ଅନେକ ଓଡ଼ିଆ ଶବ୍ଦ ହଜି ହଜି ଯାଉଛି । କାଳସ୍ରୋତରେ ହଜିଵାକୁ ବସିଥିଵା ଓଡ଼ିଆ ଶବ୍ଦଟିଏ ବୁଙ୍ଗା ।
ଥରକେ ପାଟି ଭର୍ତ୍ତିହେଵା ପରିମିତ ଖାଦ୍ଯ ଦ୍ରଵ୍ଯ ଵା ବଡ଼ ଗୁଣ୍ଡାକୁ ବୁଙ୍ଗା କୁହାଯାଏ । ଯେପରିକି: “ବୁଙ୍ଗାଏ ମୁଢ଼ି ପାଟିରେ ପୂରେଇ ସେ ଦଉଡ଼ିଗଲା ।”
ବୁଙ୍ଗା ଶବ୍ଦଟି ଅଧୁନା ଦେଓଗଡ଼ରେ ବୁଙ୍ଗା ବୁଙ୍ଗା = ଗୁଣ୍ଡା ଗୁଣ୍ଡା
ତଥା
ବାଲେଶ୍ବରରେ ବୁଙ୍ଗେ = ପାଟିଭର୍ତ୍ତି ଅର୍ଥରେ ଚଳୁଥିଵାର କଥିତ ଓଡ଼ିଆ ଶବ୍ଦକୋଷର ଉଲ୍ଲେଖରୁ ଜଣାଯାଏ ।
ଓଡ଼ିଶାରେ ଗରସା(ଗ୍ରାସ), ଗପା/ଗଫା (ମାରିଵା), ଗୁଣ୍ଡା, ଗେଫା, ଗେବଳା, ଗ୍ରାସ, ପିଣ୍ଡି, ଫାଲୁଆ(ଗୁଣ୍ଡା), ହାଁଉଆ/ହାଲୁଆ (ଗୁଣ୍ଡା) ଇତ୍ୟାଦି ଶବ୍ଦ ମଧ୍ୟରେ ବୁଙ୍ଗା ଶବ୍ଦ ଆଜି କୁଆଡ଼େ ହଜିଗଲାଣି !
ତେଵେ ମନରେ ପ୍ରଶ୍ନ ଆସେ ବୁଙ୍ଗା ଶବ୍ଦଟି କୌଣସି ତତ୍ସମ ଶବ୍ଦ ସହିତ ସମଦ୍ଧୃତ ନା ଦ୍ରାଵିଡ଼ କିଂଵା ମୁଣ୍ଡା ଜନଜାତୀୟ ମୂଳର ?
ଅନ୍ୟ ଭାଷାରେ ଏଭଳି ଶବ୍ଦ କିନ୍ତୁ ମିଳେନା ! ତେଣୁ ମୁଁ ନିଜେ ପରିକ୍ଷା କରି ଦେଖିଲି !
ଭାତ ଖାଇ ବସିଲାଵେଳେ ହାତରେ ଗୁଣ୍ଡା ତିଆରି କରନ୍ତେ ବୁଙ୍ଗା ବୁଙ୍ଗା ଶବ୍ଦ ସୃଷ୍ଟି ହେଉଥିଵାର ଅନୁଭଵ କଲି ।
ହାତରେ ଗୁଣ୍ଡା କରିଵା ସମୟରେ ଚାପିଲାଵେଳେ ବୁ ଓ ଛାଡି଼ଲାଵେଳେ ଙ୍ଗା ଭଳି ଶବ୍ଦ ହୋଇଥାଏ (ଆପଣ ବି ପରୀକ୍ଷା କରନ୍ତୁ) ।
ତେଣୁ ବୁଙ୍ଗା ଶବ୍ଦ ଓଡ଼ିଆ ଭାଷାର ନିଜସ୍ୱ ଏକ ନିଆରା ଓଡ଼ିଆ ଶବ୍ଦ ଏଵଂ ଏହା ଭାଷାଜଗତର ମୌଳିକ ପ୍ରାଚୀନ ଧ୍ଵନ୍ଯାନୁକରଣ ନିୟମାନୁସାରେ ସୃଷ୍ଟି ହୋଇଥିଵା ଶବ୍ଦଟିଏ ।
ମାଣ୍ଡାରିନ୍ ହେଉ କି ସଂସ୍କୃତ ଲାଟିନ୍ ହେଉ କି ଜୁଲୁ ସବୁ ଭାଷାର ପ୍ରାରମ୍ଭିକ ଶବ୍ଦଗୁଡି଼କର ସୃଷ୍ଟି ଧ୍ଵନ୍ଯାନୁକରଣ ଦ୍ଵାରା ହୋଇଅଛି ।
ଆମ୍ଭ ଦେଶର ଵିଦ୍ଵାନମାନେ ଏକଥା ଜାଣିଥିଵାରୁ ସଂସ୍କୃତ ଭାଷାରେ ମୂଳ ଧାତୁ ଶବ୍ଦର ପ୍ରଣୟନ କରିଯାଇଛନ୍ତି ।
● ସେମାନେ ଜାଣିଥିଲେ ପତ୍ର ପଵନରେ ହଲିଲେ ପତ୍ ପତ୍ ଶବ୍ଦ କରେ ତେଣୁ ସେମାନେ ପତ୍ ଧାତୁରୁ ପତ୍ର ଶବ୍ଦକୁ ନିଷ୍ପନ୍ନ କରିଛନ୍ତି ।
● ସେମାନେ ଜାଣିଥିଲେ ଝରଣାର ଜଳ କଳକଳ ନାଦ କରି ଗତି କରେ, ସେଥିପାଇଁ ସେମାନେ ଏହାର ମୂଳ ଧାତୁ କଲେ କଳ ଧାତୁ ଯାହାର ଅର୍ଥ ରଵ କରିଵା, ଶବ୍ଦ କରିଵା, ଗମନ କରିଵା ।
● ସେମାନେ ଜାଣିଥିଲେ ଅଗ୍ନିକୁ ଫୁଙ୍କି ଲିଭେଇଲାଵେଳେ ‘ହୁ’ ଭଳି ଧ୍ଵନ୍ଯାନୁକରଣ ହୋଇଥାଏ । ତେଣୁ ହୁ ଧାତୁର ସୃଷ୍ଟି କରାଗଲା ତାହାର ଅର୍ଥ ହେଲା ହୋମ କରିଵା ।
ଉଣ୍ଡିଲେ ଏହିପରି ଆହୁରି ଅନେକ ଉଦାହରଣ ଦିଆଯାଇପାରେ । ଧ୍ଵନ୍ଯାନୁକରଣ ଓ ତହିଁରୁ ସୃଷ୍ଟ କୌଣସି ଶବ୍ଦ ଵିଷୟରେ ଆପଣଙ୍କ ପାଖରେ ଅଧିକ ତଥ୍ୟ ଥିଲେ, ଏଠାରେ ନିଶ୍ଚୟ ପ୍ରଦାନ କରିଵାକୁ ଅନୁରୋଧ ରହିଲା !
© ଶବ୍ଦଭେଦ
~ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅଵଦାନ ~ ଉପସ୍ଥାପନା: ଶିଶିର ସାହୁ ମନୋଜ ଭାରତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସ…
ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…
ଲୋକସେବକ ନବକୃଷ୍ଣ ଚୌଧୁରୀ ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…
ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…
Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…