ମୃତ୍ୟୁଞ୍ଜୟ ରଥ 

ଲେଖା: ଅମୃତେଶ ଖଟୁଆ
~ କାବ୍ୟତୀର୍ଥ ବାଣୀଭୂଷଣ : ମୃତ୍ୟୁଞ୍ଜୟ ରଥ ~
କରିଛ ତୁମ୍ଭେ ନବ ସ୍ବର୍ଗ-ପ୍ରବାସ, 
ଅନୁସରନ୍ତି ସୁଖେ ଅଛି କି ଆଶ !
ମାତ୍ର ଏ ଜନେ ସିନା ଭୁଞ୍ଜିବେ ଦୁଃଖ,
ତୁମ୍ଭ ଆୟତ୍ତ ଯେଣୁ ସବୁରି ସୁଖ।”
(କୁମ୍ଭାରସମ୍ଭବମ୍, ଚତୁର୍ଥ ସର୍ଗ : ଅନୂଦିତ – ମୃତ୍ୟୁଞ୍ଜୟ ରଥ )

“ଆରେ, ଇଏ ମଫସଲୀ ପୁଅଟା ସତରେ ଗୋଟିଏ ରତ୍ନ । ତା ବାପା ମା ଧନ୍ୟ | ମଫସଲରେ ପଢି ହାଇସ୍କୁଲରୁ ପ୍ରଥମ ହେବା କଣ କମ୍ କଥା ହେଲାଣି?” ସେପଟେ ଭାର୍ଗବୀ ନଦୀର କୁତୂହଳିଆ କଳକଳ ସ୍ବର ଆଉ ଏପଟେ ହିଡ ଡେଇଁ ଚାଞ୍ଚଲ୍ୟ ଖେଳିଛି – ଦାମ ନନାଙ୍କ ପୁଅ ରୂପଦେଈପୁରରୁ ପ୍ରଥମ ହେଇଛି !

ପଡାଯାକ ଚହଳ, ସେପଟେ, ଦାମ ନନାଙ୍କୁ ନଗଦ ନଗଦ ପୁଅ ଆସି କହେ, “ନନା, କଟକରେ ଯାଇ ମୁଁ ଟ୍ରେନିଂ ସ୍କୁଲରେ ପଢିବି।” କିନ୍ତୁ, ନନାଙ୍କ ଏକାବେଳକେ ନାସ୍ତି । ନନା କହିଲେ, “ହେଇଟି ଦେଖେ ପୁଅ, ଏବେ ଲଗ୍ନ ଭଲ ନାହିଁ । ଆଉ ସେମିତିରେ କଟକଟା ଗୋଟିଏ ସହର, ଚିହ୍ନା ମଇତ୍ର କେହି ନାହାନ୍ତି, ଆଉ ସେଠିକି ଯିବା କଣ ଏ ବେଳି ଶୁଭ !” କିନ୍ତୁ, ପୁତ୍ର ପିଅରଙ୍କୁ ଅମନ ହୁଏ । ବଡ଼ କଷ୍ଟରେ ନନାଙ୍କ ସହ ପୁତ୍ର ଚଳିଲେ କଟକ।

(କଟକ ଜିଲ୍ଲାରେ ଅବସ୍ଥିତ ଐତିହାସିକ ଚାଟେଶ୍ଵର ମନ୍ଦିର)

ପୁଅକୁ ଷୋହଳ ଟପିଗଲାଣି | ସେତେବେଳେ ତାଙ୍କର ଏକ ପ୍ରବନ୍ଧ ଲେଖୁଥା’ନ୍ତି, ‘ଚିତ୍ରବିଦ୍ୟା’ | ସ୍ବୟଂ ଭକ୍ତକବି ହାଜର୍, ପଚାରନ୍ତି, “ବାବା, ତୁମେ ଏତେ ସୁନ୍ଦର ବୁଦ୍ଧି କେଉଁଠୁ ପାଇଲ?” ପୁଅଙ୍କ ଉତ୍ତର, “ଜନ୍ମରୁ ନନା ବୋଉଙ୍କ କୋଳରେ, ତା ପରେ ମୋ ଭାର୍ଗବୀ ଗାଁ କୂଳରେ, ଆଉ ମୋର ଏ ବିଧିଙ୍କ ଜୀବନ କୂଳରେ। ଏହାକୁ ଚିତ୍ରଣ କରିଥାଆନ୍ତି, ସେଇ ବିଧି କିନ୍ତୁ, ମୁଁ ପାଏ ସେଥରୁ ମୋ ବିଧିଙ୍କ ଆହ୍ଲାଦ, ସେଇ ଚିତ୍ରର ରଙ୍ଗିତ କୋଳରେ।’

କୁଟିଳ-କମନୀୟ କୁନ୍ତଳ ସମାନ ପୁରୀ ଜିଲ୍ଲା ଦେଇ ପ୍ରବାହିତ ଭାର୍ଗବୀ ନଦୀ ଦେଇଛି ଏ ଦିବ୍ୟ ମାଟିକୁ ଏକ ଆହ୍ଲାଦଭରା ପ୍ରାଣ । ଦିଗନ୍ତ ଯାଏଁ ଆମ୍ରକୁଟଜ ପାଟବରେ ସମଗ୍ର ଅଞ୍ଚଳ କୁଞ୍ଜ-ସଦୃଶ ଶୋଭାୟମାନ । ଏହି ଭାର୍ଗବୀ ନଦୀର ପୂର୍ବତଟସ୍ଥ ଦକ୍ଷିଣ ରାଜସ ଗ୍ରାମ । ପୁରୀ ଗଜପତିଙ୍କ କଦାଚିତ୍ କୌଣସି ଦାତବ୍ୟ ପତ୍ରେ ଏହି ଗ୍ରାମର ନାମୋଲ୍ଲେଖ ଜଣାଯାଏ। ଏ ଠାବେ ସାଂସ୍କୃତିକ ଇତିହାସ ଯେମନ୍ତ ପରିପୁଷ୍ଟ, ଏହି ମାଟିରେ ଉତ୍କଳୀୟତାର ପ୍ରାଣବନ୍ତ ପ୍ରମୋଦ ତେମନ୍ତ ଫୁଟି ଉଠିଛି । ସେହି ଗ୍ରାମର ଆତ୍ରେୟ ଗୋତ୍ରୀୟ ବ୍ରାହ୍ମଣ ଦାମୋଦର ରଥଙ୍କ ଘରେ ୧୪ ମେ ୧୮୮୨ ମସିହାରେ ଜନ୍ମଲାଭ କରିଥିଲେ ବାଣୀଭୂଷଣ କାବ୍ୟତୀର୍ଥ ପଣ୍ଡିତ ମୃତ୍ୟୁଞ୍ଜୟ ରଥ

ଏ କାଳରେ ଓଡିଆ ମାଟିରେ ଶିକ୍ଷାର ପ୍ରସାରଣ ନ୍ୟୂନ ପ୍ରାୟ ହେତୁ ସେଠାବେ ବିଶେଷ ବିଦ୍ୟାଳୟ ସମ୍ଭବ ହୋଇ ନଥାଏ । ମାତ୍ର ପ୍ରସାରଣଶୀଳ ଶିକ୍ଷା ବ୍ୟବସ୍ଥାରୁ ଦକ୍ଷିଣ ରାଜସ ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠିତ । ବାଲ୍ୟକାଳରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଠାରୁ ପ୍ରଥମ ପରଶ ପାଇ ପଠନପ୍ରିୟ ମୃତ୍ୟୁଞ୍ଜୟ ଭକ୍ତକବି ମଧୁସୂଦନ ରାଓଙ୍କ “ବର୍ଣ୍ଣବୋଧ” ପଢି ସେ ପରୀକ୍ଷାରେ ସମସ୍ତଙ୍କ ମଧ୍ୟରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଏଥି ସହ ଶିକ୍ଷକମାନଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଜଣେ ଆଦର୍ଶ ଛାତ୍ର ପାଲଟି ଯାଇଥିଲେ । ସେ ତୃତୀୟ ଓ ପଞ୍ଚମ ଶ୍ରେଣୀରେ କୃତୀ ଛାତ୍ର ରୂପେ ବୃତ୍ତି ପାଇଥିଲେ । ଅସୀମ ଅଧ୍ୟୟନ ପିପାସା, ଆଗ୍ରହ ଓ ବାଲ୍ୟକାଳରୁ ତାଙ୍କ ପ୍ରଚଣ୍ଡ ବୁଦ୍ଧି ସହ ଅଧ୍ୟବସାୟ ତାଙ୍କ ପ୍ରତିଭାର ପଥ ପୁଷ୍କଳ କରିଥିଲା ।

 

ଏହା ପରେ ସେ ରୂପଦେଈପୁର ମିଡିଲ୍ ଭର୍ଣ୍ଣାକୁଲାର ସ୍କୁଲରେ ଦୁଇବର୍ଷ ଅଧ୍ୟୟନ କରୁଥିବା ସମୟରେ ବିଧିର ଏକ ଅପୂର୍ବ ଅବଧାନ କ୍ରମେ ତାଙ୍କର ସାକ୍ଷାତ ହୁଏ ସୁଆଣ୍ଡୋ ନିବାସୀ ଗୋପବନ୍ଧୁ ଦାସଙ୍କ ସହିତ। କାରଣ ଗୋପବନ୍ଧୁ ମଧ୍ୟ ସମାନ ସ୍କୁଲରେ ପଢୁଥିଲେ । ପରିବାରର ଆର୍ଥିକ ଦୁରବସ୍ଥା ଠିଆ କରେଇଲା ଅର୍ଗଳି । ଏହା ସତ୍ତ୍ୱେ ୧୮୯୫ ମସିହାରେ ବୃତ୍ତି ପାଇ ରୂପଦେଈପୁର ମିଡିଲ୍ ଭର୍ଣ୍ଣାକୁଲାର ସ୍କୁଲରୁ ଉତ୍ତୀର୍ଣ୍ଣ ହେବା ପରେ କଟକ ଯାତ୍ରା କରନ୍ତି। ସେତେବେଳେ, ଭର୍ଣ୍ଣାକୁଲାର ସ୍କୁଲରୁ ଉତ୍ତୀର୍ଣ୍ଣ ହେବାର ଦେଖି ତାଙ୍କ ଦକ୍ଷିଣ ରାଜସ ଓ ତତ୍ ନିକଟବର୍ତ୍ତୀ ଗ୍ରାମରେ ଚାଞ୍ଚଲ୍ୟ ଖେଳିଗଲା । ଗାଁ ଗାଁ ରେ କଥା ପ୍ରସରି ଗଲା – “ଏହି ପିଲାଟିର ବାପା ମା’ ଧନ୍ୟ; କାରଣ ମଫସଲ ଅଞ୍ଚଳରେ ଏ ପିଲାଟି ଗୋଟିଏ ରତ୍ନ।”

“ବିନା ବିପତ୍ତେର୍ମହିମା ପୁଂସାଂ ନୈବ ଭବେତ୍।” “ବ୍ରହ୍ମବୈବର୍ତ୍ତ ପୁରାଣ”ରୁ ଉଦ୍ଧୃତ ଆପ୍ତ ଶ୍ଳୋକାଂଶ ମୃତ୍ୟୁଞ୍ଜୟଙ୍କ ବିଷୟରେ ଅନେକ ସମ୍ୟକ୍ ବିବରଣୀ ମଧ୍ୟ ଦିଏ । କ୍ରମାଗତ ଘରୋଇ ଆର୍ଥିକ ଦୁଃସ୍ଥିତି ଓ ଅଭିଭାବକଙ୍କ ସହ ମନୋମାଳିନ୍ୟ ପରେ ବଡ଼ କଷ୍ଟରେ ସେ କଟକରେ ପଢି ପାରିଥିଲେ। ଜ୍ୟୋତିଷ ଗଣନା ଆଧାରରେ ତାଙ୍କର ଶୁଭଲଗ୍ନ ଧାର୍ଯ୍ୟ ହୋଇ ଆଶ୍ଵିନ ମାସର ଗୋଟିଏ ବୁଧବାରକୁ ସିଏ ମା’ ନାରାୟଣୀଙ୍କ ସ୍ମରଣପୂର୍ବକ କଟକ ଯାତ୍ରା କରିଥିଲେ । ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ପୂର୍ବରୁ ଏହି କଟକର ନର୍ମାଲ ସ୍କୁଲରୁ ବିଶ୍ଵମ୍ଭର ବିଦ୍ୟାଭୂଷଣ, ପ୍ରଭାକର ବିଦ୍ୟାରତ୍ନ, କର୍ମବୀର ଗୌରୀଶଙ୍କର ରାୟ, ପ୍ୟାରୀମୋହନ ଆଚାର୍ଯ୍ୟ, ବୈଦ୍ୟନାଥ ଦେ, କୃଷ୍ଣପ୍ରସାଦ ଚୌଧୁରୀ ପ୍ରଭୃତି ବହୁ ସଂଖ୍ୟକ କୃତବିଦ୍ୟ ବ୍ୟକ୍ତିତ୍ଵ ଅଧ୍ୟୟନ କରିଥିଲେ।

ଓଡିଶାର ଶିକ୍ଷା ଇତିହାସରେ ସର୍ବପ୍ରଥମ ଅନୁଷ୍ଠାନ ଭାବେ କଟକର ଟ୍ରେନିଂ ସ୍କୁଲ ବା ନର୍ମାଲ ସ୍କୁଲର ମୂଳ ଉଦ୍ଦେଶ୍ୟ ଏହି ଥିଲା ଯେ ଗୁରୁ ଟ୍ରେନିଂ କ୍ଳାସ ବା ପଣ୍ଡିତ ଟ୍ରେନିଂ କ୍ଳାସରୁ ଯିଏ ଉତ୍ତୀର୍ଣ୍ଣ ହେବେ, ତାଙ୍କ ମାଧ୍ୟମରେ ଗାଁ ଗହଳରେ ଶିକ୍ଷକତା କରାଯାଇ ଲୋକଙ୍କୁ ଶିକ୍ଷିତ କରାଯିବ। ପୁନଶ୍ଚ ଦାରିଦ୍ର୍ୟ-ପଲ୍ବଳ-ଜାତ ମେଧାବୀଙ୍କ ଉଚ୍ଚାଭିଳାଷର ପୂର୍ତ୍ତି ପାଇଁ ଏହା ଥିଲା ଏକ ପ୍ରଧାନ ପୀଠ । ବର୍ତ୍ତମାନର କଳାରାହାଙ୍ଗ ଠାରୁ ଦୂରରେ ଥିବା କଟକ ଉପକଣ୍ଠ ତେଲେଙ୍ଗାପେଣ୍ଠ ଠାରେ କୁଆଖାଇ ନଦୀ କୂଳ ପାଖରେ ପିତାଙ୍କ ସହିତ ବିଶ୍ରାମ କରିଥିଲେ ମୃତ୍ୟୁଞ୍ଜୟ ରଥ। ସେତେବେଳେ ତାଙ୍କ ବୟସ ଥିଲା ୧୫ । ତଦାନୀନ୍ତନ ଅବର୍ଦ୍ଧିତ ଗ୍ରାମର ପ୍ରଶାନ୍ତ ପରିବେଶରେ ବିଶ୍ରାମ ଅନ୍ତେ ପରବର୍ତ୍ତୀ ଦିନ ସକାଳକୁ ସେମାନେ କଟକ ସହରରେ ପହଞ୍ଚିଥିଲେ। ଆଉ ସେଠାରେ ଥିବା ଧୂଆଁପତ୍ରିଆ ସାହିରେ ବସା ସ୍ଥିର କରିଥିଲେ ।

 

ସେତେବେଳେ ଟ୍ରେନିଂ ସ୍କୁଲରେ ଚାଲିଥାଏ ‘କାବ୍ୟତୀର୍ଥ’ କ୍ଲାସ୍ । ଭକ୍ତକବି ମଧୁସୂଦନ ରାଓ ଓ କବିବର ରାଧାନାଥ ରାୟଙ୍କ ସାନୁଗ୍ରହକ୍ରମେ ମୃତ୍ୟୁଞ୍ଜୟ ରଥ ‘କାବ୍ୟତୀର୍ଥ’ କ୍ଲାସ୍ ରେ ଯୋଗଦାନ କରିଥିଲେ । ଏହି କାବ୍ୟତୀର୍ଥ ପରୀକ୍ଷାରେ ତିରିଶ ଜଣ ଛାତ୍ରଙ୍କ ସହ ପରୀକ୍ଷା ଦେଇ ମୃତ୍ୟୁଞ୍ଜୟ ରଥ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ତଦାନୀନ୍ତନ ସମୟରେ ପୁଣି ଜାତୀୟ ପ୍ରାଣ-ସ୍ପନ୍ଦନର ଯଥାର୍ଥ କ୍ରମୋନ୍ନତି ସାଧନ ହୋଇସାରିଥାଏ ଏବଂ ଏକ ଅନବଦ୍ୟ ଭାବଧାରାରେ ଭାଷା, ସାହିତ୍ୟ, ସମାଜ, ସଂସ୍କୃତି ପ୍ରତ୍ୟେକ କ୍ଷେତ୍ରରେ ଅପୂର୍ବ ପ୍ରାଣସ୍ପର୍ଶ ଅନୁଭୂତ ହେଉଥିଲା । ଆଉ ଏହି ପ୍ରାଣାନୁଭୂତ-ଜାତୀୟତାର ଲିପ୍ସାରେ ଆମେ କାବ୍ୟତୀର୍ଥ ମୃତ୍ୟୁଞ୍ଜୟ ରଥଙ୍କ ପରି ବହୁସଂଖ୍ୟକ ଉତ୍ସାହୀ ଛାତ୍ରଙ୍କ ଆବିର୍ଭାବ ଲକ୍ଷ୍ୟ କରିଛୁ ।

 

୧୮୯୭ ମସିହାରେ ମୃତ୍ୟୁଞ୍ଜୟ ରଥ ମଧ୍ୟ-ଭର୍ଣ୍ଣାକୁଲାର ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ କଟକ ଟ୍ରେନିଂ ସ୍କୁଲରେ ସେତେବେଳେ ଭକ୍ତକବି ମଧୁସୂଦନ ରାଓଙ୍କ ସାହଚର୍ଯ୍ୟରେ ଯୋଗଦାନ କରିଥିଲେ ମୃତ୍ୟୁଞ୍ଜୟ। ତାଙ୍କୁ ଏଥିପାଇଁ ସହାୟତା କରିଥିଲେ ରେଭେନ୍ସା କଲିଜିଏଟ୍ ସ୍କୁଲର ହେଡମାଷ୍ଟର, ପଣ୍ଡିତ ପୁରୁଷୋତ୍ତମ ତର୍କାଳଙ୍କାର। ସଂଯୋଗବଶତଃ, ସେତେବେଳେ ସେହି ଟ୍ରେନିଂ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଥିଲେ ମଧୁସୂଦନ ରାଓ। ସ୍ଵର୍ଣ୍ଣବତ୍ ତେଜୋଦୀପ୍ତ ତରୁଣଙ୍କ ପ୍ରତିଭାରେ ମୁଗ୍ଧ ଓ ଲୁବ୍ଧ ମଧୁସୂଦନ ସାନନ୍ଦରେ ତାଙ୍କ ଶିଷ୍ୟ ରୂପେ ବରି ନେଇଥିଲେ । ସେତେବେଳେ, ଏହିପରି ପରୀକ୍ଷାମାନଙ୍କରେ ଉତ୍ତୀର୍ଣ୍ଣ ହେବା ଏକ ବିଲକ୍ଷଣ ପରି ପ୍ରତୀୟମାନ ହୁଏ । ପ୍ରତିଟି ଶ୍ରେଣୀୟ ପରୀକ୍ଷାରେ ପ୍ରଥମ ସ୍ଥାନର ଅଧିକାରୀ ହେଉଥିଲେ ମୃତ୍ୟୁଞ୍ଜୟ ରଥ। ପରବର୍ତ୍ତୀ କାଳରେ ଉତ୍କଳ ସାହିତ୍ୟ ପତ୍ରିକାର ସଂପାଦକ ବିଶ୍ଵନାଥ କରଙ୍କ ପ୍ରେରଣାରେ ତାଙ୍କର ସାହିତ୍ୟ ପ୍ରତି ଅନୁରକ୍ତି ଓ ଆଲୋଚନା-ପ୍ରବୃତ୍ତିର ସୁମହତ ବିକାଶ ଘଟିଲା ।

ସୁଠାମ ସୁଢଳାକୃତ ମୁଖର ରମଣୀୟ ଛବିସଦୃଶ ମୃତ୍ୟୁଞ୍ଜୟଙ୍କ ପ୍ରତିଭାର ବିକଶିତ ପ୍ରରୂପ ଲୋକଲୋଚନକୁ ଆସିଲା ‘ଉତ୍କଳ ସାହିତ୍ୟ ସମାଜ’ ମାଧ୍ୟମରେ । ଊନବିଂଶ ଶତାବ୍ଦୀର ଦ୍ଵିତୀୟାର୍ଦ୍ଧରେ ଅର୍ଥାତ୍, ୧୮୬୦ – ୧୯୦୦ ମସିହା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷା, ସାହିତ୍ୟ ଓ ଇତିହାସର ଆଲୋଚନା କ୍ରମେ ବୌଦ୍ଧିକ ବିକାଶ ପାଇଁ ‘ଉତ୍କଳ ଉଲ୍ଲାସିନୀ ସଭା’, ‘କଟକ ସୋସାଇଟି’, ‘ଉତ୍କଳ ଭାଷା ଉନ୍ନତି ବିଧାୟିନୀ ସଭା’, ‘କଟକଂ ଡିବେଟିଂ କ୍ଳବ’, ‘ଗଞ୍ଜାମ- ଉତ୍କଳ ହିତବାଦିନୀ ସଭା’ ପ୍ରଭୃତି ଅନୁଷ୍ଠାନ ଗଢିଉଠେ। ଏ ସକଳ ମଧ୍ୟରେ କଟକ ଟ୍ରେନିଂ ସ୍କୁଲରେ ଅନୁରୂପ ଅନୁଷ୍ଠିତ ଆଲୋଚନା ସଭାର ପ୍ରତିଦାନ ଉଲ୍ଲେଖଯୋଗ୍ୟ । ଯୁବଶକ୍ତିକୁ ଶିକ୍ଷାଦାନ ପରି ତପସ୍ଯା ସୁଲଭ ପବିତ୍ର କାର୍ଯ୍ୟ ପ୍ରତି ଆକୃଷ୍ଟ କରିବା ଏବଂ ସାହିତ୍ୟିକ ଲିପ୍ସାର ଉଦୟନ ପାଇଁ ଏ ସଭା ଅଭିପ୍ରେତ ଥିଲା ।

ତଦାନୀନ୍ତନ ଉତ୍କଳୀୟ ନବଜାଗରଣ ପାଇଁ କ୍ଷୋଭର ବିଷୟ ଯାହା ଥିଲା, କ୍ରମଶଃ ତାହା ପୁଣି ଯୁଗାନୁସାରୀ ପରିବର୍ତ୍ତନ କ୍ରମେ ନୂତନ ଓଡିଆ ମୌଳିକ ପାଠ୍ୟପୁସ୍ତକ ଓ ପ୍ରଣାଳୀ ରୂପେ ସ୍ଵଚ୍ଛଳ ଆତ୍ମପ୍ରକାଶ କରେ । ବିଶେଷତଃ, ୧୮୬୬ ସମ୍ଵତ୍ସରରେ ନ’ଙ୍କ ଦୁର୍ଭିକ୍ଷ ଜନିତ କରାଳ ପରିସ୍ଥିତିର ଆବେଶରୁ ବିମୁକ୍ତ ଜାଗରୁକ ସତ୍ତାର ଆବିର୍ଭାବ ସମେତ ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀର ଉଦ୍ଭବ-ସଂଜାତ ଓଡିଆ ଭାଷା ଓ ସାହିତ୍ୟର ଉନ୍ନୟନ ଏକ କାଳଜୟୀ ଇତିହାସ । ଏହିପରି ଏକ ଅଭିସନ୍ଧିରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ପ୍ରତିଭାର ସମୁନ୍ନତି ମଧ୍ୟ ଲକ୍ଷ୍ୟଣୀୟ । ସେହିପରି ଭାବେ ଛାତ୍ରାବସ୍ଥାରେ ମୃତ୍ୟୁଞ୍ଜୟ ରଥ ‘ଚିତ୍ରବିଦ୍ୟା’ ବା Drawing ଉପରେ ଏକ ପ୍ରବନ୍ଧ ଲେଖିଥିଲେ । ସେହି ପ୍ରବନ୍ଧ ମଧୁସୂଦନ ରାଓଙ୍କ ପ୍ରିୟଭାଜନ ହୋଇ ଶ୍ରେଷ୍ଠତ୍ଵ ଦ୍ଵାରା ବିବେଚିତ ହୁଏ ଏବଂ ‘ଉତ୍କଳ ସାହିତ୍ୟ’ ପାଇଁ ମନୋନୀତ ହୁଏ ।

ଅବଲୀଳା କ୍ରମେ ଛାତ୍ର ଜୀବନର ଏହି ଦୁର୍ଲକ୍ଷ୍ୟ କୃତୀତ୍ଵ ସ୍ଵରୂପ ପରବର୍ତ୍ତୀ ଆଲୋଚନା ସଭାର ସମ୍ପାଦନା କରିଥିଲେ ସ୍ଵୟଂ ତରୁଣ କାବ୍ୟତୀର୍ଥ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ! ‘ତ୍ରିକାଣ୍ଡ କୋଷ’, ‘ପୁରୁଷୋତ୍ତମ ପ୍ରବନ୍ଧ’ ତଥା ଅନେକ ସାହିତ୍ୟିକ ଜ୍ଞାନର ଆଲୋଚନା କରିଥିଲେ। ୧୮୯୫ ମସିହାରେ ଭକ୍ତକବି ମଧୁସୂଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ସଭା ”ଉତ୍କଳ ସାହିତ୍ୟ ସମାଜ” ରୂପେ ମେ ୭ ତାରିଖରେ ଜନ୍ମ ନେଇଥିଲା । ଫଳସ୍ୱରୂପ, ୧୮୨୦ରୁ ୧୮୫୮ ମଧ୍ୟରେ ‘ବର୍ଣ୍ଣବୋଧ’, ‘ସରଳ ବ୍ୟାକରଣ’, ‘ବତ୍ରିଶ ସିଂହାସନ’ ପ୍ରଭୃତି ଅନେକ ପାଠ୍ୟପୁସ୍ତକ ରଚିତ ହୋଇ ସାରିଥାଏ । କିନ୍ତୁ, ୧୮୬୫-୬୬ ସମ୍ଵତ୍ସରୀୟ ବିପାକ ଅନ୍ତେ ଓଡିଆ ମାଟିରେ ଆଧୁନିକ ଶିକ୍ଷା ସହ ଭାଷା ସାହିତ୍ୟର କ୍ଷେତ୍ରରେ ମୌଳିକ ପାଠ୍ୟକ୍ରମ ଗଢଣର ଯେଉଁ ଲୋଡା ପଡିଥିଲା, ତାହାର ଆଦିମ ଭିତ୍ତି ରୂପେ ‘ଉତ୍କଳ ସାହିତ୍ୟ ସମାଜ’ ଅନ୍ୟତମ ଏବଂ ଏହାର ଫଳବତୀ-ବକୁଳର ସୁଗନ୍ଧାଦୃତ ଉଦ୍ଗମ ଥିଲେ ମୃତ୍ୟୁଞ୍ଜୟ ରଥ ।

୧୯୦୦ ମସିହାରେ କଟକ ଟ୍ରେନିଂ ସ୍କୁଲର ତୃତୀୟ ବର୍ଷୀୟ ଶ୍ରେଣୀର ଶେଷ ପରୀକ୍ଷାରେ ପ୍ରଥମ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିଲେ । ପାଠ୍ୟକ୍ରମର ବିଷୟମାନ ସହ ପରୀକ୍ଷାର କଠୋରତା ପ୍ରଭୃତିକୁ ଭ୍ରୂକ୍ଷେପ ନ କରି ବ୍ୟତିକ୍ରମ ସ୍ଵରୂପ ମୃତ୍ୟୁଞ୍ଜୟ ରଥ ଜଣେ ଉଦୀୟମାନ ସାଧକ ରୂପେ ଦେଦୀପ୍ୟମାନ ହେବାରୁ ଶିକ୍ଷାପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ ହୁଏ । ହେଲେ ପରୀକ୍ଷା ଉତ୍ତୀର୍ଣ୍ଣ ନବାଭିଳାଷୀ ଯୁବକମାନଙ୍କ ପାଇଁ ସରକାରୀ ସ୍ତରରେ ଇନ୍ସପେକ୍ଟିଂ ନହେଲେ ଭର୍ଣ୍ଣାକୁଲାର ସ୍କୁଲର ଶିକ୍ଷକତା କରିବା ହିଁ ଏକାନ୍ତ ପେସାଗତ ଲକ୍ଷ୍ୟ ରହିଥିବାର ଅବହିତ । ଏଣୁ ଅନ୍ତର୍ଦ୍ଵନ୍ଦ୍ଵକୁ ନ ଯାଇ ଗୁରୁମାନଙ୍କ ପରାମର୍ଶ ଘେନି ମୃତ୍ୟୁଞ୍ଜୟ ରଥ କଟକରେ ରହି ସଂସ୍କୃତ ଅଧ୍ୟୟନ କରିଥିଲେ। ଆଉ ନବମୁକୁଳିତ ଶ୍ୟାମଳିମା ସ୍ଫୁଟ ସୁରଭିର ସ୍ଵରୂପୀ ମୃତ୍ୟୁଞ୍ଜୟ ସଂସ୍କୃତରେ ଅଧ୍ୟୟନ କରି ମାତ୍ର ଷୋହଳ ବର୍ଷ ବୟସରେ ‘କାବ୍ୟତୀର୍ଥ’ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଥିଲେ ।

ତତ୍କାଳୀନ ସମଗ୍ର ବିହାର ଓଡିଶା ପ୍ରଦେଶରେ ‘କାବ୍ୟତୀର୍ଥ’ ପରି ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାଣ୍ଡିତ୍ୟ ସଂପୁଟ-ସ୍ଫୁରିତ ଲାଳିମା ହେଇ ପ୍ରଭାତର ବାଳାରୁଣ ସଦୃଶ ଏହି ନବ ପ୍ରତିଭାଙ୍କ ଉନ୍ମେଷ ଓଡିଆ ମାଟିକୁ ଏକ ଭବ୍ୟ ଗୌରବ ଦିଏ। ସେତେବେଳକୁ କଟକର ଖ୍ୟାତିପ୍ରସୂତ ବିଦ୍ୟାଳୟମାନଙ୍କ ମଧ୍ୟରେ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ପ୍ରତିଷ୍ଠିତ ପ୍ୟାରୀମୋହନ ଏକାଡେମୀ ମୁଖ୍ୟ । ପରେ କଟକର ପ୍ୟାରୀମୋହନ ଏକାଡେମୀରେ ସେ ସହକାରୀ ଶିକ୍ଷକ ଅସ୍ଥାୟୀ ରୂପେ ଅବସ୍ଥାପିତ ହୁଅନ୍ତି। ଡ୍ରଇଂ ଶିକ୍ଷକ ଭାବେ ମାତ୍ର ପନ୍ଦର ଟଙ୍କାରେ ଶିକ୍ଷକତା କରିଥିଲେ । ଘରୋଇ ଭାବରେ ପ୍ରଥମତଃ ଜଣେ ପରୀକ୍ଷୋତ୍ତୀର୍ଣ୍ଣ ଯୁବକ ଭାବେ ଉପାର୍ଜନ ପନ୍ଥା ସ୍ଥିରନିଶ୍ଚିତ କରି ଏହି ସମୟରେ ହିଁ ସେ ନିଜ ସାହିତ୍ୟିକ ଜୀବନର ପ୍ରଥମ ଭିତ୍ତି ସ୍ଥାପନା କରିଥିଲେ। ଏଥି ସହ ପ୍ରାଚୀନ ଓଡିଆ ଓ ସଂସ୍କୃତ ସାହିତ୍ୟର ସମ୍ୟକ୍ ଅନୁଶୀଳନ କରୁ ଥିଲେ ।

ପରବର୍ତ୍ତୀ କାଳରେ ସେ ପ୍ୟାରୀମୋହନ ଏକାଡେମୀରେ ଅଳ୍ପଦିନ ଶିକ୍ଷକତା କରି ସ୍ଵୀୟ ଗୁରୁପ୍ରବର ଭକ୍ତକବି ମଧୂସୁଦନଙ୍କ ପ୍ରତିଷ୍ଠିତ ଟାଉନ୍ ଭିକ୍ଟୋରିଆ ମାଇନର୍ ସ୍କୁଲରେ ଶିକ୍ଷକତା ପାଇଁ ଗଲେ । ତାହା ସେତେବେଳେ ଉଚ୍ଚବିଦ୍ୟାଳୟ ସ୍ତରକୁ ଉନ୍ନୀତ ହୋଇ ସାରିଥାଏ । ହେଲେ ସେଠାରେ ମଧ୍ୟ ବିଶେଷତିଥି ପର୍ଯ୍ୟନ୍ତ ତିଷ୍ଠି ନ ପାରି ପୁନର୍ବାର ୧୯୦୫ ମସିହାରେ ସେ ସର୍ବସମ୍ମତିକ୍ରମେ ଫେବୃୟାରୀ ମାସରେ ରେଭେନ୍ସା କଲିଜିଏଟ୍ ସ୍କୁଲ ଠାରେ ଡ୍ରଇଂ ଶିକ୍ଷକ ରୂପେ ଯୋଗ ଦିଅନ୍ତି। ଏହି ସମୟରେ ସାରସ୍ଵତ-ସାଧନା-ବ୍ରତୀ ମୃତ୍ୟୁଞ୍ଜୟ ରଥ କାବ୍ୟ ଦ୍ଵିତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କାବ୍ୟ ଉପାଧି ପରୀକ୍ଷା ପାଇଁ ପ୍ରସ୍ତୁତି କରିଲେ । ଆଉ ସାରସ୍ଵତ-ପାଦପ ପରିପକ୍ଵତାର ତାରୁଣ୍ୟ ଅବଲମ୍ଵନ କରିସାରି ଥାଏ ସୌଭାଗ୍ୟର ପ୍ରଚୋଦନାରେ ।

ଶିକ୍ଷକତା କରିବା ଅନ୍ତରାଳରେ ବେଳେ ବେଳେ ମାସିକ ପତ୍ରିକାରେ ସେ ପ୍ରବନ୍ଧମାନ ପ୍ରକାଶ କରିବା ଆରମ୍ଭ କରି ସାରିଥିଲେ। ଇତିବୃତ୍ତର ଇଙ୍ଗିତିକାରେ ସେ ଘଟଣା କ୍ରମେ ‘ଉତ୍କଳ ସାହିତ୍ୟ’ର ସମ୍ପାଦକ ବାଗ୍ମୀ ବିଶ୍ଵନାଥ କରଙ୍କ ଦ୍ଵାରା ଉତ୍ସାହିତ ହୋଇ ବରାବର ଲେଖକୀୟ ସତ୍ତ୍ଵର ନିରାଜନା ଲାଗି ଅଭିପ୍ରେତ ରହୁଥିଲେ। ଏହି ‘ଉତ୍କଳ ସାହିତ୍ୟ’ ପତ୍ରିକା ତାଙ୍କୁ ନିରବଚ୍ଛିନ୍ନ ପାଠକୀୟତା ଓ ଲେଖନୀ ଚାଳନାରେ ଉଦବୁଦ୍ଧ କରାଇ ଏକ ନୂତନ ଦିଗନ୍ତରେ ଉପଗତ କରାଏ । ଏତଦ୍ ଛଡା, ସେହି ସମୟରେ ଗଞ୍ଜାମର ରମ୍ଭାଠାରୁ ପ୍ରକାଶିତ ‘ପ୍ରଜାବନ୍ଧୁ’ର ସମ୍ପାଦନା କରୁଥାଆନ୍ତି ତାଙ୍କର ସମକାଳୀନ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ । ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ ପ୍ରବନ୍ଧ ଓ ଆଲେଖ୍ୟ ସକଳ ପଢି ସେ ମୁଗ୍ଧ ହୋଇଥିଲେ। ଊନବିଂଶ ଶତାବ୍ଦୀର ପ୍ରଥମ ଚରଣରେ ଓଡିଆ ମାଟିରେ ଜଣେ ଉଚ୍ଚକୋଟୀର ସାମ୍ଵାଦିକଙ୍କ ସାନ୍ନିଧ୍ୟ ତାଙ୍କୁ ପ୍ରେରଣାପ୍ରଦ ହେଲା ।

ତାଙ୍କର ଲିଖିତ ଓ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ଚତୁଷ୍ପାଠୀ’ ପ୍ରବନ୍ଧରେ ପ୍ରାଚୀନ ଉତ୍କଳର ଶିକ୍ଷା ପ୍ରଣାଳୀ ଓ ବିଦ୍ୟାଚର୍ଚ୍ଚା ସମ୍ପର୍କରେ ବିଶଦ ଆଲୋଚିତ। ହେଲେ ଉଚ୍ଚକୋଟୀର ତଥା ବଳିଷ୍ଠ ଭାଷାରେ ମୌଳିକ ଉପସ୍ଥାପନା ପାଠକୀୟତାର ଏକ ବୃହତ୍ତର ପରିସରକୁ ସ୍ପର୍ଶ କରିଥିଲା । କବିବର ରାଧାନାଥ ରାୟ ଏକଦା ଏତେ ଲୁବ୍ଧମନା ହେଇଗଲେ ତାଙ୍କ ଲେଖାରେ ଯେ ସେ ସ୍ଵୟଂ ମୃତ୍ୟୁଞ୍ଜୟ ରଥଙ୍କୁ ସେ ଅବସ୍ଥାନ କରିଥିବା ଟାଉନ ଭିକ୍ଟୋରିଆ ସ୍କୁଲର ବୋର୍ଡିଙ୍ଗରେ ପ୍ରତ୍ୟକ୍ଷ କରି ଉଚ୍ଚ ପ୍ରଶଂସା କରିଥିଲେ । ଏତଦ୍ଦ୍ଵାରା ମୃତ୍ୟୁଞ୍ଜୟ ରଥଙ୍କୁ ସାହିତ୍ୟାନୁରାଗ ପାଇଁ ଅନୁପ୍ରେରିତ କରିବାରେ ବିଶେଷ ପ୍ରଭାବ ପକାଇଥିଲା । ତେବେ ସୁଧୀବୃନ୍ଦଙ୍କ ଦୃଷ୍ଟି ଆକର୍ଷଣ ଏ ବିଷୟରେ ନିତାନ୍ତ ହେବ, ଯାହାକି କାବ୍ୟତୀର୍ଥ ମୃତ୍ୟୁଞ୍ଜୟଙ୍କ ଉପାଧ୍ୟୁତ୍ତର ଜୀବନର ଏକ ରୋଚକ ଘଟଣାକ୍ରମ ଥିଲା ।

୧୯୦୪ ମସିହାର କଦବା କୌଣସି ମୁହୂର୍ତ୍ତ। କଟକର ସ୍ଥାନୀୟ ଜମିଦାର ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ଗୃହାଙ୍ଗନ ବେଢି ଏକ ସାଧାରଣ ସଭାରେ ନିକଟସ୍ଥ ଶଙ୍କରାନନ୍ଦ ମଠର ପଣ୍ଡିତ ସ୍ଵାମୀଙ୍କର ସଭାପତିତ୍ଵରେ ତଥା ବିଶିଷ୍ଟ ସାହିତ୍ୟାନୁରାଗୀଙ୍କ ସହୃଦୟ ଉପସ୍ଥିତିରେ ପଣ୍ଡିତ ମୃତ୍ୟୁଞ୍ଜୟ ମୃତ୍ୟୁଞ୍ଜୟ ରଥଙ୍କୁ ‘ବାଣୀଭୂଷଣ’ ପ୍ରଦାନ କରାଯାଏ। ହେଲେ ମୁଷ୍ଟିମେୟ ଈର୍ଷାପରାୟଣଙ୍କ ଚକ୍ଷୁଶୂଳ ହେଲେ ପଣ୍ଡିତ ମୃତ୍ୟୁଞ୍ଜୟ। କଟକର କିଛି ପଣ୍ଡିତ ତାଙ୍କୁ ‘କାଠଯୋଡ଼ି କୂଳିଆ’ ଉପାଧି ଦ୍ଵାରା ଅଟ୍ଟହାସ୍ୟ କରି ଯୁକ୍ତି କରିଥିଲେ, କାରଣ ସେମାନଙ୍କ ପାଇଁ ଏହି ଉପାଧିର ପ୍ରସ୍ତାବନା କ୍ରମେ ଅସହିଷ୍ଣୁ ହୋଇପଡିଥାଏ । ଉତ୍ତ୍ୟକ୍ତ ବିପକ୍ଷଦଳ ତାଙ୍କ ବିରୋଧରେ ଉପଯୁକ୍ତ ଯୋଗ୍ୟତା ନଥିବାର ଅଭିଯୋଗରେ ଏମନ୍ତ ବିଦ୍ରୂପରେ ରତ ହୋଇ ରହି ଶ୍ଳୋକ କହି ନେଫେଡେଇ ହେଲେ :

“ଅମଙ୍ଗଳସ୍ୟ ବାରସ୍ୟ ଯଥା ମଙ୍ଗଳବାରତା।
ଅବାଣୀଭୂଷଣସ୍ୟାପି ବାଣୀଭୂଷଣ ତଥା।।”

ଅର୍ଥାତ୍, ଯେପରି ଅମଙ୍ଗଳ ସୂଚକ ଦିନକୁ ମଙ୍ଗଳବାର ନାମରେ କୁହାଯାଇଛି, ସେହି ପରି ‘ଅବାଣୀଭୂଷଣ’ କୁ ଏଠାରେ ‘ବାଣୀଭୂଷଣ’ ଉପାଧି ଦିଆଯାଇଛି ! ଏମନ୍ତ ନକଲ ଉପାଧି ପ୍ରଦାନରେ କୌଣସି ଗୌରବାର୍ଜନର ଅଧିକାରୀ ନଥିଲେ ଏ ତଥାକଥିତ ପଣ୍ଡିତମନ୍ୟ ବିପକ୍ଷଦଳ। ସ୍ଥିତଧୀର ପୂର୍ଣ୍ଣ ଉଚ୍ଛ୍ଵାସରେ କାର୍ଯ୍ୟବ୍ୟସ୍ତତା ସତ୍ତ୍ଵେ ପରବର୍ତ୍ତୀ ଲକ୍ଷ୍ୟାନୁବର୍ତ୍ତୀ ଥିଲେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ । ଦିନୁଦିନ ଧରି ଶାସ୍ତ୍ରାଧ୍ୟୟନରେ ଲିପ୍ତ ରହୁ ଏବଂ ପରୀକ୍ଷା ପାଇଁ ଅଭୂତପୂର୍ବ ଅଧ୍ୟବସାୟରେ ନିର୍ନିମେଷ ହୋଇ ନିମଜ୍ଜିତ ରହୁଥିଲେ କାବ୍ୟତୀର୍ଥ ମୃତ୍ୟୁଞ୍ଜୟ । ଶତ୍ରୁମାନଙ୍କ କୁଚକ୍ର, ଅପପ୍ରଚାର, ଶଠତା ସତ୍ତ୍ଵେ ଦୃଢପ୍ରତିଜ୍ଞ ମୃତ୍ୟୁଞ୍ଜୟ ରଥ ୧୯୦୭ ମସିହାରେ କାବ୍ୟ ଉପାଧି ପରୀକ୍ଷା ଦେଇ ପୁନଶ୍ଚ ସମଗ୍ର ବିହାର, ବଙ୍ଗଳା, ଓଡ଼ିଶା ଓ ଛୋଟନାଗପୁରରେ ଶୀର୍ଷସ୍ଥାନର ଅଧିକାରୀ ହୋଇଥିଲେ।

ଏ ହିଁ ଥିଲେ ଆମ ମାଟିର ଜଣେ ବରେଣ୍ୟ ତଥା ଦେବତୁଲ ଉପାସ୍ୟ ମାନବ, ଯାହାକୁ ଆଜି କେହି ବି ମନେ ରଖିନାହାନ୍ତି। ମନେ ରଖିବା ତ ଦୂର୍, ଆଦର୍ଶ ଅନୁପାଳନ ତ ବାଗାଡମ୍ଵରରେ ଶତକଡାଏ କ୍ରାନ୍ତି, ହେଲେ ଦେଖିଲେ ତ ଖାଲି ଶୂନ୍ ଫଟ୍ ! ଅଧୁନାତନ ଯୁଗରେ ସଫଳ ପ୍ରତୀୟମାନ ପରୀକ୍ଷାର୍ଥୀ କେତେ ଚରିତ୍ରରେ ଗରୀୟାନ, ତାହା ତାଙ୍କ ବିମୁଖତାରୁ ସୁସ୍ପଷ୍ଟ ଜଣାପଡିଯାଉଛି। ହେଲେ କେବଳ ପରୀକ୍ଷାରେ ନିଜସ୍ଵ ଜ୍ଞାନକୁ ସମାପନ କରିନଥିଲେ । ସାରସ୍ଵତ ସାଧନାରେ ଯେତିକି ନିର୍ମଳ ତାଙ୍କର ସାଧନା-ମନସ୍କ ମନୋବୃତ୍ତି, ତଦନୁରୂପେ ମହୀୟାନ ମଧ୍ୟ ତାଙ୍କର ଶିକ୍ଷକତା ଜୀବନରେ ଛାତ୍ରବତ୍ସଳତା ଓ କର୍ତ୍ତବ୍ୟ ନିଷ୍ଠା। ନିଜ ବ୍ୟକ୍ତିତ୍ଵର ଏହି ପାଟବ ନିମନ୍ତେ ସେ ବିଭିନ୍ନ ଖ୍ୟାତନାମା ସ୍ଥାନ ଓ ସ୍କୁଲମାନଙ୍କରେ ଶିକ୍ଷକତା କରି ବଦାନ୍ୟତା ଅର୍ଜନ କରିଥିଲେ।

ଶିକ୍ଷା, ସ୍ଵାସ୍ଥ୍ୟ, କୃଷି ବିଜ୍ଞାନ, ଭାଷା ବିଜ୍ଞାନ, ଇତିହାସ ସହ ମୁଦ୍ରାଯନ୍ତ୍ର, ଘଟୀଯନ୍ତ୍ର, ମଙ୍ଗଳଗ୍ରହ, ଭୂମିକମ୍ପ ଭଳି ଏକାଧିକ ବିଜ୍ଞାନ ସମ୍ପର୍କିତ ପ୍ରବନ୍ଧ ପ୍ରକାଶ କରେଇଥିଲେ। ଏତଦ୍ ବ୍ୟତୀତ, ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ‘ଶବ୍ଦାର୍ଥ ଚର୍ଚ୍ଚା’, ‘ଧ୍ଵନ୍ୟାତ୍ମକ ଭାଷା’ , ‘ଭାଷା ରହସ୍ୟ’ , ‘ଓଡ଼ିଆ ଭାଷାର ମୂଳ’ , ‘ଗ୍ରାମ୍ୟ ଭାଷା’, ‘ବର୍ଣ୍ଣମାଳା’ ସହ ‘କୃଷକ ଜୀବନ’ ଭଳି ଅନେକ ଗତିଶୀଳ ବିଷୟ ଉପରେ ଆଲୋକପାତ କରିଛନ୍ତି। ‘ଭାଷା ରହସ୍ୟ’ ରେ ଓଡ଼ିଆ ଭାଷା ସମ୍ପର୍କରେ ସିଏ ଉଲ୍ଲେଖ କରିଛନ୍ତି – “ମାଗଧୀ ପ୍ରାକୃତ ଏହାର ଜନନୀ, ସଂସ୍କୃତ ମାତାମହୀ, ପାଲି ଓ ମହାରାଷ୍ଟ୍ରୀ ମାତୃଷ୍ଵସା, ହିନ୍ଦୀ ଓ ଗୁଜୁରାଟୀ ଜ୍ୟେଷ୍ଠା ଭଗିନୀ; ପାରସୀ, ଆରବୀ ଓ ଯାବନିକ ଭାଷା – ସମୟ ଓ ସୁବିଧା ଅନୁସାରେ ଏହା ପରିବର୍ତ୍ତିତ ଓ ପରିପୁଷ୍ଟ।” ଏହିପରି ଆହୁରି କେତେ ଆଲୋଚନା ପ୍ରକାଶିତ ।

(ନରାଜ ଶିଳାଦେହ ଖୋଦିତ ପ୍ରସ୍ତର ଚିତ୍ରକଳା)

ମୃତ୍ୟୁଞ୍ଜୟ ଛାତ୍ରାବସ୍ଥାରୁ ସାହିତ୍ୟ ଓ ସାହିତ୍ୟିକଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ । ସେତେବେଳେ ମିଡିଲ ଭର୍ଣ୍ଣାକୁଲାର୍ ସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଯୁବକ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କରିବା ଅସମ୍ଭବ ନ ହୋଇପାରେ କିନ୍ତୁ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କରି ପ୍ରସିଦ୍ଧ ଅର୍ଜନ କରିବା ଏକରକମ ଅସମ୍ଭବ ଥିଲା । କେବଳ ଅଧ୍ୟବସାୟ, ପରିଶ୍ରମ ଓ ନିଷ୍ଠା ବଳରେ ଜଣେ ସାହିତ୍ୟ କ୍ଷେତ୍ରରେ ଗୌରବ ଅର୍ଜନ କରି ପାରିଥିଲା । ଛାତ୍ର ଜୀବନରେ ସେ ଭକ୍ତକବି ମଧୁସୂଦନ ରାଓ, ଚନ୍ଦ୍ରମୋହନ ମହାରଣା ପ୍ରଭୃତି ଶିକ୍ଷା ଓ ସାହିତ୍ୟପ୍ରେମୀଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ । ସେମାନଙ୍କର ପ୍ରେରଣାରେ ମୃତ୍ୟୁଞ୍ଜୟଙ୍କ ସାହିତ୍ୟ ଚର୍ଚ୍ଚାର ସୂତ୍ରପାତ ହେଲା ଓ କବିବର ରାଧାନାଥ, ପ୍ରାବନ୍ଧିକ ବିଶ୍ଵନାଥ କର ପ୍ରଭୃତିଙ୍କର ସାହିତ୍ୟିକ ସାଧନା ସଫଳତାର ସୀମା ସ୍ପର୍ଶ କରିଥିଲା ।

ବିଶେଷତଃ ସେତେବେଳର ସୁସାହିତ୍ୟିକ ଶଶିଭୂଷଣ ରାୟଙ୍କର ବନ୍ଧୁତା ମୃତ୍ୟୁଞ୍ଜୟଙ୍କ ପକ୍ଷରେ ବିଶେଷ ଫଳପ୍ରଦ ହୋଇଥିଲା । ଓଡ଼ିଆ ସାହିତ୍ୟରେ ଶଶିଭୂଷଣ ଓ ମୃତ୍ୟୁଞ୍ଜୟଙ୍କର ସଂଯୋଗ ମଣିକାଞ୍ଚନ ସଂଯୋଗ ସଦୃଶ ପ୍ରତୀତ ହୁଏ । ଉଭୟ ସାହିତ୍ୟରେ ଗଦ୍ୟର ମାଧ୍ୟମିକ ଭାବପ୍ରକାଶ ପାଇଁ ଗ୍ରହଣ କରିଥିଲେ । ଉଭୟଙ୍କର ସୌନ୍ଦର୍ଯ୍ୟ – ଜ୍ଞାନ ପରମ୍ପରା ଦ୍ଵାରା ପ୍ରଭାବିତ ହୋଇଥିଲା । ତେଣୁ ଉଭଙ୍କର ଲେଖାରେ ବୈଷମ୍ୟ ଅପେକ୍ଷାକୃତ ସାମ୍ୟ ହିଁ ବିଶେଷ ଭାବେ ଦେଖାଯାଉଥିଲା । ଓଡ଼ିଶାର ରାଜା ମହାରାଜାଙ୍କ ଦ୍ଵାରା ମୃତ୍ୟୁଞ୍ଜୟ ବହୁବାର ପୁରସ୍କୃତ ହୋଇଥିଲେ । ‘ଉତ୍କଳ ସାହିତ୍ୟ ସମାଜ‘ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ ମୃତ୍ୟୁଞ୍ଜୟ ଏକାଧିକବାର ପୁରସ୍କାର ଲାଭ କରିଥିଲେ ।

ଦୀର୍ଘ ୨୫ ବର୍ଷ ଧରି ଉତ୍କଳ ସାହିତ୍ୟ ପତ୍ରିକା ଓ ମୁକୁର ପତ୍ରିକା ସହିତ ସେ ଜଡିତ ଥିଲେ। ମୃତ୍ୟୁଞ୍ଜୟଙ୍କର ସମଗ୍ର ରଚନାବଳୀର ବିଭାଗ ହେଲା ଶିଶୁ ଉପଯୋଗୀ ରଚନା, ମୌଳିକ କାବ୍ୟ କବିତା, ଗଦ୍ୟ ରଚନା ତଥା ଅନୁବାଦ। ଶିଶୁସାହିତ୍ୟ ରଚନା କ୍ରମରେ ମୃତ୍ୟୁଞ୍ଜୟଙ୍କର ପ୍ରଣୀତ ପାଠ୍ୟପୁସ୍ତକ ସମୂଦ ଅନ୍ତର୍ଗତ। ମୌଳିକ କାବ୍ୟ କବିତା ପର୍ଯ୍ୟାୟରେ ମୃତ୍ୟୁଞ୍ଜୟଙ୍କର ବିଭିନ୍ନ ସମୟର ରଚିତ କବିତା କାବ୍ୟ ଓ ଭ୍ରମଣ ପ୍ରସଙ୍ଗ ଉଲ୍ଲେଖଯୋଗ୍ୟ। ତୃତୀୟ ପର୍ଯ୍ୟାୟ ଗଦ୍ୟ ବିଭାଗ ହିଁ ମୃତ୍ୟୁଞ୍ଜୟଙ୍କର ସାହିତ୍ୟିକ ସିଦ୍ଧି ଓ କୃତିର ଶ୍ରେଷ୍ଠ ନିଦର୍ଶନ। ଏହା ମୁଖ୍ୟତଃ ଗବେଷଣାଧର୍ମୀ। ଏଥିରେ ଦେଶର ପ୍ରତ୍ନତତ୍ତ୍ୱ ଭାଷା ଓ ସାହିତ୍ୟ ସ୍ୱରୂପ, ବିଭିନ୍ନ ମହାପୁରୁଷଙ୍କ ଜୀବନୀ ଅନ୍ତର୍ଭୁକ୍ତ। ଚତୁର୍ଥ ପର୍ଯ୍ୟାୟ ମୁଖ୍ୟତଃ ଅନୁବାଦ ମୂଳକ ରଚନା ଓ ମୁଳସଂସ୍କୃତ ରୁ ଏହା ଗୃହୀତ।

ଓଡିଆ ସୁଖବୋଧ ବ୍ୟାକରଣ, ସଂସ୍କୃତ ଅନୁବାଦ ଓଡିଆ ମୂଳଶବ୍ଦ ବୋଧିକା ତାଙ୍କର କୃତୀତ୍ଵ । ଏହି ସବୁ ପୁସ୍ତକ ଲେଖିବାରେ ମୃତ୍ୟୁଞ୍ଜୟଙ୍କରେ ଏକମାତ୍ର ଉଦ୍ଦେଶ୍ୟ ଥିଲା ଓଡ଼ିଆ ପାଠ୍ୟ ପୁସ୍ତକର ଅଭାବ ଦୂର କରିବା । ତାଙ୍କର ପାଠ୍ୟପୁସ୍ତକ ସେତେବେଳର ଶିକ୍ଷାପ୍ରେମୀ ଓ ଶିକ୍ଷାବିଦ୍ ମାନଙ୍କର ଦୃଷ୍ଟି ଆକର୍ଷଣ କରେ । ଏହି ପାଠ୍ୟପୁସ୍ତକର ଭାଷା ସାଧାରଣତଃ ସଂସ୍କୃତ ଭାଷା । ଏହାର ଶୈଳୀ ବହୁ ଭାବରେ ମଧୁସୂଦନଙ୍କ ଗଦ୍ୟଶୈଳୀ ଦ୍ୱାରା ପ୍ରଭାବିତ ହୋଇଥିଲା । ଚନ୍ଦ୍ରମଣି ମହାରଣା ସମସାମୟିକ ପ୍ରବନ୍ଧ ଲେଖକ ଥିଲେ। ମୃତ୍ୟୁଞ୍ଜୟଙ୍କର ‘ପ୍ରବନ୍ଧ ପାଠ’ ଓ ‘ନାରୀଦର୍ପଣ’ ଅନ୍ତର୍ଭୁକ୍ତ ଲେଖାଗୁଡିକ ପ୍ରକୃତି ବର୍ଣ୍ଣନା ମୂଳକ ଓ ମୂଳରୁ ଛାତ୍ର ଛାତ୍ରୀମାନଙ୍କୁ ମହତ ଆଦର୍ଶରେ ଅନୁପ୍ରାଣିତ କରିବା ଏହାର ଲକ୍ଷ୍ୟ ।

ପ୍ରବନ୍ଧ ପାଠ ୧୯୦୭ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଏଥିରେ ୨୧ ଗୋଟି ପ୍ରବନ୍ଧ ଅନ୍ତଃର୍ଭୁକ୍ତ । ପ୍ରବନ୍ଧ ଗୁଡିକରେ ବ୍ୟାପ୍ତି ଓ ଆଭିମୁଖ୍ୟ ଉଲ୍ଲେଖଯୋଗ୍ୟ। ଏଥିରେ ମହାପୁରୁଷମାନଙ୍କର ଜୀବନୀ, ଐତିହାସିକ ବିବରଣୀ, ଦର୍ଶନୀୟ ସ୍ଥାନ ମାନଙ୍କର ବର୍ଣ୍ଣନା, ବିଜ୍ଞାନ ଓ ଧର୍ମ ଆଲୋଚନା ସ୍ଥାନ ପାଇଥିଲା। ଲେଖକ ପୁସ୍ତକର ଭୂମିକାରେ ନିଜର ଉଦ୍ଦେଶ୍ୟ ସୂଚିତ କରିଛନ୍ତି। ଏହା ହେଉଛି ଯେ କଲିକତା ବିଶ୍ଵବିଦ୍ୟାଳୟର ପରୀକ୍ଷାମାନଙ୍କରେ ଓଡିଆ ପାଠ୍ୟପୁସ୍ତକର ପ୍ରୟୋଜନୀୟତା ଓ ଓଡିଆ ଗଦ୍ୟ ପୁସ୍ତକର ଅଭାବ ଉପଲବ୍ଧି କରି କତିପୟ ବନ୍ଧୁଙ୍କ ଉପଦେଶ କ୍ରମେ ସେ ଏଥିରେ ପ୍ରୟାସୀ ହେଇଥିଲେ । ଏହା ଯଦି ଶିକ୍ଷା ବିଭାଗର କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଦ୍ୟାଳୟ ପାଠୋପଯୋଗୀ ବିବେଚିତ ହୁଏ ତାହା ହେଲେ ତାଙ୍କର ସମସ୍ତ ଶ୍ରମ ସାର୍ଥକ ହେବ।

ଓଡିଆ ଭାଷା ୧୮୫୦ ମସିହା ପରେ ପ୍ରଗତି ଓ ପରିବର୍ତ୍ତନ ସ୍ରୋତରେ ପ୍ରଭାବିତ ହୋଇଥିଲେ ହେଁ ନିଚ୍ଛକ ପାଠ୍ୟପୁସ୍ତକ ଏକାନ୍ତ ଅଭାବ ଥିଲା । ରିଙ୍ଗ୍ ଲିଡର୍ ବୋଲାଉଥିବା ଫକୀରମୋହନଙ୍କଠାରୁ ଆରମ୍ଭ କରି ଭକ୍ତକବି ମଧୁସୁଦନ ରାଓଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡିଆ ଭାଷାର ଏହି ଅଭାବ ଦୂର କରିବା ପାଇଁ ଯତ୍ନ କରିଥିଲେ। ମୃତ୍ୟୁଞ୍ଜୟ ରଥ ସେମାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ଆଉ ଏକ ପୁସ୍ତକର ନାମ “ନାରୀ ଦର୍ପଣ”। ଏଥିରେ ମହୀୟସୀ ବିଦୂଷୀ ରମଣୀମାନଙ୍କର ଜୀବନ ଚରିତ ଦେଖିବାକୁ ମିଳେ। ଛାତ୍ର ଛାତ୍ରୀମାନଙ୍କର ଜ୍ଞାନ ଚର୍ଚ୍ଚା ଓ ଆଦର୍ଶ ଆହରଣ ଯେପରି ସମ୍ପୂର୍ଣ୍ଣ ହେବ ସେହି ଉଦ୍ଦେଶ୍ୟରେ ଏହି ପୁସ୍ତକଟି ରଚିତ ହୋଇଥିଲା । ଏହା ଦୁଇ ଭାଗରେ ବିଭକ୍ତ। ଏହି ପୁସ୍ତକରେ ଲେଖକ ସ୍ୱୀକାର କରିଛନ୍ତି ଯେ ଓଡିଆ ଭାଷାରେ ଉପଯୁକ୍ତ ପାଠ୍ୟପୁସ୍ତକର ଅଭାବ ଥିଲା ।

ସେହି ଅଭାବ ମୋଚନ ପାଇଁ ଲେଖକ ‘ନାରୀ ଦର୍ପଣ’ ପୁସ୍ତକ ଲେଖିଥିଲେ। ଏଥିରେ ସ୍ଥାନୀୟ ଐତିହାସିକ ଖ୍ୟାତି ସମ୍ପନ୍ନା ନାରୀ ମାନଙ୍କ ଜୀବନୀ ସଙ୍କଳନ କରିଥିଲେ । ଏପରି ଆଦର୍ଶ ସମାଜରେ ପ୍ରଚଳିତ ହେବା ସମସ୍ତଙ୍କର କାମ୍ୟ ଥିଲା। ସାବିତ୍ରୀ, ସୀତା, ମୈତ୍ରେୟୀ ଓ ଶୈବ୍ୟା ପ୍ରଭୃତି ତ୍ରୟୋଦଶ ଗୋଟି ଜୀବନୀ ପୁସ୍ତକରେ ସ୍ଥାନ ପାଇଛି। ଗାର୍ଗୀ, ଲୀଳାବତୀ, ସଂଯୁକ୍ତା, ସରସ୍ୱତୀ, ଅହଲ୍ୟା, ଦୁର୍ଗାବତୀ, ଚିତ୍ରା, ଭଦ୍ରା, ଦମୟନ୍ତୀ ଓ ଗାନ୍ଧାରୀ ପ୍ରଭୃତି ଏଗାର ଗୋଟି ବିଶିଷ୍ଟ ଜୀବନୀ ଏହି ପୁସ୍ତକରେ ବର୍ଣ୍ଣିତ ହୋଇଛି। ଏହି ପୁସ୍ତକଟି ମଧ୍ୟ କଲିକତା ବିଶ୍ଵବିଦ୍ୟାଳୟ ଦ୍ୱାରା ପାଠ୍ୟପୁସ୍ତକ ରୂପେ ମନୋନୀତ ହୋଇଥିଲା । ଶଶିଭୂଷଣ ରାୟ ଏହି ପୁସ୍ତକର ମୁଖବନ୍ଧ ଲେଖିଥିଲେ ।

ମୌଳିକ ଲେଖକ ଭାବେ ସେ କବିବର ରାଧାନାଥ ରାୟ ଓ ଭକ୍ତକବି ମଧୁସୂଦନଙ୍କ ଠାରୁ ପ୍ରଭାବିତ ହୋଇଥିଲେ । ତଦନୁସାରୀ ଏକ ବର୍ଣ୍ଣନାତ୍ମକ କାବ୍ୟ ତାଙ୍କର ହେଉଛି ନରାଜ । ମହାନଦୀ ତଟରେ ଅବସ୍ଥିତ ଏହି ସଦ୍ୟ କ୍ଷୟିଷ୍ଣୁ ଐତିହ୍ୟ ପର୍ବତର ଦର୍ଶନ କରି ଅନଭ୍ୟସ୍ତ ହସ୍ତରେ କେତେକ ପଂକ୍ତି ପଦ୍ୟ ରଚନା କରିଥିଲେ । ଏହାପରେ ପାଣ୍ଡୁଲିପି ସେ ସମ୍ପୂର୍ଣ୍ଣ କରିଥିଲେ । ପୁସ୍ତକର ପ୍ରକାଶନରେ ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣା, ପଲ୍ଲୀକବି ନନ୍ଦକିଶୋର ବଳ ଓ ‘ଉତ୍କଳ ସାହିତ୍ୟ’ ସମ୍ପାଦକ ଲେଖକଙ୍କୁ ଉତ୍ସାହିତ କରିଥିଲେ । ଲେଖକ ପୁସ୍ତକକୁ ସୁଦାମ ଚରଣ ନାୟକଙ୍କୁ ଉତ୍ସର୍ଗ କରିଥିଲେ। ଏହି କ୍ଷୀଣକାୟ ନାତିଦୀର୍ଘ କାବ୍ୟଖଣ୍ଡିକ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଣ୍ଣନା, ଐତିହାସିକ ଓ ଭୌଗୋଳିକ ତଥ୍ୟରେ ପରିପୂର୍ଣ୍ଣ ।

ଏହା ବ୍ୟତୀତ ସମଗ୍ର ଓଡ଼ିଶାର କେତେକ ପର୍ବତ, ନଦନଦୀ ଓ ଐତିହାସିକ କୀର୍ତ୍ତି ମଧ୍ୟ ସ୍ଥାନ ପାଇଅଛି । କାବ୍ୟାକାର କ୍ଷୁଦ୍ର ହେଲେ ହେଁ ଏହାର ଶୈକ୍ଷିକ ତଥା ସୃଷ୍ଟି ପରାକାଷ୍ଠା ଊଣା ନୁହେଁ । କବିଙ୍କର ରସ ସୌନ୍ଦର୍ଯ୍ୟ ଓ ଉତ୍କଳର ପ୍ରତ୍ନତତ୍ତ୍ଵ ଜ୍ଞାନ ଏହି କାବ୍ୟକୁ ରସୋତ୍ତୀର୍ଣ୍ଣ କରିପାରିଛି । କବି ପ୍ରଥମେ ନରାଜ ପର୍ବତକୁ ଦେଖି ନିଜକୁ କୃତକୃତ୍ୟ ଓ ଭାଗ୍ୟବାନ୍ ମନେ କରଛନ୍ତି । ଅସ୍ତଗାମୀ ସୂର୍ଯ୍ୟଙ୍କର ଅରୁଣିମ ରଶ୍ମି, ଯେତେବେଳେ କାଠଯୋଡ଼ା ଓ ମହାନଦୀର ବକ୍ଷ ଉପରେ ବୁଣିହୋଇ ପଡ଼ିଥାଏ, ସେତେବେଳେ ପଶ୍ଚିମ ଦିଗନ୍ତର ପ୍ରାଚୀର ସଦୃଶ ଏହି ନରାଜ ପର୍ବତ ବାଟୋଇର ଆଖିରେ ଝଲସିଉଠେ :

“ବାଳଭାନୁ ସ୍ଵର୍ଣ୍ଣ-କିରଣେ ଛୁରିତ
ସିକତାଶୟନ ଦିଶେ ଶ୍ଵେତପୀତ।
ଶବଳିତ ଶଯ୍ୟା ତେଜି ପଶ୍ଚିମାସ୍ୟେ
ପଶ୍ଚିମାଶା-ପଥ ଧରୁଁ ପୂର୍ଣ୍ଣ-ଆଶେ ।

ପ୍ରାଚୀର ଆକାରେ ଦୂରୁଁ ଶୈଳରେଖା
ନୀଳ-ବ୍ୟୋମତଳେ ଠୁଳେ ହେଲା ଦେଖା ।
ଏକେ ଏକେ ପାଶେ ହେଲେ ସୁବ୍ୟକତ
କେ ନୀଳ ହରିତ ମିଶ୍ର ଆରକତ।

ଦକ୍ଷିଣେ ପାଟଳ ନେତଲ ମୁଣ୍ଡିଆ
ଭାଲୁଙ୍କା ଚୂଡ଼ଙ୍ଗ ପାଶେ ପାଶେ ଠିଆ ।
ଉତ୍ତରେ ବିଧାର-ପୁର ଟାଙ୍ଗି ଦିଶେ
କ୍ଷେତ୍ର ସୀମାପ୍ରାନ୍ତ ସେତୁ ସତେ କି ସେ ?”

(ଦକ୍ଷିଣ ରାଜସ ଗ୍ରାମ ସଂଲଗ୍ନ ମା’ ନାରାୟଣୀଙ୍କ ମନ୍ଦିର)

ପଥର-କଟାଳୀମାନଙ୍କର ପରିଶ୍ରମ, ଶଗଡ଼ିଆମାନଙ୍କର ପଥକ୍ଳାନ୍ତ କାବ୍ୟର ପ୍ରଥମରେ ଲେଖକ ସୂଚିତ କରିଛନ୍ତି । ଏହାପରେ ମୟୂରଭଞ୍ଜର ଗୋନାସିକା ଶୈଳ, ଏହାର ପୌରାଣିକ ମହତ୍ତ୍ଵ, ବୈତରଣୀ ନଦୀର ଉତ୍ପତ୍ତି, ଢେଙ୍କାନାଳର କପିଳାସ ପର୍ବତ, ଖୋର୍ଦ୍ଧାର ବରୁଣେଇ ପର୍ବତ, ଭୁବନେଶ୍ଵର ନିକଟବର୍ତ୍ତୀ ଖଣ୍ଡଗିରି ଓ ଉଦୟଗିରିର ଗୁହାରେ ଶିଳ୍ପୀମାନଙ୍କର ଶିଳ୍ପଗୌରବ, ଏଠାରେ ପ୍ରସିଦ୍ଧ ରାଣୀ ହଂସପୁରରେ ରାଜା ଲଳିତେନ୍ଦୁ ଓ ତଦୀୟ ମହିଷୀମାନଙ୍କର ଏକ ବିଶ୍ରାମ ସମ୍ପର୍କରେ କେତେ ବର୍ଣ୍ଣନା ଦେଇଛନ୍ତି ସତେ । ନରାଜ ପର୍ବତର ବୌଦ୍ଧଧର୍ମ ସମ୍ପର୍କୀୟ ସ୍ମୃତି କବି ଗୋଟି ଗୋଟି କରି ବର୍ଣ୍ଣନା କରିଛନ୍ତି । ଉତ୍କଳ ଯେ ଦିନେ ବୌଦ୍ଧଧର୍ମର ପ୍ରଧାନସ୍ଥଳୀ ଥିଲା !

‘‘କେ ସନ୍ଥମାଧବ ନାମେ ପରିଚିତ
ହିନ୍ଦୁ କରେ ପୁଷ୍ପ, ଚନ୍ଦନ ଚର୍ଚ୍ଚିତ
କାହିଁ ବାସୁଦେବ ଧର୍ମ ନରଞ୍ଜନ
କାହିଁ ସିଦ୍ଧନାଥ ଶାନ୍ତ ନାରାୟଣ ।”

ଉତ୍କଳର ବୌଦ୍ଧପ୍ରଧାନ ଅଞ୍ଚଳରେ ବଜ୍ରର ଦୃଶ୍ୟ ପରିଦୃଷ୍ଟ ଓ ଯାଜପୁରର ସ୍ମୃତି ଏବେ ମଧ୍ୟ ଜାଗ୍ରତ । ଯାଜପୁରଠାରେ ଏକ ସୁନ୍ଦର ବୌଦ୍ଧମୂର୍ତ୍ତି ମିଳିଥିଲା ଜନସ୍ମୃତିରେ ତାହା ସନ୍ଥମାଧବ ନାମରେ ପରିଚିତ । ସଂକ୍ଷେପରେ କହିବାକୁ ଗଲେ ଏହି କ୍ଷୁଦ୍ର କାବ୍ୟ ଉତ୍କଳରେ ବୌଦ୍ଧଧର୍ମର ମହିମା ଘୋଷଣା କରୁଅଛି। ମୁନୀନ୍ଦ୍ର ଗୌତମ ସମଗ୍ର ଭାରତବର୍ଷରେ ଯେଉଁ ଅହିଂସାବାଣୀ ପ୍ରଚାର କରି ଦେଇଗଲେ, ଇତିହାସର ସମଗ୍ର ବ୍ୟବଧାନ ଭେଦ କରି ତାହାର ମୂର୍ଚ୍ଛନା ଆଜି ତରଙ୍ଗିତ । ସତେ ଅବା ନରାଜ ପାହାଡ଼ ସମଗ୍ର ଉତ୍କଳ ଭୂଖଣ୍ଡରେ ବୌଦ୍ଧ ସ୍ମୃତିର ଏକ ଉତ୍ତୁଙ୍ଗ ସ୍ତମ୍ଭ । ଦେଇଛି ଭ୍ରାତୃଭାବ ଓ ମାନବତାର ସାକ୍ଷ୍ୟ ।

“ବୌଦ୍ଧ କୀର୍ତ୍ତିରାଜି ମଣ୍ଡିତ ନରାଜ
ସତେ କି ଏ ନେତ୍ରେ ବିରାଜିବ ଆଜ ?
ଭେଟାଇବ ଆଦ୍ୟେ ଏହି ଅମାବଦ୍ଧ
ସନ୍ଧ୍ୟାଟନ ବନ୍ଧୁ କାଠଯୋଡି ବନ୍ଧ ।

× × ×

ଧନ୍ୟ ଧନ୍ୟ ଆହେ ବୌଦ୍ଧ ନରପତି
ଶୈଳଗର୍ଭେ ଖୋଳି ସ୍ଥାପିଲ କୀରତି ।
ଧନ୍ୟ ତୁମ ଦମ୍ଭ ଧନ୍ୟ ଶିଳ୍ପକଳା
ଶୈଳ କୋରିବାରେ ହୋଇଲା କୁଶଳା ।

ଭାରତର ପ୍ରତି ଜନପଦେ ତବ
ରହିହୁଏ ଶିଳ୍ପ ଅନଳ୍ପ ବିଭବ ।
କାହିଁ ଶୈଳ ଶିଖେ ବିବରେ ନିତମ୍ଵେ
କାହିଁ ଗିରି ଖୋଲେ ସ୍ତୂପେ ଯୂପେ ସ୍ତମ୍ଭେ ।”

ତେଣୁ ଏହି କାବ୍ୟର ଗୁରୁତ୍ଵ ଦ୍ଵିବିଧ। ଐତିହାସିକ ଓ ପ୍ରକୃତି ବର୍ଣ୍ଣନାମୂଳକ ମୂକ ନିସ୍ପନ୍ଦ ନରାଜ ପର୍ବତର ଏକ ମାତ୍ର ବାଣୀ ହେଉଛି ଶାନ୍ତି ଓ ମୈତ୍ରୀ । ଲେଖକଙ୍କର ପର୍ଯ୍ୟବେକ୍ଷଣ ଶକ୍ତି ମଧ୍ୟ କାବ୍ୟରେ ପ୍ରତିଫଳିତ । ମହାନଦୀ କୂଳରେ ପାହାଡ଼ର ଉତ୍ତର ଦିଗରେ ନିର୍ଜନତା ସମ୍ଵଳିତ ସ୍ଥାନ ମଧ୍ୟରେ ଯେପର ଜୀବନ ସଞ୍ଚାର କରେ ଲେଖକଙ୍କ ଦୃଷ୍ଟିରୁ ଏହାର ବର୍ଣ୍ଣନା ମଧ୍ୟ ବାଦ ପଡିନାହିଁ । ସେଠାରେ ପ୍ରାକ୍ତନ ପୂର୍ତ୍ତ ବିଭାଗର ସରକାରୀ କୋଠିର ନିର୍ମାଣ କୌଶଳ ଉଲ୍ଲେଖଯୋଗ୍ୟ । ତାଙ୍କର ବର୍ଣ୍ଣନା ଚାତୁରୀ ଓ କବିତ୍ଵ ମଧ୍ୟ ଉଚ୍ଚକୋଟୀର । ପଶ୍ଚିମ ଆକାଶର ସୂର୍ଯ୍ୟାସ୍ତକାଳୀନ ସୌନ୍ଦର୍ଯ୍ୟ କବିଙ୍କ ଲେଖନୀରେ ଯେପରି ଧରା ଦେଇଥିଲା, ତାହା ମୌଳକ କଳ୍ପନା ଶକ୍ତିର ନିଦର୍ଶନ । ସୌନ୍ଦର୍ଯ୍ୟର ପ୍ରଭାବ ଅତୁଟ । ନିମ୍ନ ପଦୋଦ୍ଧୃତି ଉଲ୍ଲେଖନୀୟ ।

“ଏ ନିଃସର୍ଗ ସେବା କରି କବିବରେ
ଲଭିଥିଲେ ଦିବ୍ୟ ରସନା ତା ବରେ
ନମଇଁ ଗୋ ଶୋଭା ଦେବି, ତବ ପଦେ
ଭାଗୀ କର ଦିନେ ସେ ଦିବା ସମ୍ପଦେ ।

× × ×

ଶୁଦ୍ଧ-ବର୍ଣ୍ଣ-ସ୍ଵର୍ଣ୍ଣ ସମୀପେ ଦେଖି ଏ
ତୁଚ୍ଛା ପିତ୍ତଳକୁ ପଚାରିବ କିଏ ?
କାହା ପାଖେ ଏହି ତୁଚ୍ଛ କାରିଗରୀ
ଦେଖାଇବି କେଉଁ ଦମ୍ଭ ଅବା ଧରି ।”

ଏତଦ୍ ବ୍ୟତୀତ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ସମକାଳୀନ ଥିଲେ ପଣ୍ଡିତ ମୃତ୍ୟୁଞ୍ଜୟ ରଥ।ଜଣେ ସଂସ୍କୃତ ପଣ୍ଡିତ ହୋଇ ସୁଦ୍ଧା କବିତା ଓ ଗଦ୍ୟରେ ପ୍ରକୃତରେ ଓଡ଼ିଆ ଭାଷାର ଏକ ଅସମ୍ଭବ ରକମର ସରଳ, ସଂଯତ, ନିଚ୍ଛକ, ନିରାଡମ୍ବର, ଯଥାର୍ଥ ଓ କାଳୋପଯୋଗୀ ଶବ୍ଦ ସଂରଚନାରେ ପଣ୍ଡିତ ମୃତ୍ୟୁଞ୍ଜୟ ରଥଙ୍କ କୃତୀତ୍ଵ ଯେ ଏହି ସମସ୍ତ ଆଲେଖନରୁ ଅନସ୍ଵୀକାର୍ଯ୍ୟ । ପ୍ରବନ୍ଧଙ୍କ ମଧ୍ୟରେ ଓଡ଼ିଆ ଭାଷାର ଚର୍ଚ୍ଚାକୁ ତ୍ଵରାନ୍ଵିତ କରିବା ସହ ଶତାଧିକ ପ୍ରବନ୍ଧାବଳୀ ରଚନା କରି ଯାଇଅଛନ୍ତି। ତଦାନୀନ୍ତନ ବଙ୍ଗ ସାହିତ୍ୟ ପ୍ରାଦୁର୍ଭାବକୁ ଲକ୍ଷ୍ୟ କରି ଓଡ଼ିଆ ସାହିତ୍ୟକୁ ସମାଲୋଚନାରେ ମଧ୍ୟ ମୃତ୍ୟୁଞ୍ଜୟ ରଥଙ୍କ ଅବଦାନ ଅନବଦ୍ୟ । ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ପରେ ଓଡିଆ ଭାଷାରେ ସାରଳା ଦାସଙ୍କ ପ୍ରାଚୀନ ଓ ମଧ୍ୟଯୁଗୀୟ ଜୀବନୀ ସମ୍ଵଳିତ ଗ୍ରନ୍ଥ ଲେଖିଲେ – “ଶାରଳା ଚରିତ”

(ଲଳିତଗିରି ବୌଦ୍ଧ ସ୍ତୂପାବଳୀ)

ଏତଦ୍ ମାଧ୍ୟମରେ ସାରଳା ଦାସଙ୍କ ସାହିତ୍ୟ ଅଧ୍ୟୟନ ପାଇଁ ଲେଖକମାନେ ଉତ୍ସାହିତ ହୋଇଥିଲେ। ‘ମୁକୁର’ ପତ୍ରିକାର ସମ୍ପାଦକ ବ୍ରଜସୁନ୍ଦର ଦାସ ଏହାକୁ ପ୍ରଶଂସା କରି ଲେଖି ଥିଲେ ଏହା ଏକ ସୁଖପାଠ୍ୟ ବରଞ୍ଚ ପ୍ରୀତିପଦ ଗ୍ରନ୍ଥ। କେବଳ ଯେ ଏତିକି ନୁହେଁ । ଓଡ଼ିଶାର ବିଭିନ୍ନ ସାହିତ୍ୟ ପତ୍ରିକା ସବୁକୁ ନେଇ ସେ ରଚନା କରିଥିଲେ “ଉତ୍କଳର ପତ୍ରପତ୍ରିକା’ । ଏହା ଓଡିଆ ଓ କ୍ଷଣସ୍ଥାୟୀ ଭାଷାରେ ପ୍ରକାଶିତ କ୍ଷୁଦ୍ର ପତ୍ରପତ୍ରିକା ମାନଙ୍କର ଏକ ଧାରାବାହିକ ଆଲୋଚନା । ଉତ୍କଳ ଦୀପିକା‘, ‘ବାଲେଶ୍ଵର ସମ୍ବାଦବାହିକା‘, ‘ଉତ୍କଳ ଦର୍ପଣ’, ‘ଉତ୍କଳପୁତ୍ର’, ‘ଉତ୍କଳ ମଧୁପ’, ‘ଉତ୍କଳ ପ୍ରଭା’, ‘ଉତ୍କଳ ସାହିତ୍ୟ’, ‘ମୁକୁର‘, ‘ଇନ୍ଦ୍ରଧନୁ‘, ‘ସତ୍ୟବାଦୀ’ ତଥା ‘ବିଜୁଳି’ ପ୍ରଭୃତି ବହୁସଂଖ୍ୟକ ପତ୍ରିକାମାନଙ୍କର ପରିଚିତିମୂଳକ ବିବରଣୀ ସ୍ଥାନ ପାଇଥିଲା। ଏଥି ସହ ‘କର୍ମଯୋଗୀ ଗୌରୀଶଙ୍କର’‘ବ୍ରହ୍ମଜ୍ଞ ମଧୁସୂଦନ’ ତାଙ୍କର ଅନ୍ୟତମ ରଚିତ ଚରିତ ଗ୍ରନ୍ଥ ।

ସେହିପରି ତାଙ୍କର ଶିଶୁ ରଚନାବଳୀରେ ସକାରାତ୍ମକ ମନସ୍ତତ୍ତ୍ଵକୁ ଭିତ୍ତି କରି ସହଜ ସ୍ମରଣୀୟ ଓ ମର୍ମସ୍ପର୍ଶୀ ଭାବର ଗଢଣ ଖୁବ୍ ସୁନ୍ଦର ଲାଗେ। ସେହିପରି ଏକ କବିତା ମଧ୍ୟ ଦେଇ ଆସେ ‘ରସାବଳୀ’ । ରସାବଳୀ ପରି ସୁସ୍ଵାଦୁ ଖାଦ୍ୟସୁଲଭ ପଦମାନଙ୍କର ଚିତ୍ତାକର୍ଷକ ଓ ତୃପ୍ତିପ୍ରଦ ପଦ ସବୁ ବେଶ୍ ଆରାମଦାୟୀ : “ଅତି ମଧୁର ଏ ରସାବଳୀ, ବାଳକେ ଦେଖି କରିବେ ଅଳି।” କେବଳ ଏତିକି ନୁହେଁ ‘ମୁଁ ହେବି’, ‘କାକକୁକୁଟ’ ଭଳି ଛୋଟ ଛୋଟ ପଦ୍ୟମାନଙ୍କରେ ଶିଶୁ ଅବସ୍ଥାକୁ ବରାବର ନୀତିମୂଳକ ଶିକ୍ଷାର ଆକର୍ଷଣ ପ୍ରଦାନ କରିଛନ୍ତି। ଏପରି କଳ୍ପନା ପ୍ରବଣତା ମାଧ୍ୟମରେ ସେ କାଳ୍ପନିକ ଚରିତ୍ର ଓ ପଶୁଜୀବନର ଜୀବନ୍ତ ଅବତାରଣା ଛଳରେ ପରିଶେଷକୁ ଦେଇଛନ୍ତି ନୀତିବାଣୀ :

“ଯିଏ ଯାହା କରୁ ସମସ୍ତେ ଦେଶର
କାମ ହିଁ କରିବା ବାଛିଲେ କି ଫଳ
ସ୍ଵଭାବ ଯାହାର ଥିବଟି ନିର୍ମଳ।
ସେହି ମଣ୍ଡଳୀରେ ପାଇବ ଆଦର,
ଆପେ ସାଧୁ ହେଲେ କର ଯେଉଁ କାମ
ସେଥିରେ ନିଜର ବଢିବ ସୁନାମ। “
(‘ମୁଁ ହେବି’)

ଏହି ସମସ୍ତ ଛଡା, ‘ଅଦ୍ଭୁତ ପରିଣାମ’ (୧୯୧୫) ତାଙ୍କର ଏକ କ୍ଷୁଦ୍ର ଉପନ୍ୟାସ । ଏତେ ଖ୍ୟାତି ହୋଇନଥିଲେ ମଧ୍ୟ ଏହି ଗଳ୍ପରୀତି କିନ୍ତୁ ଉପନ୍ୟାସ ଲେଖିବାର ମୌଳିକ ରୀତିକୁ ଭଲ ସେ ଅନୁସରଣ କରିଛି। ଏଥି ସହ ଅନୁବାଦ ସାହିତ୍ୟରେ ପ୍ରବେଶ କରିଥିବା ପଣ୍ଡିତ ମୃତ୍ୟୁଞ୍ଜୟ ରଥ ସଂସ୍କୃତରୁ ଓଡିଆକୁ ଅନୂଦିତ କରି ଆତ୍ମପ୍ରକାଶ କରାଇଛନ୍ତି ‘ବିକ୍ରମୋର୍ବଶୀ’, ‘ମୃଚ୍ଛକଟିକ’, ‘ମୁଦ୍ରା ରାକ୍ଷସ’, ‘କୁମାର ସମ୍ଭବ’, ‘କଥା ସରିତ ସାଗର’ (କିୟଦଂଶ), ‘ଉତ୍ତର ରାମଚରିତ’, ‘ମାଳତୀ ମାଧବ’ ପ୍ରଭୃତି। ଅନୁବାଦର ଅନ୍ତରୀଣ ଆବଶ୍ୟକତା ମଧ୍ୟରେ ସରଳ ସର୍ବଜନବୋଧ୍ୟ ସୁପାଠ୍ୟ ଶବ୍ଦର ସଂଯୋଜନା ଓ ଭାଷାଦକ୍ଷତା ତାଙ୍କର ସ୍ପଷ୍ଟ ପ୍ରତିପାଦିତ। ଏଥି ସହ ସେ ଢେଙ୍କାନାଳ ଗଡ଼ଜାତ ରାଜାଙ୍କ ଅନୁଗ୍ରହ କ୍ରମେ ଢେଙ୍କାନାଳର ଇତିହାସ ଲେଖିଥିଲେ । ମାତ୍ର ରଜାଙ୍କ ଦେହାନ୍ତ ହେତୁ ଏହା ଅପୂର୍ଣ୍ଣ ରହି ଯାଇଥିଲା ।

ଏପରିକି ବାଲେଶ୍ଵରର ରାଜା ବୈକୁଣ୍ଠନାଥ ଦେ ତାଙ୍କ ଯୋଗ୍ୟତାରେ ମୁଗ୍ଧ ହୋଇ ତାଙ୍କୁ କବିବର ରାଧାନାଥଙ୍କ ଉପରେ ଜୀବନୀ ରଚନା ପାଇଁ ଦାୟିତ୍ଵ ନ୍ୟସ୍ତ କରାଇଥିଲେ। କିନ୍ତୁ ତାହା ମଧ୍ୟ ଦୁଇଟି ଅଧ୍ୟାୟରେ ଅପୂର୍ଣ୍ଣ ରହିଯାଇଥିଲା। ପ୍ରତ୍ନତାତ୍ତ୍ୱିକ ଭାବେ ସେ ସତ୍ୟସନ୍ଧ ଦୃଷ୍ଟି ପରିପୋଷଣ କରିଥିଲେ। ‘ନରସିଂହ ଦେବଙ୍କ ତାମ୍ରଶାସନ’ ଶୀର୍ଷକ ଦୀର୍ଘ ପ୍ରତ୍ନତାତ୍ତ୍ୱିକ ଆଲୋଚନା ପାଇଁ ସେ ମଉଦାର ଜମିଦାର ଆର୍ତ୍ତତ୍ରାଣ ମିଶ୍ରଙ୍କ ସାହାଯ୍ୟରେ ତିନୋକି ତାମ୍ରଫଳକର ସଫଳ ପାଠୋଦ୍ଧାର କରିଥିଲେ ଓ ବିସ୍ତୃତ ଆଲୋଚନା ମଧ୍ୟ କରିଥିଲେ। ଆଞ୍ଚଳିକ ବୈଶିଷ୍ଟ୍ୟ ଅନୁଶୀଳନ ଦେଖିଲେ ‘ମହା ବିନାୟକ’, ‘ଚଣ୍ଡୀଖୋଲ’, ‘ଲଳିତଗିରି’, ‘ଛତିଆ’, ‘ଧଉଳିଗିରି’, ‘ଅଶ୍ଵତ୍ଥାମା ପାହାଡ’, ‘କୌଶଲ୍ୟା ଗଙ୍ଗ’, ‘ରତ୍ନଗିରି’ ପ୍ରଭୃତିର ଐତିହାସିକ ବିବରଣୀ ଦେଇଥିଲେ।

(କୌଶଲ୍ୟାଗଙ୍ଗରୁ ଠାବ ହୋଇଥିବା ଶିଳାଲେଖ)

ହେଲେ ତାଙ୍କର ଶେଷ ଜୀବନ ଥିଲା ସଂଘର୍ଷ ବହୁଳ ତଥା ସମଗ୍ର ଜୀବନକାଳ ଖୁବ୍ ସ୍ବଳ୍ପ। ତାଙ୍କ ଚରିତ୍ରର ସବୁ ଠାରୁ ବଳିଷ୍ଠ ଉପଜୀବ୍ୟ ଥିଲା ତାଙ୍କ କର୍ତ୍ତବ୍ୟନିଷ୍ଠା ଓ ଅଧ୍ୟବସାୟ । ପ୍ରତିଦିନ ଆଲେଖ୍ୟ ଲିଖନ ସହ ନିଜ ସାଧନାରେ ଅତ୍ୟଧିକ ଶ୍ରମ ହେତୁ ତାଙ୍କର କ୍ରମଶଃ ସ୍ଵାସ୍ଥ୍ୟଭଗ୍ନ ହେଲା। ହେଲେ ବାଳାରୁଣର ଆଭା ଥିଲା ତାଙ୍କ ଅମଳିନ ମୁଖମଣ୍ଡଳରେ । ନିଜ କର୍ତ୍ତବ୍ୟ ପଥରୁ ସେ ତିଳେ ମାତ୍ର ବିଚ୍ୟୁତ ହେଉନଥିଲେ । ହେଲେ ଜ୍ଞାନତପସ୍ୟା ମଧ୍ୟରେ ଆର୍ଥିକ ସମସ୍ୟାର ଆଲୋଡନରେ ଦୋଦୁଲ୍ୟମାନ ହେଇ ପରିଶେଷରେ ୧୯୨୪ ମସିହା ଏପ୍ରିଲ ମାସ ୧୦ ତାରିଖ ମଧ୍ୟାହ୍ନରେ ସେ ଇହଲୀଳା ସମ୍ଵରଣ କରିଥିଲେ । ତାଙ୍କର ଏ ବିୟୋଗ ସମସ୍ତ ସାରସ୍ଵତ ପ୍ରେମୀଙ୍କ ସମେତ ଅଧ୍ୟବସାୟୀ ଓଡ଼ିଆମାନଙ୍କୁ ଅନେକ ବର୍ଷଯାଏଁ ଶୋକାତୁର କରିଦେଲା।

ତାଙ୍କ ବିୟୋଗର ବହୁବର୍ଷ ପରେ ମଧ୍ୟ ତାଙ୍କର “ଓଡ଼ିଆ ରଚନା ଓ ଅନୁବାଦ ଶିକ୍ଷା” ଓଡ଼ିଶାର ବିଦ୍ୟାଳୟ ମାନଙ୍କ ଦେଇ ପାଠ୍ୟକ୍ରମର ସୁଦୂରପ୍ରସାରୀ ମାନ୍ୟତା ପାଇଥିଲା। ନିଷ୍ଠାପର ଗୁଣ, ଜ୍ଞାନର ପ୍ରସାଦ ମଧ୍ୟରେ ଯାହାର ପାଣ୍ଡିତ୍ୟ ସତତ ସ୍ଵୀକୃତ, ସେହି ପଣ୍ଡିତ ବାଣୀଭୂଷଣ କାବ୍ୟତୀର୍ଥ ମୃତ୍ୟୁଞ୍ଜୟ ରଥ ମେ ୧୪ରେ ଧରାବତରଣ କରିଥିଲେ, ପୁଣ୍ୟବତୀ ଭାର୍ଗବୀର ତଟଦେଶରେ। ଓଡ଼ିଆ ଭାଷା ଓ ସାହିତ୍ୟ ସମେତ ଏକପ୍ରାଣ ଅଧ୍ୟବସାୟୀ ମାନଙ୍କ ଚରିତ୍ରର ପ୍ରସାଦଗୁଣର ଦୃଷ୍ଟାନ୍ତ ରୂପେ ମୃତ୍ୟୁବିଜୟୀ ଏ ମୃତ୍ଯୁଞ୍ଜୟ ନାମଟି ସର୍ବଦା ଶବ୍ଦଗୁମ୍ଫିତ ସ୍ରଷ୍ଟାର ସ୍ୟାହିରେ ପ୍ରିୟତମ ପାଥେୟ ହେଇ ରହିଥିବ। ତାଙ୍କ ପୁଣ୍ୟ ପାଥେୟର ପୌରୋହିତ୍ୟରେ ପ୍ରଣତି ସହକାରେ ସଶ୍ରଦ୍ଧ ନମ୍ର ଜ୍ଞାନର ନିବେଦନ ।

© ମୋ ପ୍ରିୟତମ ପାଥେୟର ସରଣୀ : ଅମୃତେଶ

Leave a Comment

Your email address will not be published. Required fields are marked *

Scroll to Top