ଲେଖା: ନିରଞ୍ଜନ ସାହୁ

୧୯୪୨ ମସିହା ଅଗଷ୍ଟ ମାସ ଛବିଶ ତାରିଖ। ସେତେବେଳେ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହେଉଥାନ୍ତି ଅସଂଖ୍ୟ ଜନସାଧାରଣ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଆହୁରି ତୀବ୍ରତର ହେଉଥାଏ। ଢେଙ୍କାନାଳ ରାଜ୍ୟରେ ହିଂସାତ୍ମକ ରୂପ ନେଉଥାଏ ଏହି ଆନ୍ଦୋଳନ। ସେହି ସମୟରେ ସଂଘଟିତ ଘଟଣାମାନଙ୍କ ମଧ୍ୟରେ ‘ମଢ଼ି ଅସ୍ତ୍ରାଗାର ପୋଡ଼ି’ ଥିଲା ଭାରତ ଇତିହାସରେ ଏକ ଲୋମହର୍ଷଣକାରୀ ଘଟଣା।

ଏହି ରାଜ୍ୟରେ ମଢି ନାମକ ଏକ ସ୍ଥାନରେ ଗଢ଼ି ଉଠିଥିଲା ଏକ ଛୋଟ ସହର। କାରଣ ଏହା ଥିଲା ଗୋଟିଏ ସବଡିଭିଜନାଲ୍ ସଦର ମହକୁମା। ରାଜାଙ୍କ ଗଡରୁ ଦୂରତା ମାତ୍ର ୩୪ କିଲୋମିଟର। ମଢି ହେଉଛି ଅଧୁନା ‘କାମାକ୍ଷାନଗର’, ଢେଙ୍କାନାଳ ଓ ମଢି ସହର ମଧ୍ୟରେ ପ୍ରବାହିତ ହୁଏ ବ୍ରାହ୍ମଣୀ ନଦୀ। ସେତେବେଳେ ସେଠାରେ ଗୋଟିଏ ଥାନା, ତାକୁ ଲାଗିକରି ସରକାରୀ କୋଷାଗାର, ତହସିଲ ଅଫିସ, ଫରେଷ୍ଟ ଅଫିସ, କଚେରୀ, ସରକାରୀ କର୍ମଚାରୀ ମାନଙ୍କ ବାସଗୃହ। ରାଜାଙ୍କର ଏତେ ସବୁ ଅଫିସ ଗୋଟିଏ ସ୍ଥାନରେ ଦେଖି ଢେଙ୍କାନାଳ ଅଞ୍ଚଳର ଆନ୍ଦୋଳନକାରୀ ମାନଙ୍କ ଦୃଷ୍ଟିରେ ପଡ଼ିଥିଲା ସେହି ସ୍ଥାନ ଉପରେ।

ସେହି ଛବିଶ ତାରିଖ ଦିନ ଢେଙ୍କାନାଳ ରାଜ୍ୟର ଅପରାଜେୟ, ନିର୍ଭୀକ ନେତା ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ନେତୃତ୍ବରେ ୧୯ ଜଣ ବିଦ୍ରୋହୀ ଜୀବନକୁ ପଣ କରି ବାହାରିଲେ ମଢି ସହର ଅଭିମୁଖେ ଶତସିଂହର ବଳ ନେଇ। ସେମାନଙ୍କ ହାତରେ ଥାଏ ୬ଟି ବାରୁଦ ଖୁନ୍ଦା ବନ୍ଧୁକ, କାଣ୍ଡଶର, ବାଟୁଳିଖଡା, ଖଣ୍ଡା, ବର୍ଛା, ଫାର୍ସା, ତେଣ୍ଟା, ଟାଙ୍ଗିଆ, କଟୁରୀ, ଶାବଳ, କିରୋସିନ ତେଲ, ଦିଆସିଲି, ତ୍ରିରଙ୍ଗା କଂଗ୍ରେସ ପତାକା, କିଛି ପ୍ରଚାର ପତ୍ର ଓ ବାରୁଦ ! ସତେକି ସେମାନେ ସମସ୍ତେ ଚାଲିଛନ୍ତି ଦୁଃଶାସନର ରକ୍ତରେ ଲାଲ କରିଦେବେ ପାଞ୍ଚାଳୀଙ୍କ କେଶ ! ଧ୍ଵନି ଥାଏ ଭାରତ ମାତା କି ଜୟ। ସେହି ୧୯ ଜଣଙ୍କ ମଧ୍ୟରେ ଥିଲେ ମୂଷା ମଳିକ, ଅନୁକୂଳ ସାହୁ, ଆନନ୍ଦ ସାହୁ, ବାଇଧର ସ୍ଵାଇଁ ଓ ଅନ୍ୟମାନେ। ସର୍ବକନିଷ୍ଠ ହେଉଛନ୍ତି ବାଇଧର ସ୍ଵାଇଁ, ବୟସ ମାତ୍ର ୧୨ ବର୍ଷ। ସେ ମଧ୍ୟ ଆନ୍ଦୋଳନର ସ୍ରୋତରେ ଲମ୍ପ ଦେଇ ଚାଲି ଚାଲି ଯାଇଛି ଦୀର୍ଘ ୩୪ କିଲୋମିଟର (ଢେଙ୍କାନାଳରୁ ମଢି), ଖୁନ୍ଦା ବନ୍ଧୁକଟିଏ ହାତରେ ଧରି।

ଏହା ଥିଲା କୃଷ୍ଣପକ୍ଷ। ଅତି ସତର୍କତାର ସହ ବିଦ୍ରୋହୀମାନେ ପହଞ୍ଚିଥିଲେ ଥାନା ସମ୍ମୁଖରେ। ପ୍ରଥମେ ସେମାନେ ଚଉକିଦାରକୁ ବନ୍ଧୁକ ଦେଖାଇ ହାଜତରେ ପୁରାଇ ଦେଲେ। ତାପରେ ଅନ୍ୟ କେତେକଙ୍କ ବନ୍ଧୁକ ଜବତ କରିଦେଲେ ଓ ନିଜ ଅକ୍ତିଆରକୁ ନେଇ ଆସିଲେ। ଶାବଳ ସାହାଯ୍ୟରେ କବାଟର ତାଲା ଓ କଡା ସବୁ ଭାଙ୍ଗି ଅସ୍ତ୍ରାଗାର ମଧ୍ୟରୁ ୪ଟି ବନ୍ଧୁକ, ୨୦୦ ଗୁଳି (କାଟ୍ରିଜ) କରାୟତ୍ତ କରିନେଲେ। ଥାନା ଏବଂ ସିପାହୀମାନଙ୍କ ବାରାକ୍ ପୋଡ଼ିଦେଲେ। ଅସ୍ତ୍ରାଗାର ଓ କୋଷାଗାରକୁ ନିଆଁ ଲଗେଇ ଦେଲେ। ଖାଣ୍ଡବ ଦହନର ରୂପ ନେଲା ସେ ଅଞ୍ଚଳ।

ସେଦିନ ମଢି ସହରରୁ ଉଠୁଥିବା ଧୂଆଁ ଏବଂ କାଠ ଓ ବାଉଁଶ ପୋଡୁଥିବାର ଶବ୍ଦ ଶୁଣି ପ୍ରାୟ ଦଶ ମାଇଲ୍ ମଧ୍ୟରେ ଥିବା ଗାଁ ଗୁଡ଼ିକର ଦଶହଜାର ପାଖାପାଖି ଲୋକ କୋଳାହଳ କରି ରୁଣ୍ଡ ହୋଇଗଲେ। ଆନ୍ଦୋଳନ ଆହୁରି ବ୍ୟାପିଗଲା। ସକାଳୁ ସକାଳୁ ରାଜାଙ୍କ ପାଖରେ ପହଞ୍ଚିଲା ଏହି ବିପର୍ଯ୍ୟୟ ସମ୍ବାଦ। ସେହିଦିନ ରାଜଦରବାରରେ ଅନୁଷ୍ଠିତ ହେବାକୁ ଥିବା ରାଜପୁତ୍ରଙ୍କ ଜନ୍ମଦିନର ନୈଶ୍ୟଭୋଜି ଫିକା ପଡ଼ିଗଲା, ବିଷାଦମୟ ହୋଇଉଠିଲା ରାଜପ୍ରାସାଦ।

ଇଂରେଜ ସରକାରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ କ୍ରମେ ମୋଟ ତିନିଜଣ ଫାଶୀ ଦଣ୍ଡାଦେଶ ପାଇଲେ ଏବଂ ଢ଼େଙ୍କାନାଳ ଠାରେ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ସେହି ମହାନ ସହିଦ ମାନେ ହେଲେ ‘ମୂଷା ମଳିକ, ଆନନ୍ଦ ସାହୁ ଓ ଅନୁକୂଳ ସାହୁ। ‘ବାଇଧର ସ୍ବାଇଁ ନାବାଳକ ଥିବାରୁ ଫାଶୀରୁ ବଞ୍ଚିତ ହୋଇଥିଲେ।

ଇତିହାସ ପୃଷ୍ଠାରେ ଏହି ସହିଦମାନେ ଅନାଲୋଚିତ ହୋଇ ରହିଯାଇଛନ୍ତି ସତ, କିନ୍ତୁ ଇଂରେଜ ଓ ରାଜତନ୍ତ୍ର ବିରୋଧରେ ସଙ୍ଗ୍ରାମ କରି ସେମାନେ ‘ଯଶୋଦେହେ ଆୟୁଷ୍ମାନ‘। ଆମେ ‘ଅନ୍ତରଙ୍ଗ କଳିଙ୍ଗ’ ତରଫରୁ ଶ୍ରଦ୍ଧାଞ୍ଜଳୀ ନିବେଦନ କରୁଛୁ।

ତଥ୍ୟ: ଡ. ଜଗନ୍ନାଥ ପଟ୍ଟନାୟକ, ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ଅମର ସହିଦ ପୁସ୍ତକ

Madhi Rebellion Baishnaba Charan Pattanayak Dhenkanal © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago