ବ୍ରହ୍ମା ମନ୍ଦିର

~ ବ୍ରହ୍ମା ମନ୍ଦିର ~
ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ
କୋଉ ଅନାଦି କାଳର କଥା l ସୃଷ୍ଟି ସର୍ଜନାରୁ ବିରତ ହୋଇ ସୃଷ୍ଟିକର୍ତ୍ତା ବ୍ରହ୍ମା ନିଜକୁ ନିଜେ ପ୍ରଶ୍ନ କଲେ “କାହାକୁ ମୁଁ ସମ୍ମାନ କରିବି? ମୋର ସମ୍ମାନର ପାତ୍ର କିଏ “?? “ହେ ବ୍ରହ୍ମା ମୋର ନାଭି କମଳରୁ ତୁମେ ଜାତ, ଏଣୁ ମୋତେ ତୁମେ ସମ୍ମାନ ଦିଅ “l ପ୍ରକଟ ହେଲେ ବିଷ୍ଣୁ l ବ୍ରହ୍ମା କିନ୍ତୁ ଅସ୍ବୀକାର କଲେ l ଦୁଇ ଦେବଙ୍କ ମଧ୍ୟରେ ବିବାଦ ଘନୀଭୂତ ହେଲା l ଆକସ୍ମିକ ଭାବେ ଏକ ଉଜ୍ଜଳ ଆଲୋକ ସ୍ତମ୍ଭର ପ୍ରକାଶ ହୋଇ ଏକ ଗମ୍ଭୀର ସ୍ୱର ଶୁଣା ଗଲା “ହେ ବ୍ରହ୍ମା, ହେ ବିଷ୍ଣୁ ପରସ୍ପର ମଧ୍ୟରେ ଦ୍ୱନ୍ଦ୍ୱ ଅଶୋଭନୀୟ l ଆପଣ ଦୁଇଜଣଙ୍କ ମଧ୍ୟରୁ ଜଣେ ଉର୍ଧ୍ଵଦିଗ ଯାଇ ଏ ସ୍ତମ୍ଭ ନ୍ତ ଦେଖନ୍ତୁ, ଅନ୍ୟ ଜଣେ ତଳକୁ ଯାଇ ଆଦି ଦେଖନ୍ତୁ l ଯିଏ ସଫଳ ହେବେ ସେ ହିଁ ଶ୍ରେଷ୍ଠ l”
ହଂସ ରୂପେ ବ୍ରହ୍ମା ଉପରକୁ ଉଠିଲେ ଆଉ ବରାହ ରୂପେ ବିଷ୍ଣୁ ତଳକୁ ଗଲେ l ଅନେକ ଉପରକୁ ଉଠିବା ପରେ ବ୍ରହ୍ମା ଦେଖିଲେ ଏକ କେତକୀ ଫୁଲ ଖସୁଛି l ବ୍ରହ୍ମାଙ୍କ ପ୍ରଶ୍ନରେ କେତକୀର ଉତ୍ତର ଥିଲା ସେ ଶୀର୍ଷରୁ ଆସୁଛି l ବ୍ରହ୍ମା କେତକୀକୁ ପ୍ରସ୍ତାବ ଦେଲେ ସେ ସାକ୍ଷୀ ଦେବ ଯେ ବ୍ରହ୍ମା ଆଲୋକ ସ୍ତମ୍ଭ ଶୀର୍ଷ ଯାଇ କେତକୀ ନେଇ ଆସିଛନ୍ତି l କେତକୀ ସମ୍ମତି ଦେଲା l ବରାହ ରୂପୀ ବିଷ୍ଣୁ ଅନେକ ଦୂର ଯାଇ ସ୍ତମ୍ଭର ଆଦି ନ ପାଇ ନିରାଶ ହୋଇ ଫେରି ଆସିଲେ l ବ୍ରହ୍ମା ସ୍ତମ୍ଭର ଶୀର୍ଷଦେଶ ଯାଇ କେତକୀ ଆଣିଛନ୍ତି କହିଲେ ଏବଂ କେତକୀ ସାକ୍ଷ ଦେଲା l ବିଷ୍ଣୁ ପରାଜୟ ସ୍ୱୀକାର କରି ବ୍ରହ୍ମାଙ୍କୁ ଶ୍ରେଷ୍ଠ ମାନିବାକୁ ସମ୍ମତ ହେଲେ l
ଠିକ ସେତିକିବେଳେ ଶିବ ଆବିର୍ଭୁତ ହୋଇ ବିଷ୍ଣୁଙ୍କୁ ଶ୍ରେଷ୍ଠ ଘୋଷଣା କରି ମିଥ୍ୟାଚାର ନିମିତ୍ତ ବ୍ରହ୍ମାଙ୍କୁ ତିରସ୍କାର କରି ସେ ଅପୂଜ୍ୟ ରହିବେ ବୋଲି ଅଭିଶାପ ଦେଲେ, କେତକୀ ମଧ୍ୟ ଶିବ ସାନ୍ନିଧ୍ୟରୁ ବଞ୍ଚିତା ହେଲା l କେବଳ ଶିବରାତ୍ରି ଦିନ କେତକୀ ଶିବଙ୍କୁ ଲାଗି ହୁଏ l ସେଥିପାଇଁ ବ୍ରହ୍ମା ଅପୂଜ୍ୟ ହୋଇ ରହିଗଲେ l
ନିଜ ରଚନାରେ ଅସଂଖ୍ୟ ମୌଳିକ କାହାଣୀ ସୃଷ୍ଟି କରିଥିବା ଆଦିକବି ସାରଳା ଦାସ ବ୍ରହ୍ମା ଅପୂଜ୍ୟ ରହିବାର ଏକ ନୂତନ ଦିଗ ପ୍ରଦାନ କରିଛନ୍ତି – ହେ ବ୍ରହ୍ମା ଆପଣ ସିନା ସମସ୍ତ ଦେବ ଦେବୀଙ୍କ ପାଇଁ ମନ୍ତ୍ର ଓ ପୂଜାଵିଧି ପ୍ରଚଳନ କଲେ କିନ୍ତୁ ଆପଣଙ୍କ ପାଇଁ କିଛି ମନ୍ତ୍ର କି ପୂଜାବିଧି ଆପଣ ସୃଷ୍ଟି କଲେ ନାହିଁ କି ଆଉ କିଏ କଲେ ନାହିଁ l ଆପଣଙ୍କ ପୂଜା କେମିତି ହେବ l ସାଧାରଣ ଲୋକ ଏହା ନ ଜାଣି ଆପଣ ଅପୂଜ୍ୟ ବୋଲି କହି ବୁଲନ୍ତି l
ତେବେ ସାରଳା ଏମିତି ଲେଖିଲେ କାହିଁକି ?? ନିଜ ମହାଭାରତରେ ସେ ଯେପରି ଏକାମ୍ରକ୍ଷେତ୍ର ଭୁବନେଶ୍ୱରର ପ୍ରସିଦ୍ଧ ତୀର୍ଥସ୍ଥାନ ଓ କିମ୍ବଦନ୍ତୀ ସବୁକୁ ସ୍ଥାନ ଦେଇଛନ୍ତି ଅନୁମାନ କରାଯାଇପାରେ ସେ ନିଶ୍ଚୟ ଭୁବନେଶ୍ୱରର ବିଭିନ୍ନ ମନ୍ଦିର ଖୁବ ଭଲଭାବେ ପରିଦର୍ଶନ କରିଛନ୍ତି l ତେଣୁ ଭୁବନେଶ୍ୱରର ବ୍ରହ୍ମା ମନ୍ଦିର ମଧ୍ୟ ସେ ନିଶ୍ଚୟ ପରିଦର୍ଶନ କରି ଥିବେ l
ପ୍ରସିଦ୍ଧ ଶ୍ରୀ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ପ୍ରବେଶ ଦ୍ଵାର ସମ୍ମୁଖରେ ପବିତ୍ର ବିନ୍ଦୁସାଗର ତଟରେ ଏକ କ୍ଷୁଦ୍ର ଅନଳଙ୍କୃତ ମନ୍ଦିର l କେବଳ ମାତ୍ର ପ୍ରାୟ ଦଶ ଫୁଟ ଉଚ୍ଚ ଗର୍ଭ ଗୃହ l ଭିତରେ ଦକ୍ଷିଣ ମୁଖୀ ହୋଇ ପୂଜା ପାଉଛନ୍ତି ସୃଷ୍ଟିକର୍ତ୍ତା ବ୍ରହ୍ମା l ଅଢେଇ ଫୁଟ ଉଚ୍ଚ ଓ ଦେଢ଼ ଫୁଟ ଓସାର ମୁଗୁନି ପଥର ମୂର୍ତ୍ତି l ସାଧାରଣତଃ ଚତୁର୍ମୁଖ ବ୍ରହ୍ମାଙ୍କ ମୂର୍ତ୍ତିରେ ସମ୍ମୁଖ, ବାମ ଓ ଦକ୍ଷିଣ ତିନି ପାର୍ଶ୍ୱରେ ମୁଖ ଥାଏ l ଏଇଠି ବି ସେପରି l ଚତୁର୍ଭୁଜ ମଧ୍ୟରୁ ଦୁଇଟି ଭଗ୍ନ l ଦୁଇ ହସ୍ତରେ ବେଦ ଧାରଣ l ମନ୍ଦିରରେ ନିତ୍ୟ ପୂଜା ହୁଏ l ଅନ୍ନଭୋଗ ହୁଏ କି ନାହିଁ ନିର୍ଦିଷ୍ଟ ଉତ୍ତର ମିଳି ପାରି ନାହିଁ l ବିନ୍ଦୁ ସାଗର ପାର୍ଶ୍ୱ ଓ ପଶ୍ଚାତ ଦେଶରେ ଦୁଇଟି ପାର୍ଶ୍ୱଦେବତା l ନାରଦ ଏବଂ ସମ୍ଭବତଃ ତୁମ୍ବୁର l ଜନ ସମାଗମ ଅତ୍ୟନ୍ତ ବିରଳ l
ଖୁସିର କଥା ପୁଷ୍କରରେ ପ୍ରସିଦ୍ଧ ବ୍ରହ୍ମା ମନ୍ଦିର ଥିବାବେଳେ ଏକାମ୍ର ଭୁବନେଶ୍ୱରରେ ମଧ୍ୟ ଏକ ବ୍ରହ୍ମା ମନ୍ଦିର ଅଛି l
Brahma Temple Ekamra Sarala Dasa Bhubaneswar Ambika Patnaik
Spread the love

One comment

Leave a Reply

Your email address will not be published. Required fields are marked *