ଲେଖା: ନିରଞ୍ଜନ ସାହୁ

ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଆମ ଓଡ଼ିଶାର ବରୀ ଅଞ୍ଚଳର ଅବଦାନ କୌଣସି ଗୁଣରେ କମ୍ ନୁହେଁ । ୧୯୪୨ ମସିହା ଅଗଷ୍ଟ ମାସରେ  ଗାନ୍ଧିଜୀଙ୍କ ଆହୂତ ‘ଭାରତଛାଡ଼’ ଆନ୍ଦୋଳନ ସାରା ଭାରତରେ ମୁଣ୍ଡ ଟେକି ଉଠିଥାଏ । ବିଦେଶୀ ଇଂରେଜଙ୍କୁ ଏ ଦେଶରୁ ହଟାଇବା ସହ ସ୍ଵରାଜ ପ୍ରତିଷ୍ଠା କରିବାର ସ୍ଵପ୍ନକୁ ସାକାର କରିବା ପାଇଁ ସ୍ଵାର୍ଥହୀନ ଭାବେ ସମାଜର ସମସ୍ତ ବର୍ଗର ଲୋକେ ଆଗେଇ ଆସିଥାନ୍ତି । ଓଡ଼ିଶା ତଥା ଭାରତର ଋଷିପ୍ରତିମ ଗାନ୍ଧୀମଣିଷ ଗୋପବନ୍ଧୁ ଚୌଧୁରୀ, ମା’ ରମାଦେବୀ ଆଶ୍ରମ ପ୍ରତିଷ୍ଠା କରି ସାରିଥାନ୍ତି ବରୀ ଅଞ୍ଚଳରେ ‘ସେବାଘର’ ନାମରେ । ତାଙ୍କ ସହ ସାମିଲ୍ ହୋଇଥାନ୍ତି ଓଡ଼ିଶା ମାଟିର ଚିରନମସ୍ୟା ଅନ୍ନପୂର୍ଣ୍ଣା ମହାରଣା, ଗୋଦାବରୀ ଦେବୀ, ସରଳା ଦେବୀ, ମାଳତୀ ଚୌଧୁରୀ, ରମ୍ଭାଦେବୀ, ପ୍ରଭାବତୀ ଦେବୀ, ପ୍ରିୟମ୍ବଦା ଦେବୀ ଓ ପୂଜ୍ୟ ନବକୃଷ୍ଣ ଚୌଧୁରୀ, ମନମୋହନ ଚୌଧୁରୀ, ଶରତ ମହାରଣା, ବାନରସେନା । ବରୀ ଅଞ୍ଚଳରେ ଗାଁ କୁ ଗାଁ ବୁଲି ପ୍ରଚାର କାର୍ଯ୍ୟ, ସ୍ଵରାଜବାର୍ତ୍ତା, ସେବାକାମ, ଖଦୀ ବୁଣିବା ଇତ୍ୟାଦି କରାଉଥିବା ହେତୁ ବରୀ ଓ ଯାଜପୁର ଅଂଚଳର ଜନସାଧାରଣ ପ୍ରତ୍ୟକ୍ଷ ଭାବେ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ତେଣୁ ବରୀ ହୋଇଥିଲା ‘ସ୍ଵାଧୀନତା ସଂଗ୍ରାମର ଏକ ଉର୍ବର ଭୂଖଣ୍ଡ’ ।

~ ପୃଷ୍ଠଭୂମି ~
୧୯୪୨ ମସିହା କାଇପଡ଼ା କଳାମାଟିଆ ଗୁଳିକାଣ୍ଡ ଘଟିଲା ଅଗଷ୍ଟ ମାସ ଛବିଶ ତାରିଖ ଗହ୍ମା ପୁନେଇଁ ଦିନ । ସେହି ଆନ୍ଦୋଳନ ଥିଲା ସ୍ଵାଧୀନତା ସଂଗ୍ରାମ ଓ ଇଂରେଜ ସରକାରଙ୍କ ଦ୍ଵାରା ଲାଗୁ ହୋଇଥିବା ପିଟୁଣି ଟିକସ ବିରୁଦ୍ଧରେ । ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାରଣାଙ୍କ ନେତୃତ୍ୱରେ ସଭା (ନୀରବ ଆନ୍ଦୋଳନ ) ହେଉଥିଲା କାଇପଡା଼ ହାଟ ପଡ଼ିଆରେ । ଏଥିରେ ଯୋଗ ଦେବାକୁ ହଜାର ହଜାର ଲୋକ ସ୍ଥାନୀୟ ଗାଁ ଧାରପୁର, ମନ୍ଦାରୀ, ଶେରପୁର, ବାଲିବିଲ, ଅରଙ୍ଗାବାଦ, ବାଲିଆ, ହଳଦୀ ବସନ୍ତ, ହାଟସାହି, ଶ୍ରୀରାମପୁର, ଅରୁଆଳ, କୃଷ୍ଣ ନଗର, ଅନ୍ୟାସପୁର ଓ ଅନ୍ୟାନ୍ୟ ଆଖପାଖ ଗାଁରୁ ଚାଲି ଚାଲି ଆସି ପହଁଞ୍ଚୁ ଥାଆନ୍ତି । ନେତୃତ୍ଵ ନେଉଥାନ୍ତି ବରୀ ଗାନ୍ଧୀ ବାସୁଦେବ ସାମଲ। ତାଙ୍କ ସହ ସହଯୋଗ କରୁଥାନ୍ତି ରାଧାକୃଷ୍ଣ ସାମଲ, ଋଷି ବେହେରା, ମଧୁସୂଦନ ନନ୍ଦ, ଭୁବନାନନ୍ଦ ସ୍ଵାଇଁ, କୃଷ୍ଣଚନ୍ଦ୍ର ସାହୁ, ପଦ୍ମନାଭ ମଲ୍ଲିକ, କିଶୋର ଜେନା ଇତ୍ୟାଦି ସଂଗ୍ରାମୀ ବୃନ୍ଦ । ତା ପୂର୍ବଦିନ ଅର୍ଥାତ୍ ପଚିଶ ତାରିଖ ଯାଜପୁର ଏସ୍. ଡି.ଓ. ଙ୍କ ନିର୍ଦ୍ଦେଶନାରେ ବିଂଝାରପୁର ଥାନା ଅଧିକାରୀ ନଵାବ ଖାଁ ଏକ ପ୍ଲାଟୁନ ଫୋର୍ସ ସହିତ ପହଞ୍ଚିଯାଇ ବିଭିନ୍ନ ଅଞ୍ଚଳରୁ ସତ୍ୟାଗ୍ରହୀ ଓ ତାଙ୍କ ସମର୍ଥକ (ସନ୍ଦେହ) ଲୋକମାନଙ୍କୁ ହାତକଡ଼ି ପକାଇ ଚାଲାଣ କରୁଥାନ୍ତି ଥାନାକୁ । ତେଣୁ ସବୁ ଗାଁ ର ଲୋକମାନେ ପୋଲିସର ଏହି ଦମନଲୀଳା କାର୍ଯ୍ୟକୁ ପ୍ରତିରୋଧ କରିବା ସହ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ  ଆଗେଇ ଆସୁଥାନ୍ତି । ଛବିଶ ତାରିଖ ସଭା ହେଉଥିବା ବେଳେ ସାଧାରଣ ଲୋକଙ୍କ ସହିତ ଧସ୍ତାଧସ୍ତି ଆରମ୍ଭ ହୋଇଗଲା ପୋଲିସର, ମଧ୍ୟସ୍ଥି ହାଡ଼ିବନ୍ଧୁ ପଣ୍ଡାଙ୍କୁ ମୁକ୍ତ କରିବା ପାଇଁ । ଏକଥା ପୋଲିସ କର୍ତ୍ତୃପକ୍ଷଙ୍କୁ ସୁହାଇଲା ନାହିଁ । ତେଣୁ ହାଡ଼ିବନ୍ଧୁ ପଣ୍ଡାଙ୍କୁ ବାୟନଟରେ ଜଣେ ପୋଲିସ କର୍ମଚାରୀ ଆକ୍ରମଣ କରି ଲହୁଲୁହାଣ କରିଦେଲେ । ଛାଡ଼ିବା ଲୋକ ନଥିଲେ ହାଡ଼ିବନ୍ଧୁ ପଣ୍ଡା ମହୋଦୟ। ତାଙ୍କ ହାତରେ ଥିବା ଠେଙ୍ଗା ଧରି ପ୍ରାୟ କୋଡ଼ିଏ ଜଣ ପୋଲିସ କର୍ମଚାରୀଙ୍କୁ ବାଡ଼େଇବା ଆରମ୍ଭ କରିଦେଲେ । ରକ୍ତମୁଖା ପୋଲିସ ଆରମ୍ଭ କରିଦେଲେ ଗୁଳି ବର୍ଷଣ । ସେଇଠି ଟଳି ପଡି଼ଲେ ସର୍ବଶ୍ରୀ ହାଡ଼ିବନ୍ଧୁ ପଣ୍ଡା, ସାଉଣ୍ଟି ମଲିକ, ମାୟାଧର ଭୂୟାଁ ଓ ସଦାନନ୍ଦ ସ୍ଵାଇଁ ।

ଏ ସଂଗ୍ରାମ ସୀମିତ ନଥିଲା . .

ଭାରତ ଛାଡ଼ ଆନ୍ଦୋଳନକୁ ଆବାଳବୃଦ୍ଧବନିତା ସ୍ଵାଗତ କରିଥିଲେ । ବହିବସ୍ତାନି ଫୋପାଡ଼ି ଦେଇ ଛାତ୍ରଛାତ୍ରୀ ଡେଇଁ ପଡ଼ିଥିଲେ ପ୍ରତ୍ୟକ୍ଷ ଓ ପରୋକ୍ଷରେ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦାନା ବାନ୍ଧିଥିଲା ଜନ ଅସନ୍ତୋଷ ଓ ପରାଧିନତାରୁ ମୁକ୍ତି ପାଇଁ ଆନ୍ଦୋଳନ। ବରୀ ଅଞ୍ଚଳର ସବୁ ଗାଁ ଲୋକେ ଆଗେଇ ଆସିଥିଲେ ଗୋପବନ୍ଧୁ ଚୌଧୁରୀଙ୍କ ଆହ୍ଵାନରେ । ଅଖ୍ୟାତ ପଲ୍ଲୀ ‘ଶେରପୁର’, ବରୀ ଠାରୁ ନଦୀ ପାର ହୋଇ ପାଞ୍ଚ ମାଇଲ୍ ଦୂରରେ । ସେହି ଗାଁରେ ଜନ୍ମ ନେଇଥିଲା ଝିଅଟିଏ । ନାଁ ଥିଲା ଅବଳା । ଗାଁର ପ୍ରତିଷ୍ଠିତ ମଣିଷ ଥିଲେ ଭାଗବତ ନାୟକ । ଝିଅଟିକୁ ପୋଷ୍ୟ କନ୍ୟା ଭାବେ ନେଇଗଲେ ମା’ ସୀତାଦେବୀଙ୍କ ପାଖରୁ । ପାଳିତ ମା’ ହେଲେ ଖୁସି ଦେବୀ। ବହୁତ ଯତ୍ନରେ ଲାଳନପାଳନ କଲେ ଅବଳାକୁ ।

~ ନାବାଳିକା ଶହୀଦ ~
ଅବଳା ଥିଲେ ଛ’ ବର୍ଷର ଅଲିଅଳି । ସେହି ସମୟରେ କାଇପଡ଼ା କଳାମାଟିଆ ଗୁଳିକାଣ୍ଡ ଘଟି ଯାଇଥିଲା । ଗୁଳିକାଣ୍ଡର ପରଦିନ ବେଳକୁ ଶାନ୍ତ ପଡ଼ିନଥିଲା ବରୀ ଅଞ୍ଚଳ । ଶହୀଦମାନଙ୍କ ପାଇଁ ଅଶ୍ରୁ ଢାଳୁଥିବା ବେଳେ ଲୋକେ ଆତଙ୍କିତ ହୋଇ ମଧ୍ୟ ପୋଲିସର ପ୍ରତିଶୋଧ ନେବାକୁ ପ୍ରୟାସ ଜାରି ରଖିଥିଲେ । ଅନ୍ୟ ପକ୍ଷରେ ପୋଲିସ ମଧ୍ୟ ଯାଇ ଗାଁ ଗାଁ ସଂଗ୍ରାମୀ ଲୋକମାନଙ୍କୁ ବନ୍ଦୀ କରି ଜେଲ୍ ଚାଲାଣ କରିବା ପାଇଁ ପଛାଉନଥିଲେ । ଶେରପୁର ଗାଁରେ ପହଞ୍ଚି ସେଠାକାର କିଛି ଜଣାଶୁଣା ଲୋକଙ୍କୁ ଧରି ବିଂଝାରପୁର ଥାନାକୁ ଚାଲାଣ କରିବା ଆରମ୍ଭ କରିଦେଲେ । ସେମାନଙ୍କ ମଧ୍ୟରେ ଥିଲେ ଭଗବାନ ନାୟକ, ଅବଳାଙ୍କ ବାପା । ତାଙ୍କ ହାତକଡ଼ି ଦେଖି ଛ’ ବର୍ଷର ଝିଅ ଅବଳା କେମିତି ବା ଧୈର୍ଯ୍ୟ ଧରି ରହିପାରେ । ତେଣୁ କାନ୍ଦି କାନ୍ଦି ବାପାଙ୍କ ପଛରେ ଧାଇଁ ଧାଇଁ ଚାଲିଲେ ଝିଅ । ପୋଲିସ ତାଙ୍କୁ ଧକ୍କା ମାରି ତଡ଼ିବାକୁ ଲାଗିଲା । ପୋଲିସ ଧକ୍କାକୁ ଖାତିରି ନକରି ଅବଳା ଝିଙ୍କି ପକାଇଲେ ପୋଲିସ ପୋଷାକ । ଝିଅଟାର ଏଭଳି ଆଚରଣ ଦେଖି ପୋଲିସ ହରେଇଲା ମଣିଷପଣିଆ। ନିଜକୁ ସମ୍ଭାଳି ନ ପାରି ଧକ୍କା ଉପରେ ଧକ୍କା ଦେଇ ଚାଲିଲା । ଆଗରେ ଥିଲା ନାଳ । ବର୍ଷା ଦିନ । ପାଣି ଭରପୂର । ଅବଳା ପଡ଼ି ଗଲେ ନାଳ ଭିତରେ। ବାପା ଭାବୁଥିଲେ ଝିଅ ପଛେ ପଛେ ଚାଲିଛି ।

କିନ୍ତୁ . .

“ମିଶିଯାଏ ଯଥା ପ୍ରଭାତୀ ତାରା ରବି କିରଣେ,
ମିଶିଯାଏ ଯଥା ଜୀବାତ୍ମା ବିଶ୍ଵ ଆତ୍ମା ଚରଣେ ।
ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ,
ମିଶିଗଲା ତଥା ଅବଳା ସେହି ନୀଳ ତରଙ୍ଗେ” ।
(ଚନ୍ଦ୍ରଭାଗା/କବିବର ରାଧାନାଥ)
               
ସବୁ ଶେଷ ହୋଇଯାଇଥିଲା ! !

ଓଡ଼ିଶାର ବୀରା କନ୍ୟାମାନଙ୍କ ମଧ୍ୟରେ ଅବଳାଙ୍କ ନାଁ ନାହିଁ । କେତେକ କହନ୍ତି, ଏତେ ଛୋଟ ଝିଅଟିଏ,  ହୁଏତ ବାପାଙ୍କ ପଛରେ ଧାଇଁ ଧାଇଁ ନାଳରେ ପଡ଼ି ଯାଇଥିବ । ସେ ଯାହାହେଉ ନା କାହିଁକି, ଅବଳା ଯେ ପୋଲିସକୁ ପ୍ରତିରୋଧ କରିଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଇଂରେଜ ପୁଲିସଠାରୁ ଛଡ଼ାଇ ଆଣିବା ପାଇଁ, ଏହାକୁ ତ ଅସ୍ବୀକାର କରି ପାରିବା ନାହିଁ । ତେଣୁ ସେ ତ ଆମ ଭୂଖଣ୍ଡର ଜଣେ ଯଶୋଦେହେ ଆୟୁଷ୍ମତୀ !

‘ଅନ୍ତରଙ୍ଗ କଳିଙ୍ଗ’ ସେହି ବୀରାକନ୍ୟାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଉଛି ।

ଆଧାର: ଶେରପୁର ଗାଁର ଶ୍ରୀ ଅନନ୍ତ ନାୟକ; “ଆମେ ଓଡ଼ିଆ” ପୁସ୍ତକ, ନୃସିଂହ ଚରଣ ସାହୁ; ଐତିହାସିକ ଡ. ଜଗନ୍ନାଥ ପଟ୍ଟନାୟକ 

Abala Nayak Kaipada Kalamatia Massacre of Bari Nabakrushna Choudhury Gopabandhu Choudhury Malati Choudhury Ramadevi Manmohan Choudhury Annapurnna Maharana Sebaghara Niranjan Sahu

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago