ଉପସ୍ଥାପନା: ନିରଞ୍ଜନ ସାହୁ

ପିଲାଦିନେ ସେ ଥିଲେ ଚଞ୍ଚଳ ପ୍ରକୃତିର। ପାଠ ପଢ଼ାରେ ମନ ଊଣା। ଚାଟଶାଳୀରେ ଅବଧାନଙ୍କ ପାଖରେ ବସି ରହି, ପାଠ ମୁଖସ୍ଥ କରିବାକୁ ଆଗ୍ରହ ଏକରକମ ଶୂନ୍ୟ। ଚାହାଳୀରୁ ଲୁଚି ପଳାଇବା ବେଳେ ଅବଧାନ ପଠାଉଥିଲେ ଅନ୍ୟ ବଡ଼ ପିଲାଙ୍କୁ ଧରି ଆଣିବା ପାଇଁ। ସେ କିନ୍ତୁ ବିଜୁଳି ବେଗରେ ଧାଇଁ ଅଦୃଶ୍ୟ ହୋଇଯାଉଥିଲେ। କୈଶୋର ଅବସ୍ଥା ପର୍ଯ୍ୟନ୍ତ ତେଣୁ ବାଣପୁରର ଲୋକେ ଡାକୁଥିଲେ ‘ହରିଣ’ ବୋଲି। ସେ ପିଲାଟି ପରବର୍ତ୍ତୀ ସମୟରେ ଜଣେ କୃତବିଦ୍ୟ ମହାପୁରୁଷ ଭାବେ ପରିଚିତ ହେଲେ ଓଡ଼ିଶାର କୋଣ ଅନୁକୋଣରେ। ସେ ହେଉଛନ୍ତି ଆମର ପ୍ରିୟ ଗୋଦାବରୀଶ ମହାପାତ୍ର, ଓଡ଼ିଆ ସାହିତ୍ୟର ଏକ ଶ୍ରଦ୍ଧାଶୀଳ ନାମ। ଅପ୍ରତିଦ୍ଵନ୍ଦୀ ବ୍ୟଙ୍ଗଲେଖକ, ନିର୍ଭୀକ, ସତ୍ୟଦ୍ରଷ୍ଟା, ଦୁର୍ନୀତିର ମୁଖା ଖୋଲିଦେବା ମଣିଷ, ଶ୍ମଶାନିତ ଜାତିକୁ ଉଠେଇଦେବାର ମଣିଷ, ଶିଶୁ ମୁହଁରେ ହସ ଉଚ୍ଛୁଳେଇଦେବା ମଣିଷ, ସଂସ୍କାର ପାଇଁ ଉତ୍ସର୍ଗୀକୃତ ସାହିତ୍ୟିକ ।

୧୮୯୮ ମସିହା ଅକ୍ଟୋବର ମାସ ପହିଲା ତାରିଖ, ଆଶ୍ଵିନ ଶୁକ୍ଳ ତୃତୀୟା। ବାଣପୁର ନିକଟସ୍ଥ କୁମାରଙ୍ଗ ଶାସନରେ ଜନ୍ମଗ୍ରହଣ କରିଥିଲେ ଗୋଦାବରୀଶ ମହାପାତ୍ର। ଦେଢ଼ ବର୍ଷ ବୟସରେ ତାଙ୍କର ପିତାଙ୍କ ଦେହାନ୍ତ ପରେ ମା’ ଓ ଆଈମା’ଙ୍କ ଉପରେ ରହିଲା ଲାଳନ ପାଳନର ଦାୟିତ୍ଵ। ପିଲାଦିନେ ଗୋଦେର ନାମରେ ପରିଚିତ ହେଲେ ତାଙ୍କର ଗାଁ ଓ ପଡ଼ୋଶୀ ଗାଁ ମାନଙ୍କରେ।

ସତର ବର୍ଷ ବୟସରେ ପ୍ରାଥମିକ ଶିକ୍ଷା ଶେଷ ଓ ବାଣପୁର ମାଇନର ସ୍କୁଲରେ ଯୋଗଦାନ। ବାଣପୁରର ପ୍ରାକୃତିକ ଶୋଭା ମନମୁଗ୍ଧକର ଏବଂ ଚିଲିକା, ଶାଳିଆ ନଈ, ଘଣ୍ଟଶିଳା, ସୋଲେରୀ ଓ ଭାଲେରୀ ପାହାଡ଼ ତାଙ୍କ ମନରେ କବିତ୍ୱର ବୀଜ ବୁଣି ଦେଲେ। ‘ଗୋଦେର’ ଲେଖା ଲେଖିବା ଆରମ୍ଭ କଲେ। ଦୃଷ୍ଟିରେ ପଡ଼ିଲେ ତତ୍କାଳୀନ ପ୍ରସିଦ୍ଧ ପତ୍ରିକା ‘ମୁକୁର‘ର ସମ୍ପାଦକ ପ୍ରଥିତଯଶା ବ୍ରଜସୁନ୍ଦର ଦାସଙ୍କର। ସେହି ଦିନଠାରୁ ମାଇନର ପଢୁଥିବା ବେଳେ ଗୋଦାବରୀଶଙ୍କର କବିତା ପ୍ରକାଶିତ ହେଲା ପ୍ରତିଷ୍ଠିତ ପତ୍ରିକା ‘ମୁକୁର’ରେ। ହେଲେ ପାଠପଢ଼ାରେ ବାଧକ ସାଜିଲା ଘରର ଆର୍ଥିକ ଅବସ୍ଥା।

ଡୋରି ବନ୍ଧା ହେବା ବେଳକୁ ନୂତନ ଓଡ଼ିଶାର ଅନ୍ୟତମ ପୁରୋଧା ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ଦୃଷ୍ଟିରେ ପଡ଼ିଲେ ଗୋଦାବରୀଶ ମହାପାତ୍ର। ସେହି ମାଇନର ସ୍କୁଲରୁ ସ୍ଥାନାନ୍ତରିତ ହେଲେ ସତ୍ୟବାଦୀ ବନବିଦ୍ୟାଳୟକୁ। ସେହି ସମୟରେ ସତ୍ୟବାଦୀ ବନବିଦ୍ୟାଳୟରୁ ପ୍ରକାଶିତ ହେଉଥାଏ ଦୁଇଟି ପତ୍ରିକା, ‘ସତ୍ୟବାଦୀ’ ଓ ବୀଣା। ଏଥିରେ ନିରବିଛିନ୍ନ ଭାବେ ଲେଖା ଲେଖି କାମ ମିଳିଗଲା ଗୋଦାବରୀଶଙ୍କୁ। ମାତ୍ରା ଓ ଛନ୍ଦଯୁକ୍ତ ହୋଇ ଲେଖାଗୁଡିକୁ ଆଶୀର୍ବାଦ ମିଳିଗଲା ପଣ୍ଡିତ ନୀଳକଣ୍ଠ ଓ ଗୋଦାବରୀଶଙ୍କର। ଏହି ସାନିଧ୍ୟ ଓ ଆଶୀର୍ବାଦରେ ଦିଗଦର୍ଶନ ଲାଭ କରିଥିଲେ ଗୋଦାବରୀଶ ମହାପାତ୍ର।

ସେହି ସମୟରେ ସ୍ଵାଧୀନତା ସଂଗ୍ରାମର ବିଗୁଲ୍ ବାଜୁଥାଏ ଦେଶ ସାରା। ସତ୍ୟବାଦୀ ବନବିଦ୍ୟାଳୟ ପ୍ରକାଶ୍ୟ ଭାବରେ ସମର୍ଥନ କରୁଥାଏ ଏହି ସଙ୍ଗ୍ରାମକୁ। ତେଣୁ ବ୍ରିଟିଶ ଶାସନର ରୋଷ ରହିଲା ଓ ଏହି ବିଦ୍ୟାଳୟରେ ଅଧ୍ୟୟନ ବନ୍ଦ ହୋଇଗଲା। ପରିବାର ପୋଷଣ ପାଇଁ ଅଶେଷ ଚେଷ୍ଟା କଲେ ଗୋଦାବରୀଶ। ବାଲ୍ୟବିବାହ କରିଥିବା ଏହି ଛାତ୍ର ଜୀବନଜୀବିକା ପାଇଁ ଘୁରି ବୁଲିଲେ। କେତେବେଳେ ଶିକ୍ଷକତା, କେତେ ବେଳେ ସାମ୍ବାଦିକତା, ପୁଣି ବାଣପୁର ସହଯୋଗ ସମିତି ମାଧ୍ୟମରେ ଦିଆସିଲି କାରଖାନା। ସଂଘର୍ଷମୟ ଜୀବନ ଆରମ୍ଭ ହେଲା ଓ ଶେଷରେ ସେ ୧୯୩୭ ମସିହାରେ ବ୍ରହ୍ମପୁରରେ ଆରମ୍ଭ କଲେ “ନିଆଁଖୁଣ୍ଟା“ପତ୍ରିକା।

ତେବେ ପତ୍ରିକା ଚଳାଇ କେତେ ଜଣ ବା ପେଟ ପୋଷିଥାନ୍ତି ଆମ ରାଜ୍ୟରେ ! କିଛି କିଛି କବିତା, ନାଟକ, ପାଲା ଇତ୍ୟାଦି ଲେଖି ସ୍ଵଳ୍ପ ରୋଜଗାର କରିବା ପାଇଁ ଚେଷ୍ଟା କଲେ। ଏମିତିକି ମାଛ ବ୍ୟବସାୟରେ କିଛି ଦିନ ଧରି ଲାଗିପଡିଲେ। ଏ ସବୁ କାମ କିନ୍ତୁ ଥିଲା ତାଙ୍କ ଜୀବନର ତଥା ସ୍ଵାଭାବିକ ଚିନ୍ତାଧାରାର ବିରୋଧୀ। ଦୀର୍ଘ ଦୁଇ ବର୍ଷ ମଧ୍ୟରେ ପ୍ରଚଣ୍ଡ ଘାତ ପ୍ରତିଘାତ ସହିଥିବା ଏହି ମଣିଷ ପରିଶେଷରେ ଓଡ଼ିଶାର ରାଜଧାନୀ କଟକରେ ପହଞ୍ଚି ଆରମ୍ଭ କଲେ ନିଆଁଖୁଣ୍ଟା ପତ୍ରିକାର ସମ୍ପାଦନା ସହ ନବକଳେବର। ଦିଗବାରେଣି ହୋଇ ଉଭା ହେଲେ ମାତୃଭୂମି ଓ ସହକାର ପତ୍ରିକାର ପ୍ରତିଷ୍ଠାତା ବାଳକୃଷ୍ଣ କର। ଅଧିକ ସକ୍ରିୟ ହୋଇଉଠିଲେ ଗୋଦାବରୀଶ ମହାପାତ୍ର।

ନିୟମିତ ଭାବେ ବାହାରିଲା ପତ୍ରିକା “ନିଆଁଖୁଣ୍ଟା”। ଶାଣିତ ବ୍ୟଙ୍ଗ ଓ ବୁଦ୍ଧିଦୀପ୍ତ ବିଚାରପୂର୍ଣ୍ଣ ଲେଖା ଗୁଡିକ ଓଡ଼ିଶାର ଜନମାନସରେ ଆଦୃତ ହେବା ସହ ଏକ ସ୍ବତନ୍ତ୍ର ପରିଚୟ ମିଳିଲା। ଏହି ପତ୍ରିକା ଥିଲା ଛଳନାମୟ ଶାସକ, ଦୁର୍ନୀତି ମାମଲାରେ ଜଡ଼ିତ କର୍ମଚାରୀ, ବ୍ୟବସାୟୀ ମାନଙ୍କ ପାଇଁ ଜ୍ଵଳନ୍ତ ନିଆଁର ଚେଙ୍କ। ସେଥିପାଇଁ ଏହି ବିଦ୍ରୁପାତ୍ମକ ଲେଖା ପଢ଼ି ଅନେକ ଅସାଧୁ ବ୍ୟକ୍ତି ଜର୍ଜରିତ ଓ ବିବ୍ରତ ହୋଇପଡ଼ିଥିଲେ। ଏଣୁ ବିପ୍ଳବୀ ଗୋଦାବରୀଶ ସମ୍ମୁଖୀନ ହେଉଥିଲେ କୋର୍ଟ କଚେରୀ ମାମଲା, ଶାରୀରିକ ନିର୍ଯ୍ୟାତନା ଓ ମାନସିକ କଷ୍ଟର। ମାଡ଼ ମାରିବା ପାଇଁ ଗୁଣ୍ଡା ଲଗାଇ ଆକ୍ରମଣ ହୋଇଥିଲା ଅନେକ ଥର। ଜୀବନରୁ ମାରିଦେବା ପାଇଁ ସେଦିନ ତ (୧୯୪୭ ଓ ୧୯୫୨) ବ୍ରହ୍ମପୁର ଓ କଟକ ଚଉଧୁରୀ ବଜାର ଅଞ୍ଚଳରେ ବ୍ୟବସାୟୀ ମାନେ ପଛେଇ ନଥିଲେ। ଏହି ଆକ୍ରମଣରେ ଆହତ ଗୋଦାବରୀଶ ମହାପାତ୍ର ଅବଶ୍ୟ ଓଡ଼ିଶା ହାଇକୋର୍ଟରୁ ନ୍ୟାୟ ପାଇଥିଲେ ବିଚାର ମାଧ୍ୟମରେ।

ଗୋଦାବରୀଶଙ୍କ ଶିକ୍ଷକମାନେ ଥିଲେ ଉଗ୍ର ଜାତୀୟବାଦୀ। ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ସେ। ଏଣୁ ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଥିଲେ ୧୯୨୧ ମସିହାରେ। ପରେ ପରେ ଆରମ୍ଭ ହୋଇଥିଲା ସାହିତ୍ୟିକ ଜୀବନ।

ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ଶିଶୁ ସାହିତ୍ୟିକ, ସମାଲୋଚକ, ସାମ୍ବାଦିକ, ରାଜନୈତିକ ନେତା, ବ୍ୟଙ୍ଗାତ୍ମକ ରଚନାର ସଫଳ ସ୍ରଷ୍ଟା, ଗୋଦାବରୀଶ ମହାପାତ୍ର। କାବ୍ୟକବିତା ମଧ୍ୟରେ ‘ବାଣପୁର’, ‘ପ୍ରଭାତ କୁସୁମ’, ‘ଆତ୍ମବଳୀ’, ‘ଯେ ଫୁଲ ଫୁଟିଥିଲା’, ‘ପାହାଚ ତଳର ଘାସ’ ଇତ୍ୟାଦି। ବ୍ୟଙ୍ଗକବିତା ମଧ୍ୟରେ ‘ହେ ମୋର କଲମ, ବଙ୍କାସିଧା, ହାଣ୍ଡିଶାଳରେ ବିପ୍ଳବ,’ ଗଦ୍ୟ ସାହିତ୍ୟରେ ‘ଏବେ ମଧ୍ୟ ବଞ୍ଚିଛି’, ‘ନୀଳମାଷ୍ଟ୍ରାଣୀ’, ‘ଈଶ୍ବରଙ୍କ ପାଖକୁ ଚିଠି’, ‘ମାଟିର ମାୟା’, ‘ଗରିବର ଭଗବାନ’, ‘ମୁଁ ଦିନେ ମନ୍ତ୍ରୀ ଥିଲି’, ‘ହଠାତ୍ ଭାର୍ଯ୍ୟାଲାଭ’, ‘ତୀର୍ଥଯାତ୍ରା’ ଇତ୍ୟାଦି, ଉପନ୍ୟାସ ମଧ୍ୟରେ ‘ରାଜଦ୍ରୋହୀ’, ‘ବିଦ୍ରୋହ’, ‘ବୀରଯୁବକ’, ‘ବନ୍ଦୀର ମାୟା’ ଓ ଶିଶୁ ସାହିତ୍ୟ ମଧ୍ୟରେ ‘ଶିଶୁ କଥାମାଳା’, ‘ସହଜ କଥା’, ‘ମୋ ଖେଳ ସାଥି’, ‘କୁନିର ହାତୀ’, ‘ଠେକୁଆ ଭାଇ’, ‘ଟିକି ମହାଭାରତ’ ଇତ୍ୟାଦି ପ୍ରଧାନ। ନିଜର କୃତି “କଣ୍ଟାଫୁଲ ଓ ବଙ୍କାସିଧା” କବିତା ଗ୍ରନ୍ଥ ପାଇଁ ଉଭୟ ଓଡ଼ିଶା ସାହିତ୍ୟ ଏକାଡେମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ଵାରା ପୁରସ୍କୃତ।

ସମ୍ପାଦକ ଭାବେ ଦୈନିକ ଆଶା ଓ ଉତ୍କଳ ହିତୈଷିଣୀ ପତ୍ରିକାର ସହ ସମ୍ପାଦକ ଭାବେ ଓ ଅଗ୍ନିବର୍ଷୀ ‘ନିଆଁଖୁଣ୍ଟା ପତ୍ରିକା’ର ପ୍ରତିଷ୍ଠାତା ସମ୍ପାଦକ ଥିଲେ ଗୋଦାବରୀଶ ମହାପାତ୍ର । ସେ ଥିଲେ ଓଡ଼ିଆ ସାହିତ୍ୟର, ସଂସ୍କୃତିର, ଆମ ସମାଜର ରକ୍ଷକ। ରାଜନୀତି ଓ ପ୍ରକାଶନର ଦୋଷ ଦୁର୍ବଳତାକୁ ଆଧାର କରି ଜାତୀୟତାର ଭାବନା ସୃଷ୍ଟି କରିଥିବା ଏହି ସଂଗ୍ରାମୀ କେବେ ବି ଥକା ମାରି ବସିଯିବା ପାଇଁ ଭାବିନଥିଲେ। ସ୍ଵାଧୀନତାର ସ୍ଵାଦ ଚାଖିବାକୁ ଅନାଇଁ ରହିଥିବା ସାଧାରଣ ଜନତା ଏମିତି ସ୍ଵପ୍ନ ଦେଖିବାକୁ ପାଇଥିଲେ ମୁଷ୍ଟିମେୟ ନେତାଙ୍କ ସ୍ଵାର୍ଥପରତା, ନୀତିହୀନତା ସକାଶେ। ପୁଞ୍ଜି ବଢ଼ିବାକୁ ଲାଗିଥିଲା, ସମାଜ ମଧ୍ୟରେ ଯେଉଁ ତିମିରକୁ ସେଇ ତିମିରେ —

“ମହା ଉତ୍କଳେ ଗଡ଼ଜାତ ଥାନେ ହେଲାଣି ଏବେ ଠିଆ,
ପଚିଶଟି ରାଜା, ପଚିଶ ବିରଳା, ପଚିଶଟି ଯାଜୋଡିଆ,
ରାଜା ଗଲେ ଏବେ ପୁଞ୍ଜିପତିର କୁଞ୍ଜେ ବାଜିଲା ବୀଣା,
ରାଜନୀତି ହାଟ ବଜାରେ ଚାଲିବ ରାଜନୀତି ବିକା କିଣା।”

ସମ୍ପୂର୍ଣ୍ଣ ସୁସ୍ଥ ଓ କାର୍ଯ୍ୟକ୍ଷମ ଥାଇ ସେ ହଠାତ ଅସୁସ୍ଥ ହୋଇ ପଡିଲେ ୧୯୬୫ ମସିହା ନଭେମ୍ବର ମାସରେ। ଡାକ୍ତରମାନେ ସେବା ଶୁଶ୍ରୁଷା କଲେ।ଆଉ ଭଲ ହେଲେ ନାହିଁ ଗୋଦାବରୀଶ। ସେହି ମାସର ପଚିଶ ତାରିଖରେ ଚିର ବିଦାୟ ନେଇଗଲେ ଏହି ମହାନ୍ ମଣିଷ, ଓଡ଼ିଶା ମାଟିରୁ। କିନ୍ତୁ ପ୍ରକୃତରେ ବିଦାୟ ନେଇ ପାରିଲେ ନାହିଁ ଓଡ଼ିଆ ଭାଇଭଉଣୀମାନଙ୍କ ହୃଦୟରୁ। ସେ ଯଦି ବିଦାୟ ନେବେ, ଆମକୁ ଉଠାଇବ କିଏ ?

“ଦୁର୍ଗମ ଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି,
ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ  ପୁରବାସୀ
ପୃଥ୍ବୀ ବିଦାରି ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ,
ଖୋରଧାର ଶତ ସରଦାର ଶିର କର ଉନ୍ନତତର।
ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି
(ଉଠୁ)ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି”।

ନିର୍ବାପିତ ହୋଇଗଲା ସେ ସଳିତା। ଗଭୀର ଦେଶପ୍ରେମ, ସାଂସ୍କୃତିକ ଜାଗରଣ, ନିର୍ଭୀକ ଚିନ୍ତାଧାରା ଓ ମାନବିକତାର ଜୟଜୟକାରର ପ୍ରତିଧ୍ୱନୀ ଶୁଣିବାକୁ ମିଳୁଥିଲା ସେହି ମହାନ୍ ପ୍ରତିଭାଙ୍କ ଲେଖନୀରୁ। ସେଇ ଗୋଦାବରୀଶ ମହାପାତ୍ର ଥିଲେ ଯଥାର୍ଥରେ ସତ୍ୟବାଦୀ ଗୋଷ୍ଠୀର ଶେଷ ପ୍ରତିଧ୍ୱନି ବା ସତ୍ୟବାଦୀ କାବ୍ୟଚେତନାର ଶେଷଶିଖା।

ଆଧାର: ଆମେ ଓଡ଼ିଆ, ଶ୍ରୀ ନୃସିଂହ ଚରଣ ସାହୁ; ଶ୍ରୀ ସୁରେନ୍ଦ୍ର ମହାରଣା, ଓଡ଼ିଆ ସାହିତ୍ୟର ଇତିହାସ

Godabarisha Mohapatra Mahapatra Utha Kankala 

© Niranjan Sahu

Spread the love
admin

View Comments

  • ନିର୍ଭୀକ ନିରପେକ୍ଷ ଓ ମହାନ୍ ଆତ୍ମାଙ୍କୁ ଓଡ଼ିଆ ମାନଙ୍କ ତରଫରୁ ବିନମ୍ର ପ୍ରଣାମ ।

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago