ଅନନ୍ତ ବାସୁଦେବ ମନ୍ଦିର

~ ଅନନ୍ତ ବାସୁଦେବ ମନ୍ଦିର: ମିଥ୍ୟା ଇତିହାସର ପ୍ରଚାର ପ୍ରସାର ~
ଉପସ୍ଥାପନା: ଅମ୍ବିକା ପଟ୍ଟନାୟକ
ମହା ଶୈବକ୍ଷେତ୍ର ଏକାମ୍ର କ୍ଷେତ୍ର l ତ୍ରିଭୁବନେଶ୍ୱର ରାଜାଧିରାଜ ବାବା ଲିଙ୍ଗରାଜ ସମେତ ରାମେଶ୍ୱର ଯମେଶ୍ୱର ଲଷ୍ମଣେଶ୍ୱର ଆଦି ଶତାଧିକ ଶିବ ମନ୍ଦିରରେ ଶୋଭିତ ଏ କ୍ଷେତ୍ର l କଥିତ ଅଛି ଏକ ଉଣା ଲକ୍ଷେ ଶିବ ଲିଙ୍ଗ ସ୍ଥାପନା ହେତୁ ଏ କ୍ଷେତ୍ର ଦ୍ଵିତୀୟ କାଶୀ ହୋଇପାରିନାହିଁ l
ଏ ପରମ ଶୈବକ୍ଷେତ୍ରରେ ଏକ ସୁନ୍ଦର ବୈଷ୍ଣବ ମନ୍ଦିର ଶ୍ରୀ ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ମହାଦେବଙ୍କ ତ୍ରିଶୂଳ ପ୍ରସ୍ତୁତ ପବିତ୍ର ବିନ୍ଦୁସାଗର ତୀରରେ ସଗର୍ବେ ମଥା ଉନ୍ନତ କରି ଦଣ୍ଡାୟମାନ l ବଳରାମ, ସୁଭଦ୍ରା ଓ ଶ୍ରୀକୃଷ୍ଣ ଅଧିଷ୍ଠାତା ଦେବତା l ପ୍ରଭୁ ଏଇଠି ପଶ୍ଚିମମୁଖା l ପଶ୍ଚିମଦ୍ୱାର ଦେଇ ପ୍ରଵେଶ କରି ବାମ ଦିଗରେ ଦୃଷ୍ଟି ଦେଲେ ପ୍ରାଚୀରରେ ଦୁଇଟି ସଂସ୍କୃତ ଶିଳାଲିପି ଦୃଷ୍ଟିଗୋଚର ହୁଏ l ସାଧାରଣତଃ ମନ୍ଦିରରେ ସ୍ଥାନିତ ଶିଳାଲିପି ମନ୍ଦିର ରୀତି ନୀତି, ପ୍ରଦତ୍ତ ଦାନ କିମ୍ବା ନିର୍ମାତାଙ୍କ ଉପରେ ଆଲୋକ ପାତ କରେ l କିନ୍ତୁ ଅତୀବ ଦୁର୍ଭାଗ୍ୟର ବିଷୟ ଏ ଦୁଇ ଶିଳାଲିପିରୁ ଅନନ୍ତ ବାସୁଦେବ ମନ୍ଦିର ଉପରେ କିଛି ଜ୍ଞାନପ୍ରାପ୍ତି ହୁଏ ନାହିଁ l ବରଂ ଏକ ଶିଳାଲିପି ଦ୍ୱାରା ଶତାଧିକ ବର୍ଷ ଧରି ଅନନ୍ତ ବାସୁଦେବ ମନ୍ଦିର ଉପରେ ଭ୍ରମାତ୍ମକ ତଥ୍ୟ ପ୍ରଚଳିତ ଥିଲା l କାରଣ ଏକ ଶିଳାଲିପି ଟଙ୍କପାଣି ରୋଡ଼ ସ୍ଥିତ ମେଘେଶ୍ୱର ମନ୍ଦିର ଶିଳାଲିପି ଏବଂ ଅନ୍ୟଟି ଜଣେ ରାଢ଼ଦେଶୀୟ (ବର୍ତମାନ ପଶ୍ଚିମବଙ୍ଗର ବିଷ୍ଣୁପୁର ଅଂଚଳ) ବ୍ରାହ୍ମଣ ଭଟ୍ଟ ଭବଦେବଙ୍କ ଏକ ମନ୍ଦିର ନିର୍ମାଣ ସମ୍ପର୍କୀୟ ଶିଳାଲିପି l ଆଉ ଏଇ ଶିଳା ଲିପି ଆଧାରରେ ଗଙ୍ଗବଂଶୀୟ ପୁଣ୍ୟଶ୍ଳୋକ ଲାଙ୍ଗୁଳା ନରସିଂହ ଦେବ ଭଗ୍ନୀ ଚନ୍ଦ୍ରିକାଦେବୀ କୃତ ଅନନ୍ତ ବାସୁଦେବ ମନ୍ଦିର ଏକ ବଙ୍ଗୀୟ କୀର୍ତ୍ତି ବୋଲି ପ୍ରଚାରିତ ହୋଇଗଲା l
ଧର୍ମ ଉପରେ ହସ୍ତକ୍ଷେପ କରିବେ ନାହିଁ ବୋଲି କହି ଇଂରେଜମାନେ 1803ରେ ପ୍ରଥମେ ପୁରୀ ଓ ପରେ କଟକ ସମେତ ଓଡିଶା ଅଧିକାର କଲେ l 1804ରେ ଖୋର୍ଦ୍ଧା ଅଧିକାର କରି ଭୁବନେଶ୍ୱର ଉପରେ ମଧ୍ୟ ଶାସନ ଆରମ୍ଭ କଲେ l ସେ ସମୟରେ କର୍ନେଲ ଚାର୍ଲସ ଷ୍ଟୁଆର୍ଟ ନାମକ ଏକ ବ୍ୟକ୍ତି ପ୍ରଥମେ ଖୁବ ନାଁ କରି ‘ହିନ୍ଦୁ ଷ୍ଟୁଆର୍ଟ’ ନାମରେ ପରିଚିତ ଥିଲେ l ତାଙ୍କ ଦୃଷ୍ଟି ପଡିଲା ଅନିନ୍ଦ୍ୟ ସୁଷମାମାଳିନୀ ଭୁବନେଶ୍ୱରର ପ୍ରାୟ ଭଗ୍ନ ଓ ଅବହେଳିତ କୀର୍ତ୍ତିରାଜି ଉପରେ l ବଳପୂର୍ବକ ସେ ଅନେକ ମୂର୍ତ୍ତି ଏବଂ ବ୍ରହ୍ମେଶ୍ୱର, ମେଘେଶ୍ୱର ଓ ଅନନ୍ତ ବାସୁଦେବ ଶିଳାଲିପି ନେଇଯାଇଥିଲେ l ଦୁଇଟି କଲିକତାର ରୟାଲ ଏସିଆଟିକ ସୋସାଇଟି ଏବଂ ଅନନ୍ତ ବାସୁଦେବ ଶିଳାଲିପି ଲଣ୍ଡନ ପଠେଇ ଦେଇଥିଲେ l Stuart’s Collection ନାମରେ ଲଣ୍ଡନର ରୟାଲ ଏସିଆଟିକ ସୋସାଇଟି ସଂଗ୍ରହାଳୟରେ ଗଛିତ ହୋଇ ରହିଥିଲା l ଉକ୍ତ ମ୍ୟୁଜିଅମରେ “ଭୁବନେଶ୍ୱରରୁ ପ୍ରାପ୍ତ” ନାମରେ ସେ ଶିଳାଲିପି ସେମିତି ଅବହେଳିତ ହୋଇ ରହିଗଲା l
ଏ ମଧ୍ୟରେ ଭୁବନେଶ୍ୱର ମନ୍ଦିର ସବୁର ପଣ୍ଡା ଓ ମୁନସୀ ମାନେ ବାରମ୍ବାର ଇଂରେଜ ମାନଙ୍କ ପାଖରେ ଅଭିଯୋଗ କଲେ l 1837ରେ ମାଲକାମ କିଟୋ ନାମକ ଭଦ୍ରବ୍ୟକ୍ତି ପଣ୍ଡା ଓ ମୁନସୀ ମାନଙ୍କ ଅଭିଯୋଗ ପ୍ରତ୍ୟୁତ୍ତରରେ ଦୁଇଟି ଶିଳାଲିପି ଭୁବନେଶ୍ୱର ଅଣେଇ ଅନନ୍ତ ବାସୁଦେବ ମନ୍ଦିରରେ ଖଞ୍ଜିଦେଲେ l ମେଘେଶ୍ୱର ଓ ଭଟ୍ଟ ଭବଦେବ ଶିଳାଲିପି l ପରବର୍ତୀ କାଳରେ ଏ କାର୍ଯ୍ୟ ଇତିହାସର ବିକୃତିକରଣରେ ଯଥେଷ୍ଟ ସାହାଯ୍ୟ କରିଥିଲା l ବ୍ରହ୍ମେଶ୍ୱର ଶିଳାଲିପି କାହିଁ ହଜିଗଲା l
ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପୃଥିବୀ ତଥା ଭାରତର ପ୍ରତ୍ନତତ୍ତ୍ୱ ଇତିହାସରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା l ଏହି ସମୟରେ ମିଶରୀୟ ସଭ୍ୟତାର ଇତିହାସ ଉନ୍ମୋଚନର ଅଗ୍ରଗତି ଘଟିଥିଲା, ସୁମେରୀୟ ସଭ୍ୟତା, ବାବିଲୋନୀୟ ସଭ୍ୟତା ମାଟିତଳୁ ଆବିଷ୍କୃତ ହୋଇଥିଲା, ଟ୍ରୟ ନଗରୀ ସନ୍ଧାନ ମିଳିଥିଲା l ଭାରତ ମଧ୍ୟ ପଛରେ ପଡ଼ି ନ ଥିଲା l ସାର ଅଲେକଜଣ୍ଡାର କନିଂହାମ ସାଞ୍ଚି, ସାରନାଥ ଆବିଷ୍କାର କରିଥିଲେ l ଜେମ୍ସ ପ୍ରିନସେପ ବ୍ରାହ୍ମୀ ଲିପି ପାଠୋଦ୍ଧାର କରିଥିଲେ, ଯଦ୍ୱାରା ଅଶୋକଙ୍କ ଖୋଦିତ ଶିଳାଲିପି ପାଠୋଦ୍ଧାର ହୋଇ ପାରିଲା l ଅନ୍ୟାନ୍ୟ ଶିଳାଲିପି ତାମ୍ରଲିପି ସବୁର ପାଠୋଦ୍ଧାର କାର୍ଯ୍ୟ ଆରମ୍ଭ ହେଲା l ତତ୍କାଳୀନ ଭାରତ ରାଜଧାନୀ କଲିକତାର ରୟାଲ ଏସିଆଟିକ ସୋସାଇଟି ଏଥିରେ ଅଗ୍ରଗଣ୍ୟ ଭୂମିକା ଗ୍ରହଣ କରିଥିଲା l
ଏଇ ପାଠୋଦ୍ଧାର କାର୍ଯ୍ୟରେ ତତ୍କାଳୀନ ଓଡିଶା ପ୍ରଦେଶର ଅବଦାନ ପ୍ରାୟ ଶୂନ୍ୟ ଥିଲା l ଶିକ୍ଷିତ ବ୍ୟକ୍ତି ପ୍ରାୟ ନ ଥିଲେ l କିନ୍ତୁ କଲିକତା ଅବସ୍ଥା ଅନ୍ୟ ପ୍ରକାର ଥିଲା l ଭାରତର ରାଜଧାନୀ ହେତୁ ଅନେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଥିଲା l ଅନେକ ଶିକ୍ଷିତ ବ୍ୟକ୍ତି ଥିଲେ l ତେଣୁ ଓଡିଶା ପରି ଏକ ଦରିଦ୍ର ନିରନ୍ନ ଅଶିକ୍ଷିତ ରାଜ୍ୟରେ ଯେ ଏପରି କୀର୍ତ୍ତି ସମୂହ ଓଡ଼ିଆ ମାନଙ୍କ ପୂର୍ବପୁରୁଷ ଯେ କରିପାରିଥିଲେ ତାହା ସେମାନଙ୍କୁ ଅବାସ୍ତବ ଲାଗିଥିଲା l ତେଣୁ କତିପୟ ବଙ୍ଗୀୟ ବିଦ୍ୱାନ ଓଡିଶାର କୀର୍ତ୍ତି ସମୂହ ଓଡ଼ିଆ ମାନଙ୍କର ନୁହେଁ ବରଂ ବଙ୍ଗୀୟ କୀର୍ତ୍ତି ଭାବରେ ପ୍ରମାଣିତ କରିବା ପାଇଁ ଗଳଦଘର୍ମ ପ୍ରଚେଷ୍ଟା କରିଥିଲେ l ଏଥିରେ ପ୍ରଥମ କାମ ଥିଲା ଶିଳାଲିପି କିମ୍ବା ତାମ୍ର ଶାସନର କିଂଚିତ ଭ୍ରମାତ୍ମକ ବ୍ୟାଖ୍ୟା l ତେଣୁ ଲିପି ପାଠ ସମୟରେ “ଗଙ୍ଗବଂଶୀ” ସବୁ “ଗଙ୍ଗାବଂଶୀ” ହୋଇଗଲେ l ଗଙ୍ଗା ବଙ୍ଗଦେଶରେ ଏଣୁ ଗଙ୍ଗାବଂଶୀ ଅର୍ଥ ବଙ୍ଗବାସୀ l (ଏ ପ୍ରସଙ୍ଗରେ ମନେ ପଡେ ଓଡିଶାର ଏକ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ଅଶି ଦଶକରେ ନୂଆ କରି MBA ପାଠ୍ୟକ୍ରମ ଖୋଲିଥିଲା l ବିଭାଗୀୟ ସହକାରୀ ଭାବିଲେ MBA କି ଜିନିଷ ହୁଏତ MA ପଢିବ ନହେଲେ BA, ଏଇଟା ବିଶ୍ୱବିଦ୍ୟାଳୟ ଏଣୁ ନିଶ୍ଚୟ MA ପ୍ରାର୍ଥୀ, ଭୁଲରେ MBA ଲେଖିଦେଇଛି l)
ପ୍ରସିଦ୍ଧ ଲେଖକ ବଂକିମ ଚନ୍ଦ୍ର ଲେଖିଲେ “ହଣ୍ଟାରେର ଗ୍ରନ୍ଥେ ଯେ ଉଡ଼ୀୟା ସୈନ୍ୟେର ଏତ ପ୍ରଶଂସା, ତାହାରା ତୋମାଦେର ଉଡ଼ିଷ୍ୟାବାସୀ ବାଙ୍ଗାଳି ସୈନ୍ୟ ” l ଆକବରଙ୍କ ସମୟରେ ମନ୍ଦାରଣ ଓଡିଶା ଅଧିକାରରେ ଥିବା ସତ୍ୱେ ବଂକିମଚନ୍ଦ୍ର ନିଜ “ଦୁର୍ଗେଶ ନନ୍ଦିନୀ” ବହିରେ ସେଇଠି ରାଜପୁତ ଅଧିକାର ଦେଖେଇଛନ୍ତି ଏବଂ ଦୀର୍ଘକାଳ ଓଡିଶାରେ କାମ କରି ମଧ୍ୟ ଉକ୍ତ ଉପନ୍ୟାସରେ ଏକ ବିଦୂଷକ ଚରିତ୍ରର ନାମ “ଗଜପତି” ରଖିଛନ୍ତି l ଅଥଚ ଓଡିଶା ପାଇଁ “ଗଜପତି” ଏକ ଅତ୍ୟନ୍ତ ସମ୍ମାନାସ୍ପଦ ଶବ୍ଦ l ସେଥିପାଇଁ ନଗେନ୍ଦ୍ର ନାଥ ବସୁ ଲେଖିଲେ “ଯଦି କୋଥାୟ ବଙ୍ଗୀୟ ଶିଳ୍ପ ନୈପୁଣ୍ୟେର ଉଜ୍ଜଳ ଉଦାହରଣ ଥାକେ – ତାହା ଏଇ ରବି କ୍ଷେତ୍ରେ . . “
ମନମୋହନ ଗାଙ୍ଗୁଲି ଲେଖିଗଲେ ରାଜା ହରି ବର୍ମଦେବ ଭୁବନେଶ୍ୱରର ରାମେଶ୍ୱର ସମେତ 108 ମନ୍ଦିର ନିର୍ମାଣ କରିଥିଲେ l ଏକାମ୍ର ପୁରାଣର ନିମ୍ନ ଦୁଇଟି ଶ୍ଳୋକ ଦ୍ରଷ୍ଟବ୍ୟ.
ଶଶାଙ୍କୋନନ୍ତମେଧାବୀ ଭବିଷ୍ୟତି ଶିବାତ୍ମକଃ l
ପୃଥିବ୍ୟାମ ୟାନି ଲିଙ୍ଗାନି ଅର୍ଚୟିଷ୍ୟତନ୍ଦ୍ରିତ l (ଅଧ୍ୟାୟ 13)
ପୁରା ଶ୍ରୁତିରୀୟମ ରାଜନ ! ଶଶାଙ୍କ8 କାରୟିଷ୍ୟତି l
ତସ୍ମାତ ତ୍ୱମପି ରାଜେନ୍ଦ୍ର ! ଅନ୍ୟତ୍ରାୟତନମ କୁରୁ l (ଅଧ୍ୟାୟ 50)
ଏଇ ଦୁଇ ଶ୍ଳୋକ ଆଧାରରେ ପ୍ରଚାର ଆରମ୍ଭ ହେଲା ହର୍ଷବର୍ଦ୍ଧନଙ୍କ ସମସାମୟିକ କର୍ଣ୍ଣ ସୁବର୍ଣ୍ଣ ରାଜା ଶଶାଙ୍କ ହିଁ ଲିଙ୍ଗରାଜ ମନ୍ଦିର ନିର୍ମାତା l ଶିବଙ୍କ ଅନ୍ୟ ନାମ ଯେ ଶଶାଙ୍କ, ଏକାମ୍ର ପୁରାଣ ଯେ ସପ୍ତମ ଶତାବ୍ଦୀର ବହୁତ ପରେ ରଚିତ ଏବଂ ଏହି ମନ୍ଦିର ଯେ ସୋମବଂଶୀ କୀର୍ତ୍ତି ସେ ଇତିହାସ ଆଲୋଚନା ଆରମ୍ଭ ହେଲାନାହିଁ l
ତେବେ ତଥ୍ୟକୁ ଅତଥ୍ୟ ଭାବେ ପ୍ରମାଣିତ କରିବାରେ ଶ୍ରୀ ବିଜୟଚନ୍ଦ୍ର ମଜୁମଦାର ଅଗ୍ରଗଣ୍ୟ ଥିଲେ l ଏ ମହାଶୟ ରାଜା ବୀରମିତ୍ରୋଦୟ ସିଂହଦେଓଙ୍କ ଠାରୁ ଆର୍ଥିକ ପ୍ରୋତ୍ସାହନ ପାଇ Typical Selections From Oriya Literature ନାମକ ବହି ଲେଖି କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରସିଦ୍ଧି ଓ ପାଣ୍ଡିତ୍ୟକୁ ଯଥେଷ୍ଟ ନ୍ୟୁନ ଭାବରେ ପ୍ରଦର୍ଶିତ କଲେ l ଏଇ ମଜୁମଦାର ମହାଶୟ ଏକ ପୁସ୍ତକ ରଚନା କଲେ Making Of Orissa l ଏଇ ବହିରେ ସୋମବଂଶୀ ଶାସକ ମାନଙ୍କ “ମହାଶିବଗୁପ୍ତ” ଓ “ମହାଭବଗୁପ୍ତ” ବିରୁଦ ସମୂହର ଗୁରୁତ୍ୱ କିମ୍ବା ଅର୍ଥ ଅଧ୍ୟୟନ ନ କରି ସୋମବଂଶୀ ମାନଙ୍କୁ “କୋଶଳ ଗୁପ୍ତ” ଭାବରେ ସମ୍ବୋଧନ କରି ସେଇ “କୋଶଳ ଗୁପ୍ତ” ମାନଙ୍କୁ ବଙ୍ଗୀୟ ବଂଶୋଦ୍ଭବ ବୋଲି ପ୍ରମାଣିତ କରିବାକୁ ଯାଇ ଯଯାତି କେଶରୀ ପ୍ରଥମଙ୍କ ମାରଞ୍ଜ ମୁରା ତାମ୍ର ଶାସନର ଭୁଲ ପାଠୋଦ୍ଧାର କରିଥିଲେ l ମାରଞ୍ଜ ମୁରା ତାମ୍ର ଶାସନ ଏକ ଧାଡ଼ି
“ଅସ୍ମାତ ବଂଶକ୍ଷୟେ କାଳେ ଯ କଶ୍ଚିତ ନୃପତିର୍ଭବେତ ତସ୍ୟାହଂ ପଦରଜୋସ୍ମି ଯଯାତି……..”
ମଜୁମଦାର ଲେଖିଲେ “ଅସ୍ମାତ ବଙ୍ଗାନ୍ଵୟେ କାଳେ ଯ କଶ୍ଚିତ ନୃପତିର୍ଭଵେତ ତସ୍ୟାହଂ ପଦରଜୋସ୍ମି ଯଯାତି….” “ବଂଶକ୍ଷୟେ”କୁ “ବଙ୍ଗାନ୍ଵୟେ ଲେଖି ମଜୁମଦାର କେଶରୀମାନଙ୍କୁ ବଙ୍ଗୀୟ ବୋଲି ପ୍ରମାଣ କରିବାକୁ ଚେଷ୍ଟା କଲେ l ଏପରି ପରିବେଶରେ ଏହା ଆଦୌ ଆଶ୍ଚର୍ଯ୍ୟ ବିଷୟ ନୁହେଁ ଯେ କିଟୋ ଯେତେବେଳେ ଭଟ୍ଟ ଭବଦେବ ଶିଳାଲିପି ଅନନ୍ତ ବାସୁଦେବ ମନ୍ଦିର ଗାତ୍ରରେ ସ୍ଥାନିତ କରି ଦେଲେ ତତ୍କାଳୀନ ବଙ୍ଗୀୟ ବିଦ୍ୱାନ ଗୋଷ୍ଠୀ ଅନନ୍ତ ବାସୁଦେବ ମନ୍ଦିର ଓ ମୂର୍ତ୍ତି ଦେଖି ନ ଦେଖି ମଧ୍ୟ ନିଜର ମତାମତ ଦେଇଦେଲେ l
ଏ ଭଟ୍ଟ ଭବଦେବ କିଏ ଆଉ ସେ ଶିଳାଲିପି କଣ କହେ? ପ୍ରାୟ ଦେଢ଼ ଫୁଟକୁ ତିନି ଫୁଟ ବିଶିଷ୍ଟ ଏଇ ଶିଳାଲିପିରେ 34ଟି ଶ୍ଳୋକ ଅଛି l ଵାଚସ୍ପତି ମିଶ୍ର ନିଜ ବନ୍ଧୁ ତଥା ରାଜା ହରି ବର୍ମାଦେବଙ୍କ ପ୍ରଧାନମନ୍ତ୍ରୀ ରାଢ଼ ଦେଶର ସିଦ୍ଧଳ ଗ୍ରାମ ନିବାସୀ ଭବଦେବ ଭଟ୍ଟଙ୍କ ଉଦ୍ଦେଶ୍ୟରେ ଏ ପ୍ରଶସ୍ତି ରଚନା କରିଥିଲେ l ଆରମ୍ଭ “ଓଁ ନମୋ ଭଗବତେ ବାସୁଦେବାୟ “
ତେନାୟଂ ଭଗବାନ ଭବାର୍ଣ୍ଣବସମୁତ୍ତରାୟ ନାରାୟଣଃ
ଶୈଳ ସେତୁରିବ ପ୍ରସାଧିତଧରାପୀଠ ପ୍ରତିଷ୍ଠାପିତଃ l (ଶ୍ଳୋକ 27)
ସେ ଭବସମୁଦ୍ର ପାର ହେବାର ଶିଳା ନିର୍ମିତ ସେତୁପରି ଭୁପୃଷ୍ଠର ଅଳଙ୍କାର ରୂପୀ ଭଗବାନ ନାରାୟଣଙ୍କୁ ପ୍ରତିଷ୍ଠା କରାଇଥିଲେ l
ତେନ ପ୍ରାସାଦ ଏଷ ତ୍ରିପୁରହରଗିରିସ୍ପର୍ଦ୍ଧୟା ବର୍ଦ୍ଧିତଶ୍ରୀ8,
ଶ୍ରୀମାନ ଶ୍ରୀବତ୍ସ ଲଷ୍ମୀ ହରିରିବ ବିସ୍ଫୁରତ ଚକ୍ର ଚିହ୍ନ8 l(ଶ୍ଳୋକ 28)
କୈଳାସ ପର୍ବତ ସହ ସ୍ପର୍ଦ୍ଧା କରୁଥିବା ଏହି ପ୍ରାସାଦ ହରିଙ୍କ ପରି ଶ୍ରୀମାନ ଓ ଚକ୍ର ଶୋଭିତ ଥିଲା l
ନ୍ୟଵୀବିଶଦବେଶ୍ମନି ତତ୍ର ବିଷ୍ଣୋହ ସ ନିର୍ଭରମ ଗର୍ଭଗୃହାନ୍ତରେଷୁ
ନାରାୟଣାନନ୍ତନୃସିଂହମୂର୍ତ୍ତିର୍ବିଧାତ ବକ୍ତ୍ରେଷ୍ଵିବ ବେଦବିଦ୍ୟା l (ଶ୍ଳୋକ 29)
ପ୍ରାସାଦର ଗର୍ଭଗୃହ ମଧ୍ୟରେ ବେଦପତି ବ୍ରହ୍ମାଙ୍କ ମୁଖ ପରି ବିଷ୍ଣୁଙ୍କ ନାରାୟଣ, ଅନନ୍ତ ଓ ନୃସିଂହ ମୂର୍ତ୍ତି ସ୍ଥାପନ କରିଥିଲେ l 1837ରେ ମାର୍ଶାଲ ନାମକ ଜଣେ ବ୍ୟକ୍ତି ଏପରି ଅନୁବାଦ କରିଥିଲେ l କିନ୍ତୁ ଏ ଅନୁବାଦ ସମ୍ପୂର୍ଣ ଭ୍ରମାତ୍ମକ ଥିଲା l ବ୍ରହ୍ମାଙ୍କ ତିନି ମୁଖପରି ହେଲେ ନାରାୟଣଙ୍କ ମୁଖ ମନ୍ଦିର ଦକ୍ଷିଣ କାନ୍ଥ,ଅନନ୍ତଙ୍କ ମୁଖ ସମ୍ମୁଖ ଏବଂ ନୃସିଂହଙ୍କ ମୁଖ ମନ୍ଦିର ବାମ କାନ୍ଥ ଦିଗକୁ ମୁହଁ କରି ରହିବା କଥା l ଏବଂ “ଗର୍ଭଗୃହାଭ୍ୟନ୍ତରେ” ହେଲେ ହିଁ ଗର୍ଭଗୃହ ମଧ୍ୟରେ ତିନି ବିଗ୍ରହ ପ୍ରତିଷ୍ଠା l ଏ ଶ୍ଳୋକର ପ୍ରକୃତ ଅର୍ଥ ହେଉଛି l ନାରାୟଣଙ୍କ ସେ ମନ୍ଦିରରେ ତିନୋଟି ପାର୍ଶ୍ଵ ଦେବତା ଯଥା ନାରାୟଣ, ଅନନ୍ତ ଓ ନୃସିଂହ ମୂର୍ତ୍ତି ସ୍ଥାପନ କରିଥିଲେ l “ଗର୍ଭଗୃହାନ୍ତରେଷୁ” ଅର୍ଥ ବିଭିନ୍ନ ଗର୍ଭଗୃହ l କିନ୍ତୁ ବିଭିନ୍ନ ବିଦ୍ୱାନ ଯଥା ନନିଗୋପାଳ ମଜୁମଦାର, ରାଜେନ୍ଦ୍ରଲାଲ ମିତ୍ର, ନଗେନ୍ଦ୍ରନାଥ ବସୁ ପ୍ରମୁଖ ଶିଳାଲିପି ପଢିଲେ, ଚକ୍ର ଶୋଭିତ ମନ୍ଦିର, ଅନନ୍ତ ନାମ, ସରୋବର ପୁନଃରୁଦ୍ଧାର l ଏଣୁ ଭଟ୍ଟ ଭବଦେବ ହିଁ ଅନନ୍ତ ବାସୁଦେବ ମନ୍ଦିର ନିର୍ମାତା ବୋଲି ପ୍ରଚାର ହୋଇଗଲା l
ତେବେ କିଏ ଏଇ ରାଜା ହରିବର୍ମା ଯାହାଙ୍କ ପ୍ରଧାନମନ୍ତ୍ରୀ ଏଇ ରାଢ଼ଦେଶୀୟ ଭଟ୍ଟ ଭଵଦେବ ଥିଲେ ? ଏକଦା ବଙ୍ଗଳା ଓ ବିହାର ଓ ଉତ୍ତର ପ୍ରଦେଶର ବହୁଳାଂଶରେ ଶାସନ କରୁଥିବା ପାଳ ରାଜବଂଶ ଦୁର୍ବଳ ହେବା ପରେ ଢାକା ନିକଟସ୍ଥ ବିକ୍ରମପୁରରେ ରାଜଧାନୀ ସ୍ଥାପନ କରି ଏକାଦଶ ଶତାବ୍ଦୀରେ ମାତ୍ର ଅଶି ବର୍ଷ ପାଇଁ ବର୍ମା ବଂଶ ରାଜୁତି କରୁଥିଲା l ପଶ୍ଚିମ ଦିଗରେ ସେନବଂଶୀ ମୁଣ୍ଡ ଟେକୁଥିଲେ l ଏଣୁ ସେନ ଅଞ୍ଚଳ ଡେଇଁ ଓଡିଶା ଆସି ଭୁବନେଶ୍ୱରରେ ହରି ବର୍ମା ମନ୍ଦିର କରିବା ଅସମିଚୀନ l ଭଟ୍ଟ ଭବଦେବ ହୁଏତ ବିକ୍ରମପୁରରେ ଏକ ନାରାୟଣ ମନ୍ଦିର କରିଥିଲେ ଯାହା ଏବେ ନିଶ୍ଚିନ୍ହ l
 
ଅନନ୍ତ ବାସୁଦେବ ମନ୍ଦିରର ପ୍ରକୃତ ତଥ୍ୟ ଦୈବାତ ଆବିଷ୍କୃତ ହୋଇଥିଲା l ଲଣ୍ଡନର ରୟାଲ ଏସିଆଟିକ ସୋସାଇଟି ସଂଗ୍ରହାଳୟରେ ଗଛିତ ହୋଇ ରହିଥିଲା ସତ, କିନ୍ତୁ କୌଣସି ଗବେଷକଙ୍କ ବିଶେଷ ଦୃଷ୍ଟି ଏ ଶିଳାଲିପି ପ୍ରତି ପଡ଼ି ନ ଥିଲା l
ଦୀର୍ଘ ଦିନ ଅବହେଳିତ ହୋଇ ରହିବା ପରେ ଏ ଶିଳାଲିପି ବିଶିଷ୍ଟ ପ୍ରାଚ୍ୟବିଦ୍ୟା ବିଶାରଦ ତଥା ସଂସ୍କୃତ ପଣ୍ଡିତ ଲାୟନେଲ ଡେଭିଡ ବର୍ନେଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲା l ସେ ମହାଶୟ ଏ ଶିଳାଲିପିର ପାଠୋଦ୍ଧାର କରି 1915ରେ ଏପିଗ୍ରାଫିଅ ଇଣ୍ଡିକା ପତ୍ରିକାରେ ପ୍ରକାଶ କଲେ l ସେ କିନ୍ତୁ କୌଣସି ନିର୍ଦିଷ୍ଟ ମନ୍ଦିର କଥା ଉଲ୍ଲେଖ କରି ନ ଥିଲେ l ସେ ଲିପି ପାଠୋଦ୍ଧାର କାଳକ୍ରମେ ବିଶିଷ୍ଟ ଐତିହାସିକ ତଥା ଗବେଷକ କେଦାର ନାଥ ମହାପାତ୍ର ଓ ଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଦୃଷ୍ଟି ଗୋଚର ହେଲା l
ଶ୍ରୀ କେଦାରନାଥ ମହାପାତ୍ର 1933 ମସିହାରେ Prachi ପତ୍ରିକାରେ ଏ ଶିଳାଲିପି ବିଷୟରେ ଆଲୋଚନା କରି ଏହା ଅନନ୍ତ ବାସୁଦେବ ମନ୍ଦିରର ପ୍ରକୃତ ଶିଳାଲିପି ବୋଲି ପ୍ରକାଶ କଲେ l ସମ୍ଭବତଃ ଏଇ ଆଲୋଚନା ବିଶେଷ ଜନସମର୍ଥନ ପାଇ ପାରିଲା ନାହିଁ l 1934ରେ ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଲଣ୍ଡନ ଗଲେ ଏବଂ ସେଇ ଲିପିର ଏକ ଫଟୋ ସଂଗ୍ରହ କଲେ l ବର୍ନେଟଙ୍କ ବର୍ଣନା ଓ ନିଜର ଅନୁଶୀଳନୀ ଦ୍ୱାରା ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଏଇ ସିଦ୍ଧାନ୍ତରେ ପହଞ୍ଚିଲେ କି ରୟାଲ ଏସିଆଟିକ ସୋସାଇଟିରେ ସ୍ଥାନିତ Stuart Collectionର “ଭୁବନେଶ୍ୱର ଶିଳାଲିପି” ପ୍ରକୃତରେ ଅନନ୍ତ ବାସୁଦେବ ମନ୍ଦିରରେ ଥିଲା ଏବଂ ପରେ ତାହା ଅପସାରିତ ହୋଇ ଲଣ୍ଡନରେ ପହଂଚି ଥିଲା l ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବଳିତ ଗବେଷଣାତ୍ମକ ନିବନ୍ଧ ଭାରତୀୟ ଇତିହାସ କଂଗ୍ରେସରେ ଉପସ୍ଥାପନା କରିଥିଲେ l ତାହା Proceedings of Indian History Congress 1939 ପ୍ରକାଶିତ l ଶ୍ରୀ ଆଚାର୍ଯ୍ୟଙ୍କ ଅନ୍ୟ ଏକ ଗବେଷଣାତ୍ମକ ପ୍ରବନ୍ଧ ଢାକା ବିଶ୍ୱ ବିଦ୍ୟାଳୟ କର୍ତୃକ ପ୍ରକାଶିତ History of Bengal vol. 1ରେ ମଧ୍ୟ ପ୍ରକାଶ ପାଇଲା l ଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ଏ ଗଭୀର ପ୍ରଚେଷ୍ଟା ଫଳରେ ଅନନ୍ତ ବାସୁଦେବ ମନ୍ଦିର ପ୍ରକୃତ ଇତିହାସ ଲୋକ ଲୋଚନକୁ ଆସିଲା ଏବଂ ଗଙ୍ଗବଂଶୀୟା ଚନ୍ଦ୍ରିକା ଦେବୀ ନିର୍ମାତ୍ରୀ ବୋଲି ସମସ୍ତେ ସ୍ୱୀକାର କଲେ l
ଶିଳାଲିପି ବିଷୟରେ ଆଲୋଚନା କରିବା ପୂର୍ବରୁ ଅନନ୍ତ ବାସୁଦେବ ମନ୍ଦିରରେ ସ୍ଥାନିତ ମୂର୍ତ୍ତି ବିଷୟରେ ଆଲୋଚନା କରାଯାଉ l ବର୍ତମାନ ନୂତନ ମାର୍ବଲ ବିଗ୍ରହ ପ୍ରାୟ 60 ବର୍ଷ ପୁରାତନ l ଚନ୍ଦ୍ରିକା ଦେବୀ ପ୍ରତିଷ୍ଠିତ ହଳ ମୁଷଳ ଧାରୀ ପ୍ରାୟ ସାଢ଼େ ଚାରିଫୁଟ ଉଚ୍ଚ ବଳରାମ l ମଝିରେ କମ ଉଚ୍ଚ ସୁଭଦ୍ରା l ସୁଭଦ୍ରା ବିଗ୍ରହ ଭଗ୍ନ ହସ୍ତ l ସୁଭଦ୍ରାଙ୍କ ବାମ ଦିଗରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ ମୁକୁଟ ମଣ୍ଡିତ ଶ୍ରୀକୃଷ୍ଣ ବିଗ୍ରହ l ସେଇ ପୁରାତନ ବିଗ୍ରହ ସମୂହ ନିକଟସ୍ଥ ଏକ କ୍ଷୁଦ୍ର ମନ୍ଦିରରେ ଅପୂଜ୍ୟ ହୋଇ ଅଛନ୍ତି l ବିନ୍ଦୁସାଗର ପୁଷ୍କରିଣୀ ତଟରେ ବି ପ୍ରାଚୀର ମଧ୍ୟରେ ବଳରାମ, ଶ୍ରୀକୃଷ୍ଣ l ସେମିତି ଲିଙ୍ଗରାଜ ମନ୍ଦିରରେ ଲଷ୍ମୀ ନୃସିଂହ ମନ୍ଦିର ଦକ୍ଷିଣ ଦିଗରେ ଅନନ୍ତେଶ୍ୱର ମନ୍ଦିର ମଧ୍ୟରେ କମ ଉଚ୍ଚତା ବିଶିଷ୍ଟ ଏଇ ତ୍ରିମୁର୍ତ୍ତି ପୂଜା ପାଉଛନ୍ତି l
ଶିଳାଲିପିରେ ଭିନ୍ନ ଭିନ୍ନ ରାଗରେ ରଚିତ 23ଟି ଶ୍ଳୋକ ଅଛି l ଶିବ ବନ୍ଦନାରୁ ଆରମ୍ଭ ହୋଇଥିବା ଏଇ ଶିଳାଲିପିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ, ସାଂସ୍କୃତିକ ଓ ରାଜନୈତିକ ଚିତ୍ର ମଧ୍ୟ ଦେଖିବାକୁ ମିଳେ l ପ୍ରତ୍ନତାତ୍ୱିକ ଦୃଷ୍ଟିରୁ ଏ ଶିଳାଲିପିର ଗୁରୁତ୍ୱ ଅପରିସୀମ l ମୃତ୍ୟୁ ସମ୍ବାଦ ବି କିପରି କାବ୍ୟିକ ରୀତିରେ ଉପସ୍ଥାପନା କରାଯାଏ ଏ ଲିପିରେ ତାର ଦୁଇଟି ଚମତ୍କାର ଉଦାହରଣ ଦିଆଯାଇଛି l
ଦ୍ଵିତୀୟ ଶ୍ଳୋକ ଅନୁଯାୟୀ ଗଙ୍ଗବଂଶ ପ୍ରତିଷ୍ଠାତା ବିଶ୍ରୁତକୀର୍ତ୍ତି ସମ୍ରାଟ ଅନନ୍ତବର୍ମା ଚୋଡ଼ଗଙ୍ଗ ଦେବ ଆଗଙ୍ଗା ଗୋଦାବରୀ ବିସ୍ତୃତ ସାମ୍ରାଜ୍ୟର ଅଧିକାରୀ ଥିଲେ l ସେ ଶତୃରାଜାଙ୍କୁ ପଦଦଳିତ କରି ଅପ୍ସରାମାନଙ୍କ ପ୍ରଣୟ ଲାଭ ଆଶାରେ ସ୍ୱର୍ଗ ଗମନ କରିଥିଲେ l
ଆଗୋଦାନ୍ତାଦମରସରିତଂ ଯାବୋଦେକୋଭୂବୋଭୂଦଭୋକ୍ତା
ସୋନ୍ତେ ସୁରସହଚରରୀ କାମୁକ6ଶ୍ଚlଡ଼ଗଙ୍ଗ8 l ଶ୍ଳୋକ 2
ସେଇ ଗଙ୍ଗବଂଶର ବିଜୟକେତନସ୍ୱରୂପ ସମ୍ରାଟ ଅନଙ୍ଗଭୀମ ଦେବଙ୍କ ଆବିର୍ଭାବ ହୋଇଥିଲା ଯିଏ ସୀମାନ୍ତ ପରବର୍ତୀ ରାଜ୍ୟର ଯବନମାନଙ୍କୁ ଯୁଦ୍ଧ କ୍ଷେତ୍ରରେ ପ୍ରବଳ ଆକ୍ରମଣ ଦ୍ୱାରା ଅକ୍ଳେଶରେ ପରାସ୍ତ କରିଥିଲେ l (ପ୍ରତିବେଶୀ ବଙ୍ଗ ସୁଲତାନ ଉପରେ ବିଜୟ ପ୍ରାପ୍ତି)
ଆସୀଦାଶୀବିଷାରେରଧିକତରସ୍ତାଦୃଗର୍ବୋରୁ ଗର୍ବ8
ସୋନ୍ତେ ସ୍ଵାନ୍ତାପସର୍ପତ ଜବମପି ଯବନମ ସଙ୍ଗରେ ସଞ୍ଜହାର l ଶ୍ଳୋକ 3
ପୃଥିବୀର ଚନ୍ଦ୍ର ସ୍ୱରୂପ ସେଇ ଅନଙ୍ଗଭୀମ ଭୂପତିଙ୍କ ନିଜ ଚନ୍ଦ୍ରବଦନ ଦ୍ୱାରା ଜଗତଜନଙ୍କୁ ମୋହିତ କରୁଥିବା କନ୍ୟା ଚନ୍ଦ୍ରିକା ଜାତ ହୋଇଥିଲେ, 
ତସ୍ମାଦ ଭୂପତି ଭୁଚନ୍ଦ୍ରାଚନ୍ଦ୍ରିକା ଜନି ସୁନ୍ଦରୀ
ଚନ୍ଦ୍ରାନନାମୃତସାରୈ8 ସ୍ୱପୟତି ଜଗଜ୍ଜନଃ l ଶ୍ଳୋକ 5
ଏହି ଉତ୍କଳ ପ୍ରଦେଶ ଏପରି ଦର୍ଶନୀୟ ଯେ ଏହା ଚକ୍ଷୁ ଆଦି କନ୍ଦର୍ପଙ୍କ ପଞ୍ଚ ସହଚରଙ୍କୁ ମୁଗ୍ଧ କରିପାରେ l
ଅସ୍ତ୍ୟୁତ୍କଳୋୟଂବିଷୟୋ ଯତ୍ରତେ ଚକ୍ଷୁରାଦୟଃ l
ପଞ୍ଚପଞ୍ଚେଷୁ ସୁହୃଦୋ ଭାନ୍ତି ପୂର୍ଣ୍ଣମନୋରଥା8 ll(ଶ୍ଳୋକ)
ସେଇ ଉତ୍କଳ କ୍ଷେତ୍ରରେ ଏକାମ୍ର ତୀର୍ଥ କେବଳ ମାତ୍ର ଏକ ଆମ୍ରବୃକ୍ଷ ଶୋଭିତ ନୁହେଁ ବରଂ ଶତ ଶତ ଆମ୍ରବନ ଶୋଭିତ ସେ ସ୍ଥାନର ଏକ ଦେବାଳୟ (ଲିଙ୍ଗରାଜ) ଚତୁର୍ପାଶ୍ୱରେ ଅନେକ ଦେବାଳୟ ବିଦ୍ୟମାନ l
ତତ୍ର ଚ କ୍ଷେତ୍ରମେକାମ୍ରମାମ୍ରାରାମ ଶତାଶ୍ରିତମ l
ଏକ ଦେବକୂଳଂ ଦେବକୁଲୈରା଼କୁଳମଭୂତମ ll (ଶ୍ଳୋକ 9)
କୃତିବାସ କ୍ଷେତ୍ରର ଜଳକଷ୍ଟ ନିରାକରଣ ନିମିତ୍ତ ପୂତ ସଲୀଳା ଗନ୍ଧସିନ୍ଧୁ (ଗଙ୍ଗୁଆ)ର ଏକ ଧାର ଚୋଡ଼ଗଙ୍ଗ ଏକାମ୍ର କ୍ଷେତ୍ର ନିକଟକୁ ନେଇ ଆସିଥିଲେ l
ସ ଯତ୍ର ଗିରିଜାପତିର୍ବସତି ଗନ୍ଧସି6ନ୍ଧl ର୍ମିସନ୍ନିଧାୟ ନିକଟେ ଧୂନିମମର ସାର୍ଥପ୍ରପାମ l
ଯଦନ୍ଵୟ କୃପାଭରାନ୍ୟଧିତ କୃତ୍ତିବାସା ଶ୍ରିୟଂ ମହେନ୍ଦ୍ରପଦ ଜିତ୍ବରୀମ୍ ସୁଭଟ୍ଟଚୋଡ଼ଗଂଗେନ ତାଂ l ( ଶ୍ଳୋକ 10)
ଏଇ ପବିତ୍ର ଏକାମ୍ର କ୍ଷେତ୍ରରେ ପରମ ଶାନ୍ତିଦାୟୀ, ଶୋକହାରୀ ବିନ୍ଦୁ ସର ଶୋଭା ପାଉଛି l ଜଗତ କଲ୍ୟାଣ ନିମନ୍ତେ ତ୍ରିପୁରାସୁର ବିଜୟୀ ଶିବ ସକଳ ତୀର୍ଥସାର ଏଇ ସରୋବର ଖନନ କରିଥିଲେ l
ଯସ୍ମିନ ବିନ୍ଦୁସର8 ସରସ୍ବଦସଦୃଗ ଦୃକପେୟପାଥ8ପତେ
ପାନ୍ଥ ଶ୍ରାନ୍ତିହରଂ ସୁଧାଜନିଥ ନିସ୍ୟନ୍ଦଦବ୍ଦପୁ8 ଶାମ୍ଭବୀମ l (ଶ୍ଳୋକ 12)
ସେଇ ତୀର୍ଥଶ୍ରେଷ୍ଠ ବିନ୍ଦୁସାଗର କୂଳର ଘଞ୍ଚବନାନୀ ଶ୍ରୀକୃଷ୍ଣ ଓ ଶ୍ରୀ ବଳ ରାମଙ୍କ ପ୍ରିୟ ଆବାସ ହେତୁ ସ୍ୱର୍ଗର ନନ୍ଦନକାନନ ତୁଲ୍ୟ ଶୋଭିତ l
ତତ୍ତୀର୍ଥମଣ୍ଡନାସ୍ୟାସ୍ୟ ତୀରେ ନାନା ବନୀଘନେ l
ଶ୍ରୀକୃଷ୍ଣ – ଶ୍ରୀବଳାବାସେ ବାସିତେ ନନ୍ଦନାୟିତେ ll (ଶ୍ଳୋକ 13)
ସେଇ ପବିତ୍ର ସ୍ଥାନରେ ଶକାବ୍ଦ ବ୍ୟୋମ-ବିୟତ-ଫଣୀନ୍ଦ୍ର ରସନା-ଚନ୍ଦ୍ର ବା 1200 ଶକାବ୍ଦ (1278 ଖ୍ରୀଷ୍ଟାବ୍ଦ) ରେ ସସାଗରାଧରା ଅଧିପତି ନରସିଂହ ଦେବ ପୁତ୍ର ଭାନୁଦେବଙ୍କ ରାଜତ୍ୱରେ ଭୀମକନ୍ୟା ( ଚନ୍ଦ୍ରିକା ) ଏଇ ଯାବତଚନ୍ଦ୍ରାର୍କ ପ୍ରାସାଦ ନିର୍ମାଣ କରିଥିଲେ l
ତତ୍ର ବ୍ୟୋମ-ବିୟତ -ଫଣୀନ୍ଦ୍ରରସନା -ଚନ୍ଦ୍ର ପ୍ରମାଣେଇର୍ମମିତା –
ତୀତାସୁକ୍ଷିତି ଭୃଚ୍ଛକାବଧିସମାସ୍ୱାବାରିଧି କ୍ଷ୍ମାମିମାମ l
ଭୂପେ ଶ୍ରୀ ନର ସିଂହଦେବ ତନୟେ ଭାନୌ ଚିରଂ ଶାସତି,
ପ୍ରାସାଦଂସ୍ଥିରମାରବିନ୍ଦୁ ବିଦଧେ ସେୟଂ ହରେର୍ଭୀମଭୂ ll (ଶ୍ଳୋକ 14)
(ସମୟ ଗଣନା ବ୍ୟୋମ =0, ବିୟତ =0, ଫଣୀନ୍ଦ୍ରରସନା -2, ଚନ୍ଦ୍ର =1, ସଂଖ୍ୟାକୁ ଶବ୍ଦରେ ପ୍ରକାଶ କରାଯାଇଛି l ଅର୍ଥାତ 0012 କିନ୍ତୁ “ଅଙ୍କାନାମ ବାମତୋ ଗତି” ନ୍ୟାୟରେ ଶକାବ୍ଦ 1200 ହେବ)
ନିଜର ସୁକନ୍ୟା ଚନ୍ଦ୍ରିକା ଦେବୀଙ୍କୁ ଅନଙ୍ଗଭୀମଦେବ ଚନ୍ଦ୍ରତୁଲ୍ୟ ସୁନ୍ଦର ହୈହୟ ବଂଶୀୟ ପ୍ରମାଡ଼ିଦେବ (ପରମର୍ଦି ଦେବ)ଙ୍କ ଅନେକ ଧନରତ୍ନ ସହ ବିବାହ ଦେଇଥିଲେ l ପରମର୍ଦି ଓ ଚନ୍ଦ୍ରିକା ପରମ ସୁଖରେ କିଛି କାଳ ଅତିବାହିତ କଲା ପରେ ରାଜ୍ୟ ସୁରକ୍ଷା ନିମିତ୍ତ ପରମର୍ଦି ବୀର ନୃସିଂହଙ୍କ ଶତୃ ସହ ଭୟଙ୍କର ଯୁଦ୍ଧ କରି ବିଜୟ ଲାଭ କଲାପରେ ସ୍ୱର୍ଗଗାମୀ ଶତ୍ରୁ ସହ ଯୁଦ୍ଧ ଉଦେଶ୍ୟରେ ଉଲ୍ଲସିତ ଭାବେ ସ୍ୱର୍ଗ ଗମନ କରିଥିଲେ l
ସକ୍ରୀଡାମନୟ ବିଧାୟ ବିବିଧା ରା଼ଗାନୁବ6ନ୍ଧାତ୍ସବାଂ ପତନ୍ୟା
ବୀର ନୃସିଂହଦେବ ନୃପତେର୍ଦ୍ୱେଷ୍ୟାନ ରଣେ ରଜ୍ୟତଃ l
ବିତ୍ତ୍ୱାତାନ ସୁରଲୋକ ଗାନପି ରୁଷା ଜେତୁଂ ସ୍ୱୟଂ ସ୍ୱର୍ଯଯୌମନ୍ୟେସୌ
ପରମର୍ଦିଦେବ ସୁଭଟ8 କୀର୍ତିମ ସମୁଲ୍ଲାସୟନ l (ଶ୍ଳୋକ – 20)
ଶାଶ୍ୱତ ବୈଷ୍ଣବ ପଦ ପ୍ରାପ୍ତି ନିମନ୍ତେ ଶିବପ୍ରିୟ ଏକାମ୍ର କ୍ଷେତ୍ରରେ ବିଷ୍ଣୁ ମନ୍ଦିର ନିର୍ମାଣ କରିଥିବା ଚନ୍ଦ୍ରିକା ଜଗତଜନ କଲ୍ୟାଣ ଉଦ୍ଦେଶ୍ୟରେ ବଳ, କୃଷ୍ଣ ଓ ସୁଭଦ୍ରାଙ୍କୁ ଯଥାଶକ୍ତି ମୁକୁଟ ଆଦି ଅଳଙ୍କାରରେ ବିଭୂଷିତ କରିଥିଲେ l
ମୁକୁଟାଦିଐରାଳଙ୍କାରୈ8 ଶକ୍ତ୍ୟl ଭକ୍ତ୍ୟl ମୁଦାନ୍ବିତା
ବଳକୃଷ୍ନୌ ସୁଭଦ୍ରାଞ୍ଚ ଶ୍ରେୟସେସାବଭୂଷୟତ୍ ll (ଶ୍ଳୋକ 23-ଶେଷ)
ଚନ୍ଦ୍ରିକା ଦେବୀଙ୍କ ଶିଳାଲିପି ଇତିହାସ ଦୃଷ୍ଟିରୁ ଅନେକ ଅତି ଗୁରୁତ୍ୱ ପୂର୍ଣ୍ଣ ସୂଚନା ଦିଏ l ଚୋଡ଼ଗଙ୍ଗ ଦେବଙ୍କ ଆଗଙ୍ଗାଗୋଦାବରୀ ସାମ୍ରାଜ୍ୟ, ଅନଙ୍ଗ ଭୀମଦେବଙ୍କ ଯବନ (ବଙ୍ଗ ସୁଲତାନ) ସେନା ଉପରେ ବିଜୟ, ଲାଙ୍ଗୁଳା ନରସିଂହ ଦେବଙ୍କ ଯୁଦ୍ଧ ଅଭିଯାନ ଓ ବିଜୟ l ଭଗ୍ନୀପତି ପରମର୍ଦି ଦେବ ବଙ୍ଗ ସୁଲତାନ ବିରୁଦ୍ଧରେ ଅଭିଯାନ ଚଳାଇ 1245ରେ ରାଜଧାନୀ ଲକ୍ଷ୍ନୌତି ଯୁଦ୍ଧରେ ନିଜେ ପ୍ରାଣ ଦେଇ ଓଡିଶାକୁ ବିଜୟଶ୍ରୀ ପ୍ରଦାନ କରିଥିଲେ l ମିନହାସଙ୍କ ତବାକତ ଇ ନାସିରି ମଧ୍ୟ ଏହା କହେ l
ଏଇ ଶିଳାଲିପି ମଧ୍ୟ ଉତ୍କଳ ଭୂଖଣ୍ଡର ସମୃଦ୍ଧି, ଏକାମ୍ର କ୍ଷେତ୍ରର ମହିମା ଏବଂ ବିନ୍ଦୁସାଗରର ପଵିତ୍ରତା ଗର୍ବିତ ଭାବେ ବର୍ଣନା କରେ l ବିଶିଷ୍ଟ ଗବେଷକ ଶ୍ରୀ କୁଞ୍ଜବିହାରୀ ତ୍ରିପାଠୀ ନିଜ ଲଣ୍ଡନ ଯାତ୍ରା ଅବସରରେ ଶ୍ରୀ ପରମାନନ୍ଦ ଆଚାର୍ଯ୍ୟଙ୍କ ସନିର୍ବନ୍ଧ ଅନୁରୋଧ ରକ୍ଷା କରି ରୟାଲ ଏସିଆଟିକ ସୋସାଇଟିରୁ ଚନ୍ଦ୍ରିକା ଦେବୀଙ୍କ “ଅନନ୍ତ ବାସୁଦେବ ଶିଳାଲିପି” ର ଏକ ପ୍ରତିକୃତି ସଂଗ୍ରହ କରିଥିଲେ l ତାହା ବର୍ତମାନ ଓଡିଶା ରଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ l
ତେବେ ପରିତାପର ବିଷୟ ଏହା ଯେ ଦୁଇ ଶହ ବର୍ଷ ଧରି ଅନନ୍ତ ବାସୁଦେବ ମନ୍ଦିରରେ ଭଟ୍ଟ ଭବଦେବ ଓ ମେଘେଶ୍ୱର ଶିଳାଲିପି ସ୍ଥାନିତ l ଏଣୁ କର୍ତୃପକ୍ଷ ଏ ଦୁଇ ଶିଳାଲିପି ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ କରି ଅନନ୍ତ ବାସୁଦେବ ଶିଳାଲିପିର ଅନ୍ୟ ଏକ ପ୍ରତିକୃତି ଅନନ୍ତ ବାସୁଦେବ ମନ୍ଦିର ଓ ମେଘେଶ୍ୱର ମନ୍ଦିର ଶିଳାଲିପିର ଏକ ପ୍ରତିକୃତି ମେଘେଶ୍ୱର ମନ୍ଦିରରେ ସ୍ଥାପନ କରିବା ଉଚିତ l
ବର୍ତମାନ ସରକାରୀ ଉଦ୍ୟମ ଦ୍ୱାରା ପ୍ରାଚୀନ ଭାରତର ଅନେକ ଦୁର୍ଲଭ କୀର୍ତ୍ତି ବିଦେଶରୁ ଭାରତ ଫେରି ଆସିଛି l ସରକାର “ଅନନ୍ତ ବାସୁଦେବ ଶିଳାଲିପି” ମଧ୍ୟ ଇଂଲଣ୍ଡରୁ ଫେରେଇ ଆଣିବା ପାଇଁ ଚେଷ୍ଟା କରିବା ଉଚିତ l
ମର୍ତ୍ତ୍ୟଲୋକେ ଚ କୈଳାସ ବିଦ୍ଧିଏକାମ୍ରବନମ ଶୁଭମ
କ୍ଷେତ୍ରପାଳ କୃତୋ ଯତ୍ର ମୟା ନାରାୟଣଃ ସ୍ୱୟଂ ll
ବାପୀଶଙ୍କର ନିର୍ମାୟ ଯସ୍ମିନ କାଳେ ପ୍ରତିଷ୍ଠିତା8
ତମସୌ ଭଗବାନ ଶମ୍ଭୁରନନ୍ତପୁରୁଷୋତ୍ତମଂ ll
(ଶ୍ରୀ ଶିବ ଉଵାଚ)
ସଦାଶିବଙ୍କ ଅମୃତ ବଚନ – ମର୍ତ୍ତ୍ୟକୈଳାସ ସେଇ ଏକାମ୍ର ବନରେ ମୁଁ ନାରାୟଣଙ୍କୁ କ୍ଷେତ୍ରପାଳ ରୂପେ ନିର୍ବାଚିତ କରିଛି l ମୋ ଦ୍ୱାରା ନିର୍ମିତ ଏଇ ଶଙ୍କର ଵାପିକା (ବିନ୍ଦୁ ସରୋବର) ଯେଉଁ ସମୟରେ ପ୍ରତିଷ୍ଠିତ ସେ ସମୟରୁ କ୍ଷେତ୍ରପାଳକ ଭାବେ ଅନନ୍ତ ପୁରୁଷୋତ୍ତମ ମଧ୍ୟ ପ୍ରତିଷ୍ଠିତ l
ତଥ୍ୟ କୃତଜ୍ଞତା – ଶ୍ରୀ କେଦାରନାଥ ମହାପାତ୍ର, ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ, ଶ୍ରୀ ରାଧାକୃଷ୍ଣ ବସୁ; Cover Image Courtesy: Amritesh Khatua, Durgamadhab Mohanty
Ananta Basudev Temple Maharaja Jajati Keshari Ekamra Bindusagar Bhubaneswar Shilalipi Ambika Patnaik
Spread the love

3 Comments

Leave a Reply

Your email address will not be published. Required fields are marked *