କହଇ ଦାସ ଜଗନ୍ନାଥ

ଲେଖା: ଅମୃତେଶ ଖଟୁଆ

~ କହଇ ଜଗନ୍ନାଥ ଦାସ ~
“ତୋଷ ନୁହଁଇ ମୋର ଚିତ୍ତ,
କହଇ ଦାସ ଜଗନ୍ନାଥ” II
ଭାରତବର୍ଷର ଉତ୍ତର ଦକ୍ଷିଣ ସଂସ୍କୃତିକୁ ପୂର୍ବ ଏସିଆ ମହାଦେଶର ଅନୁଭାଗ ସହିତ ସାମୁଦ୍ରିକ ସମ୍ପର୍କ ଘେନି ଯୋଡୁଥିବା ଏକ ଭୂମିର ପ୍ରାଚୀନ ଅବତାରଣା ― ସେ ଉତ୍କଳ, ସେ କଳିଙ୍ଗ ଓ ଉଡ୍ର ନାମରେ ଅଭିହିତ ହୋଇଆସିଛି । ଯେଉଁଠି କ୍ଷେତ୍ର କ୍ଷେତ୍ରାଦିରେ ରହିଛି ପୁଣ୍ୟଧର୍ମା ଆବାହନୀର ଦିବ୍ୟ ମୂର୍ଚ୍ଛନା । ଏହାର ବିଦ୍ୟୋତନା କରେ ପୁଣି ପ୍ରଶାନ୍ତ ବନରାଜି ନୀଳାର ମଦିରାକ୍ଷୀ ଆରଣ୍ୟକ ଜନଜାତି ଜୀବନ । ଏହି ପ୍ରାଚୀନ ଆରଣ୍ୟକ ବସତି ସହ କ୍ରମେ ଦ୍ରାବିଡାଦି ଗଣଙ୍କ ଆଗମନରୁ ସାମୂହିକ ଜନଜୀବନର ଅରଣ୍ୟଜୀବୀ ଓ ସମତାଭିତ୍ତିକ ନିଅଁରେ ପ୍ରତିଷ୍ଠିତ ଓଡ଼ିଆ ଚେତନା ।
ଶିରୋନ୍ନତ ପୀଠର ଦେଉଳ ବେଢାରେ କାନ୍ତ, ସୌମ୍ୟ ରାଜନ୍ୟ ଚୂଡାମଣି ପାରିଷଦ ଗହଣର ବର୍ଣ୍ଣନା ଏବଂ ପ୍ରତିଟି କନ୍ଦରକୁ ଲଳିତାମୋଦୀ ଜନର ଉଚ୍ଛ୍ଵାସ ରେଖାପାତ କରେ । ପ୍ରବହମାନ ଆନନ୍ଦ ସମବେତ ଅଭିବ୍ୟକ୍ତି-ରସଶ୍ରୀ-ସମ୍ପନ୍ନ ଶୁଭ୍ର-ଯଶ-ଜୀବୀ ଗୌରବ ଅନ୍ତରାଳରେ ପ୍ରକୃତିର ସୁଗଭୀର ହୃଦୟରେ ଏଠି ମାନବ ବୁଡି ରହେ । ଜାଗତିକ ପରିମାଣରେ ଏହାର ନିଃସର୍ଗ ପୂର୍ଣ୍ଣତାରେ ଆବିଷ୍ଟ ଓ ଲୀଳାୟିତ । ପୁନରାୟ ସାମୂହିକ ମଣିଷର ସାଧନା ଓ ତଦ୍ଭୂତ ଜ୍ଞାନ ପରମ୍ପରାରେ ବୌଦ୍ଧ, ନାଥ, ସିଦ୍ଧାଦି ଗଣଙ୍କ ଆଦର୍ଶ ଏଠାରେ ସତତ ଅବଗାହୀ ଓ ମହିମାନ୍ଵିତ ।
ଏକ ଦୀର୍ଘ ନଅଶହ ବର୍ଷର ଇତିହାସ ମଧ୍ୟରେ ଗୋଟିଏ ମହୀୟାନ ଜାତିର ପରମ୍ପରାଗତ ଇତିହାସ ବିଭିନ୍ନ ସ୍ତର ଓ ପୃଷ୍ଠଭୂମିରେ ପିଣ୍ଡିତ ହୋଇ ଆସିଛି ଷଷ୍ଠ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ଯାଏଁ । କୃଷିଭିତ୍ତିକ ଓ ଆରଣ୍ୟକ ଇତିହାସରୁ ସ୍ଥାନୀୟ ଗଣରାଜ୍ୟ ଓ ଗ୍ରାମ ସ୍ଵାୟତ୍ତ ଶାସନ ସମ୍ଭୂତ ଏକ ସାର୍ବଭୌମ ଗଣରାଜ୍ୟରେ ପରିଣତ ହେବା ପରେ ଭୌମକର, ଶୈଳୋଦ୍ଭବ, ସୋମ, ଭଞ୍ଜ, କେଶରୀ, ଗଙ୍ଗବଂଶ ପ୍ରଭୃତିମାନଙ୍କର ପ୍ରଭୂତ ପ୍ରତିପତ୍ତି, ପ୍ରତ୍ୟୟ ଓ ସଦାଶୟଙ୍କ ପରାକାଷ୍ଠାର ପଦାଘାତରେ ଏକାତ୍ମ ଓଡ଼ିଶାର ସାମାଜିକ, ସାଂସ୍କୃତିକ ଓ ସାରସ୍ଵତ ଇତିହାସ ।
(କହଇ ଦାସ ଜଗନ୍ନାଥ)
ଏ ଜାତିକୁ ଉଭୟ ଭାବାତ୍ମ ଓ ଆଲୋକବର୍ତ୍ତୀ ଇତିହାସର ମୂକସାକ୍ଷ୍ୟ ରୂପେ ଏହାର ଧର୍ମାଦର୍ଶ ପରମ୍ପରାସିଦ୍ଧ ପରାକାଷ୍ଠାରେ ପୂଜ୍ୟ ଓ ପ୍ରତୀକିତ । ଆଜି ମାତ୍ର, ସଭ୍ୟତାର ପୃଷ୍ଠପଟ୍ଟରେ ଊଣାଧିକେ ନ ହେଲେ ମଧ୍ୟ ଏକଧରଣର ଦୃଷ୍ଟିଗତ ପରିବର୍ତ୍ତନରେ ବରାବର ସାବ୍ୟସ୍ତ ଓ ଅଙ୍ଗୀଭୂତ । ସଭ୍ୟ କଥିତ ଓ ସମାଜ-ଚଳଣି-ପ୍ରଥିତ ବିଶିଷ୍ଟ ଆର୍ଯ୍ୟ ଓ ଆର୍ଯ୍ୟେତର ଜାତିର ଏହା ସମନ୍ଵିତ ତୀର୍ଥସ୍ଥଳୀ । ବ୍ରାତ୍ୟଦେଶ ଓ ଅପୂଜନୀୟ କ୍ଷେତ୍ର ରୂପେ ଏକଦା ଜଣା ଯାଉଥିବା ଏ ମାଟି ମାତ୍ର ପରମ ଭାଗବତ ମାନଙ୍କର ଅତି ପରିଚିତ । ଶବର-ବ୍ରାହ୍ମଣ-କ୍ଷତ୍ରିୟ ପ୍ରଭୃତି ସାମୂହିକ ଓ ଏହା ପରି ସାମାଜିକ ପରିସଂସ୍ଥାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସମାସୀନ ।
ସେହିପରି ଏକ ଇତିହାସରେ ଆମ ଓଡ଼ିଆ ସାହିତ୍ୟ ମଧ୍ୟ ସର୍ବକାଳୀନ ଲୋକ-ସ୍ଵୀକୃତ ଓ ସାମୂହିକ ସଂସ୍କୃତିର ପରିଚାୟକ । ଲୋକସାହିତ୍ୟ ସହ ସଂଲଗ୍ନ ହୋଇ ସାନ୍ଧ୍ୟଭାଷା କଥିତ ପ୍ରାକ୍ ସାରଳା ଯୁଗୀୟ ଚର୍ଯ୍ୟାପଦ ଓ ନାଥ ସାହିତ୍ୟର ଉଦ୍ଭବକାଳୀନ ପ୍ରଚୋଦନାରେ ଆମ ସାଧନା-ସମ୍ପର୍କର ସାହିତ୍ଯ | ବୌଦ୍ଧକାଳୀନ ସିଦ୍ଧାଚାର୍ଯ୍ୟଙ୍କ ଦ୍ଵାରା ଧର୍ମଧାରଣା ଓ ଗୂଢ ଶରୀର ରହସ୍ଯାଦିର ସମଧିକ ରୁଚିଶୀଳ କରାଇବାକୁ ପ୍ରବର୍ତ୍ତନ ଆରମ୍ଭ ହୁଏ । କୃଚ୍ଛ୍ର ସାଧନାରେ ମାନବିକ କଲ୍ୟାଣର ବର୍ଣ୍ଣନାସମ୍ଵଳୀ ଉକ୍ତ ଚୌରାଶିସଂଖ୍ୟକ ସିଦ୍ଧାଚାର୍ଯ୍ୟଙ୍କ ପଦଚୟ ସହ ୧୩ଶ-୧୪ଶ ଶତାବ୍ଦୀରେ ମତ୍ସ୍ୟେନ୍ଦ୍ରନାଥ ଆଦି ସାଧକଙ୍କ ଆଧ୍ୟାତ୍ମିକତାର ନିଗୂଢ ପ୍ରଖ୍ୟାପନ ଦର୍ଶନୀୟ ।
ଏହି ସମୟରେ ନାରାୟଣାନନ୍ଦ ଅବଧୂତ ସ୍ଵାମୀଙ୍କର ବିରଚିତ କାହାଣୀକାରର ସୁଠାମ ଛଟା ଘେନା କରି ଗଦ୍ୟଧର୍ମୀ ବିମଳ ପଦ୍ୟ ବିଚିତ୍ରଣ ପରିପାଟୀରେ ପ୍ରକଟିତ ହୁଏ ‘ରୁଦ୍ରସୁଧାନିଧି’ । ବିଶିଷ୍ଟ ସାହିତ୍ୟ ଗବେଷକ ଡ. କରୁଣାକର କର ଏହାକୁ ଆବିଷ୍କାର କରିବା ସମୟରେ ଦୁଇଗୋଟି ବର୍ଣ୍ଣନାବହୁଳ ଓ ବ୍ୟାପ୍ତ-ବିଷୟକ ପୋଥି ହସ୍ତଗତ ହେଲା ପରେ ଏଥିରେ ଥିବା ସନ୍ଥ ସାହିତ୍ୟର ଉଦ୍ଭବକାଳୀନ ଛଟା ଗୃହୀତ ପଞ୍ଚସଖା ଯୁଗ ପୂର୍ବବର୍ତ୍ତୀ ଏକ ପ୍ରରୂପ ଆଉଚାଏ କହିଛନ୍ତି । ପାର୍ବତୀସମ୍ଭୂତା ସୁନ୍ଦରୀ ମାନସକନ୍ୟାର ଦର୍ଶନରେ ଜନୈକ ରୁଦ୍ରଙ୍କ ପୁଣ୍ୟସ୍ଖଳନ ଓ ଶିବଶାପରୁ ମର୍ତ୍ତ୍ୟରେ ଜନ୍ମିବା ଆଦି ଚରିତ୍ରରେ ଏହା ଅବତୀର୍ଣ୍ଣ ।
ଆମ୍ଭ ସାହିତ୍ୟର ପୂର୍ବତନ ଦୁଃସ୍ଥାନସ୍ଥିତି ହେତୁରୁ ତଥା ପରବର୍ତ୍ତୀ ସଂସ୍କୃତ ଭାଷାଶାସ୍ତ୍ରାଦିର ଚର୍ଚ୍ଚା ବିଜନିତ ବ୍ରାହ୍ମଣ୍ୟ ଏକାଧିପତ୍ୟରୁ ପୌରାଣିକ ସାହିତ୍ୟ ଖୁବ୍ ସୀମିତ ରୁହେ। ଭାରତପ୍ରସିଦ୍ଧ ସ୍ମୃତିକାର, ଆଚାର୍ଯ୍ୟ, ଜ୍ୟୋତିଷବିଦ୍ୟା ପ୍ରବୀଣ ଓ ଭାଷାବିଜ୍ଞଙ୍କ ସଂସ୍କୃତଚର୍ଚ୍ଚାର ପ୍ରଧାନ ପୀଠ ଥାଏ ଉତ୍କଳ । ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ଗଞ୍ଜାମର ମଠାରବଂଶୀୟ ତାମ୍ରଶାସନ,ରାଜା ଶତ୍ରୁଭଞ୍ଜଙ୍କର କେଉଁଝରର ସ୍ତୋତ୍ର ଅବଗାହୀ ଅଭିଲେଖ ସହ ୯୨୧ – ୧୦୯୯ ଖ୍ରୀଷ୍ଟାବ୍ଦ ମଧ୍ୟରେ ଥିବା ସୋମବଂଶୀୟ ଦାନପତ୍ର ଓ ପ୍ରଶସ୍ତିରେ ସ୍ମୃତିଶାସ୍ତ୍ର, ନାମାଖ୍ୟାନକ, ଅର୍ଥଶାସ୍ତ୍ର, ସ୍ତୁତି, ବେଦାଦି ବେଦାଙ୍ଗ, ଇତିହାସ ଶିକ୍ଷା ମଧ୍ୟ ସଂସ୍କୃତ ଚର୍ଚ୍ଚାର ବିବରଣୀରୁ ସ୍ପଷ୍ଟ ।
(କହଇ ଦାସ ଜଗନ୍ନାଥ)
ଭାରତୀୟ ଆର୍ଯ୍ୟଭାଷା ଯଥା ଓଡ଼ିଆ ପ୍ରଭୃତି ଭାଷାମାନଙ୍କ ଉତ୍ପତ୍ତିକାଳୀନ ସ୍ଥିତିରେ ପ୍ରାକୃତ ଶାଖାପ୍ରଶସ୍ତ ଭାଷା ସଂସ୍କୃତ ପଣ୍ଡିତଙ୍କ ଦ୍ଵାରା ଅତ୍ଯଳ୍ପ ଚର୍ଚ୍ଚିତ, ଗୌଣମନ୍ୟ ଆଲୋଚିତ ଅଥବା ସମ୍ପୂର୍ଣ୍ଣ ଭାବରେ ନିଷ୍କୃତ । ଫଳସ୍ଵରୂପ, ସମୁନ୍ନତି ପିପାସୁ ଲୋକାଭିମୁଖୀ ତତ୍ତ୍ଵ ଓ ଗାଥାସମଗ୍ର ସାଧାରଣ ଜନଙ୍କର ଉଢୁଆଳ ମଧ୍ୟରେ ଅବଲୁପ୍ତ ଗାମୀ ହୁଏ । ଆଶାମୟ ଉଦ୍ଗମରୁ ବଉଳିବାର ସମ୍ଭ୍ରମ ଓ ଦୁର୍ବିନୀତ ଅଭିଳାଷ ତାହାର ମୂଳହୃଦୟଟିରେ ହୁଏ ଖୁବ୍ ମ୍ଳାନ । ତତ୍ତ୍ଵ ଆଲୋଚନା ଓ ନିବନ୍ଧନ କେବଳ ସାନ୍ଧ୍ୟଭାଷା ମଧ୍ୟରେ ସସୀମ ହେଲା ମାତ୍ର । ଲୌକିକ ସମ୍ଵେଦନାର ଆରୋପଣ ସହ ସମନ୍ବିତ ବିଶ୍ଵଦୃଷ୍ଟି ଓଡ଼ିଆଙ୍କ ସ୍ମରହୃଦୟରେ ଲୋଡା ପଡିଲା ।
ଭାରତୀୟ ଶାସ୍ତ୍ରରେ ଯେଉଁଠାରେ ବିଭିନ୍ନ ଆନୁଷଙ୍ଗିକତା ଦେଖି ଅବସରନ୍ୟସ୍ତ ସମୀକ୍ଷାକାରମାନେ ଆମ ଜଗନ୍ନାଥଙ୍କ ସଂସ୍କୃତିକୁ ପରିଲକ୍ଷିତ କରିଛନ୍ତି, କ୍ଷେତ୍ରବର ପୁରୀରେ ଗୋଟା ପ୍ରତିଷ୍ଠିତ ହୋଇ ସୁଦ୍ଧା ଶ୍ରୀଜଗନ୍ନାଥଙ୍କୁ ଜୈନତନ୍ତ୍ର ଓ ବୌଦ୍ଧଧର୍ମର ସମବାଚୀ ତତ୍ତ୍ଵ ସହ ଜଣେଇବାର ବିଶେଷ ଆଗ୍ରହୀ ହୋଇଅଛନ୍ତି । ମାତ୍ର ଯେଉଁ ତନ୍ତ୍ରଶାସ୍ତ୍ର ପ୍ରଥିତ “ମନ୍ନାଥଃ ଶ୍ରୀଜଗନ୍ନାଥ ମଦ୍ଗୁରୁ ଶ୍ରୀଜଗଦ୍ଗୁରୁ” କୁହାଯାଏ ତହିଁରେ ଜଗନ୍ନାଥଙ୍କ ସମ୍ଵନ୍ଧୀୟ କୌଣସି ଆନୁଷ୍ଠାନିକ ପୂଜାର ବିଧି ବର୍ଣ୍ଣନା ଅନୁପସ୍ଥିତ । ଏହା ଦ୍ଵାରା ଜଗନ୍ନାଥିଆଙ୍କର ମହୀୟାନ ଜାତି, ଶ୍ରୀଜଗନ୍ନାଥ ସଂସ୍କୃତି ଓ ପ୍ରକୃତ ଭକ୍ତି ପରମ୍ପରାର ମୂଳ ପ୍ରେରଣାଟିକୁ ଗୌଣ ରଖାଗଲା ।
ଶ୍ରୀଜଗନ୍ନାଥ ଓ ତହିଁର କେନ୍ଦ୍ରୀଭୂତ ତତ୍ତ୍ଵର ଯେଉଁ ପ୍ରକୃତ ବ୍ୟଞ୍ଜନାକୁ ସ୍ପଷ୍ଟ କରେଇବାର ତଥା ସଂସ୍କୃତିର ଉଚିତ ଅନୁଶୀଳନ ପରିପ୍ରେକ୍ଷୀରେ ଓଡିଶାର ଧର୍ମ ଏବଂ ସାହିତ୍ୟ ଏକ ନବୀନ ଉଦୟଲଗ୍ନର ବନ୍ଦାଣ କରିଆସିଛି । ସାମାଜିକ ସ୍ଥିତି ଓ ସାଂସ୍କୃତିକ ମତାନୈକ୍ୟର ଦ୍ଵୈତଭୂମିରେ ସଂସ୍କୃତି ଓ ସମାଜର ଉତ୍ସାହ, ଆଭିମୁଖ୍ୟ ଓ ତଦ୍ ଭୂତ ଅଙ୍ଗୀକାର ମଧ୍ୟ ଦୁଇଧାରାରେ ଅନୁକରଣ ହୋଇଅଛି । ଗୋଟିଏ ପାଖରେ ସାଧକମାନେ ଥିବା ବେଳେ ଅପରପକ୍ଷରେ ସାଧନା ପରମ୍ପରା ରହିଥିଲା । ଆଉ ଯଦି ସମନ୍ଵୟକୁ ଆମେ ଦୃଷ୍ଟି ସ୍ତରରେ ଏକ ପରସ୍ପର-ସ୍ଵୀକୃତ ବୋଲି ବୁଝିବା, ତେବେ ସେହିପରି ସାଧନାଭିଳାଷୀ ଥିଲେ ପଞ୍ଚସଖା ଯୁଗର ପାଞ୍ଚଜଣ ମହାମହିମ ।
ସୁହୃଦଧନ୍ୟ ସୁବୋଧ ପାଠକଗଣଙ୍କ ପାଇଁ ଆଜି ଅନେକ ଐତିହ୍ୟ ସଚେତନ କଥା ଓ ଗାଥା ସ୍ଥୂଳତଃ ପ୍ରକୃଷ୍ଟ ଭାବରେ ଅନେକ ଜ୍ଞାତବ୍ୟ | ମାତ୍ର ଉଢୁଆଳ କରି ଯେଉଁ ସମସ୍ତ ଗାଥା ଓ ଗୌରବ ଆମ୍ଭ ପୂର୍ବସୂରୀଙ୍କ ସହିତ ସନ୍ନିବେଶିତ ହୋଇଅଛି, ତାହାର ସମୀଚୀନ ଆଲୋଚନାର କ୍ଷେତ୍ର ପ୍ରତିପନ୍ନ ହୁଏ ; ଆମ ଅସ୍ମିତାର ଜୀବାଶ୍ମ-ଉଦ୍ଧୃତ ଅମ୍ଳାନ ଐତିହ୍ୟର ଅଭ୍ରାନ୍ତ ସ୍ଵାଭିମାନରୁ ଏବଂ ନିରପେକ୍ଷତା-ମୁଖାପେକ୍ଷୀ ଜିଜ୍ଞାସୁ ଓ ଉନ୍ନତି ପିପାସୁ ପୂର୍ବୋକ୍ତ ପାଠକଙ୍କ ସାନ୍ନିଧ୍ୟଗତ ଚର୍ଚ୍ଚାରୁ । ତତ୍କାଳୀନ ତନ୍ତ୍ର ଧାରଣା ସନ୍ନିବେଶରେ ପରସ୍ତ ପରସ୍ତ ହୋଇ ସ୍ଥୂଳ ଉତ୍ସାହରେ ଏକ ବା ଏକାଧିକ ସାଧକଙ୍କ ଅଭ୍ୟୁଦୟ ସତ୍ତ୍ୱେ ପଞ୍ଚସଖାଙ୍କ ଉଦୟଲଗ୍ନ ଏକ ଅବିଚ୍ଛିନ୍ନ ଯୋଗସୂତ୍ରର ସୂଚନା ।
(କହଇ ଦାସ ଜଗନ୍ନାଥ)
ଓଡିଆରେ ସାରଳା ଦାସଙ୍କ ମହାଭାରତର ସର୍ଜନାରୁ ଯେଉଁ ବୃହତ୍ତର ଲୋକାୟତନ ଏକ ସର୍ବଜନ ମାନକ ଓଡିଆ ଭାଷାର ଛାୟାବଟ ତଳେ ପାଦପମୟ ସଂସ୍କୃତିର ଅଙ୍କୁର ଦ୍ଵାରା ଉଦ୍ଗମ ଲାଭ କରେ, ତହିଁରେ ଓଡ଼ିଆ ଜନଜୀବନ, ଗ୍ରାମ୍ୟ ପରମ୍ପରା, ଲୋକକଥା, ଚଳଣିଗତ ପରମ୍ପରାର ଅନେକ ବିଭବ ଆସିଗଲା । ସାରଳା ଦାସଙ୍କ ‘ଶୂଦ୍ରକବି’ର ଭାବନା ଓ ଅବଧାରଣା ଆଦିକୁ ପଞ୍ଚସଖାମାନେ ସକଳ ସ୍ଵାଧୀନଚେତା ପୌରୁଷର ପ୍ରତୀକ ରୂପେ ତୋଳି ଆସିଲେ । ପ୍ରଖ୍ୟାତ ସାହିତ୍ୟାଲୋଚକ ଗୋବିନ୍ଦ ଚନ୍ଦ୍ର ଉଦ୍ଗାତାଙ୍କ ମତରେ ସାରଳାଙ୍କ ପରବର୍ତ୍ତୀ ସାହିତ୍ୟ ସାତୋଟି ବଳିଷ୍ଠ ଶାଖାରେ ଦିଶିଛି :
(୧) ସାରଳା ଦାସଙ୍କ ମାର୍ଗ ଅନୁସରଣରେ ସଂସ୍କୃତ ମହାକାବ୍ୟ ଓ ପୁରାଣର ଅନୁବାଦ
(୨) ବିଲଙ୍କା ରାମାୟଣ ଆଦର୍ଶରେ ଅଭିନବ ପୁରାଣ ସର୍ଜନା
(୩) ସନ୍ଥ ସାହିତ୍ୟ
(୪) ରାମକାବ୍ୟ ଓ କୃଷ୍ଣକାବ୍ୟ
(୫) ପୌରାଣିକ ଆଖ୍ୟାନଧର୍ମୀ କାବ୍ୟ
(୬) କଳ୍ପନାପ୍ରସୂତ ଆଖ୍ୟାନଧର୍ମୀ କାବ୍ୟ
(୭) ବ୍ୟତିକ୍ରମ କାବ୍ୟ
ପ୍ରାରବ୍ଧର ନବଜାଗରୁକ ସତ୍ତା ଥିଲେ ପଞ୍ଚସଖା । କୃପାସିଦ୍ଧ ବଳରାମ ଦାସ, ଅତିବଡୀ ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଏବଂ ଶିଶୁ ଅନନ୍ତ ଦାସଙ୍କ ପାଞ୍ଚଜଣିଆ ରୂପାୟନ ଏକ ଯୁଗପ୍ରବର୍ତ୍ତନର ଅଭିସନ୍ଧିରେ ସତତ ଆଲୋଚ୍ୟ । ଭାରତୀୟ ଭକ୍ତିଚେତା ଆନ୍ଦୋଳନର ପ୍ରେକ୍ଷାପଟ୍ଟରେ ପୂର୍ବ ଭାରତର ଏକ ଅନ୍ତରସ୍ଥ ମାଟିପ୍ରାଣ ରସବ୍ୟଞ୍ଜକ ତତ୍ତ୍ଵର ଅଭିସାର ମଧ୍ୟରେ ପୁରାଣ, ନିଖିଳ ସୃଷ୍ଟିର ତତ୍ତ୍ଵ, ପିଣ୍ଡ ଓ ବ୍ରହ୍ମାଣ୍ଡର ପର୍ଯ୍ୟାଲୋଚନା ଭିତରେ ଦେବତା ଓ ମାନବଙ୍କ ଉଭୟ ଲୌକିକ ଅବଧାରଣାରେ ଓଡ଼ିଶୀ ଜ୍ଞାନମିଶ୍ରା ଭକ୍ତି ପରମ୍ପରା ଅବିସମ୍ବାଦିତ ଭାବେ ଏକ ମାନକ ଭାଷାରେ ଆଦୃତି ପାଇଅଛି ।
‘ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ’ ଗ୍ରନ୍ଥର ଦଶମ ପୃଷ୍ଠାରେ ପଞ୍ଚସଖା ଶୀର୍ଷକରେ ଶୁଭଲଗ୍ନ ଦେଇ ଲେଖକ ଶ୍ରୀ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ବର୍ଣ୍ଣନା କରିଛନ୍ତି ଯେ ପଞ୍ଚସଖା ଯୁଗ, ଏଲିଜାବେଥ ଯୁଗ ଯେଉଁ ଗୌରବମୟ ସ୍ଥାନ କରିଅଛି, ସେହିପରି ଗରୀୟାନ । ଇଟାଲୀୟ ସଭ୍ୟତା ମଧ୍ୟରୁ ଆଦ୍ୟସମ୍ଭୂତ ୟୁରୋପୀୟ “ରେନେସାଁ” ଯୁଗ ବା ନବୋନ୍ମଷ ପର୍ଯ୍ଯାୟର ପ୍ରଥମ ଧାରା ଯେପରି ଚର୍ଚ୍ଚର ଏକାଧିପତ୍ୟକୁ ପରିହାର କରି ମାନବବାଦୀ ଚେତନାକୁ ଖୋରାକ ଦିଏ, ତଦ୍ରୂପ ପଞ୍ଚସଖା ଯୁଗରେ ଓଡ଼ିଆ ସାହିତ୍ୟର ଗତି ଓ ବେଗର କ୍ଷୀଣ ସ୍ରୋତକୁ ସ୍ଫୀତ କରି ମାନବବାଦୀ ପ୍ଳାବନର ଏକ ପରିଚୟ ଦିଏ । ଏହି ପଞ୍ଚସଖାଙ୍କ ପରିଚୟ ଏହିପରି କେତେକ ପଦ୍ୟାବଳୀରେ କୁହାଯାଏ :
“ଆଗମ ଭାବ ଜାଣେ ଯଶୋବନ୍ତ ।
ଗାରକଟା ମନ୍ତ୍ର ଜାଣେ ଅନନ୍ତ ।।
ଆଗତ ଅନାଗତ ଅଚ୍ଯୁତ ଭଣେ ।
ବଳରାମ ଦାସ ତତ୍ତ୍ଵ ବଖାଣେ ।।
ଭକ୍ତିର ଭାବ ଜାଣେ ଜଗନ୍ନାଥ ।
ପଞ୍ଚସଖା ଏ ଓଡ଼ିଆ ମହନ୍ତ ।।”
(କହଇ ଦାସ ଜଗନ୍ନାଥ)
ଏହି ସମୟରେ ମହାରାଜା ପୁରୁଷୋତ୍ତମ ଦେବଙ୍କ ଶାସନରେ ଓଡିଶାର ସାମରିକ ପ୍ରତିପତ୍ତି ସହ ଉତ୍କଳୀୟ ସଂସ୍କୃତିର ଆଚାର ଓ ବିଚାର ବେଶ୍ ପୁଷ୍ଟ । ଚତୁର୍ଦ୍ଦିଗରେ ବିଧର୍ମୀ ଯବନମାନଙ୍କ ଆକ୍ରମଣ ସହ ଦାକ୍ଷିଣାତ୍ୟର ବିଜୟନଗର, କାଞ୍ଚି ଓ ବାହାମନୀ ରାଜ୍ୟମାନଙ୍କ ପ୍ରାଦୁର୍ଭାବ ସତ୍ତ୍ଵେ ପରବର୍ତ୍ତୀ ଦକ୍ଷିଣର ବାହାମନୀର ଭିତର କନ୍ଦଳରୁ ସୁଯୋଗ ଦେଖି ପୁରୁଷୋତ୍ତମ ବହୁ ରାଜ୍ୟ ପୁଣି ଥରେ ଫେରାଇ ଆଣିଲେ । ଖ୍ରୀ: ୧୪୯୭ ରେ ତାଙ୍କ ଅନ୍ତେ ମହାରାଜା ପ୍ରତାପରୁଦ୍ର ଦେବ ସିଂହାସନ ଆରୋହଣ କରି ଥିଲେ । ତାଙ୍କରି ଶାସନକାଳରେ ୧୫୧୦ ଖ୍ରୀଷ୍ଟାବ୍ଦରେ ଗୌଡୀୟ ଧର୍ମାଚାରୀ ଶ୍ରୀଚୈତନ୍ୟ ନବଦ୍ଵୀପରୁ ଓଡିଶାର ପୁଣ୍ୟ ମାଟିରେ ଆଗତ ହୋଇ ବୈଷ୍ଣବ ପ୍ରେମ ଧର୍ମର ପ୍ରଚାର କରିଥିଲେ ।
କିନ୍ତୁ ତାଙ୍କ ପୂର୍ବରୁ ଓଡିଶାର ରାୟ ରାମାନନ୍ଦ, ‘ଭକ୍ତି ପ୍ରସ୍ଥାନ ପ୍ରଣୟନ ପରମାଚାର୍ଯ୍ୟ’ କବିଡିଣ୍ଡିମ ଜୀବଦେବଙ୍କ ସମେତ ପଞ୍ଚସଖାଙ୍କ ଦ୍ଵାରା ପ୍ରବର୍ତ୍ତିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମୂଳ କରି ଅଭିନବ ଓଡିଶୀ ଜ୍ଞାନମିଶ୍ରା ଭକ୍ତି ପରମ୍ପରା ବ୍ୟାପ୍ତ ହୋଇଯାଇଥିଲା । କଟକ ଜିଲ୍ଲାର ଗୋପୀନାଥପୁର ଶାସନରେ ଥିବା ‘ଗୋପୀଜନାଲିଙ୍ଗିନୀ’ ବିଗ୍ରହ ଏହାର ପ୍ରମୂର୍ତ୍ତ ଦୃଷ୍ଟାନ୍ତ ଅଟେ । ହେଲେ ମଧ୍ୟ ଚୈତନ୍ଯଙ୍କ ବୃନ୍ଦାବନ-ବିହାରୀ ରାସରତା ଗୋପୀଙ୍କ ତତ୍ତ୍ଵମଜ୍ଜନର ସଂଶୋଧନରେ ଗୋଦାବରୀ ନଦୀକୂଳରେ ରାୟ ରାମାନନ୍ଦଙ୍କଠୁ ତତ୍ତ୍ଵ ଶିକ୍ଷା ସହ ଜଗନ୍ନାଥ ଦାସଙ୍କୁ ଅତିବଡୀ ଉପାଧିରେ ମଣ୍ଡାଇବାରେ ଶ୍ରୀଚୈତନ୍ୟଙ୍କ ନିକଟରେ ଉତ୍କଳୀୟ ମୌଳିକ ପଞ୍ଚସଖା ଧର୍ମର ମହିମା ସ୍ଵୀକୃତ ।
ସମଗ୍ର ଉପଜୀବ୍ୟ ମୂଳରେ ଆମ୍ଭର ଆଲୋଚନା ପରିସରରେ ଏ ପଞ୍ଚସଖାଙ୍କ ମଧ୍ୟରେ ଥିବା ଜଣେ ଭକ୍ତିଚେତନାର ବିଶିଷ୍ଟ ମହାପୁରୁଷ ସମଗ୍ର ଓଡ଼ିଆ ଜାତିକୁ ଏପରି ଏକ ପ୍ରାଣଛୁଆଁ ନୀତି ଦେଇଛନ୍ତି । ଭାରତୀୟ ଭକ୍ତି ଆନ୍ଦୋଳନର କବି ବିଦ୍ୟାପତି, କବୀର, ନାରସି ମେହେଟ୍ଟା, ଶଙ୍କରଦେବ, ତୁଳସୀ ଦାସ ଏବଂ ଏକନାଥ ସ୍ଵାମୀ ଯେଉଁ ଧର୍ମୀୟ ପ୍ରତିବେଦନରେ ରହିଆସୁଥିଲେ, ଏମାନଙ୍କ ଠାରୁ ପୁନଶ୍ଚ ଏକ ସ୍ଵତନ୍ତ୍ର ଓ ଅଦ୍ଵିତୀୟ ଆସନରେ ବସି ରହିଛନ୍ତି ଆମ ଜାତିର ପ୍ରାଣଦିଆଁ ମାନ୍ତ୍ରିକ ତଥା ଓଡ଼ିଆ ଭାଗବତ ରଚୟିତା ଅତିବଡୀ ଜଗନ୍ନାଥ ଦାସ । ସନ୍ଥ ସାହିତ୍ୟର ଆଟୋପ ଉପରେ ଓଡ଼ିଆ ଜନଜୀବନର ‘ଭାଗବତ’ ପରି ଗ୍ରନ୍ଥଟିଏ ଭେଟି ଦେଇଛନ୍ତି ଅତିବଡୀ ଜଗନ୍ନାଥ ଦାସ ।
“ହରି ଚରିତ ଭାଗବତ
କହଇ ଦାସ ଜଗନ୍ନାଥ” ।।
୧୯୦୯ ମସିହାର କୌଣସି ଏକ ଆଲୋଚନା ସଭାରେ ନିଜର ‘ଅଚ୍ୟୁତାନନ୍ଦ’ ଆଲେଖନ ମାଧ୍ୟମରେ କାବ୍ୟତୀର୍ଥ ବାଣୀଭୂଷଣ ପଣ୍ଡିତ ମୃତ୍ୟୁଞ୍ଜୟ ରଥ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ରଚିତ ‘ଶୂନ୍ୟ ସଂହିତା’ ର ଶେଷ ପାଠ ଆଧାରରେ କହିଛନ୍ତି ଯେ ଭକ୍ତକବି ଜଗନ୍ନାଥ ଉଦ୍ଧବଙ୍କର ଅବତାର ଥିଲେ , ଯାହା ଶେଷ ଅଧ୍ୟାୟମାନଙ୍କ ପାଠରେ ଉଲ୍ଲିଖିତ ଥିଲେ ମଧ୍ୟ ପୂର୍ବଜନ୍ମରେ ସେ ଶ୍ରୀକୃଷ୍ଣଙ୍କ ସଖା ‘ଦାମ’ ଥିଲେ ଏହା ଅଚ୍ୟୁତାନନ୍ଦଙ୍କ ‘ଗୁରୁଭକ୍ତି ଗୀତା’ ରୁ ସ୍ପଷ୍ଟ ଜଣାପଡେ ବୋଲି ୧୯୭୮ ମସିହାରେ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ଵାରା ‘ଅପ୍ରକାଶିତ ମତ୍କୃତ ସଂଗୃହୀତ ପୋଥିର ପଞ୍ଚସଖା’ରେ ଲିଖିତ । ହେଲେ ମଧ୍ୟ ଏହା ଅନେକ କିମ୍ବଦନ୍ତୀରେ ଆଚ୍ଛନ୍ନ ।
ଏସବୁ ବାଦ୍ ତାଙ୍କ ପୂର୍ବଜନ୍ମର କିମ୍ଵଦନ୍ତୀ ସଙ୍କୁଳ ଆଲେଖନ ଅତିରିକ୍ତ ତାଙ୍କ ଜନ୍ମ ସମ୍ପର୍କରେ ଦିବାକର ଦାସ ଏବଂ ରାମଦାସ ଯଥାକ୍ରମେ ‘ଜଗନ୍ନାଥ ଚରିତାମୃତ’ ଏବଂ ‘ଦାର୍ଢ୍ୟତା ଭକ୍ତି’ର ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣନା ଦିଅନ୍ତି । ଐତିହାସିକ ପ୍ରମାଣର ଅନୁପସ୍ଥିତି ସତ୍ତ୍ଵେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ‘ଉଦୟ କାହାଣୀ’ ଓ ବିପ୍ର ଦିବାକରଙ୍କ ‘ଜଗନ୍ନାଥ ଚରିତାମୃତ’ ଆଧାରିତ ବର୍ଷସଂଖ୍ୟା ନିରୂପିତ ହୋଇଛି । ବର୍ତ୍ତମାନ ଶ୍ରୀକ୍ଷେତ୍ର ପୁରୀରୁ ପଶ୍ଚିମ ଦିଗ ପଟେ ଗଲେ ତିନିକ୍ରୋଶ ଦୂର ଉପକଣ୍ଠକୁ ଏକ ସବୁଜ କ୍ଷେତ୍ରାଦି ବସତି ଘେରା ଜାଗାରେ ଏହି କପିଳେଶ୍ଵରପୁର ଗ୍ରାମଟି ଅବସ୍ଥିତ । ୧୪୪୯ ଖ୍ରୀଷ୍ଟାବ୍ଦରେ କପିଳେନ୍ଦ୍ରଦେବଙ୍କ ଦ୍ଵାରା ସ୍ଥାପିତ ।
ତାଳ, ତମାଳ, ଅଶୋକ, କୃଷ୍ଣଚୂଡା, ଟଗର ଚମ୍ପା ପ୍ରଭୃତି ପୁଷ୍ପବନ୍ତ ବୃକ୍ଷମାନଙ୍କ ଆଚ୍ଛନ୍ନ ଆବେଶ ମଧ୍ୟରେ ଗ୍ରାମ ଭିତର ଦେଇ କେତେ ବାଟ ଗଲେ ଅତିବଡୀଙ୍କ ଜନ୍ମପୀଠଟି ପଡେ । ନିରୂପିତ ବର୍ଷସଂଖ୍ୟାର ଅବଗତିରୁ ରାଧାହାସ୍ୟ ଧରି ୧୪୯୨ ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ରର କୌଳିକ ପୁରାଣପଣ୍ଡା ଭଗବାନ ଦାସ ତଥା ପୁଣ୍ୟଧର୍ମା ପଦ୍ମାବତୀ ଦେବୀଙ୍କ କୋଳ ଧଇଥିଲେ ଅତିବଡୀ ଜଗନ୍ନାଥ ଦାସ । ମଧ୍ଯାହ୍ନର ବୁଧବାସର ଓ ଅନୁରାଧା ନକ୍ଷତ୍ର ସ୍ଥିତ ବିଛା ରାଶିରେ ପବିତ୍ର ଭାଦ୍ରବ ଶୁକ୍ଳ ଅଷ୍ଟମୀ ବା ରାଧାଷ୍ଟମୀ ତିଥିରେ ଅତିବଡୀଙ୍କ ଜନ୍ମଲଗ୍ନ ବିଦିତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସୂର୍ଯ୍ୟଚନ୍ଦ୍ର ସମାନ ତେଜରେ କାନ୍ତ ଶରୀର ଧରି ଜନ୍ମିତ ହେତୁ ପୁଅ ହେଲା ଜଗନ୍ନାଥ :
ଉତ୍କଳେ ଯେ ପୁରୁଷୋତ୍ତମ ।
କପିଳେଶ୍ଵରପୁର ଗ୍ରାମ ।।
ତହିଁ ଜନମ ହୁଅ ଯାଇ ।
ଆମ୍ଭର ଏ ଆଜ୍ଞାକୁ ପାଇ ।।
ଆଜ୍ଞା ପ୍ରମାଣେ ସେ ଆସିଲେ ।
ଓଡିଶା ରାଜ୍ୟେ ଜନ୍ମ ହେଲେ ।।
ନାମ କପିଳେଶ୍ଵରପୁର ।
ଶାସନ ମଧ୍ୟେ ତାଙ୍କ ଘର ।।
ପୁରାଣପଣ୍ଡା ଭଗବାନ ।
ସ୍ବପତ୍ନୀ ପଦ୍ମାବତୀ ନାମ ।।
ପୂର୍ବେ ତପସ୍ଯା ସାଧିଥିଲେ ।
ତେଣୁ ସେ ତାହାଙ୍କୁ ପାଇଲେ ।।
ତେଣୁ ସେ ପଦ୍ମାର ଉଦରେ ।
ନିବାସ ଗର୍ଭ ପ୍ରବାହରେ ।।
ଏମନ୍ତେ ଗଲା କିଛି ଦିନ ।
ଆନନ୍ଦ ସବୁଙ୍କର ମନ ।।
ଭାଦ୍ର ଯେ ଶୁକ୍ଳାଷ୍ଟମୀ ଦିନ ।
ମଧ୍ଯାହ୍ନ କାଳେ ହେଲେ ଜନ୍ମ ।।
ବୁଧ ଅନୁରାଧା ବିଛାରେ ।
ମାହେନ୍ଦ୍ର ଗୁରୁଙ୍କ ବେଳାରେ ।।
(ଜଗନ୍ନାଥ ଚରିତାମୃତ, ପ୍ରଥମ ଅଧ୍ୟାୟ)
ଶୈଶବରୁ ଅତି ସୁନ୍ଦର ଦିଶିବାକୁ ଥିଲେ ସେ । ଚାରି ବର୍ଷ ବେଳକୁ ଚୂଡାକର୍ମ (ଇଷ୍ଟଙ୍କ ପାଖରେ ଚୁଟି ପକେଇବା ନୀତି), ବ୍ରତୋପନୟନ ସମାପନ ହୋଇ ସେ କଳାପ ଏବଂ ବର୍ଦ୍ଧମାନ ନାମକ ଦୁଇଗୋଟି ବହି ଘୋଷିଦେବା ସହିତ ବେଦାଦି ପୁରାଣ ଓ କୋଷଗ୍ରନ୍ଥରେ ପଟୁତା ଅର୍ଜନ କରିଲେ ଜଗନ୍ନାଥ ଦାସ । ପିଲାଟି ବେଳରୁ ଜ୍ଞାନୀ ଏବଂ ମେଧାବୀ ଜଗନ୍ନାଥଙ୍କ ବାହାଘର ବାରବର୍ଷ ବୟସକୁ ପିତା ଚିନ୍ତା କରିଲା ବେଳକୁ ଜଗନ୍ନାଥ ଦାସ ମନା କରିଦେଇ ଶାସ୍ତ୍ରମାନଙ୍କ ଅଧ୍ୟୟନ କରିଚାଲିଲେ । ହେଲେ ବିଧି ବାମ ହେବାରୁ ଜଗନ୍ନାଥଙ୍କୁ ଚଉଦ ବର୍ଷ ହେଇଥିବା ବେଳେ ପିତାଙ୍କ ବିୟୋଗ ଘଟିଲା ।
(କହଇ ଦାସ ଜଗନ୍ନାଥ)
ଏଣୁ ପୁଅ କୌଳିକ ପୁରାଣପଣ୍ଡା ବୃତ୍ତି ଆପଣେଇ ନେଇଥିଲେ । ତାଙ୍କର ବାଲ୍ୟଜୀବନର ଏତିକି ଅବଶେଷରୁ ସେ ଶ୍ରୀମନ୍ଦିର ବେଢା ପରିସରରେ ରହି ଭକ୍ତମାନଙ୍କ ସମ୍ମୁଖରେ ବସି ସଂସ୍କୃତ ପୁରାଣ ଓ ଶାସ୍ତ୍ର ବଖାଣ କରି ବୁଝାନ୍ତି । କୃପାସିଦ୍ଧ ବଳରାମ ଦାସଙ୍କଠାରୁ ସେ ଅନେକ ବୟସରେ କନିଷ୍ଠ ଓ ଶ୍ରୀଚୈତନ୍ଯଙ୍କ ସମବୟସ୍କ । ଏକଦା ଶ୍ରୀଚୈତନ୍ୟ ଶ୍ରୀକ୍ଷେତ୍ର ଆସିଥିବା ସମୟରେ ପୌରାଣିକ ଜଗନ୍ନାଥ ଦାସ ବଡ଼ଦେଉଳର ବଟଗଣେଶଙ୍କ ବେଢା ପାଖରେ ବସି ପଢୁଥାଆନ୍ତି ଓଡିଆରେ ଭାଗବତ ! ଭକ୍ତଗଣ ନିତ୍ୟନିୟତ ଶୁଣି ଭୋଳ !
“ତୋଷ ନୁହଁଇ ମୋର ଚିତ୍ତ
କହଇ ଦାସ ଜଗନ୍ନାଥ” ।।
ଦେଉଳ ଭିତରକୁ କୀର୍ତ୍ତନର ନାଦରେ ମହାମନ୍ତ୍ର ଗାଇ ଗାଇ ସଦଳ ଘେନି ଆସିଯାଇଥିଲେ ଶ୍ରୀଚୈତନ୍ୟ । ହେଲେ ଏକ ଆଶ୍ଚର୍ଯ୍ୟ ମଧ୍ୟରେ ଅକସ୍ମାତ୍ ଜଗନ୍ନାଥ ଦାସଙ୍କ ଭାଗବତ ପାଠ ନିକଟରେ କୀର୍ତ୍ତନ ବନ୍ଦ ହୋଇଯାଏ । ସର୍ବାଙ୍ଗରେ ଲାଗୁ ଥାଏ ବ୍ରହ୍ମତେଜ ବଳେ ଝଟକି ଉଠୁଛି ତ ସେହି ଝଟକ ଚାହିଁ ଦେଇ ଅନିମେଷରେ ରହି ଯାଉଛନ୍ତି ଚୈତନ୍ୟ ଗୋସାଇଁ । ପଦ କିଛି ଏହି ପରି ଶୁଭିଯାଉଥାଏ:
“ହେ ପ୍ରଭୁ ତୁମର ପୟର ।
ଆଶ୍ରା ନ କରି ଯେଉଁ ନର ।।” 
ଏତେ ମରମ ପରଶୀ ପଦ ଅବା କିଏ ଖଞ୍ଜି ଦେଇଛି ଯେ କାନ ଡେରିଦେଲେ ମନ ନାଚିଯାଏ ସତେ ? ଶ୍ରୀଚୈତନ୍ୟ ବିଭୋର ହେଇଗଲେ !
ଯୋଗଜନ୍ମା ଜଗନ୍ନାଥ ଦାସଙ୍କ ସହ ଶ୍ରୀଚୈତନ୍ୟଙ୍କ ସାକ୍ଷାତକାର ସମୟରେ ତରୁଣ ଜଗନ୍ନାଥ ଅଠର ବର୍ଷୀୟ ଯୁବକ । ସେ ସତ୍ୟଯୁଗରେ ଗାର୍ଗବ ମହର୍ଷି, ତ୍ରେତୟାରେ ସୁଷେଣ (କିସ୍କିନ୍ଧ୍ୟାର ବାନର ରାଜା ସୁଗ୍ରୀବଙ୍କ ବୈଦ୍ୟ), ଦ୍ଵାପରଯୁଗରେ ଶ୍ରୀକୃଷ୍ଣଙ୍କ ସଖା ଦାମ ଓ କଳିଯୁଗରେ ଉତ୍କଳଧାମରେ ଜଗନ୍ନାଥ ଦାସ ରୂପେ ଭୂମିଷ୍ଠ ହୋଇଥିବାର ଅଚ୍ୟୁତାନନ୍ଦଙ୍କ ‘ଗୋପାଳ ଓଗାଳ’ ରେ ଦର୍ଶନୀୟ । ହେଲେ ସମାଲୋଚକଙ୍କର ବିବାଦୀୟ ଆଲୋଚନା ଓ ଭ୍ରାନ୍ତ ମନୋବୃତ୍ତିରୁ ପଞ୍ଚସଖାଙ୍କ ଛବି ମ୍ଳାନ ହେବାର ପରିଲକ୍ଷିତ କରି ପଲ୍ଲୀକବି ନନ୍ଦକିଶୋର ବଳ ସଚେତନତା ଜନିତ ପଦରେ କହିଲେ:
“ଗ୍ରନ୍ଥକାରଠାରୁ ସଦା ବଡ଼ ଆଲୋଚକ
ଦୁର୍ଲ୍ଲଭ ମାତ୍ରକ ଦେଶେ ଗ୍ରନ୍ଥର ପାଠକ ।
କରିବାକୁ ଗ୍ରନ୍ଥକାର ସ୍ଥାନ ନିରୂପଣ,
ସମସ୍ତ ଗ୍ରନ୍ଥ ତାହାର କର ଅଧ୍ୟୟନ ।”
ଏଣୁ ଶ୍ରୀଚୈତନ୍ୟ ଯେତେବେଳେ ଜଗନ୍ନାଥ ଦାସଙ୍କୁ ଆଲିଙ୍ଗିତ ରହି ଆପଣା ଶ୍ରୀଅଙ୍ଗର ପାଟଲୁଗା ଜଗନ୍ନାଥ ଦାସଙ୍କ ମୁଣ୍ଡରେ ବାନ୍ଧିଦେଇ ‘ଅତିବଡ଼’ ବୋଲି କହିଲେ । ଜଗନ୍ନାଥ ଦାସଙ୍କ ଅପରିସୀମ ଭକ୍ତି, ଅନୁରାଗ, ପାଣ୍ଡିତ୍ୟ ଓ ମାନବତାସମ୍ପନ୍ନ ଗୁଣରେ ପ୍ରସନ୍ନମନା ହୋଇ ତାଙ୍କୁ ‘ଅତିବଡୀ’ ଉପାଧିରେ ବିମଣ୍ଡିତ କରାଇଥିଲେ । ଏଥି ସହ ଏହି ‘ଅତିବଡୀ’ ଉପାଧି ପଞ୍ଚସଖା ଧର୍ମ ଓ ଭଗବତ୍ ଚେତନାର ଏକ ଭକ୍ତି ରସାସ୍ବାଦୀ ଉପଲବ୍ଧି। କାରଣ ଅଢେଇ ଦିବସମାନ ତଲ୍ଲୀନ ଓ ତୁଷ୍ଟଚିତ୍ତ ଚୈତନ୍ଯଙ୍କ ଦତ୍ତ ଉପାଧି ମାଧ୍ୟମରେ ମାନବବାଦୀ ଧାରଣାକୁ ସାବ୍ୟସ୍ତ କରିଥିବାର ସ୍ଵୟଂ ପ୍ରତିପାଦିତ କରିଛନ୍ତି:
“ଏପରି ପ୍ରତିଦିନ ଶୁଣି ।
ଦାସଙ୍କ ଗଉରବ ବାଣୀ ।।
ବୈଷ୍ଣବେ ବିମୁଖ ହୋଇଲେ ।
ମହାପ୍ରଭୁଙ୍କୁ ଜଣାଇଲେ ।।
ଉତ୍କଳ ବିପ୍ରେ ସଙ୍ଗ ହେଲ ।
ତାହାଙ୍କୁ ଅତିବଡ଼ ବୋଲ ।।
ଆମ୍ଭେ ବୈଷ୍ଣବେ ହେଲୁ ସାନ ।
ଭୋ ପ୍ରଭୁ ଏ ନୁହେଁ ବିଧାନ ।।
ଏ କ୍ଷେତ୍ରେ ପତଙ୍ଗ ଯେ କୀଟ ।
ବାଲୁକା ପାଷାଣ ବା କାଷ୍ଠ ।।
ଅନ୍ୟ ଦେଶକୁ ଏ ଦେବତା ।
ମନୁଷ୍ୟେ ବଡ଼ ନୁହେଁ କଥା ।।
ଏ ହେତୁ ଅତିବଡ଼ ବାଣୀ ।
ଦାସଙ୍କୁ ଚିତ୍ର ନୁହେଁ ପୁଣି ।।”
(ଜଗନ୍ନାଥ ଚରିତାମୃତ, ତୃତୀୟ ଅଧ୍ୟାୟ)
ଶ୍ରୀଚୈତନ୍ୟଙ୍କର ପଞ୍ଚସଖାଙ୍କ ସହ ସମକାଳରେ ନିବିଡ଼ ସଖ୍ୟ ଭାବ ଥାଏ । ଏକାଧିକ ଗ୍ରନ୍ଥ ଓ ଐତିହାସିକ ବିବୃତିରୁ ଏହା ବିଦିତ ଯେ ଶ୍ରୀଚୈତନ୍ୟ ଥିଲେ ଅତିବଡୀ ଜଗନ୍ନାଥ ଦାସଙ୍କ ସମବୟସ୍କ ଏବଂ ଜଣେ ଗୁଣସ୍ତାବକ ବୟସ୍ୟ ମଧ୍ୟ ଥିଲେ । ଅନ୍ୟ ସଖାଙ୍କ ନିମନ୍ତେ ସେ ଗୁରୁମନ୍ୟ ଥିଲେ ସୁଦ୍ଧା ଉତ୍କଳୀୟ ଚେତନାର ଯେଉଁ ଉଦ୍ଗାନ ମଧ୍ୟରେ ନିଜକୁ ତଲ୍ଲୀନ କରିବାର ସମର୍ପଣରେ ରତ ରହିଆସିଥିଲେ, ତହିଁର ଏକାଧିକ କିମ୍ଵଦନ୍ତୀ ଓ ଇତିହାସ ଆଜି ବି ଆମର ଦୃଷ୍ଟି ଗୋଚର ହୁଏ । ଯେତେବେଳେ ଅତିବଡୀ ଈର୍ଷଣୀୟ ହୋଇ ଉଠିଲେ ବଙ୍ଗୀୟ ଶିଷ୍ୟଙ୍କ ଲାଗି, ଧର୍ମ ସାଧନାର ଅନୁକୂଳ ଭୂମି ରୂପେ ମାତ୍ର ଚୈତନ୍ୟ ଅବସ୍ଥାନ କରିଲେ ।
ଭଗବତ୍ ସାଧନାରେ ଆପଣାକୁ ଗୋଟିଏ ଯଥା ଯୋଗ୍ୟ ଭିଆଣ କରିବାର ନିୟମକ୍ରମରେ ଆମ ଶରୀରର ଯେ ଏକ ନିର୍ଦ୍ଦିଷ୍ଟ ମହତ୍ତ୍ଵରେ ପ୍ରତିପନ୍ନ, ଏଥିରେ ଆନ ଭାବନା ଦିଶେନାହିଁ । ମନ ଓ ଭାବଭୂମିର ଗାଲିଚା ସହ ଆମ ଅସ୍ତିତ୍ଵର ସମଗ୍ର ମଣ୍ଡଳଟି ଏକ ମହତ୍ତ୍ୱପୂର୍ଣ୍ଣ ନିଅଁରେ ଠାଆ କରି ରହିଛି । ବିଶ୍ଵାସ୍ୟର ପାରୁଶକୁ ହେଜି ସମଗ୍ର-ସ୍ଵୀକୃତ ମଣିଷ ହୃଦୟର ସୀମାଶୂନ୍ୟ ପୂର୍ଣ୍ଣତା ଦିଏ ପୁଣି ଆଖି ତଟକା ଭକ୍ତି ଆପ୍ଳୁତ ଭାବର ଉଦ୍ଗାର । ସେହିପରି ଭାବରେ ନିତ୍ୟ ବୈକୁଣ୍ଠ ଧାମ ପୁରୀରେ ରହି ମହାବିଷ୍ଣୁଙ୍କ ଚକ୍ର ଉଢୁଆଳରେ ବାସ ଭିଆଇଲେ ଅତିବଡୀ ଜଗନ୍ନାଥ ଦାସ । କ୍ରମେ ତରୁଣ ବୟସରୁ ସିଏ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରି ଏକ ମହତ୍ ଅନୁସର୍ଜନା କଲେ ।
‘ଚୈତନ୍ୟ ଚରିତାମୃତ’ର ସାକ୍ଷ୍ୟ ଅନୁସାରେ ଚୈତନ୍ୟ ପୁରୀଠାରେ କେବଳ ସାଢେ ତିନିଜଣ ମଣିଷଙ୍କୁ ହିଁ ସମଗ୍ର ଜଗତ ଭିତରେ ଯଥାର୍ଥ ରାଧିକାଗଣ ରୂପେ ମାନ୍ୟ କରନ୍ତି ଯାହାର ମଧ୍ୟରେ ଥିଲେ ପ୍ରତାପରୁଦ୍ରଦେବଙ୍କ ମନ୍ତ୍ରୀ ରାୟ ରାମାନନ୍ଦ, ସ୍ଵରୂପ ଗୋସାଇଁ, ଶିଖି ମହାନ୍ତି ଏବଂ ତାଙ୍କର ଭଉଣୀ ମାଧବୀ ଦାସୀ । ଗୌଡୀୟ ବୈଷ୍ଣବ ରସିକଗଣଙ୍କର ସିଦ୍ଧାନ୍ତରେ ରାୟ ରାମାନନ୍ଦ ଚୈତନ୍ୟଙ୍କର ସହଚର ଥିଲେ, ଯିଏ ବ୍ରଜଲୀଳାର ବିଶାଖା ବୋଲି କଥିତ ହୁଅନ୍ତି । ଏହି ସମୟରେ ଯେତେବେଳେ ଶ୍ରୀଚୈତନ୍ୟଙ୍କୁ ପ୍ରତାପରୁଦ୍ର ଦେବ ତାଙ୍କର ଲୀଳାଗୁରୁ ରୂପେ ସ୍ଵୀକାର କରି ‘ସରସ୍ଵତୀ ବିଳାସ’ ଓ ‘ପ୍ରତାପ ମାର୍ତ୍ତଣ୍ଡ’ ଭଣିତ ଗ୍ରନ୍ଥ ଲେଖିବା କାଳରେ ଉତ୍କଳର ସାମରିକ କ୍ଷେତ୍ର ବିପନ୍ନ ସ୍ଥିତିକୁ ଆସେ ।
ଉପସ୍ଥିତ ରାଜଗୁରୁ ଓ ପାତ୍ର ପରିଷଦ ପ୍ରଭୃତି ଉପଦେଷ୍ଟାଙ୍କ ବାରଣ ସତ୍ତ୍ଵେ ପ୍ରତାପରୁଦ୍ର ଦୀକ୍ଷିତ ହେବା ପରେ ପରେ ତାଙ୍କୁ ଅନୁଗମନ କରି ଅନେକ ସୈନ୍ୟସଭ୍ୟମାନେ ମଧ୍ୟ ଏ ଦୀକ୍ଷା ପାଇ ସାରିଥିଲେ । ୧୫୦୯ ଖ୍ରୀଷ୍ଟାବ୍ଦରେ ଗୌଡର ଦୁରନ୍ତ ଯବନ ଶାସକ ଇସମାଇଲ୍ ଗାଜୀର ଶ୍ରୀମନ୍ଦିର ଲୁଣ୍ଠନ ଉଦ୍ୟମ ଓ ଗୋବିନ୍ଦ ବିଦ୍ୟାଧରଙ୍କ ପରିଚାଳିତ ରାଜଦ୍ରୋହ, ଦକ୍ଷିଣର ୧୫୧୪ ଖ୍ରୀଷ୍ଟାବ୍ଦରେ ବିଜୟନଗର ରାଜା କୃଷ୍ଣଦେବରାୟଙ୍କ ଆକ୍ରମଣ ଓ ଚତୁର ମନ୍ତ୍ରୀ ତିମ୍ମରସୁଙ୍କ କୁଚକ୍ର-ଜନିତ କୌଶଳରୁ ପ୍ରତାପରୁଦ୍ର ଦେବ ପରାସ୍ତ ହେବା ଏହାର ଦୃଷ୍ଟାନ୍ତ କେତେକ । ହେଲେ ପ୍ରତାପରୁଦ୍ର ଦେବଙ୍କର ଶାସନରେ ସାମରିକ ଶକ୍ତିର ଦୁର୍ବଳ ହେବା ଲାଗି ଚୈତନ୍ୟଙ୍କ ବୈଷ୍ଣବ ଧର୍ମ ପ୍ରସାରକୁ ଏକାନ୍ତ କାରଣ ଦର୍ଶାଇବା ମଧ୍ୟ ସମସ୍ୟାମୂଳକ ।
ଐତିହାସିକମାନଙ୍କ ଉପରୋକ୍ତ ଅଭିଯୋଗର ସତ୍ୟାସତ୍ୟ ଯେଉଁ କେତେକ ରହିଛି, ତାହାର ଅଳ୍ପ ଆଲୋଚନା କରିବାକୁ ଗଲେ ଧର୍ମ ସଙ୍ଗେ ରାଜନୀତିର ପ୍ରଭାବ ଓ ପ୍ରସାରଣ ଜଡିତ ଥିଲେ ସୁଦ୍ଧା ଉଭୟଙ୍କ ପନ୍ଥା ଓ କାର୍ଯ୍ୟଧାରାରେ ଅନେକ ତାରତମ୍ୟ ରହିଛି । ଭ୍ରାତୃଭାବାପନ୍ନ ଭକ୍ତି ଚେତନା, ଜାତିଆଣ ପ୍ରଥାକୁ ପରିହାର କରି ଉଦାର ସଂସ୍କୃତିର ପ୍ରକଟନରେ ରହି ଚାଲିଥିଲେ । ଆମ୍ଭର ପୂର୍ବ ନିଷ୍ପନ୍ନ ଆଲୋଚନାମାନଙ୍କରେ ଦେଖି ଆସିଛେ ଯେ ପଞ୍ଚସଖାଙ୍କ ମୌଳିକ ଓ ପୁରପଲ୍ଲୀରେ ଆଦୃତ ଉତ୍କଳୀୟ ଜ୍ଞାନମିଶ୍ରା ପରମ୍ପରାକୁ ଚୈତନ୍ୟ ବରଂ ବିଶେଷତଃ ସ୍ଵୀକୃତି ଦିଅନ୍ତି । ସୁତରାଂ, ଓଡ଼ିଆ ପରମ୍ପରାରେ ଏ ସ୍ଵର୍ଣ୍ଣିମ ସମୟ ଥିଲା ।
ଏ କ୍ଷେତ୍ରରେ ରାଜନୀତିରେ ଅହନ୍ତା ରଖିଥିବା ରାଜଦ୍ଵେଷୀ ଗୋବିନ୍ଦ ବିଦ୍ୟାଧରଙ୍କ ଅନୁରୂପ କ୍ଷମତାକାଂକ୍ଷୀ ମାନେ ଉତ୍କଳର ଉଚ୍ଚ ରାଜକୀୟ ପ୍ରତିପତ୍ତି, ଭୌଗୋଳିକ ଗାରିମା ସହ ଶାସନର ପ୍ରଜାବତ୍ସଳ ସୁଷମାକୁ କ୍ଷୁଣ୍ଣ କରିଥିଲେ । ଆନ୍ତର୍ବିଦ୍ରୋହ କାରଣ ବଶୀଭୂତ ଏ ଇତିହାସର କାଳଖଣ୍ଡ ବର୍ତ୍ତମାନ ଆମ୍ଭ ଲାଗି ଆଲୋଚ୍ୟ ନୁହେଁ , ଏଣୁ ମହତ୍ତ୍ଵକାଂକ୍ଷା ଆମ୍ଭର ସମନ୍ୱୟ ସାଧନା । ଏହି ସମୟରେ ବଳରାମ ଦାସଙ୍କ ‘ଲକ୍ଷ୍ମୀ ପୁରାଣ’, ଜଗନ୍ନାଥ ଦାସଙ୍କର ‘ଭାଗବତ’ ପ୍ରଭୃତି ବହୁ ପୁରାଣ ରଚନାର ପ୍ରଗଲ୍ଭ ଲୋକ ମାନଙ୍କ କଥାରେ ପ୍ରଘଟ ହୋଇ ସାମାଜିକ ସଂହତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ସମସ୍ତ ଦେବଦେବୀ ଏବେ ଜାତିଧର୍ମ ଭିତରେ ନ ରହି ଲୋକଙ୍କ ଆପଣାର ମଣିଷ ରୂପେ ଭକ୍ତିରେ ହସିଦେଲେ !
ତେବେ ଆମ୍ଭେମାନେ ପୂର୍ବ ଆଲୋଚନା ମଧ୍ୟରେ ଭାଗବତର ନାମଟି ଶୁଣି ଆସୁଥିଲେ । ତେବେ ସେ ମହତ୍ ଅନୁସର୍ଜନା ପରିପ୍ରେକ୍ଷୀରେ ଆମ୍ଭମାନଙ୍କ ପାରୁଶହେଜା ପାଠକୀୟ ସତ୍ତ୍ଵ ଅବଶ୍ୟ ହିଁ ଏ ମହାପୁରାଣର ବଖାଣକୁ ନିଅଣ୍ଟ ପଡିଯିବ, ମାତ୍ର ଏହା ଯେଉଁ ଜାତିର ସର୍ବାଦୌ ମହତ୍ତ୍ଵରେ ଅଭିଳଷିତ ଥିଲା ତାହାର ପଟାନ୍ତର ସ୍ଵୟଂ ଅତିବଡୀ ଜଗନ୍ନାଥ ଦାସ । ପୂର୍ବଦର୍ଶିତ ଯେଉଁ ମତାନୈକ୍ୟର ଦ୍ଵୈତଭୂମିରେ ସାଧନା ଓ ସାଧକଙ୍କର ଭୂମି ରହି ଆସୁଥିଲା, ତାହାର ପ୍ରାଦୁର୍ଭାବ କିନ୍ତୁ ସାମୟିକ ରହି ଆମ୍ଭ ଜନଜୀବନର ଗାଥାକୁ ଉଚ୍ଛ୍ଵାସଭରା କରିବାକୁ ବରଂ ଆହୁରି ମୁକ୍ତିପ୍ରବଣ କରିଦିଏ । ଏହି ମୁକ୍ତି ଘେନା କରିବାକୁ ଭକ୍ତର ମୋକ୍ଷ ଲୋଡା ଥିଲା !
ସେଥିପାଇଁ ଯଥାର୍ଥତଃ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତି କୁହନ୍ତି, “… ‘ଭାଗବତ’ରେ ସଂସ୍କୃତ ତତ୍ସମ, ତଦ୍ଭବ ଶବ୍ଦାବଳୀର ଯେଉଁ ଅପୂର୍ବ ସମନ୍ଵୟ ସାଧିତ ହୋଇଛି, ତାହା ଆଦର୍ଶ ବା ଷ୍ଟାଣ୍ଡାର୍ଡ ଓଡ଼ିଆ ଭାଷା ରୂପେ ଆଜି ସୁଦ୍ଧା ଅପରିବର୍ତ୍ତିତ ରହିଛି । ” ତେବେ ସତ୍ସାହିତ୍ୟରେ ଗୋଟିଏ ଦୁର୍ବାର ଓ ବ୍ୟାକୁଳ ହୃଦୟର ପ୍ରତିବେଦନରେ ମନୁଷ୍ୟର ଉତ୍ତମ ସଂସ୍କାର ଏକ ସ୍ଥୂଳ ଇତରତାର ବଳୟ ଭିତରୁ ମୁକ୍ତପ୍ରାଣ ହୁଏ । ଜନନୀଙ୍କର କଥା ରଖି ମର୍ତ୍ତ୍ୟ କବି ଜଗନ୍ନାଥ ବୈକୁଣ୍ଠ ଭାବନାରେ ଭାଗବତ ରସକୁ ଓଡିଆ ଭାବବୋଧରେ ସଂଲଗ୍ନ କରି ଥିଲେ । ମୁକ୍ତିର ମହାତୀର୍ଥ ପ୍ରତି ଏ ଥିଲା ବେଶ୍ ଉନ୍ମୁଖ !
“ହରି ଚରଣେ ଦେଇ ଚିତ୍ତ
କହଇ ଦାସ ଜଗନ୍ନାଥ” ।।
(କହଇ ଦାସ ଜଗନ୍ନାଥ)
ଜଗନ୍ନାଥ ଦାସ ବେଦବେଦାଙ୍ଗ ନିପୁଣ ଥିଲେ ଏବଂ ଗୁଣସୂତ୍ରରେ ଅଭିଭାବକଙ୍କ ଠାରୁ ହିଁ ଜୀବନର ବ୍ରତ ଓ ଶାସ୍ତ୍ର ସମ୍ବନ୍ଧୀୟ ସମସ୍ତ ଦର୍ଶନର ଛଟା ପାଇ ପ୍ରବୃଦ୍ଧ ହୋଇଥିବାର ଆମ ମଧ୍ୟରେ ବିଦିତ । ଏହାଙ୍କ ଜନନୀ ଥିଲେ ପଦ୍ମାବତୀ ଦେବୀ । ପିତା ଭଗବାନ ପଣ୍ଡା କୌଶିକ ଗୋତ୍ରୀୟ ବ୍ରାହ୍ମଣ ଯେ ନିଜ ସୁଲଳିତ ଓ ସରଳ ଶାସ୍ତ୍ରବ୍ୟାଖ୍ୟାନ ଲାଗି ଖ୍ୟାତିସମ୍ପନ୍ନ ଥିଲେ । ସେତେବେଳେ ଆମ୍ଭେମାନେ ଦେଖିଛୁ ଯେ ବ୍ରାହ୍ମଣମାନଙ୍କ ଦ୍ଵାରା ପ୍ରାକୃତଶ୍ରେଣୀର ଯେତେ ଭାଷା ସବୁ ଗୌଣମନ୍ୟ । ପରମଶାସ୍ତ୍ର କୃଷ୍ଣ ଦ୍ବୈପାୟନ ବ୍ୟାସଙ୍କ ଅଷ୍ଟାଦଶ ପୁରାଣରୁ ଅନ୍ୟତମ ଭାଗବତ ମହାପୁରାଣ ସମଗ୍ର ଭାରତରେ ଥିଲା ପ୍ରଖ୍ୟାତ ଧର୍ମଗ୍ରନ୍ଥ ।
ଋଗ୍ ବେଦ ବୋଲେ :
“ବିଷ୍ଣୋର୍ନୁ କଂ ବୀର୍ଯ୍ୟାଣି ପ୍ରବୋଚ
ଯଃ ପାର୍ଥିବାନି ବିମମେ ରଜାଂସି
ଯୋ ଅସ୍କଭାୟଦୁତ୍ତରଂ ସଧସ୍ଥମ୍
ବିଚିତ୍ରମାଣ ସ୍ତ୍ରେଧୋରୁଗାୟଃ ।”
(୧ମ ମଣ୍ଡଳ, ୧୫୪ ସୂକ୍ତ, ୧ମ)
“ସେ ବିଷ୍ଣୁ ମହିମା ସଂସାରେ ।
କେ ପୁଣ ସଂଖ୍ୟା କରିପାରେ ।।
ଯେ କବି ଭୂମିରେଣୁ ଗଣି ।
ସେହୁ ନ ପାରିବ ପ୍ରମାଣି ।।
ଯେ ବିଷ୍ଣୁ ପାଦପଦ୍ମଘାତେ ।
ବ୍ରହ୍ମାଣ୍ଡ ଫାଟିଲା ତୁରିତେ ।।
ସ୍ଵର୍ଧୁନୀ ଛାଡି ଭୂମିଗତେ ।
ଆକାଶୁଁ ପଡନ୍ତେ ତୁରିତେ ।।
ନିଜ ଶରୀରେ ତାର ଥିଲଖ ।
ଯେ ଘୋଷେ ପ୍ରକୃତି କମ୍ପିଲା ।।
ଏମନ୍ତ ହରିର ମହିମା ।
କେ ଜାଣିପାରେ ଗୁଣସୀମା ।।”
(ଭାଗବତ, ୨ୟ ସ୍କନ୍ଧ, ୭ମ ଅଧ୍ୟାୟ)
ଭାରତୀୟ ପୁରାଣ ବାଙ୍ମୟରେ ଭାଗବତ ମହାପୁରାଣ ଏକ ଇତିହାସ ଅନୁରୂପ ରାଷ୍ଟ୍ରୀୟ ଧର୍ମଧାରଣା, ଯୁଗ ଯୁଗ ଧରି ରାଜନୀତି, ଇତିହାସ, ଦେଶର ସଭ୍ୟତା, ରାଜା ଓ କିଛି ପ୍ରମୁଖ ରାଜ୍ୟବର୍ଗଙ୍କ ସହ ପୁରାଣ ଚରିତ୍ରମାନଙ୍କ କ୍ରାନ୍ତିଦର୍ଶୀ ଆର୍ଷ ବାଣୀ, ପ୍ରବୃତ୍ତି ଓ ନିବୃତ୍ତି ସହ ଭକ୍ତ ଭଗବାନ ମଧ୍ୟରେ ଜ୍ଞାନମିଶ୍ରା ଭକ୍ତି ପରମ୍ପରାର ପରମ ପରିଚାୟକ । ମହାଭାରତୀୟ ବିଷୟ ସହ ଭକ୍ତି ତତ୍ତ୍ଵ, ଜ୍ଞାନ ତତ୍ତ୍ୱ, ନୀତି, ସମାଜର ଆଚାର ସହ ଶ୍ରୀକୃଷ୍ଣ ଲୀଳାର ଅପୂର୍ବ ଅବତାରଣା ମଧ୍ୟରେ ଏହା ଅଭିସାର କରେ । ହେଲେ ମହାଭାରତ ଓ ଅଷ୍ଟାଦଶ ପୁରାଣକର୍ତ୍ତା ବ୍ୟାସ ଅସନ୍ତୋଷ ମଧ୍ୟରେ ରହିବାରୁ ଦେବର୍ଷି ନାରଦଙ୍କ କଥା ଘେନି ଏହା ରଚନା କରି ଥିଲେ ।
ଅନ୍ତତଃ ମହାଭାରତର ସନ୍ନିହିତ ଶ୍ରୀକୃଷ୍ଣଙ୍କ ଲୀଳା ସମବେତ ଅଦ୍ଵୈତବାଦ, ଦ୍ଵୈତବାଦ ପରି ଆୟାସସାଧ୍ଯ ଧର୍ମୀୟ ମତବାଦ ଦ୍ଵାରା ବିଷ୍ଣୁ ମହିମା ଅନଭିଜ୍ଞ ପାଠକଙ୍କ ଲାଗି କଷ୍ଟକର ହୋଇପାରେ । ଏଣୁ ସମସ୍ତ ବେଦ, ଉପନିଷଦ, ବୈଦିକ ଓ ତାନ୍ତ୍ରିକ ଅବଧାରଣା ସହ ବିଷ୍ଣୁ ମହିମା ଭଳି ବହୁ ଆଖ୍ୟାୟିକା ଓ ସ୍ଵଚ୍ଛଳ ଭାବେ ବର୍ଣ୍ଣିତ ଦର୍ଶନମାନଙ୍କରେ ଏହା ରସାଣିତ ବୃକ୍ଷଟି । ଭାରତୀୟ ଆଧ୍ୟାତ୍ମିକ ଚେତନାର ସର୍ବଶ୍ରେଷ୍ଠ ପରିସ୍ଫୁରଣ ଏହା ମାଧ୍ୟମରେ ନିଗୂଢ ତତ୍ତ୍ଵକୁ ସମାଗତ କରାଯାଉଥିଲା । ହେଲେ ବ୍ରାହ୍ମଣ୍ୟ ଏକାଧିପତ୍ୟ କାରଣରୁ ସଂସ୍କୃତଭାଷୀ ପୁରାଣ ପଢି ବୁଝି ବଖାଣିବା ଉତ୍କଳ ମାଟିରେ ଏକରକମ ନାକ ଟେକା ନୀତିରେ ଦୃଷ୍ଟ ହେଉଥିଲା ।
ଏହି କାରଣରୁ ପୁରୀରେ ପୁରାଣ ଶୁଣିବାକୁ ଆସୁଥିବା ଅଧିକାଂଶ ଶ୍ରୋତା ଥିଲେ ସଂସ୍କୃତ ଅନଭିଜ୍ଞ । ସେହି ପରି ଭାବରେ ଏକ ସନ୍ଧ୍ୟା ସମୟରେ ଜଗନ୍ନାଥ ଦାସଙ୍କର ମାଆ ପଦ୍ମାବତୀ ଦେବୀ ଶ୍ରୀମନ୍ଦିର ବେଢାରେ ଭାଗବତ ବଖାଣ ଶୁଣି ଯାଇଥିଲେ । ହେଲେ ନିରକ୍ଷରା ଅଥଚ ପ୍ରଗାଢ ଧର୍ମପ୍ରାଣା ଜନନୀ ଏକାନ୍ତ ଭାବରେ ଦାନାପାଣି ନ ପାଇ ସନ୍ଧ୍ୟାରେ ଆଗେ ଭାଗବତ ଶୁଣି ମନ୍ଦିର ବେଢାକୁ ଯାଉଥିଲେ। ହେଲେ ବେଢାରେ ବସି ତାଙ୍କ ମାଆ ପଦ୍ମାବତୀ ଦେବୀ କଉଡି ନ ଦେଇ ପାରି ବ୍ରାହ୍ମଣ ପଣ୍ଡିତଙ୍କ ନିକଟରେ ତିରସ୍କୃତ ହୋଇଥିଲେ । ଲୁହଭିଜା ପଣତ ଉଢୁଆଳ କରି ପୁତ୍ର ଜଗନ୍ନାଥଙ୍କ ଆଗରେ ନିଜର ସମସ୍ତ ବେଦନା ଅଜାଡି ଦେଲେ ।
“ପୁରାଣ କଲି ଗୀତ ରସ
କହଇ ଦାସ ଜଗନ୍ନାଥ” ।।
ବ୍ରାହ୍ମଣମାନେ କେବଳ ଯେ ନିଜ ବ୍ୟାପାର ପରି କରି ରଖିଥିବା ଏ ପୁରାଣପାଠକୁ ଭଙ୍ଗ କରିବାକୁ ମତାଇଥିଲେ । ନିଜ ମାଆଙ୍କ ଏପରି ସକରୁଣ ଦେଖାରେ ଦୀର୍ଣ୍ଣ ହୃଦୟ ହୋଇ ଜଣାଇଲେ ଯେ ସେ ଓଡ଼ିଆ ଭାଷାରେ ଏହି କୃଷ୍ଣ ଚରିତର ପବିତ୍ର ରସକୁ ଶୁଣିବାକୁ ଚାହାଁନ୍ତି । କିଛି ସମ ଲାଗି ଜଗନ୍ନାଥ ଟିକିଏ ତଟସ୍ଥ ଜଣାପଡିଲେ । ହେଲେ ଜନନୀ ଆଶୀର୍ବାଦ କରି ପୁତ୍ରକୁ ଏକ କାଳଜୟୀ ପଦକ୍ଷେପ ନିମନ୍ତେ ଆଗୁଁସାର କରାଇଛନ୍ତି । କହିଲେ, “କଲ୍ୟାଣ ମୁଁ କଅଣ କରିବିରେ ଧନ ! କୋଟିଏ ମାଆ ତୋତେ କଲ୍ୟାଣ କରିବେ !” ହେଲେ ମଧ୍ୟ ଜଗନ୍ନାଥଙ୍କ ଦ୍ଵନ୍ଦ୍ଵ ।
ଏକଦା ଶୟନ କାଳରେ ଥିବା ସମୟରେ । ଜଗନ୍ନାଥ ଛାଇ ନିଦ ଭିତରେ ଭାବୁଥାଆନ୍ତି – ଭାଗବତ ପରି ଆବହମାନ ଯୁଗରୁ ସଂସ୍କୃତ ଲିଖିତ ଗ୍ରନ୍ଥକୁ ଓଡ଼ିଆ ଅନୁବାଦ . . ଏହି ମଧ୍ୟରେ ଅକସ୍ମାତ୍ ଶୂନ୍ୟବାଣୀ ଶୁଭେ । ସେ ଶୂନ୍ୟବାଣୀ ଯେପରି ଥିଲା ନିତାନ୍ତ ପରିଚିତ । ଅତିବେଶୀରେ ରସମୟ । ଭାବମୟ ଓ ଅସରନ୍ତି ଲତାକୁଞ୍ଜର ମୁରଳୀଫୁଙ୍କା ଧ୍ଵନି ପରି ଗାଢ । ମହାପ୍ରଭୁ କହୁଛନ୍ତି । ହଁ, ବିଶ୍ଵ ବ୍ରହ୍ମାଣ୍ଡର ସେହି ମାଟିପ୍ରୀତିଠୁ ନେଇ ଆକାଶମୁଖୀ ସତ୍ତ୍ଵ । ସେହି, ଯାହାଙ୍କ ପାଖେ ସମସ୍ତ ଦ୍ଵନ୍ଦ୍ଵର ଅବସାନ ଘଟେ:
“ସେ ମହାପୁରାଣ ଚରିତ ।
ପ୍ରାକୃତ ବନ୍ଧେ କଲେ ଗୀତ ।।
ତୁ ନିଶ୍ଚେ ପବିତ୍ର ହୋଇବୁ ।
ଅଶେଷ ପ୍ରାଣୀଙ୍କି ତାରିବୁ ।।
ଶ୍ରୀଭାଗବତ ଶୁଣି କର୍ଣ୍ଣେ ।
ପବିତ୍ର ହେବେ ପ୍ରାଣୀମାନେ ।।
କର ତୁ ଏହି ଅନୁକୂଳ ।
ଲଭ ତୁ ପରମ ମଙ୍ଗଳ ।।
ଫେଡି ଏକଥା ଆଜ୍ଞା ହେଉ ।
ଶୁଣି ବୋଲନ୍ତି ମହାବାହୁ ।।
ଭୟ ନ କର ତୁମ୍ଭେ କିଛି।
ଗୀତ ତୁ କର ମୁହିଁ ଅଛି ।।
ତୋ ହୃଦପଦ୍ମେ ବସିଥାଇ ।
ମୁଁ ଯାହା ଦେଉଥିବି କହି ।।
ତାହା ତୁ ପତ୍ର ଘେନି ଲେଖ ।
କହି ଚଳିଲେ ପଦ୍ମମୁଖ ।।”
(ଦାର୍ଢ୍ୟତା ଭକ୍ତି ରସାମୃତ)
ଚିରକାଳ ମୁଖରିତ ସାହିତ୍ୟର ଖେଦା ଉପରେ ଲେଖା ହେବ ଏକ ନୂତନ ଇତିହାସ । ଇତିହାସ ଉପରେ ଭାବନା ମଧ୍ୟରେ ସ୍ନିଗ୍ଧ ବର୍ଷା-କଦମ୍ଵ ବିକଶିତ ହେଲା ସମାନ ପ୍ରାଣର ଶିବ ସଂକଳ୍ପ (Sense of Social Good) ତା’ ରମ୍ୟତାରେ ଚହଟି ଉଠିବ । ନିହାତି ଅପାର୍ଥିବ ଓ ବ୍ରହ୍ମାଣ୍ଡର ସମସ୍ତ ଉନ୍ମୁଖ ସତ୍ତ୍ଵମାନେ ଆଜି ଓଡ଼ିଆମାନଙ୍କ ଗହଣରେ ନିଠେଇ ନିଠେଇ ଗୀତ ମାନଙ୍କ ଗହଣରେ ଉଚ୍ଚାରିତ ହେବେ । ଜଗନ୍ନାଥ ଦାସ ଶଯ୍ୟା ପାରି ଉଠି ଦୀପ ଜାଳି ପୋଥି ଓ ଲେଖନୀ ଧରି ଆରମ୍ଭ କରିଲେ । କଡରେ ପୁଣି ତାଙ୍କ ଅଜ୍ଞାତସାରରେ ବସିଥିଲେ ରାଧିକାଙ୍କ ଦୁଇ ସଖୀ – ମେଧା ଓ ସୁମେଧା (ଲଳିତା ଓ ବିଶାଖା):
“ଜନ୍ମାଦ୍ୟସ୍ୟ ଯତୋଽନ୍ଵୟା ବିତରତଶ୍ଚାର୍ଥେଷ୍ବଭିଜ୍ଞ ସ୍ଵରାଟ୍
ତେନେ ବ୍ରହ୍ମହୃଦାୟ ଆଦିକବୟେ ମୁହ୍ୟନ୍ତି ଯତ୍ ସୁରୟଃ ।
ତେଜୋ ବାରି ମୁଦାଂ ଯଥା ବିନିମୟୋ ଯତ୍ର ତ୍ରିସଗୋଽମୃଷା
ଧାମ୍ନାସ୍ଵେନ ସଦା ନିରସ୍ତ କୁହୁକଂ ସତ୍ୟଂ ପରଂ ଧୀମହି ।।”
ଜଗନ୍ନାଥ ଦାସ ଲେଖିଲେ ପ୍ରଥମ ସ୍କନ୍ଧର ପ୍ରଥମ ପଦ :
“ନମଇଁ ନୃସିଂହ ଚରଣ ।
ଅନାଦି ପରମକାରଣ ॥
ଯା ବିନୁ ଆଦି ମଧ୍ୟ ଅନ୍ତ ।
ବିଚାରେ ନ ଘଟେ ଜଗତ ॥
ଇନ୍ଦ୍ରିୟ ଅର୍ଥ ଯେ ଜାଣଇ ।
ସ୍ୱତେଜେ ନିତ୍ୟ ପ୍ରକାଶଇ ॥
ଆନନ୍ଦମନେ ବେଦସାର ।
ବ୍ରହ୍ମାଣ୍ଡେ ଯେ କଲା ବିସ୍ତାର ॥
ଆତ୍ମ ପ୍ରକାଶେ ସଦା ଥାଇ ।
ନିରସ୍ତ କୁହକ ବୋଲାଇ ॥
ସତ୍ୟ ପରମାନନ୍ଦ ହରି ।
ଯାହାର ଭାବେ ଭବୁ ତରି ॥
ଏମନ୍ତେ ସତ୍ୟ ରୂପ ଯାର ।
ତା ପାଦେ ମୋର ନମସ୍କାର ॥
ତାର ଚରଣେ ନିତ୍ୟେ ଧ୍ୟାନ ।
କରି ତରନ୍ତି ସର୍ବଜନ ॥
ସେ କୃଷ୍ଣପାଦ ହୃଦେ ଧରି ।
ପ୍ରବନ୍ଧେ ଗୀତନାଦ କରି ॥
ଅଶେଷ ଜଗତର ହିତେ ।
ବର୍ଣ୍ଣଇ ଦାସ ଜଗନ୍ନାଥେ ॥”
ଏହି ଓଡ଼ିଆ ଭାଗବତ ହିଁ ସେହି ମହତ ଅନୁସର୍ଜନା ଥିଲା, ଯାହା ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଉଭୟ ପରିମାଣାତ୍ମକ ଓ ସଂହତି ଦୃଷ୍ଟିରୁ ଏକ ଅବିସମ୍ବାଦିତ କୃତିତ୍ଵ ।
~ କହଇ ଦାସ ଜଗନ୍ନାଥ ~
ନବାକ୍ଷରୀ ବୃତ୍ତରେ ତ୍ରୟୋଦଶ ସ୍କନ୍ଧ ପର୍ଯ୍ୟନ୍ତ ସର୍ବମୋଟ ୩୪୨ ଗୋଟି ଅଧ୍ୟାୟରେ ରଚିତ ଓଡ଼ିଆ ଭାଗବତ ଥିଲା ସଂସ୍କୃତ ଭାଗବତର ଏକ ବ୍ୟତିକ୍ରମ । ଏହାର ବକ୍ତା ରୂପେ ବ୍ୟାସତନୟ ଶୁକମୁନି ଉପସ୍ଥିତ ଥିଲା ବେଳେ ଚନ୍ଦ୍ରାବତଂସ ମହାଭାରତ ଅନ୍ତର୍ଗତ ଅଭିମନ୍ୟୁ ବଳା ରାଜା ପରୀକ୍ଷିତ ଏହାର ଶ୍ରୋତା ଥିଲେ । ଏକଦା ମୃଗୟାରେ ଯାଇଥିବା ପରୀକ୍ଷିତ ଶ୍ରାନ୍ତ ହୋଇପଡି ଶମୀକ ଋଷିଙ୍କ କୁଟୀର ପାଖରେ ପହଞ୍ଚିଲେ । ସେହି ଠାବରେ ଧ୍ୟାନରତ ମୁନିଙ୍କୁ ସେ ଅନୁଧାବନ କରୁଥିବା ମୃଗ ବିଷୟ ପଚାରିବାରୁ ଧ୍ୟାନମଗ୍ନ ଋଷି ନିଶ୍ଚଳ ରହିଥିଲେ । ହେଲେ କୁପିତ ପରୀକ୍ଷିତ ତାଙ୍କ କାନ୍ଧପଟେ ଏକ ମୃତସର୍ପ ଓହଳାଇ ଦେଲେ ।
କିନ୍ତୁ ଶମୀକ ଋଷିଙ୍କ ପୁଅ ଶୃଙ୍ଗୀନ୍ ଏହା ଜାଣି ତାଙ୍କୁ ଅଭିଶାପ ଦେଲେ ଯେ ନାଗରାଜ ତକ୍ଷକ ଆସି ତାଙ୍କୁ ଦଂଶନ କରିବେ । ଆଉ ଏହି ସାତଦିନ ଭିତରେ ତାଙ୍କ ଆସନ୍ନ ମୃତ୍ୟୁର ଭୟ ପରିହାର ନିମନ୍ତେ ସେ ଶୁକମୁନିଙ୍କ ଆଶ୍ରିତ ହୋଇ ତାଙ୍କଠାରୁ ଯେଉଁ ତତ୍ତ୍ଵଜ୍ଞାନ ଓ ଭକ୍ତି ଚେତନା ସହ ଅବଗାହୀ ହେଲେ, ତାହା ହିଁ ଭାଗବତ ରୂପେ ଆଜି ପଢାଯାଏ । ତହିଁ ଉତ୍ତାରୁ ଓଡ଼ିଆ ଭାଷୀ ଭାଗବତ ପୁଣି ସାରଳା ମହାଭାରତର ଦାଣ୍ଡିବୃତ୍ତ ପରେ ଓଡ଼ିଆ କାବ୍ୟିକତାରେ ନବାକ୍ଷରୀ ରଚନାର ଲାଳିତ୍ଯକୁ ଖ୍ୟାତି ଦେଇଗଲା । ବର୍ତ୍ତମାନ ଏହା କୋଟି କୋଟି ଓଡିଆ ଓ ଓଡ଼ିଆଙ୍କ ବିଶ୍ଵଦୃଷ୍ଟିକୁ ମୁଗ୍ଧ ରସରେ ମଥିତ କରି ବହୁ ଶତାବ୍ଦୀର ଐକ୍ଯବୋଧରେ ପ୍ରତିଷ୍ଠିତ ।
(କହଇ ଦାସ ଜଗନ୍ନାଥ)
ମୂଳ ସଂସ୍କୃତ ଗ୍ରନ୍ଥର ବିଷୟବସ୍ତୁରେ ସାମଞ୍ଜସ୍ୟ ରକ୍ଷା କରି ମୌଳିକ ଓଡ଼ିଆ ଭାଗବତ ଦ୍ଵାରା ଅନୁସର୍ଜନା ଧାରାରେ ଯେଉଁ ନବୀନ ଉନ୍ମେଷ ଆଣିଥିଲେ ଭାଗବତକାର ତାହା ମଧ୍ୟ ଆଜି ସମସ୍ତଙ୍କର ଦୃଷ୍ଟାନ୍ତସ୍ଥାନୀୟ । ଭାଗବତର ଦ୍ଵାଦଶ ସ୍କନ୍ଧର ୧୩ଶ ଅଧ୍ୟାୟରେ ଉଲ୍ଲେଖ ଅଛି ଯେ ଅତିବଡୀ ଜଗନ୍ନାଥ ଦାସ ବାଲେଶ୍ଵର ଜିଲ୍ଲାର ରେମୁଣା ଜନ୍ମିତ ଶ୍ରୀଧରାଚାର୍ଯ୍ୟ ବା ଶ୍ରୀଧର ସ୍ଵାମୀଙ୍କ ଭାଗବତଗ୍ରନ୍ଥର ଟୀକା ‘ଭାବାର୍ଥ ଦୀପିକା’ର ଛାୟାରେ ଅଧିକାଂଶ ଅନୁସର୍ଜନା କରିଅଛନ୍ତି । କପିଳାସରେ ଅବସ୍ଥାନ କରୁଥିବା ସମୟରେ ଶ୍ରୀଧର ସ୍ଵାମୀ ଲକ୍ଷ୍ମୀନୃସିଂହଙ୍କ ବିଗ୍ରହ ସ୍ଥାପନା ଓ ଅର୍ଚ୍ଚନା ସହ ଶିବପାର୍ବତୀଙ୍କ ଉପାସନା କରି ଗୀତା ଓ ଭାଗବତର ଟୀକା କରିଥିଲେ :
“ଶ୍ରୀଧର ନାମେ ବିପ୍ରବର ।
କଳିଯୁଗରେ ଜନ୍ମ ତାର ।।
ଶ୍ରୀଭାଗବତ ଯେ ପୁରାଣ ।
ଅଷ୍ଟାଦଶ ସସ୍ର ଶ୍ଳୋକେଣ ।।
ତା ଟୀକା ଚଉବିଂଶ ସସ୍ର ।
କରଇ ଶ୍ରୀଧର ପ୍ରକାଶ ।।
ବିପ୍ରକୁଳେ ଜନମ ହୋଇ ।
ଜଗନ୍ନାଥ ନାମ ଯେ ବହି ।।
ପ୍ରାକୃତ ବନ୍ଧେ ଭାଗବତ ।
କହିଲେ ସନ୍ଥ ଜନହିତ ।।”
ଅବଶ୍ୟ ଏକପାଖିଆ ଶ୍ରୀଧର ସ୍ଵାମୀଙ୍କ ଟୀକା ବର୍ଣ୍ଣନା ଏତେ ନଥିଲେ ମଧ୍ୟ ‘ହରିବଂଶ’, ‘ବିଷ୍ଣୁ ପୁରାଣ’ ଓ ଅନ୍ୟ ଶାସ୍ତ୍ରପୁରାଣର ମଧ୍ୟ ଅନୁସର୍ଜନା ଅବିକଳ ରହିଥିବାର ପରିଲକ୍ଷିତ । ମୂଳ ଭାଗବତର କୃଷ୍ଣ ଚରିତ ସ୍ଵରୂପ ଓଡ଼ିଆ ଭାଗବତ ମାଧ୍ୟମ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ କୈନ୍ଦ୍ରିକ ତତ୍ତ୍ଵର ଅବିଚ୍ଛିନ୍ନ ସତ୍ତ୍ଵ ଯେ ପ୍ରତିପନ୍ନ । ଓଡ଼ିଶାରେ କୃଷ୍ଣକଥା ଭକ୍ତିର ଏକ ମାର୍ଗରୂପେ ପ୍ରତିଷ୍ଠା ପାଇବାର ବହୁପୂର୍ବରୁ ଜଗନ୍ନାଥ କଥା ହିଁ କେବଳ ଔପଚାରିକ ଭକ୍ତମାନଙ୍କ ପାଇଁ ନୁହେଁ, ବରଂ ସମଗ୍ର ଲୋକ ଜୀବନର ଆରାଧ୍ୟ ସମ୍ପଦ ରୂପେ ପୂଜା ପାଇ ଆସୁଅଛି। ଏହାର ଅନବଦ୍ୟ ଗୁଣଟି ଏହି ଠାବରୁ ଚିହ୍ନଟ କରିହୁଏ ।
ହେଲେ ସମସ୍ତ ଅନୁଗୃହୀତ ସୂତ୍ର ବ୍ୟତୀତ ଯେ ଅତିବଡୀ ଜଗନ୍ନାଥଙ୍କ ସ୍ଵୀୟ ପାଣ୍ଡିତ୍ୟ, ରସସ୍ନିଗ୍ଧ ଓ ସରଳ ଭାଷା ଆଟୋପରେ ସୂକ୍ଷ୍ମ ଦାର୍ଶନିକ ତତ୍ତ୍ଵ ସମସ୍ତକୁ ରସଗର୍ଭା ଓ ରତ୍ନପ୍ରସୂ ମାନକ ଓଡ଼ିଆ ଭାଷା ଦ୍ଵାରା ସମଗ୍ର ଓଡ଼ିଶାରେ ଏହା ଆଦୃତ ରହି ଆସିଲା, ଏହା ଦର୍ଶନବାଦର ବୌଦ୍ଧିକ ସଂସ୍ରବଣ ଅପେକ୍ଷା ଜନଜୀବନର ନିଚ୍ଛକତା ମଧ୍ୟରେ ନିଷ୍ପନ୍ନ । ଏପରିକି ଅତିବଡୀଙ୍କ ସମସାମୟିକ ପଞ୍ଚସଖାଙ୍କ ସହ ପରବର୍ତ୍ତୀ ରୀତିଯୁଗୀୟ ଅନେକ କବି ଏହି ସରଳ ଓ ଶ୍ରୁତିମଧୁର ବୃତ୍ତକୁ ଆପଣେଇ ନେଇଥିଲେ । ଭାଗବତ ସ୍ଵୟଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମାନ ପରମ ଉପାସ୍ୟ ଏବଂ ଘରେ ଘରେ ପଠିତ ଓ ପୂଜନୀୟ ।
“ହରି ଚରିତ ଭାଗବତ
କହଇ ଦାସ ଜଗନ୍ନାଥ” ।।
(କହଇ ଦାସ ଜଗନ୍ନାଥ)
ଏପରିକି ଭାଗବତର ମହାଭାରତୀୟ ବାଙ୍ମୟ ଉପଲବ୍ଧିକୁ ତଦାନୀନ୍ତନ ଗବେଷକ ମନମୋହନ ଚକ୍ରବର୍ତ୍ତୀ ଏକ ଦୀର୍ଘ ଇଂରାଜୀ ପ୍ରବନ୍ଧରେ ଓଡ଼ିଆ ଧର୍ମ ସାହିତ୍ୟର ଭୂମିକା ଉପରେ ଯାହା ସର୍ବପ୍ରଥମେ ଆଲୋକପାତ କରିଥିଲେ ତାହା ହେଉଛି କିଛି ଏହିପରି: “Generally speaking , these poems are not literal translationans but summaries and free adaptations of the Sanskrit original . . Their importance lies firstly in the fact that they have supplied the bulk of religious people from generation to generation . .  They showed that the Oriya language could be made fit for expressing complex thoughts and abstract feelings . . “
‘ନିଗମ କଳ୍ପତରୋର୍ଗଳିତଂ ଫଳଂ ଶୁକମୁଖାଦ . . ‘ ଶ୍ଳୋକାଂଶର ଅନୂଦିତ ରୂପରେ ନବାକ୍ଷରୀର ଅତିବଡୀଙ୍କ ଅକ୍ଷରସଜ୍ଜା ଓ ଅନୁକ୍ରମ ରକ୍ଷାର ସଂହତ ଅଥଚ ଆତ୍ମିକ ପ୍ରୟାସ କେଡେ ମନଛୁଆଁ । ନଅ ଅକ୍ଷର ବିଶିଷ୍ଟ ଏହି ନବଗୁଜ୍ଜରୀ ବା ନବାକ୍ଷରୀ ବୃତ୍ତ ବା ଭାଗବତବାଣୀରେ ଯତିପାତ ଥିଲେ ସୁଦ୍ଧା ରସାମୋଦୀ ପାଠକଙ୍କୁ ବିରତିର ସ୍ଵାଧୀନତା ସହ ସମକାଳରେ ଛନ୍ଦରେ ରସବୋଧ ଯଥେଷ୍ଟ ପାଇହୁଏ । ଏଥି ସହ ଏଇ ଛନ୍ଦର ସ୍ଵାତନ୍ତ୍ର୍ୟ ରକ୍ଷା ହେତୁ ସ୍ଵର ମାଧୁରୀରେ ଗତାନୁଗତିକ ପଦଯୋଡ ନ ହୋଇ କାନ ସର୍ବାଦୌ ଏକ ରସିକତାର ପରିଚିତିରେ ଲୁବ୍ଧ ହୁଏ:
“ଏ ଭାଗ’ ବତର’ ମହିମା ।
କେ କହି’ ପାରେ’ ଗୁଣସୀମା ।।
ସକଳ ବେଦ’ ହୋଇ ବୃକ୍ଷେ ।
ଫଳ ଫଳିଲେ ଅନ୍ତରୀକ୍ଷେ ।।
କେତେ ହେଁ ଦିନେ’ ପାଚିତଳେ ।
ବୃକ୍ଷୁଁ ପଡ଼ିଲେ ବାୟୁବଳେ ।।
ଶୁକ ଧାଇଁଲେ’ ତାହା ଦେଖି ।
ପକ୍ଷୀଙ୍କ’ ସଙ୍ଗତ’ ଉପେକ୍ଷି ।।”
ଉପରୋକ୍ତ ଭଗବତ୍ ଧର୍ମର ମହାନୁଭବ ଧାରାରେ ପ୍ରେମାପ୍ଳୁତ ମାନବ ଜାତି ଆସକ୍ତି, ସମ୍ପୃକ୍ତି, ବନ୍ଧନାଦି ସଂକୀର୍ଣ୍ଣତା ଓ ସସୀମତା ପରିତ୍ୟାଗ ପୂର୍ବକ ଆମ୍ଭେମାନେ ବିଶ୍ଵ ସହିତ ହାତ ମିଳାଉ । ଭଗବତ୍ ପ୍ରାପ୍ତି ଏଠାରେ ଅନାୟାସଲକ୍ଷ୍ୟ ମାତ୍ର, ନିଷ୍କାମ ଭକ୍ତି ଓ ସମସ୍ତ ପ୍ରାଣୀଜଗତର ସେବାରେ ଭାବମଜ୍ଜିତ ହେବା ଲାଗି ଏହି ଈଶ୍ଵରଙ୍କ ସଦଭିପ୍ରେତ ବାଣୀ ଭାଗବତରେ ସମାବିଷ୍ଟ । ଏହା ବିଶ୍ଵ ଓ ନିଜ ମଧ୍ୟରେ ଅଭେଦ କଳ୍ପନାକୁ ବାସ୍ତବିକ ଜାଣି ପାରିଥିବା ମଣିଷ ନିମନ୍ତେ ସେତିକି ଅନୁଭୂତିସିଦ୍ଧ ଓ ପରିପକ୍ଵ , ଯେତିକି ମନ ଓ ପ୍ରାଣ ମଧ୍ୟରେ ସଂସାରର ସମସ୍ତ ମୋହରୁ ନିର୍ବିକାର ହେଲା ପରେ ଭାଗବତ ଜନରେ ଗଣା ହୁଅନ୍ତି ବିଶ୍ଵବାସୀ ।
“ହରି ଚରିତ ଭାଗବତ
କହଇ ଦାସ ଜଗନ୍ନାଥ” ।।
(କହଇ ଦାସ ଜଗନ୍ନାଥ)
ପ୍ରଥମ ସ୍କନ୍ଧର ଆରମ୍ଭରୁ ନୃସିଂହଙ୍କର ବନ୍ଦନା ପରେ କଳିଯୁଗ ଆଗମନର ସୂଚନା ପାଇ ଶୌନକ ପ୍ରଭୃତି ଯେତେ ଋଷିମାନେ ନୈମିଷ୍ୟାରଣ୍ୟ ମଧ୍ୟରେ ପୌରାଣିକ ସୂତମୁନିଙ୍କ ସହ ସମ୍ଭାଷଣ କରିଛନ୍ତି । କଳିଯୁଗରେ ମଣିଷର ନୀତି, ରୀତି, ପ୍ରବୃତ୍ତି ସମାଜ, ସଂସ୍କାର ଓ ଜୀବଜଗତର ଅବସ୍ଥା ଆବିଳ ହେବାକୁ ଜାଣି ଆର୍ଷସମାଜ ବିବ୍ରତ । ତେବେ ଏପରି ଏକ ସନ୍ଧିକ୍ଷଣରେ ସୂତମୁନି ବ୍ୟାଖ୍ୟା କରିଛନ୍ତି ବେଦବେଦାଦି ଶାସ୍ତ୍ରର ସାରାଂଶରେ ନାମଜପ ସହ ଭକ୍ତିର ନବଧା ରସର ଉପାୟ । ଆବ୍ରାହ୍ମଣ ଚଣ୍ଡାଳ ଓଡ଼ିଆ ନୈତିକ ଚେତନାର ମୂଳାଧାର ଭାଗବତର ସ୍କନ୍ଧ ଓ ଅଧ୍ୟାୟଙ୍କର ଏକ ସଂକ୍ଷିପ୍ତ ତାଲିକା ନିମ୍ନଲିଖିତ:
◆ ପ୍ରଥମ ସ୍କନ୍ଧ (୧୯ ଅଧ୍ୟାୟ) : କଳିଯୁଗର ଆଗମନରେ ଭାଗବତ ଧର୍ମ ପ୍ରଖ୍ୟାପନ, ଭାଗବତ ରଚନାରମ୍ଭ ସହ ପରୀକ୍ଷିତ ଓ ଶୁକଦେବଙ୍କ ସମ୍ବାଦ ଆରମ୍ଭ ।
◆ଦ୍ଵିତୀୟ ସ୍କନ୍ଧ (୧୦ ଅଧ୍ୟାୟ) : ଆଗମ ଓ ନିଗମର ବ୍ୟାଖ୍ୟାନ , ସୃଷ୍ଟି ତତ୍ତ୍ଵ ସହ ପିଣ୍ଡ ଓ ବ୍ରହ୍ମାଣ୍ଡର ଆଦ୍ୟ ଅବତାରଣା ଏବଂ ବିଷ୍ଣୁ ଭକ୍ତମାନଙ୍କ ସଂକ୍ଷେପରେ ମହିମା ଉପସ୍ଥାପନ ।
◆ତୃତୀୟ ସ୍କନ୍ଧ (୩୩ ଅଧ୍ୟାୟ) : ମହାଭାରତୀୟ କଥାରେ ବିଦୁର, ଉଦ୍ଧବ ଓ ମୈତ୍ରେୟଙ୍କ ଆଗମନ ସହ ବିରାଟ ପୁରୁଷ ପରିଚୟ ଓ ବ୍ରହ୍ମାଙ୍କ ଉତ୍ପତ୍ତି ପରବର୍ତ୍ତୀ ବ୍ରହ୍ମାଣ୍ଡ ସର୍ଜନା କଥା ।
◆ଚତୁର୍ଥ ସ୍କନ୍ଧ (୩୧ ଅଧ୍ୟାୟ) : ମୈତ୍ରେୟ ଓ ବିଦୁର ସମ୍ଵାଦରେ ସୃଷ୍ଟିର ପ୍ରଥମ ପୁରୁଷ ମନୁଙ୍କ ତିନି କନ୍ୟାଙ୍କ ବଂଶ ଚରିତ, ଦକ୍ଷ ଯଜ୍ଞ ପ୍ରସଙ୍ଗ ସହ ଧ୍ରୁବର ବିଷ୍ଣୁଭକ୍ତି, ପୃଥୁରାଜାଙ୍କ ପୃଥିବୀ ଦୋହନ ପ୍ରଭୃତି ଉପସ୍ଥାପିତ ।
◆ପଞ୍ଚମ ସ୍କନ୍ଧ (୩୬ ଅଧ୍ୟାୟ) : ପ୍ରିୟବ୍ରତ ଚରିତ, ଋଷଭଦେବ ଚରିତ, ଭରତରାଜା ପୃଥ୍ଵୀ ସାତଭାଗ କରିବା ଓ ମୃଗ ଜନ୍ମ କଥା, ରାହୁରାଜା କଥା ସହ ଭୂଗୋଳ ବର୍ଣ୍ଣନା ଏବଂ ଭାରତବର୍ଷ ପରିଚୟ ।
◆ଷଷ୍ଠ ସ୍କନ୍ଧ (୧୯ ଅଧ୍ୟାୟ) : ପାପୀ ଅଜାମିଳ ମୁକ୍ତି ଉପାଖ୍ୟାନ ଓ ତହିଁ ସହ ବିଷ୍ଣୁଦୂତଙ୍କ ଯମଦୂତଙ୍କ ସମ୍ମୁଖରେ ନାରାୟଣ ନାମ ମହତ୍ତ୍ଵ ପ୍ରତିପାଦନ, ଦକ୍ଷ ବଂଶଚରିତ, ଦେବଗଣ ଓ ବୃତ୍ରାସୁର ଯୁଦ୍ଧ ସଂଲଗ୍ନ ଦଧୀଚିଙ୍କ ତିତିକ୍ଷା ସହ ବିଷ୍ଣୁବ୍ରତ ବର୍ଣ୍ଣନା ରହିଛି ।
◆ସପ୍ତମ ସ୍କନ୍ଧ (୧୫ ଅଧ୍ୟାୟ) : ନାରଦ ଓ ଯୁଧିଷ୍ଠିର ସମ୍ଵାଦରେ ସନକାଦି ଋଷିଙ୍କ ଶାପରୁ ଶ୍ରୀବିଷ୍ଣୁଙ୍କ ବୈକୁଣ୍ଠର ଦ୍ଵାରପାଳ ଜୟ ଓ ବିଜୟ ଅଭିଶାପ ପାଇଲେ । ହିରଣ୍ୟକଶିପୁ ବଧ, ନୃସିଂହ ଅବତାର ସହ ପ୍ରହ୍ଲାଦ ଭକ୍ତିର ଚରିତ ଓ ଭଗବତ୍ ବର୍ଣ୍ଣନା, ଭାରତୀୟ ସମାଜର ବର୍ଣ୍ଣ, ଧର୍ମ ଓ ଆଶ୍ରମର ମହତ୍ତ୍ଵ ସହ ଦେଶକାଳ ପାତ୍ର ବର୍ଣ୍ଣନା ।
◆ଅଷ୍ଟମ ସ୍କନ୍ଧ (୨୩ ଅଧ୍ୟାୟ) : ଗଜେନ୍ଦ୍ର ନିସ୍ତାରଣ, ଗଜ ଓ ଗ୍ରାହ ପୂର୍ବଜନ୍ମ ବୃତ୍ତାନ୍ତ, ମନ୍ଦରାଚଳରୁ ଆଣି ଦେବାସୁରଙ୍କ ସମୁଦ୍ର ମନ୍ଥନ, ଐରାବତ, ଉଚ୍ଚୈଃଶ୍ରବା, କଳ୍ପବୃକ୍ଷ ପ୍ରଭୃତି ରତ୍ନର ଉତ୍ପତ୍ତି, ଭଗବାନ ବିଷ୍ଣୁଙ୍କ ମୋହିନୀ ଅବତାର, ରାହୁ ଶିରଶ୍ଛେଦ, ବଳିରାଜା ନିକଟରେ ବାମନରୂପୀ ବିଷ୍ଣୁଙ୍କ ତିନିପାଦ ଭୂଇଁ ମାଗୁଣି ସହ ମତ୍ସ୍ୟ ଅବତାର ବର୍ଣ୍ଣିତ ।
◆ ନବମ ସ୍କନ୍ଧ (୨୬ ଅଧ୍ୟାୟ) : ରାଜା ଅମ୍ଵରୀଷ ଓ ଦୁର୍ବାସା ମୁନି କଥା, ଈକ୍ଷ୍ଵାକୁ ବଂଶ ପରିଚୟ, ମାନ୍ଧାତା ଚରିତ, ସୌଭରୀ ଋଷିଙ୍କ ଗରୁଡଙ୍କୁ ଶାପ, ତ୍ରିଶଙ୍କୁ କଥା, ସତ୍ୟବାଦୀ ହରିଶ୍ଚନ୍ଦ୍ର ଚରିତ, ସଗର ଷାଠିଏ ପୁଅ କପିଳମୁନିଙ୍କ କୋପରେ ଭସ୍ମସାତ୍ ହେବା ଓ ପ୍ରସିଦ୍ଧ ଗଙ୍ଗାବତରଣ ଉପାଖ୍ୟାନ ସହ ପର୍ଶୁରାମ ଅବତାର ଓ ଭରତବଂଶ ଚରିତ ସ୍ଥାନୀତ ।
◆ଦଶମ ସ୍କନ୍ଧ (ପୂର୍ବାର୍ଦ୍ଧ = ୫୦; ଉତ୍ତରାର୍ଦ୍ଧ =୪୬) : ନବମ ସ୍କନ୍ଧର ଶେଷକୁ ଅନୁତୁର୍ବସୁ ଓ ଯଦୁବଂଶ ବର୍ଣ୍ଣନାର ଉପୋଦ୍ଘାତ କ୍ରମେ ଦଶମ ସ୍କନ୍ଧ ଦୀର୍ଘପାଟବରେ ଶ୍ରୀକୃଷ୍ଣଙ୍କ ଗୋପଲୀଳା ଓ ଦ୍ଵାରିକା ଲୀଳାର ଭବ୍ୟ ବର୍ଣ୍ଣନା ଦିଏ । ପ୍ରସିଦ୍ଧ ଶିଶୁପାଳ ବଧ, ଉଷାହରଣ, ଦୀର୍ଘ ଶ୍ରୁତିଗୀତା ଏଥିର ଅନ୍ତର୍ଗତ ।
◆ଏକାଦଶ ସ୍କନ୍ଧ (୩୨) : ଶାମ୍ଵ ନାରୀବେଶରୁ ଯଦୁକୁଳ ସଂହାର ନିମନ୍ତେ ଋଷିକୁଳ ଶାପ, ନିମି ଓ ନବବିପ୍ର (କବି, ହବି, ଅନ୍ତରୀକ୍ଷ, ପିପ୍ପଳାୟନ, ପ୍ରବୁଦ୍ଧ, ଆବିର୍ହୋତ୍ର, ଦ୍ରୁମିଳ, ଚମସ ଓ କରଭାଜନ) ସମ୍ବାଦ, ଜିଜ୍ଞାସୁ ଉଦ୍ଧବଙ୍କ ଠାରେ ଶ୍ରୀକୃଷ୍ଣ ଜ୍ଞାନୋପଦେଶ, ଯଦୁରାଜା ଓ ଅବଧୂତ ଚବିଶ ଗୁରୁ ଉପାଖ୍ୟାନ, ପ୍ରସିଦ୍ଧ ତ୍ରିଗୁଣ ଲକ୍ଷଣ, ଭିକ୍ଷୁଗୀତା, ଉଦ୍ଧବଙ୍କ ବଦ୍ରିକା ଗମନ ପରେ ଶ୍ରୀକୃଷ୍ଣଙ୍କ ଜାରାଶବର ଶରାଘାତରୁ ମହା ପ୍ରୟାଣ ଓ ବୈକୁଣ୍ଠ ଗମନ ।
◆ଦ୍ଵାଦଶ ସ୍କନ୍ଧ (୧୩) : କଳିଯୁଗ ବର୍ଣ୍ଣନା, ଚାରିଯୁଗ କାଳକ୍ରମ ନିର୍ଣ୍ଣୟ, କଳିଯୁଗରେ ବିଭିନ୍ନ ରାଜବଂଶର ଅବତାରଣା, ଚାରି ପ୍ରଳୟ (ନିତ୍ୟ, ନୈମିତ୍ତିକ, ଆତ୍ୟନ୍ତିକ ଓ ପ୍ରାକୃତିକ), ପୁରାଣ ଲକ୍ଷଣ, ମାର୍କଣ୍ଡେୟ ଋଷିଙ୍କ ମହାପ୍ରଳୟରୁ ଉଦ୍ଧାର, ନୀଳାଚଳରେ କଳ୍ପବଟ ଉପରେ ବାଳମୁକୁନ୍ଦ ଦର୍ଶନ, ଚନ୍ଦ୍ରସୂର୍ଯ୍ୟ ଜ୍ୟୋତିର୍ମଣ୍ଡଳ ଓ ଦ୍ଵାଦଶ ଆଦିତ୍ୟ ବର୍ଣ୍ଣନା (ଧାତା, ଅର୍ଯ୍ୟମା, ମିତ୍ର, ବରୁଣ, ଇନ୍ଦ୍ର, ବିବସ୍ଵାନ, ପୁଷା, କ୍ରତୁଚର୍ଚ୍ଚା, ଅଂଶୁ, ଭଗ, ତ୍ଵାଷ୍ଟା ଓ ବିଷ୍ଣୁ) ।
ଏହାର ଶେଷ ଦ୍ଵାଦଶ ଏବଂ ତ୍ରୟୋଦଶ ଅଧ୍ୟାୟରେ ସମଗ୍ର ଭାଗବତର ସାରାଂଶ ବର୍ଣ୍ଣିତ ।
ତ୍ରୟୋଦଶ ସ୍କନ୍ଧ (ଅତିରିକ୍ତ ସ୍କନ୍ଧ): ଏହି ଅତିରିକ୍ତ ଭାଗରେ ଶ୍ରୀକୃଷ୍ଣ ଓ ଉଦ୍ଧବଙ୍କ ଜ୍ଞାନୋପଦେଶ ଆହୁରି ବିସ୍ତୃତ ଭାବେ ଅବତୀର୍ଣ୍ଣ ହୋଇଅଛି ଏବଂ ଶେଷରେ ଜୀବ ଓ ବ୍ରହ୍ମ କଥନ ପରେ ଶ୍ରୀକୃଷ୍ଣଙ୍କ ସହ ଉଦ୍ଧବ ମଧ୍ୟ ବୈକୁଣ୍ଠ ଗମନ କରିଛନ୍ତି ।
ଶେଷକୁ ଯେଉଁ ଦୁଇଟି ଅଧ୍ୟାୟ ରହିଅଛି, ତାହା ଯଥାକ୍ରମେ ମହାଦେବ ଦାସ ଏବଂ ଦ୍ଵାରିକା ଦାସଙ୍କ ଜଗନ୍ନାଥ ଦାସ ଭଣତିର ରଚନା ଅନ୍ତର୍ଗତ । ଏହାର କାରଣ ହେଲା ଅତିବଡୀଙ୍କ ମହାପ୍ରୟାଣ ବେଳକୁ ଏକାଦଶ ସ୍କନ୍ଧ ମାତ୍ର ସମାପ୍ତ ହୋଇଥିଲା । ଯେତେବେଳେ ଏକାଦଶ ସ୍କନ୍ଧର ଶେଷ ଆଡକୁ ଶ୍ରୀକୃଷ୍ଣଙ୍କ ଜାରାଶବରର ଶରାଘାତରୁ ମହାପ୍ରୟାଣ ଘଟିଯାଇଥାଏ, ସେହି ସମୟରେ ଷୋଡ଼ଶ ଶତାବ୍ଦୀର ଅନ୍ୟତମ କବି ମହାଦେବ ଦାସ ଦ୍ଵାଦଶ ସ୍କନ୍ଧର ପ୍ରାରମ୍ଭରେ ନିଜର ପରିଚୟ ଦେଇ ଅନୁସର୍ଜନା କରିଲେ । କିନ୍ତୁ ପୂର୍ବବର୍ତ୍ତୀ କବିଙ୍କ ଗାରିମା ଆଗରେ ନିଜର ଉଦାର ବଶ୍ୟତା ରଖି ଜଗନ୍ନାଥ ଦାସଙ୍କ ଭଣତି ହିଁ ସ୍ଥାନୀତ କରିଲେ ।
ଏହି ଦୁଇ କବିଙ୍କ ମଧ୍ୟରେ ମହାଦେବ ଦାସଙ୍କର ପ୍ରଖ୍ୟାତ ‘ନୀଳାଦ୍ରି ମହୋଦୟ’ ଓ ‘କାର୍ତ୍ତିକ ମାହାତ୍ମ୍ୟ’ । ଆଉ ପରବର୍ତ୍ତୀ କବି ଦ୍ଵାରିକା ଦାସ ‘ପରଚେ ଗୀତା’ ସହ ‘ନଅ ପୋଇ’ ଓ ‘ତେରପୋଇ’ ଲେଖିଛନ୍ତି । ବଳରାମ ଦାସଙ୍କ ଅସମ୍ପୂର୍ଣ୍ଣ ‘ଛତିଶ ଗୁପ୍ତଗୀତା’ ର ଦ୍ଵିତୀୟ ଅଧ୍ୟାୟରୁ ଅବଶିଷ୍ଟ ସମସ୍ତ ଅଧ୍ୟାୟ ଦ୍ଵାରିକା ଦାସଙ୍କ ଦ୍ବାରା ସମ୍ପନ୍ନ । ହେଲେ ମଧ୍ୟ କବିଙ୍କ ପ୍ରତି ନିଜର ପ୍ରଗାଢ ଆନୁଗତ୍ୟ ରକ୍ଷା କରି ମଧୁର ଅର୍ଥ ରସାୟନରେ ଯଥାଯଥ ଭାବସ୍ଫୁର୍ତ୍ତି ଓ ମୌଳିକ ଅର୍ଥ ବିବୃତି ଅତି ମନୋମୁଗ୍ଧକର ରହିଅଛି ।
“ହରି ଚରିତ ଭାଗବତ
କହଇ ଦାସ ଜଗନ୍ନାଥ” ।।
(କହଇ ଦାସ ଜଗନ୍ନାଥ)
ଶୌନାକାଦି ବ୍ୟାକୁଳ ଋଷିମାନଙ୍କ ଗହଣରେ ଶୁକମୁନିଙ୍କ ଭାଗବତ ବିଷୟ କଥୋପକଥନ । କଳିଯୁଗ ଆଗମନ ପୂର୍ବରୁ କଳୁଷିତ ମଣିଷ ସମାଜ ପ୍ରତି କି ଭଗବତ୍ ବାର୍ତ୍ତା ଦିଆଯିବ ତଥା ନାମକୀର୍ତ୍ତନ ଓ ହରିକଥା ଶ୍ରବଣର ମହିମା ବଖାଣ ହୋଇଅଛି । ଏଥି ସହ ଭଗବାନଙ୍କର ବାଇଶ ଗୋଟି ଅବତାର (କୁମାର, ବରାହ, ନାରଦ, ନରନାରାୟଣ, କପିଳ, ଦତ୍ତାତ୍ରେୟ, ଆକୂତେୟ, ଋଷଭ, ଉଷତମ, ମତ୍ସ୍ଯ, କୂର୍ମ, ଧନ୍ଵନ୍ତରୀ, ମୋହିନୀ, ନୃସିଂହ, ବାମନ, ପର୍ଶୁରାମ, ବ୍ୟାସ, ରାମ, କୃଷ୍ଣ, ବୁଦ୍ଧ ଓ କଳ୍କୀ) କଥାର ବର୍ଣ୍ଣନା ରହିଅଛି ।
ଏଥି ସହ ବେଦବ୍ୟାସଙ୍କୁ ଭାଗବତ ରଚନା ନିମନ୍ତେ ନାରଦଙ୍କ ପ୍ରବର୍ତ୍ତନ, ବ୍ୟାସ ଓ ନାରଦଙ୍କ ସମାଗମରେ ତତ୍ତ୍ଵ ଆଲୋଚନା, ପରୀକ୍ଷିତ ଜନ୍ମ ପୂର୍ବ ଅଶ୍ଵତ୍ଥାମାଙ୍କୁ ଅର୍ଜୁନଙ୍କ ଶାସ୍ତି ପ୍ରଦାନ, କୁରୁଶ୍ରେଷ୍ଠ ପିତାମହ ଭୀଷ୍ମଙ୍କ ଇହଲୀଳା ସମ୍ଵରଣ ଓ ଶ୍ରୀକୃଷ୍ଣଙ୍କୁ ସ୍ତୁତି ବର୍ଣ୍ଣିତ । ପରୀକ୍ଷିତଙ୍କ ମୃଗୟାରେ ଯୋଗାବିଷ୍ଟ ଶମୀକ ଋଷିଙ୍କର ଗଳାରେ ମୃତସର୍ପ ରଖିବା ଓ ଅଭିଶପ୍ତ ପରୀକ୍ଷିତ ରାଜା ଗଙ୍ଗାକୂଳରେ ଉପବାସ କରି ମହର୍ଷି ଶୁକଙ୍କ ଠାରୁ ଭାଗବତ ବାଣୀ ଶ୍ରବଣରେ ଭାଗବତର ଉପୋଦ୍ଘାତ ରୂପେ ପ୍ରଥମ ସ୍କନ୍ଧ ଅତି ସୁନ୍ଦର ଭାବରେ ପର୍ଯ୍ୟବସିତ ।
ଜଗନ୍ନାଥ ଦାସଙ୍କ ମୃଦୁ-ମଧୁର ମେଦୁର-ସ୍ପର୍ଶୀ ଭାବବ୍ୟଞ୍ଜକ ଶବ୍ଦ ଦେବା ଭିତରେ ଲୌକିକ ଜୀବନର ଅନେକ କଥାକୁ ସେ ଭକ୍ତିମୂଳକ ଶୈଳୀରେ ଆମ୍ଭମାନଙ୍କ ପ୍ରଫୁଲ୍ଲତାର ସହ ବାଢିଦେଇ ଅଛନ୍ତି । ଏହି ଅନୂଦିତ ମହତ୍ ଅନୁସର୍ଜନା ମୂଳରେ ଥିବା ସଂସ୍କୃତ ଅନଭିଜ୍ଞ ଅଥଚ ନିଚ୍ଛକ ଓ ମାଟିପ୍ରାଣ ସତ୍ତାକୁ ଯେଉଁ ସାରସ୍ଵତ ପରିମଣ୍ଡଳରେ ସଂଗଠିତ କରିଥିଲେ, ସେମାନଙ୍କ ମଧ୍ଯରୁ ପୁଣି ‘ଅତିବଡୀ’ ସମ୍ପ୍ରଦାୟରେ ପ୍ରତିଷ୍ଠିତ ହୋଇଲେ । ଦୁଇଶତ ବର୍ଷ ପରେ ଅବିଭକ୍ତ ପୁରୀ ଜିଲ୍ଲାର ଦୀନବନ୍ଧୁ ଖାଡ଼ଙ୍ଗା ସଂସ୍କୃତ ଭାଗବତର ଆକ୍ଷରିକ ସଂସ୍କରଣ ପ୍ରସ୍ତୁତ କରିଥିଲେ ମଧ୍ୟ, ଜଗନ୍ନାଥ ଦାସଙ୍କ ଓଡିଆ ଭାବାଦର୍ଶ ଓ ଲୌକିକ ଚେତନା ଅକ୍ଷୁଣ୍ଣ ।
ଭାଗବତ ବ୍ୟାଖ୍ୟାନର ଦିବ୍ୟତାକୁ ଯେଉଁ ମାନେ ମୌଳିକତାର ସହ ଗ୍ରାହକତା ଦେଖାଇ ନାହାନ୍ତି, ସେମାନେ ଅବୈଷ୍ଣବ ଭାବରେ ଯେଉଁ ଈର୍ଷା ପ୍ରଣୋଦିତ ପ୍ରୟାସ କରିଛନ୍ତି, ତାହା ବିଫଳ ହୋଇଛି । ସେଥିପାଇଁ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ ର ମଙ୍ଗଳାଚରଣ ମଧ୍ୟରେ କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମ୍ନଗାନରେ ଲେଖିଛନ୍ତି,
“ଭକ୍ତି ଦେବା ଗୁପ୍ତ ରହି ଅଛି ଯୁକ୍ତାକ୍ଷରେ ।
ବୈଷ୍ଣବ ବିହୀନେ କେବା ଜାଣିବ ସଂସାରେ ହେ ।।”
ଅର୍ଥାତ୍, “ଜଗନ୍ନାଥ = ଜଗତ୍ + ନାଥ” ର ରାଧାକୃଷ୍ଣ ଅଭେଦ ତତ୍ତ୍ଵ ଓ ରାଧାଙ୍କ ସମାନ ଭକ୍ତିଦାୟିନୀ ପଦ ଅବଗାହନ ନ କରିପାରିଲେ ଭାଗବତ ଦର୍ଶନ କଣ ଅବବୋଧ ହୁଏ ?
ବଙ୍ଗଭାଷା ମଧ୍ୟରେ ଜଣେ ବିପ୍ର ସନାତନ ବାଗୀଶ ଓଡ଼ିଆ ଭାଗବତ ଅନୁରୂପ ବଙ୍ଗଭାଷା ଅନୁବାଦ କରିବାକୁ ଯାଇ ଅତିବଡୀଙ୍କ ମୌଳିକ ଓଡ଼ିଆ ବର୍ଣ୍ଣନାକୁ ସୁଦ୍ଧା ପ୍ରଭାବ କ୍ରମେ ଅନେକ ଉଦ୍ଧୃତି ସ୍ଵୀକାର କରିଛନ୍ତି :
“ଶୁନ ଶୁନ ଶ୍ରୋତାଗନ କରି ନିବେଦନ
ପ୍ରଥମ ହଇତେ ଗ୍ରନ୍ଥ ଲେଖିଲୁଁ ଆପନ ।
ଦଶମେର ଶେଷ ଷଷ୍ଠ ଭାଖା ନ ପାଇନ
ଅନେକ ତପସୀ ଗ୍ରାମେ ଗ୍ରାମେ ବେଡାଇନ ।
ଏ ହେତୁ ଉତ୍କଳ ଭାଖା କରିଲ ଲିଖନ
ଜଗନ୍ନାଥ ଦାସ କୃତ ଅପୂର୍ବ ବର୍ଣ୍ଣନ ।
ଗ୍ରନ୍ଥ ସମାପନ ହେତୁ ଉତ୍କଣ୍ଠା ହାଇୟା
ବଙ୍ଗଜ ଭାଷାୟ ଉତ୍କଳ ମିଶାଇୟା ।”
ତେବେ ମହାଦେବ ଦାସଙ୍କ ଅନୁସର୍ଜନା ଓ ଅତିବଡୀଙ୍କ ଅନୁସର୍ଜନାରେ ଏକ ସୂକ୍ଷ୍ମ ପାର୍ଥକ୍ୟ ଦିଶେ, ଯାହା ପଦ ଯୋଜନାର ଦୃଷ୍ଟାନ୍ତରେ ଦେଖିହୁଏ । ସଂସ୍କୃତ ଅଳଙ୍କାର ଶାସ୍ତ୍ରରେ ‘ଚ’, ‘ହି’, ‘ବା’, ‘ଖଳୁ’, ‘ନୋଚେତ୍’ ପ୍ରଭୃତି ଶବ୍ଦର ଅର୍ଥ ଥିଲେ ହେଁ ଅନେକ ସ୍ଥଳରେ ସେଗୁଡିକ ପାଦପୂରଣ ଲାଗି ପ୍ରୟୋଗ ହୋଇ ଥାଏ । କିନ୍ତୁ ଏହାର ବହୁଳ ପ୍ରୟୋଗରେ କବିତ୍ଵର ଅପାରଗତା ଜଣା ଡିଯାଏ । ସାଧାରଣତଃ, ପ୍ରତିଭାଧର କବିବୃନ୍ଦ ଏସବୁ ପ୍ରୟୋଗ ପ୍ରତି ଏତେ ଅକୁଣ୍ଠିତ ନୁହଁନ୍ତି। ଠିକ୍ ସେହିପରି ଓଡ଼ିଆ ଭାଷାରେ ‘ଯେ’, ‘ହିଁ’, ‘ତ’ ପ୍ରଭୃତି ପଦ ଛାନ୍ଦମାନଙ୍କରେ ପଦପୂରଣ ଲାଗି ଦିଆଯାଏ ।
ପଦରଚନା ବେଳେ ମାତ୍ରା ଓ ଅକ୍ଷର ସାମଞ୍ଜସ୍ୟ ରକ୍ଷା ନିମନ୍ତେ କବିମାନେ ଯତିପାତ ଲାଗି ଅସୁବିଧାର ସମ୍ମୁଖୀନ ହେବା ସମୟରେ ଉପର୍ଯ୍ୟୁକ୍ତ ପଦଗୁଡିକୁ ସ୍ଵ ସ୍ଵ କବିତାରେ ଖଞ୍ଜି ଦିଅନ୍ତି । କବି ଅତିବଡୀ ଜଗନ୍ନାଥ ଦାସ ଏହି ଯେନ ତେନ ପ୍ରକାରେଣ ପ୍ରୟୋଗରୁ ନିବୃତ୍ତ ରହିଥିବା ବେଳେ ମହାଦେବ ଦାସଙ୍କ ଅନୁସର୍ଜନା ସମୟରେ ଦ୍ଵାଦଶ ସ୍କନ୍ଧର ଏକାଧିକ ପଦ ‘ଯେ’ ର ସଂଯୋଜନାରେ ରହିଛି। ଏହା ଦ୍ଵାରା ଭାଷାଗତ ତାରତମ୍ୟ ଏବଂ ଅନୁବାଦଗତ କୁଶଳତା ପ୍ରତି ଆମ୍ଭର ନିମ୍ନମତେ ଦୃଷ୍ଟି ନିକ୍ଷେପ ହୁଏ :
“ସେ ନାରାୟଣ ପାଦେ ମୁହିଁ ।
ଶରଣଯାକ ‘ଯେ’ ଅଛଇ ।।
× × ×
ସୂତ କହନ୍ତି ‘ଯେ’ ଆନନ୍ଦେ ।
ଚିତ୍ତ ନିବେଶି କୃଷ୍ଣପାଦେ ।।
ତା’ ସୁତ ଅଜ ‘ଯେ’ ପାରୁଶ ।
ପଞ୍ଚପଞ୍ଚାଶ ପାଳେ ଦେଶ ।।
ସୁର ‘ଯେ’ ଆବର ଅର୍ବୁଦ ।
× × × ।।
ଚନ୍ଦ୍ରଭାଗା ‘ଯେ’ ସିନ୍ଧୁର ତଟ ।
× × × ।।
କୁରୁକ୍ଷେତ୍ର ଏ ‘ଯେ’ ଅଯୋଧ୍ୟା ।
× × × ।।”
ତେବେ ମୌଳିକ ଓଡ଼ିଆ ଅନୁସର୍ଜନାରେ ଏକାଦିକ୍ରମେ ଯେଉଁ ସମସ୍ତ ବ୍ୟତିକ୍ରମ ପରିଲକ୍ଷିତ ହୁଏ, ତାହା ହେଉଛି ଅଧ୍ୟାୟ ସଂଖ୍ୟା ତ୍ରୟୋଦଶ ସ୍କନ୍ଧ ପର୍ଯ୍ୟନ୍ତ ବିନ୍ୟସ୍ତ ହେବା ସହ ସଂସ୍କୃତ ଭାଗବତର ୩୩୫ ଅଧ୍ୟାୟ ଗୋଟିଏ ଥିବା ବେଳେ ଓଡ଼ିଆ ଭାଗବତରେ ଦଶମ ସ୍କନ୍ଧରେ ୯୦ ଅଧ୍ୟାୟ ବଦଳେ ୯୬ ଅଧ୍ୟାୟ ଏବଂ ଏକାଦଶ ସ୍କନ୍ଧ ୩୧ ପରିବର୍ତ୍ତେ ୩୨ ଅଧ୍ୟାୟ ହୋଇ ଥିବାରୁ ୩୪୨ ଖଣ୍ଡ ଅଧ୍ୟାୟରେ ବିଭକ୍ତ । ଏପରିକି ସଂସ୍କୃତ ଭାଗବତ ୧୮,୦୦୦ ଶ୍ଳୋକ ଦ୍ଵାରା ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଓଡ଼ିଆ ଭାଗବତରେ ସମୁଦାୟ ପଦସଂଖ୍ୟା ରହିଅଛି ୨୭, ୧୬୦ । ଏହିପରି ଧରଣର ଅନେକ ବ୍ୟତିକ୍ରମ ଅଷ୍ଟମ, ଦଶମ ଏବଂ ଏକାଦଶ ସ୍କନ୍ଧରେ ଅଧିକାଂଶ ଦିଶେ ।
(କହଇ ଦାସ ଜଗନ୍ନାଥ)
ଅନ୍ୟ କତିପୟ ବ୍ୟତିକ୍ରମ ମଧ୍ୟରେ ଭାଗବତ ଅନ୍ତର୍ଗତ ଚତୁର୍ଥ ସ୍କନ୍ଧରେ ଧ୍ରୁବ ଉପାଖ୍ୟାନ ‘କଳସା’ ବାଣୀ ନିର୍ଦ୍ଦେଶ ଜନିତ ରଚନା – ଏଥିରେ ବିଷ୍ଣୁ ପୁରାଣର ପ୍ରଥମାଂଶ ଓ ଶ୍ରୀଧର ସ୍ଵାମୀଙ୍କ ଟୀକାର ଅବିକଳ ଓ ପ୍ରଚ୍ଛନ୍ନ ବର୍ଣ୍ଣନା ପରିଦୃଷ୍ଟ ହୁଏ । ସମ୍ଭବତଃ, ଶ୍ରୀବିଷ୍ଣୁ ପୁରାଣର ଛଟା ଧରିଥିବା ‘ଶ୍ରୀମଦ୍ଭାଗବତ’ ମହାପୁରାଣର ଧ୍ରୁବ ଉପାଖ୍ୟାନକୁ ଲୋକଶିକ୍ଷାର ଅନୁକ୍ରମରେ ରଖିବା ନିମିତ୍ତ ଭାଗବତପୁରାଣ ଅପେକ୍ଷା ବିଷ୍ଣୁପୁରାଣର ସାଦୃଶ୍ୟ ରଖୁଥିବା ବିଶେଷ ଭାଗକୁ ଅନୂଦିତାଂଶରେ ସ୍ଥାନୀତ କରାଯାଏ । ଏପରିକି ଅଧ୍ୟାୟମାନଙ୍କର ସଂକ୍ଷିପ୍ତ ହେବା ଓ ତତ୍ତ୍ଵପୂର୍ଣ୍ଣ ଏକାଦଶ ସ୍କନ୍ଧର ସରଳ ଅନୁସର୍ଜନା ମଧ୍ୟରେ ପ୍ରସିଦ୍ଧ ଉପାଖ୍ୟାନ ଅବଧୂତଙ୍କ ଚବିଶ ଗୁରୁ ସମ୍ପର୍କରେ ଯେଉଁ ଚମତ୍କାର ଅବତାରଣା ।
ଏ ସମସ୍ତ ଅବଧାରଣା ମୂଳରେ ଭାଗବତର ପ୍ରଭାବ ଏତେ ଆଚ୍ଛନ୍ନପ୍ରୟାସୀ ଏବଂ ଓଡ଼ିଆ ଜନସାଧାରଣଙ୍କର ଆପଣାର ହେଲା ଯେ ଓଡିଶାରେ ଇଂରାଜୀ ଶିକ୍ଷା ପୂର୍ବରୁ ନଡିଆ ଟାଣ ପଦ ଅପେକ୍ଷା ଡାଲିମ୍ଵ ରସପାନର ସହଜବୋଧରେ ଏହାର ରସ ଉପଲବ୍ଧି ଦ୍ଵାରା ଓଡିଶାର ସାକ୍ଷରତା ହାର ବଢିଯାଏ। ଏପରି ଏହାର ଦୃଷ୍ଟାନ୍ତ ଭାଗବତରେ ମିଳେ, ଯେତେବେଳେ ଦ୍ଵାଦଶ ସ୍କନ୍ଧ ମାଧ୍ୟମରେ ଅଙ୍ଗୁଳିମେୟ ପଦରେ ବର୍ଣ୍ଣ, ଉଚ୍ଚାରଣ ସ୍ଥାନ ଓ ଯୁକ୍ତାକ୍ଷର ସହ ସେମାନଙ୍କ ମହତ୍ତ୍ଵ ପ୍ରତିପନ୍ନ :
“ତାହାଙ୍କ ତହୁଁ ଉତପନ୍ନ ।
ଚଉଦ ଆକାରାଦି ବର୍ଣ୍ଣ ।।
ଚଉଦ ସ୍ୱର ଏ ବୋଲାନ୍ତି ।
ଏ ଭାବେ ଅକ୍ଷରର ଗତି ।।
କ କାର ଆଦି ଚଉତ୍ରିଂଶ ।
ବ୍ୟଞ୍ଜନ ଶବଦ ବିଶେଷ ।।”
“ସନ୍ଧି ଅକ୍ଷର ଏ ବୋଲାଇ ।
ଏ କାର ଆଦି ଚାରି ଯେହି ।।
ପଚିଶବର୍ଣ୍ଣେ ପଞ୍ଚ ପଞ୍ଚ ।
ପାଞ୍ଚ ବର୍ଣ୍ଣରେ ବର୍ଗ ସଞ୍ଚ ।।”
(୧୨ଶ ସ୍କନ୍ଧ, ୭ମ ଅଧ୍ୟାୟ)
ଊନବିଂଶ ଶତାବ୍ଦୀର ଶେଷ ଭାଗକୁ ଶିକ୍ଷା ବିଭାଗର ଉଚ୍ଚପଦସ୍ଥ କର୍ମଚାରୀ ବଙ୍ଗୀୟ ଭୂଦେବ ବନ୍ଦୋପଧ୍ୟାୟ ଓଡ଼ିଶା ପରିଦର୍ଶନ କରି ଆସିଥିବା ସମୟରେ ଭାଗବତକାର ତଥା ଭାଗବତର ଓଡ଼ିଆ ଜନଜୀବନରେ ନିରକ୍ଷରତା ଦୂର କରି ସାକ୍ଷର ଜନତାଙ୍କ ଉନ୍ମେଷକୁ ସ୍ଵୀକୃତି ଦେଇଛନ୍ତି । ଏପରିକି ଓଡ଼ିଆ ଗାଁ ଗୋହିରୀ ବୁଲି ଦେଖିଲେ ଆଜି ବି ଇତିହାସର ଅନମନୀୟ ପାଦ ଦେଶରୁ ମୁଣ୍ଡ ଟେକେ ଉତ୍କଳୀୟ ଭକ୍ତି ପରମ୍ପରାର ଏହି ଅନବଦ୍ୟ ସୁଷମାର ଉପତ୍ୟକା। ଘରେ ଘରେ ତଥା ସାହି ସାହି ଭାଗବତ ଟୁଙ୍ଗୀର ପ୍ରତିଷ୍ଠା ଏବଂ ଭାଗବତ ଗ୍ରନ୍ଥକୁ ସାକ୍ଷ୍ୟ କରି ହୋଇଥାଏ ନ୍ୟାୟ ନିଶାପ ।
(କହଇ ଦାସ ଜଗନ୍ନାଥ)
~ କହଇ ଦାସ ଜଗନ୍ନାଥ ~
ଭାଗବତ ଘର ବା ଭାଗବତ ଟୁଙ୍ଗୀର ସନ୍ଧ୍ୟାରେ ଭାଗବତ ପାଠ ମଧ୍ୟରେ ପଲ୍ଲୀରୁ ନେଇ ସହର ପର୍ଯ୍ୟନ୍ତ ଏହା ପିଲାମାନଙ୍କ ବିଦ୍ୟାଳୟ ଥିଲା ତ ପୁଣି ଗାଁଲୋକଙ୍କ ସମସ୍ତ ସୁଖ ଦୁଃଖର ଏକୀଭୂତ ଗ୍ରନ୍ଥାଗାର । ଭାଗବତ ଘର ପୁଣି ସମସ୍ତ ବିଚାର ଓ ବିମର୍ଶ ସହ ଜଡ଼ିତ ରହୁଥିଲା। ବଙ୍ଗ ଆଲୋଚକ ବିଜୟ ଚନ୍ଦ୍ର ମଜୁମଦାର୍ କୁହନ୍ତି ଯେ ଓଡିଆଙ୍କ ଏପରି କୌଣସି ଗ୍ରାମ ନାହିଁ ଯେଉଁଠି ଜଗନ୍ନାଥ ଦାସଙ୍କ ଭାଗବତ ରକ୍ଷିତ ଓ ପଠିତ ହେଉନାହିଁ । ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ନିଜ ଆତ୍ମଜୀବନୀ ‘ମୋ ବାରବୁଲା ଜୀବନ’ ଏବଂ ଜାନକୀବଲ୍ଲଭ ପଟ୍ଟନାୟକ ନିଜ ଭ୍ରମଣ ବୃତ୍ତାନ୍ତ ‘ଆସାମରୁ ଲେଖୁଚି’ରେ ଆସାମରେ ଏହାର ପ୍ରଭାବ ବିଷୟରେ କୁହନ୍ତି ।
ଆସାମର ପ୍ରଗାଢ ବୈଷ୍ଣବ ଶଙ୍କରଦେବ ୧୫୨୯ ମସିହାରେ ପୁରୀର ଅଢେଇ ମାସ ରହଣି ସହ ଅତିବଡୀ ଜଗନ୍ନାଥଙ୍କ ‘ଭାଗବତ’ର ପ୍ରଭାବରେ ଲୁବ୍ଧ ହୋଇ ଆସାମରେ ‘ନାମଘର’ର ପ୍ରବର୍ତ୍ତନ କରିଥିଲେ । ନିଜର ଅସମୀୟ ରଚନା ‘କୀର୍ତ୍ତନ ଘୋଷା’ର ୨୧ ଗୋଟି ଛାନ୍ଦରେ ଓଡ଼ିଶା ରହଣିର ଦୃଶ୍ୟ ମଧ୍ୟରେ ସେ ପୁରୁଷୋତ୍ତମ କ୍ଷେତ୍ର କଥା କୁହନ୍ତି । ଆସାମ ମାଟିରେ ‘ସତ୍ର’ ଏହି ପୃଷ୍ଠଭୂମିରେ ଗଢି ଉଠିଥିବା ଏକ ବିରାଟ ଅନୁଷ୍ଠାନ । ଏଇଠି ଗର୍ଭଗୃହରେ ଭାଗବତ ଗ୍ରନ୍ଥ ପୂଜିତ ହୁଏ । ଆମ ମାଟିରେ ଏପରିକି ବିଭା ସମୟରେ କନ୍ୟା ପିତା ବରର ପରୀକ୍ଷା ଭାଗବତ ଖେଦା ପାଠରେ ସମାହିତ କରୁଥିଲେ :
“ଗ୍ରାମ ମଧ୍ୟେ ଭାଗବତ ଘର
ନାନାବିଧ ଶାସ୍ତ୍ରର ଆକର
ରାତ୍ରେ ଏହିଠାରେ ବସି ବସି କେତେ ଗ୍ରାମବାସୀ
ଶୁଣନ୍ତି ମହାଭାରତ, ଗୀତା, ରାମାୟଣ
ଅଷ୍ଟାଦଶ ପୁରାଣାଦି ଶାସ୍ତ୍ର ଅଗଣନ ।
ସାଆନ୍ତାଣୀ ସଦା ଭକ୍ତିମତୀ
ଭୋକୀ, ଶୋଷୀ, ରୋଗୀଙ୍କୁ ଲୋଡ଼ନ୍ତି
ପାଆନ୍ତି ଜଳ ତୁଳସୀ ଭାଗବତ ଘରେ ବସି
ଶୁଣନ୍ତି ଭାରତ, ରାମାୟଣ, ଭାଗବତ,
ପରିବାର ମଙ୍ଗଳରେ ଅହୋରାତ୍ର ରତ” |
(“ପଲ୍ଲୀଚିତ୍ର”, ପଲ୍ଲୀକବି ନନ୍ଦକିଶୋର ବଳ )
ସେହିପରି ଭାବରେ ଓଡିଆ ଭାଗବତର ଗୋପଲୀଳା ବାଲ୍ୟାବସ୍ଥାର ଚାଟଶାଳୀରେ ନିତ୍ୟ ଗାୟନ ହୁଏ । ପୂର୍ବେ ଉତ୍କଳରେ କୁଟୁମ୍ଵର ସନ୍ତାନଟିଏ ଯଦି ଧର୍ମ, ଶିକ୍ଷା, ଜ୍ଞାନ, ବିଜ୍ଞାନ, ଦର୍ଶନ ପ୍ରଭୃତିରେ ସୁଧୀ ବିବେଚିତ ହୁଏ ଯେତେବେଳେ ସେ ଭାଗବତ ପଢି ଶିଖିସାରିଥାଏ ନହେଲେ ଗୋପଲୀଳା ତା ତୁଣ୍ଡରେ ଥାଏ । ନିରକ୍ଷର କୃଷକ ମୁହଁରେ ତ ହରିଜନ ମୁହଁରେ ଭାଗବତ ନିୟମିତ ଘୋଷାଯାଏ । ସେଥିପାଇଁ ଘରେ ଘରେ କୁହାଯାଏ,
“ପରମ ଶାସ୍ତ୍ର ଭାଗବତ ।
ଅଭ୍ୟାସ କରୁଥିବ ନିତ୍ୟ ।।”
ଆଉ ସବୁଠୁ ଉପରେ ମଣିଷର ଦୁଃଖ, ଶୋକ, ଯନ୍ତ୍ରଣା, ଦ୍ଵନ୍ଦ୍ଵ ଓ ମତାନୈକ୍ୟ ଦୂରେଇ ମଣିଷକୁ ଏହା ଆନ୍ତରିକତା ଦେଉଅଛି ।
‘ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି’; ‘ଦୁଃଖ ସଞ୍ଚିତ ଯେତେ ଧନ, ସେ ନୁହେଁ ସୁଖେ ପ୍ରୟୋଜନ’; ‘ଜଳ ବିହୁନେ ସୃଷ୍ଟି ନାଶ, ତା ଦେଖି ବିରାଟ ପୁରୁଷ’; ‘କର୍ମ କଷଣ ଦେହ ସହେ, ଅରଣ୍ୟ ଅଜଗର ପ୍ରାୟେ’, ‘ଦୁଷ୍ଟ ନିବାରି ସନ୍ଥ ପାଳୁ, ତୁ ନାଥ ପରମ ଦୟାଳୁ’, ‘କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ’, ‘ଆପଣା ହସ୍ତେ ଜିହ୍ଵା ଛେଦି, କେ ଅଛି ତାର ପ୍ରତିବାଦୀ’, ‘ଆତ୍ମା କୁଶଳେ ସର୍ବସିଦ୍ଧି, ତରଇ ସଂସାର ବାରିଧି’ ଭଳି ଭାଗବତର ପଦ ସବୁ ଆଜି ଲୋକମୁଖର ଢଗ, ପ୍ରବାଦ ରୂପେ ଜଣାଯାଉ ଅଛି । ଜୀବର ମଙ୍ଗଳମୟ କଥା ଅତି ଆପଣାର ଓଡ଼ିଆ କହୁଛି – ଓଡ଼ିଆ ହେବାର ଅନ୍ୟତମ ପରିଚିତି !
“ହରି ଚରିତ ଭାଗବତ
କହଇ ଦାସ ଜଗନ୍ନାଥ” ।।
ଆପଣାର ଲୋକ ବୁଝାଇବା ପରି ଏ ପଦର ନିବିଡତା ଯେ ଅପରିସୀମ, ତାହା ଏକାଦଶ ସ୍କନ୍ଧ ମଧ୍ୟରେ ଉଦ୍ଧବଙ୍କ ବଦ୍ରିକା ଯିବାକୁ ମନା କରିବାରେ ସ୍ପଷ୍ଟ । ଯେତେବେଳେ ଦ୍ଵାରିକାକୁ ପ୍ରଳୟ ଆସନ୍ନ ଏବଂ ଯଦୁବଂଶ ବିନଷ୍ଟ ହେବାକୁ ବସିଛି ସେହି ସମୟରେ ଉଦ୍ଧବଙ୍କ ପାଖରେ ଶ୍ରୀକୃଷ୍ଣ ତାଙ୍କୁ ଜ୍ଞାନତତ୍ତ୍ଵ ଜଣାଇବା ପରେ ବଦ୍ରିକା ଯିବା ନିମନ୍ତେ କୁହନ୍ତି । ବଦ୍ରିକାଠାରେ ଶାଗ, କନ୍ଦମୂଳ ଖାଇ ଧୀର ସମାଧିରେ ତାଙ୍କର ନାମ ଭଜନ ଲାଗି କୁହନ୍ତି, ହେଲେ ପ୍ରେମକୁଣ୍ଠିତ ଉଦ୍ଧବ କୃଷ୍ଣଙ୍କ ପାଦରେ କାନ୍ଦିଲେ । ଆଉ କହିଲେ –
“ଉଠି କୃଷ୍ଣଙ୍କୁ ବୋଲେ ବାଣୀ ।
ମୋତେ କି ଭଣ୍ଡୁ ଚକ୍ରପାଣି ।।
ସକଳ ତୀର୍ଥ ତୋ ଚରଣେ ।
ବଦ୍ରିକା ଯିବା କି କାରଣେ ।।
ଆଶ୍ରମ ନାମ ବଦରିକା ।
ସେ କି ତୋ ଚରଣୁଁ ଅଧିକା ।।
ତୋତେ ନ ଦେଖି ନରହରି ।
ଜୀବନ ନ ପାରିବି ଧରି ।।”
ଅତିବଡୀ ଜଗନ୍ନାଥ ଦାସଙ୍କ ଏ ଆପ୍ଳୁତ ଧାଡି ପରି ଭାଗବତକାରଙ୍କ ଜୀବନ ମଧ୍ୟ ଅତୀବ ରୋଚକ ରହି ଆସୁଥିଲା । ଅନେକ ପଣ୍ଡିତଙ୍କ ଚାଟୁ ସତ୍ତ୍ଵେ ଜନଶ୍ରୁତି କଥିତବ୍ୟ ଯେ ବଳରାମ ଦାସଙ୍କର ଦୀକ୍ଷିତ ଜଗନ୍ନାଥ ଦାସ କାଣ୍ଡଗୋଦାର ଜଗନ୍ନାଥ ଭକ୍ତ ମନେଇଁ ଦାସଙ୍କ ଠାବରେ ଭାଗବତର ପରିମାର୍ଜନ ନିମନ୍ତେ ମହାପ୍ରଭୁଙ୍କ ସ୍ବପ୍ନାଦେଶ ଘେନି ଯାଇଥିଲେ । ଲୋକଶ୍ରୁତି ଅନୁସାରେ ବାଳକ ବୟସର ମନେଇ ଗହୀର ହିଡ ପାଖରେ ମହାପ୍ରଭୁଙ୍କ ଆଜ୍ଞା ଘେନି ବସି ବଗବେକରୁ ମାଛକଣ୍ଟା ବାହାର କରିଥିଲେ । ଆଉ ସେଥିପାଇଁ ଉପକୂଳବର୍ତ୍ତୀ ପୁରୀରେ ତାଙ୍କ ନାମରେ ପ୍ରବାଦ ରହିଛି । ଇତିମଧ୍ୟରେ ଶ୍ରୀଚୈତନ୍ୟ ଓ ଜଗନ୍ନାଥ ଦାସ ଯାଜପୁରରେ ରହିଲେ ।
ଯେତେବେଳେ ଶ୍ରୀଚୈତନ୍ୟ ଯାଜପୁରରେ ଦ୍ଵିତୀୟ ଥର ଜଗନ୍ନାଥ ଦାସଙ୍କୁ ଅତିବଡୀ କହି ତାଙ୍କ ସହ ଶ୍ରୀକ୍ଷେତ୍ର ବାହୁଡିବା ଲାଗି କହିଲେ, ଅନ୍ୟ ଗୌଡୀୟ ବୈଷ୍ଣବ ବିରାଗ ଭାଜନରେ ରହିଲେ । ଏତିକି ବେଳେ ଶ୍ରୀଚୈତନ୍ୟ ଓ ଅତିବଡୀ ଜଗନ୍ନାଥ ଦାସ ଶ୍ରୀକ୍ଷେତ୍ର ବାହୁଡି ଆସିଲେ । ଏହି ସମୟରେ ବଣବିଷ୍ଣୁ ପୁରରେ ଥିବା ଗୌଡୀୟ ବୈଷ୍ଣବ ମାଧୋଇ ଦାସଙ୍କ ହାତରେ ଚିଠି ଲେଖି ତୀର୍ଥ ବୁଲିବାକୁ ଲେଖିଲେ । ହେଲେ ଚୈତନ୍ୟ ଶ୍ରୀକ୍ଷେତ୍ରର ଜଳ, ସ୍ଥଳ ଓ ବାୟୁରେ ପ୍ରତ୍ୟକ୍ଷ ଭାବରେ ଯେଉଁ ମୋକ୍ଷ ରହିଅଛି, ତାହା ଅନ୍ୟତ୍ର ନଥିବାର କହିବାରୁ ସେମାନେ ବୃନ୍ଦାବନ ଚାଲିଗଲେ । ଏହି ସମୟରେ ଦୁହିଁଙ୍କ ଭେଟ ହୁଏ ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବଙ୍କ ସହିତ ।
(କହଇ ଦାସ ଜଗନ୍ନାଥ)
ଏହି ସମୟରେ ଜଗନ୍ନାଥ ଦାସ କଳ୍ପବଟ ମୂଳରେ ଭାଗବତ ପାଠ ଓ ବ୍ୟାଖ୍ୟା କରୁଥିଲେ । ଚୈତନ୍ୟ ରାଜାଙ୍କ ଆଗରେ ଷଡ଼ଭୁଜ ହୋଇ ଶ୍ରୀକୃଷ୍ଣ, ରାମ ଓ ନିଜ ଦୁଇହାତ ଦେଖାଇ ଥିବା ବେଳେ ନାରାୟଣଙ୍କ ଏକତମ ରୂପରେ ଅତିବଡୀ ଶ୍ରୀକୃଷ୍ଣ ଓ ଶ୍ରୀରାମଙ୍କ ଦୁଇ ଦୁଇ ହାତ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିକା ଅଷ୍ଟଭୁଜ ଭାବେ ଦିଶିଥିଲେ । ଥରେ ପ୍ରତାପରୁଦ୍ର ଦେବ ଅତିବଡୀଙ୍କୁ ନୂଆଗଢା ରାଣୀ ହଂସ ପୁରକୁ ଜଗନ୍ନାଥ ଦାସଙ୍କୁ ଭାଗବତ ଶୁଣାଇବା ଲାଗି ନିମନ୍ତ୍ରଣ କରିବା ଆଖ୍ୟାନ ବେଶ୍ ଚର୍ଚ୍ଚିତ । ଏସମୟରେ ଶ୍ରୀକ୍ଷେତ୍ରରେ ଜନପ୍ରିୟ ଥିଲେ ଜଗନ୍ନାଥ ।
ଯେତେବେଳେ ରାଜାଙ୍କ କ୍ଷେତ୍ରରେ ପ୍ରଘଟ ହୁଏ ଯେ ଅତିବଡୀଙ୍କ ବାସସ୍ଥାନରେ ପ୍ରତ୍ୟହ ଦୁଇନାରୀ (ଯିଏ ମେଧା ଓ ସୁମେଧା ଥିଲେ) ଗମନ କରୁଅଛନ୍ତି, ରାଜା ବିଳମ୍ଵିତ ପ୍ରହରରେ ଅନ୍ଧାରୀ ବିଜେ କଲେ । ଦୁଇ ନାରୀଙ୍କୁ ଦେଖି ଅବାକ୍ ରାଜା ! ହେଲେ ନାରୀପ୍ରତିମ ଜଗନ୍ନାଥ ଦାସ କହିଲେ ଯେ ନିତ୍ୟଲୋକର ଏହି ଦୁଇଜଣ ତାଙ୍କ ସେବା କରନ୍ତି। ଏ ମଧ୍ୟରେ ରାଜାଙ୍କୁ ଜଣାଇଲେ ଯେ ସେ ମାସକୁ ତିନିଦିନ ନାରୀ ହୁଅନ୍ତି । ପାଣ୍ଡିତ୍ୟ ଓ ଦିବ୍ୟଭାବ ପରିଲକ୍ଷିତ କରି ରାଜା ତାଙ୍କୁ ସମ୍ମାନ କରିଥିଲେ । ଏଥି ସହ ରାଜା ତାଙ୍କୁ ଗୁରୁତୁଲ୍ୟ ମାନ୍ଯ କରି ପାଟରାଣୀଙ୍କ ଉଆସରେ ରଖାଇଲେ । ଏହି ସମୟରେ ଘଟେ ଅନ୍ୟ ଏକ କଥା ।
“ହରି ଚରିତ ଭାଗବତ
କହଇ ଦାସ ଜଗନ୍ନାଥ” ।।
ଜଣେ ବ୍ୟବସାୟୀ କାଶୀରାମ ନାୟକ ଶ୍ରୀକ୍ଷେତ୍ରକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଗି ଆସିଥାଆନ୍ତି । ଏହା ପରେ ନିଜ ସହିତ ଆଣିଥିବା ଅଭୂତପୂର୍ବ ବାସ୍ନାଦିଆ ଶ୍ରୀଖଣ୍ଡ ଚନ୍ଦନ, କର୍ପୂର, କସ୍ତୁରୀ ପ୍ରଭୃତି ମହାରାଜାଙ୍କ ନିକଟରେ ଭେଟି ସ୍ଵରୂପ ଶ୍ରୀଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ କରିଲେ । ଏହି ସମୟରେ ମହାରାଜା ଶ୍ରୀନଅର ଘେନିଯାଇ ଏହାକୁ ଅତିବଡୀଙ୍କୁ ସମର୍ପି ଦେଇ ସମସ୍ତ ଜଣାଇଲେ । ଚନ୍ଦନଲାଗି ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହା ଲାଗି ହେବାକୁ ଥିବା ବେଳେ ଏ ଗନ୍ଧଚନ୍ଦନ ନେଇ ଅତିବଡୀ ନିଜ ମଠ କାନ୍ଥରେ ଥିବା ଜଗନ୍ନାଥଙ୍କ ଚିତ୍ର ଉପରେ ଲେପିଦେଇ ଗଲେ ।
ହେଲେ ରାଜା ବଡ଼ଦେଉଳ ଶ୍ରୀଅଙ୍ଗରେ ଉଲାଗି ଚନ୍ଦନ ଟିକିଏ ବାରିପାରି ଜାଣି ପାରିଲେ ଯେ ଏହା ସେଇ ଅର୍ଦ୍ଧ କୋଶ ବ୍ୟାପୀ ଘ୍ରାଣଶକ୍ତି ଚଞ୍ଚଳ କରୁଥିବା ଶ୍ରୀଖଣ୍ଡ ଚନ୍ଦନ । ଏହା ପରେ ଅତିବଡୀଙ୍କ ମହିମା ଆହୁରି ବ୍ୟାପିଯାଏ । ଏହିପରି ରୂପେ ଦିନେ ବ୍ରହ୍ମାନନ୍ଦ ନାମକ ଜଣେ ଅଦ୍ଵୈତବାଦୀ ସନ୍ନ୍ୟାସୀ ଆସି କହନ୍ତି ଯେ ଯଦି ଏ କ୍ଷେତ୍ରରେ କେହି ତାଙ୍କ ସନ୍ଦେହମାନ ଦୂର କରିବ ତେବେ ହିଁ ସେ ଭୋଜନ ଗ୍ରହଣ କରିବେ । ଏହି ସମୟରେ ଅତିବଡୀ ସପ୍ତାହବ୍ୟାପୀ ଅନଶନରେ ଥିବା ବ୍ରହ୍ମାନନ୍ଦଙ୍କ ସହ ବ୍ରହ୍ମ ଜ୍ଞାନର ଆଲୋଚନା କରି ଅତିବଡୀଙ୍କ ମୁଣ୍ଡରେ ପତନୀକନା ବାନ୍ଧି ତାଙ୍କ ଅଗାଧ ଭକ୍ତି ଓ ଜ୍ଞାନର ସାଧୁବାଦ ଜଣାଇଲେ ।
ଜଗନ୍ନାଥ ଦାସଙ୍କର ଉଦ୍ଧବ ଦାସ, ରାମଚନ୍ଦ୍ର ଦାସ, ଗୋପୀନାଥ, ଗୌରା ପାଟଦେଈ, କାହ୍ନୁ ଖୁଣ୍ଟିଆ ପ୍ରଭୃତି ପୁଣି ଷୋଳ ଜଣ ଶିଷ୍ୟ ରହିଥିଲେ । ଅନ୍ୟ କିମ୍ଵଦନ୍ତୀ ଅନୁସାରେ ରାଜା ପ୍ରତାପରୁଦ୍ର ଦେବଙ୍କ ଅନୁରୋଧରେ ଜଗନ୍ନାଥ ଦାସ ଅନ୍ତଃପୁରରେ ଭାଗବତ ପାଠ କରିବାକୁ ପ୍ରେରିତ ହେଲେ । ଦିନେ ରାସପଞ୍ଚାଧ୍ୟାୟ ଶୁଣି ଅନ୍ତଃପୁର ପାଟମହିଷୀମାନେ କିଛି ଜାଣି ନ ପାରି ଶ୍ରୀକୃଷ୍ଣ ଶ୍ରୀକୃଷ୍ଣ ବୋଲି କହି ଜଗନ୍ନାଥ ଦାସଙ୍କୁ ଆଲିଙ୍ଗନ କରିଲେ। ଆଉ ଜଗନ୍ନାଥ ଦାସ ମଧ୍ୟ ମତ୍ତ ହୋଇ ‘ରାଧା’, ‘ରାଧା’ କହି ନାଚି ଉଠୁ ଥାଆନ୍ତି । ରାଜା ତାଙ୍କୁ ବନ୍ଦୀ କରିଦେଲେ, ମାତ୍ର, ରାଜକର୍ମଚାରୀ ତାଙ୍କୁ ବନ୍ଦୀଶାଳାରେ ସ୍ତ୍ରୀରୂପରେ ଦେଖି ସ୍ତମ୍ଭୀତ ରାଜା ମୁକ୍ଜ କଲେ ।
ଏହି ନୂଆଗଢା ରାଣୀ ଅନ୍ତଃପୁର ପରବର୍ତ୍ତୀ ସମୟରେ ବଡ଼ ଓଡ଼ିଆ ମଠ । ମହାପୁରୁଷ ଅତିବଡୀ ଜଗନ୍ନାଥଙ୍କ ଅଲୌକିକ ଗୁଣରାଜରେ ମୁଗ୍ଧ ମହାରାଜା ତାଙ୍କ ଲାଗି ଏହି ମଠ ଜଗନ୍ନାଥ ମନ୍ଦିରର ଉତ୍ତର ପଶ୍ଚିମରେ ଥିବା ମାର୍କଣ୍ଡେୟ ସାହିର ଦକ୍ଷିଣ ଦିଗକୁ ଅବସ୍ଥାପିତ କରାଇ ଥିଲେ । ଏହି ମଠ ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଭୋଗ ଓ ନବାଙ୍କ ସମୟରେ ଫୁଲ ମେଲାଣରେ ତଥା ବଡ଼ସିଂହାର ବେଶରେ ଚଉସରା ମାଳ ମହାଲକ୍ଷ୍ମୀଙ୍କ ପକ୍ଷରୁ ଯୋଗାଇଥାଏ । ଏହା ପରେ ସେ ଚାଲି ଆସିଛନ୍ତି ପୁରୀଠାରୁ ଟିକିଏ ଦୂରରେ ସ୍ଵର୍ଗଦାର ନିକଟବର୍ତ୍ତୀ ମହୋଦଧି ତୀରରେ ନିଜ କୁଟୀର ଭିଆଇ ନିଜର ସାଧନାକ୍ଷେତ୍ର ରୂପେ ବାଛି ନେଇଥିଲେ ।
“ହରି ଚରଣେ ଦେଇ ଚିତ୍ତ
କହଇ ଦାସ ଜଗନ୍ନାଥ” ।।
‘ଅବତାର ମାଳିକା’ ମାଧ୍ୟମରେ ଜଗନ୍ନାଥ ଦାସଙ୍କ ସମାଧି ପରବର୍ତ୍ତୀ ସମୟରେ ଏଠାରେ ସ୍ଥାପିତ ହେବ ବୋଲି ବର୍ଣ୍ଣନା କରି ବର୍ଣ୍ଣନା କରିଥିଲେ । ଦିନେ ସାଧନା ଅବସ୍ଥା ମଧ୍ୟରେ ଲୀନ ହେବାକୁ ବସିଥିବା ଜଗନ୍ନାଥ ସମୁଦ୍ର ମାଡି ଆସି ବାରମ୍ବାର ତାଙ୍କ ସାଧନାପୀଠକୁ କ୍ଷୁଣ୍ଣ କରୁଥିଲା । ଏକଦା ଅତିବଡୀ ଶ୍ରୀଜଗନ୍ନାଥଙ୍କୁ ନିଜ ଭାଳେଣି ଜଣାଇ କୃପାପ୍ରାର୍ଥୀ ହୋଇ ଯେତେବେଳେ ସାଧନାରେ ବସି ମାଡି ଆସୁଥିବା ସମୁଦ୍ରକୁ ହସ୍ତ ଉତ୍ତୋଳିତ କରି ଦେଖାଇଦେଲେ, ସମୁଦ୍ର ସାତ ଲହଡି ପଛକୁ ଭଟ୍ଟା ପଡି ଘୁଞ୍ଚିଯାଏ । କବିଶେଖର ଚିନ୍ତାମଣି ମହାନ୍ତି ‘ମହୋଦଧି’ କାବ୍ୟର ଚତୁର୍ଥ ସର୍ଗରେ ଏହାର ବର୍ଣ୍ଣନା ଦିଅନ୍ତି :
ସପତଲହରୀ ମଠ ତହିଁ ପାଶେ,
ଚାହିଁଛି ସନ୍ତ୍ରାସେ ସମୁଦ୍ର ଉଚ୍ଛ୍ଵାସେ ।
ବହିଛି ବହୁତ ପୁଣ୍ୟ ପୁରାସ୍ମୃତି,
ସହ ଭକ୍ତକବି ଜଗନ୍ନାଥ ମୂର୍ତ୍ତି ।
ହୋଇ ଭାଗବତ ରଚନା ତନ୍ମୟ,
ଦୁର୍ଲ୍ଲଭ ଜୀବନ କଲେ ଏଥି କ୍ଷୟ ।
ବୀଣାଖଣ୍ଡି ତାଙ୍କ ସ୍ନିଗ୍ଧ-ମଧୁନାଦୀ,
ପ୍ରତି ଗୃହେ ପୂଜା ପାଏ ଗ୍ରନ୍ଥଗାଦି ।
ସ୍ମୃତି-ଦେଉଳ ସେ ଭକ୍ତକବିଙ୍କର,
ରଖିଛି ଉତ୍କଳେ ଧର୍ମେ ସେ ଅମର ।
ଅତିବଡୀଙ୍କ ସାରସ୍ଵତ ପରିଚର୍ଚ୍ଚାର ଅନ୍ୟାନ୍ୟ ତାଲିକା ଭିତରେ ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’ର ତାତ୍ତ୍ବିକ ରୂପାୟନ ‘ଅର୍ଥକୋଇଲି’, ନବାକ୍ଷରୀ ରଚିତ ଶିବ ଓ ପାର୍ବତୀଙ୍କ କଥୋପକଥନରେ ଶ୍ରୀକୃଷ୍ଣ ଲୀଳାର ଜଗନ୍ନାଥତତ୍ତ୍ଵ ଆରୋପରେ ‘ଶୈବାଗମ ଭାଗବତ’, ଗୁରୁ ଓ ଶିଷ୍ୟ ପରମ୍ପରା ସହ ଭାରତୀୟ ଗୁରୁଜ୍ଞାନରେ ଦର୍ଶନକୁ ନେଇ ‘ଷୋଳ ଚଉପଦୀ’, ଷଡ଼ଚକ୍ର ସାଧନା ଆଧାରିତ ‘ଶ୍ରୀନାମ ଚନ୍ଦ୍ରିକା’, ‘ଅନାମୟ କୁଣ୍ଡଳୀ’, ନିତ୍ୟଲୀଳା ସମ୍ଵଳିତ ଭକ୍ତିମୂଳକ ରଚନା ସହ ଚୈତନ୍ୟଙ୍କ ଆଗମନକାଳୀନ ଚରିତର ଅବତାରଣାରେ ‘ପଦ୍ମପାଦ ସୁଧାନିଧି’, ‘ନିତ୍ଯଗୁପ୍ତ ଚିନ୍ତା ମଣି’, ‘ଶୂନ୍ୟ ଭାଗବତ’ ସହ କେତେକ ସଂସ୍କୃତ ଗ୍ରନ୍ଥର ରଚନା ରହିଅଛି ।
ଅନ୍ୟାନ୍ୟ ରଚନାର ପରିଚୟ ସ୍ଵରୂପ ‘ତୁଳାଭିଣା’, ‘ମୃଗୁଣୀ ସ୍ତୁତି’, ‘ଗଜନିସ୍ତାରଣ’, ‘ଗୁଣ୍ଡିଚା ବିଜେ’, ‘ବ୍ରହ୍ମଗୀତା’, ‘ମନଃଶିକ୍ଷା’, ‘ପାଷାଣ୍ଡଦଳନ’, ‘ଗୋଲୋକ ସରୋଦ୍ଧାର’, ‘ରସକଳ୍ପ ଚନ୍ଦ୍ରିକା’, ‘ଫୁଲତୋଳା ଚଉତିଶା’, ‘ଦୂତୀବୋଧ’, ‘ପାହାନ୍ତି ଅବକାଶ’, ‘ଭୂଗୋଳ ଏକାଦଶ ସ୍କନ୍ଧ’, ‘ବ୍ରହ୍ମଗୀତା’ ଅନ୍ୟତମ । ଏ ସମସ୍ତ ରଚନାରେ ଅଧିକାଂଶ ତତ୍ତ୍ଵ ରଚନା ଏବଂ ବିଭିନ୍ନ ସଂଳାପଧର୍ମୀ ଶୈଳୀ ପରବର୍ତ୍ତୀ ସମୟରେ ଅବଲମ୍ବନ କରାଯାଇ ଶିବ ଓ ପାର୍ବତୀଙ୍କ ମଧ୍ୟରେ ‘ତୁଳାଭିଣା’, ‘ଶୈବାଗମ ଭାଗବତ’ ର ଦୃଷ୍ଟାନ୍ତ ଭାବରେ ନିମ୍ନ କେତେକ ପଦ ପାଠକୀୟ ଅବଲୋକନ ନିମନ୍ତେ ପ୍ରଦତ୍ତ :
“ଶୁଣ ଗୋ ହୈମବତୀ ଜେମା ।
ତୋତେ କହିବା ତୁଳାଭିଣା ।।
ତୁଳାକୁ ଭିଣନ୍ତି ଯେସନ ।
ସେ ରୂପେ କରିବା ବଖାଣ ।।
ମହାଶୂନ୍ଯ ଯେ ଜ୍ୟୋତିରୂପ ।
ଜ୍ୟୋତିରୁ ଜାତ ଠୁଳ ରୂପ ।।
ଠୁଳକୁ ଅର୍ଦ୍ଧମାତ୍ରା କଲା ।
ମାତ୍ରାରୁ ଓଁକାର ଜନ୍ମିଲା ।।”
(ତୁଳାଭିଣା)
“ଷୋଳ ସହସ୍ର ମୁନିବର ।
କମଳା ଅଂଶେ ଅବତାର ।।
ଗୋପକାମିନୀ ରୂପ ହୋଇ ।
ଜନ୍ମିଲେ ମୋର ଭାବ ବହି ।।
ମୁଁ ତାଙ୍କ ଆଶା ପୂର୍ଣ୍ଣ ଅର୍ଥେ ।
ରମିବି ଶ୍ରୀବୃନ୍ଦା ବନସ୍ତେ ।।
ମୋର ବଲ୍ଲଭୀ ରାଧା ନାମ ।
ସେ ଜାତ ବୃଷଭାନୁ ଗ୍ରାମ ।।
ସେ ଯେ ଅଭିନ୍ନ ଦେହ ମୋର ।
ଲୀଳାରେ ଭିନ୍ନ କଳେବର ।।
ତାହାଙ୍କ ଭକ୍ତିଭାବ ବିନା ବିନୁ ।
କେବା ଲଭିବ ମୋର ତନୁ ।।”
(ଶୈବାଗମ ଭାଗବତ)
“ଗୋକୁଳାଦି ବୃନ୍ଦାବନ ମଥୁରା ଦ୍ଵାରକା ସ୍ଥାନ
ଅଯୋଧ୍ୟା ସହିତେ ଲୀଳା ବୈକୁଣ୍ଠ ଯେତେ,
ସର୍ବ ବଇଭବ ରାଶି ନୀଳାଦ୍ରି ସ୍ଥଳରେ ଦାସୀ
ନିତ୍ୟସ୍ଥଳୁ କ୍ଷରାକ୍ଷର ହୋନ୍ତି ସମସ୍ତେ ।”
(ଷୋଳ ଚଉପଦୀ)
“କେଶବ କୋଇଲି ନାଥ କାହାକୁ ଯେ କହି ।
ଏହା ମୋତେ ଶ୍ରୀହରି ପ୍ରସନ୍ନେ ଦେବା କହି ।।
ପାର୍ଥର ବଚନେ ଯେ ବୋଲନ୍ତି ଭଗବାନ ।
ଉତ୍ତମ କଥାଏ ପାର୍ଥ ପଚାରିଲୁ ପୁଣ ।।
କୋଇଲି ବୋଲିଣ ପାର୍ଥ ଜୀବକୁଟି କହି ।
ସେହି ଜୀବ ମୁହିଁ ଜାଣ ସର୍ବତ୍ର ଅଛଇ ।।”
(ଅର୍ଥକୋଇଲି)
‘ବୈଷ୍ଣବ ଲୀଳାମୃତ’ ଅନୁସାରେ ଶ୍ରୀଚୈତନ୍ୟ ୧୫୩୩ ଖ୍ରୀଷ୍ଟାବ୍ଦର ବୈଶାଖ ମାସ ଅକ୍ଷୟ ତୃତୀୟା ଦିନ ପୁରୀରେ ଇହଲୀଳା ସମ୍ଵରଣ କରିଥିଲେ । ସେହି ବର୍ଷ ଭାଦ୍ରବ ଶୁକ୍ଳାଷ୍ଟମୀର ଦିନ ରାୟ ରାମାନନ୍ଦ ଇହଧାମ ଛାଡିଲା ବେଳକୁ ପଞ୍ଚସଖା ମାନେ ଏକ ମିଳିତ ଗୋଷ୍ଠୀରୁ ଫେଡିଯାଇ ପରସ୍ପର ସାଧନା କ୍ଷେତ୍ରକୁ ଚାଲି ଯାଇଥିଲେ । ଏହି ସମୟରେ ଷୋଳ ବର୍ଷ ଧରି ଜଗନ୍ନାଥ ଦାସ ଦୈନିକ ଭଗବତ୍ ଆରାଧନା, ହରିନାମ କୀର୍ତ୍ତନରେ ଅତିବାହିତ କରିଲେ । ଶେଷ ସମୟ ଜାଣି ଜଗନ୍ନାଥ ଦାସ ଶିଷ୍ୟମାନଙ୍କୁ ପାଦୁକା ବାହାର କରି ପୂଜନ ଲାଗି କହିଦେଲେ ।
“ତୋଷ ନୁହଁଇ ମୋର ଚିତ୍ତ
କହଇ ଦାସ ଜଗନ୍ନାଥ” ।।
କାଳର କରାଳ ଗତିରେ ଯେଉଁ ସମୟରେ ମାନବ ଜୀବନ ଭୟାତୁର ହୁଏ, ସେହି ସମୟରେ ଏକାନ୍ତ ଧ୍ୟାନ ଅବସ୍ଥାରେ ମଗ୍ନ ହୋଇ ଜଗନ୍ନାଥ ଦାସ ବସି ରହିଲେ । କପାଳରେ ଦୟଣା ଲଗାଇ ପାଟିରେ ନିର୍ମାଲ୍ୟ ପାଇକି ନୀଳଚକ୍ରର ଆଢୁଆଳ ମନକୁ ଆଣି ଶେଷ ପ୍ରଣତି ଢାଳିଲେ । ମେଘମାଳରେ ବିଜୁଳି ଛଟା ପରି ନିତ୍ୟ ତତ୍ତ୍ଵକୁ ଧ୍ୟାନ କରି ୧୫୫୦ ଖ୍ରୀଷ୍ଟାବ୍ଦରେ ମାଘ ଶୁକ୍ଳ ସପ୍ତମୀ ତିଥିରେ ଷାଠିଏ ବର୍ଷ ବୟସରେ ମହାପ୍ରୟାଣ ଲାଭ କରିଲେ । ସମଗ୍ର ଉତ୍କଳ ସ୍ତବ୍ଧ ଓ ହତଚେତା ! କେହି କହିଲେ ତାଙ୍କ ଅମରାତ୍ମା ଏଇ ସିଂହଦ୍ଵାର ଦେଇ ଯାଉଛି ତ କେହି କହି ଦେଉଥାଏ ଏଇ ଜଗମୋହନର ଏ ତାଙ୍କ ଆତ୍ମା ଯାଉଅଛି !
ଓଡ଼ିଆ ଜାତିର ବିରାଟତ୍ଵ ଦେଖାଇ ଦେଇ ଯାଇଥିବା ଏ ମହାପୁରୁଷ ଅତିବଡୀ ଜଗନ୍ନାଥ ଦାସ ଆମ୍ଭର ଅକୃତଜ୍ଞ ମାଟିର କଳିକଳୁଷ କ୍ଷମା କରିବାର ହୋଇ ଏହି ଆଦର୍ଶ ଆମ୍ଭଙ୍କୁ ଦେଇଗଲେ ଯେ ଜାତି ପରସ୍ପରର ସାମ୍ୟ ମନ୍ତ୍ରରେ ଫୁଟିଉଠେ । କାଳର ବେଅନୁଗ୍ରହ ଆଗରେ ତୋଷାମଦୀ ଜାତି ନିପଟ ସ୍ଵାଭିମାନଶୂନ୍ୟ । ହେଲେ ଜାତି ଜଗନ୍ନାଥମୟ, ଜଗନ୍ନାଥ ପୁଣି ଏ ଜାତିର କେନ୍ଦ୍ର, ଏହି ମହାନୁଭବତାର ରମ୍ୟବୋଧ ଆଜି ଏତେ ଆନ୍ତରିକତା ଦେଇଛି ଯେ ଆଜି ଅତିବଡୀ ସତରେ ତାଙ୍କ ମାତୃବଚନକୁ ଯୁଗସନ୍ଧିରେ ଦେଇଛନ୍ତି ଅମାୟିକ ସାର୍ଥକତା । ତାଙ୍କ ଅମରାତ୍ମା ପ୍ରତି ଆମ୍ଭମାନଙ୍କ ସମସ୍ତ ଭକ୍ତିପୂତ ପାଥେୟ ।
© ପ୍ରିୟତମ ପାଥେୟର ସରଣୀ : ଅମୃତେଶ

Leave a Comment

Your email address will not be published. Required fields are marked *

Scroll to Top