ସୌରଭିତ ସୃଷ୍ଟି: ଡ. ମାୟାଧର ମାନସିଂହ 

~ ନରୋତ୍ତମ ସୁଢ଼ଳଦେବ ~
ସୁଢ଼ଳ ଗ୍ରନ୍ଥାବଳୀର ଏକ ଭୂମିକା ଲେଖିଦେବା ପାଇଁ ଅନୁରୁଦ୍ଧ ହୋଇ ମୁଁ ବାମଣ୍ଡାର ବର୍ତ୍ତମାନ ରାଜା ଶ୍ରୀ ଭାନୁଗଙ୍ଗ ଦେବଙ୍କ ନିକଟରେ କୃତଜ୍ଞ ଅନୁଭବ କରୁଛି। କାରଣ ସର୍ ସୁଢ଼ଳଦେବଙ୍କ ପରି ଅଲୌକିକ ପ୍ରତିଭାବନ୍ତ ନରୋତ୍ତମଙ୍କ ଜୀବନୀ ଓ ଚରିତ୍ର ଆଲୋଚନା କଲେ କିଛି ନା କିଛି ଶିକ୍ଷା ନ ପାଇବ ଏପରି ଲୋକ ଥିବା ସନ୍ଦେହ — ବିଶେଷତଃ ଓଡ଼ିଶାରେ । ସୁଢ଼ଳଦେବ ରାଜବଂଶରେ ଜାତ ହେବା ଦ୍ବାରା ଓଡ଼ିଶା ଓ ଓଡ଼ିଆ ଜାତି ବିଶେଷ କ୍ଷତିଗ୍ରସ୍ତ ହୋଇଛି ବୋଲି ମୁଁ ମନେ କରେ । ଚାରିଶ ବର୍ଷ ତଳେ ଜନ୍ମ ହୋଇଥିଲେ ତାଙ୍କ ନାମ ଖାରବେଳ, କପିଳେନ୍ଦ୍ରଙ୍କ ସହିତ ଯେ କୋଟି ମୁଖରେ ଗର୍ବର ସହିତ ସମୋଚ୍ଚାରିତ ହେଉଥାନ୍ତା ଏଥିରେ ସନ୍ଦେହ ନାହିଁ। କାରଣ ସେ ବୁଦ୍ଧିର ପ୍ରାଖର୍ଯ୍ୟ, ବହୁମୁଖିତା ଓ ଅସରନ୍ତି କର୍ମଶକ୍ତିରେ କେବଳ ଉତ୍କଳର ନୁହେଁ ପୃଥିବୀର ଇତିହାସରେ ଖ୍ୟାତନାମା, ବୁଦ୍ଧିମାନ୍, ବିଜୟୀ, ସୁଶାସକମାନଙ୍କ ସମଧର୍ମୀ ବୋଲି ମନେ ହୁଅନ୍ତି। ତାଙ୍କ ଜୀବନୀ ପଢ଼ୁ ପଢ଼ୁ ମନେହୁଏ ସେ ଯେପରି ଏକାଧାରରେ ଋଷିଆର ନବଯୁଗ ବିଧାୟକ ରାଜା ପିଟର୍ ଓ ଉତ୍ତମ ଇଂରେଜ ରାଜା ଆଲଫ୍ରେଡ଼ । ଜ୍ଞାନ ଓ କର୍ମର, ସଂପଦ ଓ ସଂସ୍କୃତିର, ପ୍ରାଚୀନ ଓ ନୂତନର, ଧନ ଓ ସାରଲ୍ୟର ଏପରି ଉଚ୍ଚକୋଟିର ମିଶ୍ରଣ ସହଜରେ ଦେଖାଯାଏ ନାହିଁ । ଏପରି ଏକ ଦୂରଦ୍ରଷ୍ଟା ଶାସକ ପାଇଁ ବାମଣ୍ଡା ପରି ଏକ ଛୋଟ ରାଜ୍ୟ ଉପଯୁକ୍ତ କ୍ଷେତ୍ର ନଥିଲା । ସେ ପ୍ରତିଭାର ପ୍ରକୃତ ପ୍ରକାଶ ହୋଇଥାନ୍ତା ଗୋଟିଏ ବିରାଟ ଜାତିର ନାୟକ ଓ ଶାସକ ଭାବରେ। ସାଧାରଣ ଘରେ ଜନ୍ମ ହୋଇଥିଲେ ସର୍ ସୁଢ଼ଳଦେବଙ୍କ ଭିତରେ ଓଡ଼ିଆ ଜାତି ଏକ ବରେଣ୍ୟ ନେତା ପାଇଥାନ୍ତା । ଛୋଟ ଏକ ରାଜ୍ୟର ରାଜା ହୋଇ ଉଭୟ ନରୋତ୍ତମ ସୁଢ଼ଳଦେବ ଓ ଓଡ଼ିଆ ଜାତି ଅଭିଶପ୍ତ ହୋଇଛନ୍ତି ।
କିନ୍ତୁ ବ୍ୟକ୍ତିଗତ ଭାବରେ ଏପରି ଜୀବନର ଐତିହାସିକ ମୂଲ୍ୟ କେବେହେଲେ କମିବ ନାହିଁ। ବାମଣ୍ଡା ପରି ଏକ ଅନୁନ୍ନତ ଜଙ୍ଗଲି ରାଜ୍ୟକୁ ଯେଉଁ ଲୋକ ନିଜ ଜୀବନକାଳରେ ଏକ ଆଦର୍ଶ ରାଜ୍ୟ କରି ଗଢ଼ି ପାରିଲା, ଯେଉଁ ଲୋକ ଇଂରାଜୀ ନ ଜାଣିଥିଲେ ମଧ୍ୟ ଓଡ଼ିଶାରେ ପ୍ରଥମ ଟେଲିଫୋନ୍, ପ୍ରଥମ ମୋଟର କାର୍, ପ୍ରଥମ ପାଣିକଳ, ପ୍ରଥମ କରତ କାରଖାନା, ପ୍ରଥମ ନିଶାନିବାରଣ ପ୍ରବର୍ତ୍ତନ କରିପାରିଥିଲା, ଏ ଦୁର୍ଗମ ଦେବଗଡ଼କୁ ଉତ୍କଳର #ବୁଧହଂସକେଳିସର କରିପାରିଥିଲା, ସେହି କ୍ଷଣଜନ୍ମା ନରପୁଙ୍ଗବ, କେବଳ ଜଣେ ରାଜୋତ୍ତମ ନୁହନ୍ତି #ନରୋତ୍ତମ ଭାବରେ ମଧ୍ୟ ଜାତିର ସର୍ବଦା ନମସ୍ୟ ହୋଇ ରହିବେ । ଆଜି ଆମ୍ଭେମାନେ ଜନକଲ୍ୟାଣ ରାଷ୍ଟ୍ରର ପ୍ରଚାର ଶୁଣୁଛୁ । ପ୍ରଚାର ଖୁବ୍ ହେଉଛି, କିନ୍ତୁ ପ୍ରତ୍ୟକ୍ଷରେ ଲୋକେ ଯେଉଁ ଲାଞ୍ଚ, ମିଛ, ଆତ୍ମ ଓ ସ୍ଵଜନପରିତୋଷଣର ଲୀଳା ଦେଖୁଛନ୍ତି, ଯେପରି ଭାବରେ ଜାତିର ଅର୍ଥ ବ୍ୟକ୍ତିପୁଞ୍ଜର ସ୍ଵାର୍ଥରେ ନିର୍ଭୟରେ ନିଃସଂକୋଚରେ ଅପବ୍ୟୟିତ ହେବାର ଦେଖୁଛନ୍ତି ଓ ବୁଝୁଛନ୍ତି, ସେଥିରେ ଅବିଶ୍ବାସ ଆସୁନାହିଁ । କିନ୍ତୁ ଓଡ଼ିଶା ସହ ମିଶ୍ରଣ ହେବା ପୂର୍ବରୁ ବାମଣ୍ଡା ଯିଏ ଦେଖିଛି, ସେ ମୁକ୍ତ କଣ୍ଠରେ କହିବ ଯେ କ୍ଷଣଜନ୍ମା ନରୋତ୍ତମ ସୁଢ଼ଳଦେବ ଜନମଙ୍ଗଳ ରାଷ୍ଟ୍ରର ଫଳବନ୍ତ ପରୀକ୍ଷା ପଚାଶ ବର୍ଷ ପୂର୍ବେ ଏଇ ଅନୁନ୍ନତ ଓଡ଼ିଶା ଦେଶରେ କରି, ତା’ର ଆଦର୍ଶ ଛାଞ୍ଚ ଛାଡ଼ିଯାଇଥିଲେ, ଯାହା ଏତେ ଶକ୍ତି ସମ୍ପନ୍ନ ଥିଲା ଯେ, ସିଂହାସନରେ ଉପବିଷ୍ଟ ବ୍ୟକ୍ତିର ପରିବର୍ତ୍ତମାନ ଚରିତ୍ରକୁ ଅପେକ୍ଷା ନକରି ତାହା ଜନସାଧାରଣର ମଙ୍ଗଳ କରିବାରେ ଚାଲିଥିଲା। ରାଜା କହିଲେ ଜନ ଚେତନାର ଧାରଣା ହେଉଛି ଜଣେ ଧନବାନ୍, କ୍ଷମତାବାନ୍ , କିନ୍ତୁ ମଦ୍ୟପାୟୀ ଚରିତ୍ର ହୀନ ବ୍ୟକ୍ତି । ରାଜା ସୁଢ଼ଳଦେବଙ୍କର ରାଜଧାନୀର ବାରମାଇଲ ଭିତରେ କିନ୍ତୁ ମଦ ପ୍ରବେଶ କରୁନଥିଲା, ତାଙ୍କର ରାଜ୍ୟରେ ଅହିଫେନ ଓ ଗଞ୍ଜାର ବିକ୍ରୟ ମଧ୍ୟ କଠୋର ଭାବରେ ନିୟନ୍ତ୍ରିତ ଥିଲା, ପଚାଶ ବର୍ଷ ତଳେ ତାଙ୍କର ଜେଲଖାନାର ବନ୍ଦୀମାନଙ୍କ ଦ୍ଵାରା ଖବରକାଗଜ ଛାପା ହେଉଥିଲା । ହାୟ ସୁଢ଼ଳଦେବ ! ରାଜା ହୋଇ ମଧ୍ୟ ତମେ ଅଭିଶପ୍ତ, ତମେ ଓଡ଼ିଶାରେ ଯାହା ଜନ୍ମ ନେଲ !
ସେ ଉଚ୍ଚକୋଟୀର ସୁଶାସକ ଓ ଶାସନ ସଂସ୍କାରକ ତ ଥିଲେ। ମୁଁ କିନ୍ତୁ ତାଙ୍କୁ ଆଜି ଏକ ଅକୁତୋଭୟ ଜାତିଗତପ୍ରାଣ ଭାରତୀୟ ପେଟ୍ରିୟଟ୍ ଭାବରେ ନମସ୍କାର କରେଁ । ଗତ ୩୦ ବର୍ଷ ହେବ ଭାରତରେ ପେଟ୍ରିୟଟର ଏକ ବଡ଼ ମାନଦଣ୍ଡ ହେଉଛି, ଇଂରେଜକୁ ଯେତେ ଯିଏ ଗାଳି ଦେଇପାରିଲା । ଆମର ଅନେକ ନେତାଙ୍କ ଠାରେ ବୁଦ୍ଧି, କର୍ମ, ଚରିତ୍ରରେ ଆଉ ବିଶେଷ ବିଶିଷ୍ଟତା ଥିବା ପରି ଜଣାପଡ଼େନା । କିନ୍ତୁ ପଚାଶ ବର୍ଷ ତଳେ ଜଣେ ଦେଶୀୟ ରାଜା ଯାର ଭାଗ୍ୟ-ସୂତ୍ର ଇଂରେଜ ଶାସକର ହାତ ମୁଠାରେ ବୋଲି ସେ ନିଜେ ଜାଣେ, ଇଂରେଜକୁ ଗାଳିଦେଇ ନେତା ବନିବା ଯେତେବେଳେ କେହି କଳ୍ପନା ମଧ୍ୟ କରିପାରୁ ନ ଥିଲେ, ଯେତେବେଳେ ଇଂରେଜ-ଶାସକର ପ୍ରତାପ ଏ ଦେଶରେ ନିର୍ବିରୋଧ ଓ ନିରଙ୍କୁଶ ସେତିକିବେଳେ ସେ ଶାସକ ଇଂରେଜମାନଙ୍କର ଭାରତୀୟଙ୍କ ହସ୍ତରେ ପରାଭବ ଏପରି ସ୍ପଷ୍ଟ, ବ୍ୟଞ୍ଜନାମୟ ଭାଷାରେ ବ୍ୟକ୍ତ କରିପାରିଥିଲେ —
ଦେଖୁ ଦେଖୁ ହତ୍ୟାକାଣ୍ଡ ଆକ୍ରମିଲା ଆସି
ଅସ୍ତ୍ର ଧରି ସଜହେଲେ ଶ୍ଵେତଦୀପବାସୀ ।
× × × ×
କିଲ୍ଲା ଚାରିପାଶେ ରହି ଗୋଳା ବରଷିଲେ
ଛାତି ଫୁଲାଇ ଶତ୍ରୁଙ୍କ ସହିତ ଯୁଝିଲେ ।
ଦୁର୍ମଦ ଝାନସୀ ସିପାହୀ ମାରି ଅକାତରେ
ଶୁଭ୍ର କଲେ ରଣକ୍ଷେତ୍ର ଶ୍ୱେତାଙ୍ଗ ଶବରେ ।
ନିଜ ସେନା ଅଳ୍ପୀୟସୀ ଦେଖି କମିସ୍ନର
କିଲ୍ଲା ଭିତରୁ ଯିବାକୁ ହେଲେ ତତପର ।
କିଲ୍ଲାରୁ ବାହାରି ରାତ୍ରେ ଶ୍ୱେତାଙ୍ଗ ସକଳେ
ବାଳିକା ମହିଳା ସଙ୍ଗେ ଚଳିଲେ ଚପଳେ ।
ଚଳନ୍ତେ ମାର୍ଗରେ ସର୍ବ ବିଦ୍ରୋହୀ ନୃଶଂସ
ସତ୍ଵରେ ମାଇଲେ ଘେରି ହୋଇ କ୍ରୋଧବଶ ।
ଦୁଗ୍ଧକଣ୍ଠ ଶିଶୁ, ନାରୀ କିଛି ନ ରଖିଲେ
ହୃଦୟ ବିଦୀର୍ଣ୍ଣ ହତ୍ୟାକାଣ୍ଡ ବିରଚିଲେ ।
“ଜୟ ମା ଜୟ ମା ଲକ୍ଷ୍ମୀବାୟୀ ଜୟ ଜୟ”
ବୋଲି ବୋଲି ରାଣୀ ଠାରୁ ଗଲେ ସୈନ୍ୟଚୟ ।
କେବଳ ସେତିକି ନୁହେଁ, ଏଇ ଦେଶୀୟ ରାଜା ବୀର-ଲଳନା ଲକ୍ଷ୍ମୀବାଈଙ୍କର ଅଶ୍ଵାରୋହୀ ପ୍ରତିମା ଗଠନ କରି ନିଜ ଉଦ୍ୟାନର ଅଳଙ୍କାର ରୂପେ ସ୍ଥାପିତ କଲେ, ଯେଉଁ ଉଦ୍ୟାନରେ କି ଇଂରେଜ ରାଜପୁରୁଷମାନଙ୍କୁ ବିହାର ପାଇଁ ନିମନ୍ତ୍ରଣ କରା ଯାଉଥିଲା । ଧନ୍ୟ ତୁମର କ୍ଷତ୍ରିୟୋଚିତ ଅକୁତୋଭୟତା ନରୋତ୍ତମ ସୁଢ଼ଳଦେବ; ଭାରତମାତାର ଜଣେ ମାତୃପ୍ରାଣ ପୁତ୍ର ରୁପେ ତୁମକୁ ମୁଁ ନମସ୍କାର କରେଁ ।
ସୁଢ଼ଳଦେବଙ୍କ ଶିକ୍ଷା ଓ ସଂଗଠନ ହିନ୍ଦୁ ଓ ପ୍ରାଚୀନ ଭାରତୀୟ ରୀତିରେ ହିଁ ହୋଇଥିଲା । ସେ ଇଂରେଜୀ ଜାଣି ନଥିଲେ । ଅଥଚ ପ୍ରାଚୀନ ଭାରତୀୟ ଆଦର୍ଶରେ ଅନୁପ୍ରାଣିତ ହୋଇ ହିଁ ସେ ପ୍ରଜା-ପାଳକ, ଉତ୍ତମ ଶାସକ ହୋଇ ପାରିଥିଲେ । ରାଜ୍ୟର ସକଳ ପ୍ରକାର ଉନ୍ନତି କରିପାରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଇଂରାଜୀର ବିନା ସାହାଯ୍ୟରେ ସ୍ଵାଧୀନତା ପ୍ରାପ୍ତ ଭାରତବର୍ଷ ତା’ର ସକଳ ବ୍ୟବସ୍ଥା ତା’ର ନିଜ ଦେଶୀୟ ଭାଷାମାନଙ୍କ ସାହାଯ୍ୟରେ କରିପାରେ ।
ପରିଶେଷରେ ଓଡ଼ିଆ ଜାତି ଯେ ସାହିତ୍ୟିକ ସୁଢ଼ଳଦେବଙ୍କ ନିକଟରେ ଚିରୠଣୀ ରହିବ, ଏ କଥା ଦର୍ଶାଇ ଦେଇ ଏ ପ୍ରବନ୍ଧ ଶେଷ କରେ । #ବୀରବାମା, #ଚିତ୍ରୋତ୍ପଳାର କବି ଓ #ଅଳଙ୍କାରବୋଧୋଦୟର ରଚୟିତା ଭାବରେ ଓଡ଼ିଆ ସାହିତ୍ୟର ଇତିହାସରେ ସୁଢ଼ଳଦେବଙ୍କ ସ୍ଥାନ ସୁନିଶ୍ଚିତ । କିନ୍ତୁ ବିଦ୍ୟାରତ୍ନଙ୍କ ସମ୍ପାଦକତ୍ଵରେ ଯେଉଁ #ସମ୍ବଲପୁର #ହିତୈଷିଣୀ ଓଡ଼ିଆ ସାହିତ୍ୟରେ ନବଯୁଗର ଆବାହନ ହୋଇଥିଲା, ତା’ର ପ୍ରତିଷ୍ଠାତା ଓ ପୃଷ୍ଠପୋଷକ ଭାବରେ #ରାଧାନାଥ , #ଫକୀରମୋହନ , #ମଧୁସୂଦନ ପ୍ରଭୃତି ଉତ୍କଳର ଶ୍ରେଷ୍ଠ କବିମାନଙ୍କର ମାନାଦରକାରୀ ପ୍ରତିଭାପୂଜକ ବିନୟୀ ରାଜପୁରୁଷ ଭାବରେ ସର୍ ସୁଢ଼ଳଦେବଙ୍କ ସ୍ମୃତି ଓଡ଼ିଆ ସାହିତ୍ୟରେ ଚିର ସମ୍ମାନିତ ହୋଇ ରହିବ ।
ଶେଷରେ ସେହି ପଣ୍ଡିତ, ସାହିତ୍ୟିକ, ବୈଜ୍ଞାନିକ, ଦୂରଦ୍ରଷ୍ଟା ଶାସକ ଓ ସଂସ୍କାରକ, ଅକୁତୋଭୟ ଦେଶପ୍ରେମୀ, ଗୁଣଜନାଗ୍ରହୀ, ଆଫଳୋଦୟକର୍ମା, ରାଜଶ୍ରେଷ୍ଠ ଓ ପୁରୁଷ ଶ୍ରେଷ୍ଠ ସର୍ ସୁଢ଼ଳଦେବଙ୍କ କୀର୍ତ୍ତି ପ୍ରତି ମୋ ଦେଶବାସୀଙ୍କର ଦୃଷ୍ଟି ଆକର୍ଷଣ କରିବାର ସୁଯୋଗ ପାଇ, ମୁଁ ବାମଣ୍ଡା ଦରବାର ପ୍ରତି ଧନ୍ୟବାଦ ଜଣାଉଛି ।
। ଇତି ।
ସମ୍ବଲପୁର
୨୧/୦୨/୧୯୫୯
Spread the love
admin

View Comments

  • ବାସୁଦେବ ସୁଢ଼ଳଦେବଙ୍କ ଦୂରଦୃଷ୍ଟି, ପାଣ୍ଡିତ୍ୟ, ପ୍ରଜାବତ୍ସଳତା ଅତୁଳନୀୟ । ଓଡ଼ିଆ ସାହିତ୍ୟକୁ ପରିପୁଷ୍ଟ କରିଛନ୍ତି ସେ ଅନେକ କିଛି ରଚନା ମାଧ୍ୟମରେ ।

Recent Posts

ଆମ ଚଳଣି

~ ଆମ ଚଳଣି ~ ଲେଖା: ଡ. ଜୟଶ୍ରୀ ନନ୍ଦ ଓଡ଼ିଆ ଘରର କଥା ନିଆରା। ଆମ ଚଳଣି ଅନନ୍ୟ।…

2 weeks ago

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 months ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

4 months ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 months ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 months ago