ଦଶପଲ୍ଲା ଗଡ଼
ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ
ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା, ନୟାଗଡ଼, ଖଣ୍ଡପଡା, ରଣପୁର ଏବଂ ଦଶପଲ୍ଲା I British writter Hunter ସାହେବ ଏବଂ Remesy ସାହେବ ଙ୍କ ଲିଖିତ ଓଡିଶା ଗଡଜାତ ପୁସ୍ତକ ଅନୁସାରେ, ନୟାଗଡ଼, ଦଶପଲ୍ଲା ଆଦି ଗଡଜାତ ସୃଷ୍ଟି ପୁର୍ବରୁ,ଏହା ଓଡିଶା ରାଜାଙ୍କ ମୁଖ୍ୟ ସାମନ୍ତ ରାଜା ରଣପୁର ରାଜା ଏବଂ ବଉଦ ରାଜାଙ୍କ ଅଧୀନରେ ଥିଲା ଏବଂ ବାଙ୍କୀ ରାଜାଙ୍କ ସୀମାରେ ଅଧୁନା ଖଣ୍ଡପଡାଗଡ଼ ଥିଲା I
(ଦଶପଲ୍ଲା ରାଜବାଟୀ)
(ଦଶପଲ୍ଲା ରାଜବାଟୀ ସିଂହଦ୍ୱାର)
Hunter ସାହେବ ଙ୍କ ତଥ୍ୟ ଅନୁଯାଇ ଓଡିଶାର ତତତ୍କାଳୀନ ଗଡଜାତ ଗୁଡିକ ସାଧାରଣତଃ ପାହାଡିଆ, ଘଞ୍ଚଜଙ୍ଗଲ ମୟ ଥିବାରୁ ଏହା ଓଡିଶା ଗଜପତି ମାନଙ୍କ ପ୍ରତକ୍ଷ ଶାସନରେ ନଥିଲା. ଏହାକୁ କିଛି ଡମ ଗଡତିଆ ତଥା କିଛି ମଲ୍ଲ ଦଳପତି ଶାସନ କରୁଥିଲେ, ଏମାନଂକୁ ସେତେବେଳର ଲୋକେ ରାଜା ବୋଲି ସମ୍ଭୋଦିତ କରୁଥିଲେ.ଏମାନେ ଓଡିଶା ରାଜାଙ୍କ ଅଧିନସ୍ଥ ସାମନ୍ତରାଜା ମାନଙ୍କୁ କିଛି ଭେଟି ଦେଇ ସନ୍ତୋଷ କରି ମନ ମୁଖି ଶାସନ ଚଳାଉଥିଲେ I ସେହିପରି ନୟାଗଡ଼ ଘୁମୁସର ଖଣ୍ଡପଡା ଦଶପଲ୍ଲା ଏସବୁ ଏହି ଦଳପତିଙ୍କ ଅଧୀନ ରେ ଥିଲା,ଏମାନେ ପ୍ରକୃତରେ ରଣପୁର ଏବଂ ବଉଦ ରାଜାଙ୍କ ଅଧୀନ ଗୋମାସ୍ତା ଥିଲେ ଏବଂ ସାଧାରଣ ଲୋକଙ୍କଠୁ କର ଆଦାୟ କରି ରାଜାଙ୍କ ପାଖରେ ପୈଠ କରୁଥିଲେ I
(ଦଶପଲ୍ଲା ରାଜବାଟୀ)
  (ରାଜବାଟୀ କକ୍ଷର ମୁଖ୍ୟ ପ୍ରବେଶଦ୍ୱାର)
ଏମାନେ ସାଧାରଣତଃ ବଡ଼ ନିଷ୍ଠୁର ଏବଂ ନୃଶଂସ ପ୍ରକୃତିର ଲୋକ ଥିଲେ, ଗଡତିଆ ମାନେ ସାଧାରଣ ନାଗରିକଙ୍କୁ ଅନେକ ପ୍ରକାର ଅତ୍ୟାଚାର ଶୋଷଣ କରୁଥିଲେ I ସାଧାରଣ ଜନତା ନିରୁପାୟ ଥିଲେ, ଯାହାର ସୁଯୋଗ ନେଇ ମଧ୍ୟପ୍ରଦେଶ, ରାଜସ୍ତାନ ଆଦି ରାଜ୍ୟର ବୀର ରାଜପୁତମାନେ ଦେଶ ପାରିଧି କରୁଥିବା ବେଳେ, ଏଠାରେ ସାଧାରଣ ଜନତାଙ୍କ ପ୍ରିୟ ହୋଇ ନୃଶଂସ ଗଡତିଆମାନଙ୍କୁ ପରାସ୍ତ ତଥା ହତ୍ୟା କରି ଓଡିଶାର ଗଡଜାତ ମୁଖ୍ୟ ଗଜପତି ମହାରାଜଙ୍କ ବିଶ୍ୱାସଭାଜନ ଏବଂ ସ୍ୱୀକୃତି ପରେ ରାଜପୁତମାନେ ନୂତନ ଗଡ଼ଜାତ ରାଜ୍ୟ ସ୍ଥାପନ କରିଥିଲେ I ଏହି କ୍ରମରେ ଓଡିଶାରେ 26 ଗଡ଼ଜାତ ରାଜ୍ୟର ସୃଷ୍ଟି ହୋଇଥିଲା I
(ବାବା ନୀଳକଣ୍ଠେଶ୍ଵର ମହାଦେବ ତଥା ପଞ୍ଚାନନ ମହାଦେବ)
ବଉଦ ରାଜା (ସୂର୍ଯ୍ୟବଂଶୀ କ୍ଷତ୍ରିୟ)ଙ୍କ ବଂଶଜ ରାଜକୁମାର ସାଳଭଞ୍ଜ, (1495) ପାରିବାରିକ କଳହ ତଥା କୌଣସି କାରଣରୁ ବଉଦ ତ୍ୟାଗ କଲେ ଶ୍ରୀକ୍ଷେତ୍ରରେ କିଛିଦିନ ବାସ କରନ୍ତେ ଫେରିବା ପରେ ପ୍ରଥମେ ବରମୂଳ ପରେ ଗଣିଆରେ କିଛି ବର୍ଷ ରହିଲେ, କିଛି ବର୍ଷ ଉପାନ୍ତେ ପଡୋଶୀ ରାଜ୍ୟ ନୟାଗଡ଼ର ରାଜାଙ୍କ ସହ ବନ୍ଧୁତା ରଖି ନୟାଗଡ଼ ଶାସିତ ଅଞ୍ଚଳରୁ କିଛି ଉପହାର ସ୍ୱରୂପ ପାଇ ସେଠାରେ ରାଜା ବୋଲାଇ ଶାସନ କଲେ ଯାହାକୁ ବର୍ତମାନ ପୁରୁଣା ଦଶପଲ୍ଲା କୁହାଯାଏ. ବଉଦ ରାଜା ଏହା ଯାଣି କ୍ରୋଧ କଲେ, କିନ୍ତୁ ବଉଦ ରାଜାଙ୍କ ମୃତ୍ୟୁ ପରେ ସେ ତାଙ୍କ ଅଧିକାର ସ୍ୱରୂପ ବଉଦ ରାଜ୍ୟରୁ କିଛି ଅଂଶ ପାଇ ନିଜକୁ ସ୍ୱାଧୀନ ରାଜା ଘୋଷଣା କଲେ. ଏହାପରେ ତାଙ୍କ ବଂଶଜ ତଥା ସୂର୍ଯ୍ୟବଂଶୀ ରାଜା ପଦ୍ମନାଭ ଭଞ୍ଜ ଅଷ୍ଟମ ରାଜା (1701-1753)ଏକ ନୂତନ ଗଡ଼ ଯାହାକୁ ବର୍ତମାନର ଦଶପଲ୍ଲାଗଡ଼ କୁହାଯାଏ ସ୍ଥାପନ କରିବାର ଇତିହାସରୁ ଜଣାପଡେ I
(ମା କାଞ୍ଜିଖାଇ ଠାକୁରାଣୀ,(ନୀଳକଣ୍ଠେଶ୍ୱେର ମହାଦେବଙ୍କ ମନ୍ଦିର ଭିତରେ ପୂଜା ପାଉଛନ୍ତି)
ଅଧୁନା ଦଶପଲ୍ଲା ପୂର୍ବେ କୁଞ୍ଜ ମଲ୍ଲିକ ନାମକ ଏକ କନ୍ଧ ମଲ୍ଲ ଅଧୀନରେ ଥିଲା ଏବଂ ତାଙ୍କ ଅଧୀନରେ ଦଶଟି କନ୍ଧ ମୁଖିଆଙ୍କ ଦ୍ୱାରା ଦଶଟି ପଲ୍ଲୀରେ ତାଙ୍କ ଶାସନ ସୀମିତ ଥିଲା I କୁଞ୍ଜମଲ୍ଲିକଙ୍କ ଇଷ୍ଟଦେବୀ ମା’ ନାଇକାଶୁଣି ଠାକୁରାଣୀ ଥିଲେ ଯାହାଙ୍କୁ ସେ ବଳିଭୋଜା ଦେଇ ପୂଜା ଭକ୍ତି ରେ ପ୍ରସନ୍ନ କରି ନିର୍ଭୟରେ ଶାସନ କରୁଥିଲେ, ରାଜା ପଦ୍ମନାଭ ଭଞ୍ଜ ଅଷ୍ଟମ ରାଜା (1701-1753)ଏକଦା ଅଶ୍ଵାରହୀ ହୋଇ ପାରିଧି କରି ବାହାରିଲେ ସାହେବ ଏକ ସ୍ଥାନରେ ଦେଖିଲେ ଏକ ବିରାଟ ସାର୍ଗୁଣା ଉପରେ ଗୋଟିଏ କାଉ ମାଡ଼ିବସିଛି, କିଛି ସ୍ଥାନୀୟ ପୁରୁଖା ଲୋକଙ୍କ କଥା ଅନୁଯାଇ ସାର୍ଗୁଣା ଉପରେ ଏକ କପୋତ ମାଡ଼ିବସିଥିଲା I ରାଜା ୟେ ବିଚିତ୍ର ଦୃଶ୍ୟଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ଏହାକୁ ବୀରମାଟି ମନେକରି ସେଠାରେ ନିଜର ନୂତନଗଡ଼ ସ୍ଥାପନ ପାଇଁ ମନସ୍ତ କଲେ, କିନ୍ତୁ ଏହା ପୁର୍ବରୁ ଉକ୍ତ ବୀରଭୂମିଟି କୁଞ୍ଜ ମଲ୍ଲିକ କନ୍ଧ ମଲ୍ଲ ଅଧୀନରେ ଥିଲା, ଅତେଵ ରାଜା କନ୍ଧ ମଲ୍ଲିକ ସହ ଯୁଦ୍ଧ କଲେ କିନ୍ତୁ ବାରମ୍ବାର ପରାସ୍ତ ହେଲେ, ମା’ଙ୍କ ଅଭୟରୁ କନ୍ଧ ଅପରାଜୟ ହେଲେ ! କିଛି ଦିନ ଅନ୍ତେ ରାଜା ପଦ୍ମନାଭ ଭଞ୍ଜ ଦେବୀଙ୍କ ପୂଜାର ଗୁପ୍ତରହସ୍ୟ ନିଜ ଗୁପ୍ତଚରଙ୍କ ଦ୍ୱାରା ପ୍ରାପ୍ତ କଲେ I ଅତେଵ ଦେବୀ ମା’ ନୟାକଶୁଣିଙ୍କୁ ବଳି ଭୋଜା ଦେଇ ଆରାଧନା କରି ସନ୍ତୁଷ୍ଟ କରନ୍ତେ, ଯୁଦ୍ଧରେ କନ୍ଧମଲ୍ଲ କୁଞ୍ଜମଲ୍ଲିକ ସହ ଅନ୍ୟ ଦଶପଲ୍ଲୀ ଅଞ୍ଚଳର ଦଶ ମୁଖିଆଙ୍କୁ ପରାସ୍ତ କରି ହତ୍ୟାକଲେ I ମୃତ୍ୟୁପୁର୍ବରୁ କନ୍ଧବୀର କୁଞ୍ଜକୁ ଦେଇଥିବା ପ୍ରତିଶୃତି ରକ୍ଷାକରି ରାଜା ଗଡ଼ର ନାମ କୁଞ୍ଜବନଗଡ଼ ତଥା ଦଶଟା ପଲ୍ଲୀକୁ ମିଶାଇ ଗଡ଼ ସ୍ଥାପନ କରିଥିବାରୁ ଦଶପଲ୍ଲା ରଖାଇଲେ ଏବଂ ଦଶ କନ୍ଧ ମୁଖିଆଙ୍କ ସହ କୁଞ୍ଜବନ ମଲ୍ଲିକଙ୍କ ମୁଣ୍ଡକୁ ଦେବୀ ମା’ ନାୟିକାଶୁଣୀଙ୍କ ଚରଣେ ମାଟିତଳେ ପୋତିଲେ, ଯାହା ଦେବୀଙ୍କ ସହ ପୂଜା ପାଇଆସୁଛନ୍ତି I
(କନ୍ଧମଲ୍ଲ, କୁଞ୍ଜ ମଲ୍ଲିକଙ୍କର ଆରାଧ୍ୟ ତଥା ଦଶପଲ୍ଲାଗଡ଼ର ଇଷ୍ଟ ଦେବୀ ମା’ ନାଇକାଶୁଣି ଦେବୀ,
ମା’ଙ୍କ ଚରଣ ତଳ ଚଟାଣରେ କୁଞ୍ଜ ମଲ୍ଲିକ ସହ ଅନ୍ୟ ଦଶଜଣ କନ୍ଧଙ୍କ ମୁଣ୍ଡ ପୋତାଯାଇଛି)
ଆଉ କିଛି ପୁରୁଣା ଲୋକଙ୍କ କଥା ଅନୁଯାଇ କନ୍ଧ କୁଞ୍ଜ ମଳିକଙ୍କ ମୁଣ୍ଡ ସହ ମା’ ନାଇକାଶୁଣିଙ୍କ ଦେବୀଙ୍କ ସାତଭଉଣୀଙ୍କ ମୁଣ୍ଡ ଏଠାରେ ପୋତାଯାଇ ପୂଜା କରାଯଉଛି I ଶୁଣାଯାଏ କୁଞ୍ଜ ମଳିକଙ୍କ ବଂଶଧର ଏବେ ମଧ୍ୟ ଫୁଲବାଣୀ ଗୁମାଗଡ଼ ଠାରେ ବାସ କରୁଛନ୍ତି ଏବଂ ଦଶହରା ଆଦି ପର୍ବମାନଙ୍କରେ ଆଜି ଭି ସେମାନେ ନିଜ ପାରମ୍ପରିକ ବେଶ ଏବଂ ବାଦ୍ୟଯନ୍ତ୍ର ସହ ଆସି ଏଠାରେ ମା’ ନାଇକାଶୁଣିଙ୍କୁ ପୂଜା କରନ୍ତି I ମା’ଙ୍କ ବଡ଼ଭଉଣୀଙ୍କ ନାମ ଦେବୀ ଦାୟିନୀ, ଯାହାଙ୍କୁ ଦଶହରା ପୂର୍ବଦିନ ଏକ ସ୍ୱତନ୍ତ୍ର ପୂଜା କରାଯିବାର ପରମ୍ପରା ଅଛି I
ଦେବୀଙ୍କୁ ନିଜ ବଂଶର ଇଷ୍ଟ ତଥା ଗଡ଼ର ଗଡ଼ଦେବୀ ରୂପରେ ରାଜା ରାଜବାଟୀ ମଧ୍ୟରେ ସ୍ଥାପନ କଲେ, କନ୍ଧମାନଙ୍କ ଦ୍ୱାରା ନୂତନ ରାଜପ୍ରସାଦ ନିର୍ମାଣ କରାଇଲେ, ରାଜବାଟୀରେ ରାଜପରମ୍ପରା ଅନୁଯାୟୀ ରୋପ୍ୟ ନିର୍ମିତ୍ତ କନକଦୁର୍ଗା ମୂର୍ତ୍ତି ସ୍ଥାପନ କଲେ, ତଥା ନିଜ ବଂଶର ଇଷ୍ଟଦେବତା ରୂପେ ଶ୍ରୀ ରାଧାକାନ୍ତ ଠାକୁରଙ୍କ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା କରାଇଲେ I ରାଜ୍ୟର ଚିନ୍ନ ରଖିଲେ ସୂର୍ଯ୍ୟଯୁକ୍ତ ମୟୁର, କାରଣ ଦଶପଲ୍ଲା ଭଞ୍ଜବଂଶୀମାନେ ସୂର୍ଯ୍ୟବଂଶୀ ତଥା ଏମାନଙ୍କ ପୂର୍ବଜ ହେଉଛନ୍ତି ମୟୁରଭଞ୍ଜ ଏବଂ କେଉଁଝର ଭଞ୍ଜବଂଶୀ ରାଜାମାନେ I (ବଉଦ ଇତିହାସ ଅନୁଯାୟୀ)
(ଦଶପଲ୍ଲା ରାଜବଂଶୀଙ୍କ ଇଷ୍ଟଦେବତା ଶ୍ରୀ ରାଧାକାନ୍ତ ଜୀଉ)
(କୁଞ୍ଜବନଗଡ଼ ତଥା ଦଶପଲ୍ଲାର ଇଷ୍ଟ ଆରାଧ୍ୟ ଭଗବାନ ମହାବୀର ହନୁମାନ)
ଏହା ବ୍ୟତୀତ ଗଡ଼ମଧ୍ୟରେ ରୁଦ୍ରକାଳୀଙ୍କୁ ମଧ୍ୟ ଗଡ଼ ଠାକୁରାଣୀ ରୂପେ ସ୍ଥାପନ କରାଇଲେ, ଦେବୀ ମା’ ଶ୍ରୀ ନୀଳକଣ୍ଠେଶ୍ୱେର ମହାଦେବଙ୍କ ମନ୍ଦିର ଭିତରେ ଏକ ଗୁମ୍ଫାରେ ଗୁପ୍ତରେ ପୂଜା ପାଇଥାନ୍ତି, କେବଳ ବର୍ଷକୁ ଥରେ ମା’ ଦଣ୍ଡଯାତ୍ରା ସମୟେ ମହାପ୍ରଭୁ ନୀଳକଣ୍ଠେଶ୍ୱେରଙ୍କ ସହ ସର୍ବସାଧାରଣ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ଗହଣକୁ ବିଜେ ହୋଇଥାନ୍ତି I ରାଜା ପଦ୍ମନାଭ ଭଞ୍ଜ, ନୟାଗଡ଼ ରାଜାଙ୍କ ଠାରୁ ତାଙ୍କ ପୂର୍ବଜ ମାନେ ନେଇଥିବା ପୁରୁଣା ଦଶପଲ୍ଲା ଗଡ଼କୁ ଫେରାଇଦେଇଥିଲେ, ଯାହା ବର୍ତମାନ ଦଶପଲ୍ଲା ନିର୍ବାଚନ ମଣ୍ଡଳ ଅନ୍ତର୍ଗତ ଅଛି I
(ଦଶପଲ୍ଲା ରାଜବାଟୀ ମଧ୍ୟରେ ଥିବା ରାଜାଙ୍କ ଇଷ୍ଟଦେବୀ ମା’ କନକଦୁର୍ଗାଙ୍କ ମନ୍ଦିର)
(ବର୍ଷକୁ ଥରେ ମା’ ରୁଦ୍ରକାଳୀ (ରାଜାଙ୍କ ଗଡ଼ଦେବୀ) ଶ୍ରୀ ନୀଳକଣ୍ଠେଶ୍ୱେର ମହାଦେବଙ୍କ ସହ ଦଣ୍ଡଯାତ୍ରାରେ
ଗଡ଼ପରିକ୍ରମା କରୁଥିବା ସମୟରେ, ଗୁପ୍ତପୂଜା କାରଣରୁ ମା’ଙ୍କ ବିଗ୍ରହ ସର୍ବସାଧାରଣ ଦର୍ଶନ ନିଷେଧ)
କାଳକ୍ରମେ ସୂର୍ଯ୍ୟବଂଶୀ ଭଞ ରାଜାମାନେ ଗଡ଼ରେ ଅନେକ ବିଷ୍ଣୁ, ଶିବ, ଦେବୀ ମନ୍ଦିର ମାନ ସ୍ଥାପନ, ଗଡ଼ର ନାଗରିକଙ୍କ ପାଇଁ ଅନେକ ସ୍ୱାସ୍ଥକେନ୍ଦ୍ର, ବିଦ୍ୟାଳୟ, ଜଳକୀର୍ତ୍ତି ନିମନ୍ତେ ଅନେକ ପୁଷ୍କରିଣୀ ନିର୍ମାଣ କଲେ, ଠାକୁରଙ୍କ ପାଇଁ ବିଭିନ୍ନ ଯାନିଯାତ୍ରା କରାଇଲେ I ସେଥିମଧ୍ୟରୁ ମହାବୀର ହନୁମାନଙ୍କ ଲଙ୍କାପୋଡି ଯାତ୍ରା ଅନ୍ୟତମ ଯାହା ବର୍ତମାନ ବିଶ୍ଵପ୍ରସିଦ୍ଧ I ଏହା ଆନୁମାନିକ 1802 ମସିହା ତତ୍କାଳୀନ ଦଶପଲ୍ଲା ରାଜା ସାହେବଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା, ଯାହାର ମୁଖ୍ୟ ଆକର୍ଷଣ 35 ପୁଟ ଉଚ୍ଚତା ବିଶିଷ୍ଟ ଚକଲଗା କାଷ୍ଠ ନିର୍ମିତ ବିରାଟ ରାବଣ ପ୍ରତିମୂର୍ତ୍ତି I
(ଦଶପଲ୍ଲାର ବିଶ୍ଵପ୍ରସିଦ୍ଧ ଲଙ୍କପୋଡି ଯାତ୍ରାର ମୁଖ୍ୟ ଆକର୍ଷଣ ଚକଲଗା କାଷ୍ଠନିର୍ମିତ ବିରାଟ ରାବଣ ପ୍ରତିମୂର୍ତ୍ତି)
(ଦଶପଲ୍ଲା ବିଶ୍ଵପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାରେ କଳାକାର ମାନେ ବ୍ୟବହାର କରୁଥିବା ମୁଖା)
ଦଶପଲ୍ଲାର ଶେଷ ରାଜା ପୂର୍ଣ୍ଣଚନ୍ଦ୍ର ଦେବ ଭଞ୍ଜ ବର୍ତମାନ ଏଠାରେ ରୁହନ୍ତି ନାହି I ରାଜା ନିଜ ପରିବାର ସହ ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ବାସ କରନ୍ତି I ବିଶାଖାପାଟଣା ଠାରେ ରାଜାଙ୍କ ଏକ ନିଜର ପଞ୍ଚତାରକା ହୋଟେଲ ଅଛି ଯାହାର ନାମ ରାଜା “Hotel Dashpalla” ରଖିଛନ୍ତି I ଉକ୍ତ ହୋଟେଲଟି ମଧ୍ୟ ଏକ ରାଜପ୍ରସାଦ ସଦୃଶ I
(ରାଜା କିଶୋରଚନ୍ଦ୍ର ଦେବଭଞ୍ଜ, ବ୍ରିଟିଶ ଶାସିତ ଦଶପଲ୍ଲାର ଶେଷ ରାଜା )
Daspalla Dasapalla Gada Kunjabana Gada Lankapodi Jatra Nayagarh Nayagada Itihasa Prasant Das
Spread the love
Antaranga Kalinga

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago