ଲେଖା: ଶୁଭ ରଞ୍ଜନ ପୃଷ୍ଟି
~ ଆମ ଲୋକସାହିତ୍ୟ ~
“ଆ ଜହ୍ନ ମାମୁଁ ଶରଦଶଶୀ
ମୋ କୁନା ହାତରେ ପଡ଼ ତୁ ଖସି . . “,
ମା’ର ପିଲାକୁ କୋଳରେ ଝୁଲେଇ ଜହ୍ନ ଦେଖେଇ ଖୋଇଦେବାର ଦୃଶ୍ୟ ! ଆହା ! ଏଥିରେ ମା’ର ମମତା ଯେତିକି ପରିଦୃଶ୍ୟ, ଜହ୍ନକୁ ନେଇ ତାର ଅତ୍ମୀୟତାର ନାନ୍ଦନିକତା ସେତିକି ପରିଭାସ୍ବ। ହଁ, ଏବକୁ ମା’ ହାତରେ ସେ ସମୟ ନାହିଁ କି ମା’ର ସେ ସ୍ପୃହା ବି ନାହିଁ ! କେତେ ବଦଳିଯାଇଛି ସମୟ ସତରେ ! ସମୟ ସହ ତାଳଦେଇ ଆମେ ହଜାଇ ଦେଇଛେ ଆମ ଜୀବନର ଅସଲ ମଧୁରତା !
ଆସ୍ତେ ଆସ୍ତେ ଓଡ଼ିଆଣୀ ମା’ମାନେ ଏମିତି ଶିଶୁ ମନଭୁଲାଣିଆ ନାନାବାୟା ଗୀତ ସବୁ ପାଶୋରି ଦେଲେଣି ! ଏସବୁର ସ୍ଥାନ ନେଇଛି ଆଜିର Nursery Rhyme ! ଯଦିଓ ଇଂରାଜୀରେ ଆକ୍ଷରିକ ଅର୍ଥରେ ଏ ପ୍ରକାର ଗୀତର ନାମ ଏୟା, କିନ୍ତୁ ଆଜିକାର କୋମଳମତି ଛୁଆଙ୍କ ତୁଣ୍ଡରୁ ଏସବୁ Rhyme ଶୁଣି ଶୁଣି ଅଭିଭାବକ ଓ ଶିକ୍ଷକ ଯେତେ ଆତ୍ମଶାନ୍ତି ଲଭୁଥାଇ ପାରନ୍ତି, କିନ୍ତୁ ସେ ବେଳର ମା’ କୋଳରେ ଶିଶୁଟିଏ ନାନାବାୟା ଗୀତ ଶୁଣୁଥିବା ଆଉ ଶିଶୁର ଦରୋଟି ଓଠର ସେ ହସର ଦୃଶ୍ୟର ମୋହରୁ ବଞ୍ଚିତ ଆଜିର ମା’ ! ଆଜିର ଦୁନିଆଁ ! ଅଥଚ ଆମେ କେବେ ନିଜକୁ ମୁକୁଳାଇ ପାରୁ ନ ଥିଲୁ ସେ ଦୃଶ୍ୟର ମୋହରୁ . . ! ଏବେ ବି ଆମେ ହଜିଯାଉ ପିଲାଦିନର ସେଇ ଅଭୁଲା ସ୍ମୃତିରେ . . ! ଅନ୍ତରଙ୍ଗ କଳିଙ୍ଗର ଏମତି କେହି ସଭ୍ୟ ନ ଥିବେ ଯିଏ ମା’ ଜେଜେମା, ଖୁଡ଼ି ଦେଠେଇ ଅବା ଆଈ ମାଉସୀ ଠାରୁ ଶୁଣି ନ ଥିବେ ଏମତି କିଛି ପଦ . .
“ଦେ କମାର ଦେ ଦା’
କାଟେ ଘାସ,
ଖାଉ କାଳୀଗାଈ ଦେଉ ଦୁଧ,
ଖାଉ ମିରିଗ ଦେଉ ଶିଙ୍ଗ,
ଖୋଳେ ମାଟି,
ଗଢୁ କୁମ୍ଭାର କଳସ ଗୋଟି,
କାଢେ ପାଣି, ଧୁଏ ଥଣ୍ଟ,
କୁନିପିଲା ମାନେ କାନ୍ଦିଲେ କି ଅଝଟ ହେଲେ ସେମାନଙ୍କୁ ଚୁପ କରିବା କେବେହେଲେ କଷ୍ଟ ହେଉ ନ ଥିଲା ଓଡ଼ିଆଣୀ ମା’ ମାନଙ୍କୁ ! “ଧୋ ରେ ବାଇଆ ଧୋ, ଯେଉଁ କିଆରିରେ ଗହଳ ମଣ୍ଡିଆ ସେଇ କିଆରିରେ ଶୋ . . “ ବା “ଆ ରେ ଆରେ କୋକମିନା ତୁ” ପରି କେତେ ନାନାବାୟା ଗୀତ ଗାଇ ଗାଇ ମା’ମାନେ ପିଲାଙ୍କୁ ଶୁଆଇପକାନ୍ତି। ଅଲଗା ସମୟରେ ପିଲାକୁ ହସାଇବା, କୌତୁକ କରିବା ପାଇଁ ମା’ମାନେ ଏମିତି କେତେ ଗୀତ ଗାଇଥାନ୍ତି । ହାତୀ, ବେଙ୍ଗ, #ଟୁଉକୁମୁଷି, #କୋକମିନା, ମାଛ, #ବାଇଚଢେଇ, କାଳିଆ ବଳଦ ଇତ୍ୟାଦିଙ୍କ ନାମରେ କେତେ ଗୀତ ଜାଣୁଥିଲେ ଆମ ମା’ ମାଉସୀ, ଖୁଡ଼ି, ଦେଠେଇ, ଆଈ, ଜେଜେମା ମାନେ ! ଗୀତ ଶୁଣାଇବା ଫଳରେ ଶିଶୁ ଖୁସିହୁଏ, ଅଝଟ ଶିଶୁ ଶାନ୍ତ ହୁଏ ଓ କାନ୍ଦୁଥିବା ଶିଶୁର କାନ୍ଦ ବନ୍ଦ ହୋଇଯାଏ ! କେତେ ସରଳ ଏ ଗୀତଗୁଡ଼ିକ ! କେତେ ମନ ଭୂଲାଣିଆ ଏ ସବୁ ଗୀତର ଶବ୍ଦ ସଂଯୋଜନା ! ତେବେ ଶିଶୁଟି କଣ ବୁଝିପାରେ ଏ ସବୁ ଗୀତ ? ହୁଏତ ବୁଝିବାର ଆବଶ୍ୟକତା ପଡ଼େନା ! ମା’ର ମମତାରେ ସିକ୍ତ ଏ ଗୀତର ଶବ୍ଦମାନେ ହୋଇଥା’ନ୍ତି ମଧୁର ରସମୟ, ଲଳିତ ! ମା’ ସ୍ନେହ ଆଉ ସ୍ୱରର ଅମୃତମୟ ପ୍ରଭାବରେ ଶୋଇପଡ଼େ ଶିଶୁ !
‘‘ଆ ଜହ୍ନମାମୁଁ ସରଗଶଶୀ’’ ଗୀତ ଗାଇ ଅଝଟ ପିଲାର ଦୁଇ ହାତକୁ ଜହ୍ନ ଆଡ଼କୁ ବଢ଼ାଇଦେଲେ ଶିଶୁର ଅଝଟପଣିଆ ଦୂରେଇଯାଏ ! ପୁଣି ପିଲାଙ୍କୁ ହସାଇବା ପାଇଁ ମା’ ଟିଏ ବୋଲେ ”କାଳିଆ ବଳଦ ଗଲା ରେ’’ ଗୀତ ! ଛୁଆଙ୍କୁ ଖେଳାଇବା ପାଇଁ ସେଇ ମା’ ପୁଣି ବୋଲେ ‘‘ଟୁଉକୁମୂଷି’’ ଗୀତ ! ପୁଣି ଶିଶୁପୁଅ ପାଇଁ ଗୀତ ତ ଶିଶୁକନ୍ୟା ପାଇଁ ଗୀତ ! ଅଧିକ ଛୁଆ ଥିଲେ ସେମାନଙ୍କ ପାଇଁ ଅଲଗା ଗୀତ !
ଆମ ମା’ ମାଉସୀମାନେ କି ଜଣେ ଜଣେ କବି ଥିଲେ ? ନା ପିଢ଼ି ପରେ ପିଢ଼ି ଶୁଣି ଶୁଣି ମନେରଖି ଅବା ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ଓ ପରିବ୍ୟାପ୍ତ ହେଉଥିଲା ଏ ସବୁ #ଲୋକଗୀତ ? ଆଉ ଅପାଠୋଈ ମା’ ଟିଏ ବି ତ ମନେ ରଖିପାରୁଥିଲା ଏ ସବୁ ଗୀତ ! ନିର୍ଭୁଲ ଭାବେ ! ଓଡ଼ିଆଣୀ ମା’ଟି ପାଇଁ ଆମ ଭାଷାରେ ଏମିତି ଅଛି ଅସୁମାରୀ ଅଲିଖିତ ନାନାବାୟା ଗୀତ ! ଆମ ଲୋକସାହିତ୍ୟ ଭଣ୍ଡାରର ଏକ ସ୍ବତନ୍ତ୍ର ଓ ଅମୂଲ୍ୟ ସମ୍ପଦ ସେସବୁ ! ଆମ ସାହିତ୍ୟର କୋମଳ ଓ କମନୀୟ ଦିଗ ! ଅତି ସାଧାରଣ ଲାଗୁଥିବା ଏଇ ପଦଗୁଡ଼ିକ କିନ୍ତୁ ଦିନେ ଥିଲା ଆମର ଉତ୍ତର ଦାୟାଦ ମାନଙ୍କର ପ୍ରଥମ ପାଠଶାଳା ! ଏହାରି ମାଧ୍ୟମରେ ପିଲାଟି ପରିଚିତ ହେଉଥିଲା ପରିବାର ସହିତ, ଦୁନିଆ ସହିତ ! ଅଜାଣତରେ ଶିଖି ଯାଉଥିଲା ଅନେକ କଥା !
ଆଜିକା ବେପାରୀ ସଂସ୍କୃତି ଆଉ ଏକକ ପରିବାର ଅବା ନିଃସଙ୍ଗ ପରିବେଶ ପାଇଁ ଏ ସବୁ ମଧୁର ଗୀତ ସବୁ ଆଜି ଅଲୋଡ଼ା ହୋଇଯାଇଛି ସତ, ତେବେ ଓଡ଼ିଆ ଜାତି ଚିରଋଣୀ ରହିବ ଏଇ ମହାନ ସାଧକଦ୍ଵୟଙ୍କ ନିକଟରେ, ଆମ ଲୋକସାହିତ୍ୟ ପ୍ରତି ତାଙ୍କର ଅମୁଲ୍ୟ ଅବଦାନ ପାଇଁ ! !