କବି ବିନୋଦଚନ୍ଦ୍ର ନାୟକ

~ ‘ଗ୍ରାମପଥ’ର ବିଦଗ୍ଧ ପଥିକ କବି ଡ. ବିନୋଦଚନ୍ଦ୍ର ନାୟକ ~
ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ
ଆବିର୍ଭାବ : ୨ ସେପ୍ଟେମ୍ବର ୧୯୧୯
ତିରୋଧାନ : ୧୫.୧୧.୨ଠଠ୩
‘ଗ୍ରାମପଥ’ର ସେ ବିଦଗ୍ଧ ପଥିକ
‘ଇଲାବୃତ୍ତ’ର ବାସିନ୍ଦା
‘ନନ୍ଦାଦେବୀ’ଶୃଙ୍ଗେ ‘ସରୀସୃପ’ସମ
‘ରାଜକୀୟ ନିଃସଙ୍ଗତା’ I
ଆସିବା ଜନର ପଥ ହୁଡ଼ି ସେ ତ
ଶୁଭ୍ର କରି ତା ତନୁ
ବାହୁଡ଼ି ଗଲେଣି କବି ବହୁ ଦିନୁ
ସ୍ମୃତି ନ ଲିଭଇ ମନୁ….
(ଅନିଲ କୁମାର ପାଣିଗ୍ରାହୀ)
କଦବା କ୍ଵଚିତ ଦେଖିବାକୁ ମିଳେ, ଜଣେ ଇଂରାଜୀ ଅଧ୍ୟାପକ ଓଡ଼ିଆରେ ଉଚ୍ଚଶିକ୍ଷାପ୍ରାପ୍ତ କରି ଓଡ଼ିଆ ଅଧ୍ୟାପକ ହେବା I ଏଭଳି ବିରଳ ବ୍ୟତିକ୍ରମର ଅଧିକାରୀ ହେଲେ କବି ଓ ଶିକ୍ଷାବିତ  ଡ. ବିନୋଦଚନ୍ଦ୍ର ନାୟକ I ଜନ୍ମ ଏକ ଧନାଢ୍ୟ ଗୌନ୍ତିଆ ପରିବାରରେ, ସୁନ୍ଦରଗଡ଼ ନିଆଳିପଲ୍ଲୀ ଗ୍ରାମରେ I ପିତା ନାରାୟଣଚନ୍ଦ୍ର ଗୌନ୍ତିଆ ମହିମା ଧର୍ମାବଲମ୍ବୀ ଥିବାରୁ ଅମାପ ଧନସମ୍ପତ୍ତି ସତ୍ତ୍ୱେ ପରିବାର ପ୍ରତି ଥିଲେ ବୀତସ୍ପୃହ I ମାତା ଯାଜ୍ଞସେନୀ ଦେବୀ ଥିଲେ ବିଦୁଷୀ I ‘ଫୁଲତୋଡ଼ା’ ନାମକ ଏକ କବିତା ଗୁଚ୍ଛର ରଚୟିତା ମଧ୍ୟ I ମାତାଙ୍କ କାବ୍ୟପ୍ରତିଭାର ପ୍ରଭାବ ପଡିଥିଲା ଶିଶୁ ବିନୋଦ ନାୟକଙ୍କ ଉପରେ I
୧୯୩୩ରେ ଶ୍ରୀ ନାୟକ ଶେଷ କରନ୍ତି ସୁନ୍ଦରଗଡ଼ ଇଂଲିଶ ବୟେଜ ହାଇସ୍କୁଲରୁ ମାଟ୍ରିକ I ପରେ ରେଭେନ୍ସାରୁ ସମ୍ମାନ ସହ ସ୍ନାତକ ଓ ପାଟଣା ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ କରିଥିଲେ ହାସଲ I କିଛିକାଳ ହୋଇଥିଲେ କଟକ ରାଣୀହାଟ ହାଇସ୍କୁଲରେ ଶିକ୍ଷକ ଓ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ଶିକ୍ଷା ମଧ୍ୟ ଚାଲିଥିଲା ସମାନ୍ତରାଳ ଭାବେ I ସ୍ୱଳ୍ପକାଳ ପାଇଁ ସମ୍ବଲପୁର ସିଭିଲ ସପ୍ଲାଇ ବିଭାଗରେ ଅଧିକାରୀ ପଦରେ ମଧ୍ୟ ଥିଲେ ଆସୀନ I
ତେବେ ଇଂରାଜୀରେ ଉଚ୍ଚଶିକ୍ଷା ଉତ୍ତାରୁ ଏନ. ସି. କଲେଜ ଯାଜପୁରରେ ଇଂରାଜୀ ଅଧ୍ୟାପକ ଭାବେ ଆରମ୍ଭ ହୁଏ ବୃତ୍ତିଗତ ଜୀବନ I ଓଡ଼ିଆରେ ସ୍ନାତକୋତ୍ତର ଡିଗ୍ରୀ ପରେ ୧୯୫୯-୧୯୬୬ ମସିହା ପର୍ଯ୍ୟନ୍ତ ସୁନ୍ଦରଗଡ଼ ଏବଂ ପରେ ଗଙ୍ଗାଧର ମେହେର କଲେଜରେ କରିଥିଲେ ଓଡ଼ିଆ ଭାଷା ସାହିତ୍ୟରେ ଅଧ୍ୟାପନା I ୧୯୬୮ମସିହାରେ କିଛିକାଳ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀର ହୋଇଥିଲେ ସମ୍ପାଦକ I ପୁନଶ୍ଚ ଅଧ୍ୟାପନା କ୍ଷେତ୍ରକୁ ଫେରିଯାଇ ଝାରସୁଗୁଡା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ରେ ଦେଇଥିଲେ ଯୋଗ ଓ ୧୯୭୮ ମସିହାରେ ଏହି କଲେଜର ଅଧ୍ୟକ୍ଷ ଭାବେ ନେଇଥିଲେ ଅବସର I ଅବସର ଜୀବନରେ ବ୍ରଜରାଜନଗର କଲେଜରେ ହୋଇଥିଲେ ଅଧ୍ୟକ୍ଷ I 
୧୯୮୮ ମସିହାରେ ମହାପାତ୍ର ନୀଳମଣି ସାହୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିବାବେଳେ ଶ୍ରୀ ନାୟକ ହୋଇଥିଲେ ଉପସଭାପତି I କିଛିଦିନ ପରେ କାର୍ଯ୍ୟରୁ ଶ୍ରୀ ସାହୁ ଓହରି ଯିବାରୁ ଉପସଭାପତି ଶ୍ରୀ ନାୟକ ସଭାପତି ଭାବେ ୧୯୯୧ ପର୍ଯ୍ୟନ୍ତ ହୋଇଥିଲେ ଅବସ୍ଥାପିତ I
ସାହିତ୍ୟ ସମ୍ଭାର: ସରୀସୃପ (୧୯୭୦), ହୈମନ୍ତୀ (୧୯୩୩), ଚନ୍ଦ୍ର ଓ ତାରା (୧୯୫୧), ଇଲାବୃତ୍ତ (୧୯୬୦), ନନ୍ଦାଦେବୀ (୧୯୬୨), ଶତ ତାରାର ଦ୍ୱୀପ (୧୯୬୨), ନୀଳ ଚନ୍ଦ୍ରର ଉପତ୍ୟକା (୧୯୫୧), ପୋହଳା ଦ୍ୱୀପର ଉପତ୍ୟକା (୧୯୭୦), ରାଜକୀୟ ନିଃସଙ୍ଗତା
ସମ୍ମାନ ସମ୍ଭାର:
୧. ଆଲ୍ଲାହାବାଦ ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ ୧୯୬୨, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ (୧୯୯୮), ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ସମ୍ମାନଜନକ ଡି.ଲିଟ୍ (୨ଠଠଠ)
୨.କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ସରୀସୃପ- କବିତା ସଙ୍କଳନ)- ୧୯୭୦
୩. ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ – ୨୦୦୦
ଶଂସିତ: ଗ୍ରାମପଥ, ଇଳାବୃତ୍ତ
Odia Poet Binod Chandra Nayak Gramapatha Anil Kumar Panigrahy
Spread the love

Leave a Reply

Your email address will not be published. Required fields are marked *