ଆମ ଖାଦ୍ୟ

ଆମ ଓଡ଼ିଆ ମିଠା ପାଳୁଅଲଡୁ

ଲେଖା: ଦେଵ ତ୍ରିପାଠୀ
ସାଲ୍ୱନନ୍ଦିନୀ ସାଳନ୍ଦୀ ବା ଓଡ଼ିଶାର ଦ୍ଵିତୀୟ ସୂର୍ଯ୍ୟମନ୍ଦିର – ବିରଞ୍ଚିନାରାୟଣ ମନ୍ଦିର ଭଦ୍ରକର ସମ୍ପୂର୍ଣ୍ଣ ପରିଚୟ ନୁହେଁ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ, ଚରମ୍ପା ବଜାରର କାଳୀପୂଜା ମେଳା, ବଂଶୀବଲ୍ଲଭଙ୍କ ମୋଗଲତାମସା ଅଥବା ଆଖଣ୍ଡଳମଣି ବା ବଙ୍କବାସୁଳୀଙ୍କ ନାମ ଉଲ୍ଲେଖ କରିଦେଲେ ପୂର୍ଣ୍ଣାଙ୍ଗ ହୁଏନା ଭଦ୍ରକର ବଳୟ ଓ ବ୍ୟାପ୍ତି । ଓଡ଼ିଶା ବାହାରେ ଭଦ୍ରକର ଭିନ୍ନ ପରିଚୟ, ତା’ର ସୁବିଖ୍ୟାତ ଆମ ଓଡ଼ିଆ ମିଠା ପାଳୁଅଲଡୁ । ଏକଦା ଚର୍ଚ୍ଚିତ ସେହି ଅନନ୍ୟ ରସ ଆଜି କେବଳ ଏକ ବିସ୍ମୃତ ମହକ ।
ଦିନ ଥିଲା, ଭଦ୍ରକ ଚନ୍ଦନବଜାରର ରବିବାର ଓ ବୁଧବାରିଆ ହାଟରେ ପାଳୁଅ ଲଡୁର ପସରା ମେଲୁଥିଲେ ଏହାର ଜନ୍ମଦାତା ଶଙ୍କରପୁରର ଉଦ୍ୟମୀ ସାହୁପୁଅ ଧନୀ ସାହୁ । ଅନ୍ୟଦିନେ ନିଜଘର ବାରଣ୍ଡାରେ ହିଁ ପାଳୁଅଲଡୁର ଏକମାତ୍ର ଦୋକାନ । ଭଦ୍ରକର ମିଠାପ୍ରେମୀ ଜନତା ପାଇଲେ ନୂଆ ତଥା ନିଆରା ମିଠାର ସୁଆଦ । ତେବେ ଏହାର ଚାହିଦା ବଢିବା ସମୟକୁ ଆଗେଇ ଆସିଥିଲେ ଆଉ ଜଣେ ବିଚକ୍ଷଣ ଯୋଗଜନ୍ମା ଗଙ୍ଗା ସାହୁ । ୧୯୨୦ରୁ ୧୯୪୦ ମସିହା ଯାଏଁ ସୁଦୀର୍ଘ କୋଡ଼ିଏ ବର୍ଷ ଧରି ଗଙ୍ଗାଧରଙ୍କ ଐକାନ୍ତିକ ପ୍ରଚେଷ୍ଟା ପାଳୁଅଲଡୁ ପିଣ୍ଡରେ ଆଣିଦେଇଥିଲା ପ୍ରାଣ ଓ ପ୍ରତିଷ୍ଠା । ଭଦ୍ରକର ସୀମା ପାର ହୋଇ ଜାତୀୟ ସ୍ତରରେ ପରିଚିତ, ପ୍ରସାରିତ ଓ ପ୍ରସିଦ୍ଧ କରାଇବାରେ ପୁରୋଧା ସାଜିଥିଲେ ଗଙ୍ଗାଧର ।
କେଜିଏ ପାଳୁଅ ଲଡୁ ତିଆରି କରିବା ପାଇଁ ପ୍ରାୟ ୪୫୦ଗ୍ରା. ଗୁଆ ଛେନା, ୧୫୦ଗ୍ରା. ମଇଦା, ୨୫୦ଗ୍ରା ସୁଜି ଏବଂ ୧୫୦ଗ୍ରା. ପାଳୁଅ ଆବଶ୍ୟକ । ପାଳୁଅକୁ ପାଣିରେ ଗୋଳାଇ ୨/୩ଘଣ୍ଟା ରଖିବା ପରେ ପାଣି ନିଗାଡି ପାଳୁଅକୁ ଅଲଗା କରାଯାଏ, ଚିପୁଡା ଛେନା ଓ ପାଳୁଅକୁ ହାତରେ ଘଷି ରଖାଯାଏ । ସୁଜି ଓମଇଦାକୁ ମିଶାଇ ସେଥିରେ ପ୍ରାୟ ୫୦ଗ୍ରା. ଘିଅ ପକାଇ ଦଳିଦିଆଯାଏ । ଏବେ ସେଥିରେ ଦୁଇ ଚାମଚ ଚିନି, ଅଧା ଚାମଚ ପାନମହୁରୀ ଗୁଣ୍ଡ ବା ଗୋଟା, ୧୦/୧୫ଗ୍ରା. ଅଦା ଛେଦା, ୫ଗ୍ରା. ମରିଚଗୁଣ୍ଡ, ୨ଗ୍ରା. ଗୁଜୁରାତି ଓ ଅଳେଇଚ ଗୁଣ୍ଡ, ସାମାନ୍ୟ କର୍ପୁର ଏବଂ ଖାଇବା ସୋଡା ମିଶାଇ ଭଲଭାବରେ ଫେଣ୍ଟି ଦଳାଯାଇ ଗୁଳା ପ୍ରସ୍ତୁତ ହୁଏ । ଏଇ ଗୁଳାଗୁଡିକୁ ଉଷୁମ ଘିଅରେ ପକାଇ ନାଲି ରଙ୍ଗର ହୋଇଯିବା ପରେ ଛାଣି ଥଣ୍ଡା ହେବା ପରେ ଚିନିର ଅଠାଳିଆ ବହଳ ଶିରାରେ ପକାଇ ଘାଣ୍ଟି ଦେଲେ ଲଡୁର ମନଲୋଭା ରଙ୍ଗ ଆସିଯାଏ । ଏବେ ଲଡୁଗୁଡିକରେ ଖଣ୍ଡ କାଜୁ, କିସମିସ୍, ଚେରୀ ପକାଇ ଛୋଟ ଛୋଟ ପତଳା ଜରି ଗୁଡାଇ ଦିଆଯାଏ । ଏହାପରେ ଏହି ଲୋଭନୀୟ ଓ ଆକର୍ଷଣୀୟ ଲଡୁଗୁଡିକ ଡାଇବେଟିସ ବିହୀନ ଗ୍ରାହକମାନଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଆନ୍ତି ।
ସମୟ ଥିଲା, ଭଦ୍ରକ ମାଟିର ଏଇ ବିଶେଷ ଲଡୁ, କଟକ, ସମ୍ବଲପୁର, କଳାହାଣ୍ଡି ପରି ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାରେ ପରିବ୍ୟାପ୍ତ ହୋଇଥିଲା । ସ୍ଥଳବିଶେଷରେ ବ୍ୟବସାୟୀଙ୍କ ଆବଶ୍ୟକୀୟ ସାମଗ୍ରୀର ଭାଗମାପ ଭିନ୍ନ ଭିନ୍ନ ହୋଇଥିଲେ ହେଁ ଉପକରଣ ପ୍ରାୟ ସମାନ ଥାଏ ।
ତେବେ ବିଭିନ୍ନ କାରଣରୁ, ଏବଂ ଭଦ୍ରକର ପାରମ୍ପରିକ ଭାବେ ଆମ ଓଡ଼ିଆ ମିଠା ପାଳୁଅଲଡୁ ପ୍ରସ୍ତୁତ କରିଆସୁଥିବା ସାହୁ ପରିବାରମାନ ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ବୃତ୍ତି ଆଦରିନେବା ଯୋଗୁଁ ଏ ମିଠାର ବ୍ୟବସାୟିକ କଳେବର ଧୀରେ ଧୀରେ ସଙ୍କୁଚିତ ହୋଇଯାଇଛି । ଏଇ ମିଠା ସେଇ ଅନନ୍ୟ ରସଧାରାରୁ ବିନ୍ଦୁଏ, ଯା’ର ଅନେକ ସାଦୃଶ୍ୟ ଅଛି ଶ୍ରୀଜଗନ୍ନାଥଙ୍କ ଭୋଗ ପାରିଜାତ ଲଡୁ ସହ । ହୁଏତ ଏହି ମଧୁର ଧାରା କ୍ରମଶଃ ଶୁଖିଯିବ ! ଭଦ୍ରକର ପାଳୁଅଲଡୁର ବର୍ତ୍ତମାନ ବିତର୍କିତ ଓ ଭବିଷ୍ୟତ ଅସମାହିତ ।
Spread the love
admin

Recent Posts

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 days ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

4 days ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

7 days ago

ମା’ ଚର୍ଚ୍ଚିକା

~ ବାଙ୍କୀଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକା ଠାକୁରାଣୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ବା ଉତ୍କଳ…

1 week ago

ଓଡ଼ିଆ ସାହିତ୍ୟର ଇତିହାସ

~ ଓଡ଼ିଆ ସାହିତ୍ୟର ଇତିହାସ ~ ଉପସ୍ଥାପନା: ନିରଞ୍ଜନ ସାହୁ ସାହିତ୍ୟ ହେଉଛି ମୂଳତଃ ମଣିଷର। ଜୀବନର ବିବିଧ ପରିଧି…

1 week ago

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି

ଔପନ୍ୟାସିକ କାହ୍ନୁଚରଣ ମହାନ୍ତି ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬ ତିରୋଧାନ: ୬ ଏପ୍ରିଲ ୧୯୯୪…

1 week ago