ଲେଖା: ଶିବାଶିଷ ମହାପାତ୍ର
ସମ୍ବଲପୁରର ଭାଷା ଆନ୍ଦୋଳନର ସାରଥୀ – ବୈକୁଣ୍ଠନାଥ ପୂଜାରୀ ।
୧୮୪୯ ମସିହା । ସମ୍ବଲପୁର ଗଡ଼ଜାତ ପାଇଁ ଏକ ଘଡ଼ିସନ୍ଧିର ମୁହୁର୍ତ୍ତ । ରାଜ୍ୟର ଶେଷ ଚୌହାନ ରାଜା ନାରାୟଣ ସିଂଙ୍କ ମୃତ୍ୟୁ ପରେ ସମ୍ବଲପୁର ଗଡ଼ଜାତ ହରାଇଥିଲା ନିଜର ସ୍ବାଧୀନତା ତଥା ଏହା ଚାଲିଯାଇଥିଲା ଇଂରେଜ ସରକାରଙ୍କ ହାତକୁ । ଏହି ସମୟରେ ସମ୍ବଲପୁର ବନି ଯାଇଥିଲା ଏକ ଜିଲ୍ଲା ଏବଂ ଏହା କେନ୍ଦ୍ରୀୟ ପ୍ରଦେଶର ଥିଲା ଏକ ଅଂଶବିଶେଷ ।
ଠିକ୍ ଏହି ଦୁର୍ଦ୍ଦିନ ସମୟରେ ଘଟିଥିଲା ଏକ ପରିବର୍ତ୍ତନ ଯାହା ଥିଲା “ରାଜତନ୍ତ୍ର” ଠାରୁ ଭିନ୍ନ ଇତିହାସ କୁହେ “ବ୍ରିଟିଶ ସାମ୍ରାଜ୍ୟ” ବୋଲି । ନୂଆକରି ହିନ୍ଦୀ ଭାଷା ସହିତ ବୀର ସୁରେନ୍ଦ୍ର ସାଏ ତଥା ତାଙ୍କ ଅନୁଚରଙ୍କ ପ୍ରତି ହୋଇଥିବା ଅତ୍ୟାଚାର ଲୋକଙ୍କ ଆଖିରୁ ଲିଭି ନ ଥିଲା ଏବଂ ଲୋକେ କରି ପାରୁନଥିଲେ ସ୍ବର ଉତ୍ତୋଳନ ବର୍ବର ଇଂରେଜ ସରକାର ବିରୁଦ୍ଧରେ ।
ଏହି ସମୟରେ ସମ୍ବଲପୁରର ଲୋକମାନେ ସମ୍ବଲପୁରୀ ଓଡ଼ିଆ ଭାଷାରେ କଥାବାର୍ତ୍ତା କରୁଥିଲେ କିନ୍ତୁ ଇଂରେଜମାନଙ୍କ ପାଇଁ ହିନ୍ଦୀ ଭାଷା ଥିଲା ସହଜ ତେଣୁ ଏହି ଅଞ୍ଚଳର ଶାସନ ପାଇଁ ସେମାନେ ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ପଠାଇଥିଲେ । ୧୮୯୫ ମସିହାରେ ତତ୍କାଳୀନ କେନ୍ଦ୍ରୀୟ ପ୍ରଦେଶର ମୁଖ୍ୟ କମିଶନର ସାର୍ ଜନ ଉଡ଼ବର୍ନ ଏକ ନିୟମ ବାହାର କଲେ, ନିର୍ଦ୍ଦେଶ ଥିଲା ହିନ୍ଦୀ ଭାଷାକୁ ସରକାରୀ ଭାଷା ରୂପେ ବ୍ୟବହାର କରିବା ପାଇଁ ।
ଅଳ୍ପ ଶିକ୍ଷିତ ଏହି ଅଞ୍ଚଳର ଲୋକମାନେ ବଡ଼ ଅସୁବିଧାରେ ପଡ଼ିଲେ । ସରକାରୀ ଲୋକେ ଏହି ସାଧାରଣ ଜନତାଙ୍କୁ ହୀନ ଦୃଷ୍ଟିରେ ଦେଖିଲେ ଏବଂ ତିରସ୍କାର କରୁଥିଲେ । ଲୋକେ ନିଜର କାମ ସମ୍ବଲପୁରରେ ନ କରି ଦୂର ସ୍ଥାନରେ ସେ ସବୁ ହିନ୍ଦୀ ଭାଷାରେ ଲିଖିତ ଉକ୍ତି ସବୁ ବୁଝି ଆସୁଥିଲେ କାରଣ ସମ୍ବଲପୁର ଅଞ୍ଚଳରେ କେହି ବୁଝାଉନଥିଲେ ସେ ସବୁର ଅର୍ଥ । ବିଦ୍ୟାଳୟ, ମହାବିଦ୍ୟାଳୟ ତଥା ସମସ୍ତ ସରକାରୀ, ବେସରକାରୀ ଅଫିସ୍ ମାନଙ୍କରେ ବ୍ୟବହାର କରାଗଲା ହିନ୍ଦୀ ଭାଷା ।
ଏପରି ଏକ ଘଡ଼ିସନ୍ଧି ସମୟରେ ଏ ମାଟିରେ ଧରାବତରଣ କରିଥିଲେ ମହାପୁରୁଷ ବୈକୁଣ୍ଠନାଥ ପୂଜାରୀ । ସମ୍ବଲପୁର ଝାରୁଆପଡ଼ାର ନିବାସୀ ଦେଓ୍ବାନ ରାୟ ସାହେବ ଦାଶରଥି ପୂଜାରୀଙ୍କ ଦ୍ବିତୀୟ ପୁତ୍ର ଭାବରେ ଜାନୁଆରୀ ମାସ ୪ ତାରିଖ ୧୮୭୭ ମସିହାରେ ବରଗଡ଼ ଠାରେ ଜନ୍ମ ଗ୍ରହଣ କରିଥିଲେ ଶ୍ରୀ ବୈକୁଣ୍ଠ । ବାପା ଥିଲେ ଜଣେ ସରକାରୀ କର୍ମଚାରୀ । ୧୮୯୨ ମସିହାରେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ପାସ କଲା ପରେ ଆଇ.ଏ ଓ ବିଏ ପାସ କରିଥିଲେ ୧୮୯୬ ମସିହାରେ ନାଗପୁରର ହିସଲପ ମହାବିଦ୍ୟାଳୟରୁ । ପରେ ୧୮୯୭ ମସିହାରେ କଲିକତାର ପ୍ରେସିଡେନ୍ସି କଲେଜରୁ ପଦାର୍ଥ ବିଜ୍ଞାନରେ ଏମ.ଏ ପାସ କରିଥିଲେ । ଏହିପରି ଭାବରେ ସେ ହେଉଛନ୍ତି ପଶ୍ଚିମ ଓଡ଼ିଶାର ପ୍ରଥମ ବି.ଏ ଏବଂ ଏମ.ଏ ପାସ କରିଥିବା ମେଧାବୀ ।
ଏସବୁ ପରେ ବୈକୁଣ୍ଠନାଥ ପୂଜାରୀ ଫେରିଆସିଥିଲେ ସମ୍ବଲପୁର ଏବଂ କାମ କରିଥିଲେ ଦିନେ ଯାହାଙ୍କ ପାଇଁ ତାଙ୍କ ପିତା କାମ କରୁଥିଲେ ତତ୍କାଳୀନ କେନ୍ଦ୍ରୀୟ ପ୍ରଦେଶର କମିସନର ଏଣ୍ଡ୍ରୁ ଫ୍ରେଜରଙ୍କ ଅଧିନରେ ଏକ୍ସଟ୍ରା ଆସିଷ୍ଟାଣ୍ଟ କମିଶନର ଭାବରେ । ବ୍ୟଥିତ କରିଥିଲା ନିଜ ଜନ୍ମଭୂମିରେ ମାତୃଭାଷା ପ୍ରତି ତିରସ୍କାର । ସମ୍ବଲପୁରର କିଛି ବ୍ୟକ୍ତି ବିଶେଷ ଏ ପ୍ରକାର ଆଇନକୁ ଦୃଢ଼ ବିରୋଧ କରିବାକୁ ଲାଗିଲେ । ଏ ସମୟରେ ତାଙ୍କୁ ଦାୟିତ୍ଵ ଦିଆଗଲା ୧୯୦୧ ମସିହାର ଜନଗଣନା ପାଇଁ । ସେ ଥିଲେ ସମ୍ବଲପୁର ଜିଲ୍ଲାରେ ଏକ ମାତ୍ର ଓଡ଼ିଆ ସରକାରୀ ଉଚ୍ଚପଦସ୍ଥ ପଦାଧିକାରୀ । ସେ ଆରମ୍ଭ କରିଥିଲେ ଭିନ୍ନ ଏକ ଆନ୍ଦୋଳନ ସରକାରୀ ପଦବୀରେ ଥାଇ ।
ଜନଗଣନା କାମ ତଥା ସରକାରୀ କାମ ସବୁ ଦିନରେ କରି ବୈକୁଣ୍ଠନାଥ ପୂଜାରୀ ରାତିରେ ଘୋଡ଼ା ପିଠିରେ ଛୁଟି ଯାଉଥିଲେ ବିଭିନ୍ନ ଗାଁ ମାନଙ୍କୁ । ସେଠାରେ ଲୋକଙ୍କୁ ମତାଉଥିଲେ ମାତୃଭାଷା ଓଡ଼ିଆ ସପକ୍ଷରେ । ଦୁର୍ଗମ ଅଞ୍ଚଳରେ ହିନ୍ଦୀ ଭାଷାଭାଷୀ ସରକାରୀ କର୍ମଚାରୀ ପହଞ୍ଚି ପାରୁନଥିବା ବେଳେ ସେ ପହଞ୍ଚି ଲୋକଙ୍କୁ ମତାଉଥିଲେ ଏବଂ ବୁଝାଉଥିଲେ ଓଡ଼ିଆ ଭାଷା ସପକ୍ଷରେ । ଲୋକାଭିମୁଖୀ ହୋଇଥିଲା ତାଙ୍କର ପ୍ରୟାସ ଯାହା ବାହରି ପଡ଼ିଥିଲା ୧୯୦୧ ମସିହାର ଜନଗଣନାରେ । ସେ ସମୟରେ ସମଗ୍ର ସମ୍ବଲପୁର ଜିଲ୍ଲାରେ ଥିବା ସର୍ବମୋଟ ୭,୯୬,୪୧୩ ଲୋକଙ୍କ ମଧ୍ୟରୁ ୫,୯୫,୬୦୧ ଲୋକ ଓଡ଼ିଆ ଭାଷାଭାଷୀ ବୋଲି ଜଣାପଡ଼ିଥିଲା । ଏହି ସର୍ବମୋଟ ଜନସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଲୋକ ଥିଲେ ପ୍ରାୟ ଶତକଡ଼ା ୭୫ ଭାଗ ।
ଏହି ଭାଷାଗତ ଆନ୍ଦୋଳନ ଯୋଗୁଁ ଓଡ଼ିଆ ଭାଷା ବଢ଼ିଥିଲା ଗୋଟାଏ ପାଦ ଦୂରକୁ ଅବକ୍ଷୟ ମୁଖରୁ । ପରେ ପରେ ଅନ୍ୟାନ୍ୟ ସଂଗ୍ରାମୀ ଯଥା ଧରଣୀଧର ମିଶ୍ରଙ୍କ ପ୍ରଚେଷ୍ଟା ତଥା କେନ୍ଦ୍ରୀୟ ପ୍ରଦେଶର କମିସନର ଏଣ୍ଡ୍ରୁ ଫ୍ରେଜରଙ୍କ ସହଯୋଗ ବଳରେ ୧୯୦୩ ମସିହାରେ ପୁଣିଥରେ ସମ୍ବଲପୁର ଜିଲ୍ଲାରେ ଓଡ଼ିଆକୁ ସରକାରୀ ଭାଷା ରୂପେ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଆସିଲା । ହୃତ ଗୌରବ ଫେରିପାଇଲା ଓଡ଼ିଆ ଭାଷା । ଧନ୍ୟବାଦ ସେହି ଯୁବକ ବୈକୁଣ୍ଠନାଥ ପୂଜାରୀ ମହୋଦୟଙ୍କୁ ଯିଏ ଚେତାଇ ଦେଇଥିଲେ ଓଡ଼ିଶା ମାଟିରେ ଓଡ଼ିଆଙ୍କ କଥା ।
ଠିକ୍ ୧୯୦୧ ମସିହାର ଜନଗଣନା ପରେ ତାଙ୍କର ବଦଳି ହୁଏ ଜବଲପୁର ସହରକୁ । କିଛି ଦିନ ସେଠାରେ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥତା କାରଣରୁ ଫେରି ଆସିଥିଲେ ସମ୍ବଲପୁର । ଯକ୍ଷ୍ମା ରୋଗ ଯୋଗୁଁ ଅସୁସ୍ଥତା ଦିନକୁ ଦିନ ବୃଦ୍ଧି ପାଇଲା ଏବଂ ଶେଷରେ ବୈକୁଣ୍ଠନାଥ ପୂଜାରୀ ମାତ୍ର ୨୭ ବର୍ଷ ବୟସରେ । କର୍ପୁର ପରି ନିଃସ୍ବ ହୋଇଯାଇଥିଲେ କିନ୍ତୁ ଛାଡ଼ି ଯାଇଛନ୍ତି ବାସ୍ନା ଯାହା ଆଜି ମଧ୍ୟ ଓଡ଼ିଆ ଭାଷା ଭାବରେ ଏହି ଅଞ୍ଚଳରେ ବାସି ଉଠୁଛି ।
©️ Odisha Stories