ଆମ ଖାଦ୍ୟ

ଆମ ଓଡ଼ିଆ ମିଠା ବାଣପୁରମୁଆଁ

ଲେଖା: ଦେଵ ତ୍ରିପାଠୀ
କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କ ରସାବଳୀ, ପୁରୀ ଶ୍ରୀଜଗନ୍ନାଥଙ୍କ ଅବଢ଼ା ପରି ବାଣପୁରର ମା’ ଭଗବତୀଙ୍କ ପ୍ରସାଦରୂପେ ଖ୍ୟାତ ବାଣପୁରର ମୁଆଁ ବିଶେଷ ଆଦୃତ । ଯଜମାନେ ମନସ୍କାମନା ପୂରଣ ନିମନ୍ତେ ପ୍ରଥମେ ଏଇ ମୁଆଁକୁ ଯାଚଜ୍ଞା କରିଥାନ୍ତି, ମନସ୍କାମନା ପୂରଣ ହେବା ପରେ ଏହାକୁ ଭକ୍ତିଭରେ ଭୋଗ କରିଥାନ୍ତି ।
ମା’ ଭଗବତୀଙ୍କ ଏହି ମୁଆଁର ସ୍ବାଦିଷ୍ଟ ପ୍ରସ୍ତୁତ ପ୍ରଣାଳୀ ହିଁ ଏହାର ସ୍ବାତନ୍ତ୍ର୍ୟ । ଚିନି ପାଗ କରି ସେଥିରେ ଲିଆ, ଘିଅ, ନଡ଼ିଆ ଏବଂ ସୁବାସିତ ମସଲାମାନ ମିଶାଇ ଏ ମିଠା ପ୍ରସ୍ତୁତ ହୁଏ । ପ୍ରସ୍ତୁତି ସମୟର ମହକ ଚଉଦିଗେ ବିଚ୍ଛୁରିତ ହୁଏ ଓ ଭକ୍ତଙ୍କ ମନରେ ମା’ଙ୍କ ମୁଆଁ ପ୍ରତି ଆକର୍ଷଣ ଜଗାଏ । ପୂର୍ବରୁ ଆମ ଓଡ଼ିଆ ମିଠା ବାଣପୁରମୁଆଁ ଏପରି ପ୍ରସ୍ତୁତ ହେଉଥିଲା ଯେପରିକି ଏହାକୁ ଭାଙ୍ଗି ଦୁଇଖଣ୍ଡ କରିବା ମଧ୍ୟ କଷ୍ଟସାଧ୍ୟ ଥିଲା ।
ଏ ମୁଆଁର ଭିନ୍ନ ଭିନ୍ନ ଆକୃତି ଥିଲେ ମଧ୍ୟ ସ୍ତମ୍ଭ ଆକୃତିର ମୁଆଁର ଆଦର ବେଶୀ । ମା’ ଭଗବତୀ ବିଭିନ୍ନ ସ୍ଥାନକୁ ଯିବା ସମୟରେ ଯେପରି ତାଙ୍କର ଚଳନ୍ତି ପ୍ରତିମାର ଆବଶ୍ୟକତା ପଡ଼େ, ସେହିପରି ମା’ଙ୍କ ଭୋଗକୁ ଭକ୍ତଜନେ ଦୂରସ୍ଥାନକୁ ନେବା ପାଇଁ ଏଇ ସ୍ତମ୍ଭାକୃତି ମୁଆଁ ସୁବିଧାଜନକ । ହୁଏତ ଭକ୍ତଙ୍କ ମନରେ ମା’ ଭଗବତୀଙ୍କ ସତ୍ତା ଅନୁଭବ କରିବା ପାଇଁ ତାଙ୍କରି ସ୍ତମ୍ଭାକୃତି ଚଳନ୍ତି ପ୍ରତିମା ଆକାର ଦିଆଯାଇଛି ।
ଏତଦବ୍ୟତୀତ, ମା’ଙ୍କ ଅଧର ସ୍ପର୍ଶ କରିପାରୁଥିବା ଉଚ୍ଚତା ବିଶିଷ୍ଟ ପର୍ବତ ଆକୃତିର ବିଶାଳକାୟ ‘ଅଧରମୁଆଁ’ ମଧ୍ୟ ଅନ୍ୟ ଏକ ବିଶେଷ ମୁଆଁ ଭାବେ ଆଦୃତ । ସ୍ତମ୍ଭାକୃତି ମୁଆଁ ସମେତ ମା’ଙ୍କ ବଲ୍ଲଭ ଧୂପ ସମୟରେ ଲାଗି ହେଉଥିବା ହରେକ ଆକୃତି ଓ କିସମର ମୁଆଁ ସବୁ ସମୟରେ ମିଳୁଥିବା ବେଳେ ଅଧରମୁଆଁ କେବଳ ଭକ୍ତଜନଙ୍କ ବରାଦ ଆଧାରରେ ମିଳିଥାଏ ।
ମା’ ଭଗବତୀଙ୍କ ଏଇ ପ୍ରିୟ ଭୋଗ ମୁଆଁର ପ୍ରାଚୀନତା ପ୍ରଶ୍ନବାଚୀ ହେଲେ ମଧ୍ୟ, ସମ୍ପୃକ୍ତ ଧୂପ ରାଜନିଯୋଗ ହୋଇଥିବାରୁ ସ୍ପଷ୍ଟ ପ୍ରତୀୟମାନ ଯେ, ରାଜାରାଜୁଡ଼ା ସମୟରୁ ମା’ଙ୍କ ପାଖରେ ଏହାଲାଗି ହୋଇ ଆସୁଛି । ତେବେ ମା’ଙ୍କ ଛତିଶନିଯୋଗ ମଧ୍ୟରେ ମୁଆଁ ପ୍ରସ୍ତୁତକାରୀ ସମ୍ପୃକ୍ତ ନ ଥିବା ଏବଂ ଏଥିପାଇଁ କୌଣସି ସମ୍ପ୍ରଦାୟ ଜାଗିରୀ ପାଇ ନ ଥିବା କାରଣରୁ ମୁଆଁଭୋଗ ମା’ଙ୍କ ଉତ୍ପତ୍ତିର ବହୁ ପରେ କରାଯାଇଥିବା ଅନୁମେୟ ।
କିଛି ଗବେଷକଙ୍କ ମତରେ ଉଦାର ମହାରାଜା ଜାଗିରୀ ଯାଚିଥିଲେ ତତ୍କାଳୀନ ସାହୁ ପରିବାର ଦୁଇଟିକୁ, ମୁଆଁ ପ୍ରସ୍ତୁତ ପାଇଁ, ମାତ୍ର ମା’ର କୌଣସି ସମ୍ପତ୍ତି ଭୋଗ କରିବେ ନାହିଁ ବୋଲି ନିର୍ମୋହୀ ସାହୁଏ ଜାଗିରୀକୁ ଗ୍ରହଣ କରି ନ ଥିଲେ । କିନ୍ତୁ କେଇ ଦଶନ୍ଧି ତଳେ ସେହି ଗୁଡିଆ ବଂଶୀମାନଙ୍କ ମଧ୍ୟରେ ସମନ୍ଵୟର ଅଭାବ ତଥା ଅନ୍ୟାନ୍ୟ କାରଣରୁ ମୁଆଁ ପ୍ରସ୍ତୁତିରେ ବାଧା ଉପୁଜିବା ଫଳରେ ମନ୍ଦିର ପ୍ରଶାସନ କଟକରୁ ଗୁଡିଆମାନଙ୍କୁ ଆଣି ମୁଆଁ ପ୍ରସ୍ତୁତିର ଦାୟିତ୍ଵ ଅର୍ପଣ କଲେ । ହାଇକୋର୍ଟଙ୍କ ରାୟ ପ୍ରଶାସନ ସପକ୍ଷରେ ହେବା କାରଣରୁ ବଂଶାନୁକ୍ରମିକ ଅଧିକାରରୁ ବଞ୍ଚିତ ହେଲେ ସାହୁ ପରିବାରଗଣ, ମାତ୍ର ମା’ଙ୍କ ଭୋଗ ପ୍ରସ୍ତୁତିରୁ ନିବୃତ୍ତ ନ ଥିଲେ ।
କିଛି କଟକ ଗୁଡିଆ ଉଦାର ମନୋଭାବରେ ସାହୁ ପରିବାରଗୁଡିକ ପ୍ରତି ନ୍ୟାୟୋଚିତ ବ୍ୟବହାର ପୂର୍ବକ ଏ ମୁଆଁ ପ୍ରସ୍ତୁତିରୁ ଓହରି ଯାଇଥିଲେ ମଧ୍ୟ କିଛି ଗୁଡିଆ ‘ଚାହିଦା’କୁ ଧ୍ୟାନରେ ରଖି ସ୍ଥାୟୀ ଭାବେ ବାସ କରିଥିଲେ ବାଣପୁରରେ ।
ବାଦବିବାଦର କୁହେଳି ମଧ୍ୟରେ ଉଭୟ ପାରମ୍ପରିକ ଓ କଟକୀ ଗୁଡିଆଙ୍କ ନିଷ୍ଠା ଯୋଗୁଁ ହଜି ନ ଥିଲା ମା’ ଭଗବତୀଙ୍କ ମୁଆଁର ଲୋକପ୍ରିୟତା, ବରଂ ସୁଆଦ ରହିଲା ଅତୁଟ । କୋର୍ଟର ରାୟ ବୋଧହୁଏ ଥିଲା ମା’ଙ୍କ ଇଙ୍ଗିତରେ । ଯେଉଁମାନଙ୍କ କୂଳବେଉସାରେ ମୁଆଁର ମହନୀୟତା ସଭିଙ୍କ ଭିତରେ ସମାଦୃତ, ସେମାନଙ୍କୁ ହତାଦର କରି ବିଦେଶୀ କାରିଗରଙ୍କ ଦ୍ଵାରା ଏହାର ପ୍ରସ୍ତୁତି କରାଇବାକୁ ଏକ ଅସୁସ୍ଥ ପରମ୍ପରା ଭାବେ ଦେଖୁଥିବା ବାଣପୁର ତଥା ରାଜ୍ୟର ବୁଦ୍ଧିଜୀବିମାନଙ୍କ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଭଗବତୀ ଦେବୀଙ୍କ ଏହି ଅନନ୍ୟ ମୁଆଁ ହେଲା ରସସିକ୍ତ, ଏହାର ମହକ ହେଲା ପରିବ୍ୟାପ୍ତ ।
ଆମ ଓଡ଼ିଆ ମିଠା ବାଣପୁରମୁଆଁ ବାବଦରେ କଥାଟି ଏତିକି ।
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago