ଲେଖା: ନିରଞ୍ଜନ ସାହୁ

“ପ୍ରଚଣ୍ଡ ମାର୍ତ୍ତଣ୍ଡ ତାପେ ଦଗ୍ଧକ୍ଲିଷ୍ଟ କ୍ଲାନ୍ତି
ପଥଶ୍ରାନ୍ତ ପାନ୍ଥେ ଦେଉ ଛାୟା ଅବିଶ୍ରାନ୍ତ
ମହତ ହିତ ବ୍ରତର ଏ କି ତୋ ଦୃଷ୍ଟାନ୍ତ !
ଶିଖାଅ ହେବି ତୋ ସମ
ସୁବିନୀତ ନମ୍ର ମନ
ଅକାତରେ ଭବସେବା ଯାଉଥିବି କରି
ମୋ କ୍ଷୁଦ୍ର ଆୟାସେ ବହୁ କ୍ଲେଶ ନେବି ହରି
ପ୍ରତିଦାନେ ବିନା ହିତ କରିବି ତୋ ପରି” ।।

ବୃକ୍ଷ ଭଳି ଛାୟା ପ୍ରଦାନ କରିବାକୁ, ଶେଫାଳୀ ଭଳି ଫୁଟି ସୁଗନ୍ଧ ବିତରଣ କରିବାକୁ, ସ୍ରୋତସ୍ଵିନୀ ସଦୃଶ କଳକଳ ନାଦରେ ପ୍ରବାହିତ ହେବାକୁ, ପଦ୍ମ ସଦୃଶ କମନୀୟ କାନ୍ତି ଓ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇ, ମଧୁମକ୍ଷିକା ପରି ଏ ଫୁଲରୁ ସେ ଫୁଲ ଡେଇଁ ଡେଇଁ ମଧୁ ସଂଗ୍ରହ କରି ଏବଂ ଶେଷରେ ବୃନ୍ତଚ୍ୟୁତ ହୋଇ ଭୂପତିତ ହେବାର ଅଭିପ୍ସା କେବଳ ଆପଣଙ୍କର ଥିଲା ମାଆ !

ସମ୍ମାନୀୟା, ପୂଜ୍ୟା ମାଆ ମୋ’ର !

ଆପଣଙ୍କ ହାତରେ ନଥିଲା ବୀଣା, ପୁସ୍ତକ ବି ନଥିଲା ଅପର ହସ୍ତରେ ! ହେ ଭଗବତୀ ଉତ୍କଳ ଭାରତୀ ! କୌଣସି ମଣ୍ଡପରେ ସ୍ଥାନିତ ହୋଇ ନା ପାଇଥିଲେ ଆପଣ ପୂଜାର୍ଚ୍ଚନା, ନା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବାର୍ଷିକ ପୂଜୋତ୍ସବରେ ଆବାହନ କରି ଆପଣଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରୁଥିଲେ, ନା କୌଣସି ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା କରି ନିତ୍ୟ ଧୂପ, ଦୀପ, ନୈବେଦ୍ୟ ପ୍ରଦାନ କରୁଥିଲେ କେହି, ତଥାପି ଆପଣ ସରସ୍ଵତୀ, ଜାନଭିକା, ଭାରତୀ ! କୌଣସି ବ୍ୟକ୍ତିବିଶେଷଙ୍କ ପୂଜିତା ଭାରତୀ ନୁହନ୍ତି, କୌଣସି କ୍ଷୁଦ୍ର ବା ବୃହତ ଅନୁଷ୍ଠାନର ଭାରତୀ ନୁହନ୍ତି ! ଆପଣ ଯେ ସଂସ୍କୃତିସମ୍ପନ୍ନ ଆର୍ଯ୍ୟାବର୍ତ୍ତ ଉତ୍କଳଖଣ୍ଡର ଭାରତୀ !

ଆପଣ ଯେ ଉତ୍କଳ ଭାରତୀ !

ଆପଣଙ୍କ ସମ୍ପର୍କରେ ଦି’ପଦ ଲେଖିବାର ସାହସ ମୋ’ର ବା କାହୁଁ ଆସିବ ? ଉତ୍କଳର ଗୁଣୀ ଜନେ ଆପଣଙ୍କର ସଠିକ ମୂଲ୍ୟାୟନ କରିପାରିବେ ତ ? ସନ୍ଦେହ ………!

ତଥାପି, ନୈଷଧୀୟ ଗୁଣ ସମ୍ପନ୍ନ ହେ ମାଆ ଉତ୍କଳ ଭାରତୀ ! ଆପଣଙ୍କ ସମ୍ପର୍କରେ ଅଣୁସମ ଜାଣିଥିବା ଏ ଅଧମ ଓଡ଼ିଆ ପୁଅଟି ଦି’ଧାଡ଼ି ଲେଖି ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରୟାସ କରୁଚି ! ଶ୍ରଦ୍ଧାଞ୍ଜଳି ଘେନିବା ହେବେ !


~ ଧରାବତରଣ ~
ଉନ୍ନବିଂଶ ଶତାବ୍ଦୀର ପାହାନ୍ତି ତାରା ଆକାଶରୁ ଅଦୃଶ୍ୟମାନ ହେଉଥିଲେ । ସିନ୍ଦୁରା ଫାଟି ଆସୁଥିଲା। ସ୍ଥାନ ନେଉଥିଲେ ଲୋହିତ ଆଭା ମଣ୍ଡିତ ବାଳସୂର୍ଯ୍ୟ ! ନୂତନ ଉତ୍ସାହ, ନବଚେତନା ମଧ୍ୟରେ ପ୍ରତିଭାତ ହେଉଥିଲା ଏକ ନୂତନ ଶତାବ୍ଦୀ । ଆଶା ଓ ଉଦ୍ଦୀପନାର ଶତାବ୍ଦୀ – ବିଂଶ ଶତାବ୍ଦୀ । ସେହି ବିଂଶ ଶତାବ୍ଦୀର ପ୍ରଥମ ପାବଚ୍ଛ ପରେ ଗୋଡ଼ ବଢ଼ୁଥିଲା ଦ୍ଵିତୀୟ ପାବଚ୍ଛ ଆଡ଼କୁ । ଜାନୁଆରୀ ଅନ୍ତେ ଫେବୃଆରୀର ପ୍ରବେଶ । ପ୍ରଥମ ସପ୍ତାହର ଶେଷ ଦିବସ — ୭ ତାରିଖ, (କେତେକଙ୍କ ମତରେ ୮ ତାରିଖ, ତେବେ ମା’ କୁନ୍ତଳା କୁମାରୀ ସାବତଙ୍କ ଜନ୍ମଦିନ ଫେବୃଆରୀ ୭ ତାରିଖ, ବୋଲି ପ୍ରାଚୀ ସାହିତ୍ୟ, କଟକଙ୍କ କୃତ କୁନ୍ତଳା କୁମାରୀ ଗ୍ରନ୍ଥାବଳୀ ରେ ସ୍ଥାନିତ), ଆପଣ ଧରାବତରଣ କଲେ । ଓଡ଼ିଶା ବୋଲାଉଥିବା ରାଜ୍ୟରେ ନୁହେଁ, ଓଡ଼ିଶାର ପଡ଼ୋଶୀ ରାଜ୍ୟ ବସ୍ତର ଅଞ୍ଚଳରେ । ବାପା ଥିଲେ ଡାନିଏଲ୍ ସାବତ ଏବଂ ମାଆ ମନିକା ଦେବୀ । ଡାନିଏଲ୍ ସାବତ କଟକ ଜିଲ୍ଲାର ଜମ୍ବୁ ଅଧିବାସୀ ଏବଂ ମାଆ ମନିକା ଦେବୀ (ସାମନ୍ତରାୟ) ଖୋର୍ଦ୍ଧା ନିବାସୀ । ଦୁହେଁ ଥିଲେ ଓଡ଼ିଶାର ଅଧିବାସୀ । ତେଣୁ ଜଣେ ଓଡ଼ିଆଣୀ ଭାବରେ ହେଲା ଆପଣଙ୍କର ଧରାବତରଣ ।

~ ଶିକ୍ଷା ଓ ବାଲ୍ୟାବସ୍ଥା ~
ଆପଣଙ୍କ ପିତା ଡାନିଏଲ୍ ସାବତ ଥିଲେ ଜଣେ ଡାକ୍ତର ଏବଂ ମାଆ ମନିକା ଦେବୀ ଗୃହିଣୀ । ଆପଣଙ୍କ ବାପାଙ୍କ ବଦଳି ହୁଏ ବସ୍ତର ରାଜ୍ୟର ଜଗଦଲପୁର । ତେଣୁ ଶୈଶବରୁ ଆପଣ ପଢ଼ିବା ଆରମ୍ଭ କଲେ, ଓଡ଼ିଆ ନୁହେଁ ହିନ୍ଦୀ । ଅଳ୍ପ କେତେ ବର୍ଷର ରହଣୀ ପରେ ଡାକ୍ତର ଡାନିଏଲ୍ ବଦଳି ହୁଅନ୍ତି ବର୍ମା ଦେଶକୁ । ଗୋଟିଏ ଅଣ ଓଡ଼ିଆ ପରିବେଶରେ ଆପଣ ଆଉ ଓଡ଼ିଆ ପଢ଼ିବେ ବା କୁଆଡ଼ୁ ? ତଥାପି ମାଆ ମନିକା ଦେବୀ ଆପଣଙ୍କୁ ଘରେ ରଖି ଓଡ଼ିଆ ଶିଖାଇଲେ । ନିଜ ମାତୃଭାଷା ସହ ଆପଣ ପଢ଼ିଚାଲିଲେ ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁ ଓ ବଙ୍ଗଳା । ବର୍ମାରେ ରହି ଓଡ଼ିଆ ବର୍ଣ୍ଣବୋଧ, ସାହିତ୍ୟ କୁସୁମ, ଓଡ଼ିଆ ରାମାୟଣ ଇତ୍ୟାଦି ପଢ଼ି ପିଲାଦିନରୁ ନିଜ ମାତୃଭାଷାକୁ ଭଲ ପାଇ ବସିଲେ ଆପଣ ।

~ ଝଡ଼ ହିଁ ବିଭୀଷିକା ପୂର୍ଣ୍ଣ ~
“ଜୀବନର ସୁଖ ସୂର୍ଯ୍ୟ ହୋଇଛି ତ ଅସ୍ତ,
ନିର୍ବାଣ ଆନନ୍ଦ, ତୃପ୍ତି, ଉତ୍ସବ ସମସ୍ତ,
ମାଡ଼ି ଆସେ ଚତୁର୍ଦ୍ଦିଗୁଁ ଘୋର ଅନ୍ଧକାର,
ହାହାକାର ! ହାହାକାର ! ହାହାକାର ସାର” !

ସମ୍ମାନୀୟା ମା’ ଉତ୍କଳ ଭାରତୀ କୁନ୍ତଳା କୁମାରୀ !
ଆପଣଙ୍କ ଜୀବନୀର କେତୋଟି ପୃଷ୍ଠା ଉପରେ ଦୃଷ୍ଟିପାତ କଲେ, ବେଳେ ବେଳେ ମନେହୁଏ ବ୍ୟାସକବି ଆପଣଙ୍କୁ ଲକ୍ଷ୍ୟ କରି ଏଇ ପଦଟି ଲେଖି ନାହାଁନ୍ତି ତ ? ବୋଧେ ନୁହେଁ ! ତେବେ ଆପଣଙ୍କର ଜୀବନ ତ ଜଞ୍ଜାଳମୟ ଏବଂ ହତାଶାର ପୃଷ୍ଠା ! ଆପଣଙ୍କ ପାଇଁ ସତରେ ତ ପ୍ରଯୁଜ୍ୟ ଏହା,
“ଜୀବନ ତ ଖାଲି ନିରାଶାର ବାଲି,
ମରୁମରୀଚିକା ସେନେହ ପ୍ରୀତି”।
          
ଏଭଳି ହାହୁତାଶମୟ ଜୀବନ ତ କେବଳ ଆପଣଙ୍କ ପାଇଁ, ଯେପରି ବିଧି ସୁନିର୍ଦ୍ଦିଷ୍ଟ କରି ମର୍ତ୍ତ୍ୟକୁ ପଠାଇଥିଲେ ଆପଣଙ୍କୁ ! ଓଡ଼ିଶାରେ କେହି ବ୍ୟକ୍ତିତ୍ଵ ଅଛନ୍ତି, ଆପଣଙ୍କ ପରି ହୁତାଶମୟ ଜୀବନରେ ଗତି କରିଥିବା ? ମୋ କ୍ଷୁଦ୍ର ମତରେ ତ ‘ନା’ । ଟିକେ କହିରଖେ

~ ଶୈଶବର ଝଡ଼ ~
“ଏଇ ଯେ ଆସୁଛି ଝଡ଼,
ସଖୀ ତା’ରେ କର ନମସ୍କାର” ।
ସେ ଝଡ଼କୁ ଆପଣ ନମସ୍କାର କଲେନି, ସହିନେଲେ ।

ଉଚ୍ଚ ପଦାଧିକାରୀ ଡାକ୍ତରଙ୍କ କନ୍ୟା ହୋଇ ଆପଣ ବଞ୍ଚିତ ହେଲେ ନିଜ ମାତୃଭାଷା ଶିକ୍ଷାରୁ । ଏବଂ ତାପରେ ପିତା ଡାନିଏଲ୍ ଭଲପାଇ ବସିଲେ, ଆଉ ଜଣେ  ସମ୍ପର୍କୀୟାଙ୍କୁ । ବାପା ଏବଂ ମାଆ ମନିକା ଦେବୀଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଲା । ପିତୃସୁଖରୁ ବଞ୍ଚିତ ହେଲେ ଆପଣ, ଏବଂ ମାଆ ମନିକା ଦେବୀ ? ବର୍ମା ପରିତ୍ୟାଗ କରି ପାଞ୍ଚଟି ସନ୍ତାନଙ୍କୁ ଧରି ଚାଲି ଆସିଥିଲେ ଖୋର୍ଦ୍ଧା । ବହୁ କଷ୍ଟରେ ଆପଣଙ୍କୁ ସେଠାର ପ୍ରାଇମେରୀ ସ୍କୁଲରେ ପାଠ ପଢ଼ାଇଲେ । ପାରିବାରିକ ପରିସ୍ଥିତି ନେଇ ମା’ ପୁଣି ଖୋର୍ଦ୍ଧା ପରିତ୍ୟାଗ କରି ଚାଲିଆସିଲେ କଟକ । ଆପଣ ପଢ଼ିଲେ ରେଭେନ୍ସା ବାଳିକା ବିଦ୍ୟାଳୟରେ । ସେଇଠି ପାଠ ଶେଷ କରି, କଟକ ମେଡିକାଲ ସ୍କୁଲରେ ନାମ ଲେଖାଇଲେ ଆପଣ । କୃତିତ୍ଵର ସହ ସମଗ୍ର ଓଡ଼ିଶା-ବିହାର ମେଡିକାଲ ପରୀକ୍ଷାରେ ହେଲେ ପ୍ରଥମ । ଆପଣ ହୋଇଗଲେ ଓଡ଼ିଶା ରାଜଧାନୀ କଟକ ସହରରେ ପ୍ରଥମ ଓଡ଼ିଆ ଡାକ୍ତର ୧୯୨୧ ମସିହାରେ ।

~ ଆଦ୍ୟ ଯୌବନର ଝଡ଼ ~
ପ୍ରଥମ ଯୌବନରେ ପିତୃହୀନ ଏକ ନିସଙ୍ଗ ତରୁଣୀକୁ ସଖ୍ୟ ଦାନ କରି ଅନୁଗୃହୀତ କରିବାକୁ ଅନେକ ଲୋଲୁପ ଦୃଷ୍ଟିଧାରୀ ଯୁବକ ଆଗେଇ ଆସିବା ଯେମିତି ଆମ ସଂସ୍କାରହୀନ ସମାଜରେ ଏକ ଚିରାଚରିତ କୌଶଳ ! ଆପଣଙ୍କ କ୍ଷେତ୍ରରେ ତା’ର ବିଚ୍ୟୁତି ଘଟିବ କେମିତି ? ଆପଣ ଡାକ୍ତରୀ ପଢ଼ିଲେ । ସହାୟକ ହେଲେ ଶିକ୍ଷକ କୈଳାସଚନ୍ଦ୍ର ରାଓ । ଆପଣଙ୍କ ପ୍ରତି କୈଳାସ ବାବୁଙ୍କର ଥିବା ସ୍ନେହ, ଶ୍ରଦ୍ଧା, ଅନୁରକ୍ତି ଭିନ୍ନ ମୋଡ଼ ନେଲା । ଆପଣ ଥିଲେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଏବଂ କୈଳାସ ବାବୁ ବ୍ରାହ୍ମସମାଜ ଧର୍ମୀ । ବିବାହିତ ଓ ଦୁଇ ସନ୍ତାନଙ୍କ ଜନକ ହୋଇ ମଧ୍ୟ ସେ ହାତ ବଢ଼େଇ ଥିଲେ ଆପଣଙ୍କୁ ଆଦରି ନେବା ପାଇଁ । ଆପଣ ଖ୍ରୀଷ୍ଟଧର୍ମ ତ୍ୟାଗ କରି ହୋଇଗଲେ ବ୍ରାହ୍ମଧର୍ମୀ ।

କିନ୍ତୁ . . .
ପ୍ରତାରଣା କରି ଦୂରେଇ ଗଲେ କୈଳାସ ଚନ୍ଦ୍ର ରାଓ।
କେତେ ପ୍ରତାରଣା, କେତେ ବିଷର୍ଣ୍ଣତା ସତେ !

ସାଧାରଣ ମଣିଷଟିଏ ଯେ ବିବେକୀ, ଯେ ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରିଯାଏ, ସେ ଛଳନା କ’ଣ ଜାଣିବ କୁଆଡ଼ୁ । ସଭିଏଁ ତା ପାଇଁ ଈଶ୍ବରଙ୍କ ପ୍ରେରିତ ଦେବଶିଶୁ ! କୃତ୍ରିମତା ଆସିବ କେମିତି ମନରେ ଏହି ଛଳନାପୂର୍ଣ୍ଣ ସଂସାର ସମ୍ପର୍କରେ। ଆପଣ ଥିଲେ ସେହି ବର୍ଗର ମଣିଷ । ମନର ମଣିଷ କୈଳାସ ରାଓଙ୍କୁ ସେଥିପାଇଁ ସେ ପର୍ଯ୍ୟନ୍ତ ଅବିଶ୍ବାସ କରିନଥିଲେ ଆପଣ । ମନର ଆଶା ମଉଳି ନଥିଲା ମଧ୍ୟ । ଏହି ସମୟରେ ପହଞ୍ଚିଲେ ଦିଲ୍ଲୀରେ କାର୍ଯ୍ୟରତ ଓଡ଼ିଆ ମଣିଷ ଜଣେ ଆପଣଙ୍କ ପାଖରେ, ‘ଡାକ୍ତର କୃଷ୍ଣ ପ୍ରସାଦ ବ୍ରହ୍ମଚାରୀ’ । କୈଳାସ ରାଓଙ୍କ ସହ ବିବାହ କରେଇ ଦେବାର ପ୍ରତିଶୃତି ଦେଲେ । ଆପଣ ବି କଥାରେ ଭଳିଗଲେ । କଟକରୁ ଡାକ୍ତର ପଦବୀରୁ ଇସ୍ତଫା ଦେଇ ଚାଲିଲେ ଦିଲ୍ଲୀ ୧୯୨୮ ମସିହା ଜୁଲାଇ ମାସରେ । ଦିଲ୍ଲୀ ଆର୍ଯ୍ୟ ସମାଜରେ ନାମ ପଞ୍ଜିକରଣ କଲେ । କୈଳାସ ରାଓଙ୍କୁ ଖୋଜି ଖୋଜି ନିରାଶ ହେଲେ ବୋଲି ବ୍ୟକ୍ତ କଲେ ଡାକ୍ତର କୃଷ୍ଣ ପ୍ରସାଦ ବ୍ରହ୍ମଚାରୀ ।

ଶୈଶବରୁ ପିତୃସୁଖରୁ ବଞ୍ଚିତ, ବିବାହିତ ପ୍ରେମିକଙ୍କ ପ୍ରତାରଣା, ମାଆଙ୍କର ଦାରିଦ୍ର୍ୟ, ସୁଦୂର ପ୍ରିୟ ଓଡ଼ିଶାରୁ ଅନ୍ତର — ଏସବୁ ଦୁଃଖ ମନରେ ଜମାଟ ବାନ୍ଧି ସାରିଥିଲା । ଆଶ୍ରୟ ପାଇଁ ସାହାରା ତ ଦରକାର ! ଏପଟେ ଡାକ୍ତର କୃଷ୍ଣପ୍ରସାଦ ବ୍ରହ୍ମଚାରୀ। ସଂସାରୀ ହୋଇଯିବାକୁ ମନ ବଳାଇଲେ ଆପଣ, ବିବାହ ବନ୍ଧନରେ ବାନ୍ଧି ହୋଇପଡ଼ିଲେ କୃଷ୍ଣ ପ୍ରସାଦ ବ୍ରହ୍ମଚାରୀଙ୍କ ସହ ।

ତେବେ ସର୍ବଦା ବିଡ଼ମ୍ବନା ହିଁ ବିଡ଼ମ୍ବନା ! କୃଷ୍ଣ ପ୍ରସାଦ ଡାକ୍ତର ନଥିଲେ, ଜଣେ କମ୍ପାଉଣ୍ଡର ମାତ୍ର, ଗୋଟିଏ ଔଷଧ ଦୋକାନରେ ଫାର୍ମାସିଷ୍ଟ ଭାବେ ଅବସ୍ଥାପିତ । ବ୍ରହ୍ମଚାରୀ ବି ନୁହଁନ୍ତି, ସାଙ୍ଗିଆ ଥିଲା ‘ବ୍ରହ୍ମଚାରୀ’ । ସେତେବେଳକୁ ଆଉ କିଛି ବାକି ନଥିଲା । ଆପଣ ପ୍ରତାରଣା, ପ୍ରବଞ୍ଚନା ମଧ୍ୟରେ ରହି ମଧ୍ୟ, ଶେଷକୁ ବାନ୍ଧି ହୋଇ ରହିଲେ ସାଂସାରିକ ଜୀବନ ସୂତ୍ରରେ ।

ଦୁଦୈବ ନିକଟରେ ସ୍ଵୟଂ ଭଗବାନ ଯେଉଁଠି ଏତେ ଅସହାୟ, ସେତେବେଳେ ମାତ୍ର ଦି’କଡ଼ାର ଜୀବ ମଣିଷ କଥା ବା କ’ଣ କହିବା ?
“ଅହଂ ହି ତତ୍ କରିଷ୍ୟାମି ପରଂ ପୁରୁଷକାରତଃ,
ଦୈବଂ ତୁ ନ ମୟାଶକ୍ୟଂ କର୍ମ କର୍ତ୍ତ୍ଵଂ କଥଞ୍ଚନ”

ପରମପୂଜ୍ୟା, ସର୍ବ ବନ୍ଦନୀୟା ମାଆ !

ଆପଣଙ୍କ ଜୀବନ କାହାଣୀ ଧରି ବିଶ୍ଳେଷଣ କରିବାକୁ ବସିଲେ ବିଷଣ୍ଣତାରେ ଭରିଯାଏ ମନ । ସ୍ରଷ୍ଟା, ସର୍ବନିୟନ୍ତାଙ୍କୁ ପଚାରିବାକୁ ମନ ବ୍ୟଗ୍ର ହୋଇଉଠେ – “ହେ ସ୍ରଷ୍ଟା ! ହେ ବିଧାତା ! କ’ଣ ଥିଲା ମୋ ମାଆର ଅପରାଧ ? କେଉଥିପାଇଁ  ବାଲ୍ୟାବସ୍ଥାରୁ ଛାୟାଛନ୍ନ ବଟବୃକ୍ଷର ଶୀତଳତା ଅପସରି ଗଲା, ଯାହାର ନାମ ବାପା ? କେଉଁ ଅପରାଧରେ ମନର ମଣିଷ ମୋ ମାଆର ଆବେଗ ପ୍ରବଣତାର ହାତଟାକୁ ବାରମ୍ବାର ଫେରାଇ ଦେଇ, ଶୁଷ୍କ ଉପଦେଶ ଦେଇ କଣ୍ଟକିତ ପଥକୁ ଠେଲି ଦେଲେ, ଡାକ୍ତର କୈଳାସ ଚନ୍ଦ୍ର ରାଓ ? କେଉଁ ଦୋଷ କରିଥିଲେ ମୋ’ର ମାଆ, ଯାହାଙ୍କୁ ଏପରି ଜଣେ ଲୋକ ସହ ଯୋଡ଼ି ଦେଲେ, ଯେଉଁଠି କେବଳ ପ୍ରତାରଣା ଓ ପ୍ରବଞ୍ଚନା ହିଁ ଜୀବନର ଭିତ୍ତି, ଯାହାର ନାମ ଡାକ୍ତର (!) କୃଷ୍ଣ ପ୍ରସାଦ ବ୍ରହ୍ମଚାରୀ, ପରମ ଆତ୍ମୀୟ ସ୍ଵାମୀ ? ଏ ତିନି ଦୁଷ୍ଟଗ୍ରହ ତ ତମରି ସୃଷ୍ଟି । ହେ ବିଧାତା ! ଭୟଙ୍କର ଦୁଃସ୍ଵପ୍ନ ଭରି ଦେଇ ଜୀବନଟାକୁ ନାରଖାର କରିଦେଲ କ’ଣ ପାଇଁ ମୋ ମାଆର, ହେ ବିଧାତା ?? “

ଏସବୁ ମୋ ପ୍ରଶ୍ନ ତମ ପାଇଁ ହେ ସ୍ରଷ୍ଟା ! କୃତାଞ୍ଜଳି ପୁଟେ ପ୍ରାର୍ଥନା କରୁଛି, ମୋ ଶତ୍ରୁକୁ ମଧ୍ୟ ଏଭଳି ଦଣ୍ଡ ନ ଦେବାକୁ !

ହେଲେ ମୋ’ର ମା’, ଉତ୍କଳଖଣ୍ଡର ଭାରତୀ ? ଉତ୍କଳ ଭାରତୀ ! ସେ ତ ସର୍ବଂସହା ! ସହିବାକୁ ଜନ୍ମ ନେଇଥିଲେ, ନିଜେ ଜଳିଜଳି ଏକ ଅସହାୟା କନ୍ଦୁକ ସମ ଏ ବିନ୍ଦୁରୁ ଆଉ ଏକ ବିନ୍ଦୁକୁ ଉଡ଼ିଯିବାର ପ୍ରୟାସ କରିଥିଲେ, ଆଉ ସଫଳ ହୋଇଥିଲେ ମଧ୍ୟ, କାରଣ ତାଙ୍କ ଜୀବନର ଅନ୍ଵେଷଣ ଥିଲା ନିଆରା । ଚକିତ ହୋଇଥିଲା ବିଶ୍ଵ, ଭାରତବର୍ଷ ଏବଂ ଏହି ଉତ୍କଳ ମାଟି —
ବାଜ ହୃଦବୀଣା ସୁମୋହନ ସ୍ଵରେ
ଲାଗ ଆଜି ମନ ପୁଣ୍ୟ କର୍ତ୍ତବ୍ୟରେ
ମାତି ମଧୁମାସେ ନବ ଉତ୍ସାହରେ
ଫୁଲ ପରି ହସିହସି
ଆନନ୍ଦେ କରିବି ଜୀବନର କର୍ମ
ବୃଥା ନ ରହିବି ବସି ।

ମାଆ,
ଏତେ ଦୁଃଖ, ଯାତନା, କ୍ଳେଶ, ଅସହାୟତା, ଅଶାନ୍ତି ଆପଣ ରହିଥିଲେ ସ୍ଥିର, ସ୍ଥିତପ୍ରଜ୍ଞ । ସେଇଥିପାଇଁ ତ ଆପଣଙ୍କ ସୃଷ୍ଟି ସମୂହ ମୋହିନୀ ମନ୍ତ୍ରରେ ଉଦ୍ଦୀପିତ  କରିଥିଲା ସମଗ୍ର ଓଡ଼ିଆ ଜାତିକୁ, ପାଠକ ମାନଙ୍କୁ, ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ସାରସ୍ଵତ ଜଗତକୁ ।

ଆଧ୍ୟାତ୍ମିକତାର ଉଜ୍ଜ୍ୱଳ ପ୍ରକାଶ, ରହସ୍ୟବାଦୀତାର ସ୍ଵର, ଆଶାବାଦର ଅପୂର୍ବ ସ୍ଵରଝଙ୍କାର, ଛାନ୍ଦସିକତା, ପ୍ରକୃତି ପ୍ରେମ, ଦେଶପ୍ରୀତି, ଶବ୍ଦଗୁମ୍ପନ ଚାତୁରୀ, ଚିନ୍ତାର ବ୍ୟାପକତା, କରୁଣ ରାଗିଣୀ, ସାଙ୍ଗୀତିକ ମର୍ଯ୍ୟାଦା ଇତ୍ୟାଦିରେ ରୁଦ୍ଧିମନ୍ତ ଆପଣଙ୍କ ସମସ୍ତ ସୃଷ୍ଟି । ସେଇଥିପାଇଁ ତ ଆପଣ ଉତ୍କଳ ଭାରତୀ !

କେବଳ ଏତିକି ନୁହେଁ ମା’ !

କବିବର ରାଧାନାଥ ରାୟଙ୍କ ଉତ୍କଳପ୍ରେମ, ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ସମ ନୈସର୍ଗିକ ଶକ୍ତିର ଅଧିକାରୀ, ପଲ୍ଲୀକବି ନନ୍ଦକିଶୋରଙ୍କ ସର୍ଜନାରେ ପଲ୍ଲୀଚିତ୍ର, ସରସ୍ଵତୀ ଫକୀରମୋହନ ସେନାପତିଙ୍କ ଅନୁଭବର କବିତା, ଭକ୍ତକବି ମଧୁସୂଦନ ରାଓଙ୍କ ବିଭୁପ୍ରେମ, ପଞ୍ଚସଖା ସାହିତ୍ୟର ଉଦବୋଧନ — ଏ ସମସ୍ତ ଆପଣଙ୍କ ସୃଷ୍ଟିରେ ବିମଣ୍ଡିତ !

ହେ ଉତ୍କଳର ସୁକନ୍ୟା,

ଆପଣ ଥିଲେ ପାହାନ୍ତି ତାରା ସଦୃଶ ସଦା ଛଳଛଳ, ଶାନ୍ତ ସାଗର ପରି ଗଭୀର ଓ ବର୍ଣ୍ଣିଳ, ବୈତରଣୀ ସମ ପବିତ୍ର, ଜାତୀୟତାର ଭାବନାରେ ପ୍ରତିନିୟତ ଚଞ୍ଚଳ, ବୈପ୍ଳବିକତାର ସ୍ଫୁଲିଙ୍ଗରେ ପ୍ରୋଜ୍ଜଳ, ମାନବିକତାର ଭାବନାରେ ତରଳ, ବିଭୁ ପଦାରବିନ୍ଦରେ ସମର୍ପିତ ! ସେଇଥିପାଇଁ ଆପଣଙ୍କ ସମ୍ପର୍କରେ ଦି’ପଦ —

“ଯୌବନ ହିଁ ଜୀବନର ସମ୍ପଦ, ଭାବୁକତା ଓ କବିତାର ଶୁଦ୍ଧ ଅବକାଶ ଯୌବନରେ ହିଁ ସମ୍ଭବ । ଏହାହିଁ ଅନନ୍ତ ମାନବାଶାର ପରମପୀଠ । ଏତେବେଳେ କାବ୍ୟନିଷ୍ଠା ମାନବର ବିଳାସ ନୁହେଁ, ପ୍ରକୃତିଗତ । ବିଧାତାଙ୍କର  ଆପଣଙ୍କ ଠାରେ ସେ ଅନୁଗ୍ରହ ପ୍ରକାଶ ପାଇଛି, ତାହା ସାବ୍ୟସ୍ତ କରିବାର ଅବକାଶରେ ରହି, ଆପଣ ଏତେବେଳେ କାବ୍ୟଦେବୀଙ୍କୁ ସେବାରେ ବିଶେଷ ନିରାଶ କରିବେ ନାହିଁ ବୋଲି ଅନୁରୋଧ କରେ । କାମନା କରେ ବିଧାତାଙ୍କର ଶୁଭ ଆଶୀର୍ବାଦରେ ଆପଣଙ୍କ କାବ୍ୟକଳାରେ ପୁଷ୍ପ ବୃଷ୍ଟି ହେଉ । ଉତ୍କଳ ଭାରତୀ ଆପଣଙ୍କ ସେବାରେ ତୁଷ୍ଟ ହୁଅନ୍ତୁ ।” (ପଣ୍ଡିତ ନୀଳକଣ୍ଠ ଦାସ)

“ଏତେ ଅଳ୍ପ ବୟସରେ ଏବଂ ସାହିତ୍ୟ ଚର୍ଚ୍ଚାର ପ୍ରତିକୂଳ ଡାକ୍ତରି ବିଦ୍ୟାନୁଶୀଳନ ମଧ୍ୟରେ ନାରୀ କାହିଁକି, ପୁରୁଷ ଲେଖକ ଓ କବି ମଧ୍ୟରେ ସୁଦ୍ଧା କୁନ୍ତଳାଙ୍କ ପ୍ରତିଦ୍ଵନ୍ଦୀ ଉତ୍କଳରେ ବିରଳ । ତଦୀୟ ନିସର୍ଗଦତ୍ତ ପ୍ରତିଭା ହିଁ ତାଙ୍କର ଅଦ୍ଭୁତ ବିକାଶର ହେତୁ ବୋଲି ପ୍ରତୀୟମାନ ହୁଏ ।” (ପଲ୍ଲିକବି ନନ୍ଦକିଶୋର ବଳ)

“କବି ଯେ ମଧୁର ଭାବରେ ପ୍ରଣୋଦିତ ହୋଇ ଏହି ମଧୁର ରସମୟୀ ଗୀତି-ନାଟିକା-ରତିକାଟିକୁ ଲଳିତ ମଧୁର ପଦାବଳୀ ସୁମନାରେ, ଚିର ମଧୁ-ସମୟ- ବିନୋଦିନୀ ଦେବୀ ବୀଣାପାଣିଙ୍କ ସୌରଭମୟ ସୁମନା-କୁଞ୍ଜର କମନୀୟ ଅଙ୍ଗକୁ ଅଧିକତର ସୌରଭମୟ କରି ମଧୁ ବର୍ଷଣ କରିପାରିଅଛନ୍ତି, ତାହା ଉତ୍କଳର ଗୃହେ ଗୃହେ ସଞ୍ଚାର ଲାଭ କରି ଜନସାଧାରଣଙ୍କ ମନ ମୁଗ୍ଧ କରିପାରିବ, ଏହା ମୋର ଧାରଣା ।” (ଡ. ଆର୍ତ୍ତବଲ୍ଲଭ ମହାନ୍ତି)

“ଏହାଙ୍କର ଯେଉଁ ସକଳ ଗଦ୍ୟ ରଚନା ଧର୍ମପ୍ରାରଣତାର ସୂଚନା କରେ, ତହିଁରୁ କେତୋଟି ବଙ୍ଗ ଭାଷାରେ ଅନୁଦିତ ଓ ପ୍ରକାଶିତ ହୋଇଛି । ଏହାଙ୍କର ସାହିତ୍ୟିକ ଭବିଷ୍ୟତ ଅତି ଉଜ୍ଜ୍ୱଳ । ମୁଁ ମନେକରେ, ଏ ନିଜର ବିଶିଷ୍ଟତାରେ ଓଡ଼ିଆ ସାହିତ୍ୟରେ ଗୋଟିଏ ବିଶେଷ ସ୍ଥାନ ଅଧିକାର କରିବେ ଓ ଉତ୍କଳ-ଗୌରବରେ ତାହାଙ୍କ ପ୍ରଦତ୍ତ ଅଳଙ୍କାର ଚିରଦିନ ଯାଏଁ ସ୍ମରଣ କରିବ” । (ବିଜୟଚନ୍ଦ୍ର ମଜୁମଦାର )

 

~ କେତେ ଯେ ସୃଷ୍ଟି ସମ୍ଭାର ~
ମାତ୍ର ୩୮ ବର୍ଷର ଆୟୁକାଳ । ସେଥିରେ ଷୋହଳ ବର୍ଷର ସାହିତ୍ୟିକ ଜୀବନ । ଅଭିଶପ୍ତ ଏକ ଜୀବନଧାରା ଭିତରେ ଛନ୍ଦି ହୋଇ ଶ୍ଵାସରୁଦ୍ଧକାରୀ ପରିବେଶରେ ସମୟ ଅତିବାହିତ କରୁଥିବା, ୧୯୨୧ରୁ ଷୋହଳ ବର୍ଷର ରୋଗୀସେବା, ଡାକ୍ତରୀ ଜୀବନର ବ୍ୟସ୍ତତା ମଧ୍ୟରେ କବିତ୍ଵର ସରୋବରରେ କିନ୍ତୁ ଫୁଟି ଉଠିଥିଲେ ଆପଣ ଏକ ହାସ୍ୟମୟୀ, ଲାସ୍ୟମୟୀ ପଦ୍ମ ସଦୃଶ । କୌଣସି ଗୁଣରେ କମ୍ ନଥିଲେ ଆପଣ ସେ ସମୟରେ ମୁଣ୍ଡ ଟେକୁଥିବା ସବୁଜ ଗୋଷ୍ଠୀ ଓ ସତ୍ୟବାଦୀ ସାହିତ୍ୟିକଙ୍କ ମଧ୍ୟରେ । ଏହା କିନ୍ତୁ ରୂପ ନେଇଥିଲା ସାହିତ୍ୟ ସୃଷ୍ଟିରେ ! ପାଠକଙ୍କ ମଧ୍ୟରେ ଏକ ସୁନ୍ଦର ଭାବମୂର୍ତ୍ତି ନେଇ ପ୍ରତିଭାତ ହେଲେ ଆପଣ । ତେଣୁ ସୃଜିଲେ, ଅଞ୍ଜଳି, ଉଲ୍ଲାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ଵାନ, ପ୍ରେମ ଚିନ୍ତାମଣି, ଓଡ଼ିଆଙ୍କ କାନ୍ଦଣା, ଗଡ଼ଜାତ କୃଷକ, ମଣିକାଞ୍ଚନ, ଭ୍ରାନ୍ତି, ନଅତୁଣ୍ଡୀ, ପରଶମଣି, କାଳୀବୋହୂ, ରଘୁ ଅରକ୍ଷିତ, ନାରୀ, ଚିତ୍ରପଟ, ଜାଗରଣ, ସତୀତ୍ଵ, Neglected Land ଇତ୍ୟାଦି ଇତ୍ୟାଦି ।

ହିନ୍ଦୀ ସାହିତ୍ୟରେ ଏକ ପ୍ରତିଷ୍ଠିତ କବୀ ହୋଇ ସାରସ୍ଵତ ସାଧକ ଭାବେ ପରିଚିତ ହେଲେ । ପତ୍ରିକା ସମ୍ପାଦନା କ୍ଷେତ୍ରରେ ମାସିକ ପତ୍ରିକା ଜୀବନ, ମହାବୀର, ନାରୀ ଏବଂ ଭାରତୀ ଥିଲା ଅନ୍ୟତମ ।

~ ସ୍ଵାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀ ~
ଆପଣଙ୍କ ଭାଷାପ୍ରୀତିର ପଟାନ୍ତର ନାହିଁ । ଓଡ଼ିଶାରେ ପଢ଼ିଲେ ମାତ୍ର ସାତ ବର୍ଷ । ହେଲେ ଓଡ଼ିଆ, ଓଡ଼ିଆ ହୋଇ କୀର୍ତ୍ତି ରଖିଗଲେ କାଳକାଳକୁ । ଆପଣ ଏତେ ଭଲ ପାଉଥିଲେ ଓଡ଼ିଆ ଭାଷାକୁ !
“କ୍ଷୁଦ୍ର ମମ ମାତୃଭାଷା ଫୁଲ ଅଞ୍ଜଳିରେ
କ୍ଷୁଦ୍ର ନୁହେଁ ସେହି ଆହା ପବିତ୍ର, ମହତ
ମୋର ଭାଷା ବଡ଼ ସିନା ମୋହରି କତିରେ;
କେ ଭାବୁ ତାହାକୁ ନୀଚ, ସେ ମୋର ଅମୃତ” ।

~ କୃତଘ୍ନ ନୁହେଁ ଏ ଜାତି ~
ଆପଣ ଥିଲେ ଶରତ ଆକାଶର ଚନ୍ଦ୍ରମା ସଦୃଶ । ଶୀତଳ ତାପ ଓ ଜ୍ୟୋତ୍ସ୍ନାରେ ପରିପ୍ଳୁତ କରିଥିଲେ ଓଡ଼ିଆ ସାହିତ୍ୟକୁ, ହିନ୍ଦୀ ସାହିତ୍ୟକୁ ଏବଂ ଡାକ୍ତରୀ ସେବା କ୍ଷେତ୍ରକୁ ।

ବହୁବିଧ ସମାଜ କଲ୍ୟାଣ କାର୍ଯ୍ୟ ତଥା ସାରସ୍ବତ ସାଧନା ନିମନ୍ତେ ଭାରତର ଆର୍ଯ୍ୟ ସମାଜ ଆପଣଙ୍କୁ ଭୂଷିତ କଲେ “ଭାରତୀଭୂଷଣ” ଉପାଧିରେ ।

ଆପଣ ଥିଲେ କଲିକତା ‘ପ୍ରବାସୀ ଓଡ଼ିଆ ସମ୍ମିଳନୀର’ ସଭାପତି, All India Youth League ର ସଭାପତି, ଜୈନ ସମାଜ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି, ଝାନସୀରାଣୀ ଲକ୍ଷ୍ମୀବାଇ ଜୟନ୍ତୀ କମିଟିର ସଭାପତି । ପୁରୀ ମୁକ୍ତି ମଣ୍ଡପ ପଣ୍ଡିତ ସଭାର ପ୍ରଶଂସା ପତ୍ର ପାଇଥିଲେ ଆପଣ ।

ଏବଂ ଓଡ଼ିଆ ଭାଇଭଉଣୀ ମାନେ ୧୯୨୫ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ ଆପଣଙ୍କୁ ଭୂଷିତ କଲେ, ଉତ୍କଳ ଭାରତୀ ଉପାଧିରେ । ସାଂସ୍କୃତିକ ପୀଠ ଶ୍ରୀରାମଚଂଦ୍ର ଭବନ, କଟକରେ ସ୍ଥାନିତ ହେଲା ଆପଣଙ୍କ ତୈଳ ଚିତ୍ର । ବହୁ କମ୍ ଓଡ଼ିଆଙ୍କ ଭାଗ୍ୟରେ ମିଳେ ଏପରି ସମ୍ମାନ । 

~ ଆମରି ମୁହଁରୁ ପଦୁଟିଏ ~
ବନ୍ଦନୀୟା, ଗୌରବଗ୍ରଥିତା, ସ୍ନେହଶୀଳା କୋଟି କିର୍ତ୍ତିମାଳିନୀ ମା’ !

ଆଜି ଆପଣ ନାହାଁନ୍ତି । ୧୯୩୮ ମସିହା ଅଗଷ୍ଟ ୨୩ ତାରିଖରୁ ଆପଣ ନିରୁଦ୍ଦିଷ୍ଟା, କାଳ ଗର୍ଭରେ ଲୀନ । ଆପଣ ଯିବା ପରେ ପରେ ଆପଣଙ୍କ ସୃଷ୍ଟିରେ ଥିବା ମାନବବାଦୀତା, ଜାତୀୟତା, ବୈପ୍ଳବିକତା, ସେବାଭାବ ଆମେ ବି ଭୁଲିଯାଇଛୁ ଏମିତିରେ । କିନ୍ତୁ ଆପଣଙ୍କୁ ଭୁଲିନୁ ଏ ପର୍ଯ୍ୟନ୍ତ । ଏବେ ଆପଣ ସଶରୀରେ ନଥାଇ ମଧ୍ୟ ଯୁଗ ଯୁଗ ଧରି ପ୍ରତି ଓଡ଼ିଆର ହୃଦୟ ସିଂହାସନରେ “ଉତ୍କଳ ଭାରତୀ” ରୂପେ ଅଧିଷ୍ଠିତା ହୋଇ ରହିଥିବେ । ସବୁଦିନ ପାଇଁ ମନେ ରହିଥିବ ଶେଫାଳୀ ପରି ଅଳ୍ପ ଆୟୁ ନେଇ ଆସିଥିବା ମା’ଙ୍କୁ । ଗୁଞ୍ଜରିତ ହେଉଥିବ –
“କ୍ଷୁଦ୍ର ମୁହିଁ ଦୀନ ମୁହିଁ ରେଣୁକଣା ଜଗତେ,
ଚାହିଁଲେ ବିଶାଳ ବିଶ୍ଵ ଆସୁଛି କି ପରତେ,
କ୍ଷୁଦ୍ର ହେଲେ ସୁଦ୍ଧା ମୁହିଁ,
ଅକାରଣେ ଜନ୍ମି ନାହିଁ,
ଅନନ୍ତ ବିନାଶ ମୋର ଲେଖା ନାହିଁ କପାଳେ ,
ଏକ ରାତି ପାଇଁ ଫୁଟି ଝଡ଼ିଯିବି ସକାଳେ ।”

ଆଧାର: ପ୍ରାଚୀ ସାହିତ୍ୟ କୃତ କୁନ୍ତଳା କୁମାରୀ ଗ୍ରନ୍ଥାବଳୀ; ‘ଓଡ଼ିଆ ସାହିତ୍ୟର ଇତିହାସ’ (ବିଭିନ୍ନ ସମାଲୋଚକ); “ଆମେ ଓଡ଼ିଆ”

ମା’ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ଦିନ ଫେବୃଆରୀ ମାସ ସାତ ତାରିଖ, ଯାହା କୁନ୍ତଳା କୁମାରୀ ଗ୍ରନ୍ଥାବଳୀ (ପ୍ରାଚୀ ସାହିତ୍ୟ ସଙ୍କଳିତ)ରେ ସ୍ଥାନିତ ।

admin

View Comments

  • ଉଛ୍ଵସିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି... ମହିୟସୀଙ୍କୁ ବିନୀତ ପ୍ରଣାମ ଓ ଆପଣଙ୍କୁ ସାଧୁବାଦ l

  • ଉଛ୍ଵସିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି... ମହିୟସୀଙ୍କୁ ବିନୀତ ପ୍ରଣାମ ଓ ଆପଣଙ୍କୁ ସାଧୁବାଦ l

Recent Posts

କପାଳୀ ମଠ

ଲେଖା: ଅମ୍ବିକା ପଟ୍ଟନାୟକ   ∼ କପାଳୀ ମଠ : ଓଡ଼ିଆ ସାମରିକ ଶକ୍ତିର ଅଭ୍ୟୁତ୍ଥାନ ପୀଠ ∼ ଭୁବନେଶ୍ୱରର…

2 weeks ago

ଶ୍ରୀଧର ସ୍ୱାମୀ

ଲେଖା: ଅମ୍ବିକା ପଟ୍ଟନାୟକ ∼ ଆଚାର୍ଯ୍ୟ ଶ୍ରୀଧର ସ୍ୱାମୀ : ଭାବାର୍ଥ ଦୀପିକା ବାଣୀ ∼ ମୂକଂ କରୋତି ବାଚାଳମ…

2 weeks ago

ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ ∼ କବି ଲେଖନୀରେ ଜାତି ଐରାବତ ∼ ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ…

2 weeks ago

ଉତ୍ତରେଶ୍ଵର ମହାଦେବ ମନ୍ଦିର

ଲେଖା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ ~ ଉତ୍ତରେଶ୍ଵର ମହାଦେବ ମନ୍ଦିର ~ ଦିନ ଥିଲା, ବିରୂପା ତଟରେ…

3 weeks ago

କୁମ୍ଭେଶ୍ୱର ମହାଦେବ ମନ୍ଦିର

କୁମ୍ଭେଶ୍ୱର ମହାଦେବ ମନ୍ଦିର ଉପସ୍ଥାପନା: ଅମର ପ୍ରସାଦ ଓ ଶ୍ରୀକାନ୍ତ ସିଂହ  ଆଠଗଡ଼ର ଚିର ହରିତ ପ୍ରକୃତି, ଶାନ୍ତ-ସ୍ନିଗ୍ଧ ବାତାବରଣ…

3 weeks ago

ମାଣବସା ଗୁରୁବାର

ମାଣବସା ଗୁରୁବାର  ଉପସ୍ଥାପନା: ଅମୃତେଶ ଖଟୁଆ ଲକ୍ଷ୍ମୀ ମାଆ ଦେଖିଲେ ଯାଇ ନଗରୀ-ପ୍ରାନ୍ତରେ ଚଣ୍ଡାଳର କୁଟୀରଟିଏ ଅତୁଳ ଛବି ଧରେ…

3 weeks ago