ଲେଖା: ନିରଞ୍ଜନ ସାହୁ

ଓଡ଼ିଶାରେ ଲୋକନାଟ୍ୟ, ନୃତ୍ୟ ପରମ୍ପରା ବହୁ ପୁରାତନ ଓ ପାରମ୍ପରିକ ଅଟେ। ଆମ ରାଜ୍ୟର ସଂସ୍କୃତି, କଳା ଓ ଧର୍ମଧାରଣାର ଏହା ଏକ ସମନ୍ୱିତ ରୂପବିଭବ। ସହସ୍ରାଧିକ ଲୋକମାନଙ୍କର ମନୋରଞ୍ଜନ ନିମନ୍ତେ ଉଦ୍ଦିଷ୍ଟ। ଗ୍ରାମବହୁଳ ଓଡ଼ିଶାର ଜୀବନଯାତ୍ରା ସହ ଜଡ଼ିତ ମେଳା ମହୋତ୍ସବ ମାନଙ୍କରେ ସାମୟିକ ଆନନ୍ଦ ପାଇଁ ଏହି ଲୋକନୃତ୍ୟ ମାନ ଅନୁଷ୍ଠିତ ହୋଇଥାଏ ।

ଆମ ରାଜ୍ୟରେ ଲୋକନୃତ୍ୟ ଓ ଲୋକନାଟକ ମାନଙ୍କ ମଧ୍ୟରେ ପ୍ରମୁଖ ହେଉଛି – ରାମଲୀଳା, କୃଷ୍ଣଲୀଳା, ରାଧାପ୍ରେମ ଲୀଳା, ସୁଆଙ୍ଗ, ରାସ, ଦୁଆରୀ ନାଚ, ଦଣ୍ଡନାଚ, ଚଇତିଘୋଡ଼ା ନାଚ, ବାଘନାଚ, ଡାଲଖାଇ, କରମା, ରସରକେଲି, ଘୁମୁରା, ରଣପା, ଶବରଶବରୁଣୀ, ଚଢ଼େଇୟା ଚଢେଇୟାଣୀ, କେଳାକେଲୁଣୀ, ପ୍ରହଲ୍ଲାଦ ନାଟକ, ଯାତ୍ରା, ଘଣ୍ଟପାଟୁଆ, ସାହି ଯାତ, ଦେଶୀଆ ନାଚ, ଦାସକାଠିଆ, ଛଉନାଚ, ମୋଗଲତାମସା, ସଞ୍ଚାର ଏମିତି କେତେ କ’ଣ । ଏହିସବୁ ନାଚ ମୁକ୍ତାକାଶ ତଳେ ପାରମ୍ପରିକ ବେଶଭୂଷାରେ ଅନୁଷ୍ଠିତ ହୋଇଥାଏ। ଆଞ୍ଚଳିକ ଭିତ୍ତିରେ ଏହି ନାଚ ସବୁ ଅନୁଷ୍ଠିତ ହେବା ପରିଲକ୍ଷିତ ହୁଏ।

~ ଡାଲଖାଇ (ଆମ ପଶ୍ଚିମାଞ୍ଚଳର ଅନନ୍ୟ ନୃତ୍ୟ) ~
ଡାଲଖାଇ ପଶ୍ଚିମ ଓଡ଼ିଶାର ସର୍ବୋତ୍କୃଷ୍ଟ ବିବେଚିତ ଲୋକପ୍ରିୟ ଲୋକନୃତ୍ୟ। ବିଶେଷତଃ ଏହା ଏକ ଧର୍ମୀୟଧାରଣା ଉପରେ ପର୍ଯ୍ୟବେସିତ। ଡାଲଖାଇ ବ୍ରତଧାରୀମାନେ ବଣ ଭିତରେ ବୃକ୍ଷ ଡାଳରେ ମା’ ମଙ୍ଗଳାଙ୍କ ଉପସ୍ଥିତିକୁ ବିଶ୍ୱାସ କରି ଏହି ବ୍ରତପାଳନ କରନ୍ତି। ଏହି ପର୍ବ ଆଶ୍ଵିନ ମାସର ମହାଷ୍ଟମୀ ଠାରୁ ଆରମ୍ଭ ହୋଇ ଦଶହରା ପର୍ଯ୍ୟନ୍ତ ତିନିଦିନ ଧରି ଆୟୋଜିତ ହୋଇଥାଏ। କେତେକ ସ୍ଥାନରେ ଆଶ୍ଵିନ ମାସର ଭାତୃଦ୍ଵିତୀୟା ଠାରୁ ଆରମ୍ଭ ହୋଇ ତିନି ଦିନ ଧରି ଏହି ପୂଜା କରାଯାଏ। ଏଥିରେ ଡାଲଖାଇ ଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଖାଦ୍ୟପେୟ ସହ ଶସ୍ୟ ପୂଜା କରାଯାଏ ଓ ବଳି ମଧ୍ୟ ଦିଆଯାଏ।

ସମ୍ବଲପୁର ଓ ତା’ର ଆଖପାଖ ଅଞ୍ଚଳରେ ଏହି ନାଚ ଟିକେ ଭିନ୍ନ ରୁଚିର ଅଟେ। ଏଥିରେ ଧାଙ୍ଗଡା (କନ୍ଧଯୁବକ) ମାନେ ଢୋଲ ମହୁରୀ ମୃଦଙ୍ଗ ଧରି ନାଚନ୍ତି ଓ ତାଙ୍କ ସହିତ ଧାଙ୍ଗଡୀ (କନ୍ଧଯୁବତୀ) ମାନେ ଦଳଗତ ହୋଇ ବାଦ୍ୟର ତାଳେ ତାଳେ ଅଣ୍ଟାକୁ ଅଣ୍ଟାରେ ହାତଦେଇ ନାଚିଥାନ୍ତି। ଏହି ନାଚର ପୋଷାକ, ପରିପାଟୀ, ବେଶ ପାରମ୍ପରିକ ଓ ଆଞ୍ଚଳିକ ଭିତ୍ତିକ।

କସ୍ତା ଶାଢ଼ୀ ଓ କେତେକ ସ୍ଥଳରେ ସମ୍ବଲପୁରୀ ଶାଢ଼ୀ, ତା ଉପରେ ରଙ୍ଗୀନ୍ ଗାମୁଛା, ଧାଙ୍ଗଡୀମାନଙ୍କ ମୁଣ୍ଡରେ ଖୋସା ଓ ସେଥିରେ ନାନା ଜାତିର ବଣଫୁଲ ଓ ଛୋଟ ଛୋଟ ପତ୍ରଲଗା ଡାଳ ଖଞ୍ଜା ଯାଇଥାଏ। ପୁରୁଷମାନେ ପାଇକ କଛାର ଆକାର ଲୁଗାକୁ ଆଣ୍ଠୁ ଉପର ଯାଏଁ ପିନ୍ଧି ଅଣ୍ଟାରେ ରଙ୍ଗୀନ୍ ଗାମୁଛା ଓ ମୁଣ୍ଡରେ ଠେକା କରି ପତ୍ରଲଗା ଡାଳଖଞ୍ଜି ଥାଆନ୍ତି, ବେକରେ ଗୁଡେଇ ହୋଇଥାନ୍ତି କାଇଞ୍ଚମାଳ, ଦେହରେ ଥାଏ ରଙ୍ଗୀନ୍ ଗଞ୍ଜି। ଏହି ଡାଲଖାଇ ନୃତ୍ୟର ଗୀତଗୁଡ଼ିକ ପୁରାଣ ସମ୍ବନ୍ଧିତ ହୋଇଥିଲେ ହେଁ (ବିଶେଷତଃ ରାଧାକୃଷ୍ଣ ପ୍ରେମ ଗୀତ), ଏଥିରେ ଆଦିବାସୀ ମାନଙ୍କର ଦୈନନ୍ଦିନ ଜୀବନଚର୍ଯ୍ୟାର ଛବି ନିହିତ।
ଉଦାହରଣ ସ୍ୱରୂପ:

ଡାଲଖାଇ ବୋ ……
କୃଷ୍ଣ ଯାଇଥିଲେ ଯମୁନା କୂଲ
ରାଧା ଯାଇଥିଲେ ଆନିବେ ଜଲ
କୁଞ୍ଜେ ଘେନି ଗଲେ କଲା କହ୍ନାଇ
ଛାଡ଼ ବୋଇଲେ ସେ ଛାଡିଲେ ନାଇ
ଯୁବା ବୟସ ଏ ନନ୍ଦର ପିଲା
ଦେହ ତାର କଲା କଲା
ମୋ ଡାଲଖାଇ ବୋ …….।।

ଏହି ରାଧାକୃଷ୍ଣ ପ୍ରେମ ଆଧାରିତ ଗୀତ ସହିତ ଯୋଡ଼ି ହୋଇଯାଇଛି ଧାଙ୍ଗଡାଧାଙ୍ଗିଡୀ ମାନଙ୍କର ଜୀବନର ପ୍ରେମ ସଙ୍ଗୀତ:

ଡାଲଖାଇ ବୋ ……..
ରାଧା ଭାବୁଥିଲେ କୃଷ୍ଣର କଥା
ମୋତେ ଲାଗିଅଛି ତୋହର ଚିନ୍ତା
କୃଷ୍ଣ ଲାଗି ରାଧା ମରୁଛେ ଝୁରି
ତୋର ଲାଗି ମୁହିଁ ହୁରି କି ଜୁରି
ମୋ ଡାଲଖାଇ ବୋ …….।।

ଯୁବକମାନେ ମାଦଳ, ଢୋଲ, ମହୁରୀ, ଝୁମକୀ ଆଦି ବାଦ୍ୟ ବଜାଇଥାନ୍ତି। ଗୀତର ତାଳେ ତାଳେ ଦଳବଦ୍ଧ ନୃତ୍ୟରୀତି ଖୁବ୍ ଚମତ୍କାର ଓ ସମ୍ପୂର୍ଣ୍ଣ ଭାବେ ଆମୋଦ ଦାୟକ। ଜୀବନ ଜଞ୍ଜାଳରୁ ମୁକ୍ତ ହୋଇଯାଆନ୍ତି କିଛି ସମୟ ପାଇଁ ଆମରି ଆଦିବାସୀ ଭାଇଭଉଣୀ। ଏହି କାମନା ସହ ଶେଷ ହୁଏ ଡାଲଖାଇ ବ୍ରତ ଓ ନୃତ୍ୟ – “ଡାଲଖାଇ ଦେବୀ ପ୍ରସନ୍ନ ହୋଇ ଆମର ଗୃହ, ପରିବାର, ସମାଜ ଓ ଗ୍ରାମର ମଙ୍ଗଳ କରିବେ” ।

Dalkhai Madala Dhola Mahuri © Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

1 month ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 month ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago