ଲେଖା: ନିରଞ୍ଜନ ସାହୁ

ଯାଉ ଏ ଜୀବନ ରହୁ ଏ ଜୀବନ
ଯିବା ଥିବା ସବୁ ମୋ ପକ୍ଷେ ସମାନ
ତୁମ୍ଭ ଇଛା ପ୍ରଭୁ ହେଉ ହେ ପୂରଣ ।

ଏହି ଉକ୍ତିଟି ଥିଲା ତାଙ୍କର ଜୀବନର ଆଦର୍ଶ, ଯାହା ତାଙ୍କ ବଡ଼ବାପା ଶିଖାଇଥିଲେ । ସେହି ଝିଅଟି, ବାପା-ମା ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ‘ବେଲ’, ବଡ଼ବାପା କହନ୍ତି ‘ମାଙ୍କଡ଼ ଟାଏ’, ଶାଶୁ ଘରେ ଡାକନ୍ତି ‘ବୋହୁ ମା’ । ଓଡ଼ିଶାର ଜନସାଧାରଣ କହନ୍ତି ମା’ । ସେହି ଝିଅ ଜନ୍ମ ହୋଇଥିଲେ ୧୮୯୯ ମସିହା ଡିସେମ୍ବର ମାସ ତିନି ତାରିଖରେ କଟକ ସହରରେ ବସବାସ କରୁଥିବା ସତ୍ୟଭାମାପୁରର ଗୋଟିଏ ନାଁ ଡାକ ଖାନ୍ଦାନ ବଡ଼ ଲୋକ ଘରେ । ମାମୁଁ ଘର ମଧ୍ୟ ତଦୋପରି । ବୋହୂ ହୋଇଗଲେ ସେମିତି ଏକ ନାଁ କରା ପରିବାରକୁ । ବାପଘର, ମାମୁଁଘର, ଶାଶୁଘର କେହି କାହାକୁ ଊଣା ନୁହଁନ୍ତି।

ବଡ଼ବାପା ଓଡ଼ିଆ ଜାତିର କୁଳବୃଦ୍ଧ, ବାପା ବ୍ରିଟିଶ ସରକାରଙ୍କ ଅଧୀନରେ ଡେପୁଟି କଲେକ୍ଟର, ଓଡ଼ିଆ ଭାଷାରେ ଗୋଟିଏ ଆଦ୍ୟ ଉପନ୍ୟାସ ‘ଭୀମାଭୂୟାଁ‘ ର ଲେଖକ। ଅଜା ନନ୍ଦକିଶୋର ଦାସ ଓଡ଼ିଶାର ପ୍ରଥମ ସିଭିଲିଆନ୍। ମାମୁଁ ରାଜକିଶୋର ଦାସ ଡେପୁଟି କଲେକ୍ଟର, ମା ବସନ୍ତ କୁମାରୀ ଦେବୀ ସୁସାହିତ୍ୟିକା । ଶ୍ଵଶୁର ଗୋକୁଳାନନ୍ଦ ଚୌଧୁରୀ ପୁରୁଷ ପୁରୁଷର ନାଁ ଥିବା ଜମିଦାର, କଟକ ଜିଲ୍ଲା ବୋର୍ଡର ଚେୟାରମାନ୍ ତଥା ଜାତିସ୍ମର ମଧୁସୂଦନ ଦାସଙ୍କ ସହକର୍ମୀ । ଏହି ଅଲିଅଳ ଝିଅଟି ଓଡି଼ଶା ମାଟିରେ ଆତ୍ମତ୍ୟାଗ, ସେବା, ପରୋପକାର, ସଦ ବିଚାର, ସ୍ଵାଧୀନତା ସଂଗ୍ରାମ, ମହତ ମଣିଷର ଜୀବନ୍ତ ପ୍ରତିମୂର୍ତ୍ତି ଦେଶପୂଜ୍ୟା ରମାଦେବୀ ଚୌଧୁରୀ, ମା’ ରମାଦେବୀ

ବାପଘର ପରି ଶାଶୁଘରେ ସ୍ନେହ, ଆଦର, ସୁଖ, ପ୍ରାଚୁର୍ଯ୍ୟ ଭିତରେ ସମୟ ବିତି ଯାଉଥିବା ବେଳେ ହଠାତ ପରଲୋକ ହୁଏ ବାପା ଏବଂ ଶ୍ଵଶୁରଙ୍କର କିଛି ଦିନ ବ୍ୟବଧାନରେ । ଶ୍ଵଶୁର ଗୋକୁଳାନନ୍ଦ ଚୌଧୁରୀଙ୍କ ଦେହାନ୍ତ ପରେ ସ୍ଵାମୀ ଗୋପବନ୍ଧୁ ଚୌଧୁରୀଙ୍କ ନିଶ୍ଚିନ୍ତ ଜୀବନର ମୂଳଦୁଆ ଦୋହଲି ଯାଏ ଏବଂ ଗୃହ ଚିନ୍ତା ଅଜାଡ଼ି ହୋଇ ପଡ଼େ । ଜୀବନ ଜୀବିକା ପାଇଁ ସ୍ଵାମୀ ଗୋପବନ୍ଧୁ କଲିକତା ଯାଇ ‘ଲ’ ପଢ଼ନ୍ତି ଏବଂ ପାଠ ଶେଷ କରି ଚାକିରୀ ପାଇଁ ମନ ବଳାନ୍ତି। ୧୯୧୭ ମସିହାରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ ହୁଅନ୍ତି କଟକରେ । ପରେ ପରେ ଯାଜପୁର, ବରଗଡ଼ ଜିଲ୍ଲାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରନ୍ତି ।

ବ୍ରିଟିଶ ସରକାରଙ୍କ ଅଧୀନରେ କାମ କରିବା ଆଉ ଭଲ ଲାଗେ ନାହିଁ । ସେ ତ ସ୍ଵାଧୀନ ଚେତା ମଣିଷ, ପୁଣି ବୁନିଆଦି ଘରର ଦାୟାଦ ! ବିଷପ୍ରାୟ ମଣିଲେ ଚାକିରୀ ଏବଂ ଶେଷରେ ଇସ୍ତଫା ୧୯୨୧ ରେ, ମାତ୍ର ଚାରି ବର୍ଷରେ । ବିବାହର ସାତବର୍ଷ ବିତିଯାଇଥିଲା । ପଶ୍ଚାତରେ ରହିଗଲା ସୁଖ, ପ୍ରାଚୁର୍ଯ୍ୟ, ସ୍ଵାଛନ୍ଦ। ଓହ୍ଲାଇ ଆସିଲେ ସ୍ଵାଧୀନତା ଆନ୍ଦୋଳନକୁ ଓ ବରିନେଲେ ପରୋପକାର ବ୍ରତ । ଧନୀ ପରିବାରର ଝିଅ, ଜମିଦାର ଘରର ନାତୁଣୀ, ଖେରସ ଜମିଦାର ଘରର ବୋହୂ ହେଲେ ବି କାଣିଚାଏ ଆସକ୍ତି ନ ଥିଲା ଧନସମ୍ପତ୍ତି ଓ ପ୍ରାଚୁର୍ଯ୍ୟ ପ୍ରତି । ତେଣୁ ଆନନ୍ଦରେ ସ୍ଵାମୀଙ୍କ ଅନୁଗାମିନୀ ହେବା ସ୍ଵାଭାବିକ ।

ପିଲାଟି ଦିନରୁ ଧନସମ୍ପତ୍ତି ପ୍ରତି ଅନାସକ୍ତ ଭାବ, ପରୋପକାର, ଦେଶସେବାର ବୀଜବପନ ହୋଇ ସାରିଥିଲା । ପିଲାଦିନେ ବାପାଙ୍କ ସହ ବିହାର ରାଜ୍ୟରେ ରହିବା ସମୟରେ ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାରିଥିଲେ। ତେଣୁ ମନ ଡାକୁଥିଲା ଦେଶ ଓ ନିଃସ୍ଵ ଜନତାଙ୍କ ସକାଶେ ଆତ୍ମୋତ୍ସର୍ଗ କରିବା ପାଇଁ । ଏବେ ସୁଯୋଗ ମିଳିଗଲା । ବିଳାସ ବ୍ୟସନ, ଆଡ଼ମ୍ବରପୂର୍ଣ୍ଣ ଜୀବନ ବର୍ଜ୍ଜନ କରି  ସମାଜର ଦରିଦ୍ରତମ ଶ୍ରେଣୀର ଲୋକଙ୍କ ପରି ଶ୍ରମଭିତ୍ତିକ କଠୋର ଜୀବନ ବିତାଇ ସାଧାରଣ ଜନତାଙ୍କ ଉପକାର ପାଇଁ ଆତ୍ମତ୍ୟାଗ, ଜନସେବାର ପରାକାଷ୍ଠା ଦେଖାଇ ବଞ୍ଚିବାକୁ ଲାଗିଲେ । ଧୂଳିମାଟିକୁ ଓହ୍ଲାଇ ଆସି, ପାରମ୍ପରିକ ଆଭିଜାତ୍ୟ ଛାଡ଼ି ଏକାତ୍ମ ହୋଇଗଲେ ଚାଷୀମୂଲିଆ ମାନଙ୍କ ସହ । ଆପଣା ସଂକୀର୍ଣ୍ଣ ପରିବାର, ଶ୍ରେଣୀ ଗୋଷ୍ଠୀର ବନ୍ଧନରେ ସୀମିତ ନରହି ଆଦରି ନେଲେ ଏକ ବିଶାଳ ମନୁଷ୍ୟ ପରିବାର । ପରିବାରର ସମସ୍ତେ ସାମିଲ ହୋଇଗଲେ ଏହି ମହନୀୟ ଚିନ୍ତାଧାରାରେ । ସାମିଲ ହୋଇଗଲେ ଦିଅର ନବକୃଷ୍ଣ ଚୌଧୁରୀ, ଯାଆ ମାଳତୀ ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ ଓ କନ୍ୟା ଅନ୍ନପୂର୍ଣ୍ଣା ଚୌଧୁରୀ (ମହାରଣା)

୧୯୨୧ ଫେବୃୟାରୀରେ ଜୀବନର ମୋଡ଼ ସମ୍ପୂର୍ଣ୍ଣ ରୂପେ ବଦଳିଗଲା, ସୁମେରୁ ଓ କୁମେରୁ ସଦୃଶ । ସେହି ବର୍ଷ ମାର୍ଚ୍ଚ ମାସ ଚବିଶ ତାରିଖ, କଟକ କାଠଯୋଡି ନଦୀ ବାଲିରେ ବିରାଟ ସାଧାରଣ ସଭାରେ ବାପୁଜୀଙ୍କ ଉଦବୋଧନ ସ୍ଵରାଜ ପାଇଁ । ବିଶେଷ ଆହ୍ୱାନ ଥିଲା ମହିଳା ମାନଙ୍କ ପାଇଁ, “ସେମାନେ ଦେଶର ସ୍ଵାଧୀନତା ପାଇଁ କାମ କରନ୍ତୁ , ଆଉ ଗହଣା ପିନ୍ଧନ୍ତୁ ନାହିଁ, ଗହଣାତକ ଦେଶମାତୃକା ପାଇଁ ଦାନ କରନ୍ତୁ।” ସେଦିନ ଶହେ ଭରିର ସୁନାଗହଣା ପିନ୍ଧିଥିବା ଏହି ବଡ଼ ଘରର ବୋହୂ ଏହି ନିବେଦନ ଶୁଣି, ପ୍ରଥମେ ଅଳଙ୍କାର ଯାକ ଓହ୍ଲାଇ ଦେଇ ସ୍ଵରାଜ ପାଣ୍ଠି ପାଇଁ ସମର୍ପି ଦେଲେ । ଗାନ୍ଧୀଜୀ ବିଦାୟ ନେଲେ, ମନରେ କିନ୍ତୁ ଛାପ ରହିଗଲା ରମାଦେବୀ ଚୌଧୁରୀଙ୍କର ।

କିଛି ଦିନ ପରେ ପରେ  ନିରାଭରଣା ହୋଇ ହାତକଟା ମୋଟା ଖଦୀଲୁଗା ପିନ୍ଧି ଦେଶ କାମରେ ସ୍ଵାମୀଙ୍କ ସହ ଖରାତରାରେ ଖାଲି ପାଦରେ ଗାଁ ଗଣ୍ଡାରେ ବୁଲିବା ଆରମ୍ଭ କଲେ । ସେତେବେଳେ ଚାରିଆଡ଼େ ହୁରି ପଡ଼ିଲା । ଆଭିଜାତ୍ୟର ପଟ୍ଟଭୂମିରେ ଥିବା ଜଣେ ଧନାଢ୍ୟ ମହିଳାଙ୍କର ଏ ପରିବର୍ତ୍ତନ ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଇଲା । ଦେଶ ମାତୃକା ପାଇଁ ତ୍ୟାଗ, ତପସ୍ୟା ଆହୁରି ଉଜ୍ଜ୍ୱଳମୟ ଓ ଗୁରୁତ୍ୱପୂର୍ଣ୍ଣ ଦିଶିଲା । ଏହି ତ୍ୟାଗ ଓ ପ୍ରେରଣାରେ ଅନୁପ୍ରାଣିତ ହେଲେ ଶହଶହ ପୁରୁଷ, ମହିଳା, ବୋହୂ, କନ୍ୟା ଓ ଛାତ୍ରଛାତ୍ରୀ ବୃନ୍ଦ ।

୧୯୨୧ ପରଠାରୁ ବିରାମ ନେଇ ନଥିଲା ଆତ୍ମୋତ୍ସର୍ଗର ଯାତ୍ରା, ଘରର କିଛି ପ୍ରମୁଖ ଅସୁବିଧା ସତ୍ତ୍ୱେ । ୧୯୨୨ ମସିହାରେ ନିଖିଳ ଭାରତ କଂଗ୍ରେସ ସଭାରେ ଯୋଗଦାନ କରିବା ପରେ ଆହୁରି ବ୍ୟାପକ ହେଲା ସେବାକାର୍ଯ୍ୟ, ନୂଆ ଢାଞ୍ଚାରେ ସମାଜ ଗଢ଼ିବା ଲକ୍ଷ୍ୟ, ଗାନ୍ଧୀ ବିଚାର ମାର୍ଗରେ ଅବହେଳିତ ଅବସ୍ଥାରେ ଥିବା ମଣିଷ ମାନଙ୍କ ଦାୟିତ୍ଵ, ଅନ୍ଧ ବିଶ୍ବାସ ଓ କୁସଂସ୍କାର ବିରୋଧରେ ପ୍ରଚାର । ଏହି ସମୟରେ ସାମିଲ ହୋଇଗଲେ ଏଭଳି ଆନ୍ଦୋଳନରେ ଯଦୁମଣି ମଙ୍ଗରାଜ, ରାଜକୃଷ୍ଣ ବୋଷ, ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଭାଗିରଥି ମହାପାତ୍ର, ବୀରକିଶୋର ଦାସ, ଗୋକୁଳାନନ୍ଦ ମହାନ୍ତି ଇତ୍ୟାଦି । ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେବା ପାଇଁ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ ଚୌଧୁରୀ ମନସ୍ଥ କରି ଆରମ୍ଭ କଲେ ସତ୍ୟବାଦୀ ବନବିଦ୍ୟାଳୟ ଢାଞ୍ଚାରେ ଏକ ବିଦ୍ୟାଳୟ ଯାହାର ନାମ ଥିଲା ଅଳକାଶ୍ରମ, ଜଗତସିଂହପୁର ନିକଟସ୍ଥ ଏକ ଗ୍ରାମରେ । ଏଠାରେ ମଣିଷ ଗଢି଼ବାର ଶପଥ ନେଇ ସମାଜସେବୀ ପ୍ରାଣକୃଷ୍ଣ ପଢି଼ଆରୀ, ଗୋକୁଳାନନ୍ଦ ମହାନ୍ତି ଓ ନୀଳମଣି ପ୍ରଧାନ ଶିକ୍ଷାଦାନ ଆରମ୍ଭ କଲେ ୧୦୦ ଜଣ ଛାତ୍ରଙ୍କୁ ନେଇ । ୧୯୨୮ ମସିହାରେ ରମାଦେବୀ ସ୍ଵାମୀଙ୍କ ସହ ଯାଇ ଅଳକାଶ୍ରମରେ ରହିଲେ ଏବଂ ସେଇଠି ରହି ଦେଶ କାମରେ ଆହୁରି ମଜିଗଲେ ।

୧୯୩୦ ଅପ୍ରେଲ ମାସରେ ଆରମ୍ଭ ହୋଇଗଲା ଲବଣ ସତ୍ୟାଗ୍ରହ ଆନ୍ଦୋଳନ । ଇଞ୍ଚୁଡି, ଶ୍ରୀଜଙ୍ଗ ଯାଇ ଲୁଣାମାଟି ଆଣି କୁଜଙ୍ଗ, ପାରାଦୀପ, କାଳିଆପାଟରେ ଲୁଣ ମାରିଲେ । ପୁଲିସର ବାରଣ ହେତୁ ବସ୍ ବାଲା ସେହି ସତ୍ୟାଗ୍ରହୀ ମାନଙ୍କୁ ବସ୍’ରେ ନେବାଆଣିବା କରୁନଥିଲେ । ତେଣୁ କେବଳ ପଦଯାତ୍ରା । ଯାଜପୁର, କେନ୍ଦ୍ରାପଡ଼ା, ପଟାମୁଣ୍ଡାଇ, ମାହାଙ୍ଗା, ଧର୍ମଶାଳା ଆଦି ଅଞ୍ଚଳରେ ପାଦରେ ଚାଲିଚାଲି ଭୋକ ଉପାସରେ ଗାନ୍ଧିନୀତି, ଅସହଯୋଗ, ଖଦୀବସ୍ତ୍ର ତିଆରି, ଚାଳା ସଂଗ୍ରହ, ବିଲାତି ବସ୍ତ୍ର ବର୍ଜନ, ମଦ, ଅଫିମ ବର୍ଜନ, ଅନ୍ଧବିଶ୍ୱାସ, ଅସ୍ପୃଶ୍ୟତା ନିବାରଣ ଇତ୍ୟାଦି ଥିଲା ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ । ଅପ୍ରେଲରୁ ନଭେମ୍ବର ପଦଯାତ୍ରା ବ୍ରିଟିଶ୍ ସରକାରଙ୍କୁ ଏକ ଛୋଟ ଆହ୍ବାନ ଥିଲା କାରଣ ସେହି ଆଠ ମାସ ଭିତରେ ରମାଦେବୀ ଶହ ଶହ ସତ୍ୟାଗ୍ରହୀ ସୃଷ୍ଟି କରିସାରି ଥିଲେ । ତେଣୁ ୧୯୩୦ ନଭେମ୍ବର୍ ୧୧ ତାରିଖ ରାତି ୧୦ ଟା ସମୟରେ ଗିରଫ ହେଲେ । ଏବ ଜୀବନର ପ୍ରଥମ ଜେଲ ଦଣ୍ଡ ଭୋଗିଲେ ଭାଗଲପୁର ଜେଲରେ । ଆଠ ମାସ ପରେ ଜେଲରୁ ମୁକ୍ତି ଓ ପୁଣି ପୂର୍ବ କାର୍ଯ୍ୟ । ୧୯୩୨ ଜାନୁୟାରୀ ୨୬ ତାରିଖରେ ପୁଣି ଗିରଫ ଏବଂ କାରାବରଣ । ସେହି ବର୍ଷ ଗଠିତ ହେଲା “ଅଖିଳ ଭାରତ ହରିଜନ ସେବକ ସଂଘ” ଓଡ଼ିଶା ଶାଖାର ସମ୍ପାଦକ ରହିଲେ ରମାଦେବୀ ।

୧୯୩୪ ମେ ୬ ତାରିଖରୁ ଗାନ୍ଧିଜୀଙ୍କର ଐତିହାସିକ ହରିଜନ ପଦଯାତ୍ରା ଲାଗି ରହିଲା । ସାଥିରେ ପଦଯାତ୍ରାରେ ଥିଲେ ରମାଦେବୀ । ଗାନ୍ଧିଜୀ ଏହି ପଦଯାତ୍ରା ସମୟରେ ଭଦ୍ରକ ଷ୍ଟେସନରେ ରମାଦେବୀଙ୍କୁ କହିଲେ “ଓଡ଼ିଶାରେ ସ୍ତ୍ରୀ ଲୋକମାନଙ୍କୁ ତାଲିମ ପାଇଁ ବା କାମରେ ଲଗାଇବା ପାଇଁ କୋଣସି ସଂସ୍ଥା ନାହିଁ କି ବ୍ୟବସ୍ଥା ନାହିଁ – ସେ କାମ ତୁମେ ହାତକୁ ନିଅ ।” ନିର୍ଦେଶ କାର୍ଯ୍ୟକାରୀ ହେଲା ଏବଂ ଗଢିଉଠିଲା କଟକ ଜିଲ୍ଲା (ଅଧୁନା ଯାଜପୁର)ର ବରୀ ଠାରେ । ୧୯୩୪ ଅଗଷ୍ଟ ୧୩ ତାରିଖ ଠାରୁ ୧୯୫୨ ଜାନୁଆରୀ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଗମ, ବନ୍ୟାକ୍ଲିଷ୍ଟ ବରୀ ହୋଇ ଉଠିଲା କର୍ମସ୍ଥଳୀ ଓ ବାସସ୍ଥଳୀ । ଏହାର ନାମ ଥିଲା “ସେବାଘର” ବା ବରୀ-ଆଶ୍ରମ । ସୂତା କଟା, ଖଦୀ, ଗ୍ରାମୋଦ୍ୟୋଗ ଓ ବିବିଧ ରଚନାତ୍ମକ କାର୍ଯ୍ୟ ଆରମ୍ଭ କରି ସମାଜ ଗଠନରେ ବ୍ରତୀ ହୋଇ ଉଠିଲେ ପରିବାରର ସମସ୍ତେ । ଏ ପରି କିଛି ଶ୍ରମ ନଥିଲା, ଯାହା ଗରୀବ ଲୋକେ କରୁଥିଲେ ଅଥଚ ସେମାନେ କରୁନଥିଲେ । ଶ୍ରୀ ଗୋପବନ୍ଧୁ ଚୌଧୁରୀ, ରମାଦେବୀ ଓ ଝିଅ ଅନ୍ନପୂର୍ଣ୍ଣା ପର ଜମିରେ ମୂଲିଆ କାମ କରିବାରେ ପଛେଇ ନଥିଲେ । ମୌଳିକ କର୍ଯ୍ୟମାନ ଥିଲା ଶିକ୍ଷା, ରାଷ୍ଟ୍ରଭାଷା ପ୍ରଚାର, ନାରୀ ଜାଗରଣ, ପ୍ରୌଢ଼ ଶିକ୍ଷା, ନିଶା ନିବାରଣ, ଗୋ ସେବା, ଉନ୍ନତ କୃଷି, ମହୁମାଛି ପାଳନ, ଖଜୁରି ଗୁଡ଼ ତିଆରି, ଚମଡା କଷା କରିବା, ରୋଗୀଙ୍କୁ ଔଷଧ ବାଣ୍ଟିବା, ନଇବଢ଼ି ବେଳେ ଚୁଡ଼ା ଚାଉଳ ବାଣ୍ଟିବା, ଗରୀବ ଛାତ୍ରଛାତ୍ରୀଙ୍କ ପାଠପଢା, ଧନ୍ଦା ମୁଳକ ଶିକ୍ଷା ପ୍ରଦାନ ସହ ଦେଶ ମାତୃକାର ସେବା କରିବା ଇତ୍ୟାଦି।

ସେତେବେଳକୁ “ସେବାଘର”ର ସୁନାମ ଦେଶସାରା ବ୍ୟାପି ଯାଇଥାଏ। ୧୯୩୮ ମାର୍ଚ୍ଚ ୨୫ ତାରିଖରେ ଗାନ୍ଧି ସେବାସଂଘର ବାର୍ଷିକ ସମ୍ମିଳନୀ ବସିଲା ଡେଲାଙ୍ଗ ନିକଟସ୍ଥ ବେରବୋଇ ଠାରେ। ଭାରତର ଚାରିଆଡୁ ହଜାର ହଜାର  ସତ୍ୟାଗ୍ରହୀ, ଜନତା ଯୋଗ ଦେଲେ ଏହି ସମ୍ମିଳନୀରେ । ସମସ୍ତଙ୍କ ପାଇଁ ରାନ୍ଧିବାଢି ଖୁଆଇବା କାର୍ଯ୍ୟ କରିଥିଲେ ରମାଦେବୀ । ଏହାର ସୁପରିଚାଳନାରେ ମହାତ୍ମା ଗାନ୍ଧି ପ୍ରୀତ ହୋଇ ବହୁତ ପ୍ରଶଂସା କଲେ ରମାଦେବୀଙ୍କୁ । ୧୯୩୮ ନଭେମ୍ବର ମାସରେ ଆରମ୍ଭ ହେଲା ତାଳଚେରରେ ଗଡ଼ଜାତ ଆନ୍ଦୋଳନ । ୨୫ ହଜାରରୁ ଅଧିକ ଶରଣାର୍ଥୀଙ୍କର ସେବା କାର୍ଯ୍ୟର ଦାୟିତ୍ଵ ନେଲେ ରମାଦେବୀ।

ଅସବର୍ଣ୍ଣ ବିବାହର ଉଦାହରଣ ଦେଲେ ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀ । ପରିବାରର ତିନୋଟି ଅସବର୍ଣ୍ଣ ବିବାହ କରାଇ ଚମତ୍କୃତ କରାଇଦେଲେ ସମଗ୍ର ଓଡିଶା ଓ ଭାରତକୁ। ପ୍ରଥମେ ନବକୃଷ୍ଣ ଚୋୖଧୁରୀ ମାଳତୀ ଚୌଧୁରୀଙ୍କ ସହ, ଦ୍ଵିତୀୟରେ କନ୍ୟା ଅନ୍ନପୂର୍ଣ୍ଣାଙ୍କର ଶରତ ଚନ୍ଦ୍ର ମହାରଣାଙ୍କ ସହ ଏବଂ ପୁତ୍ର ମନମୋହନଙ୍କର ବଙ୍ଗୀୟ ବ୍ରାହ୍ମଣ କନ୍ୟା ସହ। ଆହୁରି ପାଦେ ଆଗେଇ ଯାଇଥିଲେ ରମାଦେବୀ ଏହି ଅସବର୍ଣ୍ଣ ବିବାହ କ୍ଷେତ୍ରରେ। ୧୯୪୮ ମାର୍ଚ୍ଚ ମାସରେ “ସେବାଘର”ର ଜଣେ କର୍ମୀଙ୍କୁ (ବ୍ରାହ୍ମଣ) ବିବାହ କରାଇଲେ ହରିଜନ(ପାଣ) ଘରର କନ୍ୟା ସହ ।

ଆଧାର: ମା’ ରମାଦେବୀଙ୍କ ଆତ୍ମଜୀବନୀ “ସାଧନାପଥେ”

© Niranjan Sahu

Spread the love
admin

View Comments

Recent Posts

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

3 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago

କମ୍ରେଡ ଗୋବିନ୍ଦ ପ୍ରଧାନ

ଅନ୍ୟ ଜଣେ ବିସ୍ମୃତ ମୁକ୍ତିପାଗଳ ମୁକ୍ତିଯୋଦ୍ଧା ସାଥୀ ଗୋବିନ୍ଦ ପ୍ରଧାନ: "ଲଙ୍ଗଳ ଯା'ର ଜମି ତା'ର" ଆନ୍ଦୋଳନ ଉପସ୍ଥାପନା: ଅମ୍ବିକା…

2 weeks ago

ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ…

3 weeks ago

ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~ ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ ମହା ଶୈବକ୍ଷେତ୍ର ଏକାମ୍ର…

3 weeks ago