ଲେଖା: ନିରଞ୍ଜନ ସାହୁ

“ମୁଁ ସଚି ରାଉତରାୟ
(ନୁହେଁ ଟାଗୋର ଅବା ଶେଲୀ)
ମୁଁ ଏ ମାଟିର ଧାରା
ଆଉ ଆକାଶର କବି।
କାମ ନୁହେଁ ମୋର ଖାଲି ଆଙ୍କିବା କାଗଜରେ ଛବି।

ପେଶାଦାର ଗାୟକ ମୁଁ ନୁହଁ
ତୁମେ ମୋର ଛପା ବହି ଯେତେବେଳେ ଛୁଅଁ
ଛୁଅଁ ନୂଆ ମଣିଷର ଛାତି ।
ତା’ର ପ୍ରତିଟି ଖବର
ରୂପ ପାଏ କବିତାରେ ମୋର ।
ମୁଁ ସଚି ରାଉତରାୟ ।”

ଆଧୁନିକ ଓଡ଼ିଆ କାବ୍ୟ ଜଗତରେ କବି ସଚି ରାଉତରାୟ ଏକ ଅବିସ୍ମରଣୀୟ ପ୍ରତିଭା। ୧୯୧୬ ସାଲ ମେ ମାସ ତେର ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଗାଁରେ ତାଙ୍କର ଜନ୍ମ। ଜନ୍ମ ସମୟରେ ଭାରତ ତଥା ଓଡ଼ିଶା ପାଇଁ ଥିଲା ଏକ ଘଡିସନ୍ଧିର ମୂହୁର୍ତ୍ତ। ସ୍ଵାଧୀନତା ଓ ଉତ୍କଳ ପ୍ରଦେଶ ଗଠନ ଥିଲା ସେ ସମୟରେ ଏକ ବିରାଟ ଆହ୍ବାନ।


ଓଡ଼ିଆ ସାହିତ୍ୟରେ ଆରମ୍ଭ ହୋଇଯାଇଥାଏ ‘ସତ୍ୟବାଦୀ ଯୁଗ’। ପରେ ପରେ ‘ସବୁଜ ସାହିତ୍ୟ’ ଚର୍ଚ୍ଚା ଜୋର ଧରିଥାଏ। ଏହି ସମୟରେ ପାରମ୍ପରିକ କାବ୍ୟ ଧାରାରେ କୁଠାରାଘାତ କରି ଏକ ନୂତନ କାବ୍ୟଧାରାର ପ୍ରବର୍ତ୍ତନ ହେଲା କବି ସଚ୍ଚି ରାଉତରାୟଙ୍କ କବିତାରେ। କାବ୍ୟର ଆତ୍ମିକ ଓ ଆଙ୍ଗିକ ଉଭୟ କ୍ଷେତ୍ରରେ ଏକ ନବଦିଗନ୍ତ ସୃଷ୍ଟି ହେଲା। ଅଳଙ୍କାର, ଶ୍ଳେଷ, ଛନ୍ଦ ପ୍ରଭୃତିରେ କାବ୍ୟସୁନ୍ଦରୀକୁ ସଜ୍ଜିତ ନ କରି ଶ୍ରୀ ସଚି ରାଉତରାୟ ଚିତ୍ରକଳ୍ପ, ମିଥ୍ ଓ ପ୍ରତୀକର ବ୍ୟବହାର କରି ରଚିଲେ ଅସୁମାରୀ କାବ୍ୟକବିତା। ତାଙ୍କ କବିତାର ପରିଚୟ ଦେବାକୁ ଯାଇ କହିଛନ୍ତି –
“କବିତା ନ ହେଉ ମୋର
ଏକ ଗଳବନ୍ଦ କୋଟ୍ ପରି
ଖାଲି ମୋର ଢାଙ୍କୁଣି ।
ଉଡିଯାଉ ଏଣେ ତେଣେ
ପବନରେ ତା ଯଥା ଏକ
ସଫେଦ ଉତ୍ତରୀ,
ଏକ ସ୍ଵାଧୀନ ନିଶାଣ ପରି
ହାଓ୍ଵାର ଲହରେ ।

“ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କବିତାକୁ ପ୍ରାୟ ପ୍ରୟୋଗବାଦୀ କବିତା ଭାବେ ସମାଲୋଚକମାନେ ସାବ୍ୟସ୍ତ କରିଛନ୍ତି।୧୯୫୦ ପୂର୍ବବର୍ତ୍ତୀ କବି ରାଉତରାୟଙ୍କ ଖଣ୍ଡକାବ୍ୟ ‘ଭାନୁମତୀର ଦେଶ’ରେ (୧୯୪୯) ଅନେକ ନୂଆ ନୂଆ ପରୀକ୍ଷା ଓ ପ୍ରୟୋଗ ହୋଇଥିବାରୁ ‘ପ୍ରୟୋଗବାଦୀ’ ସାହିତ୍ୟର ଭିତ୍ତି ହିଁ ସେହିଠାରେ ଆରମ୍ଭ ହେଲା। ଅତଏବ ଓଡ଼ିଆ ସାହିତ୍ୟରେ ପ୍ରୟୋଗାତ୍ମକ/ପ୍ରୟୋଗବାଦୀ ସାହିତ୍ୟର ଜନକ ବୋଲି ଶ୍ରୀ ସଚି ରାଉତରାୟଙ୍କୁ ଗ୍ରହଣ କରିଛନ୍ତି ସମାଲୋଚକଗଣ ।ଇଂରାଜୀ ସାହିତ୍ୟରେ T.E.Hulme, Ezra Pound ଆଦି କବିମାନଙ୍କ କବିତାରେ ଯେଉଁ ରୂପକଳ୍ପ ସମୃଦ୍ଧ କାବ୍ୟଶୈଳୀ ଆତ୍ମ ପ୍ରକାଶ କରିଥିଲା କବି ସଚି ରାଉତରାୟ ତାହାର ବ୍ୟାପକ ପ୍ରୟୋଗ କରି ଓଡ଼ିଆ କବିତାରେ ପ୍ରୟୋଗବାଦୀ ଧାରାର ବୀଜବପନ କରିଥିଲେ ବୋଲି କହିବାକୁ ହେବ। ଏହି ବିଶେଷ ଶୈଳୀରେ:

“ଓଟର ବଙ୍କା କୁଜ ପରି ଏଇସବୁ ଘୁମନ୍ତ ପାହାଡ଼
ଯେମିତି ଗୋଟାଏ ମସ୍ତ ବଡ଼ ପିଲିସଜ “
ବର୍ଷା ଛାଡ଼ି ଯାଇଥିଲା ବେଳେ ବେଳେ
ସଁବାଳୁଆର ଜୀର୍ଣ୍ଣ ଖୋସା ଭିତରୁ,
ଉଜ୍ଜ୍ୱଳ ପ୍ରଜାପତି ପରି
ମେଘର କୃଷ୍ଣ କୋଷରୁ ଲମ୍ବି ଆସୁଥିଲା
ଜ୍ଵଳନ୍ତ ଚନ୍ଦ୍ରର ତରବାରୀ ପୁଣି ଲୁଚି ଯାଉଥିଲା
କଳା ବଉଦର ଆଢୁଆଳରେ”

ଏହିପରି ନୂତନ ଓ ଉଦବୋଧନଶୀଳ ଚିତ୍ରକଳ୍ପରେ ତାଙ୍କର କାବ୍ୟ କବିତା ସମୃଦ୍ଧ। ଶ୍ରୀ ରାଉତରାୟ କେବଳ ଯେ ପ୍ରୟୋଗବାଦୀ କବିତାରେ ସମୃଦ୍ଧ କରିଛନ୍ତି ଓଡ଼ିଆ ସାହିତ୍ୟକୁ, କହିବା ନିହାତି ପକ୍ଷେ ଯୁକ୍ତିସମ୍ମତ ନୁହେଁ। ଅନେକ କାବ୍ୟ ସମ୍ଭାରରେ ଉତ୍କଳ ଭାରତୀଙ୍କୁ ଆହୁରି ସଜ୍ଜିତ କରି ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ରବୀନ୍ଦ୍ରନାଥ ଠାକୁରଙ୍କ କାବ୍ୟ ଚେତନାର ବହୁ ନିକଟବର୍ତ୍ତୀ ଥିଲେ ଏହି ପ୍ରଚଣ୍ଡ ପ୍ରତିଭା। ଉଦାହରଣ ସ୍ୱରୂପ –

“ତାହାରି ଫୁଲ ଶାଗୁଆ ଲତା
କଣ୍ଠେ ମୋର ଦେଲା ଯେ କଥା
ଆଖିରେ ଦେଲା ଚାହାଣୀ ନୂଆ
ଫଗୁଣ ଉଷା ପାହାନ୍ତି
ଝରଣା ତାର ଦେଲା ଯେ କବି,
ନୟନେ ଦେଲା ରୂପର ଛବି;
ବୁହାଇ ଦେଲା ସପନ ଢେଉ
ପଥର ବୁକେ ନିହାତି
ଛୋଟ ମୋର ଗାଁଟି ।”

ସଚି ରାଉତରାୟଙ୍କର ଅଜସ୍ରସ୍ରାବୀ ଲେଖନୀ ଓଡ଼ିଆ ସାହିତ୍ୟରେ ତାଙ୍କୁ ଜଣେ ଶ୍ରେଷ୍ଠ କବି ଓ ଲେଖକର ସମ୍ମାନ ଦେଇଛି । କବିତାରାଜିରେ ତାଙ୍କର ବିପ୍ଳବାତ୍ମକ ପ୍ରଗତିବାଦୀ ଚିନ୍ତାଧାରାର ସ୍ପଷ୍ଟ ପ୍ରତିଫଳନ ଲକ୍ଷ୍ୟ କରାଯାଏ । ସମସ୍ତ କବିତା ଗୁଡ଼ିକ ସଙ୍କଳିତ ହୋଇଛି ପାଥେୟ, ପଲ୍ଲିଶ୍ରୀ, ବାଜିରାଉତ, ପାଣ୍ଡୁଲିପି, ଅଭିଯାନ, ଭାନୁମତୀର ଦେଶ, ସ୍ଵାଗତ, କବିତା – ୧୯୬୨, ମାୟାକୋଭସ୍କି, କବିତା ସଂଗ୍ରହ, କବିତା – ୧୯୬୯, ଏସିଆର ସ୍ଵପ୍ନ, କବିତା – ୧୯୭୧, କବିତା – ୧୯୭୪, କବିତା – ୧୯୮୩, କବିତା – ୧୯୮୫, କବିତା-୧୯୮୭ ପ୍ରଭୃତି କବିତା ଗ୍ରନ୍ଥ ମାନଙ୍କରେ।


ସଚି ରାଉତରାୟଙ୍କ କବିତାର ଲକ୍ଷଣୀୟ ବୈଶିଷ୍ଟ୍ୟ ହେଉଛି, ଭାବର ସଂହତି, ଐତିହାସିକ ପୁରୋଦୃଷ୍ଟି, ପ୍ରଚଳିତ ସାମ୍ୟହୀନ ସାମାଜିକ ବ୍ୟବସ୍ଥା ବିରୋଧରେ ବିଷୋଦଗାର, ଶୋଣିତ ଓ ସର୍ବହରା ମଣିଷ ପାଇଁ ସମବେଦନା ପ୍ରଦର୍ଶନ । କବିତାରେ ନିଜର ଭାବକୁ ବାଗାଡମ୍ବର ଓ ବାକ୍ ବାହୁଲ୍ୟ ରୀତିରେ, ନୂତନ ଉପମା ଓ ରୂପକର ପ୍ରୟୋଗରେ, ବାଗ୍ ରୀତି ସହିତ କାବ୍ୟ ରୀତିର ଅପୂର୍ବ ସମନ୍ବୟ ସାଧନାରେ ପ୍ରକାଶ କରିବା ହିଁ ତାଙ୍କ କବିତା ମାନଙ୍କର ବିଶେଷତ୍ଵ, ଯାହା ଅନ୍ୟାନ୍ୟ କବିମାନଙ୍କ ରଚନାରେ ପରିଦୃଷ୍ଟ ହୁଏ ନାହିଁ।ଜଣେ ଯଶସ୍ଵୀ ଗାଳ୍ପିକ ସଚି ରାଉତରାୟ ଆନ୍ତର୍ଜାତିକ ସ୍ତରରେ ଖ୍ୟାତ । ମଶାଣି ଫୁଲ, ମାଟିର ତାଜ୍, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ ଇତ୍ୟାଦି ଗ୍ରନ୍ଥରେ ତାଙ୍କ କ୍ଷୁଦ୍ରଗଳ୍ପ ଗୁଡିକ ସଙ୍କଳିତ । ବଳିଷ୍ଠ ମାନବବାଦ ସହ ରୋମାଣ୍ଟିକ ଭାବଚେତନା ତାଙ୍କ ଗଳ୍ପ ମାନଙ୍କରେ ପରିଦୃଷ୍ଟ।  ଗଭୀର ଅଧ୍ୟୟନ ଓ ବୌଦ୍ଧିକ ଚିନ୍ତନର ସାର୍ଥକ ରୂପାୟନ ହେଉଛି ତାଙ୍କର ‘ସାହିତ୍ୟର ମୂଲ୍ୟବୋଧ’ ଓ ‘ଆଧୁନିକ ସମାଲୋଚନା’ ଗ୍ରନ୍ଥଦ୍ଵୟ, ଯେଉଁଥିରେ ସମାଜତାତ୍ତ୍ୱିକ, ନୃତାତ୍ତ୍ଵିକ, ସାଂସ୍କୃତିକ, ଧାର୍ମିକ, ସାହିତ୍ୟିକ ଓ ଭାଷାତାତ୍ତ୍ଵିକ ଦୃଷ୍ଟିକୋଣରୁ ରଚିତ ସମାଲୋଚନା ଗୁଡିକ ସ୍ଥାନିତ । ବଳିଷ୍ଠ ଗଦ୍ୟ ଶୈଳୀରେ ପୁଷ୍ଟ ଏହି ରଚନା ସମୂହ । ପୁନଶ୍ଚ ଆତ୍ମଜୀବନୀ ‘ଉତ୍ତର କକ୍ଷ’ ଓ ଉପନ୍ୟାସ ‘ଚିତ୍ରଗ୍ରୀବ’ ଓଡ଼ିଆ ସାହିତ୍ୟର ଏକ ସଫଳ ଓ ସ୍ଵତନ୍ତ୍ର କୃତି ।ସାହିତ୍ୟରେ ସାମଗ୍ରିକ କୃତି ପାଇଁ ଶ୍ରୀ ରାଉତରାୟ ସମ୍ମାନିତ ହୋଇଛନ୍ତି ‘ଜ୍ଞାନପୀଠ‘ ପୁରସ୍କାରରେ। ପାଠକ ମହଲରେ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ ଶ୍ରୀ ରାଉତରାୟଙ୍କର ଶୁଭ ଜନ୍ମଦିନ ଥିଲା ମଇ ମାସ ୧୩ ତାରିଖ ୧୯୧୬ ଏବଂ ଦେହାବସାନ ହୋଇଥିଲା ୨୦୦୪ ମସିହା ଅଗଷ୍ଟ ମାସ ୨୧ ତାରିଖରେ । ସେହି ଉତ୍ତୁଙ୍ଗ ସାହିତ୍ୟରଥୀଙ୍କ ସମ୍ପର୍କରେ ଆଲୋଚନା କରିବା ଏକ କଷ୍ଟକର ବ୍ୟାପାର ନିଶ୍ଚିତ। ତଥାପି ଏହି କ୍ଷୁଦ୍ର ଆଲୋଚନା ମାଧ୍ୟମରେ ‘ଅନ୍ତରଙ୍ଗ କଳିଙ୍ଗ’ ସମଗ୍ର ଓଡ଼ିଶାର ଜନସାଧାରଣଙ୍କ ସହ ସେହି ମହାନ୍ ପ୍ରତିଭାଙ୍କୁ ବାରମ୍ବାର ଦଣ୍ଡବତ ପ୍ରଣାମ ଜଣାଉଛି ।
Sachi Routray Sachidananda Routray Chhota Mora Gan Ti Matira Mahakabi Jnanapitha Award
© Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago