ଉପସ୍ଥାପନା: ନିରଞ୍ଜନ ସାହୁ

ସେ ଭୂମି ବୈଷ୍ଣବ କ୍ଷେତ୍ର। ପୂର୍ବ ଭାରତର ବୃନ୍ଦାବନ। ଶତାବ୍ଦୀ ଶତାବ୍ଦୀ ଧରି କଳ୍ପଦୃମ ସଦୃଶ ।ଐତିହାସିକ, ଭୌଗୋଳିକ, ପୌରାଣିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଏହି କ୍ଷେତ୍ର ରମ୍ୟ । ଏହାର ବ୍ୟାପକତା, ବିବିଧ ରୂପତା, ସମନ୍ଵୟତା, ଉଦାର ହୃଦୟତା, ପୌରାଣିକ ଭିତ୍ତି, ଭକ୍ତି ରସାପ୍ଳୁତ ପରିବେଶ ଅବର୍ଣ୍ଣନୀୟ । ଏ କ୍ଷେତ୍ର ରମଣୀୟ । ଭାଷା ବିନ୍ୟାସରେ କବିବର ପରିଚିତ କରେଇଲେ —
“ଉତ୍ତରେ ବଳାଙ୍ଗୀ, ମଧ୍ୟେ ଗଙ୍ଗାହାର,
               ଶୋଣ ଦକ୍ଷିଣେ
ଜଳବେଣୀ କର୍ଣ୍ଣେ,  କୁରଙ୍ଗୀ ନୟନ,
                ନୀଳିମା   ଜିଣେ ।”

ନଦୀତ୍ରୟର (ବଳାଙ୍ଗୀ, ଶୋଣ, ଗଙ୍ଗାହାର) ତ୍ରିକୋଣଭୂମିରେ ଅବସ୍ଥିତ ଏହି କ୍ଷେତ୍ର ସମୃଦ୍ଧିଶାଳୀ ଶସ୍ୟ କ୍ଷେତ୍ର ଓ ଗୋଚାରଣ ସ୍ଥଳୀ ଭାବରେ ସୁବିଦିତ । ଏକ ପ୍ରାଚୀନ କ୍ଷେତ୍ର ତଥା ଯୋଗୀଜନ ସେବ୍ୟ ପରମଧାମ । ଏହା ପଞ୍ଚତୀର୍ଥ । ପୁଣି ବହୁ ମନ୍ଦିର, ମଠ, ସାଂସ୍କୃତିକ ପୀଠରେ ଭରପୁର ଏହି ମର୍ଯ୍ୟାଦା ସମ୍ପନ୍ନ କ୍ଷେତ୍ର। ଏହାର ପ୍ରାଚୀନତା ତ ବୈଦିକ, ସତ୍ୟ, ତ୍ରେତୟା ଓ ଦ୍ଵାପର ଯୁଗୀୟ ପୋଥି ଇତ୍ୟାଦିରେ ପ୍ରମାଣିତ।

ଓଡ଼ିଶାର ଶିମିଳିପାଳ ପର୍ବତରୁ ଉତ୍ପନ୍ନ ହୋଇଥିବା ଏହି ତିନି ନଦୀ ଏଇ ରମ୍ୟକ୍ଷେତ୍ରରେ ମିଳିତ ହୋଇ ବୁଢ଼ାବଳଙ୍ଗ ନାମରେ ବିଦିତ ହେଲେ । ଅତଏବ ଏହି ମିଳନ ସ୍ଥଳୀ ତ୍ରିବେଣୀତୀର୍ଥ ଭାବେ ପୂଜିତ ହେଲା ଏବଂ ଦିବ୍ୟ ଦୃଷ୍ଟିରେ ହୋଇ ଉଠିଲା ପୂର୍ବାଞ୍ଚଳର ପ୍ରୟାଗକ୍ଷେତ୍ର। ବାରୁଣୀସ୍ନାନ କରି ହଜାର ହଜାର ଶ୍ରଦ୍ଧାଳୁ ନିଜକୁ ଶୁଚିମନ୍ତ କରିଥାନ୍ତି ଏହି ସଂଗମ ସ୍ଥଳରେ । ତ୍ରିବେଣୀ ସଙ୍ଗମରେ ପୂର୍ବପୁରୁଷଙ୍କର ଅସ୍ଥିବିସର୍ଜନ ଓ ପିଣ୍ଡଦାନ ପରମ୍ପରା ଅଦ୍ୟାବଧି ପ୍ରଚଳିତ ଏହି ପୁଣ୍ୟପୀଠରେ ।

ଯୋଗୀଜନ ସେବ୍ୟ ଏହି ପରମଧାମରେ ଅଧିଷ୍ଠିତ ଅଛନ୍ତି ଗର୍ଗେଶ୍ଵର ମହାଦେବ, ଦୁର୍ଗା, ତାରିଣୀ, ରାମଚଣ୍ଡୀ, ବହୁ ପ୍ରାଚୀନ ମଠ, ବ୍ରଜ ପୋଖରୀ, କୂଟ ପୋଖରୀ,  ପରମ ବୈଷ୍ଣବ ମାଧବେନ୍ଦ୍ର ପୁରୀଙ୍କ ସମାଧି, ପ୍ରଭୁ ରସିକାନନ୍ଦଙ୍କ ସମାଧି, ପ୍ରବାହିତ ହେଉଥିବା ଗଙ୍ଗାସମ ସପ୍ତଶିରା ନଦୀ। ଏହି ମନ୍ଦିର, ମଠ ଇତ୍ୟାଦି କିନ୍ତୁ ଗଢ଼ିଉଠିଛି ସମୟକ୍ରମେ ଏହି କ୍ଷେତ୍ରର ଅଧୀଶ୍ଵର ଗୋପୀନାଥଙ୍କୁ କେନ୍ଦ୍ର କରି।

ସବୁ ଦୃଷ୍ଟିରୁ ରମଣୀୟ ଏହି ପୀଠ। ତେଣୁ ‘ରେମୁଣା ‘! ତ୍ରେତୟାରେ ଶ୍ରୀରାମଙ୍କର ରମଣଲୀଳା ଏହି ସ୍ଥାନରେ ସଂଚାରିତ ହୋଇ ଥିବାରୁ ଏହା ‘ରେମୁଣା’, ଦ୍ଵାପରରେ ବୃନ୍ଦାବନର ରାସଲୀଳା ଗୋପୀନାଥଙ୍କ ନିଜ ଇଚ୍ଛାରେ କଳିଯୁଗରେ ରେମୁଣାରେ ଗୁପ୍ତ ପ୍ରବାହ ଧାରାରେ ସଂଚାରିତ  ହୋଇ ଅଚିନ୍ତ୍ୟ ଭେଦାଭେଦ ମତର ଦାର୍ଶନିକ ସ୍ଵରୂପରେ ପ୍ରକଟିତ ହୋଇଥିବାରୁ ଏହି ରେମୁଣା ହିଁ ଭାରତର ଗୁପ୍ତବୃନ୍ଦାବନ !

ବାଲେଶ୍ଵର ସହରର ପଶ୍ଚିମ ଦିଗରେ ‘ରେମୁଣା’ ବୈଦିକ ଯୁଗରୁ ଖ୍ୟାତ। ବେଦବିଦ୍ମମାନଙ୍କ ମତରେ ଓଡ଼ିଶାରେ (ପ୍ରାଚୀନ ) ଅଥର୍ବ ବେଦର ବହୁଳାଂଶ ରଚିତ। ରେମୁଣା ଅଞ୍ଚଳ ବହୁ ଅଥର୍ବ ବେଦୀ ବ୍ରାହ୍ମଣଙ୍କ ନିବାସ ସ୍ଥଳ । ଏହି ଅଞ୍ଚଳରୁ ଅଥର୍ବ ବେଦର ବହୁ ସଂଖ୍ୟାରେ ପୋଥି ଉଦ୍ଧାର କରାଯାଇଛି। ଯଜୁର୍ବେଦ କାଣ୍ୟ ଶାଖାର ଉତ୍ତରାର୍ଦ୍ଧର ସାୟଣ ଭାଷ୍ୟ ଭାରତର ଅନ୍ୟାନ୍ୟ ସ୍ଥାନରୁ ମିଳିନାହିଁ, କିନ୍ତୁ ଉତ୍ତର ଓଡ଼ିଶାର ଏହି ଅଞ୍ଚଳରୁ ମିଳିଅଛି । ତେଣୁ ପରବର୍ତ୍ତୀ କାଳରେ ପଣ୍ଡିତ ଚିନ୍ତାମଣି ମିଶ୍ର କର୍ତ୍ତୃକ ସଂପାଦନାରେ କାଶୀ  ବିଶ୍ଵବିଦ୍ୟାଳୟରୁ ପ୍ରକାଶିତ ହୋଇଛି ଏ ସମ୍ବନ୍ଧୀୟ ତଥ୍ୟ । ସୂଚିତ କରାଯାଇ ପାରେ ଯେ, ଶତାବ୍ଦୀ ଶତାବ୍ଦୀ ଧରି ‘ଗୋପାଳ ତାପିନୀ’ ର ସ୍ୱାଧ୍ୟାୟ, ବ୍ୟାଖ୍ୟା ଓ ବିଶ୍ଳେଷଣ ନିମିତ୍ତ ପ୍ରସିଦ୍ଧି ଲାଭ କରିଥିଲା  ରେମୁଣା ସମଗ୍ର ଭାରତରେ । ତେଣୁ ବୈଦିକ ଯୁଗରୁ ଏହା ବୋଧେ ସ୍ଥିରୀକୃତ ହୋଇଥିଲା ଯେ ‘ଅବତାର’ ଏ ଅଞ୍ଚଳରେ ଲୀଳା ଖେଳା ରଚିବେ ।
              
ଲୋକ ବିଶ୍ଵାସ ଓ ହିନ୍ଦୁମାନଙ୍କର ଭାବାବେଗ ଜନ୍ମ ଦେଇଛି ଅନେକ ଧର୍ମଭିତ୍ତିକ କିମ୍ବଦନ୍ତୀ, ଯାହା ପ୍ରମାଣସିଦ୍ଧ ନ ହେଲେ ମଧ୍ୟ ସର୍ବାଦୌ ଗୃହୀତ । ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ବନବାସ କାଳରେ ସୀତା ଓ ଲକ୍ଷ୍ମଣଙ୍କ ସହ ରେମୁଣାରେ ପଦାର୍ପଣ କଲେ। ରେମୁଣା ନିବାସ କାଳରେ ସୀତା ଋତୁମତି ହେଲେ। ଶୁଦ୍ଧ ସ୍ନାନ ନିମିତ୍ତ ଗଙ୍ଗାଜଳର ଆବଶ୍ୟକତା ଅନୁଭୂତ ହେଲା । ତେଣୁ ଭଗବାନ ଶ୍ରୀରାମ ସାୟକ ସନ୍ଧାନ କରି ଭଗବତୀ ଗଙ୍ଗାଙ୍କୁ ପାତାଳରୁ ଆଣିବାକୁ ପ୍ରୟାସ କଲେ , ଯାହା ଫଳରେ ଗଙ୍ଗା ‘ସପ୍ତଶିରା ନଦୀ’ ଭାବେ ଆବିର୍ଭାବ ହେଲେ ରେମୁଣାରେ । ଶ୍ରୀଗୋପୀନାଥ ମନ୍ଦିରର ଉତ୍ତରରେ ଏବେ ସ୍ଵଚ୍ଛ ଧାରାରେ ପ୍ରବାହିତ ସପ୍ତଶିରା ନଦୀ। ପବିତ୍ର ନଦୀ ସପ୍ତଶିରାର ଜଳରେ ଶୁଦ୍ଧ ସ୍ନାନ କଲେ ଜଗତଜନନୀ ମା ସୀତା । ଶୁଦ୍ଧ ସ୍ନାନ ପରେ ରାତ୍ରିକାଳରେ ଏହି ସ୍ଥାନରେ ଶ୍ରୀରାମ ସୀତାଙ୍କ ସହ ରମଣରେ ଲିପ୍ତ ରହିଥିବାରୁ ସେହି ରମଣସ୍ଥଳୀ ‘ରେମୁଣା’ ନାମରେ ଖ୍ୟାତ ବୋଲି କିମ୍ବଦନ୍ତୀ କୁହେ। କେତେକଙ୍କ ମତରେ ତ୍ରୈତୟା ଯୁଗରେ ଯେତେବେଳେ ଶ୍ରୀରାମ ରେମୁଣାରେ ପଦାର୍ପଣ କଲେ, ସେ ସମୟରେ ଏହି ନଦୀ ତ୍ରୟ ଶୋଣ, ଗଙ୍ଗାହର,ବଳଙ୍ଗ ର ଉତ୍ପତ୍ତି ହୋଇନଥିଲା , ତେଣୁ ପ୍ରଭୁ ଶ୍ରୀରାମ ସପ୍ତଶିରା ନଦୀ ସୃଷ୍ଟି କରାଇଥିଲେ।

ଆମର ଧର୍ମୀୟ ଭାବନାରେ ଏକଥା ସତ୍ୟ ଯେ ଅବତାରଙ୍କ ଧରାପୃଷ୍ଠରେ ଅବତରଣ ସହ ଲୀଳାଖେଳା ବିଧି ନିର୍ଦ୍ଦିଷ୍ଟ ଓ ବହୁ ପୂର୍ବରୁ ସ୍ଥିରୀକୃତ । ଗୋଟିଏ ଅବତାର ହିଁ ପରବର୍ତ୍ତୀ ଅବତାର ସମ୍ପର୍କରେ ସାମାନ୍ୟ ସୂଚନା ଦେଇଯାଇ ଥାଆନ୍ତି । ଅବତାର ମାନଙ୍କର ଏହି ପ୍ରକାର ଉଦଘୋଷଣ ଭାରତବର୍ଷର ବହୁ ପୋଥିପୁରାଣରେ ବର୍ଣ୍ଣିତ । ପରଂବ୍ରହ୍ମ ସଗୁଣ ସାକାର ଭାବରେ ଯେଉଁ ଲୀଳା ସଂରଚନା କରିବେ ତାହା ତାଙ୍କର ଇଛାଧୀନ। ସ୍ଵେଛାରେ ସେ ଦାରୁବ୍ରହ୍ମ ରୂପେ ଦିବ୍ୟ ନୀଳାଚଳଧାମରେ ମାନବୀୟ ଲୀଳା ପ୍ରଦର୍ଶନ କରି ନିଜର ମୂର୍ତ୍ତି ନିଜେ ନିର୍ମାଣ କରାଇଥିଲେ। ସେହିପରି  ସେ ରେମୁଣାଠାରେ ଆବିର୍ଭାବ ହେବାପାଇଁ ପୂର୍ବରୁ ନିର୍ଦ୍ଧାରଣ କରି ସାରିଥିଲେ । ଭକ୍ତବତ୍ସଳ ଭଗବାନ ଶ୍ରୀରାମ ରାମାବତାରରେ ସିଦ୍ଧାନ୍ତ ନେଇ ସାରିଥିଲେ ଯେ, ଦ୍ଵାପରରେ ତାଙ୍କର ପରବର୍ତ୍ତୀ ଅବତାର ସମୟରେ ଯେଉଁ ମୁନିଋଷିଗଣ ତାଙ୍କ ସହ  ରାସକ୍ରୀଡ଼ା ପାଇଁ ନିବେଦନ କରିଥିଲେ ସେହିମାନେ ପୁନର୍ଜନ୍ମ ପ୍ରାପ୍ତ ହୋଇ ଗୋପୀଭାବରେ କ୍ରୀଡ଼ା ରଚିବେ।

ଏହା ଥିଲା ପୂର୍ବ ନିର୍ଦ୍ଧାରିତ। ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ତାଙ୍କର ଚିତ୍ରକୂଟ ରହଣୀ ସମୟରେ ମା’ ସୀତାଙ୍କୁ ସୂଚନା ଦେଇ ସାରିଥିଲେ ଭଗବାନ ଶ୍ରୀଗୋପୀନାଥଙ୍କ ସମ୍ପର୍କରେ । ଏହି ଚିତ୍ରକୂଟ ଆଶ୍ରମରେ ନିବାସ କାଳରେ ଶରମୁନରେ ଗୋପୀନାଥଙ୍କ କମନୀୟ ମଣିବିଗ୍ରହ ଖୋଦନ କରି ସୀତାଙ୍କୁ ଦେଖାଇବା ସହ କହିଥିଲେ ଯେ ପରବର୍ତ୍ତୀ ଅବତାର ସମୟରେ ସେ ଏହି ରୂପ ଧାରଣ କରିବେ । ସେହି ଦିନଠାରୁ ଏହି ବିଗ୍ରହ ଚିତ୍ରକୂଟ ପର୍ବତରେ ଅଧିଷ୍ଠିତ ହେଲେ ପ୍ରାୟତଃ ୧୨୫୦ ଖ୍ରୀଷ୍ଟାବ୍ଦ (ଆନୁମାନିକ ) ପର୍ଯ୍ୟନ୍ତ ।

ଓଡ଼ିଶାରେ ଗଙ୍ଗବଂଶ ରାଜତ୍ଵ ଆରମ୍ଭ ହେବାର ଶହେ ବର୍ଷରୁ ଉର୍ଦ୍ଧ୍ବ କାଳ ପରେ ସମ୍ରାଟ ଭାବେ ସିଂହାସନ ଆରୋହଣ କଲେ ପ୍ରଥମ ନରସିଂହ ଦେବ । ଶୈବ ଉପାସକ ହେଲେ ମଧ୍ୟ ବୈଷ୍ଣବ ଉପାସନା ଓ ସୌର ଉପାସନାର ପରମ ହିତୈଷୀ ଥିଲେ ସମ୍ରାଟ। ଶ୍ରୀକ୍ଷେତ୍ର ଓ କୁର୍ମପାଟକ ସହ ଆତ୍ମିକ ସମ୍ପର୍କ ସ୍ଥାପନ କରି ଶୈବ, ବୈଷ୍ଣବ, ଜଗନ୍ନାଥ, ଶାକ୍ତ, ସୌର ଓ ଶାବର ମତ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ପୂର୍ବକ ତାଙ୍କର ମହତୀ ପ୍ରୟାସ ତାଙ୍କୁ ବିଭିନ୍ନ ମନ୍ଦିର ନିର୍ମାଣ ପାଇଁ ଖୋରାକ୍ ଯୋଗାଇ ଥିଲା । ମାଳବ ରାଜ୍ୟର ରାଜକନ୍ୟାଙ୍କୁ ବିବାହ ପରେ ଉତ୍ତର ଭାରତର କାଶୀ, ମଥୁରା, ବୃନ୍ଦାବନ, ହରିଦ୍ଵାର, ପ୍ରୟାଗ ପ୍ରଭୃତି ତୀର୍ଥସ୍ଥାନ ସହ ସମ୍ବନ୍ଧ ସ୍ଥାପନ ହେଲା ।

ଏକଦା ସସ୍ତ୍ରୀକ ମାଳବ ଯିବା ପଥରେ ଚିତ୍ରକୂଟ ଠାରେ ଶ୍ରୀରାମଙ୍କ ଦ୍ଵାରା ଖୋଦିତ ହୋଇଥିବା ଶ୍ରୀ ଗୋପୀନାଥ ମୂର୍ତ୍ତି ଦେଖି କୃତକୃତ୍ୟ ହୋଇ ଯାଇଥିଲେ । ଗୋପୀନାଥଙ୍କର ରମଣୀୟ, ଲୋଭନୀୟ ଓ ଆକର୍ଷଣୀୟ ମୂର୍ତ୍ତି ସମ୍ରାଟଙ୍କୁ ଆହ୍ଲାଦିତ କଲା। ଏହି କମନୀୟ ମଣିବିଗ୍ରହକୁ ଉତ୍କଳକୁ ଆଣିବା ପାଇଁ ମନ ଭିତରେ ସଂକଳ୍ପ ଜାଗରିତ ହେଲା।

ପରିଣତ ବୟସରେ ନରସିଂହ ଦେବ ଉତ୍କଳ ସିଂହାସନ ଆରୋହଣ କରିଥିଲେ । ଅଧିରୁଢ଼ ହେବାର ଅଳ୍ପ କେତେ ଦିନ ପରେ ବଙ୍ଗ ସହ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିଲା ସମ୍ରାଟଙ୍କୁ । ଏଥିପାଇଁ ବହୁ ସମୟ ଯୁଦ୍ଧରେ ଲିପ୍ତ ରହିବାକୁ ହେଲା । ବଙ୍ଗ ବିରୋଧରେ ଯୁଦ୍ଧ ପାଇଁ ସେ ରାଇବଣିଆ, ଅମର୍ଦା ମାଣିତ୍ରି ଦୁର୍ଗରେ ବହୁ ସୈନ୍ୟ ମହଯୁଦ କରି ନିଜେ ରେମୁଣାକୁ ଅସ୍ଥାୟୀ ଭାବେ ରାଜଧାନୀ କଲେ । ଗୋଟିଏ କ୍ଷୁଦ୍ର ରାଜପ୍ରାସାଦ ତିଆରି କରି ସେହିଠାରୁ ଯୁଦ୍ଧ ପରିଚାଳନା କରୁଥିଲେ। ତେଣୁ ରେମୁଣାର ନାଁ ରେମୁଣା କଟକ ଭାବେ ପରିଚିତ ହେଲା । ଏବେ ସେହି କ୍ଷୁଦ୍ର ରାଜପ୍ରାସାଦର ଅସ୍ତିତ୍ବ ନାହିଁ, କିନ୍ତୁ ସ୍ମାରକୀ ରୂପେ କୂଟ ପୋଖରୀ (ରାଣୀଙ୍କ କୀର୍ତ୍ତି ) ଅଛି।

ସେହି ରେମୁଣା କଟକରେ ରହି ସମ୍ରାଟ ଦୁଇ ଥର ବଙ୍ଗ ଜୟ କଲେ । ଫଳତଃ ରେମୁଣା ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ରହଣୀ କାଳରେ ପ୍ରତ୍ୟହ ସନ୍ଧ୍ୟାରେ ନରସିଂହ ଦେବ  ଅଥର୍ବ ବେଦୀ ପିପଳାଦ ବ୍ରାହ୍ମଣ ମାନଙ୍କଠାରୁ ରାଜପ୍ରାସାଦରେ ‘ଗୋପାଳ ତାପିନୀ’ ଶ୍ରବଣ କରୁଥିଲେ । ଏହି ତାପିନୀ ପାଠ ଓ  ବ୍ୟାଖ୍ୟା ରାଜାଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲା ଏବଂ ସେ ନିଜକୁ ଗୋପାଳ ମୂର୍ତ୍ତି ଉପାସନା,  ଗୋବିନ୍ଦ, ଗାନ୍ଧର୍ବୀ ଗୋପୀ ତଥା ଗୋପଗୋପୀ ପରିବୃତ୍ତ ଗୋପୀନାଥ  ଚରିତରେ ନିମଜ୍ଜିତ କରିଦେଉଥିଲେ ।

ବଙ୍ଗବିଜୟ ପରେ ନରସିଂହ ଦେବ ମହାରାଣୀ ସୀତା ଦେବୀଙ୍କୁ ସାଥିରେ ଧରି ତୀର୍ଥାଟନରେ ବାହାରିଲେ ଚିତ୍ରକୂଟ ଅଭିମୁଖେ । ତ୍ରେତୟା ଯୁଗରୁ ଆରାଧିତ ହେଉଥିବା ଗୋପୀନାଥଙ୍କୁ ଦର୍ଶନ କରି ସେହିଠାରେ ରାତ୍ରି ଯାପନ କଲେ । ନିଶାର୍ଦ୍ଧରେ ସ୍ଵପ୍ନାଦେଶ ହେଲା – “ହେ ରାଜନ୍ ! ମୋତେ ତୁମ ରାଜ୍ୟର ଏକ ରମଣୀୟ ସ୍ଥାନରେ ରଖି ପୂଜା କରାଇବାର ବନ୍ଦୋବସ୍ତ କର” ।

ସ୍ଵପ୍ନାଦେଶ ପାଇ ରାଜା ଦକ୍ଷିଣର କୂର୍ମପାଟକର ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରି ସଂକୀର୍ତ୍ତନ ସହ ମହାସମାରୋହରେ ଗୋପୀନାଥଙ୍କୁ ଉତ୍କଳକୁ ଆଣିଲେ । ରେମୁଣାର ମହିମା ରାଜା ପୂର୍ବରୁ ଜାଣିଥିଲେ ଏବଂ ସେହି ଅଞ୍ଚଳରେ ଗୋପୀନାଥ ମୂର୍ତ୍ତିପୂଜାର ମୌଳିକ ଶାସ୍ତ୍ର ଗୋପାଳ ତାପିନୀ ପ୍ରଭାବ ଭଲଭାବରେ ହୃଦୟଙ୍ଗମ କରିଥିଲେ। ତେଣୁ ରେମୁଣା ଠାରେ ପହଞ୍ଚି ସଂକୀର୍ତ୍ତନ ମଣ୍ଡଳୀ ସହ ରାତ୍ରିଯାପନ କରିବାପାଇଁ ସ୍ଥିର ହେଲା । ସେହି ରାତିରେ ସ୍ଵପ୍ନାଦେଶ ଦେଇ ପ୍ରଭୁ ଗୋପୀନାଥ ଏହି ସ୍ଥାନରେ ବିରାଜମାନ କରିବାକୁ ଇଚ୍ଛା ପ୍ରକଟ କଲେ ।

ସ୍ଵପ୍ନାଦେଶ ପରେ ରାଜା ନିର୍ମାଣକଲେ ଏକ ଷାଠିଏ ଫୁଟ ଉଚ୍ଚତାର ଦେଉଳ । ବେଦଜ୍ଞ ବ୍ରାହ୍ମଣ ଏବଂ ସାଧୁସନ୍ଥଙ୍କୁ ନିମନ୍ତ୍ରଣପୂର୍ବକ ମହାସମାରୋହରେ ମନ୍ଦିର ପ୍ରତିଷ୍ଠା ହୋଇ ବିଜେକଲେ ଶ୍ରୀଗୋପୀନାଥ ।

ବଂଶୀଧାରଣ ପୂର୍ବକ ନଟବର ବେଶରେ ଛନ୍ଦା ଚରଣରେ ଦଣ୍ଡାୟମାନ କମନୀୟ ମୂର୍ତ୍ତି। ଅପୂର୍ବ କଳାକୃତି। ଏ ଯେ ସ୍ଵୟଂ ନାରାୟଣଙ୍କ ଦ୍ଵାରା ଖୋଦିତ ନିଜର ମୂର୍ତ୍ତି ! ମସ୍ତକରେ ଅନନ୍ତ ଓ ଜମ୍ବୁଫଳ ଭୂଷିତ । ଉପରି ଭାଗରେ ମୁଷ୍ଟିକ ଓ ଚାଣୁର ସହିତ ମଲ୍ଲଯୁଦ୍ଧର ଦୃଶ୍ୟ, ପାଦଦେଶରେ ଚାରିସଖାଙ୍କ ସହ ଧେନୁପଲ ଓ ଅଷ୍ଟସଖି ବିରାଜିତା । ଦୁଇପାର୍ଶ୍ଵରେ ଗୋବିନ୍ଦ ଓ ଗୋପାଳ ।


ସେହିଦିନ ଠାରୁ ଗୋପୀନାଥଙ୍କ ନିତ୍ୟ ନୈମିତ୍ତିକ ପୂଜା ପାଇଁ ନରସିଂହ ଦେବ ବାରଶ ଏକର ନିଷ୍କର ଭୂମି ଖଞ୍ଜା କରିଥିଲେ। ପ୍ରତ୍ୟହ ଜୟମଙ୍ଗଳ ଆଳତି ପରେ ଗୋପୀନାଥ, ଗୋବିନ୍ଦ ଓ ଗୋପାଳଙ୍କୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଏ ଏବଂ ଦିନସାରା ନୀତି ଚାଲୁ ରହେ । କିନ୍ତୁ ବିଚିତ୍ର ବିଧାନ ବିଧିର। ୧୫୬୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ର ଆକ୍ରମଣ ହେଲା ମନ୍ଦିର ଉପରେ ଏବଂ ମନ୍ଦିରର ଉପରିଭାଗ ଭାଙ୍ଗିଗଲା । ଭୟରେ ସେବକମାନେ ଗୋପୀନାଥ, ଗୋପାଳ ଓ ଗୋବିନ୍ଦଙ୍କ ମୂର୍ତ୍ତି ମାନଙ୍କୁ ନେଇ ନିକଟସ୍ଥ ଅନନ୍ତ ସାଗର ପୁଷ୍କରିଣୀରେ ଲୁଚାଇ ରଖି ଦେଲେ । କଳାପାହାଡ଼ ନଜରରେ ମନ୍ଦିରର ଅନ୍ୟ ଏକ ପାର୍ଶ୍ଵରେ ପୂଜା ପାଉଥିବା ଅନନ୍ତ ବାସୁଦେବ ମୂର୍ତ୍ତି ଉପରେ ପଡ଼ିଲା । ସେ ସେହି ମୂର୍ତ୍ତିଙ୍କୁ ନେଇ ଭାଙ୍ଗି ଦୁଇ ଫାଳ କରିଦେଲା । ସେହି ଭଗ୍ନ ବିଗ୍ରହ ଏବେ ନିକଟସ୍ଥ ମହାଦେବ ମନ୍ଦିରରେ ସ୍ଥାପିତ। କଳାପାହାଡ଼ ଆକ୍ରମଣର କିଛି ଦିନ ପରେ ପରମ ବୈଷ୍ଣବ ଶ୍ୟାମାନନ୍ଦ ଗୋପୀନାଥ, ଗୋବିନ୍ଦ ଓ ଗୋପାଳଙ୍କ ମୂର୍ତ୍ତି ପୋଖରୀରୁ ଉଦ୍ଧାର କରାଇ ମନ୍ଦିରରେ ପୁନଃ ପ୍ରତିଷ୍ଠା କରାଇଥିଲେ । ଶ୍ରୀ ଶ୍ୟାମାନନ୍ଦ ପ୍ରଭୁଙ୍କ ତିରୋଧାନ ପରେ ତାଙ୍କର ପ୍ରିୟ ଶିଷ୍ୟ ଶ୍ରୀ ରସିକାନନ୍ଦ ଦେବ ମୟୁରଭଞ୍ଜ ମହାରାଜାଙ୍କ ଦ୍ଵାରା ଏହି ଭଗ୍ନ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ଶେଷ କରାଇଥିଲେ ।

କେତେକ ଗବେଷକ ମତ ଦିଅନ୍ତି ଯେ, ଗୋବିନ୍ଦ ଓ ଗୋପାଳ ମୂର୍ତ୍ତି ପୋଖରୀରୁ ଉଦ୍ଧାର କରି ନହେବା କାରଣରୁ ଶ୍ରୀରସିକାନନ୍ଦ ଦେବ ସିଂହାସନରେ ପ୍ରଭୁ ଶ୍ରୀଗୋପୀନାଥଙ୍କ ଡାହାଣରେ ମଦନମୋହନ ଓ ବାମରେ ଗୋବିନ୍ଦଙ୍କୁ ବିଜେ କରାଇଥିଲେ, ଯାହାକୁ ତିହିଡ଼ିର ସାମନ୍ତ ରାଜା ପ୍ରଦାନ କରିଥିଲେ । ୧୬୨୫ ଖ୍ରୀଷ୍ଟାବ୍ଦ ଦୋଳ ପୂର୍ଣ୍ଣିମା ଦିନ ରସିକାନନ୍ଦଙ୍କ ଦ୍ଵାରା ମନ୍ଦିରରେ ବିଗ୍ରହମାନଙ୍କ ପୁନଃ ପ୍ରତିଷ୍ଠା ସହ ମନ୍ଦିରର ପୁନଃ ପ୍ରତିଷ୍ଠା ମହାସମାରୋହ ସହକାରେ ଅନୁଷ୍ଠିତ ହେଲା ।

ମାଧବେନ୍ଦ୍ର ପୁରୀ ନାମରେ ଥିଲେ ଜଣେ ପରମ ବୈଷ୍ଣବ । ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଆସୁଥିଲେ  ରେମୁଣା। ଗୋପୀନାଥଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ ହୋଇ ପହଞ୍ଚି ଗଲେ ରେମୁଣାରେ। ଦିନ ତମାମ ଗୋପୀନାଥଙ୍କ ଦର୍ଶନ କରି କୃତକୃତ୍ୟ ହୋଇ ତାଙ୍କର ଲାଳସା ବଢ଼ିଲା ଅମୃତକେଳି ଭୋଗ ଖାଇବାକୁ । ସେବକଙ୍କ ନିକଟରେ ଗୁହାରି କଲେ ଏଥିପାଇଁ, ତାହା କିନ୍ତୁ ପ୍ରତ୍ୟାଖ୍ୟାନ ହୋଇଗଲା । ମନଦୁଃଖରେ ନିଜ ଆଶ୍ରୟସ୍ଥଳୀରେ ଗୋପୀନାଥଙ୍କୁ ସ୍ମରଣ କରି ଶୋଇଗଲେ । ମଝିରେ ନିଦରୁ ଉଠି ଦେଖିବାକୁ ପାଇଲେ ଏକ ମାଟିହାଣ୍ଡି, ଯାହା ମଧ୍ୟରୁ ଅପୂର୍ବ ବାସ୍ନା ଆସୁଥିଲା । ପ୍ରଭୁଙ୍କୁ ସ୍ମରଣ କରି ଦେଖନ୍ତି ଯେ, ସେହି କୁଡୁଆ ମଧ୍ୟରେ ରହିଛି ଅମୃତକେଳି ଭୋଗ । ଏହାକୁ ଭଗବାନଙ୍କ ପ୍ରେରିତ ଭାବି ଆନନ୍ଦ ମନରେ ସେବନ କଲେ । ସକାଳୁ ସେବକମାନେ ଦେଖିବାକୁ ପାଇଲେ ଯେ ଗତ ରାତିରେ ଭୋଗ ହୋଇଥିବା ଛ’ଟି କୁଡୁଆ ମଧ୍ୟରୁ ଗୋଟିଏ ନାହିଁ ଏବଂ ଗୋପୀନାଥଙ୍କ ସିଂହାସନ ପାଖରୁ ଯିବା ଆସିବା ହୋଇଥିବା ଛୋଟ ଛୋଟ ପାଦ ଚିହ୍ନର ସଙ୍କେତ ଦୃଶ୍ୟମାନ ହେଲା। ସେମାନଙ୍କ ମଧ୍ୟରୁ ଜଣେ ଯାଇ ପହଞ୍ଚିଲେ ମାଧବେନ୍ଦ୍ର ପୁରୀଙ୍କ ଆଶ୍ରୟସ୍ଥଳୀ ନିକଟରେ । ଗତକାଲି ରାତିରେ ଘଟିଥିବା କଥା ମାଧବେନ୍ଦ୍ରଙ୍କ ଠାରୁ ଶୁଣିବା, ଅମୃତ କେଳି ଚୋରି କରିବା ଏବଂ ଛୋଟ ଛୋଟ ପାଦ ଚିହ୍ନର ସଙ୍କେତ ଉପରେ ଆଲୋଚନା କରି ସେବକଗଣ ଜାଣିଗଲେ ଯେ ଭକ୍ତ ବତ୍ସଳ ଗୋପୀନାଥଙ୍କ ଏହି ଲୀଳା ସଂରଚନା କରିଛନ୍ତି ଭକ୍ତର ମନୋବାଞ୍ଛା ପୂରଣ କରିବା ପାଇଁ । ଏବଂ ଏହି ଘଟଣା ପରେ ଗୋପୀନାଥ ହୋଇଗଲେ କ୍ଷୀରଚୋରା ଗୋପୀନାଥ !

୧୫୧୦ ଖ୍ରୀଷ୍ଟାବ୍ଦରେ ଶ୍ରୀମାନ୍ ଗୌରାଙ୍ଗ ମହାପ୍ରଭୁ ରେମୁଣାରେ ପଦାର୍ପଣ ପୂର୍ବକ  ଗୋପୀନାଥଙ୍କ ଦର୍ଶନ କରି ବଡ଼ଦାଣ୍ଡରେ ନାଚି ନାଚି ସଂକୀର୍ତ୍ତନ କଲେ ଓ ପ୍ରେମରସରେ ଅବଗାହନ କରି ବାରମ୍ବାର ମୂର୍ଚ୍ଛା ଯାଇଥିଲେ। ସେହିଦିନ ଠାରୁ ଏହି ଦାଣ୍ଡ ପରିଚିତ ହେଲା ଗୌରଦାଣ୍ଡ ନାମରେ । ପରବର୍ତ୍ତୀ କାଳରେ ବହୁ ପଣ୍ଡିତ, ସାଧୁସନ୍ଥମାନେ ଏଠାରେ ପହଞ୍ଚି କ୍ଷୀରଚୋରା ଗୋପୀନାଥଙ୍କ ଦର୍ଶନ କରି ଧନ୍ୟ ହୋଇଥାଆନ୍ତି। ତ୍ରିଭଙ୍ଗୀ ଠାଣିରେ ମୂରଲୀଧର ଏହି ଗୁପ୍ତ ବୃନ୍ଦାବନରେ ନିତ୍ୟ ଲୀଳା ଖେଳା କରି ଜନମନ ହରଣ କରୁଛନ୍ତି।

ରେମୁଣା ଓଡ଼ିଶାର ଗୌରବ ଏବଂ ହିନ୍ଦୁ ମାନଙ୍କର ପବିତ୍ର ତୀର୍ଥସ୍ଥଳୀ । ଏବେ ମଧ୍ୟ ବିରାଜମାନ କରୁଛନ୍ତି ବୃନ୍ଦାବନର ବାଳକ ଶ୍ରୀଗୋପୀନାଥ ନିଜର ସଖା, ଧେନୁପଲ, ଅଷ୍ଟସଖି ମାନଙ୍କ ସହ ଏହି କ୍ଷେତ୍ରରେ । ଏଯାବତ୍ ଶ୍ରୀରାଧା ସ୍ଥାନିତ ହୋଇନାହାନ୍ତି ଗୋପୀନାଥଙ୍କ ନିକଟରେ । ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଖୋଦିତ ମୂର୍ତ୍ତି ଇଛାନୁସାରେ ପ୍ରକଟିତ ହୋଇଛନ୍ତି ରେମୁଣା କ୍ଷେତ୍ରରେ ଯାହା ପାଇଛି ଗୁପ୍ତ ବୃନ୍ଦାବନ ମାନ୍ୟତା ସମଗ୍ର ଦେଶରେ ।

ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପ୍ରଣୀତ ତିନୋଟି ପ୍ରବନ୍ଧ ଛାୟାରେ ଲିଖିତ ।

Remuna Khirachora Gopinatha Temple

Niranjan Sahu

Spread the love
admin

View Comments

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago