ଲେଖା: ନିରଞ୍ଜନ ସାହୁ

୧୯୩୦ ମସିହା।

ସତ୍ୟାଗ୍ରହ ଆନ୍ଦୋଳନ ବେଶ୍ ସକ୍ରିୟ ହୋଇ ଉଠୁଥାଏ ଭାରତବର୍ଷରେ। ଓଡ଼ିଶାରେ ତ ଅଭୂତପୂର୍ବ ସଫଳତା ମଧ୍ୟରେ ଆଗେଇ ଚାଲିଥାଏ। ଏହି ସମୟରେ ଜୁଲାଇ ମାସରେ ରେଳଗାଡ଼ିଟିଏ କଟକ ବାଟ ଦେଇ ଯାଉଥାଏ ମାନ୍ଦ୍ରାଜ ସହର ଅଭିମୁଖେ,’ମାନ୍ଦ୍ରାଜ ମେଲ୍’। ହଠାତ୍ କୌଣସି କାରଣ ନଥାଇ କୌଣସି ଷ୍ଟେସନ ନଥାଇ ରେଳଗାଡ଼ି ଅଟକି ଗଲା ଏକ ନିର୍ଜନ ସ୍ଥାନରେ। ଦଳେ ସିପାହୀ ଠକ୍ ଠକ୍ ଯୋତା ଶବ୍ଦ କରି ପଶିଗଲେ ଗୋଟେ ରେଳଡବା ଭିତରେ। ସାଥିରେ ଗିରଫ କରି ନେଇ ଆସିଲେ ଜଣେ ମହିଳାଙ୍କୁ ଏବଂ ଅପେକ୍ଷା କରିଥିବା ଏକ ଜିପ୍’ରେ ବସାଇ ନେଇ ଗଲେ। ପରେ ତାଙ୍କୁ ସୁଦୂର ଭେଲୋର ଜେଲ୍’କୁ ପଠାଇ ଦିଆଗଲା। ସେ ଥିଲେ କାରାବରଣ କରିଥିବା ଓଡ଼ିଶାର ପ୍ରଥମ ମହିଳା।

୧୯୨୧ ମସିହା ମାର୍ଚ୍ଚ ମାସ ତେଇଶି ତାରିଖ। ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ପ୍ରଥମ ଓଡ଼ିଶା ଆଗମନ। କଟକର ବାଲୁବଜାର ପାଖରେ ଗୋଟିଏ ମହିଳା ସଭାରେ ଗାନ୍ଧିଜୀ ଓ କସ୍ତୁରବା ଭାଷଣ ଦେଇ ନାରୀମାନେ ସୂତା କାଟି ଖଦୀ ପିନ୍ଧିବା, ପରଦା ଛାଡ଼ିବା, ଛୁଆଁଅଛୁଆଁ ଭେଦଭାବ ନ ମାନିବାକୁ ପରାମର୍ଶ ଦେଉଥାନ୍ତି। ସନ୍ଧ୍ୟାରେ କାଠଯୋଡ଼ି ନଦୀପଠାରେ ଏକ ବିଶାଳ ସାଧାରଣ ସଭା। ସଭାରେ ଦାସେ ଆପଣେ। ଅନେକ ସମ୍ଭ୍ରାନ୍ତବଂଶୀୟା ମହିଳା ମଧ୍ୟ ଉପସ୍ଥିତ।
     
ଗାନ୍ଧିଜୀଙ୍କ ଆହ୍ବାନରେ ସେଇ ନାରୀମାନେ ନିଜର ବହୁମୂଲ୍ୟ ସ୍ଵର୍ଣ୍ଣାଭରଣ ତ୍ୟାଗ କରୁଥାଆନ୍ତି। କାନିପତେଇ ଗୋଟେଇ ନେଉଥା’ନ୍ତି ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିବା ମହିଳା କେତେଜଣ। ତନ୍ମଧ୍ୟରେ ସତର ବର୍ଷୀୟା, ମାତ୍ର ତିନି ବର୍ଷ ତଳେ ବିବାହ କରିଥିବା ଜଣେ ଯୁବତୀ। ସମ୍ଭ୍ରାନ୍ତ ଘରର ବୋହୂ ସିଏ। ଗୋଟିଏ ପଟେ ଜମିଦାର ଘରର କନ୍ୟା, ଆଉ ଗୋଟେ ପଟେ ଜମିଦାର ଘରର ନବବଧୂ !

୧୯୩୬ ମସିହାରେ ଓଡ଼ିଶା ପାଇଲା ସ୍ଵତନ୍ତ୍ରତା। ଭାରତବର୍ଷରେ ପରିଚିତ ହେଲା ପ୍ରଥମ ରାଜ୍ୟ ଯାହା ଭାଷା ଭିତ୍ତିରେ ହେଲା ସ୍ଵତନ୍ତ୍ର। ଓଡ଼ିଶା ଗଢିଲା ତା’ର ସରକାର। କଂଗ୍ରେସ ପକ୍ଷରୁ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ ପରେ ନିର୍ବାଚନରେ ଅଂଶଗ୍ରହଣ କରି ନିର୍ବାଚିତ ହୋଇଗଲେ ଏହି ମହିୟସୀ। ଓଡ଼ିଶାର ପ୍ରଥମ ମହିଳା ବିଧାୟିକା ! ନିଜର ସାଂଗଠନିକ ଦକ୍ଷତା ବଳରେ ବିଧାନ ସଭାରେ ଆଗତ କଲେ ‘ବାଲ୍ୟ ବିବାହ ଉଚ୍ଛେଦ ଆଇନ ଓ ପୋଇଲି ପ୍ରଥା ବିଲ୍’। ଏହି କୁପ୍ରଥା ବିରୁଦ୍ଧରେ ଏକତ୍ରିତ ହୋଇ ଏହି ବିଲ୍’କୁ ପାଶ୍ କରାଇନେଲେ ବିଧାୟକମାନେ।

ଦିନକର କଥା। ବିଧାନସଭା ଚାଲିଥାଏ। ବାଚସ୍ପତିଙ୍କ ଅନୁପସ୍ଥିତି। ଇଂରେଜ ଅମଳ। ତେଣୁ ଆଲୋଚନାର ଭାଷା ଥିଲା ଇଂରାଜୀ। ସେଦିନ ଗୋଟିଏ ଦିନ ପାଇଁ ବାଚସ୍ପତି ଆସନରେ ଅଧିରୁଢା ହେଲେ ଏହି ମହିୟସୀ। କେବଳ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟ କୌଣସି ଭାଷାରେ ଆଲୋଚନା ହୋଇପାରିବ ନାହିଁ ବୋଲି ରୁଲିଂ ଦେଲେ। ଏହା ଥିଲା ବିଧାନସଭାରେ ଓଡ଼ିଆ ଭାଷା ପାଇଁ ନିଶ୍ଚିତ ଭାବେ ଏକ ଐତିହାସିକ ଦିବସ।

ଉପରୋକ୍ତ ସମସ୍ତ ବର୍ଣ୍ଣିତ କଥାର ରୂପକାର ଓଡିଶାରେ ନାରୀଜାଗରଣର ଅଗ୍ରଦୂତ ଶ୍ରୀମତୀ ସରଳା ଦେବୀ। ସ୍ଵାଧୀନତା ପୂର୍ବବର୍ତ୍ତୀ ଏବଂ ସ୍ଵାଧୀନତା ପର ଅଧ୍ୟାୟର ମହିୟସୀ ଜନନେତ୍ରୀ। ଜନ୍ମ ୧୯୦୪ ମସିହା ଅଗଷ୍ଟ ମାସ ଉଣେଇଶି ତାରିଖ, କଟକ ଜିଲ୍ଲାର ନରିଲୋ (ଅଧୁନା ଜଗତସିଂହପୁର) । ଆଭିଜାତ୍ୟପୂର୍ଣ୍ଣ ଜମିଦାର ଘରର କନ୍ୟା, ପୁଣି ଆଭିଜାତ୍ୟପୂର୍ଣ୍ଣ ଜମିଦାର ଘରେ ପାଣିଗ୍ରହଣ।

ସ୍ଵାମୀ ଭାଗିରଥୀ ମହାପାତ୍ର, ଓଡ଼ିଶାରେ ଜାତୀୟ କଂଗ୍ରେସର ପ୍ରଥମ ସମ୍ପାଦକ। ଅସୀମ ଧନସମ୍ପଦର ଅଧିକାରୀ, ପୂର୍ଣ୍ଣ ପ୍ରାଚୁର୍ଯ୍ୟ। ଜୀବନର ବ୍ରତ କିନ୍ତୁ ଦେଶର ସ୍ଵାଧୀନତା । ଜୀବନପଥ ସରଳ, ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ, ଦେଶ ପାଇଁ ସର୍ବତ୍ୟାଗୀ। ମଣିକାଞ୍ଚନର ସଂଯୋଗ ହେଲା। ସ୍ଵାମୀଙ୍କ ସହିତ ଝାସ ଦେଲେ ସ୍ଵାଧୀନତା ସଂଗ୍ରାମରେ। ବାଲ୍ୟବିବାହ କରିଥିବା ସରଳା ଦେବୀ ମିଶିଗଲେ ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ, ନାରୀଜାଗରଣ ପରି ମହତ୍ କାର୍ଯ୍ୟମାନଙ୍କରେ। ଜେଲ୍ ଗଲେ, ସଂଗଠନ କଲେ, ଆଗଧାଡିର ସତ୍ୟାଗ୍ରହୀ ଏବଂ ସମାଜସେବୀ ଭାବରେ ବିଦିତ ହେଲେ। ସାଥିରେ ମା’ ରମାଦେବୀ, ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ମହାରଣା, ଗୋଦାବରୀ ଦେବୀ ଓ ଆହୁରି ଅନେକ।

କେବଳ ସମାଜସେବାରେ ଅଟକି ଯାଇ ନଥିଲେ ସରଳା ଦେବୀ। ସେ ଥିଲେ ଜଣେ କୃତବିଦ୍ୟ ସାହିତ୍ୟିକା। ଉତ୍କଳର ନାରୀ ସମସ୍ୟା, ନାରୀର ଦାବୀ, ଭାରତୀୟ ମହିଳା ପ୍ରସଙ୍ଗ, ରବୀନ୍ଦ୍ରପୂଜା, ବୀରରମଣୀ, ବିଶ୍ଵ ବିପ୍ଳବିଣୀ, ବାସନ୍ତୀ, ରାୟ ରାମାନନ୍ଦ, ଗାଁ କଥା ଇତ୍ୟାଦି ପୁସ୍ତକ ରଚନା କରି ଆମ ଓଡ଼ିଆ ସାହିତ୍ୟର ସମୃଦ୍ଧି କରିଥିଲେ ସ୍ଵାଧୀନତା ସଂଗ୍ରାମ ସମୟରେ। ୧୯୪୨ ଠାରୁ ୧୯୫୨ ମସିହା ପର୍ଯ୍ୟନ୍ତ ସେ ଥିଲେ ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ ଏବଂ ପରେ ଉପସଭାପତି।

ଓଡ଼ିଶାରେ ନାରୀ ଜାଗରଣର କର୍ଣ୍ଣଧାର, ମହାନ୍ ସ୍ଵାଧୀନତା ସଂଗ୍ରାମୀ, ସମାଜସେବୀ, ସୁଲେଖିକା ଏହି ମହିୟସୀଙ୍କର ୧୯୮୬ ମସିହା ଅକ୍ଟୋବର ମାସ ୦୪ ତାରିଖରେ ମହାପ୍ରୟାଣ ଘଟିଲା। ଆମ ଜାତି ଇତିହାସରେ ଜଣେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ, ନାରୀ ଜାଗରଣର ଅଗ୍ରସାରଥୀ ରୂପେ ସର୍ବଦା ପୂଜିତା ମା’ ସରଳା ଦେବୀ ।

Sarala Devi Malati Choudhury Ramadevi Mahatma Gandhi Utkal Sahitya Samaj

Niranjan Sahu

Spread the love
admin

View Comments

  • ଅନନ୍ୟ ପ୍ରତିଭା ! ଏକାଧାରରେ ସ୍ଵାଧୀନତା ସଂଗ୍ରାମୀ , ଲେଖିକା, ରାଜନୈତିକ ବନ୍ଦୀ , ସଙ୍ଗଠକ , ପ୍ରଥମ ମହିଳା ଅନେକ କ୍ଷେତ୍ରରେ । ସ୍ଵାମୀ ଭାଗିରଥି ମହାପାତ୍ର , ପୁତ୍ର ଅମିତାଭ ମହାପାତ୍ର , ସାରା ପରିବାର ଏ ଜାତିର ନମସ୍ୟ । ସେହି ମହିୟସୀ ମାଁ ଙ୍କୁ ଦଣ୍ଡବତ ପ୍ରଣାମ ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

5 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

6 days ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 week ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 week ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago