ସୌରଭିତ ସୃଷ୍ଟି: ବିଛନ୍ଦ ଚରଣ ପଟ୍ଟନାୟକ

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ବିଶ୍ଵର ବିସ୍ମୟ। ସେ ସୂକ୍ଷ୍ମ ନା ସ୍ଥୂଳ, ସାକାର ନା ନିରାକାର, ସଗୁଣ ନା ନିର୍ଗୁଣ, ବେଦାନ୍ତର୍ଗତ ନା ବେଦ ରହିତ ଏ ସବୁର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଅଲୌକିକ ବିଗ୍ରହ, ଅପରୂପ ପରିପ୍ରକାଶ ପାଖରେ ଯୁଗ ଯୁଗ ଧରି ମୁନିଋଷି, ଭକ୍ତ, ସାଧକ, ଭାବୁକ, ଜ୍ଞାନୀ, ଗୁଣୀ, ନାସ୍ତିକମାନଙ୍କର ଆକଳନରେ ପୂର୍ଣ୍ଣଛେଦ ପଡ଼ିବା ମଧ୍ୟ ଅସମ୍ଭବ ହୋଇପଡିଛି। ସେହି ସମସ୍ତ ରୂପାନ୍ତରିତ ହୋଇଉଠିଛି ଭକ୍ତ ହୃଦୟରେ କାବ୍ୟକବିତା, ଜଣାଣ, ସ୍ତୁତି ମାଧ୍ୟମରେ, ଯାହାର ସଂଖ୍ୟା କଳନା କରିବାର ଉର୍ଦ୍ଧ୍ଵରେ।

ତେବେ ଶ୍ରୀ ଶଙ୍କରାଚାର୍ଯ୍ୟ ପ୍ରଣୀତ ‘ଶ୍ରୀଜଗନ୍ନାଥାଷ୍ଟକମ୍’ ଯାହାକି ଏକ ବିନମ୍ର ସ୍ତୁତି ସମଗ୍ର ଭାରତରେ ଅଦ୍ୱିତୀୟ। ଆମ ଓଡ଼ିଆ ସାହିତ୍ୟ‘ଭଞ୍ଜଭଗିରଥ’ ଶ୍ରୀ ବିଛନ୍ଦ ଚରଣ ପଟ୍ଟନାୟକ ଏହାକୁ ଆମରି ଓଡ଼ିଆ ଭାଷାରେ ଅନୁବାଦ କରି ଆମ ସାହିତ୍ୟକୁ ଯେଉଁ ଭାବେ ସମର୍ପିତ କରିଛନ୍ତି, ତାହା ସର୍ବଦା ସ୍ମରଣୀୟ।

~ ଶ୍ରୀଜଗନ୍ନାଥାଷ୍ଟକମ୍ ~

ଗୋପଅଙ୍ଗନା-ବଦନ-କମଳୁଁ ଯେ ମଧୁପାନ
କଲେକ ଆବର ଯା’ଙ୍କ ମୁରଲୀ-ନାଦ,
କାଳିନ୍ଦୀ-ତଟ-ବିପିନ କଲାକ ମୋଦେ ମଗନ
ରମା ଶମ୍ଭୁ ଆଦିରେ ଯେ ପୂଜିତ-ପଦ,
ପଥୁକି ମୋ’ ନୟନ ପଥେ
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ। (୧)

ବାମକରେ ମୁରଲିକା ଶିରେ ଶିଖିପୁଛ ଶିଖା
କଟିତଟେ ପୀତାମ୍ବର ଯା’ଙ୍କ ଶୋଭିତ,
କଟାକ୍ଷବାଣ ପ୍ରହାରି ମୋହନ୍ତି ଯେ ଗୋପନାରୀ
ଶ୍ରୀବୃନ୍ଦାକାନନେ ନିତ୍ୟ ହୋଇଣ ସ୍ଥିତ,
ପଥୁକି ମୋ’ ନୟନପଥେ
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ। (୨)

ଯେହୁ ମହୋଦଧିତୀରେ ସ୍ଵର୍ଣ୍ଣକାନ୍ତି ନୀଳାଦ୍ରିରେ
ସ୍ଥିତ ମହାମନ୍ଦିରରେ ନିତ୍ୟ ରାଜିତ,
ସାଦରେ ସଙ୍ଗତେ ଘେନି ବଳଭଦ୍ର ଭଦ୍ରା ବେନି
ଦେବଙ୍କୁ ପୟରସେବା କରିଣ ଦତ୍ତ,
ପଥୁକି ମୋ’ ନୟନପଥେ
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ। (୩)

ଜଗନ୍ନାଥ ବହୁତାର ଦିବ୍ୟସ୍ଵରୂପ । ସେହି ସ୍ଵୟଂ ପ୍ରକାଶିତ ପ୍ରତୀଭୂ ଚିନ୍ତାଶୀଳ ଗବେଷକମାନଙ୍କର ଯେମିତି ଗବେଷଣାର ବହୁ ଉର୍ଦ୍ଧ୍ଵରେ। କିନ୍ତୁ ଭକ୍ତ ନିକଟରେ କେବଳ ବିଚିତ୍ର ଭାବେ ଅନୁଭୂତ। ଭକତର ସ୍ତୁତି ସିଧାସଳଖ ଯୋଗାଯୋଗ କରାଇଦିଏ ଦାରୁବ୍ରହ୍ମଙ୍କ ସହ।

ବିଭିନ୍ନ ସମୟରେ ବହୁ ଜ୍ଞାନୀଗୁଣୀ ତାଙ୍କର ସ୍ତୁତିଗାନ କରି ନିଜକୁ ସମର୍ପି ଦେଇଛନ୍ତି ସେହି ରହସ୍ୟମୟ ରୂପ ନିକଟରେ। ଏହି କ୍ରମରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିବେଦିତ ‘ଶ୍ରୀଜଗନ୍ନାଥାଷ୍ଟକମ୍’ ସ୍ତୁତିର ଓଡ଼ିଆ ଅନୁବାଦକୁ ଗୁଣୀଜନ ମର୍ଯ୍ୟାଦା ଦେବାକୁ ଅନୁରୋଧ।

ଯେହୁ କୃପା-ପାରାବାର  ନବନୀରଦ ରୁଚିର
ରମାବାଣୀ-ବିନୋଦନ କମଳାନନ,
ଲକ୍ଷକୋଟି ଦେବରାଜ  ଶିରେ ଯା’ଙ୍କ ପଦରଜ
ବହନ୍ତି ବେଦାନ୍ତ ଯା’ଙ୍କୁ କରେ ବଖାଣ,
ପଥୁକି ମୋ’ନୟନପଥେ
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ। (୪)

ଯେ ପ୍ରଭୁ କରୁଣାସିନ୍ଧୁ  ଅଖିଳ ଜଗତବନ୍ଧୁ
ସିନ୍ଧୁ-ସୁତା-ଚିରି-ଇନ୍ଦୁ ଗମନ୍ତେ ରଥେ,
ବିପ୍ରଗଣ ପଥେ ମିଳି  ଗାଆନ୍ତେ ସ୍ତୁତିଆବଳୀ
ଘେନା ଯେ କରନ୍ତି ସ୍ତୁତିକଥା ସୁଚିତ୍ତେ,
ପଥୁକି ମୋ ନୟନପଥେ,
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ। (୫)

ବିରଞ୍ଚି ଶିରଭୂଷଣ  ପଦ୍ମପଳାଶଲୋଚନ
ନିଳାଦ୍ରୀ ବିହାରୀ ଯେ ଅନନ୍ତ-ମସ୍ତକେ,
ପୟର ଥାପି ଆସୀନ  ସଦା ରସାନନ୍ଦ ଘନ
ମଗନ ଶ୍ରୀରାଧାଅଙ୍ଗ-ଆଶ୍ଳେଷ ସୁଖେ,
ପଥୁକି ମୋ ନୟନପଥେ
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ। (୬)

ମଣିଷ ଯେଉଁଠି ଚର୍ମନେତ୍ରରେ ବ୍ରହ୍ମଙ୍କ ଦର୍ଶନ କରିବା ପାଇଁ ସୁଯୋଗ ପାଏ, ଇଏ ସେହି ଉଡ୍ରଦେଶ। ଏଠାରେ ପୁରୁଷୋତ୍ତମ କ୍ଷେତ୍ରରେ ନିର୍ବିକଳ୍ପ ଅବ୍ୟକ୍ତ ବ୍ରହ୍ମ ଶ୍ରୀଜଗନ୍ନାଥାଦି ମୂର୍ତ୍ତି ଚତୁଷ୍ଟୟ ରୂପେ ବିରାଜିତ। ମାନବର ଆଧ୍ୟାତ୍ମିକ ଚିନ୍ତନର ସମୁନ୍ନତ ପରିପ୍ରକାଶ ବେଦାନ୍ତ ଦର୍ଶନ। ଯୁଗେ ଯୁଗେ ସାଧୁସନ୍ଥ, କବି, ଦାର୍ଶନିକ, ଭାବୁକ, ଭକ୍ତଗଣ ସେହି ଶ୍ରୀମୁଖଙ୍କର ସ୍ତୁତି ଗାନ କରି ନିଜକୁ ଧନ୍ୟ ମନେ କରିଛନ୍ତି।ଏହି କ୍ରମରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ରଚିତ ଶ୍ରୀଜଗନ୍ନାଥାଷ୍ଟକମ୍ ଏକ ସୁନ୍ଦର ତଥା ଶ୍ରେଷ୍ଠ ସ୍ତୁତି। ସଂସ୍କୃତ ଭାଷାରେ ରଚିତ ଏହି ନୈବେଦ୍ୟକୁ ଆମରି ଓଡ଼ିଆ ଭାଷାରେ ଅନୁଦିତ ଶେଷପଦ ଗୁଡିକୁ ଓଡ଼ିଶାର ଗୁଣୀ ଭାଇଭଉଣୀମାନଙ୍କର ଅବଗତି ନିମନ୍ତେ ନିମ୍ନରେ ପ୍ରଦତ୍ତ କରାଗଲା।


ନ ମାଗଇଁ ରାଜ୍ୟସୁଖ ନ ମାଗେ ମଣିମାଣିକ୍ୟ
ନମାଗେ ନୟନ ନିଧି ବର କାମିନୀ,
ଯାହାଙ୍କ ରଚିତାବଳୀ ଗାଆନ୍ତ ଚନ୍ଦ୍ରମଉଳି
ପରାଣ ଲୋଡେ ମୋ’ ତାଙ୍କୁ ଦିନଯାମିନୀ,
ପଥୁକି ମୋ ନୟନପଥେ
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ। (୭)
ଅସାର ସଂସାର ବନ୍ଧ ଛେଦ ମୋ’ ଖରେ ମୁକୁନ୍ଦ
ଅଥଳ ପାପପୟୋଧି ଦିଅ ଶୁଖାଇ,
ହେ ନାଥ ! ଦୀନ ଅନାଥ ପାଇଁ ଶାଶ୍ଵତ ନିଶ୍ଚିତ
ପ୍ରେମପତ୍ର କ୍ଷେତ୍ରେ ଏଥି ଅଛ ରୁହାଇ,
ପଥୁକି ମୋ ନୟନପଥେ
ହୁଅନ୍ତୁ ପ୍ରାଣସ୍ଵାମୀ ମୋ’ ସେ ଜଗନ୍ନାଥେ। (୮)
ପ୍ରାକୃତ ପଦେ ପୟର ରଚିଲା ବିଛନ୍ଦ ଛାର
ସ୍ଥିରମନେ ଶୁଚିମନ୍ତ ହୋଇ ଗାଇଲେ,
ପାତକି-ପାତକମାନ  ହୁଅଇ ହେଳେ ଦହନ
ଅନ୍ତେ ବିଷ୍ଣୁ ଲୋକେ ଗତି ହୁଏ ତା’ ଭଲେ,
ଜୟ ଜୟ ଶ୍ରୀଜଗନ୍ନାଥ
ନିତ୍ୟକାଳ ପଦେ ତୁମ୍ଭ ଲୋଟୁ ମୋ ମାଥ। (୯)
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ।
Jagannathastakam Bichhanda Charan Patnaik
Niranjan Sahu
Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 week ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago