~ ନାରାୟଣ ପ୍ରସାଦ ସିଂହ ~

ଲେଖା: ଅମୃତେଶ ଖଟୁଆ

ସୁରଜଗତର ରସରାଜ ନାରାୟଣ ପ୍ରସାଦ ସିଂହ !

ସଂସ୍କୃତରେ ଗୋଟିଏ ସୁନ୍ଦର ଧାଡିଟିଏ ଅଛି –
“ଏକଶବ୍ଦଃ ସୁଜ୍ଞାତଃ ସୁପ୍ରଯୁକ୍ତଃ ସ୍ଵର୍ଗଲୋକେ କାମଧୃଗ୍-ଭବତି।”

ଏକ ଶବ୍ଦକୁ ଯଦି ସୁନ୍ଦର ଭାବରେ ଅନୁଭୂତିରେ ଅବଗାହନ କରାଯାଇ ଯଦି ତାହାକୁ ରସସିକ୍ତ କରି ପ୍ରୟୋଗ କରାଯାଏ, ତାହା ସ୍ଵର୍ଗଲୋକରେ ଦେବତାର ସ୍ଵରୂପ ପ୍ରଦାନ କରିବାରେ ସକ୍ଷମ ହେଇଥାଏ। ଆମ ଓଡ଼ିଆ ସଂଗୀତ ଜଗତର ‘ରସରାଜ’ଙ୍କ ସହ ଏହାର ରହସ୍ୟ ବଡ଼ ନିବିଡ଼! ତାଙ୍କ ଗୀତର ସ୍ଵର ଓ ଶବ୍ଦର ଝଙ୍କାରରେ ଓଡ଼ିଆର ପ୍ରାଣ ପୁଲକିତ ହେଇ ଉଠେ ପ୍ରତ୍ୟହ! ଆଜି ବି ତାଙ୍କ ଗୀତ ମନେ ପଡେ ‘ମରମର ଅତୀତରେ’ ଆଉ ‘କଳିକାଳର ରୀତି’ ରେ! ରସରାଜ ନାରାୟଣ ପ୍ରସାଦ ସିଂହ!

ଓଡ଼ିଆ ଚଳଚ୍ଚିତ୍ରର ସବୁଜଧାରାରେ ସିଏ ଥିଲେ ଓଡ଼ିଆମାନଙ୍କର ପ୍ରାଣବନ୍ଧୁ ପରି, ଗୀତରେ ଥିଲେ ସେ ସ୍ଵରମାନ୍ତ୍ରିକ – ଯାହାଙ୍କ ୭୦ ଦଶନ୍ଧିର ଗୀତ ଆଜି ସତରେ ଝନତ୍କାରିତ ହୁଏ। ଜୀବନର ହସକାନ୍ଦ ସେଠି ନଥାଏ, କେବଳ ଥାଏ ସ୍ମିତହାସ୍ୟ ପରି ଗୋଟିଏ ନିର୍ମଳ ବିହ୍ବଳତା ଆଉ ସାଥିରେ ଧରିଥିବା ଜୀବନର ଭାଷା!

ରସରାଜ୍‌ ନାରାୟଣ ପ୍ରସାଦ ସିଂହଙ୍କ ଜନ୍ମ ହୁଏ କଟକ ଜିଲ୍ଲା ଅସୁରେଶ୍ୱର ନିକଟବର୍ତ୍ତୀ କୋଇଲ ଗ୍ରାମରେ ୧୯୩୩ ମସିହା ମଇ ୨୮ରେ । ଶୈଶବ ଅବସ୍ଥାରେ ପିତା ବିହାରୀଲାଲ ସିଂହଙ୍କୁ ସେ ହରେଇଥିଲେ। ତାଙ୍କ ମାତା ଥିଲେ ସରୋଜିନୀ ଦେବୀ। ଅସୁରେଶ୍ୱର ହାଇସ୍କୁଲ୍‍ ରେ ପଢ଼ୁଥିବାବେଳେ କବିତା ଲେଖିିବା ଆରମ୍ଭ କରି ଦେଇଥିଲେ ।

ସ୍କୁଲ୍‍ର ବାର୍ଷିକ ମୁଖପତ୍ରରେ ତାଙ୍କର ପ୍ରଥମ କବିତା ‘କାମିନୀ କହେ ଚମ୍ପାରେ, ନାହିଁ ତୋର ଅନୁକମ୍ପାରେ’ ତାଙ୍କ ସାହିତ୍ୟ ଶିକ୍ଷକ ଗୋଲୋକ ଚନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରେ। ତାଙ୍କରି ଠାରୁ ଉତ୍ସାହ ଘେନା କରି ଅଷ୍ଟମ ଶ୍ରେଣୀ ପଢିବା ବେଳେ କବିତା ଲେଖା ଆରମ୍ଭ କରିଥିଲେ। (ଉଲ୍ଲେଖଯୋଗ୍ୟ ଯେ, ଗୋଲୋକ ଚନ୍ଦ୍ର ପ୍ରଧାନଙ୍କୁ ସେତେବେଳେ ‘ଦ୍ଵିତୀୟ ଭଞ୍ଜ’ ରୂପେ ଆଖ୍ୟାୟିତ କରାଯାଇଥିଲା। )

୧୯୫୫ ମସିହାରେ ତାଙ୍କର ସେହି ‘କାମିନି କହେ ଚମ୍ପାରେ…” ଗୀତଟି ଆକାଶବାଣୀରେ ପ୍ରସାରିତ ହୋଇଥିଲା। ଏହା ପରବର୍ତ୍ତୀ କାଳ ତାଙ୍କ କବିତା ଓ ରଚନା ଅନେକ ପତ୍ର ପତ୍ରିକାରେ ଛପା ହୋଇ ପ୍ରକାଶ ଲାଭ କରିଥିଲା। ୧୯୪୯ରେ ସେ ସମସ୍ତ ଆନୁଷ୍ଠାନିକ ଶିକ୍ଷା ସମାପନ ଅନ୍ତେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗରୁ ଚାକିରି ଜୀବନ ଆରମ୍ଭ କରନ୍ତି।


‘ନବରବି’, ‘ଡଗର’, ‘ଆସନ୍ତା କାଲି’ ପ୍ରଭୃତି ପତ୍ରପତ୍ରିକାରେ ତାଙ୍କ ଗଳ୍ପ ଓ କବିତା ପ୍ରକାଶିତ ହୁଏ ! ତାଙ୍କୁ ସେତେବେଳେ ଆକାଶବାଣୀ କଟକର ସାହିତ୍ୟ ସଂସଦ କାର୍ଯ୍ୟକ୍ରମରେ କବିତା ପଢିବାର ସୁଯୋଗ ମିଳିଥିଲା। ଆଉ ତତ୍ ସଂଲଗ୍ନ, ସେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ସାହଚର୍ଯ୍ୟ ଲଭିଥିଲେ। ଏହି ଅଜସ୍ର ଗୀତିକବିତା ଲେଖିବାର ଧାରା ଦୀର୍ଘ ସାତ ଦଶନ୍ଧି ଧରି ଓଡ଼ିଆମାନଙ୍କୁ ବିମୋହିତ କରି ତାଙ୍କୁ ସ୍ନେହାସ୍ପଦ କରିଥିଲା !୧୯୬୦ ମସିହାରେ ସେ ଆକାଶବାଣୀ ଦ୍ଵାରା ଗୀତିକାର ରୂପେ ସ୍ଵୀକୃତି ଲଭି ତାଙ୍କ ଗୀତ ଗ୍ରାମୋଫୋନ୍ ରେକର୍ଡ, ଦୂରଦର୍ଶନ ବା ବେତାର ଭଳି ଅନେକ ମାଧ୍ଯମରେ ତାଙ୍କର ଗୀତ ଲୋକାଦୃତ ହୋଇଥିଲା। ୧୯୬୨ ମସିହାରେ ନାରାୟଣ ପ୍ରସାଦ ସିଂହ ପ୍ରଥମ କରି ‘ନୂଆବୋଉ’ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ। ପ୍ରଥମ ଗୀତଟି ଥିଲା –“ରଥ ଯାଆ, ଚାଲିଯାଆ, ଚକ ଗଡିଯାଆରେ,
ଆମେ ତ ଗଲୁରେ ଯାତକୁ ମଜାରେ ଦେଖିଲୁ ରଥ
ବାଟେ ଭେଟିଲୁ ପେଟୁ ବଇଦ ମୁଣ୍ଡେ ବୁଲାଇଲୁ ହାତ।”ସେହି କଣ୍ଠଶିଳ୍ପୀ ଥିଲେ ସ୍ଵୟଂପ୍ରଭା ମହାନ୍ତି। ଆଉ ଯିଏ ପେଟୁ ବଇଦ ଥିଲେ, ସିଏ ହେଲେ ଧୀର ବିଶ୍ଵାଳ। ସେତେବେଳେ ଏହି ଗୀତ ଲୋକମାନଙ୍କ ମଧ୍ୟରେ ଅସରନ୍ତି ପ୍ରସିଦ୍ଧି ଲାଭ କରେ! ଏପରିକି ଆଜି ବି ”ରଥ ଯା, ଚାଲିଯା…” ଗୀତିକାରଙ୍କ ଗହଣରୁ ଶୁଣିବାକୁ ମିଳୁଅଛି। ସଙ୍ଗୀତ ଦେଇଥିଲେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ! ବାଳକୃଷ୍ଣ ଦାଶ ହିଁ ନାରାୟଣ ପ୍ରସାଦଙ୍କୁ ‘ରସରାଜ’ ବୋଲି ସମ୍ବୋଧନ କରିଥିଲେ, ଆଉ ସେବେଠାରୁ ସିଏ ‘ରସରାଜ’ ନାରାୟଣ ପ୍ରସାଦ ସିଂହ !ଏହି ‘ନୂଆବୋଉ’ ଚଳଚ୍ଚିତ୍ରରେ ଆହୁରି ଲୋକାଦୃତ ଗୀତ ଥିଲା। କଣ୍ଠଶିଳ୍ପୀ ସିକନ୍ଦର ଆଲାମ୍ ଓ ସିପ୍ରା ବୋଷଙ୍କ କଣ୍ଠଦାନରେ ‘ଦିଲ୍ ଦେବି ଦିଲ୍ ଦେବି ଦିଲ୍ ଦେବିରେ, ବସାଇ ନେବି ତତେ ହଲର୍ ମନ୍ଦିରେ…” ମଧ୍ୟ ବହୁତ ପ୍ରସିଦ୍ଧ। ଦ୍ବିତୀୟ ଚଳଚ୍ଚିତ୍ର ‘ମାଣିକଯୋଡି’ ରେ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ତାଙ୍କର ଏହି ସବାରୀ ବାହାଘର ଗୀତଟି ମଧ୍ୟ ଶ୍ରୁତି-ଆହ୍ଲାଦପ୍ରଦ – “ହାକୁମ୍ ଦାବଲ୍, ହାକୁମ୍ ଦାବଲ୍, ନୂଆ ହୋଇ ବୋହୂଟିଏ ଯାଏ ବାପଘର . . .”।ତା’ ପରେ ତାଙ୍କର ‘ଜୀବନସାଥୀ’, ‘କିଏ କାହାର’, ‘ମଥୁରା ବିଜୟ’, ‘ନବଜନ୍ମ’, ‘ଅମଡାବାଟ’, ‘ଅଭିନେତ୍ରୀ’, ‘ଭାଇ ଭାଉଜ’, ‘ଅଦିନ ମେଘ’, ‘ସ୍ତ୍ରୀ’, ‘କସ୍ତୁରୀ’, ‘ଅଲିଭା ଦାଗ’, ‘ଜୟ ମା’ ମଙ୍ଗଳା’, ‘ଶଙ୍ଖମହୂରୀ’, ‘କୃଷ୍ଣ ସୁଦାମା’, ‘କାବେରୀ’, ‘ମନ ଆକାଶ’, ‘କନକ ଲତା’, ‘ଘର ସଂସାର’, ‘ଧରିତ୍ରୀ’, ‘ସୁବର୍ଣ୍ଣ ସୀତା’, ‘ରକ୍ତ ଗୋଲାପ’, ‘କୁଳ ଚନ୍ଦ୍ରମା’, ‘ସାକ୍ଷୀ ଗୋପୀନାଥ’ ଭଳି ଅନେକ ପ୍ରସିଦ୍ଧ ଚଳଚ୍ଚିତ୍ର ପାଇଁ ସେ ଅଜସ୍ର ଗୀତ ଲେଖି ଅହର୍ନିଶ ପ୍ରଥିତଯଶା ହେଇଯାଇଥିଲେ। ଏଥି ସହ ଆକାଶବାଣୀ ‘ସଜଫୁଲ’ କାର୍ଯ୍ୟକ୍ରମର ଏଭଳି ବହୁ ଲୋକପ୍ରିୟ ଗୀତର ଥିଲେ ସେ ରଚୟିତା !

‘କିଏ କାହାର’ (୧୯୬୮) ଚଳଚ୍ଚିତ୍ର ପାଇଁ ସେ ଯେଉଁ ପ୍ରସିଦ୍ଧ ଗୀତଟି ରଚନା କରିଥିଲେ, ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଓ ଗୀତର ଧାଡିରେ ତାହା ଶୋତ୍ରାଙ୍କୁ ପ୍ରଲୁବ୍ଧ କରିଥିଲା। ଗୀତଟି ଥିଲା –

“ଏ ତ କଳିକାଳ ରୀତି ବିପରୀତ ଭାଇରେ,
ଆଣୁ ରଣଚଣ୍ଡୀ ଘରେ ହାତ ଧରି ବାହା ହୋଇରେ…”

ଆଉ ଏହି ଗୀତର ମୁଖ୍ୟ କଳାକାର ଥିଲେ କିମ୍ଵଦନ୍ତୀ ନାୟକ, ଶରତ୍ ପୂଜାରୀ! ସେହିପରି ‘ଅମଡା ବାଟ’ ଚଳଚ୍ଚିତ୍ରରେ ତାଙ୍କ ‘ଜୀବନ ଯମୁନାରେ ଜୁଆର ଉଠେରେ, ନହୁଲି ବୟସୀ ସଖି ନୀଡ଼ ରଚିଯାଏ’ ଗୀତ ମଧ୍ୟ ଆଜି ବି ଲୋକମୁଖରେ ଚର୍ଚ୍ଚିତ। ଏହି ଗୀତଟିରେ ସେତେବେଳେ କଣ୍ଠଦାନ କରିଥିଲେ ନିର୍ମଳା ମିଶ୍ର। ସେହିପରି ତାଙ୍କର ଆଉ ଏକ ଗୀତ ‘ମମତା ମଧୁର ପ୍ରିୟଜନ…’ ମଧ୍ୟ ସଂଗୀତ ସୁଧାକରଙ୍କ କଣ୍ଠରେ ଆହୁରି ମୁଖରିତ ହୋଇଥିଲା !

“ପୀରତି ପୀରତି ଏ ଯେ ପୀରତି ମନ କିବା ଛପି ରହେ… “ ‘ଅଭିନେତ୍ରୀ’ ଚଳଚ୍ଚିତ୍ରର ‘ଆମେ ହସିବା ଆମେ ହସାଇ ଯିବା…”, “ମରମ ତଳେ ଅତୀତ ଯେ ମରେନା…. “, “ଜାଣେ ଜାଣେ ମୋ ରାଧିକା ମନ କାହିଁକି ହଜିଲା….”, “ଆହା ରୁହନା ରହିଯାଅନା… “, “ଅନେକ ଦିନ ପରେ ସେ ଦିନ ଆସେ…”, “କଇଁଚି କାକୁଡି ନଳିତା ପିତା…” ହେଉଛି ସମସ୍ତ ସୁପରହିଟ୍ ହୋଇଥିବା ଲୋକାଦୃତ ଗୀତ ସବୁ।

୧୯୬୯ ମସିହାରେ ‘ସ୍ତ୍ରୀ’ ଚଳଚ୍ଚିତ୍ରରେ ସଂଗୀତଜ୍ଞ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତରେ ରସରାଜଙ୍କ ‘ଉଦାସୀ ଆଖି ଚାହିଁ ରହେ….”, ପ୍ରଣବ ପଟ୍ଟନାୟକ ଓ ନିର୍ମଳା ମିଶ୍ରଙ୍କ କଣ୍ଠରେ “ତୁମ ବିନା ଏଇ ରାତି ଭଲ ଲାଗେନା….” ଆଜି ମଧ୍ୟ ଶତାଧିକ ପ୍ରାଣକୁ ଉନ୍ମାଦ ଓ ପୁଲକରେ ଭରିଦିଏ। ସେଥି ମଧ୍ୟରୁ କିଛିଟା ଗୀତ ଥିଲା ତାଙ୍କର କବିତା, ଯାହା କି ଗୀତର ମାଧୁରୀରେ ଆଉ ଏକ ରୂପରେ ମନ ମୋହିଥିଲା!

କେବଳ ସେତିକି ନୁହେଁ, ସାହିତ୍ୟରେ ମଧ୍ୟ ଥିଲା ଅଗାଧ ବ୍ଯୁତ୍ପତ୍ତି ଓ ରୁଚିକର ବହୁପାଠିତା। ‘ଦୁଇଟି ଆଖିର କବିତା’ ଥିଲା ତାଙ୍କର ପ୍ରଥମ କବିତା ସଙ୍କଳନ। ପୁରପଲ୍ଲୀରେ ତାଙ୍କ ଅସଂଖ୍ୟ ଗୀତିକାବ୍ଯ ରୋମାଞ୍ଚକାରୀ ଆଉ ମନର ସମସ୍ତ ଗ୍ଳାନି ମଧ୍ୟରେ ଅଲିଭା ଆହ୍ଲାଦ ହେଇ ଅମୃତ ବରଷେଇ ଦିଏ! ‘ବନ୍ଧୁଭରା ବସୁନ୍ଧରା’, ‘ଠିଆପୁଚି ନାରଙ୍ଗ’, ‘ରସରାଜ ଗୀତିମାନସ’, ‘ମେଘ ଫଗୁଣ ଗୀତି ଚଇତାଳ’, ‘ଚର୍ଚ୍ଚାର ଚୌହଦୀ’ ତାଙ୍କର କେତୋଟି ଉଲ୍ଲେଖଯୋଗ୍ୟ ସଙ୍କଳନ। ସେ ୨୦୦୩ ମସିହାରେ ‘ରସରାଜ ଗୀତିବିଚିତ୍ରା’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ।

୧୯୯୨ ମସିହାରେ ବାଳକୃଷ୍ଣ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ‘ରସରାଜ ସମ୍ମାନ’, ୨୦୦୦ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର , ୨୦୦୭ ମସିହାରେ ଶାରଳା ପୁରସ୍କାର, ୨୦୧୧ – ୨୦୧୨ ମଧ୍ୟରେ ତାଙ୍କୁ ‘କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ମଧ୍ୟ ପ୍ରଦାନ କରାଯାଇଥିଲା। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ୨୦୦୨ ମସିହାର ‘ଗାରେ ସିନ୍ଦୂର ଧାରେ ଲୁହ’। ତାଙ୍କ ଦ୍ଵାରା ସଂଗୀତ, ସାହିତ୍ୟ ଆଦି ବିଷୟରେ ଚର୍ଚ୍ଚା ଓ ଗୀତସଂଗ୍ରହ ପାଇଁ ‘ରସରାଜ ଗୀତିକୁଞ୍ଜ ଟ୍ରଷ୍ଟ’ ଗଠିତ ହୋଇଥିଲା।

ହେଲେ, ଏହି ରସସାଗରର କିରୀଟହୀନ ସମ୍ରାଟଙ୍କ ତିରୋଧାନ ଘଟିଲା ୬ ଜୁନ୍ ୨୦୧୮ ମସିହାରେ। ଏହି ମହୀୟାନ୍ ରସରାଜଙ୍କ ସଂଗୀତର ସବୁଜଧାରା ଆଜିର ନିକୃଷ୍ଟ ଚଳଚ୍ଚିତ୍ର ସଙ୍ଗୀତର ଧାରା ପାଇଁ ଏକ ପାଥେୟ ହୁଅନ୍ତେ, ଆଜି ପୁଣି ଶତାଧିକ ଶ୍ରୋତା ସେହି ସଂଗୀତର ରସ ଆସ୍ଵାଦନ କରନ୍ତେ, ଯେଉଁଥିରେ ରହିଛି ଜୀବନର ରସ!

Narayan Prasad Singh Amritesh Khatua

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago