ଲେଖା: ଡ. ଜୟଶ୍ରୀ ନନ୍ଦ

~ ଏଣ୍ଡୁରି ପିଠା ~
ଆମ ଓଡ଼ିଆ ଘରେ ବାର ମାସେ ତେର ପରବ। ଆମ ଓଡ଼ିଆ ଘରର ଆରାଧ୍ୟ ଦେବତା ଓ ଶ୍ରୀଜଗନ୍ନାଥ ସଂସ୍କୃତି ଯେମିତି ବିସ୍ତୃତ ଆମ ଓଡ଼ିଆ ଘରର ପରମ୍ପରା ସଂସ୍କୃତି ଠିକ୍ ସେହିପରି ବିସ୍ତୃତ । ପ୍ରତି ଘରେ ଘରେ ଅନେକ ପର୍ବପର୍ବାଣୀ ଆମେ ପାଳନ କରୁ । କେତେ ଓଷା କେତେ ପର୍ବପର୍ବାଣୀ ! ପିଲାଙ୍କ ମଙ୍ଗଳ ପାଇଁ ମାଆ ବାପା ଯେ କେତେ ପୂଜା ପାଠ ସବୁ କରନ୍ତି। ଓଡ଼ିଶାର ଅନେକ ମୁଖ୍ୟ ଓ ପାରମ୍ପରିକ ପର୍ବ ମଧ୍ୟରୁ ପଢୁଆଁ ଅଷ୍ଟମୀ ବା ପ୍ରଥମାଷ୍ଟମୀ ଅନ୍ୟତମ । ପ୍ରଥମାଷ୍ଟମୀ ଓଡ଼ିଶାରେ ପ୍ରାୟତଃ ଘରେ ଘରେ ପାଳନ କରାଯାଏ। ପ୍ରଥମାଷ୍ଟମୀ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ । ଏହି ଅଷ୍ଟମୀକୁ ସୌଭାଗିନୀ ଅଷ୍ଟମୀ ବା କାଳଭୈରବ ଅଷ୍ଟମୀ ମଧ୍ୟ କୁହାଯାଏ । କିଛି ଲୋକଙ୍କ ମତରେ ଅତୀତରେ ଲୋକମାନେ ମାର୍ଗଶିରକୁ ହିଁ ଆଦ୍ୟମାସ ବୋଲି ଧରୁଥିଲେ । ତେଣୁ ଆଦ୍ୟ ମାସର ପ୍ରଥମ/ଆଦ୍ୟ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହା ଯାଉଥିଲା ।
ପ୍ରଥମାଷ୍ଟମୀରେ ଘରର ବା ବଂଶର ପ୍ରଥମ ଜାତ ସନ୍ତାନସନ୍ତତିଙ୍କ (ପୁଅ ଝିଅ) ପାଇଁ ପାଳନ କରାଯାଏ । ସେମାନେ ନୂଆ ପୋଷାକ ପିନ୍ଧନ୍ତି ଓ ସେମାନଙ୍କୁ ବନ୍ଦାପନା କରାଯାଏ । ଏଣ୍ଡୁରୀ ପିଠା ତିଆରି ହୁଏ । ଭୋଗ ଲଗାଯାଏ। ଏଇ ଅଷ୍ଟମୀରେ ମାମୁଁ ଘରୁ ବଡ ଭଣଜା ଭାଣିଜୀ ବା ଅଜା ଆଈଙ୍କ ଘରୁ ବଡ ନାତି ନାତୁଣୀଙ୍କ ପାଇଁ ନୂଆ ଜାମା ଆସେ ।
ଅନ୍ୟ ଏକ କୋଣରୁ ବିଚାର କଲେ ପ୍ରଥମ ସନ୍ତାନ ପରିବାର ଭିତରେ ଆଶା ଓ ଭରସାର ପ୍ରତୀକ ହୋଇଥାଏ । କଥାରେ କହନ୍ତି ଘରର ବଡ ପିଲା ଆଗକୁ ଗଲେ ସାନ ମାନେ ମଧ୍ୟ ତାଙ୍କୁ ଅନୁସରଣ କରନ୍ତି। କହିବାକୁ ଗଲେ ଘରର ବଡ ପୁଅ ବା ଝିଅ ସାନ ଭାଈଭଉଣୀଙ୍କ ପାଇଁ ପଥପ୍ରଦର୍ଶକ, କନିଷ୍ଠମାନଙ୍କ ପାଇଁ ସ୍ନେହର ସାଗର ଭିତରେ ଆପଣାର ପ୍ରତିଛବି ସେ ଆଙ୍କି ପାରନ୍ତି । ଏମିତିକି ଘରର ବଡଭାଈଙ୍କୁ ବାପା ପରି ସମ୍ମ୍ନାନ ଦିଆଯାଏ ଏବଂ ବଡଭଉଣୀଙ୍କୁ ମାଆର ସ୍ଥାନ।
ଆମ ଓଡ଼ିଆ ଘରେ ବାହାଘର ବ୍ରତଘର ପୂଜା ପର୍ବ ପର୍ବାଣୀର ମୁଖ୍ୟ ଆକର୍ଷଣ ଓ ପ୍ରଧାନ୍ୟତା ସବୁବେଳେ ଖାଦ୍ୟ ଉପରେ ଥାଏ । ମଜାରେ ମଜାରେ ଅନ୍ୟ ରାଜ୍ୟର ଲୋକଙ୍କଠୁ ଶୁଣିଛି ଖାଇବା ବିନା ଆମେ ଅନ୍ୟଚିନ୍ତା କରିପାରୁନାହିଁ । ହେବା ବି ସ୍ବଭାବିକ। ବଡଖିଆ ଠାକୁର ଯେଉଁ କଳିଙ୍ଗ ମାଟିରେ ବିରାଜମାନ ସେ ମାଟିରେ ସମସ୍ତେ ଖାଦ୍ୟ ପ୍ରିୟ ହେବାତ ଆଶୀର୍ବାଦ। । କିଏ ବଞ୍ଚିବା ପାଇଁ ଖାଇଲେ ଆମେ ଖାଇବା ପାଇଁ ବଞ୍ଚୁ ।
ସବୁ ପର୍ବପର୍ବାଣୀରେ ଓଡ଼ିଶାରେ ପିଠା ପଣା ଅନ୍ନ ବ୍ୟଞ୍ଜନ ବି ଭିନ୍ନ ବନାହୁଏ । ବିଭିନ୍ନ ପର୍ବରେ ବିଭିନ୍ନ ପ୍ରକାରର ପିଠା । ପ୍ରଥମାଷ୍ଟମୀରେ ଯେଉଁ ପିଠା ହୁଏ ତାହାକୁ ଏଣ୍ଡୁରି ପିଠା ବା ହଳଦୀପତ୍ର ପିଠା କୁହାଯାଏ। ଏହି ପିଠା ହଳଦୀ ପତ୍ର ଆବରଣ ଦେଇ ତିଆରି ହୁଏ ତେଣୁ ହଳଦୀପତ୍ର ପିଠା କୁହାଯାଏ ।
#ଏଣ୍ଡୁରିପିଠା/#ହଳଦୀପତ୍ରପିଠା: ବିରି ଚାଉଳକୁ ଭଲ ଭାବରେ ଧୋଇ କିଛି ଘଣ୍ଟା ଆଗରୁ (ଆଗରାତିରୁ) ଭିଜାଇ ତାକୁ ଶିଳରେ ବଟାଯାଇ ଆଣ ତିଆରି କରାଯାଏ । ଆଣଟି ପାଣିଆ ନ କରି କାଠୁଆ କରା ଯାଇଥାଏ। ସତେଜ ଓ ଲମ୍ବା ହଳଦୀ ପତ୍ରକୁ ଦୁଈ ପଟରୁ କାଟି ତାର ମଝିଅଂଶକୁ ପିଠା ପାଇଁ ଧୋଇ ରଖାଯାଏ । ଗୋଟିଏ ମାଟି ହାଣ୍ଡିରେ ପାଣି ସହ କିଛି ହଳଦୀ ପତ୍ର କାଟି ରଖାଯାଏ । ମାଟି ହାଣ୍ଡିରେ ଅଥାର ବନାଯାଏ। ଅଥାର ଉପରେ ହଳଦୀ ପତ୍ରରେ ଆଣ ଦିଆଯାଏ ଓ ସେଥିରେ ଛେନା ନଡିଆ କୋରା ଓ ଗୁଡ ମିଶାଇ ପୁର ଦେଇ ରଖା ଯାଏ । ତା ଉପରେ ମାଟି ପଲମ ବା ଘୋଡଣୀ ଘୋଡାଇ ସିଝାହୁଏ ।
ଗାଆଁରେ ମାଟିହାଣ୍ଡିରେ ଏଣ୍ଡୁରି ପିଠା ବନାଯିବାର ଦେଖାଯାଏ, ମାଟିହାଣ୍ଡିରେ ପ୍ରଥମେ ଛୋଟ ଛୋଟ ବାଉଁଶ କାଠି ଦିଆଯାଏ ତା ଉପରେ ହଳଦୀପତ୍ର। ସେଥିରେ ପିଠା ଶିଝିବା ପାଇଁ ପାଣି ଦିଆଯାଏ । ଚୁଲି ଉପରେ ବସାଯାଏ ଓ ଘୋଡାଯାଏ । ମାଟିହାଣ୍ଡିରୁ ବାମ୍ଫ ବାହାରିଲେ, ତା ଉପରେ ହଳଦୀ ପତ୍ରରେ ଆଣ ଓ ପୁର ଦେଇ ତାକୁ ଦୁଇ ପାପୁଲିରେ ଫୋଲ୍ଡ କରି ରଖାଯାଏ । ଓ ଘୋଡଣୀ ବା ପଲମ ଉପରେ ଦେଇ ସିଝାଯାଏ ।
ଆଜିକାଲି ଏ ମାଟିହାଣ୍ଡିର ଚାହିଦା କମିଗଲାଣି । ଲୋକେ ଇଟିଲି ଛାଞ୍ଚରେ ପିଠା ସିଝାଉଛନ୍ତି। କିନ୍ତୁ ମାଟିହାଣ୍ଡିରେ ସିଝା ହେଉଥିବା ପିଠା, ମାଟିଚୁଲିରେ ସିଝା ପିଠା ଏ ସବୁର ସ୍ବାଦ ଅତି ଭିନ୍ନ। ସହରାଞ୍ଚଳରେ ଏ ସବୁ ପରିବର୍ତ୍ତନ ହେଲେ ବି ଗାଁ ଗହଳରେ ଆଜିବି ସେ ସବୁ ପାରମ୍ପରିକ ପିଠା ତିଆରି ସେହି ପୁରୁଣା ପରମ୍ପରା ଓ ପୁରୁଣା ଶୈଳୀରେ ତିଆରି ହେଉଛି ।
ପିଠା ହେବା ପରେ ପିତ୍ତଳ ଥାଳି ବା କଦଳୀ ପତ୍ରରେ ବଢା ହୁଏ ପିଠା । ଭୋଗଲାଗେ ଠାକୁରଙ୍କୁ । ନୂଆ ଜାମା/ବସ୍ତ୍ର/ କପଡା ବୃନ୍ଦାବତୀଙ୍କୁ ଲଗାଇ ଘରର ଜ୍ୟେଷ୍ଠ ସନ୍ତାନ ପିନ୍ଧନ୍ତି। ଘରେ ମାଆ କି ବୁଢିମା ସେମାନଙ୍କୁ ବନ୍ଦାପନା କରନ୍ତି। ଘରର ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ସେମାନେ ପ୍ରଣାମ କରନ୍ତି ଓ ତାଙ୍କର ଆଶୀର୍ବାଦ ଗ୍ରହଣ କରନ୍ତି। ପିଲାବେଳର ସ୍ମୃତି ପଢୁଆଁମାନେ ମଥାରେ ଟିପି ଟିପି ଚନ୍ଦନ ବି ଲଗାଇ ଥାଆନ୍ତି । ଏଣ୍ଡୁରି ପିଠା ଖାଆନ୍ତି । ସବୁ ଘରେ ଘରର ବଡ ପିଲାର ମଙ୍ଗଳ କାମନା ଓ ଦୀର୍ଘାୟୁ ହେବା ପାଇଁ ପ୍ରତି ମାଆ ବାପା ଏ ପର୍ବଟିକୁ ପିଲାଙ୍କ ପାଇଁ ପାଳନ କରିଥାଆନ୍ତି ।
ମହାପ୍ରଭୁଙ୍କ ପ୍ରିୟ ଛପନ ଭୋଗ ମଧ୍ୟରୁ ଏଣ୍ଡୁରି ପିଠା ଗୋଟିଏ। ପ୍ରତିଦିନ ଶ୍ରୀମନ୍ଦିରରେ ଏହି ପିଠା ତିଆରି ହୁଏ ଓ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ ।ପୁରୀ ବ୍ୟତୀତ ଅନ୍ୟ କେତେକ ସ୍ଥାନରେ କେବଳ ହଳଦୀପତ୍ରରେ ଯେଉଁ ପିଠା ହୁଏ ତାକୁ ଏଣ୍ଡୁରି କହନ୍ତି । କିନ୍ତୁ ଶ୍ରୀମନ୍ଦିରରେ ବର୍ଷକ ବାରମାସ ମହାପ୍ରଭୁଙ୍କୁ ଏଣ୍ଡୁରି ପିଠା ଭୋଗଲାଗେ । ଯେଉଁ ଟାକୁ ସମସ୍ତେ ପୁର ଇଡିଲି କହୁଛନ୍ତି, ପୁରୀରେ ସେଇଟାକୁ ବି ଏଣ୍ଡୁରି କୁହାଯାଏ । ଶ୍ରୀମନ୍ଦିରରେ ପ୍ରତିଦିନ ସେଇ ଏଣ୍ଡୁରି ହୁଏ।
ହଳଦୀରେ ଥିବା ଜୈବ ରାସାୟନିକ ପଦାର୍ଥ ହେଉଛି, “କୁରକୁମିନ୍”। ଏହା ଏକ ହଳଦିଆ ରଙ୍ଗର ବର୍ଣ୍ଣକ ବା ରଞ୍ଜକ ଯାହା ହଳଦୀର ପ୍ରମୁଖ ଉପାଦାନ। ଏଥିସହିତ ଥାଏ ଏକ ସୁବାସିତ ଉଦବାୟୀ ତୈଳ । ସେଥିପାଇଁ ହଳଦୀ ପତ୍ରରେ ଗୁଡ଼ାଇ ଏଣ୍ଡୁରି ପିଠା ତିଆରି କଲେ ସେଥିରୁ ଏକ ଆମୋଦିତ କ୍ଷୁଧାଉଦ୍ରେକ କାରୀ ବାସ୍ନା ବାହାରିଥାଏ । ପ୍ରଥମାଷ୍ଟମୀରେ ଏହି ହଳଦୀପତ୍ର ପିଠା ଓଡ଼ିଶାର ଘରେ ଘରେ ପରିଚିତ। ଏହିପିଠା ତାହାର ସ୍ବତନ୍ତ୍ର ମହକ ପାଇଁ ଓଡିଶାରେ ଏକ ଅତିପ୍ରିୟ ବ୍ୟଞ୍ଜନ ଭାବେ ଗଣାଯାଏ । ହଳଦୀ ଯେମିତି ତାର ଔଷଧୀୟ ଗୁଣ ପାଇଁ ସବୁଆଡେ ପରିଚିତ ହଳଦୀପତ୍ର ବି ସେମିତି ତାର ସୁଗନ୍ଧ ପାଇଁ ଅତି ପ୍ରିୟ। ମାର୍ଗଶିର ମାସ ଗୁରୁବାର ଲକ୍ଷ୍ମୀଙ୍କ ପାଖରେ ମଧ୍ୟ ଏଣ୍ଡୁରି ପିଠା ଭୋଗଲାଗେ। ଏଣ୍ଡୁରି ପିଠାର ଅନ୍ୟ ଏକ ଗୁଣ ସ୍ୱାସ୍ଥ୍ୟ ବର୍ଦ୍ଧକ l କୌଣସି ତେଲ ମସଲା ନାହିଁ l କେବଳ ବାମ୍ଫ ସିଝା ହୁଏ।
ଏଣ୍ଡୁରି ପିଠା ଓଡ଼ିଆଙ୍କ ନିଜସ୍ଵ ପିଠା । ଅଥାର ହାଣ୍ଡି ବସିବା ଠାରୁ ଭାଙ୍ଗିବା ପର୍ଯ୍ୟନ୍ତ ଏଣ୍ଡୁରି ମହକୁ ଥାଏ । ଶୀତଦିନେ ହଳଦୀପତ୍ରର ଗୁଣକୁ ଆମ ଖାଦ୍ୟ ଅଭ୍ୟାସରେ ମିଶାଇ ଥଣ୍ଡାରୁ ରକ୍ଷା କରିବାର ଉପାୟ ହେଉଛି ପ୍ରଥମାଷ୍ଟମୀର ଏଣ୍ଡୁରି ପିଠା । ଆମ ଠାକୁର ଠାକୁରାଣୀଙ୍କର ପ୍ରିୟ ପିଠା ହେଉଛି ଏଣ୍ଡୁରି। ବରୁଣେଇଙ୍କର ମୁଖ୍ୟ ଭୋଗ ହେଲା ପଣସ ପତ୍ରରେ ଏଣ୍ଡୁରି ପିଠା । ଆମ ଜଗନ୍ନାଥଙ୍କୁ ଭୋଗ ହେଉଥିବା ଏଣ୍ଡୁରିରେ କିନ୍ତୁ ଚାଉଳ ପଡେନାହିଁ । ଖାଲି ବିରିରେ ପୁର ଦେଇ ବାମ୍ଫରେ ସିଝିଥାଏ ଏଣ୍ଡୁରି । ଏ ଦୃଷ୍ଟିରୁ ଘରେ ହେଉଥିବା ଏଣ୍ଡୁରି ଓ ଶ୍ରୀମନ୍ଦିରର ଏଣ୍ଡୁରି ଟିକିଏ ଅଲଗା ।
ଏଣ୍ଡୁରି ପାଇଁ ଯେଉଁ ଅଥାର ହାଣ୍ଡି ହୋଇଥାଏ ତାହା ଆଠଦିନ ଯାଏ ରୁହେ । ଶେଷଦିନ ପୁଣି ଥରେ ଏଣ୍ଡୁରି ବନାଯାଇ ସେ ଅଥାର ଭଙ୍ଗାଯାଏ । ଘର ବା ବଂଶର ଯେଉଁମାନେ ବଡ ପୁଅ ବା ବଡ ଝିଅ ନୁହନ୍ତି ବା ଘରର ପ୍ରଥମ ସନ୍ତାନ ବା ପଢୁଆଁ ନୁହଁନ୍ତି ସେମାନେ ନିଶ୍ଚିତ ଭାବେ ଏ ପର୍ବଟିକୁ ମନରେ ଗ୍ରହଣ କରୁ ନ ଥିବେ। ହେଲେ ଡେଙ୍ଗା ମୁଣ୍ଡରେ ଠେଙ୍ଗା । ବଡ ହେଲେ ଦାୟିତ୍ବ ବି ବଡ ଚିନ୍ତା ବି ବଡ ସମ୍ମାନ ବି ବଡ । ବର୍ଷରେ ଥରେ ନୂଆ ପିନ୍ଧି ସାରା ଜୀବନ ବଡର ଦାୟିତ୍ବ ତୁଲାଇବା ସହଜ ନୁହେଁ। ଯାହା ବି ହେଉ ବଡ ମାଛର କଣ୍ଟାସାର ।
ରାଜ୍ୟ ବା ଦେଶ ବାହାରେ ରହୁଥିବା ଓଡ଼ିଆମାନେ ବି ଓଡ଼ିଶାରୁ ଶୁଖିଲା ହଳଦୀପତ୍ର ଆଣିଥାଆନ୍ତି ଏଣ୍ଡୁରି ପିଠା ବନେଇବା ପାଇଁ । ସେ ଶୁଖିଲା ହଳଦୀପତ୍ର ବି ସମାନ ବାସ୍ନାଯୁକ୍ତ । ହଳଦୀପତ୍ରର ଆବରଣ ଭିତରେ ଏଣ୍ଡୁରି ପିଠାର ମହକରେ ପ୍ରଥମାଷ୍ଟମୀରେ ପୁରପଲ୍ଲୀ ମହକି ଉଠେ । ଚଳଚଞ୍ଚଳ ହୋଇ ଉଠେ ପୁରପଲ୍ଲୀ !

ଫଟୋ ସୌଜନ୍ୟ: Google & Sangram Keshari Senapati

© Dr. Jayashree Nanda
Enduri Pitha
Haladipatra Pitha
Spread the love
admin

View Comments

  • ଖୁବ ସୁନ୍ଦର ଉପସ୍ଥାପନା ଥିଲା ପ୍ରଥମାଷ୍ଟମୀ ଓ ଏଣ୍ଡୁରି ପିଠାର ସ୍ୱତନ୍ତ୍ରତା ବିଷୟରେ.. 🙏

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

5 days ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 week ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

3 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

4 weeks ago