ଲେଖା: ଶିଶିର ସାହୁ ମନୋଜ

କିଛି ବୁଦ୍ଧିଜୀବୀ ଫେସବୁକ୍ ମାଧ୍ୟମରେ ପ୍ରଚାର କରୁଛନ୍ତି ଯେ ଓଡ଼ିଆ ଭାଷାଟା ନିତାନ୍ତ ଅଵୈଜ୍ଞାନିକ ଭାଷା କାରଣ ଓଡ଼ିଆ ଭାଷାରେ fire crackersକୁ ବାଣ କୁହନ୍ତି କିନ୍ତୁ ଭାରତର ହିନ୍ଦୀ ଭଳି ତଥାକଥିତ ମହାନ ମହାନ ଭାଷାରେ ବାଣର ଅର୍ଥଟା ତୀର ଵା ଶର ଅଟେ । ଆମେ ଫଟକା କହୁଛୁ ହିନ୍ଦିଭାଷୀ ବି ଆମପରି पटाख़ा କହୁଛନ୍ତି  ଇତ୍ୟାଦି . .

ସେଇ ଅଳ୍ପମତି ଛୁଆମାନେ କିନ୍ତୁ ବାଣ ଶବ୍ଦର ନିରୁକ୍ତି ଜାଣିନାହାନ୍ତି କି ଫଟକା ଶବ୍ଦର ମୂଳ ଵିଷୟରେ ତାଙ୍କର କାଣିଚାଏ ବି ଜ୍ଞାନ ନାହିଁ ତେଣୁ ସେମାନେ ଏଭଳି ହୀନ ମନ୍ତଵ୍ଯ ପ୍ରଚାର କରୁଅଛନ୍ତି ବୋଲି ଅନୁଭୂତ ହୁଏ ।

ତେଵେ ପ୍ରଥମତଃ ଓଡ଼ିଆ ଭାଷାରେ ଉଭୟ ଫଟକା ଓ ବାଣ ଶବ୍ଦ ରହିଛି ଏଵଂ ଦୁଇଟିଯାକ ଶବ୍ଦ ଵିଭିନ୍ନ ଅର୍ଥରେ ଵ୍ଯଵହାର ହୋଇଥାଏ ।

ଓଡ଼ିଆ ଭାଷାରେ ପଟ୍କା, ଫଟକା, ଫୋଟକା, ଫୁଟୁକା ଆଦି ଏହି ଶବ୍ଦର ଵିଭିନ୍ନ ରୂପ ଚଳୁଅଛି ଏମନ୍ତ କି ପଶ୍ଚିମ ଓଡ଼ିଶାରେ ଚଳୁଥିଵା ଫଟକା ଶବ୍ଦ ମଧ୍ଯ ଓଡ଼ିଆ ଭାଷା ସହିତ ସମ୍ବନ୍ଧିତ । ଯଦି ସମ୍ବଲପୁରୀ ଶୈଳୀରେ ଫଟକା ଶବ୍ଦ ପଟକା କି ପଟ୍ଖା ହୋଇଥାନ୍ତା ତେଵେ କୁହାଯାଇପାରନ୍ତା ଯେ ଏ ଶବ୍ଦ ହିନ୍ଦୀର पटाख़ा ଶବ୍ଦର ଏକ ରୂପ । ପୁଣି ହିନ୍ଦୀ ଭାଷା ଅପେକ୍ଷା ଫଟକା,ଫୋଟକା ଶବ୍ଦ ସମ୍ବନ୍ଧୀୟ ଅନେକ ଓଡ଼ିଆ ଶବ୍ଦ ଆମର ବହୁପ୍ରଚଳିତ ଯଥା ―

★ଫଟକା
★ଫଟ୍କି
★ଫୁଟକା
★ଫୁଟୁକା
★ଫୁଟକି
★ତାଳଫଟକା
★ଫୋଟକା
★ଫଟାକି ଉଆଁସ(ଗଞ୍ଜାମ; ଦୀପାଵଳି) ଠୋ ଫଟକା(ଠୋ ଶବ୍ଦ କରିଵା)
★ଫଟକା ମାରିଵା (ତାଳଫଟକା (ବାଣ)ରେ ନିଆଁ ଲଗାଇ ଫୁଟାଇବା,ଫୁଟୁକୀ ମାରିଵା; ଦୁଇ ଆଙ୍ଗୁଠି ସାହାଯ୍ୟରେ ଫଟ୍ ଫଟ୍ ଶବ୍ଦ ସୃଷ୍ଟି କରିଵା)
★ଶୂନ୍ଫଟ୍କା―(ଯେଉଁ ଫଟକା ଵିନା ଅଗ୍ନିରେ, ଅର୍ଥାତ୍ ତଳେ ଆଘାତ କଲେ ଫୁଟେ, ଇତ୍ୟାଦି ଇତ୍ୟାଦି…

ତେଵେ ଫଟକା ଶବ୍ଦଟି ଓଡ଼ିଆ ଭାଷାରେ ଵିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଅର୍ଥରେ ଵ୍ଯଵହାର ହୁଏ ଯଥା―

■ମୁତ୍ରାଧାର(Kidney)
■ହାତ ବା ଆଙ୍ଗୁଠିର ତାଳି ବା ସ୍ଫୋଟନ ଶବ୍ଦ(ଫଟକୀ,चुटकी)
■ଦେହରେ ଉଷୁମ୍ ତେଲ ପଡି଼ଗଲେ ଯେଉଁ ଫୋଟକା ପଡେ଼
■ଫୋଟକା (ଦେଖ)—3. Phoṭakā (See)
■ଗାମୁଛା

ତେଣୁ ଫଟକା ଶବ୍ଦ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ଅର୍ଥରେ ଚଳୁଅଛି । ଏସମସ୍ତ ଶବ୍ଦ ସଂସ୍କୃତର ସ୍ଫୋଟନ ଶବ୍ଦ ସହିତ ସମଦ୍ଧୃତ ଅର୍ଥାତ୍ ସମ ମୂଳରୁ ଉଦ୍ଧୃତ ।

ସଂସ୍କୃତ ତତ୍ସମ ସ୍ଫୋଟନ ଶବ୍ଦର ଅର୍ଥ ଗୁଡି଼କ ଯଥା―
■ବିଦାରଣ; ଫାଡି଼ଵା
■ପ୍ରକାଶନ
■ଫୁଟାଇବା; ଫୋଡ଼ିବା
■ଶବ୍ଦ
■ସୁଶ୍ରୁତ ଅନୁସାରେ ବାୟୁ ପ୍ରକୋପରୁ ବ୍ରଣର ପୀଡା଼ଵିଶେଷ, ଯହିଁହେତୁ ବ୍ରଣ ଫାଟିଗଲା ଭଳି ଜଣାଯାଏ…

ପୁଣି ଏହି ତତ୍ସମ ଶବ୍ଦ ସ୍ଫୋଟନ ମୂଳଧାତୁ ରୂପ ହେଉଛି ସ୍ଫୁଟ୍ ଧାତୁ ଯାହା ଵିଭିନ୍ନ ଅର୍ଥରେ ପ୍ରୟୋଗ କରାଯାଇଛି

★ଵିକସିତ ହେଵା
ପ୍ରସ୍ଫୁଟିତ, ପ୍ରସ୍ଫୁଟନ ଏଵଂ ଓଡ଼ିଆ ଭାଷାର [ଫୁଲ] ଫୁଟିବା କ୍ରିୟା ଶବ୍ଦ ଏଇ ଅର୍ଥ ସହିତ ଅର୍ଥଗତ ସାମ୍ଯ ରଖେ ।

★ପରିହାସ କରିଵା
★ଵ୍ଯକ୍ତ ହେଵା
★ଫୁଟାଇଵା; ଭେଦ କରିଵା
★ଵିଦୀର୍ଣ୍ଣ ହେଵା
★ଫାଟିଯିଵା

ମୂଳ ସଂସ୍କୃତ ସ୍ଫୁଟ୍ ଧାତୁ ମଧ୍ୟ ଫଟ୍ ଫଟ୍ ଭଳି ପ୍ରାକୃତିକ ଧ୍ଵନ୍ଯାନୁକରଣରୁ ଜାତ ମୂଳ ଶବ୍ଦଟିଏ । fire crackers ହେଉ କି ଆଙ୍ଗୁଠି ଫୁଟା ହେଉ କାହାକୁ ତାହା ଫଟ୍ ଫଟ୍ ଶୁଣାଯାଇଛି ତ କିଏ ଠୋ ଠୋ, ଢୋ ଢା଼ ଇତ୍ୟାଦି ଶୁଣିଛି ! ଯାହାକୁ ଯେମିତି ଶୁଣାଯାଇଛି ସେ ସେଇଭଳି ଶବ୍ଦ ସୃଷ୍ଟି କରି ଵ୍ଯଵହାର କରୁଛି . .

କିନ୍ତୁ ଯଦି ଫଟକା ଶବ୍ଦଟା ଏତେ ଵୈଜ୍ଞାନିକ ତାହେଲେ ଓଡ଼ିଆ ଭାଷାରେ fire crakers ପାଇଁ ଵ୍ଯଵହୃତ ଵାଣ ଶବ୍ଦଟି କଣ୍ ନିତାନ୍ତ ଅଵୈଜ୍ଞାନିକ ଵ୍ଯଵହାର କି ?

ନା ନା ଆଦୌ ନୁହେଁ …

ଅତିକମ୍’ରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୪୪୯ତମ ପୃଷ୍ଠାରେ ବାଣ ଶବ୍ଦର ଯେଉଁ ସବୁ ଅର୍ଥ ଦିଆଯାଇଛି ତହିଁର ଆଧାରରେ ଵ୍ଯାଖ୍ଯା କଲେ ଆମେ ପାଆନ୍ତି ଯେ ବାଣ ଶବ୍ଦ ଵରଂ fire crackers ପାଇଁ ଏକ ସୁନ୍ଦର ତଦ୍ଭଵ ଭାରତୀୟ ପ୍ରତିଶବ୍ଦ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ବାଣ ଶବ୍ଦର ନିମ୍ନୋକ୍ତ ଅର୍ଥ ଉଲ୍ଲେଖ ରହିଛି:

◆◆◆◆◆ତତ୍ସମ ବାଣ ଶବ୍ଦର ଅର୍ଥ◆◆◆◆◆

■ଧନୁଦ୍ବାରା ଦୂରକୁ ଫିଙ୍ଗାଯିଵା ତୀକ୍ଷ୍ଣ ଲୌହାଗ୍ର ଲମ୍ବ ଅସ୍ତ୍ର; ଶର; ତୀର
■ପାଞ୍ଚ ଅଙ୍କ ବା ସଂଖ୍ଯାର ଏକ ଶାସ୍ତ୍ରୀୟ ନାମ
■ଅଗ୍ନି
■ଶବ୍ଦ
■ଗୋସ୍ତାନ; ଗାଈର ପହ୍ନା
■ଅସୁରବିଶେଷ; ବଳିରାଜାଙ୍କକ ଜ୍ଯେଷ୍ଠପୁତ୍ର; ବାଣାସୁର ଅନିରୁଦ୍ଧଙ୍କ ସ୍ତ୍ରୀ ଉଷାର ପିତା
■ନୀଳଝିଣ୍ଟି ଦାସକେରେଣ୍ଟା ଗୁଳ୍ମ
■ବାଣଭଟ୍ଟ କାଦମ୍ବରୀ ପ୍ରଣେତା ପ୍ରସିଦ୍ଧ ଶରର ଅଗ୍ରଭାଗ

■ଭଦ୍ରମୁଞ୍ଜ
■ନିଶାଣ; ଲକ୍ଷ
■ଇକ୍ଷ୍ବାକୁ ବଂଶୀଯ ବିକୃତି ରାଜାଙ୍କ ପୁତ୍ର

★★★★★ତଦ୍ଭଵ ବାଣ ଶବ୍ଦର ଅର୍ଥ★★★★★

■ଅଗ୍ନି ଲଗାଇଵା ନିମନ୍ତେ ପ୍ରସ୍ତୁତ ବାରୁଦକାମ; ଆତସବାଜୀ(ସଂ―ଅଗ୍ନିବାଣ; ବାରୁଦାଦି ଵିସ୍ଫୋଟକଯୁକ୍ତ ତୀର ଵା ଶର)
■ତାନ୍ତ୍ରିକ ମାରଣ କ୍ରିୟାର ଏକ ପ୍ରୟୋଗ; ୟନ୍ତ୍ର ପ୍ରୟୋଗ
■ବନ୍ଯା; ନଈ ବଢ଼ି(ଵାନ>ବାଣ;ଵାନ = ଵନ୍ଯା)
■ଜୁଆର(ସଂ–ଵାନ)
■ଏକ ପ୍ରକାର ଫୁଲ; ଗୋଡ଼ିବାଣ(ସଂ―ଅଗ୍ନିବାଣ)
■ତନ୍ତୀମାନଙ୍କୁ ଲୁଗା ବୁଣିଵାପାଇଁ ସୂତା ଦେଲେ ସେମାନେ ଯେଉଁ ଲୁଗାବୁଣିଵା ମଜୁରି ଚାହାନ୍ତି; କରମୂଲ(ବୟନ ଵେତନ>ବାଣ)
■ମୂଲ୍ଯ (ବାଣ ଟାଣ, ମାଣ ସାନ—ଢଗ।)

ତେଵେ ତତ୍ସମ ବାଣଶବ୍ଦର ମୂଳଧାତୁ ରୂପ ହେଉଛି ବଣ୍/ବନ୍ ଧାତୁ ଯାହାର ଵିଭିନ୍ନ ଅର୍ଥରେ ଵ୍ଯଵହାର ହୋଇଛି
ଯଥା―
■ଶବ୍ଦ କରିଵା
■ନତ କରିଵା
■ଵିସ୍ତୃତ ହେଵା; ଵ୍ଯାପିଵା
■ଯାଚଵା କରିଵା,ପଚାରିଵା
■ସେଵା କରିଵା
■ମାଗିଵା

ତାହେଲେ ଯେଉଁମାନେ କହୁଛନ୍ତି ଓଡ଼ିଆ ଭାଷାରେ ବାଣ ଶବ୍ଦଟା ଅଵୈଜ୍ଞାନିକ ସେହି ଜାଣିକଣାମାନେ ଭଲ ଭାଵରେ ଆଖି ଖୋଲି ଦେଖନ୍ତୁ ଯେ ଆମ ଭାଷାର ବାଣ ଶବ୍ଦଟି ଓ ତହିଁର ଵ୍ଯଵହାର କେତେ ଵୈଜ୍ଞାନିକ ଓ ପ୍ରାଚୀନ ଅର୍ଥ ଆଧାରିତ !!!

ପ୍ରକୃତରେ ଓଡ଼ିଆ ଭାଷାରେ ଵ୍ଯଵହୃତ ତଦ୍ଭଵ ବାଣ ଶବ୍ଦ ଦ୍ଵାରା କଳିଙ୍ଗୀମାନେ ତତ୍ସମ ବାଣ ଶବ୍ଦର ଦୁଇଗୋଟି ଅର୍ଥ ଅଗ୍ନି ଓ ଶବ୍ଦ ତଥା ସେହି ତତ୍ସମ ବାଣ ଶବ୍ଦର ମୂଳଧାତୁ ବନ୍ ଵା ବଣ୍’ର ଶବ୍ଦକରିଵା, ଵ୍ଯାପିଵା ଓ ନତ କରିଵା ଆଦି ଅର୍ଥକୁ ସହସ୍ରାଧିକ ଵର୍ଷଯାଏଁ ବଞ୍ଚାଇ ରଖିଵାରେ ସଫଳ ହୋଇଅଛନ୍ତି । ଇଂରାଜୀରେ ପ୍ରଚଳିତ bang ଶବ୍ଦ ମଧ୍ୟ ଏହି ବନ୍(ବଣ୍)ଧାତୁ ଏଵଂ ଓଡ଼ିଆ ବାଣ ଶବ୍ଦ ସହିତ ସମଦ୍ଧୃତ ଅଟେ ।

ସେହିଭଳି ଚୀନଦେଶରେ ବାଣ ପାଇଁ 鞭炮(biānpào) ଶବ୍ଦ ଵ୍ଯଵହାର ହୋଇଥାଏ ଯାହାର ଓଡ଼ିଆ ବାଣ ଶବ୍ଦ ସହିତ କୌଣସି ସମ୍ପର୍କ ଥାଇପାରେ କାରଣ ପ୍ରାଚୀନ କଳିଙ୍ଗୀମାନେ ଚୀନ ଓ ଜାପାନ ସହିତ ନୌଵାଣିଜ୍ୟ କରୁଥିଲେ ଏଵଂ ଭାରତଵର୍ଷର ଲୋକଙ୍କୁ ବାରୁଦରେ ଥିଵା ମୂଳଦ୍ରଵ୍ଯ ଗନ୍ଧକ ଵିଷୟରେ ବହୁପ୍ରାଚୀନକାଳରୁ ଜଣାଥିଲା । ଚୀନରେ ଷଷ୍ଠ ଶତାବ୍ଦୀ ପରର ପୋଥିରେ ଗନ୍ଧକର ଉଲ୍ଲେଖ ମିଳେ କିନ୍ତୁ ତାହାର ବହୁପୂର୍ଵରୁ ଭାରତୀୟ ଗ୍ରନ୍ଥଗୁଡି଼କରେ ଵିଶେଷତଃ ଔଷଧ ସମ୍ବନ୍ଧୀୟ ଗ୍ରନ୍ଥରେ ଏହାର ଉଲ୍ଲେଖ ଥିଵା ଦୃଷ୍ଟିଗୋଚର ହୋଇଥାଏ ।

ତେଣୁ ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଓଡ଼ିଆ ଭାଷାରେ firecrackerର ପ୍ରତିଶବ୍ଦ ଭାଵେ ପ୍ରଚଳିତ ଏ ଶବ୍ଦଟି ଆଦୌ ଅଵୈଜ୍ଞାନିକ ନୁହେଁ । 

©ଶିଶିର ସାହୁ ମନୋଜ

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago