍ତ୍ତମାନ ଓ ଏକାଥରକେ ଇତ୍ୟାଦି ଅର୍ଥରେ ଏକ ଦେଶଜ ଅଵ୍ଯୟ ଭାଵେ ଵ୍ଯଵହାର ହେଉଥିଲା ।

ଏତତ୍ ଓ ଘାତ ଶବ୍ଦ ଯୁକ୍ତ ହୋଇ ଏଘାନ୍ତି ଶବ୍ଦର ସୃଷ୍ଟି । କେତେକ ପୁରାତନ ଗ୍ରନ୍ଥରେ ଏ ଶବ୍ଦଟି ୟେଘାନ୍ତି ଲେଖା ହୋଇଥିଵା ଦୃଶ୍ଯ ହୁଏ ।

ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ଵ୍ଯଵହାରର ଉଦାହରଣ ନିମ୍ନରେ ପ୍ରଦତ୍ତ ହେଲା,

● ଏଥରକ କୂଳକୁ ଚାହିଁ କେ ବୋଲନ୍ତି
ମରଣ ହୋଇଲା ଏଘାନ୍ତି
(ଜଗନ୍ନାଥ, ଭାଗବତ)

● ବଡ଼ ଵଳଵନ୍ତା ଏଘାନ୍ତି ପୁତ୍ର ଗୋଟିୟେ
ୟେଘାନ୍ତି ପ୍ରତ ଗୋଟିଏ ମାରିବି ।।
(ସାରଳା ମହାଭାରତ)

● ଅନେକ ସାନନ୍ଦ ଯେ ହୋଇଲେ ଶାୟେଂତନୁ
ୟେଘାନ୍ତି ସହିବ ଯେ ଆଶାବତୀର ତନୁ । ୧୫୯ ।
(ସମ୍ଭଵ ପର୍ଵ, ସାରଳା ମହାଭାରତ)

● ଦୁର୍ଭାସା ବୋଇଲେ ଆମ୍ଭେ ୟେଘାନ୍ତି ସେ ଅଇଲୁ
ପାଞ୍ଚ ବରଷ ହୋଇଲା ତୋର ରାଜ୍ୟରେ ରହିଲୁ ।
(କର୍ଣ୍ଣ ଜନ୍ମ ଉପାଖ୍ୟାନ, ସାରଳା ମହାଭାରତ)

● ବ୍ରହ୍ମାଣ୍ଡ ଭିତରେ ନ ଥିଲା ୟେଡେ କଥା।
ଏହି ଘାନ୍ତି ଲଘୁ ହୋଇଲା ଦଶମଥା ।।
(ରାବଣ ଛତ୍ରଭଙ୍ଗ, ଦାଣ୍ଡି ରାମାୟଣ)

● ଈଶ୍ୱର ବୋଇଲେ ତୁମ୍ଭେ ଶୁଣ ଗୋ ପାର୍ବତୀ,
କପିଳାସ କନ୍ଦର ନ ରହିବ ଏଘାନ୍ତି Ι
(ଗଦାପର୍ଵ, ମହାଭାରତ)

● ଏଠାକୁ କେମନ୍ତେ ଅଇଲା।
ଦଇବ ଯୋଗେ ନନ୍ଦବଳା ।।
କୂଳକୁ ଚାହିଁଣ ବୋଲନ୍ତି।
ମରଣ ହୋଇଲା ଏଘାନ୍ତି ।।
(ଶ୍ରୀମଦ୍ ଭାଗଵତ, ଦଶମ ସ୍କନ୍ଧ)

ସେଇଭଳି ଓଡ଼ିଆ ଭାଷାରେ ଘାନ୍ତି ଶବ୍ଦଟି କ୍ଷଣମାତ୍ର, ବା ଵା ଥର ଅର୍ଥରେ ଵ୍ଯଵହୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।

ସେଇଭଳି କଥିତ ଓଡ଼ିଆ ଶବ୍ଦକୋଷରେ ଘାନ୍ତି ବୋଲି ଶବ୍ଦଟିଏ ଢେଙ୍କାନାଳ ଗଡ଼ଜାତରେ ଥରକୁ ଥର ଅର୍ଥରେ ଵ୍ୟଵହୃତ ହେଉଥିଵା ଉଲ୍ଲେଖ ରହିଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଘାନ୍ତି ଶବ୍ଦଟି ତତ୍ସମ ଘାତା ସହ ସମଦ୍ଧୃତ ଅଟେ ।

ଘାନ୍ତେ ବୋଲି ଆଉ ଏକ ଶବ୍ଦ ମଧ୍ୟ ଓଡ଼ିଆ ସାହିତ୍ୟରେ କ୍ଷଣକେ, ଥରେ ଓ ଥରେ ମାତ୍ର ଅର୍ଥରେ ଵ୍ଯଵହୃତ ହେଉଥିଵା ଉଲ୍ଲେଖ ହୋଇଛି ।

କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖ ଅନୁଯାୟୀ ଘାନ୍ତେ ଶବ୍ଦଟି ଆଜି ବି କଳାହାଣ୍ଡି ଅଞ୍ଚଳର କଥିତ ଭାଷାରେ ଘାଁତେ ଭାଵେ ଥରେ ଓ ଥରେ ମାତ୍ର ଅର୍ଥରେ ଚଳୁଅଛି ।

ଏଘାନ୍ତି ଵା ୟେଘାନ୍ତି, ଘାନ୍ତି ଓ ଘାନ୍ତେ ଇତ୍ୟାଦି ଶବ୍ଦ ସମ୍ବନ୍ଧୀୟ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ଯେ ଆଗେ ଓଡ଼ିଶାରେ ଓଡ଼ିଆ ଭାଷାର ଅଧିକାଂଶ ନିଜସ୍ୱ ଶବ୍ଦ ହିଁ ପ୍ରଚଳିତ ରହିଥିଲା କିନ୍ତୁ ସମୟ ସହ ଓଡ଼ିଆ ଭାଷା ଅଧିକ ସଂସ୍କୃତନିଷ୍ଠ ଅଳ୍ପ ବହୁତେ ଵୈଦେଶିକ ଶବ୍ଦଯୁକ୍ତ ହେଵାରୁ  ଅନେକ ନିଆରା ଶବ୍ଦ ଲୁପ୍ତ ହେଵାକୁ ବସିଛି ।

ତେଵେ ଗଡ଼ଜାତରେ ଆଜି ବି ଅନେକ ନିଜସ୍ୱ ଓଡ଼ିଆ ଶବ୍ଦ ବଞ୍ଚିରହିଛି କିନ୍ତୁ ଆଧୁନିକ ସାହିତ୍ୟିକଙ୍କ ଦ୍ଵାରା ସେସବୁ ଓଡ଼ିଆ ଶବ୍ଦଗୁଡି଼କୁ ଆଞ୍ଚଳିକ ଆଖ୍ଯା ଦିଆଯିଵା ଯୋଗୁଁ ଆମ ଭାଷା ଗୋଟାଏ ପଟେ ଵୈଦେଶିକ ଶବ୍ଦମୟ ହେଉଥିଲାଵେଳେ ଅନ୍ୟଦିଗରେ ଆପଣାର ନିଜସ୍ୱ ଶବ୍ଦ ହରାଇଵା ଆରମ୍ଭ କରିଛି !

© ଶବ୍ଦଭେଦ

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

1 week ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

3 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago