ସଂଗ୍ରହ ଓ ଉପସ୍ଥାପନା: ଦେଵ ତ୍ରିପାଠୀ

ବୈଶାଖର ଉତ୍ତପ୍ତ ଆକାଶ, ସୂର୍ଯ୍ୟରୁ ଝରୁଛି ଅବା ତରଳା ତମ୍ବାର ସୁଅ । ଗାଁ ଦାଣ୍ଡର ଧୂଳି ତତଲା ଡହଡହ । କୁଣ୍ଠିତ ବସନ୍ତରେ କଅଁଳିଥିବା ନବକିଶଳୟ ଅଚାନକ ବାର୍ଦ୍ଧକ୍ୟପ୍ରାପ୍ତି ପରି କୁଞ୍ଚିତ, ମ୍ଳାନ; ଜଳି ଜଳି ଯାଉଛି ପୁଷ୍ପିତ ବିତାନ । କାଉ କି କୋଇଲିର ସୋରଶବ୍ଦ ନାହିଁ, ଚାରିଆଡ଼େ ଶୂନଶାନ, ଖାଁ ଖାଁ । ଝାଞ୍ଜି ବହୁଛି, ମଝିରେ ମଝିରେ ଉଠୁଛି ଖଣ୍ଡିଆଭୂତ । ବିଲମାଳ, ତୋଟାଗହନ, ପୋଖରୀ ତୁଠ, ମନ୍ଦିର ବେଢ଼ା, ଘର ବାହାର ସବୁଠି ଯେମିତି ଛମ୍ ଛମ୍ ନିରବତା । ଗାଈର ପାକୁଳି ଓ କୁକୁରର ଜିଭ ଲହ ଲହ ଭିତରେ ସମୟ ଅତିକ୍ରମ କରୁଥାଏ ତୃଷିତ ମଧ୍ୟାହ୍ନ ।

ଏତିକି ବେଳେ ଗାଁଦାଣ୍ଡରେ ଶୁଭେ ଏକ ଗମ୍ଭୀରା-ଥରା, ଧ୍ୱନିମୟ ଚିତ୍କାର, ପୂଣ୍ୟ ଓ ଯଶର ଗାଥା:
“ଧର୍ମରୁ ଜୟ କେବଳ ଅଧର୍ମରୁ କ୍ଷୟ
ଧର୍ମ ଥିଲା ପ୍ରାଣୀକୁ ନ ପଡେ ଅପ୍ରମେୟ।
ଧର୍ମ ହିଁ କାଳେ କାଳେ ପଦାର୍ଥ କେତେ କାଳେ
ସର୍ବେସିନା ଚଳିଯିବା ରହି କାଳବଳେ II”

ଏ ଉତ୍ତରଣରେ ସାଙ୍ଗିତିକତା ନ ଥାଏ, ଥାଏ କିନ୍ତୁ ଉଦାତ୍ତ ଆହ୍ୱାନ । ଘାଗଡା କଣ୍ଠରେ ଯିଏ ଏହି ବାର୍ତ୍ତା ଧ୍ୱନିତ କରୁଥାନ୍ତି – ମୁଣ୍ଡରେ ତାଙ୍କର ତାଳପତ୍ରର ଛତା, ବେକରେ ରୁଦ୍ରାକ୍ଷ, କାନ୍ଧରେ ଉପବୀତ, ଅଣ୍ଟାରେ ଗୁଡାହୋଇଥାଏ ଦଉଡ଼ି ମୋଡା ପରି ଆଉ ପରସ୍ତେ ବସ୍ତ୍ର, ଚିତାଚୈତନ୍ୟ ସମନ୍ୱିତ, ହାତରେ କାଂସ୍ୟ ଭିକ୍ଷାପାତ୍ର ଓ କାନ୍ଧରେ ବୁଜୁଳା । ସେ ଆମ ସ୍ଫର୍ଦ୍ଧିତ ପରମ୍ପରାର ଅନ୍ୟତମ ଗାଥାକାର, ସତ୍ୟ ଓ ପୂଣ୍ୟର ବାର୍ତ୍ତାବହ – ଚକୁଳିଆ ପଣ୍ଡା । ସମସ୍ତ ପଲ୍ଲୀ ଯେତେବେଳେ ତନ୍ଦ୍ରାଛନ୍ନ ସେ ଗାଏ ଦାନବୀରମାନଙ୍କ ପୂଣ୍ୟମୟ ଗାଥା ଓ ସମଗ୍ର ପରିବେଶ ଯେତେବେଳେ ସ୍ତବ୍ଧ, ସେ ନିର୍ଘୋଷ କରନ୍ତି ଚେତାବନୀ । ବୈଶାଖର ଝାଞ୍ଜି ଭିତରେ ସେ ବର୍ଷା କରନ୍ତି ଧର୍ମର ଗାଥା, ଦାରିଦ୍ର୍ୟକୁ ଶଙ୍କା ନ କରି, ଦାନକୁ ଲୋଭ ନ କରି । ବର୍ଷକେ ଦୁଇମାସ ସେ ଆସନ୍ତି, ଗୋଟିଏ ଭୋଜନ ପାଇଁ ଭିକ୍ଷା ମିଳିଗଲେ ସେ ଫେରିଯା’ନ୍ତି ଧର୍ମର ଜୟ ଗାନ କରି କରି ।

ସେ ଉଦାତ୍ତ କଣ୍ଠସ୍ୱର ଶୁଭେ ବହୁଦୂରରୁ, ପଲ୍ଲୀର ନିଘଞ୍ଚ ନିରବତାକୁ ବିଦୀର୍ଣ୍ଣ କରି, ବନ୍ଦ ହୋଇଯାଇଥିବା ଯାଉଁଳି କବାଟକୁ ଭେଦ କରି ମଧ୍ୟାହ୍ନର ଅଳସତନ୍ଦ୍ରାକୁ ଅପସାରି ଆସେ ଶବ୍ଦ । କୂଳବଧୂମାନେ ହୋଇଉଠନ୍ତି ସଚେତନ । ଚାଉଳ, ଡ଼ାଲି, ପରିବାପତ୍ରର ଭିକ୍ଷାପାତ୍ର ଧରି ସେମାନେ ଗୃହ ସାମ୍ନା ତୁଳସୀଚଉରା ମୂଳରେ ଅପେକ୍ଷା କରିଥା’ନ୍ତି । ତୁଳସୀଚଉରା ଉପରେ ବସିଥାଏ ବୈଶାଖର ଜଳପୂର୍ଣ୍ଣ ବସନ୍ତରା ଠେକି – ପୂଣ୍ୟର ଅନ୍ୟତମ ପ୍ରତୀକ । ପାଦତଳର ମାଟିରୁ ନିଆଁ ହୁଳା ଉଠୁଥାଏ, ଆକାଶରୁ ଛିଣ୍ଡୁଥାଏ ନିଆଁ ଝୁଲ – ତଥାପି କୂଳବଧୁ ଅପେକ୍ଷା କରେ । ଚକୁଳିଆ ପଣ୍ଡା ଦ୍ଵାରମୁହଁରୁ ଫେରିଯିବା ଶୁଭ ଲକ୍ଷଣ ନୁହେଁ । ସେ କୁଳ, ବଂଶର ସୁରକ୍ଷା ପାଇଁ ପୂଣ୍ୟ ଅର୍ଜନ କରିବ । ପଣ୍ଡାଙ୍କୁ ଶ୍ରଦ୍ଧାରେ ଟେକିଦେଇ ପରିପୂର୍ଣ୍ଣ କରିବ ଭିକ୍ଷାପାତ୍ର, କଲ୍ୟାଣ ନେବ ।

~ ଅନନ୍ୟ ପରମ୍ପରା ~
ଏ ଆମର ପରମ୍ପରା । ବସ୍ତୁବାଦୀ ସଭ୍ୟତାର ସ୍ପର୍ଶରେ କ୍ରମେ ଗ୍ରାମ୍ୟ ଜୀବନ ହଜି ହଜି ଗଲା ପରି ହଜିଯାଇଛି ପୁରୀ ଜିଲ୍ଲାରେ ବ୍ୟାପକ ଏବଂ କଟକ ଜିଲ୍ଲାର କେତେକ ଅଞ୍ଚଳରେ ପ୍ରଚଳିତ ଥିବା ଏ ପରମ୍ପରା । ଆଧୁନିକ ମଣିଷର ମାର୍କସୀୟ ଦୃଷ୍ଟିରେ ଭିକ୍ଷାଦାନ ଓ ଗ୍ରହଣ ହୋଇଉଠିଛି ଏକ ଅପରାଧ, ଏକ ପରାଙ୍ଗପୁଷ୍ଟ ବୃତ୍ତି । ଅବଶ୍ୟ ଏକଦା ଏହା ବୃତ୍ତି ବା ଜୀବିକା ନ ଥିଲା ଗୋଟିଏ ଗୋଷ୍ଠୀର, ବରଂ ଅଧିକ ମହତ୍ତର ଥିଲା ଧର୍ମର ଜୟଗାନ । ସେଥିପାଇଁ ଚକୁଳିଆ ପଣ୍ଡା କାହାରି ଘରେ ଭିକ୍ଷା ପାଇଁ କଟାଳ କରନ୍ତି ନାହିଁ, ମୁହଁ ଖୋଲି ମାଗନ୍ତି ନାହିଁ, କୌଣସି ଦ୍ଵାରରେ ଦଣ୍ଡେ ଅଟକି ରହନ୍ତି ନାହିଁ ।

ସମୟକ୍ରମେ ଆଗ କାଳର ଅନେକ କଥା ଆଜି ବଦଳି ଯାଇଛି । କିନ୍ତୁ ଏବେ ମଧ୍ୟ ଚକୁଳିଆ ପଣ୍ଡା ସମାଜର ଦାନ ଗ୍ରହଣ କରି ସମାଜକୁ ପୂଣ୍ୟଧର୍ମର ବାର୍ତ୍ତା ଚାରଣଗୀତିକା ମାଧ୍ୟମରେ ବହୁକାଳରୁ ପ୍ରଚାର କରିଆସୁଛନ୍ତି II

“ସତ୍ୟ ଲାଗି ହରିଶ୍ଚନ୍ଦ୍ର ଶ୍ମଶାନ ଜଗିଲେ,
ସତ୍ୟ ଲାଗି କର୍ଣ୍ଣରାଜା ପୁତ୍ର ଦାନ ଦେଲେ ।
ସତ୍ୟ ଧର୍ମ ପଦ ସିନା ମହତପଣିଆ,
ଆଉ ସବୁ କଥା ଦେଖ ଅଢେଇ ଦିନିଆ II”

ହିନ୍ଦୁ ମାନେ ବିଶ୍ୱାସ କରନ୍ତି ଦାନଧର୍ମ କରି ପୁଣ୍ୟ ଅର୍ଜନ କଲେ ଆତ୍ମା ସହଜରେ ହୁଏ ଭବନମୁକ୍ତ, ସେଥିପାଇଁ ଆମ ଶାସ୍ତ୍ରରେ ରହିଛି ନାନା ବିଧାନ ଓ ଅନୁଶାସନ ଏବଂ ସୃଷ୍ଟି ହୋଇଛି ନାନା ଆଖ୍ୟାୟିକା । ପୁରାଣ ଯୁଗରେ ମହାଦାନୀ କର୍ଣ୍ଣ, ଦାନବୀର ରାଜା ହରିଶ୍ଚନ୍ଦ୍ର, ଶିବି, ମାନ୍ଧାତା, ମହାରାଜା ବଳି ପ୍ରମୁଖଙ୍କ ଅଲୌକିକ ଦାନ ସମ୍ପର୍କରେ ଉଲ୍ଲେଖ କରାଯାଇ ତତ୍କାଳୀନ ମାନବସମାଜରେ ଦାନ ଚେତନା ଜାଗ୍ରତ କରାଯାଉଥିଲା । ଏବେ ମଧ୍ୟ ମହତ ବ୍ୟକ୍ତିଙ୍କ ଦାନରେ ଆମ ଦେଶରେ କାହିଁକି ସମଗ୍ର ବିଶ୍ଵରେ ବହୁ ସେବା, ସଂସ୍କୃତି ମୂଳକ ଧର୍ମୀୟ ଅନୁଷ୍ଠାନ ମୁଣ୍ଡ ଟେକି ଉଠିଛି ।

~ ଧର୍ମର ବାର୍ତ୍ତାବହ ~
ଏହି ଦାନଭାବକୁ ଜନସମାଜରେ ବହୁଳ ଭାବରେ ପ୍ରଚାର କରି ଉଦାର ମନୋଭାବ ସୃଷ୍ଟି କରିବା ପାଇଁ ଅତି ପ୍ରାଚୀନକାଳରୁ ପୁରାଣରେ ବହୁ ଉପାଖ୍ୟାନ, ଲୋକକଥା, କିମ୍ବଦନ୍ତୀ, ଲୋକଗୀତ, ପ୍ରବଚନର ଉତ୍ପତ୍ତି । ସନ୍ଥ, ସନ୍ନ୍ୟାସୀ ମାନେ ନାନାସ୍ଥାନ, ସ୍ଥାନାନ୍ତର ଭ୍ରମଣ କରି ଏହି ମହତ ଗୁଣକୁ ପ୍ରସାର କରିଛନ୍ତି । ଦାନଧର୍ମକୁ ପ୍ରଚାର କରିବା ଦିଗରେ ଓଡ଼ିଶାରେ ଧାର୍ମିକ ପ୍ରଚାରକମାନଙ୍କ ମଧ୍ୟରେ ଚକୁଳିଆ ପଣ୍ଡା ଗୋଷ୍ଠୀ ଅନ୍ୟତମ ।

~ ଲୋକକଥାର ନାୟକ~
ଏମାନଙ୍କ ରୂପ ଦେଖିଲେ ମନରେ ସ୍ବତଃ ଆଙ୍କି ହୋଇଯାଏ ଦାନବୀର ରାଜା ବଳିଙ୍କ ସମ୍ମୁଖରେ ଭଗବାନ ବିଷ୍ଣୁଙ୍କ ବାମନ ଅବତାରର ଛବି । ଏଥିରୁ ପ୍ରାକ୍-ଐତିହାସିକ ଯୁଗରୁ ଚକୁଳିଆ ପଣ୍ଡା ଗୋଷ୍ଠୀ ସୃଷ୍ଟି ହୋଇଥିବା ଅନୁମେୟ । ପୁନଶ୍ଚ ଆର୍ଯ୍ୟମାନଙ୍କ ଗୁରୁକୂଳ ଆଶ୍ରମକୁ ଯିବା ପୂର୍ବରୁ ବ୍ରତୋପନୟନ କର୍ମପରେ ଭିକ୍ଷୁକବେଶ ଧାରଣ ଏବଂ ଭିକ୍ଷାଲବ୍ଧ ଦ୍ରବ୍ୟକୁ ଗୁରୁଙ୍କୁ ଅର୍ପଣ କରିବା ବିଧିରେ ଏଇ ଚକୁଳିଆ ପଣ୍ଡା ଚିତ୍ର ଆମ ଆଖିଆଗରେ ନାଚିଉଠେ । ବୈଦିକଯୁଗୀୟ ଏଇ ଗୋଷ୍ଠୀକୁ ନେଇ ଆମ ସମାଜରେ ସୃଷ୍ଟିହୋଇଛି ଅସୁମାରୀ ଲୋକକଥା, ଚକୁଳିଆ ପଣ୍ଡା କଥା, ପଣ୍ଡାପଣ୍ଡିଆଣୀ ଗଳ୍ପ, ପଲ୍ଲୀଗୀତ, କିମ୍ବଦନ୍ତୀ, ପ୍ରବଚନ ଓ ଉପକଥା । ଉତ୍କଳୀୟ ଜନମାନସରେ ଚିରସ୍ପନ୍ଦିତ ଏଇ ଚକୁଳିଆ ପଣ୍ଡା ।

~ ପଣ୍ଡିତ ଓ ପଣ୍ଡା ~
ଆମ ଭାଷାକୋଷ ଅନୁଯାୟୀ ଏହି ଦେଶଜ ଶବ୍ଦ ‘ଚକୁଳିଆ ପଣ୍ଡା’ର ଅର୍ଥ ନିମ୍ନଶ୍ରେଣୀର ବ୍ରାହ୍ମଣ । ‘ଚକା’ ଶବ୍ଦ ଓ ‘ପନ୍ଡ’ ଧାତୁରୁ ଏହାର ଉତ୍ପତ୍ତି । ପନ୍ଡ ଧାତୁ ଗମନ କରିବା ଅର୍ଥରେ ବ୍ୟବହୃତ । ଏଣୁ ଗମନ କରୁଥିବା ଅବସ୍ଥାରେ ଜ୍ଞାନର ବଣ୍ଟନ କରି ପାଣ୍ଡିତ୍ୟ ପ୍ରକାଶ କରନ୍ତି ସେ ହେଉଛନ୍ତି ପଣ୍ଡା । ଏଠାରେ ଚକୁଳିଆ ପଣ୍ଡାର ପ୍ରକୃତ ଭାବାର୍ଥ ହେଲା – ଯିଏ ଚକ୍ରଭିକ୍ଷା କରି ଅର୍ଥାତ୍ ଗ୍ରାମେ ଗ୍ରାମେ ଚକର ମାରି ଭିକ୍ଷା କରିବା ମାଧ୍ୟମରେ ଦାନ ଧର୍ମ ପ୍ରଚାରପୂର୍ବକ କରିଥାନ୍ତି ପାଣ୍ଡିତ୍ୟ ପ୍ରଦର୍ଶନ ଓ ସମାଜରେ ଅଧିକାରୀ ହୁଅନ୍ତି ସମ୍ମାନ ତଥା ଆଦରର । ଭିନ୍ନମତରେ ଚକ୍ରାକାର ତାଳପତ୍ର ଛତା ଧାରଣ କରିଥିବାରୁ ବୋଧହୁଏ ସେମାନେ ପରିଚିତ ହୁଅନ୍ତି ଚକୁଳିଆ ପଣ୍ଡା ନାମରେ ।

~ ଲୋକାଚାର ~
ଗୋଲାକାର ତାଳପତ୍ର ଛତା ଧରି, କଟିରେ ଚଦର ବାନ୍ଧି, କାନ୍ଧରେ ଚାଉଳ ଯାଉଁଳି, ଚନ୍ଦନଚର୍ଚ୍ଚିତ ବାହୁ ଓ କପାଳ, ଗଳାରେ ରୁଦ୍ରାକ୍ଷମାଳା, ହସ୍ତରେ ପିତ୍ତଳ ପାତ୍ର ଧରି ଚାରଣ ଗୀତିକା ଗାଇ ଗାଇ ଗ୍ରାମଦାଣ୍ଡରେ ବୁଲନ୍ତି ଚକୁଳିଆ ପଣ୍ଡାଏ । ଇଚ୍ଛା ଓ କ୍ଷମତାନୁଯାୟୀ ଯିଏ ଚାଉଳ ବା ପନିପରିବା ଦିଅନ୍ତି, ସେତିକିରେ ଖୁସି ହୁଅନ୍ତି ପଣ୍ଡାଏ । କାହାରି ଦ୍ଵାରସ୍ଥ ହୁଅନ୍ତି ନାହିଁ କିମ୍ବା ଅଧିକ କିଛି ଆଶା ରଖି ଗୃହସ୍ଥ ନିକଟରେ କଟାଳ କରନ୍ତି ନାହିଁ । ଦାନଗ୍ରହଣରେ ନିର୍ଲୋଭ ପଣ୍ଡାଏ ଭିକ୍ଷା ପାଇଁ ଅପେକ୍ଷା ମଧ୍ୟ କରନ୍ତି ନାହିଁ ।

ମୁଖ୍ୟତଃ ଧର୍ମମାସ ଭାବରେ ପରିଚିତ ବୈଶାଖ ଓ କାର୍ତ୍ତିକ ମାସରେ ଦାନଧର୍ମର ମହତ୍ତ୍ଵ ଗାନ କରି ଗ୍ରାମେ ଗ୍ରାମେ ବୁଲିବାର ଦେଖାଯା’ନ୍ତି ଏଇ ପଣ୍ଡାମାନେ, ଉଚ୍ଚ ସ୍ବରରେ ଚାରଣଗୀତିକାର ପଦମାନ ଗାଇ, ଦାନର ମହିମା ବଖାଣି, ତନ୍ଦ୍ରାଚ୍ଛନ୍ନ ପଲ୍ଲୀର ନିରବତାକୁ ବିଦାରି ।

“ବୈଶାଖ ମାସରେ ଦାନ ପୁଣ୍ୟ କରିଥିବ,
ମା’ ମାଉସୀମାନେ କୁଣ୍ଠିତ ନୋ‌ହିବ ।
ଦେଇଥିଲେ ପାଇ, ବୁଣୁଥିଲେ ଦାଇ,
ପଡ଼ିଆ ବାରିରେ ଗୋଧନ ଚରାଇ ।
ବଳି, କର୍ଣ୍ଣ ମାନଧାତା ଚକ୍ରବର୍ତ୍ତୀ,
ଏମାନେ ତରିଗଲେ ହ ରହିଅଛି କୀର୍ତ୍ତି ।”

ତଥ୍ୟ ଆଧାର: ଚକୁଳିଆ ପଣ୍ଡା ଗବେଷକ ଡ. ଶ୍ରୀବତ୍ସ ପ୍ରସାଦ ନାଥ

Spread the love
admin

View Comments

  • ଚକୁଳିଆ ପଣ୍ଡା ବିଷୟରେ ଏତେ କଥା ପ୍ରଥମେ ଜାଣିଲି l ଧନ୍ୟବାଦ ଏଇ ଭଳି ଲେଖା ପାଇଁ l

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

5 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago