ଲେଖା: ଡ. ଜୟଶ୍ରୀ ନନ୍ଦ

ଆମ ପାରମ୍ପରିକ ଖାଦ୍ୟ: ଚୁଡା
ଗୋଟିଏ ଜାତିର ଉତ୍ଥାନ କେବଳ ଜାତିର ଭାଷା, ସଂସ୍କୃତି, ଖାଦ୍ୟ, ବସ୍ତ୍ର, ଚଳନୀ ଏ ସବୁକୁ ନେଇ ହୋଇଥାଏ । ଆମେ ଯେତେବେଳେ ଆମର ମାଆ ମାଟିର ପାରମ୍ପରିକ ଭାଷା କହୁ, ଶିଖୁ, ପଢୁ ସେତେବେଳେ ଆମ ମାତୃଭାଷାର ପ୍ରଚାର ପ୍ରସାର ଯେମିତି ହୁଏ ସେମିତି ଆମେ ଆମର ପାରମ୍ପରିକ ଖାଦ୍ୟକୁ ଯେତେବେଳେ ଆମ ଉପର ପିଢିରୁ ଶିଖୁ, ରାନ୍ଧୁ ଓ ଖାଉ ଏବଂ ଆମର ତଳ ପିଢିକୁ ଖୁଆଉ, ଶିଖାଉ ଏହା ଆଗକୁ ଯାଏ, ତଦ୍ବାରା ଆମ ପାରମ୍ପରିକ ଖାଦ୍ୟର ପ୍ରଚାର ପ୍ରସାର ହୁଏ । ଗର୍ବର କଥା କୁହାଯାଏ, ଆମ ପୁରୀ ଶ୍ରୀକ୍ଷେତ୍ରକୁ ସ୍ବୟଂ ବିଷ୍ଣୁ ତାଙ୍କର ଭୋଜନସ୍ଥଳ ବୋଲି ବାଛିଥିଲେ। ଆମ ଠାକୁର ଭୋଜନପ୍ରିୟ ବଡଖିଆ ନାମରେ ପ୍ରସିଦ୍ଧ ଆମେ ଏ ଖାଦ୍ୟରୁ ବାଦ ଯିବା କେମିତି ।
(ଚୁଡାଘସା)
ଓଡ଼ିଆ ଘରେ ଗୋଟିଏ ପ୍ରଧାନ ପାରମ୍ପରିକ ଖାଦ୍ୟ ହେଉଛି ଚୁଡା । ପ୍ରତି ଓଡ଼ିଆ ଘରେ ଆଉ କିଛି ଥାଉ ନ ଥାଉ ଚୁଡାମୁଠେ/ଗଣ୍ଡେ ନିଶ୍ଚେଥିବ । ଆଜ୍ଞା ଏ ପରା ସବୁବେଳେ ଦରକାର ଓଷାବାର, ପୁନେଇ ପରବ, ମୄତିକିଆ, ବ୍ରାହ୍ମଣ ଭୋଜନ, ଜଳଖିଆ, ନୂଆଖାଇ, ଭୋଗରାଗ, ଭାରଥୋର ସବୁଥିରେ । ଚାଷୀ ମୂଲିଆ ଘରଠାରୁ ବଡଲୋକିଆଙ୍କ ଘରଯାଏ ସମସ୍ତଙ୍କ ଘରେ । ଓଡ଼ିଆ ଘରେ ସକାଳ ହେଲେ ଚା ସାଙ୍ଗରେ ଚୁଡାଭଜା ହେଉ ବା ଚାଷୀଭାଇ ହଳ କରିବାକୁ ଯାଏ ଚୁଡାକଦଳୀ ଖାଇ । ଚାକିରିଆ ଜଣେ ଜଳଖିଆରେ ଚୁଡାକଦଳୀ କ୍ଷୀର ଆଦି ଖାଇ ଅଫିସ୍ ବାହାରି ଯାଆନ୍ତି । କିଏ ଚୁଡାଦହି କଦଳୀ ଆଦି ଖାଆନ୍ତି । କାହାର ପସନ୍ଦ ଏହାକୁ ପଖାଳ ପରି ଲୁଣ କଞ୍ଚାଲଙ୍କା ଆଦି ପକାଇ ଖାଆନ୍ତି । ଏହାର ବ୍ୟବହାର ଦୈନନ୍ଦିନ ଜୀବନରେ ଅନ୍ୟ ଶୁଖିଲା ଖାଦ୍ୟଠାରୁ ଅଧିକ ।
(ଚୁଡାକଦଳୀ, ଛେନା, ଚିନି, କ୍ଷୀର)
ଏବେ ଆରମ୍ଭ ଆମ କଳାସାଆନ୍ତଙ୍କଠାରୁ ହେଉ । ଏ ପୌଷ ମାସରେ ପହିଲି ଭୋଗରେ ଚୁଡାପୁଆ (ଚୁଡାଲଡୁ/ଚୁଡାଭଜା ଗୁଡପାଗରେ) ଭୋଗଲାଗେ । ଚୁଡାଭଜା ମଧ୍ୟ । ରଥଯାତ୍ରାରେ ହରିଶୟନ ଏକାଦଶୀରେ ଚୁଡାଘଷା ଶ୍ରୀଜଗନ୍ନାଥଙ୍କ ପାଖେ ରଥରେ ଭୋଗଲାଗେ । ଚୁଡାଘଷା ଡାଲମା ! ଆହାଃ ! ଏତେ ସ୍ବାଦଯୁକ୍ତ ! ଥରେ ଚନ୍ଦନପୁର (ପୁରୀ) ରେ ନିଶ୍ଚେ ଆଜ୍ଞା ଖାଇବେ । ଖାଲି ଚୁଡାଘଷା ଡାଲମା ନୁହେଁ ଅନେକ ଲୋକ ତା ସହ ସୁଜିଖିରି ବି ଖାଆନ୍ତି ।
(ଚୁଡାକଦଳୀ ଅମୂଲ୍)
#ଚୁଡାଘଷା: ଚୁଡା, ଚିନି, ଘିଅ, କଳାମରିଚ, ନଡିଆକୋରା ଆଦି ପଡି ତାର ମହ ମହ ବାସ୍ନା ଆଉ ତାର ସୁଆଦ ଯେ ଥରେ ଖାଇଛି ସେ ସବୁବେଳେ ମନେ ରଖିଥିବ। ବିନାୟକ ପୂଜା, ଓଷାବାରରେ ପ୍ରାୟ ଏ ଚୁଡାଘଷା ହୁଏ ।
(ଚୁଡା ଚକଟା)
#ଚୁଡାଚକଟା: ଏ ଚୁଡାଚକଟା ଆମର ଘରେ ଘରେ ପରିଚିତ । ଦାନ୍ତ ଥାଉ ବା ନ ଥାଉ ଜଳଖିଆଟି ସମସ୍ତଙ୍କ ଉପଯୋଗୀ । ଛୋଟ ପିଲାଟିଏ ଯେତେବେଳେ ଖାଦ୍ୟ ଆରମ୍ଭକରେ ପ୍ରାୟତଃ ପ୍ରଥମ ଚୁଡାଗୁଣ୍ଡରେ ଛତୁଆ ବନାଯାଇ ସେଥିରେ କ୍ଷୀର ଗୋଳାଇ ପିଲାଙ୍କୁ ଖୁଆଯାଏ । ସକାଳ ଜଳଖିଆରେ ଚା ସଙ୍ଗେ ଚୁଡାଭଜା, କ୍ଷୀରଚିନି ଚୁଡାକଦଳୀ, ଦହିଚିନି ଚୁଡାକଦଳୀ, ଅମୂଲ ଚିନି ଚୁଡା, ନଡିଆକୋରା ବି ପଡେ ଚୁଡାଚକଟାରେ ।ତାକୁ ଛାଡିଲେ ଜଳଖିଆରେ #ଚୁଡା ଉପମା, #ଚୁଡାସନ୍ତୁଳା, ଚୁଡାରେ କେହି କେହି ଚକୁଳି ବି ତିଆରି କରି ଜଳଖିଆରେ ଖାଆନ୍ତି । #ଚୁଡାପଖାଳ ଚୁଡା କୁ କେହି କେହି ପଖାଳ ପରି ବି ଖାଆନ୍ତି ଲଙ୍କା ଲେମ୍ବୁ ଆଦି ପକାଇ।
(ଚୁଡା ଗୁଡ କଦଳୀ)
ଆଜିକାଲି ଘରକୁ ବନ୍ଧୁ ବାନ୍ଧବ ଆସିଲେ ଘରର ପ୍ରତି ଗଳିରେ ଦୋକାନ ହୋଇଗଲାଣି ଜଳଖିଆ ମଗାଇ ଦୋକାନରୁ ଅତିଥି ସତ୍କାର କରାଯାଉଛି ଆଗରୁ ଘରକୁ ବନ୍ଧୁ ଆସିଲେ ଏଇ ଚୁଡାକଦଳୀ ଦହିନଡିଆରେ ହିଁ ଅତିଥି ସତ୍କାର କରାଯାଉଥିଲା । କେହି ଲୋକ ଦୂରକୁ ଗଲେ ଟ୍ରେନ୍ ବା ବସ୍ ରେ ସାଙ୍ଗରେ ଖାଇବା ପାଇଁ ଚୁଡା ନେଇ ଯାଉଥିଲେ। ଶବସଂସ୍କାର କରି ଫେରିଲେ ସାଇଭାଇ ବନ୍ଧୁବାନ୍ଧବ ଦହି ଚୁଡା କଦଳୀ ଆଦି ମିଶି ଖାଉଥିଲେ । ବ୍ରାହ୍ମଣ ଭୋଜନରେ ବ୍ରାହ୍ମଣଙ୍କୁ ଚୁଡା କଦଳୀ ଦହିଗୁଡ ଆଦି ଦିଆଯାଏ ।
(ଚୁଡାଭଜା)
ଯେତେବେଳେ ନୂଆଧାନ ଅମଳ ହୁଏ ସେତେବେଳେ ଘରର ସମସ୍ତ ଲୋକ ମିଶି #ନୂଆଖାଇ ପାଳୁଥିଲେ ସେଥିରେ ଘରର ବୟୋଜ୍ୟେଷ୍ଠ ବା ସବୁଠୁ ବଡ, ମୂରବୀ ନୂଆଲୁଗା ପିନ୍ଧି ଠାକୁରଙ୍କୁ ନୂଆଚୁଡା ଭୋଗ ଲଗାଇ ଘରର ସମସ୍ତଙ୍କ ସହ ମିଶି ଏ ନୂଆଖାଇ ପାଳନ କରନ୍ତି । ଘରେ ଘରେ ଖଇ ଉଖୁଡା ପରି ଚୁଡାଭଜାକୁ ଗୁଡପାଗ କରି ଲଡୁ ବନାଇ ଭୋଗ ଲଗାଯାଏ । #ଚୁଡାଖିରି ଅନେକ ଲୋକ ବନାନ୍ତି ଯାହା ଚାଉଳଖିରି ପରି ଅତି ସୁଆଦିଆ । ଚୁଡା ଚକଟା ସହ ଅନେକ ଲୋକ ଆମ୍ବୁଲ ରାଇ ଖାଇବା ପାଇଁ ପସନ୍ଦ କରନ୍ତି । ଚୁଡାକୁ ଘିଅ ପକାଇ ସେଥିରେ ଚିନି, ନଡିଆ ଦେଇ କେହି କେହି ଖାଆନ୍ତି । ଚୁଡା ସହ ବାଦାମ, ଶୁଖିଲାଲଙ୍କା, ଲୁଣ ଆଦି ଦେଇ ବାରମଜା (ମିକ୍ସଚର) ପରି ଲୋକମାନେ ଖାଇବା ପାଇଁ ପସନ୍ଦ କରନ୍ତି।
ଆମ୍ବ ସମୟରେ ଆମ୍ବସୋଦୁଅ, ପଣସ ଫଳୁଥିବା ସମୟରେ ପଣସ ସୋଦୁଅ ସହ କେହି କେହି ଚୁଡା ଖାଇବା ପାଇଁ ପସନ୍ଦ କରନ୍ତି । ପେଟ ଗୋଳମାଳ ହେଲେ ଡାକ୍ତର ପଛ ପ୍ରଥମ ଏ ଚୁଡାକଦଳୀ ହେଉଛି ଘରୁଆ ଔଷଧ ।
(ଚୁଡା, ନଡିଆ, ବାଦାମ, ଚିନି, ଘିଅ – ଚୁଡାଭଜା)
ଚୁଡା ଭିତରେ ପୁଣି ପ୍ରକାର ଭେଦ। ମୋଟାଚୁଡା, ପତଳା ଚୁଡା, ନାଲିଚୁଡା, ଧଳାଚୁଡା ଏମିତି କେତେ ପ୍ରକାର । ଆଜିକାଲି ଚୁଡାମଣ୍ଡା, ଚୁଡାଚକୁଳି ଆଦି ଖାଦ୍ୟରେ ନୂଆ ଟୁଇଷ୍ଟ ବି ବନାଉଛନ୍ତି । ସେ ଯାହା ହେଉ ଏ ଚୁଡା ତାର ସ୍ଥାନ ଓ ପ୍ରାଧାନ୍ୟ ବିସ୍ତାର କରୁଥାଉ । ରାଜ୍ୟ ଭିତରେ ହେଉ ରାଜ୍ୟ ବାହାରେ ଅବା ଦେଶ ଦେଶ ବାହାରକୁ ଗଲେ ଚୁଡାଛତୁଆ, ଚୁଡାଭଜା ଏ ସବୁତ ଆପଣଙ୍କୁ ମାଆ, ବୋଉ ନିଶ୍ଚେ ସାଙ୍ଗରେ ଦେଇଥିବେ । ଦିତୀୟା ଓଷା ବା ଭାରରେ ନୂଆଚୁଡା ବାପାଙ୍କ ଘରୁ ଝିଅଘରକୁ ଭାରରେ ଆସେ ।
(ଚୁଡା, କଦଳୀ, ବୁନ୍ଦିଆ)
ଆଜ୍ଞା ଯେତେ ଗାଇଲେ ଏ ଚୁଡା କଥା ଜମା ସରିବନି । ସମସ୍ତଙ୍କର ଏ ଚୁଡାଖିଆ ଅନୁଭୂତି ନିଶ୍ଚେ ଥିବ। ଆପଣ ମାନେ ଚୁଡା କେମିତି ଖାଇବାକୁ ପସନ୍ଦ କରନ୍ତି ନିଶ୍ଚେ ମତାମତରେ ଲେଖିବେ ଅବା ଆଉ କେମିତି ଚୁଡାର ବ୍ୟବହାର ହୁଏ ଅବା କେଉଁ ଓଷାବାରରେ ପର୍ବପର୍ବାଣିରେ ପୂଜାରେ ଆପଣଙ୍କ ଘରେ ଚୁଡା ବ୍ୟବହାର ହୁଏ ନିଶ୍ଚେ ମତାମତରେ ଲେଖିବେ ଅନୁରୋଧ ରହିଲା । ଯେମିତି ପଖାଳ ଦିବସ, ରସଗୋଲା ଦିବସ ସେମିତି ଏ #ଚୁଡାଦିବସ ବି ମାନିଲେ ଭଲ ହୁଅନ୍ତା ।
(ଚୁଡାଘସା ଡାଲେମା)
ଚୁଡା ଆମ ପାରମ୍ପରିକ ଖାଦ୍ୟ ଆମ ଚାଷୀ ଭାଇର ଖାଦ୍ୟ ଆମ କଳାସାଆନ୍ତଙ୍କ ଖାଦ୍ୟ, ଆବାଳବୃଦ୍ଧବନିତା ଆମ ଓଡ଼ିଆ ଘରେ ସମସ୍ତେ ନିଶ୍ଚେ ଜୀବନରେ ଥରେ ଖାଇଥିବେ । ଆମ ଖାଦ୍ୟର ପ୍ରଚାର ପ୍ରସାର କରନ୍ତୁ ଆପଣଙ୍କ ପର ପିଢିଙ୍କୁ ଆମ ପାରମ୍ପରିକ ଖାଦ୍ୟ ସହ ପରିଚିତ କରାନ୍ତୁ । ଆମ ଖାଦ୍ୟ ପରା ଆମ ପରିଚୟ ଦିଏ ଏ ପାରମ୍ପରିକ ଖାଦ୍ୟ ବୁଡିଗଲେ ଆମେ ଆମ ପରିଚୟ କେମିତି ପାଇବା ।
(ଚୁଡାଭଜା ଓ ଚୁଡାପୁଆ)
© Dr. Jayashree Nanda
Beaten Rice, Flattened Rice, Chuda, Chura
Spread the love
admin

Share
Published by
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

6 days ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

1 week ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

2 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

2 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

2 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

2 weeks ago