ଲେଖା: ନିରଞ୍ଜନ ସାହୁ
“କି ହେଲାରେ,
କହିତ ନୁହଇ ଭାରତୀରେ
କାଲି ଯା ଦୂରରୁ ଦେଖି,
କଳନା କଲା ମୋ ଆଖି,
କଳା ଇନ୍ଦ୍ରୀବର ଆରତି ରେ “
କାହ୍ନୁରେ . .
ଏ ଗୀତ ସିନା ରାଧିକାଙ୍କ ଉକ୍ତି ଥିଲା ଲଳିତାଙ୍କ ପ୍ରତି କବିସୂର୍ଯ୍ୟଙ୍କ ଲେଖନୀରେ, ହେଲେ ମତେ ଲାଗୁଚି ଏ ଯେମିତି ସଭିଙ୍କ ମନରେ ଉଙ୍କି ମାରିବ ତମର ଅପରୂପ ଠାଣି, ଲାବଣ୍ୟ ଭଙ୍ଗୀ, ମନଲୋଭା ରୂପ ଦେଖିବା ପରେ । କେତେ ମନୋହର ରୂପ ସତେ ତମର ! ତମ ଶରୀରର କାନ୍ତି, ବେଶଭୂଷା, ମନମୋହନ ମୂର୍ତ୍ତି, କୋଟି ଚନ୍ଦ୍ରମାର ରୂପଲାବଣ୍ୟ ସଭିଙ୍କ ମନ ଆଉ ପ୍ରାଣକୁ ଚୁମ୍ବି ଦିଏ ସତରେ !
ଗୋବିନ୍ଦ !
ସେଦିନର କଥା ଟିକେ ମନେ ପକେଇଲ ! ସେଦିନ ଥିଲା ଫାଲଗୁନ ପୂର୍ଣ୍ଣିମା। ଶେଷ ପ୍ରହର ଉପନୀତ। ରତ୍ନ ଜ୍ୟୋତିର୍ମୟ କିରଣ ବିରାଜିତ । ମୃଦୁ ମନ୍ଦ ସମୀରଣର ହିଲ୍ଲୋଳ, ମଦମତ୍ତ ପୃଥ୍ବୀ । ସେହି ସମୟରେ ତମର ମୋହନ ମୂର୍ତ୍ତି ଛାୟା ପରି ଦଣ୍ଡାୟମାନ । ତ୍ରିଭଙ୍ଗୀ ଛନ୍ଦ, ମକର ଆକୃତିର ପ୍ରଭା, ଶ୍ରୀଚରଣରେ ସୁମଞ୍ଜୁଳ ନୂପୁର, ବାହୁରେ ନବରତ୍ନର ବଳୟ, ଅଙ୍ଗୁଷ୍ଠିରେ ହୀରା ଖଚିତ ସ୍ଵର୍ଣ୍ଣ ମୁଦ୍ରିକା, କଟି ତଟେ ସୂର୍ଯ୍ୟ କିରଣ ନିନ୍ଦିତ ପାଟ ପୀତବସ୍ତ୍ର, ବକ୍ଷଦେଶରେ କଉସ୍ତୁଭ ହାର ଓ ମୁକ୍ତାମାଳ, ହୃଦୟେ ଶ୍ରୀବତ୍ସ ପାଦ ଚିହ୍ନ, ମସ୍ତକେ ଶୋଭିତ ମୟୁର ଚନ୍ଦ୍ରିକା, ଚନ୍ଦନ, ଚୁଆ, କର୍ପୁର ଚର୍ଚ୍ଚିତ କଳେବର ଏବଂ ତା ସହ ମନ୍ଦମନ୍ଦ ହସ, ବାଙ୍କ ଚାହାଣୀ ସହ ବିମ୍ବୋଷ୍ଠରେ ମୋହନ ବଂଶୀ !
ହେ ଶ୍ୟାମସୁନ୍ଦର !
କହିଲ ଦେଖି, ଏ ରୂପ ଲାବଣ୍ୟ ଦୃଶ୍ୟ ହେଲେ କିଏ ବା ଚେତା ନ ହରେଇବ ! ଦ୍ଵାପରରେ ଗୋପୀମାନଙ୍କ କଥା ନ କହିଲେ ଭଲ । ହେଲେ ସେଦିନ ଶ୍ରୀକ୍ଷେତ୍ରର କଥା ? ଚନ୍ଦ୍ରଙ୍କର ଶୀତଳ ସୌଖିନ ଆଲୋକ ବିଞ୍ଚି ହୋଇ ପଡ଼ିଥିଲା ଏବଂ ତମେ ଏହି ଭଳି ବେଶରେ ଛାୟା ପରି ଚାଲିଥିଲ ବଂଶୀ ବାଇ ବାଇ, ଗୋଟିଏ ବାଇଗଣ କିଆରୀ ଭିତରେ । ସେଦିନ କିନ୍ତୁ ତମେ ଶ୍ରୀମନ୍ଦିର ଛାଡ଼ି ଚାଲି ଆସିଥିଲ କିଏ ଜଣେ ମାଲ୍ୟାଣୀ ବୃଦ୍ଧାଙ୍କର ଗୀତ ଶୁଣିବା ପାଇଁ, ଯିଏ ବାଇଗଣ ତୋଳି ଚାଲିଥିଲେ ସୁଲଳିତ କଣ୍ଠରେ ଗୀତ ଗାଇ ଗାଇ । ତାଙ୍କର ସେହି ଗୀତର ସୁଲଳିତ ସ୍ବର ସହ ତମ ବଂଶୀର ମଧୁର ସ୍ଵନ ଏକାକାର ହୋଇ ଯାଉଥିଲା ଏବଂ ତମେ ଅନୁଧାବନ କରୁଥିଲ . . ! ଗୀତର ସ୍ବର ସହ ପଛରୁ ବଂଶୀର ସ୍ଵନ ମାଲ୍ୟାଣୀଙ୍କ ମନରେ କି ଭାବନା ସୃଷ୍ଟି କରିନଥିବ ସତେ ! ଚମକି ପଡ଼ିଥିଲେ ବୃଦ୍ଧା ଯେତେବେଳେ ନିଜକୁ ସମ୍ଭାଳି ନପାରି ପଛକୁ ଚାହିଁ ଦେଲେ । ଏ ଛାୟା ମୂର୍ତ୍ତି ଯେ ଗିରିଧର ନାଗର, ମୟୁର ଚୂଳିଆ ମୋହନ, ବିଶ୍ଵର ଶ୍ରେଷ୍ଠ ଆଉ ସୌନ୍ଦର୍ଯ୍ୟମୟ ପୁରୁଷ !
ଚେତା ଶୂନ୍ୟ ହୋଇଗଲେ ବୃଦ୍ଧା ଏବଂ ସେଇଠି ବଂଶୀର ସ୍ଵନ ଠପ୍ ହୋଇଗଲା !
ହେ ମଧୁସୂଦନ !
ତମେ କିନ୍ତୁ ସେଦିନ ସେହି ଅପୂର୍ବ ଠାଣିରେ ଆସି ପହଞ୍ଚି ଯାଇଥିଲ ଶ୍ରୀମନ୍ଦିରର ରତ୍ନ ସିଂହାସନ ପରିତ୍ୟାଗ କରି !
ଏବଂ ……….
ବ୍ରାହ୍ମ ମୂହୁର୍ତ୍ତରେ ସେବାୟତମାନେ ଯେବେ ଦ୍ଵାର ଫିଟାଇ ଉପଚାର କର୍ମରେ ଲାଗିଗଲେ, ଦେଖିବାକୁ ପାଇଲେ ମହାପ୍ରଭୁଙ୍କ ପାଟଲୁଗା ଖଣ୍ଡିକରେ ବାଇଗଣ ଗଛର କଣ୍ଟା ଲାଗିବା ସହ କିଛି କିଛି ଜାଗାରେ ଚିରି ଯାଇଛି !
କଥା ରାଷ୍ଟ୍ର ହୋଇଗଲା, ବାରବାଟୀ କଟକର ରାଜପ୍ରାସାଦ ପର୍ଯ୍ୟନ୍ତ ବ୍ୟାପି ଗଲା ! ସମ୍ରାଟ ପ୍ରତାପରୁଦ୍ର ଦେବ ଏ ଅଘଟଣ କଥା ପାଇଁ ବ୍ୟସ୍ତ ହୋଇ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କଲେ ।
ଏମିତି ଅଲୌକିକ ଘଟଣା କ’ଣ ପାଇଁ ଘଟିଲା ମୋହନ ?
ରତ୍ନସିଂହାସନରୁ ବାଇଗଣ କିଆରୀ, ପୁଣି ବାଇଗଣ କ୍ଷେତରୁ ରତ୍ନସିଂହାସନ। ମନ୍ଦିରରେ କିଛି ଅନୀତି ହୋଇଥିବାର ଆଶଙ୍କା କରି ପହଞ୍ଚିଗଲେ ସମ୍ରାଟ ଶ୍ରୀକ୍ଷେତ୍ରରେ ଏବଂ ବାଲିସାହି ସ୍ଥିତ ରାଜନୀଳୟରେ ରାତ୍ରିଯାପନ କଲେ ସତ୍ୟାସତ୍ୟ ଜାଣିବା ପାଇଁ ।
ହେ ଗିରିଧର ଗୋପାଳ !
ତମେ ତମର ଭକ୍ତଙ୍କୁ କୁଆଡ଼େ ବହୁତ ଭଲ ପାଅ ! ସେ କୁଆଡ଼େ ତମର ଜୀବନ ଧନ ! ତମେ ତମର ଭକ୍ତ ଭିତରେ ନିଜକୁ ଦେଖିଥାଅ କୁଆଡ଼େ ! ତେଣୁ ସମ୍ରାଟଙ୍କୁ ଆଉ ଅଧିକ ବ୍ୟସ୍ତ ହେବାକୁ ପଡ଼ିଲା ନାହିଁ । ରାତିରେ ସ୍ଵପ୍ନାଦେଶ ଏବଂ ସବୁ ଘଟଣାର ସତ୍ୟାସତ୍ୟ ପ୍ରତିପାଦନ ସପନ ମାଧ୍ୟମରେ ! ସେଦିନ ପ୍ରତାପରୁଦ୍ର ଦେବଙ୍କୁ ଜଣେଇ ଦେଇଥିଲ, “ଯେଉଁଠି ଏହି ସଙ୍ଗୀତ ମୁଁ ସେଇଠି । ତେଣୁ ବାଇଗଣ କିଆରୀରେ ବୃଦ୍ଧା ମାଲ୍ୟାଣୀଙ୍କ କଣ୍ଠରେ ତ ସେଇ ଗୀତକୁ ଶୁଣି ଶୁଣି ମୁଁ ଅନୁଧାବନ କରୁଥିଲି ତାଙ୍କୁ ।”
ପରଦିନ ସକାଳୁ . .
“କି ଗୀତ ଗାଉଥିଲ ମାଲ୍ୟାଣୀ ?”- ରାଜାଙ୍କ ଏହି ପ୍ରଶ୍ନର ଉତ୍ତର ଥରି ଥରି ଦେଇଥିଲେ ବୃଦ୍ଧା – “ଗୀତଗୋବିନ୍ଦ ଗାଉଥିଲି ଛାମୁଁ ।”
“ତେବେ ଏ ଗୀତଗୋବିନ୍ଦର ଲହର ନିକଟରେ ରତ୍ନସିଂହାସନ କ’ଣ ତୁଛ ?” ନିଜକୁ ନିଜେ ପ୍ରଶ୍ନ କରିଥିଲେ ସମ୍ରାଟ । କ୍ଷଣେ ମାତ୍ର ଅପେକ୍ଷା ନକରି ସେହି ମୂହୁର୍ତ୍ତରେ ଆଦେଶ ଦେଲେ ପ୍ରତାପରୁଦ୍ର, “ପ୍ରତ୍ୟହ ଗାନ ହେବ ଶ୍ରୀଗୀତଗୋବିନ୍ଦ ପ୍ରଭୁଙ୍କ ନିକଟରେ।”
ଗୀତଗୋବିନ୍ଦ !
ଆଜ୍ଞା ହଁ ଗୀତଗୋବିନ୍ଦ !
ମହାକବି ଜୟଦେବଙ୍କ ଗୀତଗୋବିନ୍ଦ !
ଆଜ୍ଞା ହଁ ସନ୍ଥ ଜୟଦେବ ଗୋସ୍ୱାମୀ ବିରଚିତ ଶ୍ରୀଗୀତଗୋବିନ୍ଦ !
ଶ୍ରୀରାଧାକୃଷ୍ଣ ଲୀଳା ସମ୍ବଳିତ ଦ୍ଵାଦଶ ସର୍ଗ ବିଶିଷ୍ଟ ଲଳିତ କୋମଳକାନ୍ତ ପଦାବଳୀ ଗୀତଗୋବିନ୍ଦ !
ହେ ମାଧବ ! ଏହି ଗୀତଗୋବିନ୍ଦ କାବ୍ୟ ରଚନା ପଛରେ କେତେ କଥା ଲୁଚି ରହିଛି ସତେ ! ତେବେ ଗୀତଗୋବିନ୍ଦ ରଚନା କ’ଣ ଥିଲା ପୂର୍ବନିର୍ଦ୍ଧାରିତ ?
ହଁ, ନିଶ୍ଚିତ ଭାବେ ପୂର୍ବ ନିର୍ଦ୍ଧାରିତ ! ଭଗବାନଙ୍କ ଲୀଳାର ରଚନା କରିବେ ତ ସେ ନିଜେ ! ସେଇଥିପାଇଁ ତମେ ବୋଧେ ବାଛି ନେଇଥିଲ ଏହି ବିଷ୍ଣୁ ଉପାସନା କ୍ଷେତ୍ରକୁ, ପ୍ରାଚୀନଦୀ କୂଳସ୍ଥ ଏକ ଗ୍ରାମକୁ ଯେଉଁଠି ତମ ଅବତାରର ଏକ ଅଂଶ ଜନ୍ମ ନେଇ ତମରି ଲୀଳାକୁ ବିଶ୍ଵକୁ ସମର୍ପିତ କରିବେ ।
ପ୍ରାଚୀ ଉପତ୍ୟକାର କେନ୍ଦୁବିଲ୍ଵ ଗ୍ରାମ । ପ୍ରାଚୀନଦୀ ପବିତ୍ର ଗଙ୍ଗାସମ, ମାହାତ୍ମ୍ୟ ତା’ର ବିଚିତ୍ର । ସେହି ନଦୀ ତୀରରେ ଦ୍ଵାଦଶ ମାଧବଙ୍କ ପୂଜାର୍ଚ୍ଚନା ଅଷ୍ଟମ ଶତାବ୍ଦୀରୁ । “ମାଧବାନନ୍ଦ, ନିଆଳି ମାଧବ, ଜାଞ୍ଜଳି ମାଧବ, ଲଳିତ ମାଧବ, ବୋଲରା ମାଧବ, ରଘୁନାଥପୁର ମାଧବ, ମୁଦ୍ଗଲ ମାଧବ, ନଟାବୁ ମାଧବ, ନିଭରଣ ମାଧବ, ଅମରେଶ୍ଵର ମାଧବ, କାକଟପୁର ମାଧବ ଓ ଲତାହରଣ ମାଧବ ।” ଏହି ଦ୍ଵାଦଶ ମାଧବ ପରିବେଷ୍ଟିତ କ୍ଷେତ୍ରରେ ଧରାବତରଣ କରିବା ପାଇଁ ଜୟଦେବଙ୍କୁ ପଠାଇଥିଲ ହେ ରାଧାମାଧବ !
“ବର୍ଣ୍ଣିତ ଜୟଦେବକନ ହରେରିଦଂ ପ୍ରଣତେନ କେନ୍ଦୁବିଲ୍ଵ ସମୁଦ୍ର ସମ୍ଭବ ରେହିଣୀ ରମଣେନ।”
ହେ ଗୋପୀନାଥ !
ତମ ପ୍ରେରିତ ସେହି ମହାନ ଶିଶୁ ଥିଲେ ବାଲ୍ୟକାଳରୁ ବିଷ୍ଣୁଭକ୍ତ । ସେଇଥିପାଇଁ ପ୍ରତ୍ୟହ ପ୍ରାଚୀ ନଦୀରେ ସ୍ନାନାନ୍ତେ କେନ୍ଦୁବିଲ୍ଵ ଗ୍ରାମରେ ଥିବା ବିଷ୍ଣୁ ମନ୍ଦିର, ଅମ୍ବିକା ମନ୍ଦିର, ଶିବ ମନ୍ଦିରରେ ଆରାଧନା ପରେ ହିଁ ଅନ୍ନଜଳ ଗ୍ରହଣ କରୁଥିଲେ। ତମେ କିନ୍ତୁ ସେହି ଶିଶୁ ମନରେ ସମ୍ପୂର୍ଣ୍ଣ ରାଜୁତି କରୁଥିଲ । ସେଇଥିପାଇଁ ବାଲ୍ୟବନ୍ଧୁ ପରାଶରଙ୍କ ସାଥିରେ ଦିନେ ପ୍ରାଚୀନଦୀ ତ୍ରିବେଣୀ ଘାଟରେ ସ୍ନାନ କରୁଥିବା ସମୟରେ ତମର ଏକ କମନୀୟ କଳାମୁଗୁନି ପଥରରେ ନିର୍ମିତ ମୂର୍ତ୍ତି ତାଙ୍କୁ ପ୍ରାପ୍ତ ହେଲା । ସେହି ମାଧବ ମୂର୍ତ୍ତି ହିଁ ହୋଇଗଲା ସେହି ବାଳକଙ୍କର ପରମାରାଧ୍ୟ ଦେବତା !
କେଶବ !
ସମୟ ଆଗେଇ ଚାଲିଥିଲା । ସେହି ବାଳକ ଦିନୁଁ ଦିନ ବଡ଼ ହେବାରେ ଲାଗିଥିଲେ ଏବଂ ଅପୂର୍ବ ଜ୍ୟୋତିରେ ତାଙ୍କ ଶରୀର ମଣ୍ଡିତ ହେଉଥିଲା । ତେବେ ସବୁ କିଛି ତ ପୂର୍ବ ନିର୍ଦ୍ଧାରିତ ଏବଂ ତମରି ଆଦେଶରେ ପ୍ରଚଳିତ। ଏଥିରୁ କିଏ ବା ବାଦ୍ ପଡିଥାନ୍ତି ? ସେଇଥିପାଇଁ ବୋଧେ ହଠାତ ଦିନେ ଯୁବକ ଜୟଦେବଙ୍କ ମନରେ ଉଦ୍ରେକ ହେଲା ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ବିଶ୍ଵନିୟନ୍ତାଙ୍କ ଦର୍ଶନର ଅଭିଳାଷା !