ବେଶ-ପାଟବ, ସଙ୍ଗୀତ-ସଂଯୋଜନା ସହ ଉନ୍ନତ ଦୃଶ୍ଯ ବିଭାଜନ ଫଳେ ସେ ଦେଇଥିଲେ ଚିତ୍ତବିନୋଦନକ ନାଟ୍ୟ-କଳା-ରସକୁ ଗୋଟିଏ ନବୀନ ଯୁଗର ଉପପାଦ୍ୟ ଆଉ ତୋଳି ଦେଇଥିଲେ ଓଡ଼ିଶାର ଅଗଣିତ ପ୍ରାଣବନ୍ତ ସମ୍ଭାରରେ ଦେଶପ୍ରେମର ଜୈତ୍ରାଗ୍ନି ! ତାଙ୍କ ଦେଶାନୁରାଗର ଗୋଟିଏ ମନୋଜ୍ଞ ପ୍ରତିଫଳନ ଘଟେ “ଉତ୍କଳ ଜନନୀଙ୍କର କରୁଣ ଗୀତି” ମାଧ୍ୟମରେ। ସୁନ୍ଦର ଛାନ୍ଦିକତାରେ ସେ ଲେଖିଛନ୍ତି –
“କାହିଁ ସେ ଶ୍ଯାମଳ ସୁନ୍ଦର ଶସ୍ୟ,
କାହିଁ ସେ ସମୀର ହିଲ୍ଲୋଳ ହାସ୍ଯ
କାହିଁ ସେହି କାନ୍ତି, କାହିଁ ସେହି ଶାନ୍ତି,
ଯେଉଁ ପ୍ରେମେ ପ୍ରାଣ-ଛନ୍ଦିତ।
କାହିଁ ସେ ବୀରଙ୍କ ରଣ-ଝଙ୍କାର,
କାହିଁ ସେ ଗରବ, କାହିଁ ଗଉରବ
କାହିଁ ଦମ୍ଭେ ଦମ୍ଭ ବାନ୍ଧିବି?
× ×××××× ×× ×××× ×××
କହ କୃପାନିଧି, କେତେ ନୀରନିଧି,
କୂଳେ ମୁଁ କାତରେ କାନ୍ଦିବି
କହ କେଉଁ ଦୋଷେ ରାତିକି ଦିବସେ,
ବସି ଦୁଃଖ ହାର ପିନ୍ଧିବି?”
ତରଳାଗଡ଼ (ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ) ରାଜବଂଶରେ ଗୋବିନ୍ଦଚନ୍ଦ୍ର ଶୂରଦେଓ ୧୮୮୪ ମସିହା ଏପ୍ରିଲ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ। ପୁରୀ ଜିଲ୍ଲାର ପୂର୍ବତନ ଗଡ଼ଜାତ ନୟାଗଡ଼ରେ ସେ ଲାଳିତ ପାଳିତ ହେଇଛନ୍ତି । ନୟାଗଡ଼ ରାଜବାଟୀର ଅତି ଆଦରର ‘ଭଣଜା ସାଆନ୍ତ’ ଥିଲେ। କାରଣ, ନୟାଗଡ଼ ରାଜ୍ୟରେ ଚତୁର୍ବିଂଶତିତମ ପୁରୁଷର ରାଜା ରଘୁନାଥ ସିଂହ ମାନଧାତା ଶୂରଦେଓ ତାଙ୍କ ମାତୁଳ ଥିଲେ। ନୟାଗଡ଼ରେ ମଧ୍ୟ ଇଂରାଜୀ ଶିକ୍ଷା ସମାପ୍ତ ହେବା ପରେ କଟକ କାଳୀଘରଠାରେ ଗୋଟିଏ ଭଡ଼ା ଘର ନେଇ ରହି ରେଭେନ୍ସାରେ ପଢିଲେ।
ରାଜାନୁରଞ୍ଜକ-ବ୍ୟବସ୍ଥା ଫଳେ ତାଙ୍କର ରହଣି ଚଳଣି ସୁରୁଖୁରୁରେ ସମ୍ପାଦନ ହୁଏ। ଊନବିଂଶ ଶତାବ୍ଦୀର ପ୍ରଥମ ଦଶକ ଭିତରେ ତାଙ୍କର ଶିକ୍ଷା ସମାପ୍ତ ହୁଏ। ୧୯୧୧ ମସିହାରେ କେନ୍ଦ୍ରାପଡାର ଖ୍ୟାତନାମା ଜମିଦାର ରାଧାଶ୍ଯାମ ନରେନ୍ଦ୍ରଙ୍କ ଦ୍ଵିତୀୟ ନାତି ଶ୍ଯାମସୁନ୍ଦରଙ୍କ କନ୍ୟା ଚନ୍ଦ୍ରପ୍ରଭା ରାଜଜେମାଙ୍କ ସହ ବିବାହ ଅନୁଷ୍ଠିତ ହୁଏ। ଯୌତୁକ ଆକାରରେ ପାଇଥିବା କଟକରେ ପ୍ରସିଦ୍ଧ ଜଗନ୍ନାଥ ବଲ୍ଲଭ ଦ୍ଵିତଳ ପ୍ରାସାଦ, ଯେଉଁଠି ଆରମ୍ଭ ହୁଏ ତାଙ୍କ ପ୍ରତିଭାଧର ଜୀବନର ଲଗ୍ନ। ପୁନଶ୍ଚ ଭାଷା ଆନ୍ଦୋଳନ ଓ ୧୮୬୬ ଦୁର୍ଭିକ୍ଷ ଓଡ଼ିଆ ଭାଷାକୁ ଯେଉଁ ଖୋରାକ ଦେଇଥିଲା, ଯୁବଚେତନାରେ ନବୀନ ପ୍ରେରଣା ଓ ଉନ୍ମାଦ ଜାଗ୍ରତ କରିଥାଏ।
ରାସଲୀଳାକୁ ଅତ୍ୟାଧୁନିକ ନାଟ୍ୟରୂପ ଦେବାରେ ଗୋବିନ୍ଦଚନ୍ଦ୍ର ଶୂରଦେଓ ଥିଲେ ପ୍ରଥମ ଦୂରଦ୍ରଷ୍ଟା। କାଳିନ୍ଦୀ ଚରଣ ଲେଖିଲେ – “ଶୂରଦେଓଙ୍କ ପଦାଙ୍କ ଅନୁସରଣ କରି ମୋହନ ସୁନ୍ଦର ଦେବ ଗୋସ୍ଵାମୀ ଅନ୍ୟ ଏକ ରାସଦଳ ଗଠନ କରିଥିଲେ। ତାହାଙ୍କ ରାସଯାତ୍ରା ମଧ୍ୟ ଓଡ଼ିଶାରେ ସୁନାମ ଅର୍ଜନ କରେ। କାନ୍ତକବି ଲକ୍ଷ୍ମୀକାନ୍ତ, କବିଚନ୍ଦ୍ର କାଳୀଚରଣ ଓ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ ଏ ଦିଗରେ ଥିଲେ ଶୂରଦେଓଙ୍କ ଉତ୍ତର ସାଧକ ଓ ଶୂରଦେଓ ହିଁ ଏମାନଙ୍କ ପଥପ୍ରଦର୍ଶକ….”
ଗୋବିନ୍ଦ ଶୂରଦେଓଙ୍କ ନାଟକ ପ୍ରହସନ ଗୁଡିକ ହେଲା – ‘ନରମେଧ ଯଜ୍ଞ’, ‘ରାସଲୀଳା’, ‘ସୁବଳ ମିଳନ’, ‘ମାନଭଞ୍ଜନ’, ‘ମାୟା ଶବରୀ’, ‘ଶ୍ରୀକୃଷ୍ଣ ମହିମା’, ‘ଇନ୍ଦ୍ରସଭା’, ‘ମେବାର ପୁତ୍ର’, ‘କୁଳରକ୍ଷା ଫାର୍ସ’, ‘ପାଠୋଇ ବୋହୂ ଫାର୍ସ’, ‘ଗୋପେଶ୍ଵର ପୂଜା ନାଟକ’, ‘ହିନ୍ଦୋଳ ବିଜୟ’, ‘ମୁକୁନ୍ଦ ଦେବ’, ‘ଧ୍ରୁବଚରିତ’, ‘ଉତ୍କଳ ରମଣୀ’, ‘ନରକାସୁର ବଧ’, ‘ମହନ୍ତ ଫାର୍ସ’, ‘ହସକୌତୁକ ଫାର୍ସ’ ପ୍ରଭୃତି। ଅନେକ ଅସୁବିଧା, ଅନଟନ ଓ ଦୈନ୍ୟ ପରେ ଗଞ୍ଜାମ ଜିଲ୍ଲାର ଶେରଗଡ଼ଠାରେ ଅବସ୍ଥାନ କରିଥିଲେ। ୧୯୩୯ ମସିହା ଜୁନ ୧୫ ତାରିଖ ଗୋଟିଏ ନାଟକ ମଞ୍ଚସ୍ଥ କରାଇ ସାରିଲା ବେଳେ ସିଏ ଆଉ ଇହଧାମରେ ନଥାନ୍ତି। ନାଟକୀୟ ବିପ୍ଳବର ଯେଉଁ ବୈତାଳିକ ଗୁଞ୍ଜରଣ ସୃଷ୍ଟି ହୋଇଥିଲା, ତାହା ପ୍ରେରିତ କରିଥିଲା ସହସ୍ର ନାଟ୍ଯକାରମାନଙ୍କୁ।
~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…
ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…
~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ କାହିଁ କେଉଁ ଆଦି ଅନାଦି କାଳରୁ ଏହି…
~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…
ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…
View Comments
ଓଡ଼ିଆ ମାଟିର ସାଂସ୍କୃତିକ ମଣିଷ ଗୋବିନ୍ଦ ଚନ୍ଦ୍ର ଶୁରଦେଓ । ପ୍ରଣାମ ଜଣାଉଛି।