ଲେଖା: ନିରଞ୍ଜନ ସାହୁ

ସେ କବି ! ମଧୁମୟ ସୁର-ଜାହ୍ନବୀ-ଧାରା କେତେବେଳେ ଅନ୍ତରରୁ ନିଃସୃତ ହୋଇ ବିଶ୍ଵକୁ ଦିବ୍ୟ ରସରେ ପରିପୂର୍ଣ୍ଣ କରିଦିଏ ତ କେତେବେଳେ ଆକାଶରୁ ଉତ୍ତପ୍ତ ତାରାପୁଞ୍ଜକୁ ତୋଳି ଆଣି ଈଶ୍ଵରଙ୍କ ଗଳାରେ ଲମ୍ବାଇ ଦେଇ ପାରେ !

ସେ କବି ! କବିତାର କୂହୁକ ବଳରେ ରବି ତଳେ ପ୍ରଳୟ ରଚନା କରିପାରେ ତ କେତେବେଳେ ବକ୍ଷଦେଶରେ ମଳୟ ପ୍ରବାହିତ କରାଇପାରେ ସେ !

ସେ କବି ! ଉଜ୍ଜ୍ବଳ ପଥର ପଥୁକୀ ସେ, ଘାରି ହୋଇ ନପାରେ ସେ ଜଞ୍ଜାଳ-ବିଷ ମଧ୍ୟରେ ! ପ୍ରଳୟ ଅନଳ ମଧ୍ୟରେ ମଳୟ ମଦିରା ମଧ୍ୟ ସ୍ରବି ଉଠେ ଅମୀୟରସ ସୃଷ୍ଟି କରି ତା’ର ବିଚିତ୍ର ରଚନା ମଧ୍ୟରେ !

ସେ କବି ! ସେ ଗାଇପାରେ –
“ମୁଁ ଧ୍ଵଂସ କରିବି
ବସ୍ତ୍ରହରା ନାରୀର ଦଗ୍ଧ ଚକ୍ଷୁର ଜ୍ଵାଳା
ମୁଁ ବର୍ଷିବି
ସହସ୍ରଧାର ଅଶ୍ରୁର ଏକ ବିନ୍ଦୁ ।
ଲୌହଗର୍ଭ ଧରିତ୍ରୀର ନାଭିପଦ୍ମ ଓଟାରି
ମୁଁ ଆସିଚି,
ତା’ର ଆତ୍ମା ଶୋଷଣ କରି ମୁଁ ଆଣିଚି ସ୍ତନ୍ୟ
ନାରୀ! ତୁମର ସ୍ତନାଗ୍ରରୂପାରେ ଟଳମଳ କରୁ
କ୍ଷୀରାବଧିର ବାରି ।”

ସେ ମଧ୍ୟ ଗାଇପାରେ —
“ନଈରେ ପଡି଼ଚି   କଳା ଡଅଁର ଲୋ
         ଘାଉଁରି ଯାଉଚି ନାଆ,
କିଏ ମୋଡ଼ିଦିଏ    ଏଦିଗେ ସେଦିଗେ
         କିଏ ଲୋ କାହାର ସାହା ।”

ପୁଣି ସେଇ କବିର ଅନ୍ତରରୁ ମଧ୍ୟ ସ୍ରବିଯାଏ —
“ଟେଲିଫୋନର ମଜା,
ଶହେ କୋଶରୁ ଆଈ ସାଥିରେ
କଥା ହେଉଛି ଅଜା ।”
ଅଥବା —
“ମାଙ୍କଡ଼ ଚଳାଏ ସାଇକେଲ ଟି,
ଭାଲୁ ଖେଳଇ ଦୋଳି ।” 

ଏହି କାବ୍ୟପୁରୁଷ ପ୍ରଗତିବାଦୀ ସାହିତ୍ୟ ସ୍ରଷ୍ଟା ଅନନ୍ତ ପଟ୍ଟନାୟକ, ଉତ୍କଳ ସାହିତ୍ୟରେ ଏକ ସଶ୍ରଦ୍ଧ ନାମ । ସୃଷ୍ଟିରେ ତାଙ୍କର ଆଧୁନିକତାର ସ୍ପର୍ଶ, ମାତ୍ର ତ୍ୟାଗ କରିନଥିଲେ ପୂର୍ବବର୍ତ୍ତୀ କବିମାନଙ୍କ ଭାଷା ସମ୍ଭାରକୁ । ସେଇଥିପାଇଁ କବିତାରେ ତାଙ୍କର “ଗାନ୍ଧୀ ବୁକୁର ରକତ ଧାର, ଲେନିନ୍ ଆଖିର ଲୋତକ ଗାର” ଏକାକଥା । ଏକାକଥା ମାର୍କସ ପ୍ରଦର୍ଶିତ ମାର୍ଗରେ ବିପ୍ଳବ ଓ ଗାନ୍ଧୀ ଆଦର୍ଶରେ ସତ୍ୟ, ଅହିଂସା, ମୈତ୍ରୀ ମାର୍ଗର ବିପ୍ଳବ । ତା’ର ମେଳ ଅମେଳ ବାଛବିଚାର ନାହିଁ, କିଛି ବାଦ ଦିଆଗଲେ ସେ ଅପରିପୂର୍ଣ୍ଣ ରହିଯିବ ।

କ୍ରାନ୍ତିକାରୀ କବି ଅନନ୍ତ ପଟ୍ଟନାୟକ, ପୁଣି ଶିଶୁ ସାହିତ୍ୟିକ ଅନନ୍ତ ପଟ୍ଟନାୟକ । ଏକ ବହୁମୁଖୀ ପ୍ରତିଭାର କାବ୍ୟ ପୁରୁଷ ସେହି ଅନନ୍ତ ପଟ୍ଟନାୟକ । ସେ ସିଦ୍ଧ କବି ! ଆଧୁନିକ କବିତାରେ ବ୍ୟବହୃତ ଭାଷାର ଉପଯୋଗିତାକୁ ପ୍ରମାଣିତ କରିଥିବା କବି ସେ। ଟାଣିଓଟାରି ଆଣି ନାହାନ୍ତି ଶବ୍ଦଚୟ କବିତା ମଧ୍ୟକୁ, ପ୍ରୟୋଗ ହୋଇଥିବା ଭାଷା ଅପରିହାର୍ଯ୍ୟ, ତାହା ବ୍ୟତିରେକେ ଯାହା କହିବାକୁ ଚାହିଁଥିଲେ କରି ପାରିନଥାନ୍ତେ, କବିତା ହୋଇନଥାନ୍ତା ଏତେ ଲଳିତ —
“ଦି’ ପୋଷ ଲୁହରେ  ମରମ ପୋଷେକି
              ବତୁରାଇ ଦେଲି ଛାଟି,
ସତେ ମିତକିଲୋ     ତୋ’ ହସ ଉଷୁମେ
              ଗଜୁରି ଉଠିବ ମାଟି “

ଅଧୁନା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ, ବାଲିପାଟଣା ବ୍ଲକର ଚଣାହାଟ ଗ୍ରାମ । ବିଶ୍ଵବନ୍ଦିତ କବିଶ୍ରେଷ୍ଠ ଜୟଦେବଙ୍କ ଅଞ୍ଚଳ। ସେହି ଚଣାହାଟର ଖ୍ୟାତିସମ୍ପନ୍ନ ଚଉଧୁରୀ ପରିବାରର ଜୟକୃଷ୍ଣ ପଟ୍ଟନାୟକ ଓ ମହାଦେଇ ଦେବୀଙ୍କ ପୁତ୍ର ଅନନ୍ତ ପଟ୍ଟନାୟକ। ୧୯୧୨ ମସିହା ଜୁନ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଅନନ୍ତ ପଟ୍ଟନାୟକ (ଶ୍ରଦ୍ଧାନାମ: ବାବାଜୀ) ।


ଶିକ୍ଷା ଆରମ୍ଭ ହେଲା । ପ୍ରାଥମିକ ବିଦ୍ୟାଳୟ, ପୁରୀ ଜିଲ୍ଲା ସ୍କୁଲ, ରେଭେନ୍ସା କଲଜିଏଟ୍ ଓ ରେଭେନ୍ସା କଲେଜରେ। କିଶୋର ଅବସ୍ଥାରେ ସାଥୀ ହୋଇଗଲେ ଭଗବତୀ ଚରଣ ପାଣିଗ୍ରାହୀ, ଯେ କି ବୟସରେ ବଡ଼ ଥିଲେ ୩/୪ ବର୍ଷ ତାଙ୍କଠାରୁ। ଷୋହଳ ବର୍ଷରୁ ଆରମ୍ଭ ହେଲା ଲେଖା ଲେଖି। ପ୍ରଥମ କବିତା ଥିଲା ଦେଶାତ୍ମବୋଧକ ଏବଂ ପ୍ରକାଶ ପାଇଥିଲା ‘ସହକାର‘ ପତ୍ରିକାରେ ।

୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ । ଅନନ୍ତ ପାଲଟିଗଲେ ସତ୍ୟାଗ୍ରହୀ । କଟକ ଛାଡ଼ି ଧାଇଁଲେ ପୁରୀ, ସତ୍ୟାଗ୍ରହରେ ଯୋଗ ଦେବାକୁ। ସେତେବେଳକୁ ତାଙ୍କର କବିତା ସବୁ ପ୍ରଚାରିତ ହୋଇ ଯାଇଥାଏ ସମଗ୍ର ଓଡ଼ିଶାରେ । ପଦଯାତ୍ରା ଚାଲିଥାଏ ଲୁଣ ମାରିବା ପାଇଁ ପୁରୀ ସମୁଦ୍ରକୂଳରେ ଏବଂ ସତ୍ୟାଗ୍ରହୀମାନେ ସମସ୍ଵରରେ ଗାଇ ଚାଲିଥାନ୍ତି କିଶୋର କବି ଅନନ୍ତ ପଟ୍ଟନାୟକଙ୍କ କବିତା —
“ଲୁଣ ନୁହେଁ ସେ’ତ ରକତର ଛିଟା,
ବକ୍ସି ଜଗବନ୍ଧୁ ମାଉଁସ ଚିକିଟା ।
ଆମେ ଦରିଆରୁ ମାରିବୁ ଲୁଣ ,
ଗୋରା ବେପାରୀଙ୍କ ଭାଙ୍ଗିବୁ ଟାଣ ।”

କଲେଜରେ ରାଜନୈତିକ ଜୀବନ, କାରାବରଣ ଇତ୍ୟାଦି ମଧ୍ୟରେ ସୀମିତ ନରହି ସମୟକ୍ରମେ ଆକୃଷ୍ଟ ହେଲେ ପ୍ରବୀଣ ବିଦ୍ୱାନ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ପ୍ରାଚୀ ସମିତି ଆଡ଼କୁ । ପୋଥି ସଂଗ୍ରହ, ପାଠୋଦ୍ଧାର, ସାହିତ୍ୟଚର୍ଚ୍ଚାରେ ସମ୍ପୂର୍ଣ୍ଣ ନିୟୋଜିତ କରିଦେଲେ ନିଜକୁ । କିନ୍ତୁ ସେ ଦେଶପ୍ରେମୀ। ଅନ୍ତରରେ ଦେଶପ୍ରେମ ବହ୍ନି ପ୍ରଜ୍ବଳନକୁ କିଏ ବା ରୋକିପାରେ ? କଂଗ୍ରେସରୁ ବିଦାୟ ନେଇ ସାମିଲ ହୋଇଗଲେ ଓଡ଼ିଶାର ଅଦ୍ୱିତୀୟ ଆଦର୍ଶ ମଣିଷ ନବକୃଷ୍ଣ ଚୌଧୁରୀଙ୍କ ସହ। ଆଦର୍ଶ ଭିତ୍ତିକ ରାଜନୀତି ଓ ସାହିତ୍ୟ ଚର୍ଚ୍ଚା ମନ ଭିତରେ ଜମାଟ ବାନ୍ଧିଥିଲା । ବାଗ୍ମୀ ପଣ୍ଡିତ ନୀଳକଣ୍ଠ ଦାସଙ୍କ ପ୍ରତିଷ୍ଠିତ ନବଭାରତ ଓ ଅଦ୍ୱିତୀୟ ପତ୍ରିକା ସହକାର କବି ଅନନ୍ତଙ୍କ ନୂତନ ଧାରାର କବିତାଗୁଡ଼ିକୁ ସ୍ଥାନିତ କଲେ ସେମାନଙ୍କ ପ୍ରକାଶନରେ ।

ସେହି ସମୟରେ ସାମ୍ୟବାଦୀ ଚେତନାର ଅନ୍ୟତମ ପ୍ରବକ୍ତା ଭଗବତୀ ଚରଣ ପାଣିଗ୍ରାହୀ ଗଢ଼ିଥାନ୍ତି ‘ନବଯୁଗ ସାହିତ୍ୟ ସଂସଦ‘ । ଯୋଗ୍ୟତମ ବ୍ୟକ୍ତି ତ ଆମରି ଅନନ୍ତ ପଟ୍ଟନାୟକ ! ସଂସଦର ପ୍ରଥମ ସଂପାଦକ ହେଲେ ଅନନ୍ତ ପଟ୍ଟନାୟକ । ପ୍ରଥମ ବୈଠକରେ ତାଙ୍କର ବୈପ୍ଳବିକ କବିତାର ଉପସ୍ଥାପନା ଚମତ୍କୃତ କରିଦେଲା ଓଡ଼ିଶାର ତତ୍କାଳୀନ ଚିନ୍ତାନାୟକ, ସାହିତ୍ୟିକ ଓ ସଂଗ୍ରାମୀମାନଙ୍କୁ —
“ନବୀନ ଯୁଗର ତରୁଣ
          ଜାଗରେ ଜାଗ ବନ୍ଧନ ହରା,
ବକ୍ଷ ଶୋଣିତ ଲକ୍ଷ ଜୀବନେ
           ଖେଳାଅ ଆଲୋକ ଧାରା ।
ଛିନ୍ନ କରରେ ବନ୍ଧନ ରାତ୍ରି
           କ୍ରନ୍ଦନ ହେଉ ଶେଷ ।
ଲୁପ୍ତ ହେଉରେ ଜାତି, ଅଜାତି
           ଖଣ୍ଡିତ ଶତ ଦେଶ ।”

ଅନନ୍ତ ପଟ୍ଟନାୟକ । ସାହିତ୍ୟିକ, କବି, ସଂଗଠକ, ରାଜନୈତିକ କର୍ମୀ, ସଂଗ୍ରାମୀ, ସାଧାରଣ ଜନତାଙ୍କ ପାଇଁ ଚିନ୍ତା କରୁଥିବା ସାଧାରଣ ମଣିଷ ଏବଂ ମହାନ ପ୍ରତିଭାର ଉଜ୍ଜ୍ୱଳ ପୁରୁଷ । ସାମ୍ୟବାଦୀ ଚେତନାର ଅନ୍ୟତମ ଗୁରୁ, ପ୍ରଚଳିତ ସମାଜ ବ୍ୟବସ୍ଥାର ସାଲିସହୀନ ସଂଗ୍ରାମୀ, ଶିକ୍ଷାବିତ୍, ନାଟ୍ୟକାର, ଅନୁବାଦକ, ଆହୁରି ଅନେକ କିଛି ଯଥା ପତ୍ରିକା ସଂପାଦକ, ଚଳଚ୍ଚିତ୍ର କାହାଣୀ, ସଂଳାପ, ଗୀତିକାର, ସହ ନିର୍ଦ୍ଦେଶକ । ପ୍ରତିଭା ବହୁଧା ବିଭକ୍ତ ।

ପୁରସ୍କାର ଓ ସମ୍ମାନ ପାଇଁ ଅନାସକ୍ତ ମଣିଷ ଅନନ୍ତ ପଟ୍ଟନାୟକଙ୍କ ପଶ୍ଚାତରେ କିନ୍ତୁ ଧାବମାନ ରାଶି ରାଶି ସମ୍ମାନ । ‘ଉଠ’, ‘ଜାଗ ଭୋକିଲା’, ‘ତର୍ପଣ କରେ ଆଜି’, ‘ଶାନ୍ତିଶିଖା’, ‘ଅଲୋଡ଼ା ଲୋଡ଼ା’, ‘ଛାଇର ଛଟା’, ‘ଅବାନ୍ତର’ କାବ୍ୟସମୂହ ତ କାଳଜୟୀ ରଚନା ! ନାଟକ ‘ଚିରି ଅନ୍ଧକାର ରାତି’, ‘ପଞ୍ଚଶୀଳ’, ‘ରାବଣ’, ‘ସପ୍ତଶଯ୍ୟା’ ଏବେ ମଧ୍ୟ ଜନମାନସରେ ଆଦୃତ। ଭାରତ-ସୋଭିଏତ୍ ମୈତ୍ରୀସଂଘର ଅନ୍ୟତମ ସଭାପତି, ସୋଭିଏତ୍ ନେହେରୁ ପୁରସ୍କାର, ଶାରଳା ପୁରସ୍କାର ଓ ବହୁବାର ବିଷୁବ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଠାରୁ ଅଧିକ ସମ୍ମାନ ମିଳିଛି ତାଙ୍କୁ ଅଗଣିତ ଓଡ଼ିଆପ୍ରେମୀମାନଙ୍କ ହୃଦୟରୁ ।

ଚିନ୍ତା ଓ ଚେତନାର ଅନ୍ୟତମ ବିନ୍ଧାଣି ଅନନ୍ତ ପଟ୍ଟନାୟକଙ୍କୁ ବିଜୁ ପଟ୍ଟନାୟକ ସମର୍ପି ଦେଇଥିଲେ ନୂଆ ଢାଞ୍ଚାରେ ସର୍ଜନା ସହିତ ସଂକଳନ କରିବାକୁ ଶିଶୁ ସାହିତ୍ୟ।  ସେ ସମୟର ମୋ ଛବିବହି ଏକ ଯୁଗାନ୍ତକାରୀ ପଦକ୍ଷେପ କାବ୍ୟ ପୁରୁଷ ଅନନ୍ତ ପଟ୍ଟନାୟକଙ୍କର ‌। ନୂତନ ଶୈଳୀରେ ଆରମ୍ଭ ହେଲା ।

ଶିଶୁ ହୃଦୟରେ ସବୁଦିନ ପାଇଁ ଲେଖି ହୋଇଗଲା ଏ କବିତା । ଶିକ୍ଷାବିତ ଅବନୀ ବରାଳଙ୍କ ଉକ୍ତିରେ –  “ପରିଣତ ବୟସରେ ଶିଶୁଙ୍କ ପାଇଁ ସାହିତ୍ୟସୃଷ୍ଟି ତାଙ୍କୁ ଉନ୍ମାଦ କରିଛି । ସେ ନିରୋଳା ଏକ ଧାରା ସୃଷ୍ଟି କରିଛନ୍ତି ।” 

ଶିଶୁ ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପାଠ୍ୟ ହୋଇଛି ଅନନ୍ତ ପଟ୍ଟନାୟକଙ୍କ କାବ୍ୟ କବିତା। ସେହି ସର୍ବହରାର ସାଥୀ ଯେମିତି ଯୋଡ଼ି ଦେଇଛନ୍ତି ଓଡ଼ିଆସାହିତ୍ୟରେ ଏକ ନୂତନଫର୍ଦ୍ଦ । ତଥାପି ନିଜ ସୃଷ୍ଟି ପାଇଁ ଆସ୍ଫାଳନ ନାହିଁ ତାଙ୍କର —
“ଆପଣାକୁ ଆପେ ପଚାରି ମରୁଛି
            କି ଗୀତ ଗାଇ ,
ବେଳେ ବେଳେ କିଆଁ କବିତା ଲେଖେ ମୁଁ
            କି ଲାଭ ପାଇଁ ?”

ଆମେ କିନ୍ତୁ ଏକମତ ହୋଇ ପାରୁନାହୁଁ କବିଙ୍କ ଏହି ଉକ୍ତିରେ !ସେଥିପାଇଁ ତ  ଆମ ସାହିତ୍ୟରେ ପ୍ରତିଷ୍ଠିତ କବି ରମାକାନ୍ତ ରଥ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଲେ — “କବିତା ଲେଖି ଅନନ୍ତ ପଟ୍ଟନାୟକଙ୍କର ଲାଭ ନ ହେଲା ନାହିଁ, ଆମର ଖୁବ ଲାଭହେଲା, କବିତା ସତରେ କ’ଣ ଆମେ ଜାଣିପାରିଲୁ ।”

ହେ ପ୍ରଗତୀବାଦୀ ସାହିତ୍ୟ ସ୍ରଷ୍ଟା, ଯୁଗାବତାର କବି, ନୂତନ ଧାରାର ପ୍ରବର୍ତ୍ତକ ଅନନ୍ତ ପଟ୍ଟନାୟକ ମହାଭାଗ ! ହେ କବି, ହେ ସଂଗ୍ରାମୀ, ହେ ସର୍ବବିଦିତ ମଣିଷ, ହେ ଓଡ଼ିଆ ସାହିତ୍ୟର ଦିଗବାରେଣି ସ୍ତମ୍ଭ ! ସମଗ୍ର ରାଜ୍ୟର ସାରସ୍ବତ ସାଧକ, ତରୁଣ ଗୋଷ୍ଠୀ, ଶିଶୁଗଣ, ସଂଗ୍ରାମୀ ମାନଙ୍କ ନିକଟରେ ଆପଣ ନମସ୍ୟ । ଓଡ଼ିଆ ଭାଇଭଉଣୀଙ୍କ ତରଫରୁ ‘ଅନ୍ତରଙ୍ଗ କଳିଙ୍ଗ’ର ଦଣ୍ଡବତ । ଘେନିବା ହୁଅନ୍ତୁ ।

ଆଧାର: ‘ଆମେ ଓଡ଼ିଆ’, ନୃସିଂହ ଚରଣ ସାହୁ; ଅନନ୍ତ ପଟ୍ଟନାୟକ ଶତବାର୍ଷିକୀ ସ୍ମରଣିକା ଓ କବିଙ୍କ ରଚନାବଳୀ

Kabi Ananta Patnaik Ame Odia © Niranjan Sahu

Spread the love
admin

Recent Posts

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

12 hours ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

4 days ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

5 days ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 week ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 week ago

ଦଶପଲ୍ଲା ଗଡ଼

ଦଶପଲ୍ଲା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଅଧୁନା ନୟାଗଡ଼ ଜିଲ୍ଲା ପୂର୍ବରୁ ଚାରି ଗଡଜାତରେ ବିଭକ୍ତ ଥିଲା ଯଥା,…

2 weeks ago