ଉପସ୍ଥାପନା: ଅମୃତେଶ ଖଟୁଆ
~ ବନ୍ଦେ ଉତ୍କଳ ଜନନୀ ~
ଔପଚାରିକ ରୂପେ ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି କାନ୍ତକବିଙ୍କ “ବନ୍ଦେ ଉତ୍କଳ ଜନନୀ”। ସମଗ୍ର ଓଡିଶା ଓ ବିଭିନ୍ନ ସ୍ଥାନରେ ୩୧ ମଇ, ୨୦୨୦ ରେ ଏହାର ଏକତ୍ର ଗାନ ପରେ ଏହାର ଗାରିମା ନଭଶ୍ଚୁମ୍ଭୀ ହୋଇଛି ।
ଯେପରି ବ୍ରିଟିଶ ଶାସନକ୍ରମେ ଅତ୍ୟାଚାରରେ ନିପୀଡିତ ଭାରତୀୟ ମାନେ ପାଇଥିଲେ ମହାଭାରତୀୟ ଚେତନାର ଏକୋନ୍ମୁଖ ଦର୍ଶନ ଓ ଉପଲବ୍ଧି, ସେତେବେଳେ ଆହୁରି ଗରୀୟାନ ଓ ବିପ୍ଳବୋତ୍ପ୍ଳୁତ ହୋଇ ଥିଲା ସମଗ୍ର ମହାଭାରତୀୟ ଇତିହାସର ଅତୀତ ସହ ବର୍ତ୍ତମାନ ଏବଂ ଆଶଙ୍କିତ ଭବିଷ୍ୟ ଅପେକ୍ଷା ଆବେଗସମ୍ପନ୍ନ ଗୌରାବାବହ ହୋଇଥିଲା – ଏକକ ମହାଭାରତୀୟ ଗୌରବ !
~ ବୈଧାନିକ ଅଭିକ୍ରିୟାର ଏକ ଇତିହାସ ~
୧୯୧୨ ମସିହାରେ ବାଲେଶ୍ଵର ଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ଅଧିବେଶନରେ ପ୍ରଥମଥର ପାଇଁ ଗାନ କରାଯାଇଥିଲା । ୧୯୩୬ ମସିହାରେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ରୂପେ ଗଠନ ସତ୍ତ୍ୱେ ଏହା ଔପଚାରିକ ବିଧାନ ଅନ୍ତର୍ଗତ ମାନ୍ୟତା ଲାଭ କରିପାରିନଥିଲା।
୧୯୯୪ ମସିହାରେ ବାଚସ୍ପତି ଯୁଧିଷ୍ଠିର ଦାସ ଏହାକୁ ରାଜ୍ୟ ସଙ୍ଗୀତ ଭାବରେ ମାନ୍ୟତା ଦେବା ପାଇଁ ବିଧାନସଭାରେ ନିଷ୍ପତ୍ତି ନେଇଥିଲେ । ୨୧/୧୨/୧୯୯୪ ତାରିଖରେ ବିଧାନସଭାରେ ସମସ୍ତ ସଦସ୍ୟ ଦଣ୍ଡାୟମାନ ହୋଇ ଏହାକୁ ଜାତୀୟ ସଙ୍ଗୀତ ସମ୍ଯକ ସମ୍ମାନର ସହିତ ଗାନ କରିଥିଲେ । ସେବେଠାରୁ ବିଧାନସଭାରେ ଏହି ପରମ୍ପରା ଚାଲି ଆସିଛି !
୨୦୦୨ ମସିହା ପର୍ଯ୍ୟନ୍ତ ଏହି ଯଥାମାନ୍ୟ ସ୍ବୀକୃତି ପାଇନଥାଏ। ବିଧାନସଭାରେ ପୁନଶ୍ଚ ଆଲୋଚନା ହୋଇଥିଲା । ବାଚସ୍ପତି ଶରତ କୁମାର କର ଏହି ଆଲୋଚନା ମାଧ୍ୟମରେ ସରକାରଙ୍କୁ ବିଧିମତେ ଏକ ସର୍କ୍ଯୁଲାର ଜାରିପୂର୍ବକ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
୨୦୦୩ ମସିହାରେ ଶରତ କରଙ୍କ ଅଧ୍ୟକ୍ଷତାରେ ପୁଣି ଏକ ବୈଠକ ବସି, ଏହି ଦିଗରେ କିଛି ନିଷ୍ପତ୍ତି ନିଆଯାଇଥିଲା ।
(୧) ସଙ୍ଗୀତର ପ୍ରଥମ, ଚତୁର୍ଥ ଓ ଶେଷ ପଦକୁ ରାଜ୍ୟ ସଙ୍ଗୀତ ଭାବରେ ଗାନ କରାଯିବ
(୨) ରାଜ୍ୟ ସଙ୍ଗୀତର ଅବଧି ୭୦ ରୁ ୯୦ ସେକେଣ୍ଡ ରହିବ ।
(୩) ଆକାଶବାଣୀରେ ବାଳକୃଷ୍ଣ ଦାଶଙ୍କର ପରିବେଷିତ ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ ।
(୪) କେବଳ ରାଜ୍ୟ ସଂସ୍କୃତି ଓ ଲୋକସମ୍ପର୍କ ବିଭାଗ ଏହି ସଙ୍ଗୀତକୁ ରେକର୍ଡ଼ କରିପାରିବେ ।
~ ଗାନ ଓ ପ୍ରକାଶନ ~
[ଭିନ୍ନ ଏକ ତଥ୍ୟ: ‘ବନ୍ଦେ ଉତ୍କଳ ଜନନୀ’ କବିତାଟି ପ୍ରଥମେ ‘ଉତ୍କଳ ସମ୍ମିଳନୀ‘ର ନବମ ଅଧିବେଶନରେ (୧୯୧୩, ଡିସେମ୍ବର ୨୯, ପୁରୀ)ରେ ଗାନ କରାଯାଇଥିଲା । ଏ ସଂପର୍କରେ ଲିଖିତ ଆଧାର ସଂଗ୍ରହ ହୋଇନଥିଲେ ହେଁ ଉତ୍କଳ ସମ୍ମିଳନୀ ସଂପର୍କରେ ଗବେଷଣାତ୍ମକ ଆଲୋଚନା କରିଥିବା ପ୍ରାଧ୍ୟାପକ ଦେବେନ୍ଦ୍ର କୁମାର ଦାଶ ଉକ୍ତ ମସିହା ବିବରଣୀରେ ତାହା ସ୍ଥାନ ପାଇଛି ବୋଲି ସୂଚନା ଦେଇଛନ୍ତି । ]
ଏହି ହୃଦୟସ୍ପର୍ଶୀ କବିତା ବନ୍ଦେ ଉତ୍କଳ ଜନନୀ ଉପସ୍ଥିତ ସମସ୍ତ ଶ୍ରୋତାମଣ୍ଡଳୀକୁ ଜାତୀୟତା ପ୍ରେମରେ ଭାବପ୍ରବଣ କରିଦେଲା । ଶାନ୍ତ ଏବଂ ଗମ୍ଭୀର ପଡ଼ିଥିବା ସଭାଟି ହଠାତ୍ ମନ୍ତ୍ରମୁଗ୍ଧ ହୋଇଉଠିଲା । ପ୍ରସିଦ୍ଧ କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ସେହି ସଭାରେ ଉପସ୍ଥିତ ଥିଲେ ! ସେ ଅନୁଗ୍ରହ ହୃଦୟର ସ‌ହ ମଞ୍ଚ ଉପରୁ ତଳକୁ ଆସିଲେ ଏବଂ ଲକ୍ଷ୍ମୀକାନ୍ତଙ୍କୁ ପ୍ରଶଂସା କରି କ‌ହିଲେ, “ଆହାଃ! କେତେ ସୁନ୍ଦର କବିତାଟିଏ ରଚନା କରିଛ ଲକ୍ଷ୍ମୀକାନ୍ତ !” ଉତ୍କଳମଣିଙ୍କର ଏହି ପଦିଏ ପ୍ରଶଂସାର ବାଣୀ ସେହି କବିତାର ଚୁମ୍ବକୀୟ ଆକର୍ଷଣକୁ ଉଜ୍ଜୀବିତ କରୁଥିଲା ।
‘ବନ୍ଦେ ଉତ୍କଳ ଜନନୀ’ ଦେଶପ୍ରେମ ଜଗାଇବା ସ‌ହ ଅନେକଙ୍କ ହୃଦୟରେ ଏକ ଉଦ୍ଦୀପନା ସୃଷ୍ଟି କଲା । ମାତୃଭୂମି ପାଇଁ କିଛି କରିବା ପାଇଁ ହୃଦୟରୁ ଆପେ ଆପେ ଦେଶପ୍ରେମ ଜାଗ୍ରତ ହେଲା । ତାଙ୍କର ଆର୍ଯ୍ୟବାହିନୀ କବିତାରେ ଏହିଭଳି ଦେଶପ୍ରେମ ଲେଖା ରହିଛି, ଯାହାକି ଓଡ଼ିଶାର ଆତ୍ମଶକ୍ତିକୁ ପ୍ରତିଫଳିତ କରିଥିଲା ! ତେବେ ‘ମୁକୁର’ ପତ୍ରିକାର ଅଷ୍ଟମ ଭାଗ, ୧୩୨୧ ମାର୍ଗଶିର-ପୌଷ ସଂଖ୍ୟାରେ (୧୯୧୩ ନଭେମ୍ବର-ଡିସେମ୍ବର) ସେହି କବିତାଟି ‘ଉତ୍କଳ ଜନନୀ’ ଶିରୋନାମାରେ ପ୍ରକାଶ ପାଇଛି (ନିର୍ଦ୍ଦିଷ୍ଟ ମାସର ପତ୍ରିକାଟିରେ ମାର୍ଗଶିର -ପୌଷ ଲେଖା ହୋଇଥିଲେ ହେଁ ପତ୍ରିକାଟି ଯେ ଡେରିରେ ବାହାରିଥିବାର ଅନୁମାନ । ଅଧିକାଂଶ ପତ୍ରିକା ଭାଗ୍ୟରେ ଏପରି ବି ହୋଇଥାଏ । ଏବେ ମଧ୍ୟ ହେଉଛି ।) ତେବେ ‘କାନ୍ତ ସାହିତ୍ୟ ମାଳା’ର ଦ୍ୱିତୀୟ ଖଣ୍ଡରେ (ପ୍ରଥମ ସଂସ୍କରଣ ୧୯୬୪ , ପୃ. ୧୧୭୫ ) ‘ଜାତୀୟ ସଙ୍ଗୀତ’ ଶିରୋନାମାରେ ଥିବା କବିତାଟି ମୁକୁରରେ ବାହାରିଥିବା କବିତାଠାରୁ ବଡ । ଅର୍ଥାତ୍ କା.ସା.ମା.ର କବିତାଟି ମୂଳ କବିତାର ପରିବର୍ଦ୍ଧିତ ରୂପ ।
ଏହି ବହିଟି ବାହାରିଛି କାନ୍ତକବିଙ୍କ ପରଲୋକ (୧୯୫୩) ପରେ । ତେବେ କବିତାଟିକୁ କବି କେବେ ପରିବର୍ଦ୍ଧିତ କଲେ ତା’ର କୌଣସି ସୂଚନା ବହିରେ ନାହିଁ । ଏ ସଂପର୍କୀତ ପ୍ରାମାଣିକ ସୂଚନା ମିଳିରେ କବିତାଟିର ଶୁଦ୍ଧ ରୂପ ସଂପର୍କରେ ଆଲୋଚନା ହୋଇପାରନ୍ତା । (ଏଠାରେ ‘ମୁକୁର’ ଓ ‘କାନ୍ତ ସାହିତ୍ୟ ମାଳା’ ବହିରେ ଥିବା କବିତା ପୃଷ୍ଠା ଦୁଇଟି ଦିଆଯାଇଛି ।)
[ସୌଜନ୍ୟ : Santosh Mohanty]
*************
◆ ସଂପୂର୍ଣ୍ଣ ଗାନ (ଅର୍ଥସହିତ) ◆
[ସୌଜନ୍ୟ : Debasish Senapati]
ବନ୍ଦେ ଉତ୍କଳ ଜନନୀ !
ଚାରୁ-ହାସମୟୀ ଚାରୁ-ଭାଷମୟୀ,
ଜନନୀ, ଜନନୀ, ଜନନୀ॥
ଅର୍ଥ: ଯେଉଁ ଜନନୀଙ୍କର ହସ ହସ ମୁଖ ସୁନ୍ଦର । ଯେଉଁ ଜନନୀଙ୍କର ଭାଷା ସୁନ୍ଦର ଓ ମଧୁର । ମୁଁ ସେଇ ଜନନୀଙ୍କୁ ବନ୍ଦନା କରୁଛି !
ପୂତ-ପୟୋଧି-ବିଧୌତ ଶରୀରା,
ତାଳ-ତମାଳ-ସୁଶୋଭିତ-ତୀରା,
ଶୁଭ୍ର-ତଟିନୀ-କୂଳ ଶୀକର-ସମୀରା,
ଜନନୀ, ଜନନୀ, ଜନନୀ॥
ଅର୍ଥ: ଯେଉଁ ଜନନୀଙ୍କର ଶରୀରକୁ ପବିତ୍ର ମହୋଦଧି ସଦା ସର୍ବଦା ଧୋଇ ଦେଉଛି, ଯେଉଁ ଉତ୍କଳ ଜନନୀଙ୍କ ଦେହରେ ପ୍ରବାହିତ ନଦୀ ଗୁଡିକର ତଟଦେଶରେ ତାଳ ତମାଳ ଆଦି ବୃକ୍ଷ ମାନେ ଶୋଭା ପାଉଛନ୍ତି, ସେହି ଶୁଭ୍ର ନିର୍ମଳ ପବିତ୍ର ନଦୀ କୂଳରୁ ଜଳକଣା ଯୁକ୍ତ ପବନ ବା ଥଣ୍ଡା ପବନ ବହି ଆସୁଛି, ମୁଁ ସେଇ ଉତ୍କଳ ଜନନୀଙ୍କୁ ବନ୍ଦନା କରଛି !
ଘନ-ବନଭୂମି ରାଜିତ ଅଙ୍ଗେ,
ନୀଳ-ଭୂଧର-ମାଳା ସାଜି ତରଙ୍ଗେ,
କଳକଳ-ମୁଖରିତ-ଚାରୁ-ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥
ଅର୍ଥ: ଯେଉଁ ଉତ୍କଳ ଜନନୀଙ୍କର ଅଙ୍ଗରେ ଘଞ୍ଚ ଅରଣ୍ୟ ଓ ନୀଳ ପର୍ବତମାନ ନୀଳ ଲହରୀ ଖେଳାଇ ଦୃଷ୍ଟି ଆକର୍ଷଣ କରୁଛନ୍ତି, ବିଭିନ୍ନ ପକ୍ଷୀମାନଙ୍କର କଳରବରେ ଯାହାର ଅଙ୍ଗ ସର୍ବଦା ମୁଖରିତ ହେଉଛି, ମୁଁ ସେହି ଜନନୀଙ୍କୁ ବନ୍ଦନା କରୁଛି !
ସୁନ୍ଦରଶାଳୀ-ସୁଶୋଭିତ-କ୍ଷେତ୍ରା,
ଜ୍ଞାନ-ବିଜ୍ଞାନ-ପ୍ରଦର୍ଶିତ ନେତ୍ରା,
ଯୋଗୀ-ଋଷିଗଣ-ଊଟଜ-ପବିତ୍ରା,
ଜନନୀ, ଜନନୀ, ଜନନୀ॥
ଅର୍ଥ: ସୁନ୍ଦର ପକ୍ଵଧାନ୍ୟକ୍ଷେତ୍ର ଯାହାର ଶରୀରକୁ ସୁସଜ୍ଜିତ କରୁଛି । ଯାହାର ନେତ୍ର ଜ୍ଞାନବିଜ୍ଞାନ ପ୍ରଦର୍ଶନ କରୁଛି । ଯୋଗୀ ଋଷିମାନଙ୍କ କୁଡିଆଘର ଯାହାର କ୍ଷେତ୍ରକୁ ଅତ୍ୟନ୍ତ ପବିତ୍ରତା ଓ ଶାନ୍ତି ଦେଉଛି, ମୁଁ ସେହି ଉତ୍କଳ ଜନନୀଙ୍କୁ ବନ୍ଦନା କରୁଛି !
ସୁନ୍ଦର-ମନ୍ଦିର-ମଣ୍ଡିତ-ଦେଶା,
ଚାରୁକଳାବଳୀ-ଶୋଭିତ-ବେଶା,
ପୁଣ୍ୟ-ତୀର୍ଥଚୟ ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ॥
ଅର୍ଥ: ଯେଉଁ ଦେଶ ସୁନ୍ଦର ମନ୍ଦିର ମାଳାରେ ମଣ୍ଡିତ, ଯେଉଁ ଜନନୀଙ୍କର ବେଶ ବିନ୍ୟାସରେ ସୁନ୍ଦର ଉତ୍କଳୀୟ କଳାର କାରୁକାର୍ଯ୍ୟ ଭରିଛି, ଯେଉଁ ଦେଶରେ ଅନେକ ପୂଣ୍ୟ ତୀର୍ଥ ମାନ ରହିଛି, ମୁଁ ସେହି ଉତ୍କଳ ଜନନୀଙ୍କୁ ବନ୍ଦନା କରୁଛି !
ଉତ୍କଳ-ସୁରବର-ଦର୍ପିତ-ଗେହେ,
ଅରିକୁଳ-ଶୋଣିତ-ଚର୍ଚ୍ଚିତ ଦେହେ,
ବିଶ୍ୱଭୁମଣ୍ଡଳ-କୃତବରସ୍ନେହେ,
ଜନନୀ, ଜନନୀ, ଜନନୀ॥
ଅର୍ଥ: ଯେଉଁ ଉତ୍କଳ ଜନନୀଙ୍କ କୋଳରେ ଅନେକ ଦର୍ପିତ ବୀରପୁତ୍ର ଜନ୍ମ ନେଇଥିବାରୁ ସେ ଦର୍ପିତା ବା ଗର୍ବିତା, ଯାହାର ଶରୀର ଶତ୍ରୁ ସମୂହଙ୍କ ରକ୍ତରେ ରଞ୍ଜିତ ବା ଚର୍ଚ୍ଚିତ ହୋଇଛି, ସ୍ନେହଦାତ୍ରୀ ଭାବରେ ଯାହାର ସାରା ବିଶ୍ବରେ ଖ୍ୟାତି ରହିଛି , ମୁଁ ସେହି ଜନନୀଙ୍କୁ ବନ୍ଦନା କରୁଛି !
କବିକୁଳ ମୌଳି-ସୁନନ୍ଦନ-ବନ୍ଦ୍ୟେ,
ଭୁବନ-ବିଘୋଷିତ-କୀର୍ତ୍ତିଅନିନ୍ଦ୍ୟେ,
ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,
ଜନନୀ, ଜନନୀ, ଜନନୀ ॥
ବନ୍ଦେ ଉତ୍କଳ ଜନନୀ ॥
ଅର୍ଥ: ଶ୍ରେଷ୍ଠ କବି ଓ ସୁସନ୍ତାନ ମାନଙ୍କ ଦ୍ବାରା ଯିଏ ବନ୍ଦନୀୟ ଏବଂ ଯାହାର ଅନିନ୍ଦ୍ୟ କୀର୍ତ୍ତି ସାରା ବିଶ୍ବରେ ବିଶେଷ ଭାବରେ ଘୋଷିତ, ସେ ଧନ୍ୟା, ସେ ପୁଣ୍ୟା ସେ ସମସ୍ତଙ୍କର ଶରଣଦାତ୍ରୀ, ସେଇ ଉତ୍କନ ଜନନୀଙ୍କୁ ମୁଁ ବନ୍ଦନା କରୁଛି ।
Bande Utkala Janani
Amritesh Khatua
Spread the love
admin

Recent Posts

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 days ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 days ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

3 days ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

2 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

2 weeks ago

ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ

~ ଗଜପତି କପିଳେନ୍ଦ୍ର ଦେବଙ୍କ ତିରୋଧାନ ସମୟର ଆକଳନ ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ପ୍ରତି ବର୍ଷ 29 ଜୁନରେ…

4 weeks ago