ଲେଖା: ଦେଵ ତ୍ରିପାଠୀ

~ ମାଣିଆବନ୍ଧ ଶାଢ଼ୀ ~

ଇଏ କେଉଁ କାଳର କଥା !

ଏକଦା ନିର୍ବାଣ ପ୍ରାପ୍ତିପରେ ଭଗବାନ ବୁଦ୍ଧଙ୍କୁ ମଧୁପିଷ୍ଟକ ଆହାର ଯୋଗାଇଥିଲେ ବଲ୍ଲିକ ଓ ତପସ୍ୱୀ ନାମକ ଉତ୍କଳୀୟ ବଣିକଦ୍ଵୟ ! ସେମାନେ ଥିଲେ ପ୍ରଭୁଙ୍କ ପ୍ରଥମ ଶିଷ୍ୟ । ସାଧବ ବଣିକଙ୍କର ସେ କାଳରେ ମୁଖ୍ୟ ବିପଣନ ଥିଲା ଉତ୍କଳୀୟ କାରୁକାର୍ଯ୍ୟ ମଧ୍ୟ ସୁନ୍ଦର ରେଶମ ଓ ପାଟମଠା ଶାଢ଼ୀ । ନିଃସନ୍ଦେହରେ, ତତ୍କାଳୀନ ଉତ୍କଳର ପରିସୀମା ଥିଲା ବିଶାଳ ।

ତେବେ କାଳଯବନର ପବିତ୍ର ବୋଧିଦ୍ରୂମ ଉତ୍ପାଟନ ଭୟରେ ଜଙ୍ଗଲରୁ ଲୁଚିଛପି ଚାଲିଆସିଥିଲେ କେତେ କେତେ ବୌଦ୍ଧ ବୁଣାକାର । ସୁରକ୍ଷିତ ଭାବେ ବଞ୍ଚିବା ପାଇଁ ଥାନଟିଏ ଖୋଜୁ ଖୋଜୁ ପହଞ୍ଚିଥିଲେ ଓଡ଼ିଶା ମାଟିର ଘଞ୍ଚ ଅରଣ୍ୟପୂର୍ଣ୍ଣ ଏକ ନିଭୃତ ସ୍ଥାନରେ ! ସେ ସ୍ଥାନର କି ମାୟା ଥିଲା କେଜାଣି, ସେଠାରେ ବସତି ସ୍ଥାପନ କରିଥିଲେ ସେ ବୁଣାକାରଗଣ !

ସେଇ ବଣିକଦ୍ଵୟଙ୍କ ଠାରୁ ପ୍ରସରି ସେ ସ୍ଥାନରେ ପରିବ୍ୟାପ୍ତ ହେଲା ମହାନ ବୌଦ୍ଧଧର୍ମ ଏବଂ ସେମାନଙ୍କ କମନୀୟ ବାନ୍ଧଶିଳ୍ପ । ସମୟ ଗଡ଼ି ଯାଆନ୍ତେ ସ୍ଥାନଟିର ନାମ ହେଲା ମାଣିଆବନ୍ଧ !

କଟକରୁ ଆଠଗଡ଼ ଦେଇ ଆଗକୁ ଗଲେ ପ୍ରାୟ ୩୦ କି.ମି. ଦୂରରେ ଆସେ ତିଗିରିଆ, ଆଉରି ଆଗକୁ ୧୫ କି.ମି. ଦୂରକୁ ଗଲେ ଅଭିଳଷିତ ଗାଁ ମାଣିଆବନ୍ଧ !

ଓଡ଼ିଶାର ଯେ କୌଣସି ଗାଁ ପରି, କିଛି କୋଠା, କିଛି ଚାଳଛପରର ଖୁନ୍ଦାଖୁନ୍ଦି ଅଣଓସାରିଆ ଘର, ଲମ୍ବା ଲମ୍ବା ଗାଁ ଦାଣ୍ଡ, ଘର ବାରଣ୍ଡାରେ ଜିଭ କାଢି ଧକଉଥିବା କୁକୁର, ପଘାରେ ବନ୍ଧା ପାକୁଳିକରା ଗାଈ, ନଳକୂଅ ପାଖରେ ପାଣି ପାଇଁ ଝଗଡ଼ା, ଗାଁ ଦାଣ୍ଡରେ ଅଧାଲଙ୍ଗଳା ପିଲା, ଗାଁ ଦାଣ୍ଡ ଦୋକାନରେ ଅଶ୍ଳୀଳ ଗୀତର ବାଜେଣି, ବାରଣ୍ଡାରେ ପଞ୍ଜାଏ ନିକମା ତାସ୍ ଖେଳାଳୀ ! ସବୁ ଭିତରେ ବି ଥମ୍ ଥମ୍ ନିରବତା ! ନିଶ୍ଚୁପ ! ଶବ୍ଦହୀନ !

ବାର ହଜାରରୁ ଉର୍ଦ୍ଧ୍ଵ ଜନବସତିର ସେ ଗାଁ ଦାଣ୍ଡ କିନ୍ତୁ ଥିଲା ଦିନେ ଶବ୍ଦମୟ ! ସାରା ଦିନ ଘରଗୁଡିକରୁ ଭାସି ଆସୁଥିଲା ତନ୍ତ ଚାଲିବାର ଖଟ୍ ଖଟ୍ ଶବ୍ଦ ! ସେଇ ଖଟ ଖଟ୍ ଶବ୍ଦ ଭିତରେ କିନ୍ତୁ ଦିନେ ମହକି ଉଠୁଥିଲା ଏ ମାଟିର ଅନନ୍ୟ କାରିଗରୀ ! ମାଣିଆବନ୍ଧ ଶାଢ଼ୀ ! ସେଠି ସମସ୍ତ ଅଭାବ, ଅନଟନ, ଅସୁସ୍ଥତା, ଅସହାୟତା ମଧ୍ୟରେ ବଞ୍ଚୁଥିଲେ ସହସ୍ରାଧିକ ଶିଳ୍ପୀ, କଳାର ସଙ୍ଗୀତ ଗାଇ, ରଙ୍ଗର ରୋଷଣି ଜାଳି, କାରୁକାର୍ଯ୍ୟର ଛନ୍ଦଣି ବୁଣି !

ଏ ମାଟିରେ ଶିଳ୍ପୀଟିଏ ଭାବନାରାଜ୍ୟରେ ବନିଯାଉଥିଲା ସମ୍ରାଟ ! ରଙ୍ଗର ମାୟା, ନୂଆ ନୂଆ ଶିଳ୍ପଶୈଳୀର ଛନ୍ଦଣି ତୋଳି ସେ ସେ ଜୀବନ୍ୟାସ ଦେଉଥିଲା ଓଡ଼ିଶା ମାଟିର ଅନନ୍ୟ ବୈଭବମୟ କଳାକୁ ! ତନ୍ତଚାଳିତ ସଙ୍ଗୀତର ଧ୍ୱନିମୟ ଶିହରଣରେ ଦେହ, ମନ, ପ୍ରାଣକୁ ରସପୁଷ୍ଟ କରି, ନୂଆ କଳ୍ପନାର ନିର୍ଯ୍ୟାସ ଭରି ସେ ଶିଳ୍ପୀଗଣ ସୃଷ୍ଟି କରୁଥିଲେ ଯେଉଁ ଅନନ୍ୟ ବସ୍ତ୍ର, ସେ ଥିଲା ଆମ ଇଷ୍ଟଦେବଙ୍କ ପ୍ରିୟ – ମାଣିଆବନ୍ଧ ଶାଢ଼ୀ !

କାଇଁ କେତେ ପୁରୁଷର କୌଳିକ ବେଉସା, ପିଢ଼ି ପରେ ପିଢ଼ି ଚାଲିଆସିଥିଲା ବିବର୍ତ୍ତିତ ହୋଇ ! ଜଙ୍ଗଲ ପାଖରୁ ମିଳୁଥିଲା ରଙ୍ଗ, ଆଚ୍ଚୁ ଗଛରୁ ଚନ୍ଦନରଙ୍ଗ, ଡାଳିମ୍ବ ଚୋପା ଏବଂ ହଳଦୀରୁ ହଳଦିଆ, ବାସି ତୋରାଣି ହାଣ୍ଡିରେ ହରିଡ଼ା, ଗୁଡ଼, ଲୁହାଖଣ୍ଡ ପକାଇ ରଖି ସେଥିରୁ କଳାରଙ୍ଗ, ନୀଳଚାଷରୁ ନୀଳରଙ୍ଗ ସୃଜୁଥିଲେ ଶିଳ୍ପୀ ! ପ୍ରକୃତି କୋଳରୁ ମିଳୁଥିବା ସେଇ ଭେଷଜ ରଙ୍ଗରେ ଥିଲା ଏକ ଅପୂର୍ବ ମହକ ! ସେ ମହକରେ ମହନୀୟ ମାଣିଆବନ୍ଧ ଶାଢ଼ୀ କେବଳ ମହାପ୍ରଭୁଙ୍କ ପ୍ରିୟ ନ ଥିଲା, ଆକର୍ଷି ପାରିଥିଲା ଦେଶବିଦେଶର ବସ୍ତ୍ରପ୍ରେମୀଙ୍କୁ !

ସମୟ ବଦଳିଲା ! ହଜିଗଲା ଜଙ୍ଗଲ, କଳାର ପୂଜାରୀ ମଧ୍ୟ ଦିନେ ପାଶୋରିଦେଲା ସେଦିନର ରଙ୍ଗପ୍ରସ୍ତୁତିର କୌଶଳ, ସେ ସ୍ଥାନରେ ଉଭା ହେଲା ଭଳିକି ଭଳି ରାସାୟନିକ ରଙ୍ଗ ! ସୌଦାଗରୀ ସଭ୍ୟତାର କାଳିମା ଘୋଟିଗଲା ମାଣିଆବନ୍ଧର ଆକାଶରେ ! ଯନ୍ତ୍ର ଧୀରେ ଧୀରେ କବଳିତ କରିଦେଲା ମଣିଷ ହାତତିଆରି ସେଇ ବୈଭବମୟ କଳାକୁ ! ଅଥଚ ସେଇ କଳାପୂଜାରୀ ମଣିଷର ଦାୟାଦମାନେ ନିଜ ଦକ୍ଷତାକୁ, କଳାକାରିତାକୁ ବନ୍ଧା ପକାଇଦେଲେ ଦୂରରାଜ୍ୟର ପୁଞ୍ଜିପତି ପାଖରେ !

ଯେଉଁମାନଙ୍କ ଆଙ୍ଗୁଠିର ତୂଳୀରେ ଆମ ସହରୀ ମଣିଷଙ୍କ ଦେହର ନକ୍ସା ବର୍ଣ୍ଣ ବିଭାମୟ ହୋଇ ଉଠୁଥିଲା, ସେମାନେ ଅନ୍ୟକୁ ଲୁଗା ପିନ୍ଧାଇ ମଧ୍ୟ ନିଜେ ରହୁଥିଲେ ଅର୍ଦ୍ଧନଗ୍ନ, ଅର୍ଦ୍ଧଭୁକ୍ତ !

ତଥାପି ହାରିନାହାନ୍ତି ମାଣିଆବନ୍ଧର ଶିଳ୍ପୀକୂଳ ! କିଛି ନିଷ୍ଠାବାନ ଶିଳ୍ପୀଙ୍କ ହାତରେ ବୁଣା ଚାଲିଛି ବର୍ଣ୍ଣମୟ ଶାଢ଼ୀ, ସହରୀ ମଣିଷ ପାଇଁ, ବଡ଼ଦେଉଳର ଦିଅଁଙ୍କ ପାଇଁ ! ଏଇଠି ମନେପଡ଼େ ଆମ ଜାତୀୟଗୌରବ ମଧୁସୂଦନ ଦାସଙ୍କ “ଅର୍ଥ କୋଇଲି”ର ପଦଟିଏ,
“ତନ୍ତୀକୂଳ ହେଲେଣି ତ କୁଲି,
ତିନିଦିନେ ଥରେ ତାଙ୍କ ଜଳେ ନାହିଁ ଚୁଲି !”

ତଥାପି ମାଣିଆବନ୍ଧର ବାନ୍ଧଶିଳ୍ପ ବଞ୍ଚିଛି, ଉଭୟ ଭଗବାନ ବୁଦ୍ଧ ଆଉ ଜଗନ୍ନାଥଙ୍କ ଆଶୀର୍ବାଦକୁ ଆଶ୍ରା ନ କରି ମଧ୍ୟ !

#ହିରଣ୍ୟଗର୍ଭା

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago